Unknown

 

 

 

 

 

 

 

 

 

 

ଲୌହକପାଟ

ଭାଷାନ୍ତର : ଶାନ୍ତି ଦେବୀ

 

ମୋ’ କଥା

 

୧୯୬୨ରୁ ୧୯୬୫ ଦୀର୍ଘ ତିନି ବର୍ଷ ମୋତେ ରୋଗଶଯ୍ୟାରେ ପଡ଼ିବାକୁ ହୋଇଥିଲା-। ବିଛଣାରେ ଶୋଇ ରହିବାକୁ ଭଲ ଲାଗେ ନାହିଁ । ବହୁ କଷ୍ଟରେ ଉଠି ବସି ବାହାରର ମୁକ୍ତ ଆକାଶକୁ ଅନାଇ ରହେ । ଅତୀତର ଆନନ୍ଦମୟ ଦିନଗୁଡ଼ିକର କଥା ମନେ ପଡ଼ିଯାଏ, ଯାହା ଆଉ କେବେ ଫେରିଆସିବ ନାହିଁ ।

 

ଜୀବନ ଦୁଃସହ ବୋଧହୁଏ । ମଝିରେ ମଝିରେ ପୁସ୍ତକପାଠରେ ମନୋନିବେଶ କରି ନିଜର ଦୁର୍ଭାଗ୍ୟ ଭୁଲିବାକୁ ଚେଷ୍ଟା କରେ । ଆଶା ଓ ଆନନ୍ଦହୀନ ଜୀବନଯାପନର ତାହାହିଁ କେବଳ ଏକମାତ୍ର ଆଶ୍ୱାସନା । ମୋର ପୁଅ ପାର୍ଥ ଓ ଝିଅ କୃଷ୍ଣା ନାନା ବହିପତ୍ର ମୋତେ ନିୟମିତ ଭାବରେ ଆଣି ଦିଅନ୍ତି । ସୁସ୍ଥ ଅବସ୍ଥାରେ ଏହାକୁ ପରମ ସୌଭାଗ୍ୟ ମଣିଥାନ୍ତି । ମୋର ସ୍ୱଳ୍ପ ଅବସର ଏହାଦ୍ୱାରା କେତେ ଉପଭୋଗ୍ୟ, କେତେ ରମଣୀୟ ହୋଇ ନ ଥାନ୍ତା ! କିନ୍ତୁ ବର୍ତ୍ତମାନ ଶ୍ରାନ୍ତ, ଅବସନ୍ନ, ଅଖଣ୍ଡ ଜୀବନର ଗ୍ଳାନି ମୋତେ ସେହି ଆନନ୍ଦରୁ ବଞ୍ଚିତ କରିଅଛି ।

 

ଦେହ ଓ ମନର ଏହିପରି ଅବସନ୍ନ ଅବସ୍ଥରେ ‘ଲୌହକପାଟ’ ହାତରେ ପଡ଼ିଲା । ବଙ୍ଗର ଖ୍ୟାତନାମା ଲେଖକଙ୍କର ଏହି ବହି ବିଷୟ ପୂର୍ବରୁ ଶୁଣିଥିଲି, କିନ୍ତୁ ପଢ଼ି ନ ଥିଲି । ଅଳସଭାବରେ ପୃଷ୍ଠା ଲେଉଟାଇ ଦେଖୁଦେଖୁ ମନରେ ଟିକିଏ କୌତୂହଳ ହେଲା । ମୋର ନିଜ ଜୀବନ ‘ଲୌହକପାଟ’ର ଅବରୁଦ୍ଧ ଜୀବନ ପରି ଅଭିଶପ୍ତ, ଅକ୍ଷମତାର କାରାଗାରରେ ରୁଦ୍ଧ । ବୋଧହୁଏ ନିଜର ଅଜାଣତରେ ସମଦୁଃଖୀମାନଙ୍କ ପ୍ରତି ମୋର ଟିକିଏ ସହାନୁଭୂତି ଆସିଥାଇପାରେ । ଯେଉଁମାନେ ସମାଜରେ ଧିକୃତ, ଲାଞ୍ଛିତ, ପତିତ, ଅବହେଳିତ, ‘ଲୌହକପାଟ’ ସେଇମାନଙ୍କର ହିଁ ପ୍ରତୀକ । ସେମାନଙ୍କର ଇତିହାସ କିନ୍ତୁ ଦରଦୀ ଲେଖକଙ୍କର ନିପୁଣ ଲେଖନୀ ସ୍ପର୍ଶରେ କିପରି ପ୍ରାଣବନ୍ତ ହୋଇ ଉଠିଛି ! ବହିଟି ପଢ଼ିସାରିବା ପରେ ଦେଖିଲି, ମୋର ମନରେ ନିରାଶାର ଅନ୍ଧକାର ବହୁତ ଦୂର ହୋଇଯାଇଛି, ଜୀବନର ବହୁତ ନୂତନ ଅର୍ଥ ଖୋଜି ପାଇଛି ।

 

ଜୀବନ ସଂଗ୍ରାମରେ ପରାଜିତ ମୋର ଅଗଣିତ ଓଡ଼ିଆ ଭାଇଭଉଣୀଙ୍କ ପାଖରେ ଏହି ଆଶା ଓ ଆନନ୍ଦର ବାର୍ତ୍ତା ପହଞ୍ଚାଇ ଦେବା ପାଇଁ ମୋ ମନରେ ଆଗ୍ରହ ହେଲା । ଭାରତର ବିଭିନ୍ନ ଭାଷାରେ ‘‘ଲୌହକପାଟ’ ପ୍ରକାଶିତ ହୋଇଅଛି । ସେତେବେଳେ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥାଏ । ଏ ବହିଟି ଓଡ଼ିଶାରେ ନିଶ୍ଚୟ ଆଦୃତ ହେବ, ମୋର ଦୃଢ଼ ଆଶା ।

 

‘ଲୌହକପାଟ’ର ଅନୁବାଦ ପାଇଁ ଗ୍ରନ୍ଥକାରଙ୍କ ଅନୁମତି ପାଇଲି । ୧୯୬୬ ଅକ୍ଟୋବରରେ ଅନୁବାଦ ସରିଲା ପରେ ଏ ବହି ଅନେକ ପ୍ରକାଶକଙ୍କର ଦ୍ୱାରସ୍ଥ ହୋଇଛି । ଜଣେ ଲବ୍ଧପ୍ରତିଷ୍ଠ ପ୍ରକାଶକଙ୍କ ସହ ଚୁକ୍ତି ହୋଇ ମଧ୍ୟ ଏହା ପ୍ରକାଶିତ ହୋଇପାରିଲା ନାହିଁ । ଇତିମଧ୍ୟରେ ଅନେକ ଶିକ୍ଷାପ୍ରେମୀ ଓ ଶିକ୍ଷାବିତ୍‌ ମୋ’ଠାରୁ ଏହି ପାଣ୍ଡୁଲିପିଟି ନେଇ ପଢ଼ିଛନ୍ତି । ସେମାନଙ୍କ ମତରେ ଏହି ବହିଟି କଲେଜ ଛାତ୍ରଙ୍କ ପାଇଁ ଏକ ସୁନ୍ଦର ପାଠ୍ୟ-ପୁସ୍ତକ ହୋଇପାରନ୍ତା । ମୁଁ ଉତ୍ସାହିତ ହେଲି ଓ ସେମାନଙ୍କର ପ୍ରବର୍ତ୍ତନା ଫଳରେ ମୁଁ ନିଜେ ଏହାର ପ୍ରକାଶନ ଭାର ଗ୍ରହଣ କଲି-

 

ଅନୁବାଦ ପାଇଁ ଅନୁମତି ଦେଇଥିବାରୁ ମୁଁ ଗ୍ରନ୍ଥକାରଙ୍କୁ କୃତଜ୍ଞତା ଜଣାଉଛି । ବହିଟି ଆଦୃତ ହେଲେ, ସେ ଗୌରବ ମୂଳ ଲେଖକଙ୍କର । ଅନୁବାଦର ଦୋଷ-ତ୍ରୁଟି କେବଳ ମୋର ମାତ୍ର-। ଏଥିପାଇଁ ମୂଳ ବହିର ଗୌରବ ଯେମିତି କ୍ଷୁଣ୍ଣ ନ ହୁଏ, ଏହି ଆଶାରେ ବହିଟି ଅଗଣିତ ପାଠକପାଠିକାମାନଙ୍କ ନିକଟରେ ଉପସ୍ଥାପିତ କରୁଛି ।

 

ହାଇଦ୍ରାବାଦ,

ଶାନ୍ତି ଦେବୀ

ଜୁଲାଇ ୧, ୧୯୭୦

 

☆☆☆

 

ଏକ

 

କର୍ଣ୍ଣ-ଜନନୀ କୁନ୍ତୀ ଦେବୀ ତାଙ୍କର ସଦ୍ୟଜାତ ସନ୍ତାନକୁ ସାଗର ତରଙ୍ଗରେ ଭସାଇ ଦେଇଥିଲେ । ମହାଭାରତର ଏହି କରୁଣ କାହାଣୀ ଆଜି ମଧ୍ୟ ଆମର ଚକ୍ଷୁ ଅଶ୍ରୁପୂର୍ଣ୍ଣ କରାଏ; କିନ୍ତୁ ଆମର ମାତୃରୂପିଣୀ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ଯେଉଁ ଶହ ଶହ ସନ୍ତାନ ପ୍ରସବ କରି ଅକୂଳ ସମୁଦ୍ରରେ ଭସାଇ ଦିଅନ୍ତି, ସେମାନଙ୍କ ପାଇଁ କାହାରି ଆଖିରେ ବୁନ୍ଦାଏ ଲୋତକ ଦେଖାଦିଏ ନାହିଁ-। ତାହା ହୋଇଥିଲେ, ଏମାନଙ୍କୁ ନେଇ ଆଉ ଖଣ୍ଡିଏ ଅଷ୍ଟାଦଶ ପର୍ବ ମହାଭାରତ ରଚିତ ହୋଇ ପାରନ୍ତା ।

 

ଯଥା ନିୟମରେ ମୋତେ ମଧ୍ୟ ମୋର ସ୍ନେହମୟୀ Alma mater ମୋ ବେକରେ ଗୋଟିଏ ଡିପ୍ଲୋମାର କବଚ ଝୁଲାଇ ଦେଇ ଅଦୃଷ୍ଟ ହାତରେ ଛାଡ଼ି ଦେଲେ । ବିଶ୍ୱବିଦ୍ୟାଳୟର ଗର୍ଭରୁ ନିକ୍ଷିପ୍ତ ହେଲି ଉଚ୍ଚ ସମୁଦ୍ରର ଭଉଁରୀରେ । ସାନ ଗୋଟିଏ କିରାଣି କାମର ଭେଳା ଜୁଟାଇଦେବା ଭଳି ମଧ୍ୟ ମୋର ନ ଥିଲେ ମାନ୍ୟଗଣ୍ୟ ମାମୁ, ମୁରବି ସ୍ଥାନୀୟ ମଉସା କିମ୍ବା ଧନୀ ଅପୁତ୍ରିକ ଶ୍ୱଶୁର । ସମ୍ବଳ ମଧ୍ୟରେ ଥିବା ଗୋଟିଏ ଧଳା ଜିନ୍‌ର ପ୍ୟାଣ୍ଟ ଓ ନୀଳ ସେରେଟର କୋଟ-। ତାକୁଇ ସମ୍ବଳ କରି ଭାସି ବୁଲିଲି କୂଳେ କୂଳେ ।

 

ମଝିରେ ମଝିରେ ହାକିମ ଶିକାରର ପ୍ରୟୋଜନ ହେଲେ, ମହାନୁଭବ ସରକାର ଏହି ବୁଭୁକ୍ଷୁ ଭାସମାନ ପ୍ରାଣୀମାନଙ୍କ ମୁହଁ ପାଖରେ ଗୋଟି କେତେ Competitive ପରୀକ୍ଷାର ଚାରା ପକାନ୍ତି । ଡିଗ୍ରୀଧାରୀଙ୍କ ଦଳ ପଲ ପଲ ପ୍ରଲୁବ୍ଧ ହୁଅନ୍ତି । ଅନେକ ଚାରା ଗିଳନ୍ତି; କିନ୍ତୁ ଦୁଇ ଚାରିଜଣ ମାତ୍ର ଜାଲରେ ପଡ଼ନ୍ତି–ଯେଉଁମାନେ ପୂରାପୂରି ଭଲ ପିଲା, ଅର୍ଥାତ୍‌ ପରୀକ୍ଷା ଖାତାରେ ଯାହାଙ୍କ ନମ୍ବର ଅଛି ବେଶୀ ଓ ପୋଲିସ୍‌ର ଖାତାରେ ମୋଟେ ନମ୍ବର ନାହିଁ । ବନ୍ଧୁମାନଙ୍କ ମଧ୍ୟରୁ ଦଳେ ଇତିମଧ୍ୟରେ କୂଳକୁ ଉଠିଥିଲେ । ତାଙ୍କ ମଧ୍ୟରୁ କେହି କେହି ଆଶା ଦେଲେ; କେହି ପୁଣି ନିରାଶାର ବାଣୀ ଶୁଣାଇଲେ; ସେମାନେ କହିଲେ, ଏହା ପରୀକ୍ଷା ନୁହେଁ, ଏହା ଚାକିରିର ଫାଶ । ଏଥିପାଇଁ ଲୋଡ଼ା ଦଳେ ତୈଳସିକ୍ତ, ନତସ୍କନ୍ଧ, ବଶମ୍ବଦ ‘ଗୁଡ୍‍ ବୟ’–ଯେଉଁମାନେ ଜୁଆଳି କାନ୍ଧରେ ନେଇ ଧାଇଁବେ, କିନ୍ତୁ କୌଣସି ଅବସ୍ଥାରେ ମୁଣ୍ଡ ହଲାଇବେ ନାହିଁ । ତୁମେ ତାହା ପାରିବ ନାହିଁ । ଏହିପରି ସଦ୍‌ଗୁଣ ଯେ ମୋର ଅଛି କିମ୍ବା କେବେହେଲେ ଆୟତ୍ତ ହୋଇପାରେ, ସେପରି ଆତ୍ମବିଶ୍ୱାସ ମୋର ନଥିଲା; କିନ୍ତୁ ଏପ୍ଲିକେଶନ ଓ ଇଣ୍ଟରଭିଉ ସେତେବେଳେ ଏପରି ବିସ୍ମାଦ ହୋଇ ଯାଇଛି ଯେ, ନିହାତି ମୁହଁ ବଦଳାଇବା ପାଇଁ ସରକାରୀ ପରୀକ୍ଷାର ଚାରା ଗିଳିଲି ।

 

ଶ୍ରୀକାନ୍ତ କହି ଅଛନ୍ତି, ଇଂରେଜ ଅମଳରେ ଡାକ୍ତରଙ୍କର ପ୍ରବଳ ପ୍ରତାପ । କଂସେଇଖାନାର ଯାତ୍ରୀଙ୍କୁ ମଧ୍ୟ ଯିବା ପୂର୍ବରୁ ଏମାନଙ୍କ ମୁହଁକୁ ଅନାଇ ରହିବାକୁ ହୁଏ । ମୁଁ ଗୋଲାପ ଖାନାର ଯାତ୍ରୀ । ତେଣୁ କେବଳ ‘ପ୍ଳେଗ୍‌କା ଡଗ୍‌ଦରି’ ନୁହେଁ, ତାହାଠାରୁ ଭୟାବହ ଓ ବ୍ୟାପକ ଡାକ୍ତରୀ ପରୀକ୍ଷାପାଇଁ ଡାକରା ପଡ଼ିଲା ମେଡିକାଲ ବୋର୍ଡ଼ର ଦରବାରକୁ । ମେଡିକାଲ ବୋର୍ଡ଼–ଜଣେ ଭୁକ୍ତଭୋଗୀ କ୍ଷୀଣଦେହୀ ବନ୍ଧୁ ଏହାର ନାମ ଦେଇଥିଲେ, ‘‘ହାଡ଼ିକାଠ’’ । ତାହାରି ସ୍ନେହବେଷ୍ଟନ କଳ୍ପନା କରି ମୋର କ୍ଷୀଣତର ବେକ ଘନ ଘନ ଶଙ୍କିତ ହୋଇ ଉଠିଲା । ବନ୍ଧୁମାନେ ସାନ୍ତ୍ୱନା ଦେଲେ । ଶୁଭାର୍ଥୀମାନେ ଉପଦେଶ ଦେଲେ । କେହି କେହି କହିଲେ, ଡାମ୍ବେଲ ଅଭ୍ୟାସ କର, କେହି କେହି କହିଲେ, ହାତୀ କିମ୍ବା ବାଇସନର ଚର୍ବି ଖାଅ, କେହି ଅବା ପ୍ରସ୍ତାବ ଦେଲେ–କାଶ୍ମୀର କିମ୍ବା ଉତ୍‌କାମଣ୍ଡ ବୁଲିଆସ । ଏଣେ ହାତରେ ସମୟ ଅଛି ମାତ୍ର ଚଉଦ ଦିନ ।

 

ସବାଶେଷରେ ଆସିଲେ ଯିଏ ସବୁଠାରୁ ବିଚକ୍ଷଣ ଲୋକ–ମୋର ବୋର୍ଡ଼ିଂର ମ୍ୟାନେଜର ହରି ପଣ୍ଡା । ମୋର ଅବସ୍ଥା ଦେଖି ବହୁତ ଦୁଃଖ କଲେ । ତା’ପରେ ଧୀରେ ଧୀରେ କହିଲେ, ଗୋଟିଏ ଭଲ ଉପାୟ ଅଛି; କିନ୍ତୁ ତାହା କ’ଣ ଆପଣଙ୍କର ପସନ୍ଦ ହେବ ? ଆପଣମାନେ ହେଲେ ସବୁ–

 

ବାଧାଦେଇ ସବିନୟରେ କହିଲି, ରକ୍ଷା କରନ୍ତୁ ହରିବାବୁ, ଏଇ ବିପଦ ଆପଦରେ ଆପଣ ଏକମାତ୍ର ଭରସା । ହରିପଣ୍ଡା ଟିକିଏ ଭାବିନେଇ ଧୀରେ ଧୀରେ କହିଲେ ଆଳୁସିଝା ଖାଆନ୍ତୁ ।

 

–ଆଳୁ ସିଝା !

 

–ତୁଚ୍ଛା ଆଳୁ ସିଝା, ଆଉ ତାହା ସହିତ ଦୁଇଓଳି ଦୁଇଟା ଭାତ । ଗୋଟିଏ ହପ୍ତା ପରେ ଆପଣଙ୍କର ସବୁ କୁର୍ତ୍ତା ଯେବେ ସାନ ନ ହୁଏ, ମୋ ନା ହରି ପଣ୍ଡା ନୁହେଁ ।

 

ଅକୂଳ ସମୁଦ୍ରରେ କୂଳ ମିଳିଲା । ଡାଲି ତରକାରୀ, ମାଛ, ମାଂସ, ଦୁଧ, ଘିଅ ସବୁ ଛାଡ଼ି ଦେଲି । ଚଉଦ ଦିନ ଧରି ଦୁଇଓଳି ଖାଲି ଭାତ ଆଳୁ ସିଝା, ଆଳୁ ସିଝା ଭାତ ଚଳାଇଲି ।

 

ମ୍ୟାନେଜରଙ୍କର ଦୟା ଅସୀମ । ମାସ ଶେଷରେ ସେ କେବଳ ମୋ’ଠାରୁ ପୂରା ବୋର୍ଡ଼ିଂ ଚାର୍ଜ ନେଲେ; ଉପଦେଶର ମୂଲ୍ୟପାଇଁ ଅଧିକା କିଛି ଦାବି କରି ନାହାନ୍ତି ।

 

କିନ୍ତୁ ଏତେ ଯତ୍ନ, ଚେଷ୍ଟା ସତ୍ତ୍ୱେ ମୋ ଦେହର ବିଶେଷ ଉନ୍ନତି ହେଲା ନାହିଁ । ତାହାର ଓଜନ ଓ ଛାତିର ମାପ ମୋର ବିରୁଦ୍ଧରେ ହିଁ ରହିଲା । ବୋର୍ଡ଼ର ମୁଖ ଗମ୍ଭୀର ହେଲା; କିନ୍ତୁ ନିରାଶ ହେବା ଭଳି କୌଣସି କଥା ଡାକ୍ତରଙ୍କ ଅଭିଧାନରେ ନାହିଁ । ମହାସମାରୋହରେ ଆରମ୍ଭ ହେଲା ପରୀକ୍ଷା । ତିନିଜଣ ଯୁଦ୍ଧ ଫେରନ୍ତା ଆଇ.ଏମ୍‌.ଏସ୍‌ଙ୍କ ହାତରେ ସେଲୁଲଏଡ଼ କଣ୍ଢେଇ ପଡ଼ିଲେ ବି ତାହାର ଏପରି ଦୁରବସ୍ଥା ହୁଏ ନାହିଁ । ପେଟ ଚିପି, ଛାତି ଦେଖି, ଶୁଆଇ ବସାଇ, ତଣ୍ଟି ପରୀକ୍ଷା କରି, ଦଉଡ଼ାଇ ଓ ଆହୁରି ଅନେକ ରକମ ଅଶ୍ଳୀଳ ପ୍ରକ୍ରିୟା ପ୍ରୟୋଗ କରି (ଯାହା କେବଳ ଡାକ୍ତରଦ୍ୱାରା ସମ୍ଭବ) ମୋତେ ଯେତେବେଳେ ସେମାନେ ମୁକ୍ତି ଦେଲେ, ମନରେ ହେଲା, ଚାକିରିରେ ଉପଯୁକ୍ତ ଜୀବନୀ ଶକ୍ତିର ପରୀକ୍ଷା ଦେବାକୁ ଆସି ତାହାର ସବୁତକ ଏମାନଙ୍କ ହାତରେ ଶେଷ ହୋଇଗଲା । ଚାକିରି କରିବାପାଇଁ ଆଉ କିଛି ବାକି ରହିଲା ନାହିଁ; କିନ୍ତୁ କେଉଁ ପୁଣ୍ୟବଳରେ କେଜାଣି, ସମ୍ଭବତଃ ହରିପଣ୍ଡାଙ୍କର ଆଳୁ ସିଝାର କଲ୍ୟାଣରୁ କର୍ତ୍ତାମାନେ ପ୍ରସନ୍ନ ହେଲେ । ନିର୍ବାଚିତ ହେଲି ‘ଉପଯୁକ୍ତ’ ବୋଲି ।

 

ବୈତରଣୀ କୌଣସି ପ୍ରକାରେ ପାରି ହୋଇ ଆସିଅଛି । ହାକିମ ପଣିଆର ସ୍ୱର୍ଗାରୋହଣରେ ଆଉ ବାଧା ରହିଲା ନାହିଁ । ଶୁଭାକାଙ୍‌କ୍ଷୀ ଓ ବନ୍ଧୁମାନଙ୍କର ଉତ୍ସାହର ସୀମା ନାହିଁ । ସେମାନେ ମୋତେ ଅଭିନନ୍ଦନର ବନ୍ୟାରେ ଭସାଇ ଦେଲେ; କିନ୍ତୁ କାହିଁ, ଡାକରା ତ ଆସିଲା ନାହିଁ ? ମୋର ମାର୍କାମରା ଗଦିଟା କ’ଣ ଶୂନ୍ୟ ରହିଯିବ ? ଦିନପରେ ଦିନ ଗଡ଼ିଗଲା । ହିଜ୍‍ ମ୍ୟାଜେଷ୍ଟିସ ସର୍ଭିସର ବାର୍ତ୍ତା ବହନ କରି ଖଣ୍ଡିଏ ବାଦାମୀ ରଙ୍ଗର ଲଫାପା ଆଉ ଆସି ପହଞ୍ଚିଲା ନାହିଁ ।

 

ପ୍ରଥମରେ କ୍ଷୋଭ ଆଉ ବିରକ୍ତି ଯେତେ ହେଉ, ଶେଷରେ ମନକୁ ସାନ୍ତ୍ୱନା ଦେଲି । ଭଲ ହେଲା । ଭଗବାନ ମୋତେ ଚାକିରିର ମୋହ ଗର୍ତ୍ତରେ ନ ପକାଇ ଲାଲଦୀଘିର ପଡ଼ିଆରେ ଛାଡ଼ିଦେଲେ । ସାମାନ୍ୟ ‘ଦୁଇ ବିଘା’ର ବଦଳରେ ସେକ୍ରେଟେରିଏଟର ‘ବିଶ୍ୱନିଖିଳ’ ମୋତେ ଲେଖି ଦେଲେ । ପୁଣି ଆରମ୍ଭହେଲା ଅଭିଯାନ । ଜିନ୍‌ ପେଣ୍ଟ ଓ ସେରେଟ କୋଟରେ ଘନ ଘନ ଡାଇଂ-କ୍ଲିନିଂର ନମ୍ବର ପଡ଼ିବାକୁ ଲାଗିଲା ।

 

ଏପରି ସମୟରେ ଦିନେ ଖବର ମିଳିଲା, ବଙ୍ଗ ସରମାରଙ୍କର ଜଣେ ମନ୍ତ୍ରୀ ଗୋଟିକେତେ ଲୋଭନୀୟ ଚାକିରିର ମେଓ୍ୱା ନେଇ ଅପେକ୍ଷା କରୁଅଛନ୍ତି ଚଟ୍ଟଗ୍ରାମର କୌଣସି ଉଚ୍ଚ ଜାଗାରେ । ମୋ’ପରି ‘ହୀରାମୁଣ୍ଡାର’ ଦେଖା ପାଇଲେ ସାଙ୍ଗେ ସାଙ୍ଗେ ଯେ ଗୋଟାଏ ବଡ଼ ଦେଖି ମେଓ୍ୱା ହାତକୁ ବଢ଼ାଇ ଦେବେ, ଏଥିରେ କିଛି ସନ୍ଦେହ ନାହିଁ । ଗୋଟିଏ ଲମ୍ବା ଚଉଡ଼ା ସୁପାରିସ୍‍ ପତ୍ର ବି ସଂଗ୍ରହ ହେଲା । ଯେ ଦେଲେ ଶୁଣିଲି ସେ ମନ୍ତ୍ରୀବରଙ୍କର ବିଶିଷ୍ଟ ବନ୍ଧୁ ଏବଂ ସେହି ବନ୍ଧୁତା ପ୍ରଧାନତଃ ‘କ୍ଲାସିକ’ । ଅତଏବ ଚାକିରି ସମ୍ବନ୍ଧରେ ଏକରକମ ନିଶ୍ଚିନ୍ତ ହୋଇ ହିଁ ଧାଇଁଲି ଚଟ୍ଟଗ୍ରାମକୁ ।

 

ସୁନ୍ଦର ବଙ୍ଗଳା । ମନୋହର ପରିବେଶ । ବିଚିତ୍ର–ବେଶୀ ପ୍ରାର୍ଥୀଙ୍କର ଭିଡ଼; କିନ୍ତୁ ମନ୍ତ୍ରୀ-ସାହେବଙ୍କ ଦେଖା ନାହିଁ । ଘଣ୍ଟାଏ ଖଣ୍ଡେ ଅପେକ୍ଷା କଲା ପରେ ଆବିଷ୍କାର କରାଗଲା ଯେ ସେ ବଙ୍ଗଳା-ସଂଲଗ୍ନ ଗୋଲାପ ବଗିଚାରେ ପ୍ରାତଃ ଭ୍ରମଣ ଓ ଗୋଟିଏ ସୁଦୃଶ୍ୟ କାଚ ପାତ୍ରରେ ଦରଫୁଟା ଗୋଲାପରୁ ଶିଶିର-ସଞ୍ଚୟରେ ବ୍ୟସ୍ତ ଅଛନ୍ତି । ସେହି ଆଡ଼କୁ ଚାହିଁ ମନେହେଲା, ଚୌଷଠି-ହଜାର ସିଂହାସନରେ ବସି ଏହି ମନ୍ତ୍ରୀମାନଙ୍କୁ କେତେ କଠୋର ପରିଶ୍ରମ କରିବାକୁ ନ ହୁଏ ।

 

ଆହୁରି ଗୋଟାଏ ଘଣ୍ଟା ବିତିଗଲା । ଶେଷକୁ ଅଧୈର୍ଯ୍ୟ ହୋଇ ସେହି ଗୋଲାପ କୁଞ୍ଜରେ ଅନଧିକାର ପ୍ରବେଶ କରି ମନ୍ତ୍ରୀ-ମହୋଦୟଙ୍କୁ ସଲାମ କଲି । ସେ ସୁରମା-ଅଙ୍କା ମଦିର ନେତ୍ର ମେଲାଇ ମୋ ଆଡ଼କୁ ଅନାଇଲେ ଏବଂ ସ୍ୱ-ସୁପାରିସ୍‍ ଆବେଦନ ପତ୍ର ଗ୍ରହଣ କଲେ । ଗୋଟାଏ ସାନ ବକ୍ତୃତାରେ ମୁଁ ତାଙ୍କର ଅନୁଗ୍ରହ ପ୍ରାର୍ଥନା କଲି । ମନ୍ତ୍ରୀବର କିଛି ଉତ୍ତର ଦେଲେ ନାହିଁ । ଅଳ୍ପ ହସି ପୁଣି ଶିଶିର ସଂଗ୍ରହରେ ମନେ ଦେଲେ ।

 

ତୃତୀୟ ଘଣ୍ଟା ଯେତେବେଳେ ଶେଷ ହେଲା, ମନ୍ତ୍ରୀବରଙ୍କ ସେକ୍ରେଟାରୀଙ୍କ ଶରଣ ନେଲି । ଆବେଦନ ପତ୍ର ସମ୍ବନ୍ଧରେ ପ୍ରଶ୍ନ କଲାରୁ ଗମ୍ଭୀର ଭାବରେ ଇଂରେଜୀରେ ଉତ୍ତର ଦେଲେ ଡାକରେ ଜବାବ ଯିବ ।

 

ଚବିଶ ବର୍ଷ ସାତ ମାସ କଟି ଗଲାଣି । ସେହି ଜବାବ ଏପର୍ଯ୍ୟନ୍ତ ଆସି ନାହିଁ । ବୋଧହୁଏ ଆହୁରି ସମୟ ଲାଗିବ ।

 

ଚାକିରି ଦିଅନ୍ତୁ ଅବା ନ ଦିଅନ୍ତୁ ଅଯାଚିତ ଏବଂ ଜ୍ଞାନଗର୍ଭ ଉପଦେଶ ଦାନରେ କେହି କାର୍ପଣ୍ୟ କରନ୍ତି ନାହିଁ । ରେଜିଷ୍ଟ୍ରେସନ ବିଭାଗର ବଡ଼ କର୍ତ୍ତା ବେଶ୍‍ ଖାତିର କରି ବସାଇଲେ । ଦେଶର ବେକାର ସମସ୍ୟା, ଝିଅ ବିଭାଘରର ଗଣ ପ୍ରଥା, ପ୍ରମୋସନ୍‍ ସମ୍ବନ୍ଧରେ ଗଭର୍ଣ୍ଣମେଣ୍ଟଙ୍କ ଅବିଚାର ଇତ୍ୟାଦି ବଡ଼ ବଡ଼ ବିଷୟରେ ବହୁତ ଆଲୋଚନା କରି ଅବଶେଷରେ କହିଲେ, ଗୋଟିଏ କାମ କରନ୍ତୁ । ଚାକିରି କରି ଆଉ ବେଶି କ’ଣ ହେବ ? ତାହାଠାରୁ ଚିନାବାଦାମ ଚାଷ କରୁନାହାନ୍ତି ? ନିଜ ହାତରେ ଲଙ୍ଗଳ ନ ଧରିବାରୁ ତ ବଙ୍ଗାଳୀଙ୍କର ଏପରି ଦୁର୍ଦ୍ଦଶା ! ଆଉ ଦେଖନ୍ତୁ, ସେମାନଙ୍କ ଦେଶ । ଲୟେଡ଼ ଜର୍ଜଙ୍କର ବାପ ଜୋତା ସିଲେଇ କରୁଥିଲେ । ଫୋର୍ଡ଼ ଥିଲେ ମିସ୍ତ୍ରି । ଅଥଚ–ଶିକ୍ଷା ବିଭାଗର ସହକାରୀ ଅଧିକର୍ତ୍ତା ମଧ୍ୟ ଦିନେ ଅତ୍ୟନ୍ତ ବ୍ୟଥିତ ହେଲେ, ଯେତେବେଳେ ଶୁଣିଲେ ଯେ, ମୁଁ ଗୋଟିଏ ସାମାନ୍ୟ ମାଷ୍ଟର କାମପାଇଁ ପ୍ରାର୍ଥୀ । କହିଲେ, ଇୟଙ୍ଗ ମ୍ୟାନ, ଭାଙ୍ଗିପଡ଼ିଲେ ଚଳିବ ନାହିଁ, ଗାଁକୁ ଚାଲି ଯାଆନ୍ତୁ । ଘରେ ଘରେ ଶିକ୍ଷାବିସ୍ତାର କରନ୍ତୁ । ଶରତ ଚାଟର୍ଜିଙ୍କ ପଲ୍ଲୀସମାଜ ପଢ଼ିଛନ୍ତି ତ ? ବିଶ୍ୱେଶ୍ୱରୀ କହି ଅଛନ୍ତି, ଆଲୁଅ ଜାଳି ଦେ ରେ ରମେଶ ଆଲୁଅ ଜାଳି ଦେ ।

 

ବର୍ତ୍ତମାନ ଆମର ଯୁବକମାନଙ୍କୁ କେବଳ ଆଲୁଅ ଜାଳିବାକୁ ହେବ ।

 

ଅବକାରୀଠାରୁ ଆରମ୍ଭକରି ପଶୁଚିକିତ୍ସା, ଜନସ୍ୱାସ୍ଥ୍ୟ, ମତ୍ସ୍ୟଚାଷ, କୌଣସି ବିଭାଗ ବାଦଦେଇ ନାହିଁ । ଜୋତାର ସୋଲ ତିନିଥର ବଦଳ ହେଲା । ସେରେଟର ନୀଳ କୋଟ ହୋଇଗଲା ପାଉଁଶିଆ । ଦୁଇଟି ବିଭାଗ ସେ ପର୍ଯ୍ୟନ୍ତ ଚେଷ୍ଟା କରି ନ ଥିଲି–ଜେଲ୍‍ ଓ ପୋଲିସ୍‌ । କାହିଁକି ଜାଣେନା, ଏମାନଙ୍କ ସମ୍ବନ୍ଧରେ ଗୋଟାଏ ଆତଙ୍କ ଥିଲା ମନରେ; କିନ୍ତୁ ମଣିଷର ଭାଗ୍ୟ ନେଇ ଯେଉଁ ମହା ଜାଦୁକର ଖେଳ ଖେଳନ୍ତି–ସେ ବୋଧହୁଏ ମନେମନେ ହସିଥିଲେ, ଯେଉଁଦିନ ହଠାତ୍‌ ଆମନ୍ତ୍ରଣ ଜଣାଇଲେ ସ୍ୱୟଂ କାରା ବିଭାଗର ଶ୍ୱେତାଙ୍କ ଇନସ୍ପେକ୍ଟର ଜେନେରାଲ ଜଣେ ମାନ୍ୟଗଣ୍ୟ, ଲେଫ୍ଟେନେଣ୍ଟ୍‌ କର୍ଣ୍ଣେଲ ଆଇ.ଏମ୍‌.ଏସ୍‌ । ଡରିମରି ଯାଇ ଆଗରେ ଠିଆ ହେଲି । ବିନା ଭୂମିକାରେ କହିଲେ, ତୁମର କେସ୍‌ଟା ଦେଖିଲି । ଭେରି ସ୍ୟାଡ଼ । ଯାହାହେଉ, ତୁମକୁ ନେବାକୁ ମୁଁ ପ୍ରସ୍ତୁତ ଅଛି । ଏହାଇ ହେଲା ଚାକିରି, ଏହି ତା’ର ଭବିଷ୍ୟତ–କହି ଚାକିରିର ଏପରି ଗୋଟାଏ ଚିତ୍ତାକର୍ଷକ ବର୍ଣ୍ଣନା ଦେଲେ, ତାହା ଯେପରି ଚାକିରି ନୁହେଁ; ତାଙ୍କର ପ୍ରାପ୍ତବୟସ୍କା ଅନୂଢ଼ା କନ୍ୟା; ମୋତେ ଯୋଗ୍ୟତମ ପାତ୍ର ମନେକରି ଗଢ଼େଇ ଦେବାକୁ ଚେଷ୍ଟା କରୁଛନ୍ତି । ସମ୍ମତି ଜଣାଇ ଧନ୍ୟବାଦ ଦେଇ ଚାଲି ଆସୁଛି, ଡାକି ଫେରାଇ କହିଲେ, ତମକୁ ବଡ଼ ରୋଗା ଦେଖା ଯାଉଛି । You should get a healthy station । ଦାର୍ଜିଲିଂ ଯାଅ କ’ଣ କହୁଛ ?

 

ପ୍ରଚଳିତ ନିୟମର ବ୍ୟତିକ୍ରମ ହେଲା । ମୋ ପରି ଅନାଡ଼ି ରଂ ରୁଟ୍‌ର କୌଣସି ଗୋଟାଏ ସେଣ୍ଟ୍ରାଲ ଜେଲରେ କେତେ ବର୍ଷ ଟ୍ରେନିଂରେ ରହିବା କଥା । ଦାର୍ଜିଲିଂ ଭଳି ସାନ ଜାଗା ମୋର ପ୍ରାପ୍ୟ ନୁହେଁ ।

 

ଗୋଟାଏ ବର୍ଷାଧୌତ ଶରଦ ସନ୍ଧ୍ୟାରେ ମୋର ଅଭିଯାନ ଆରମ୍ଭ ହେଲା । ଚାଲିଲି ମେଘ-ମାୟାର ଦେଶକୁ । ଯାହାହେଉ ଗୋଟାଏ ଆଶ୍ରୟ ମିଳିଲା । ସାନ ହେଉ, ବଡ଼ ହେଉ, ଗୋଟାଏ ଅବଲମ୍ବନ । ଅବସାନ ହେଲା ଉଦବେଗମୟ ଅନିଶ୍ଚିତତା । ଏହି ସବୁ କଥା ଯେ ସେଦିନ ମନେ ହୋଇନାହିଁ, ତାହା ନୁହେଁ; କିନ୍ତୁ ସବୁକଥା ଉପରେ ମନରେ ଜାଗି ଉଠିଲା କିପରି ଗୋଟାଏ ଭୟ । ଅପରିଚିତ ଭବିଷ୍ୟତ । ଡେଇଁ ତ ପଡ଼ିଲି । କିଏ ଜାଣେ, କ’ଣ ଅଛି ତାହାର ଅନ୍ଧକାର ରହସ୍ୟମୟ ଗର୍ଭରେ ?

 

ଦୁଇ

 

ଜି.ବି.ଏସ୍‌, ନାଟକରେ ଯେପରି ଭୂମିକା, ସରକାରୀ ଚାକିରିରେ ସେହିପରି ପ୍ରୋବେଶନ । ମୂଳ ବସ୍ତୁର ପୂରାପୂରି ରସ ଗ୍ରହଣ କରିବାକୁ ହେଲେ ଉଭୟ ଅବଶ୍ୟ ଲଙ୍ଘନୀୟ, କିନ୍ତୁ ଲଙ୍ଘନ-ପଥ ଟିକିଏ କଣ୍ଟକମୟ । ସମସ୍ତଙ୍କର ବିଷୟରେ ଜାଣେ ନାହିଁ । ପ୍ରୋବେଶନର ଜୀବନରେ ଇତିହାସ ବିଚିତ୍ର ହେବା ସ୍ୱାଭାବିକ । ନିଜ ସମ୍ବନ୍ଧରେ ଏତିକି କହିପାରେ, କେବଳ ଏହି ପଥଟି ବାଛି ନେବାକୁ ଯାଇ କଣ୍ଟକର ଯେଉଁ ସ୍ୱାଦ ପାଇଅଛି, ତାହା ମିଶ୍ରରସ–ଆଘାତ ସଙ୍ଗରେ କୌତୁକ ମିଶା ।

 

ଗିରିନ ଭାଇ କହିଥିଲେ, ଚାକିରି-ଗ୍ରନ୍ଥର ପ୍ରଥମ ପାଠ୍ୟ ହେଉଛି–ସଲାମ । ସେହି ବସ୍ତୁଟି ଠିକ୍‌ ସମୟରେ ଠିକ୍‌ ଜାଗାରେ ଠିକ୍‌ ମୁତାବକ ଯଦି ଠୁଙ୍କି ନ ପାର, ଚିରଜୀବନ କପାଳ ଠୁଙ୍କି କଟାଇବାକୁ ହେବ । ବହୁଦର୍ଶୀ ବନ୍ଧୁଙ୍କର ଏହି ମୂଲ୍ୟବାନ ଉପଦେଶ ମୁଁ ଅବହେଳା କରିନାହିଁ-। ଶୁଣିଲି, ମୁନିବ ମୋର ଏକାଧିକ । ସେଥିପାଇଁ ଦୁଶ୍ଚିନ୍ତା କ’ଣ ? One cannot please everybody–ଯେଉଁଠି ଦେବତା ନାହାନ୍ତି ଏହା ହେଉଛି ସେହି ଦେଶର ଦର୍ଶନ-। ଆମ ଦେଶରେ ଦେବତାଙ୍କ ସଂଖ୍ୟା ତେତ୍ରିଶ କୋଟି । ତାଙ୍କ ସଭିଙ୍କୁ ଯଦି ଖୁସି ରଖିବା ସମ୍ଭବ ହୁଏ, ଦୁଇ ଜଣ ମୁନିବଙ୍କୁ ପ୍ଲିଜ୍‌ କରିବା ଏପରି କ’ଣ କଠିନ ?

 

ସାନ ମୁନିବଙ୍କ ସହ ପ୍ରଥମ ସାକ୍ଷାତ ହେଲା । ସେ ପୂର୍ବରୁ ଜାଣିଥିଲେ ଏହି ନବୀନ ଅନୁକର୍ମୀର ଝୁଲାରେ ବିଶ୍ୱବିଦ୍ୟାଳୟର ଗୋଟାକେତେ ତୁଚ୍ଛ ଡିଗ୍ରୀଛଡ଼ା ମୂଲ୍ୟବାନ୍‌ କିଛି ନାହିଁ । ଅର୍ଥାତ୍‌, ଚାକିରିର ବଜାରରେ ଯାହା ଅମୂଲ୍ୟ ସମ୍ପଦ–Experience, ତାହା ତା’ର ମୂଳରୁ ନାହିଁ-। ସେ ପୁଣି କେବଳ ଏହି ଧନରେ ହିଁ ଧନୀ । ବିଶ୍ୱବିଦ୍ୟାଳୟର ଡିଗ୍ରୀ ସମ୍ବନ୍ଧରେ ତାଙ୍କ ମନୋଭାବ କେତେକଟା ବୟସ୍କ ଲୋକଙ୍କ ଆଖିରେ ଖେଳନା ପରି । ପିଲାଏ ତାକୁ ନେଇ ଆନନ୍ଦ ପାଆନ୍ତୁ-। ଦେଖିକରି ଟିକିଏ ସସ୍ନେହ କୌତୁକଲାଭ ହୋଇପାରେ । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ସେଗୁଡ଼ିକ ମୂଲ୍ୟହୀନ ଓ ଅନାବଶ୍ୟକ ।

 

ତାଙ୍କର ପ୍ରଥମ ପ୍ରଶ୍ନ ହେଲା, ମୁଁ କାମଦାମ କେତେଦୂର ଶିଖିଅଛି । ‘ଏ’ କ୍ଲାସ କଏଦୀ ଓ ‘ବି’ କ୍ଲାସ କଏଦୀ ମଧ୍ୟରେ ପ୍ରଭେଦ ବୁଝିପାରେ କି ନା, ଷ୍ଟକ୍‌ବୁକ୍‌, ରିଲିଭ୍‌ ଡାୟରି କିମ୍ବା ତେଇଶ ନମ୍ବର ରିଟାର୍ଣ୍ଣ ସମ୍ବନ୍ଧରେ ମୋର ଜ୍ଞାନ କେତେ ଇତ୍ୟାଦି । ସବୁଗୁଡ଼ିକ ପ୍ରଶ୍ନର ନେତିବାଚକ ଉତ୍ତର ଶୁଣି ସେ ନିରାଶ ହୋଇ ଆରାମ-ଚୌକିରେ ଢଳି ପଡ଼ିଲେ ଏବଂ ତାଙ୍କର ସ୍ୱଦେଶୀ ଭାଷାରେ ଅବଶୋଷ ଜଣାଇଲେ–‘‘ଆପଣଙ୍କୁ ନେଇ ମୁଁ କ’ଣ କରିବି ?’’

 

ଭଦ୍ରଲୋକଙ୍କ ପାଇଁ ପ୍ରକୃତରେ ବଡ଼ ଦୁଃଖ ହେଲା । ମନେମନେ ସମବେଦନା ଜଣାଇ ଚାଲି ଆସୁଥିଲେ । ସେ ହଠାତ୍‌ ସିଧା ହୋଇ ବସି ମୁହଁ ବିକୃତ କରି କହିଲେ, ଓଃ, କାନ୍ଧର ବଥାଟା ବଡ଼ କଷ୍ଟ ଦେଉଛି ! ହଁ, ଦେଖନ୍ତୁ, ଗୋଟାଏ କାଜୁଏଲ ଛୁଟିରେ ଦରଖାସ୍ତ ଲେଖି ଦିଅନ୍ତୁ ତ ! ଗୋଟାଏ ଦିନ–ହଁ, ଗୋଟିଏ ଦିନ ହେଲେବି ଚଳିବ । ଏଇ କାନ୍ଧର ବଥାଟାପାଇଁ ।

 

ଟିକିଏ ରହି ମୁରକି ହସି କହିଲେ, ଆପଣମାନେ ସବୁ ବିଦ୍ୱାନ ଲୋକ । ଦେଖେଁ କିପରି ଲେଖନ୍ତି ।

 

ଦରଖାସ୍ତ ଲେଖିଲି । ବୁଝିଲି ଜୀବନର ଏହି ଅସଲ ପରୀକ୍ଷା ଆରମ୍ଭ ହେଲା । ପରୀକ୍ଷା ଅନେକ ଦେଇଅଛି । ସାରାଜୀବନ ରାତି ଜାଗି ଓ ପାଛିଆ ପାଛିଆ ବହି ଗଳାଧକରଣ କରି ସିନେଟ ହଲ କିମ୍ବା ଦ୍ୱାରଭାଙ୍ଗାର ପାଞ୍ଚତାଲାରେ ବାନ୍ତି କରିଅଛି । ସେ-ସବୁ ଆଜି ଧୋଇ ପୋଛି ନିର୍ମଳ ହୋଇଗଲା । ତା’ର ଖବର ଆଉ କେହି କୌଣସି ଦିନ ଜାଣିବାକୁ ଚାହିଁବେ ନାହିଁ ।

 

ଜେଲର ସାହେବ ମୋ ଲେଖା କାଗଜ ଖଣ୍ଡିକରେ ଥରେ ଆଖି ବୁଲାଇ ସେଇ ସାଙ୍ଗେ ସାଙ୍ଗେ ଫାଟି ପଡ଼ିଲେ ତାଙ୍କ ନିଜସ୍ୱ ଭାଷାରେ । ଏଟା କ’ଣ ଲେଖିଲେ ? ଏଟା କ’ଣ ଆପଣଙ୍କ ସ୍କୁଲର ଦରଖାସ୍ତ ! ଏଁ ! ରେଫାରେନ୍‌ସ କାହିଁ ? ଅଫିସିଏଲ କରେସପଣ୍ଡେନ୍‌ସ ! ପହିଲେ ଦରକାର ରେଫାରେନ୍‌ସ ! ଏହା ବି ଆପଣ ଶିଖି ନାହାନ୍ତି ?

 

ନିଅନ୍ତୁ ଲେଖନ୍ତୁ–

 

ମୁଁ କାଗଜ କଲମ ନେଇ ତିଆରି ହେଲି । ମୁନିବ ଡିକଟେସନ୍‌ ଦେଲେ–

 

Honoured Sir,

 

With reference to the pain of my neck dated (ରହନ୍ତୁ, କେଲେଣ୍ଡର ଦେଖି କହିଲେ) dated the 20th instant, I have the honour to state–ବାସ୍‌ ଏଥର ଲେଖନ୍ତୁ, ଗୋଟିଏ ଦିନର ଛୁଟି ଚାହେଁ । ଶେଷରେ ଲେଖିବେ, I have the honour to the Sir, your most obedient servant. ବୁଝିଲେ ?

 

ସରକାରଙ୍କର ଅସୀମ କୃପା । କେବଳ ଚାକିରି ଦେଇ ନ ଥିଲେ, ତାହା ସହିତ ଦେଇଥିଲେ ଖଣ୍ଡିଏ ବସା । କେବଳ ରଜାଝିଅ ନୁହେଁ, ତାହା ସହିତ ଅଧେ ରାଜତ୍ୱ । ସାନ ଖଣ୍ଡିଏ ବଙ୍ଗଳା ପଛପଟେ ପଥର ପାଚେରୀ ଘେରା ପାଇନ୍‌ବଣ ମଧ୍ୟଦେଇ ଅଙ୍କାବଙ୍କା ପିଚ୍‌ ରାସ୍ତା ଉଠି ଯାଇଛି । ଭିକ୍ଟୋରିଆ ରୋଡ଼ରେ ଯାଇ ମିଶିଅଛି । ସାମନାରେ ମଧ୍ୟ ଚାଲି ଯାଇଛି ସର୍ପିଳ ରାସ୍ତା; ହଜି ଯାଇଛି ଗଭୀର ଉପତ୍ୟକାର ଅଦୃଶ୍ୟ ଗର୍ଭରେ । ଘର ସାମନାରେ ସାନ ଖଣ୍ଡିଏ ଜମି ଯାହାର ମାଲିକି ସତ୍ତ୍ୱ ମୋର; କିନ୍ତୁ ଦଖଲି ସତ୍ତ୍ୱ ଭୋଗ କରୁଥିଲେ ସାହିର ଯେତେ ସାନ ସାନ ପିଲାଏ । ପ୍ରତିଦିନ ଏପରି ଗୋଟାଏ ବିଶେଷ କାମ ସେମାନେ ସେଠାରେ କରି ଯାଉଥିଲେ, ଯାହା ତାଙ୍କ ପକ୍ଷରେ ଅବଶ୍ୟ କରଣୀୟ ହେଲେ ମଧ୍ୟ ମୋର ଚକ୍ଷୁ ଓ ନାସିକା ପକ୍ଷରେ ଆରାମଦାୟକ ନ ଥିଲା-

 

ଶିକ୍ଷାର୍ଥୀ ମୁଁ, ଅବସର ମୋର ବହୁତ । ତାକୁ ବ୍ୟବହାର କରିବା ଭଳି କାମ ବା ଅକାମ କିଛିଇ ମୋ ଆଖିରେ ପଡ଼ିଲା ନାହିଁ । ଅଗତ୍ୟା ସେହି ଜମି ଖଣ୍ଡିକ ନେଇ ମାତିଲି । ଉଦ୍ଦେଶ୍ୟ–ଫୁଲର ଚାଷ । ଦା-କୋଦାଳ, ଖୁରପୀ–ଶାବଳର ସଶସ୍ତ୍ର ଆକ୍ରମଣରେ ଜମିର ଚେହେରା ତ ବଦଳି ଗଲା, ମୋ ଚେହେରାରେ ବି ଟିକିଏ ପରିବର୍ତ୍ତନ ଦେଖାଗଲା ।

 

ଦିନେ ଓପରଓଳି ବିପୁଳ ଉଦ୍ୟମରେ କାମରେ ଲାଗି ଯାଇଛି । ହଠାତ୍‌ ପଛପଟୁ ବିକଟ ଶବ୍ଦ ଶୁଣି ଚମକି ପଡ଼ିଲି । ମନେହେଲା ଯେପରି ଫଟା କଂସାଥାଳିରେ କିଏ ଲୁହାର ମୂଷଳ ନେଇ ପଟିଲା । ପଛକୁ ଫେରି ଚାହିଁଲାରୁ ଆଖିରେ ପଡ଼ିଲା, ଅଳ୍ପ ଦୂରରେ ପର୍ବତ–ଦୁହିତା–ପୌଢ଼ା, ଆଉ ତାହା ପାଖରେ ତନ୍ୱୀ ତରୁଣୀ । ଭାବୁଛି ଏହି ବିଚିତ୍ର ଶବ୍ଦ କ’ଣ ଏମାନଙ୍କର, କାହାର କଣ୍ଠରୁ ? କଳତରଙ୍ଗର ମଧୁର ମୂର୍ଚ୍ଛନାରେ କାନ ପରିତୃପ୍ତ ହୋଇଗଲା । ତରୁଣୀଟି ସମ୍ଭବତଃ ମୋର ବିସ୍ମୟ-ବିମୂଢ଼ ଭାବ ଲକ୍ଷ୍ୟକରି କଳକଣ୍ଠରେ ହସି ଉଠିଲେ । ମୁଁ ଅବାକ୍‌ ହୋଇ ଠିଆ ହୋଇ ରହିଲି । ....ହସ ଏତେ ସୁନ୍ଦର ! ମଣିଷ ଏପରି ହସିପାରେ ! କେବେ ତ ଶୁଣି ନଥିଲି । କିମ୍ବା ୟେ ହୁଏତ ମଣିଷ ନୁହେଁ । କୌଣସି ମଧୁକଣ୍ଠୀ କିନ୍ନର କନ୍ୟା ସହସ୍ର ଶୀର୍ଷ ହିମାଳୟର ନିଭୃତ ଅନ୍ତରାଳରୁ ମେଘର ଭେଳାରେ ଭାସି ଆସି ମୋ ବଗିଚା ପାଖରେ ଠିଆ ହୋଇଛନ୍ତି ।

 

ଚମକି ପଡ଼ିଲି । ପୌଢ଼ାଙ୍କ ଶ୍ରୀମୁଖରୁ ବାଣୀ ଉଚ୍ଚାରିତ ହେଲା, କିନ୍ତୁ ଗୋଟିଏ ବର୍ଣ୍ଣ ବି ବୁଝି ପାରିଲି ନାହିଁ । ତରୁଣୀଟି ଟିକିଏ ଅପ୍ରତିଭ ହୋଇ ଭଙ୍ଗା ହିନ୍ଦିରେ କହିଲେ ଯେ ବଡ଼ୀ ଆମ୍ମା, ମୁଁ କାଞ୍ଚି ।

 

ଓଃ, ୟେ ତା’ହେଲେ ସ୍ୱନାମଧନ୍ୟା ବଡ଼ୀ ଆମ୍ମା ! ଆମର ସହକର୍ମୀ ଡାକ୍ତର ଥାପ୍‌ପାଙ୍କର ଜ୍ୟେଷ୍ଠା ମହିଷୀ । ଆସିଲା ଦିନଠାରୁ ଡାକ୍ତରଙ୍କର ପିଲାମାନଠାରୁ ଏହାଙ୍କ କାହାଣୀ ବହୁତ ଶୁଣିଅଛି । ତାଙ୍କର ଝିଆରୀକୁ ଆଣିବାପାଇଁ କାର୍ସିୟାଂ ପାଖରେ କୌଣସି ପାହାଡ଼ୀ ଗାଁକୁ ଯାଇଥିଲେ । ଏହି କାଞ୍ଚି ଇ ତା’ହେଲେ ସେହି ଝିଆରୀ ।

 

ବଡ଼ୀ ଆମ୍ମାଙ୍କୁ ଯଥାବିଧି ଅଭିବାଦନ ଜଣାଇଲି । ତାଙ୍କ କଣ୍ଠ-ଗିରି ପୁଣି ଗୋଟାଏ କ’ଣ ଉଦ୍‌ଗୀରଣ କଲା, ଝିଅଟି ବୁଝାଇ ଦେଲା । ବଡ଼ୀ ଆମ୍ମା କହୁଛନ୍ତି, ଏତେ କଷ୍ଟକରି ଏହି ବଗିଚା କାହାପାଇଁ କରୁଛ ବାବୁଜୀ ? ଫୁଲ ଫୁଟିଲେ ଜୁଡ଼ାରେ ପିନ୍ଧିବା ପାଇଁ ଲୋକ ତ ଦେଖୁନାହିଁ । କେବେ ସେ ଆସିବେ ? କଣ୍ଠ ଯେତେ ଭୟଙ୍କର ହେଉ, ସୁରଟି ଆନ୍ତରିକତା ପୂର୍ଣ୍ଣ । କହିଲି, ତାହା ତ ଜାଣେ ନାହିଁ ।

 

–ଜାଣ ନାହିଁ କିପରି ?

 

–ଆଜିଯାଏ କାହାର ଜୁଡ଼ାର ଦେଖା ତ ମିଳି ନାହିଁ । ଜାଣିବି କିପରି ?

 

ନେପଥ୍ୟରେ କାଞ୍ଚି ସାଙ୍ଗରେ ମୁଣ୍ଡ ହଲାଇ କ’ଣ ବାକ୍ୟବିନିମୟ ହେଲା । ତା’ପରେ ପୁଣି କହିଲେ, ଆମେ ତେବେ ସନ୍ଧାନ କରୁଁ ।

 

କହିଲି, ଆପଣ ଗୁରୁଜନ । କରିପାରନ୍ତି ନିଶ୍ଚୟ । କିନ୍ତୁ ଯେ ଆସିବେ, ତାଙ୍କୁ ମୂଳରୁ କହିଦେବେ, ଏଠାରେ ଜୁଡ଼ାରେ ଗୁଞ୍ଜିବାପାଇଁ ଫୁଲ ପାଇ ପାରନ୍ତି; କିନ୍ତୁ ମୁହଁରେ ଗୁଞ୍ଜିବାପାଇଁ ଅନ୍ନର ବହୁତ ଅଭାବ । ତା’ର ବ୍ୟବସ୍ଥା ଆପଣଙ୍କୁ ହିଁ କରିବାକୁ ହେବ । ମୋର ପ୍ରସ୍ତାବ ଶୁଣି କିମ୍ବା ମୋର ଅପୂର୍ବ ହିନ୍ଦି କଥା ଶୁଣି କାଞ୍ଚିର ହସ ସୁରପୂର୍ଣ୍ଣ ସ୍ୱଚ୍ଛଳ ଧାରାରେ ଝରି ପଡ଼ିଲା । ତାହା ସହିତ ହଠାତ୍‌ ବଡ଼ୀ ଆମ୍ମା ମଧ୍ୟ ଯୋଗଦେଲେ । ପ୍ରଚଣ୍ଡ ଲ୍ୟାଣ୍ଡସ୍ଳିପର ବିପୁଳ ଚାପରେ ହଜିଗଲେ ପାହାଡ଼ି ଝରଣାର କଳଧ୍ୱନି ।

 

ଡାକ୍ତର ଥାପ୍‌ପା ମୋର ପ୍ରତିବେଶୀ । ନିତି ଦେଖାହୁଏ । ଗୁଡ୍‍ ମର୍ନିଂ ବିନିମୟ ହୁଏ । କିନ୍ତୁ ଘନିଷ୍ଠତା ହୁଏ ନାହିଁ । ନିର୍ବିରୋଧ ଭଲ ମଣିଷ । ପ୍ରାୟ ଅଦୃଶ୍ୟ ଆଖି ଦିଓଟିରେ କିପରି ଗୋଟାଏ ନିର୍ଲିପ୍ତ ଚାହାଣି । ଦିନେ ଟିକିଏ ଜ୍ୱର ଭାବ ହେଲାରୁ ଡକାଇ ପଠାଇଲି, ଆସିଲେ । ବାଁ ହାତ ବେକ ସଙ୍ଗରେ ଝୁଲାଇ ବନ୍ଧା ହୋଇଛି ।

 

–ୟେ କ’ଣ ? ହାତରେ କ’ଣ ହେଲା ଡାକ୍ତର ?

 

ଡାକ୍ତର ଓଠ ଓଲଟାଇ ଡାହାଣ ହାତରେ ଗୋଟାଏ ତାଚ୍ଛଲ୍ୟର ଭଙ୍ଗିକରି କହିଲେ, ଦ୍ୟାଟ ଓଲ୍‌ଡ ଟ୍ରାବଲ । ତାଙ୍କର ସାନ ସାନ ଆଖି ଯୋଡ଼ିକ ଭିତରୁ ପ୍ରଚ୍ଛନ୍ନ କୌତୁକ ଦେଖା ଦେଉଥିଲା । ବୁଝିଲି, ସେଟା ଡାକ୍ତରଙ୍କର ଦାମ୍ପତ୍ୟ-ଜୀବନ-ଘଟିତ । ଏତେ ନିକଟରେ ଏଇ ପାଖଘରେ ଥାଇ ସେ ସମ୍ବନ୍ଧରେ ଅଜ୍ଞତା ରକ୍ଷା କରିବା ଯେ କାହାରି ପକ୍ଷରେ ସମ୍ଭବ ନୁହେଁ–ଏକଥା ଡାକ୍ତରଙ୍କର ଅଗୋଚର ନ ଥିଲା ।

 

ଡାକ୍ତର ଥାପ୍‌ପା ଦ୍ୱିପତ୍ନୀକ । ବିବାହଦ୍ୱୟର ବ୍ୟବଧାନ ପନ୍ଦର ବର୍ଷ । ଶୁଣାଯାଏ, ଏହି ଦୀର୍ଘକାଳ ଘର କରିବା ପରେ ମଧ୍ୟ ସେହି ଘର ଯେତେବେଳେ ଗୋଟିଏ ଶିଶୁ ମୁଖ ଦର୍ଶନରୁ ବଞ୍ଚିତ ହେଲା, ବଡ଼ୀ ଆମ୍ମା ସ୍ୱାମୀକୁ ଆଦେଶ କଲେ, ବିବାହ କର । ନିରୀହ ଡାକ୍ତର ସନ୍ତ୍ରସ୍ତ ହୋଇଉଠିଲେ । ହୁଏତ କପାଳକୁଞ୍ଚନ କରି ଥରେ ଅସ୍ପଷ୍ଟ ଉଚ୍ଚାରଣ କରିଥିଲେ, ବି–ବା–ହ ! କିନ୍ତୁ ତାହା ଥରେ ମାତ୍ର । ଦ୍ୱିରୁକ୍ତିର ଦୁଃସାହସ କେବେ ହୋଇ ନ ଥିବ । ଏଥର ଆସିଲେ କାଞ୍ଚି ଆମ୍ମା–ବଡ଼ୀ ଆମ୍ମାଙ୍କର ଦୂର ସମ୍ପର୍କୀୟ ଭଉଣୀ, ସେହି ଠିକ୍‌ କଲେ । ବର୍ଷ ନ ପୂରୁଣୁ ଡାକ୍ତରଙ୍କ ସଂସାରରେ ଆରମ୍ଭ ହୋଇଗଲା ପୁତ୍ର କନ୍ୟାଙ୍କର ପ୍ରସେସନ; କିନ୍ତୁ କାଞ୍ଚି ଆମ୍ମାଙ୍କ ସହ ତାଙ୍କର ସମ୍ପର୍କ କେବଳ ଜନ୍ମଦାନ । ବାକି ସବୁ ବଡ଼ୀ ଆମ୍ମା ନିଜ ହାତକୁ ନେଲେ । ତାଙ୍କର ବିଶାଳ ପରିବାରରେ କଡ଼ା ଡିସିପ୍ଲିନ୍‌ଏବଂ ସଭିଙ୍କ ଉପରେ ତାଙ୍କର ସମଦୃଷ୍ଟି । ଡାକ୍ତରଙ୍କ ସଙ୍ଗରେ ତାଙ୍କର ପୁତ୍ର କନ୍ୟାଙ୍କର ପାର୍ଥକ୍ୟ କେବଳ ବୟସର । ଶାସନ ପଦ୍ଧତିର ତାରତମ୍ୟ, ତାହା ମଧ୍ୟ କେବଳ ବୟସର ଅନୁପାତରେ । ସାନମାନଙ୍କ ପାଇଁ ବିଧା, ଚାପୁଡ଼ା, ଆଉ ବଡ଼ମାନଙ୍କ ପାଇଁ ହକି ଷ୍ଟିକ୍‌ କିମ୍ବା କାଠ ଫାଳିଆ ।

 

ସଂକ୍ଷେପରେ ଏହାଇ ଡାକ୍ତର ଥାପ୍‌ପାଙ୍କର ସ୍ଳିଂ-ବଦ୍ଧ ବାମ ହସ୍ତର ଇତିହାସ ।

 

ଡାକ୍ତର ମୋତେ କିଛି ପରୀକ୍ଷା ନ କରି କହିଲେ, ଟେକ୍‌ ଏ କାପ୍‌ ଅଫ୍‌ ଟି । ମୁଁ ଡାକ୍ତର ବୋଷଙ୍କୁ ଖବର ପଠାଇ ଦେଉଛି ।

 

ମୁଁ ଆପତ୍ତି କଲି, ସାମାନ୍ୟ କଥାରେ ପୁଣି ଡାକ୍ତର ବୋଷଙ୍କୁ ଡାକରା କାହିଁକି ? ତମେ ଯାହା ଗୋଟାଏ କିଛି ଔଷଧ ପଠାଇ ଦିଅ । ଡାକ୍ତର ହସି ହସି କହିଲେ, ମୁଁ ତ ଚିକିତ୍ସା କରେ ନାହିଁ, ଚାକିରି କରେ । ମୋତେ ଅନାଇ ରହି ଥିବାର ଦେଖି, ଆଉ ଟିକିଏ ପରିଷ୍କାର କରି କହିଲେ, ଜେଲର ଡାକ୍ତରି କରୁଛି । ଏକାବେଳକେ ପଚିଶ ବର୍ଷ ହେଲା । ବୁଝି ପାରୁଥିବ–

 

ସେଦିନ ବୁଝିପାରି ନ ଥିଲି । ବୁଝିଥିଲି କିଛିଦିନ ପରେ । ସେହି କଥାଟା କହି ରଖେ ।

 

ଶୀତକାଳର ଦାର୍ଜିଲିଂ । ବେଳ ଚାରିଟା ବାଜି ଯାଇଛି । ଅଫିସର ଦୋତାଲାରେ ବସି ଗୋଟାଏ କ’ଣ ରିଟାର୍ଣ୍ଣ କରିବାକୁ ଚେଷ୍ଟା କରୁଥିଲି । ଘର କୋଣରେ ଚିମନି ଜଳୁଛି । ଅର୍ଥାତ୍‌ ସରକାରୀ ବ୍ୟବସ୍ଥା ଅନୁସାରେ କାଠ ଜଳାଇବା କଥା । ତେଣୁ ଜଳୁଛି; କିନ୍ତୁ ତା’ର ଫଳାଫଳ ପାଇଁ କେହି ଉତ୍ସୁକ ନୁହନ୍ତି ।

 

ପ୍ରତ୍ୟେକ ଟେବୁଲ ପାଖରେ ଗୋଟିଏ କିଛି ଲୁହାର ଉଠା ଚୁଲି । ତାହା ଭିତରେ କାଠ କୋଇଲା ଜଳୁଛି । ଦୁଇ ଆଙ୍ଗୁଳି କଟା ଦସ୍ତାନା ପିନ୍ଧି ଟିକିଏ ଲେଖୁଛି ଆଉ ହାତଟା ସେକି ନେଉଛି-। ଗୋଟାଏ ବଇଁଶୀର ଦୀର୍ଘସୁର କାନରେ ବାଜିଲା । ସଙ୍ଗେ ସଙ୍ଗେ ଉଠିଲା ଚାରିଆଡ଼ୁ ତା’ର ପ୍ରତିଧ୍ୱନି–ତୀକ୍ଷ୍‍ଣ କର୍କଶ ହୁଇସିଲର ଘନ ଘନ ଆର୍ତ୍ତରବ । ପ୍ରାୟ ଦୁଇ ମିନିଟ ଭିତରେ ଜେଲ୍‍ ଗେଟ୍‌ର ପିଟା ଘଣ୍ଟାଟାକୁ କିଏ ପ୍ରାଣପଣରେ ପିଟିବାକୁ ଆରମ୍ଭ କରିଦେଲା । କଥା କ’ଣ ଅନୁମାନ କରିବା ଆଗରୁ ହାଇଁପାଇଁ ହୋଇ ଧାଇଁ ଆସିଲା ଜଣେ ସିପାହୀ । ବୁଟ୍‌ ଠୁଙ୍କି ସଲାମ କରି କହିଲା, ‘ପାଗଳୀ ହୋଗିୟା’ ।

 

–ପାଗଳୀ ହୋଗିୟା ? କିଏ ପାଗଳ ହେଲା ?

 

–ନେହି ନେହି, କୋଇ ନେହି; ପାଗଳୀ ଘଣ୍ଟି, ଏଲାରାମ୍‌ । ଏବେ ବୁଝିଲି, ଏଟା ହେଉଛି ଜେଲ୍‍ର ଏଲାରାମ୍‌ (alarm) । ଧାଇଁଲି ଭିତରକୁ । ଲାଠି ଆଉ ବନ୍ଧୁକ ନେଇ ଦୁଇ ଦଳ ସିପାହୀ ମଧ୍ୟ ଧାଇଁ ଆସୁଛନ୍ତି ଡବଲ ମାର୍ଚ୍ଚ କରି । ରକ୍ତ ଚକ୍ଷୁ, ମୋଡ଼ା ନିଶ, ହାବିଲଦାର ଖଡ୍‍ଗ, ବାହାଦୁର ସୁନୋୟାର ଦଦରା ମୋଟ ଗଳାରେ ‘କମାଣ୍ଡ’ ଦେଉଛି ପାହାଡ଼ କମ୍ପାଇ । କଇଦୀମାନେ ପ୍ରାଣ ଭୟରେ ଜୀବନ ମୂର୍ଚ୍ଛା ଧାଇଁ ଅଛନ୍ତି ଲମ୍ବା ବ୍ୟାରେକଗୁଡ଼ିକ ମଧ୍ୟରେ ଆଶ୍ରୟ ନେବାପାଇଁ । ଯେଉଁମାନେ ଧାଇଁପାରୁ ନାହାନ୍ତି କିମ୍ବା ପଛରେ ପଡ଼ି ଯାଉଛନ୍ତି, ତାଙ୍କ ପିଠିରେ ପଡ଼ୁଛି ବେଟନର ମାଡ଼ । ଜମାଦାର ନୋଟ୍‍ ବହି ଓ ପେନ୍‌ସିଲ ନେଇ ଧାଁ ଦଉଡ଼ କରୁଛି ‘ଗଣତି’ ମିଳାଇବା ପାଇଁ । କେବଳ ହସ୍‍ପିଟାଲ ସାମନାରେ ପଡ଼ିଅଛି ରିୟାଜୁଦ୍ଦିନ୍‌ ମେଟ୍‌ । ଯାହା ମୁହଁରୁ ହିନ୍ଦି କଥା ଶୁଣି ଭାବିଥିଲି, ତା’ର ଘର ବୋଧହୁଏ ଛାପରା କିମ୍ବା ମଜଫରପୁର । ଏଇକ୍ଷଣି ଶୁଣିଲି ସେ ଅକଥ୍ୟ ଓ ଅଶ୍ରାବ୍ୟ ବରିଶାଲର ଭାଷାରେ କାହାକୁ ଗାଳି ଦେଉଛି ଏବଂ ମଝିରେ ମଝିରେ ଛେପ ପକାଉଛି । ତାହା ସହିତ ରକ୍ତ । କେତେ ଗଜ ଦୂରରେ ଜଣେ ଭୁଟିଆ ଠିଆ ହୋଇଛି–ଛଅ ଫୁଟ ଲମ୍ବ, ପରିଧି ମଧ୍ୟ ଚାରି ପାଞ୍ଚ ଫୁଟରୁ କମ୍‌ ନୁହେଁ । ଦୁଇଜଣ ଓୟାର୍ଡ଼ର ଦୁଇ ପାଖରୁ ତାକୁ ଧରିଛନ୍ତି । ଆଉ କଥା କହିବାକୁ ଗଲେ ବେଟନ୍‌ । ଏପରି ସମୟରେ ଜେଲର ସାହେବ ତାଙ୍କ ବିପୁଳ ଦେହ ନେଇ ଧଇଁ ସଇଁ ହୋଇ ଆସି ପହଞ୍ଚିଲେ ଏବଂ ଗୋଟାଏ ଯୋଡ଼ିଏ କଥା ଶୁଣିବା ପରେ ତାଙ୍କ ହାତରେ ଲାଠି ଖଣ୍ଡ ଭୁଟିଆର ପିଠି ଉପରେ ଭାଙ୍ଗି ପକାଇଲେ । ତା’ପରେ କ୍ଳାନ୍ତ ହୋଇ ବସିପଡ଼ି ହୁକୁମ ଦେଲେ, ‘ଡିଗ୍ରୀମେ ଲେ ଯାଓ’ । ଭୁଟିଆକୁ ସେଲରୁ ନିଆଗଲା । ଘଟଣାଟା ଯାହା ଶୁଣିଲି, ସତରେ ପାଗଳୀ ହେବାଭଳି । ଡାକ୍ତର ଥାପ୍‌ପା ଦୀର୍ଘ ପନ୍ଦର ବର୍ଷ ଜେଲରେ ଚାକିରି କରିବାର ଅଭିଜ୍ଞତାରୁ ଆବିଷ୍କାର କଲେ, ମଣିଷର ଯେତେପ୍ରକାର ବ୍ୟାଧି ଅଛି ତାକୁ ଦୁଇ ଶ୍ରେଣୀରେ ଭାଗ କରି ହେବ । ବୁଖାର ଓ ପେଟ ଗଡ଼ବଡ଼ । ମ୍ୟାଲେରିଆ, ଟାଇଫଏଡ୍‍, ବସନ୍ତ, ନିଉମୋନିୟା–ଏସବୁ ହେଲା ବୁଖାର । ଆଉ କଲେରା, ଡିସେଣ୍ଟ୍ରି, ଡାଇରିଆ, କୋଲାଇଟିସ୍‌–ଏସବୁ ହେଉଛି ପେଟ ଗଡ଼ବଡ଼ । ରୋଗ ଶ୍ରେଣୀଭୁକ୍ତ ହେଲାରୁ ଚିକିତ୍ସା ସରଳ ହୋଇଗଲା । ଅନାବଶ୍ୟକ ଜଟିଳତା ସୃଷ୍ଟି ନ କରି ଏହି ଦୁଇ ଶ୍ରେଣୀର ରୋଗ ପାଇଁ ଦୁଇଟି ମାତ୍ର ମିକ୍‌ସଚର ଠିକ୍‌ କରିଦେଲେ–କୁଇନାଇନ୍‌ ଓ କାରମେଟିଭ । ଗୋଟିଏ ଧଳା ଦବାଇ, ଆଉ ଗୋଟିଏ ଲାଲ ଦବାଇ । ଡାକ୍ତର ଥାପ୍‌ପାଙ୍କୁ କୌଣସି କମ୍ପାଉଣ୍ଡର ଦିଆ ହୋଇ ନ ଥିଲା । ନିଜସ୍ୱ ହିନ୍ଦିଭାଷୀ ବରିଶାଲିଆ ମେଟ୍‌ ରିଆଜୁଦ୍ଦିନ୍‌ହିଁ ତାଙ୍କ ହସ୍‍ପିଟାଲର ପିଅନ, ଚପରାସି, ନର୍ସ ଓ କମ୍ପାଉଣ୍ଡର । ତାକୁ ଡାକ୍ତରଙ୍କର ନିର୍ଦ୍ଦେଶ ଥିଲା, ରୋଗର ଫିରସ୍ତି ଶୁଣିବାର ଦରକାର ନାହିଁ । ସଫା ଦେଖିବାକୁ ହେବ ରୋଗଟା କେଉଁ ଦଳରେ ପଡ଼ୁଛି–ବୁଖାର ନା ପେଟ ଗଡ଼ବଡ଼ । ଯଦି ବୁଖାର ହୁଏ ଧଳା ଦବାଇ ଆଉ ପେଟ ଗଡ଼ବଡ଼ ହେଲେ ଲାଲ । ହସ୍‍ପିଟାଲରେ ଡାକ୍ତରଙ୍କର ଆବିର୍ଭାବ ମାତ୍ର ଗୋଟିଏ ଘଣ୍ଟା ପାଇଁ ଏବଂ ସେତେବେଳେ ତାଙ୍କର ଏକମାତ୍ର କାମ ସମ୍ବାଦପତ୍ର ପାଠ । ବାକିସବୁ ରିଆଜୁଦ୍ଦିନ । ଦିନରେ ଦୁଇଥର ଔଷଧ ବିତରଣ–ସକାଳ ନଅଟା ଓ ଓପରଓଳି ଚାରିଟା । ରୋଗୀମାନେ ଆସି ଜମିଗଲେ ଯୁଦ୍ଧ ଶିବିରରେ ସେନାପତିଙ୍କ ଭଳି ତାଙ୍କର ହୁଙ୍କାର ଶୁଣାଯାଏ–ବୁଖାର ଓୟାଲା ଇଧର ବୈଠୋ । ପେଟ ଗଡ଼ବଡ଼ ଉଧାର ଯାଓ ।

 

ଶିକ୍ଷାପ୍ରାପ୍ତ ସୈନ୍ୟଦଳ ଭଳି ଲୋକମାନେ ନିର୍ଦ୍ଦିଷ୍ଟ ଲାଇନରେ ଅଲଗା ହୋଇ ଯାଆନ୍ତି-। ରିଆଜୁଦ୍ଦିନ ମଝିରେ ଠିଆ ହୋଇ ହୁରି ଛାଡ଼େ, ମୁହଁ ଟେକ ଏବଂ ତାପରେଇ ଶେଷ କମାଣ୍ଡ ଆଁ-କର । ରୋଗୀମାନେ ଆକାଶଆଡ଼କୁ ଆଁ କରି ବସି ରହନ୍ତି । ପ୍ରକାଣ୍ଡ ବୋତଲରୁ କିଛି କିଛି ତରଳ ପଦାର୍ଥ ତାଙ୍କ ମୁହଁରେ ଢାଳି ଦିଆଯାଏ । ସେମାନେ ନିଃଶବ୍ଦରେ ବୋଧହୁଏ ଖୁସି ହୋଇ ଚାଲି ଯାଆନ୍ତି ।

 

ବର୍ଷ ବରେ ବର୍ଷ ରିଆଜୁଦ୍ଦିନ ତା’ର ପ୍ରଭୁଙ୍କ ଆଦେଶ ଏହିପରି ପାଳନ କରି ଆସୁଅଛି । ହୁଏତ ଆହୁରି କେତେ ବର୍ଷ ପାଳନ କରିଥାନ୍ତା; କିନ୍ତୁ ବିଧାତାଙ୍କ ମନରେ କ’ଣ ଥିଲା କେଜାଣି ! ହଠାତ୍‌ ଦିନେ ବୋତଲ ବଦଳ ହେଲା । ବୁଖାରଙ୍କ ଦଳ ସେଦିନ ଭାରି ଖୁସି । କୁଇନାଇନ ବଦଳରେ ପାଇଗଲେ ମିଠା କାର୍ମିନଟିଭ; କିନ୍ତୁ କପାଳ ଖରାପ ଥିଲା ପେଟ ଗଡ଼ବଡ଼ ଦଳଙ୍କର । ସେମାନେ ପ୍ରତିବାଦ ଜଣାଇଲେ । ତାଙ୍କ ମଧ୍ୟରେ ଥିଲା ଜଣେ ଭୁଟିଆ । ତା’ର ନିଜସ୍ୱ ଭାଷାରେ ସେ ମେଟ୍‌କୁ ଗାଳିଦେଲା । ମେଟ୍‌ କଥା ନ ବୁଝିଲେ ମଧ୍ୟ ସୁରଟା ବୁଝିଲା । ସେ ଗାଳି ସୁଧ ସହିତ ଫେରାଇ ଦେଲା ତା’ର ନିଜସ୍ୱ ବରିଶାଲି ଭାଷାରେ । ତା’ପରେ ଯେଉଁ ସରସ ସମ୍ଭାଷଣ ଓ ପ୍ରତି ସମ୍ଭାଷଣ ଆରମ୍ଭ ହେଲା, ସେହି ଦୃଶ୍ୟର ଆଉ ଗୋଟିଏ ମାତ୍ର ଦୃଷ୍ଟାନ୍ତ ଅଛି ପୃଥିବୀର ଇତିହାସରେ–ଟାଓ୍ୱାର ଅଫ୍‌ ବ୍ୟାବେଲର ମୁଣ୍ଡ ଉପରେ । ଭୁଟିଆ ସ୍ୱଳ୍ପ ବାକ୍‌ ଜାତି । ମୁହଁଠାରୁ ହାତର ବ୍ୟବହାର ତାଙ୍କର ବେଶ୍‍ ଚଳେ । ଅତଏବ ବାଷଠି ପାଉଣ୍ଡ ଓଜନର ଗୋଟିଏ ଚାପୁଡ଼ା ଏବଂ ମେଟ୍‌ ୟଙ୍ଗବଙ୍କ ଘୂର୍ଣ୍ଣମାନ ଅବସ୍ଥାରେ ପତନ ।

 

ଲୋକମାନେ ଧାଇଁ ଆସି ଦେଖିଲେ, ଏହି ପତନ ଫଳରେ ମେଟ୍ ସାହେବଙ୍କର ଚାରୋଟି ଦାନ୍ତ ପଡ଼ିଯାଇଛି । ତାଙ୍କର ବିକଟ ବିଳାପରେ ଆକୃଷ୍ଟ ହୋଇ ଯେଉଁ ଓୟାର୍ଡ଼ରଟି ରଙ୍ଗମଞ୍ଚରେ ଆବିର୍ଭୂତ ହେଲା, ସେ କିଛି ଉପାୟ ନ ଦେଖି ଓ କିଛି ବାଟ ନ ପାଇ ବଜାଇ ଦେଲା ହୁଇସିଲ୍‌ । ସାଙ୍ଗେ ସାଙ୍ଗେ ‘‘ପାଗଳୀ ।’’

 

ତିନି

 

ଆମର ମୋକ୍ଷଦା ମାଉସୀଙ୍କୁ ଡାହାଣୀ ସବାର ହୋଇଥିଲା, ମୋତେ ସବାର ହେଲା ହସ । ମାଉସୀଙ୍କୁ ଦେଖିଲି; ଚାଲବୁଲ କରୁଛନ୍ତି, ସବୁ କାମ ଦାମ କରୁଛନ୍ତି । କିନ୍ତୁ ଚେତନା ନିଦ୍ରାଚ୍ଛନ୍ନ । ମୁଁ ସେହିପରି ଲେଖୁଛି, ପଢ଼ୁଛି, କାମ କରୁଛି, କିନ୍ତୁ ସାରା ମନଟା ମୋହାଚ୍ଛନ୍ନ । ତାହା କେବଳ ଉନ୍ମୁଖ ହୋଇ ରହିଛି ଗୋଟାଏ ସୁର ପାଇଁ–ଯେଉଁ ସୁରର ତୁଳନା ନାହିଁ, ଯାହାକୁ କୌଣସି ଯନ୍ତ୍ରୀ ରୂପ ଦେଇପାରିନାହିଁ, ପାରିବ ନାହିଁ; ଯେଉଁ ସୁର କେବଳ ମଧୁର ନୁହେଁ, ମାଦକତାମୟ । ମଝିରେ ମଝିରେ ଆଉ ଘରର ମୁକ୍ତଦ୍ୱାର ପଥରେ ଟିକିଏ ଭାସି ଆସେ କିମ୍ବା ତାହା ବୋଧହୁଏ ମୋର ମନର ମଧୁର ଭ୍ରାନ୍ତି ।

 

ଆତ୍ମବିଶ୍ଳେଷଣ କରିବାକୁ ଚେଷ୍ଟା କରିଅଛି । ମୋର ୟେ କ’ଣ ହେଲା ? ତେବେ କ’ଣ କାଞ୍ଚିକୁ ମୁଁ ମନେମନେ ? –ପାଗଳ ! କାଞ୍ଚି କିଏ ? ଗୋଟିଏ ପାହାଡ଼ୀ ଗାଉଁଲି ଝିଅ । ଶିକ୍ଷା ନାହିଁ, ସଭ୍ୟତାର ଆଲୋକରେ ବଢ଼ି ନାହିଁ, ସଂସ୍କୃତିର ଛାପ ପଡ଼ି ନାହିଁ ତା’ର ଦେହ-ମନରେ । କାଞ୍ଚି ରୂପସୀ ନୁହେଁ । ଯୌବନରେ ଯେଉଁ ମୋହନ ସ୍ପର୍ଶ–ସବୁ ନାରୀଙ୍କୁ ହିଁ ଗୋଟିଏ ସୁଷମା ଦାନ କରେ ସେତକ ଛଡ଼ା ଆକର୍ଷଣ କରିବା ଭଳି କିଛି ନାହିଁ ତା’ର ଦେହରେ । ମୁହଁଟି ଅନିନ୍ଦ୍ୟ ନୁହେଁ । ଦେଖିବା ଭଳି ସୁନ୍ଦର କେବଳ ତା’ର ଦିଓଟି ରକ୍ତାଭ କପୋଳ । କିନ୍ତୁ ତାହା ତ ପାହାଡ଼ୀ ତରୁଣୀଙ୍କ ଏ ସାଧାରଣ ସମ୍ପଦ । ସୁଗୌର ଗଣ୍ଡର ପ୍ରସ୍ଫୁଟ ଲାଲିମା ଦାର୍ଜିଲିଂର ବାଟଘାଟରେ ଅହରହ ଦେଖିବାକୁ ପାଏଁ । ତେବେ ? ନା, ବିଶ୍ଳେଷଣ କରି କିଛି ପାଇଲି ନାହିଁ । କିନ୍ତୁ ହାୟ ! ଏପରି ହସ କେବେ କ’ଣ କେଉଁଠି ଶୁଣିଅଛି ?

 

ବଗିଚାରେ କାମ କରୁଥିଲି । କେତେବେଳେ ତନ୍ମୟ ହୋଇ ବୁଡ଼ିଯାଇଛି କେଉଁ ଦୂରଶ୍ରୁତ ହସର ଝରଣାରେ–ଅନୁମାନ କରୁଛି, ଆପଣଇ ମିଷ୍ଟର ଚୌଧୁରୀ ? ଚମକି ପଡ଼ିଲି, ପଛରେ ଏକବାରେ ମୋ ପିଠିପାଖରେ ଠିଆ ହୋଇଛନ୍ତି ଶ୍ୱେତାଙ୍ଗିନୀ ମହିଳା, ମିସେସ୍‌ ରାୟ, ମୋର ବଡ଼ ମୁନିବ ମିଷ୍ଟର ହ୍ୟାରଲଡ଼ ରାୟଙ୍କର ସହଧର୍ମିଣୀ । ବିନୀତଭାବରେ ଜଣାଇଲି, ତାଙ୍କର ଅନୁମାନ ସତ୍ୟ । –ଏଃ, ତମେ ତ ଦେଖୁଛି ଏକବାରେ ପିଲା ମଣିଷ । ମୋ ସ୍ୱାମୀଙ୍କ ପାଖରୁ ପ୍ରାୟ ତମ କଥା ଶୁଣେଁ । ମଝିରେ ମଝିରେ ଆମ ଘରକୁ ଆସୁନାହଁ ?

 

ଦେଶୀୟ ଖ୍ରୀଷ୍ଟାନଙ୍କର ବିଦେଶିନୀ ସ୍ତ୍ରୀ–ଏହି ମହିଳାଙ୍କ ସମ୍ବନ୍ଧରେ ମନେମନେ ଗୋଟିଏ ବିରୁଦ୍ଧ ଭାବ ହିଁ ଥିଲା । ଦେଖିଲି ଭୁଲ୍‍ କରିଅଛି । ତାଙ୍କର ସସ୍ନେହ ଅନୁରୋଧରେ ଆନନ୍ଦର ସହିତ ସମ୍ମତି ଦେଲି । ମହିଳାଟି ପ୍ରକୃତରେ ଖୁସି ହେଲେ । ସ୍ନିଗ୍ଧ କଣ୍ଠରେ କହିଲେ, ତମର ବୋଧହୁଏ ଖୁବ ଫୁଲର ସଉଖ ? ସେହି ରୋଗଟା ମୋର ବି ଦିନେ ଥିଲା । ଆଜିକାଲି ପ୍ରାୟ ନାହିଁ । କି ଫୁଲ ଲଗାଉଛ ?

 

କହିଲି, ଗୋଟାକେତେ ଫ୍ଳକ୍ସ ଆଉ ଡାଏନ୍ଥାସର ଚାରା ଯୋଗାଡ଼ କରିଅଛି ।

 

–ମୋ ପାଖରେ ହଲିହକସ୍‌ ଅଛି, ପଠାଇ ଦେବି । ସେହି ପାଚେରୀର ଧାରେ ଧାରେ ଲଗାଇ ଦେବ । ସୁନ୍ଦର ବ୍ୟାକ୍‌ଗ୍ରାଉଣ୍ଡ ହେବ ।

 

ପରଦିନ ଉପରଓଳି ଗଲି ମିସେସ୍‌ ରାୟଙ୍କ ଘରକୁ । ମିଷ୍ଟାର ନ ଥିଲେ, ଶୁଣିଲି ଟିକିଏ ଆଗରୁ ମୋଫସଲ ବାହାରି ଯାଇଛନ୍ତି । ନିର୍ଜନ ଘରରେ ମିସେସ୍‌ ଏକା । ସମାଦରରେ ବସାଇଲେ, ଯେପରି ମୁଁ କେଉଁକାଳର ଆପଣାର ଲୋକ । ସୁଗନ୍ଧି ଦାର୍ଜିଲିଂ ଚା’ ଓ ନିଜ ହାତତିଆରି କେକ୍‌ ଖାଇବାକୁ ଦେଲେ । ବଳାଇଲେ, ଆଉ ଦି’ଖଣ୍ଡ ଖାଅ, ମୋ ଜିମ୍‌ ଭାରି ଭଲ ପାଉଥିଲା ।

 

ଟିକିଏ ଚୁପ୍‌ରହି, ମୃଦୁ ସହଜ କଣ୍ଠରେ ହିଁ କହିଲେ, ତାକୁ ଆଜି ଦଶବର୍ଷ ହେଲା ହରାଇ ଅଛି । ବଞ୍ଚିଥିଲେ ଏତେବେଳକୁ ତୁମପରି ହୋଇଥାନ୍ତା । ଭାରି ଝୁଙ୍କ ଥିଲା ପଢ଼ାଶୁଣାରେ । ଭଗବାନ ଦେଲେ ନାହିଁ...

 

କଣ୍ଠସ୍ୱରଟା କିପରି ଉଦାସ ହୋଇ ଆସିଲା ଶେଷଆଡ଼କୁ ।

 

ଏହି ଦୁଃସମ୍ବାଦଟା ଆଗରୁ ଶୁଣିଥିଲି । ଜିମ୍ ତାଙ୍କର ଏକମାତ୍ର ସନ୍ତାନ ଥିଲା । ମିସେସ୍‌ ରାୟ ଆଗ୍ରହ କରି ତାଙ୍କର ଲାଇବ୍ରେରୀ ଦେଖାଇଲେ । ମୂଲ୍ୟବାନ୍‌ ସଂଗ୍ରହ । କହିଲେ ଦିନେ ଖୁବ୍‍ ଝୁଙ୍କ ଥିଲା, ଆଉ ଭଲ ଲାଗେ ନାହିଁ । ଏଇସବୁ ବହି ଯଦି ତମର ପସନ୍ଦ ହୁଏ, ଯେତେବେଳେ ଖୁସି ଆସି ପଢ଼ିବ । କିଛି ସଙ୍କୋଚ କରିବ ନାହିଁ ।

 

ଛାଡ଼ିବାକୁ ଚାହାଁନ୍ତି ନାହିଁ । ଘଣ୍ଟାକେତେ ପରେ ଯେତେବେଳେ ବିଦାୟ ମାଗିଲି, କହିଲେ ପୁଣି ଆସିବ । ତୁମେ ଆସିଲ, ସନ୍ଧ୍ୟାଟା ବେଶ୍‌ ଭଲ କଟିଲା ।

 

ମୋର ବଡ଼ ମୁନିବ ମିଷ୍ଟର ହ୍ୟାରେଲ୍‍ଡ଼ ରାୟ ବିଲାତ ଫେରନ୍ତା ବାରିଷ୍ଟର । ପ୍ରକୃତରେ ସେ ଜଣେ ମାଜିଷ୍ଟ୍ରେଟ୍‌ । ଜେଲ୍‍ର ଏହି ଦେଖାଚାହାଁ ତାଙ୍କର ‘‘ବୋଝ ଉପରେ ନଳିତା ବିଡ଼ା’’ । –କ୍ଷୀଣ ଏଲାଉନ୍‌ସର ସୂତ୍ରରେ ବନ୍ଧା । ଏହି ଏଲାଉନ୍‌ସର ପରିମାଣ ସମ୍ବନ୍ଧରେ ସେ ସର୍ବଦା ସଚେତନ । ତାଙ୍କର ପୂରା ବେତନର ଅନୁପାତରେ, ଜେଲ୍‍ ବିଭାଗ ତାଙ୍କୁ ଯେତିକି ଦିଏ, ମୋଟ ସମୟର ଅନୁପାତରେ ସେ ସେତିକି ସମୟ ଆମକୁ ଦିଅନ୍ତି । କାଗଜପତ୍ରରେ ଯେଉଁଠି ତାଙ୍କର ଦସ୍ତଖତ ଦରକାର; ତାହାରି ପାଖରେ ଗୋଟିଏ x ଚିହ୍ନ ଦେଇ ରଖିବାକୁ ହୁଏ । ଏହା ତାଙ୍କ ନିର୍ଦ୍ଦେଶ । ସେ ଆସନ୍ତି ଝଡ଼ପରି ଏବଂ ମୋଟ କଲମରେ ଗୋଟାକେତେ ଦସ୍ତଖତର ଝଡ଼ ବୁହାଇଦେଇ ଝଡ଼ପରି ଚାଲି ଯାଆନ୍ତି । ଜଣେ ଏସିଷ୍ଟେଣ୍ଟ x ଦେବା ସଙ୍ଗେ ସଙ୍ଗେ କାଗଜଗୁଡ଼ିକ ଘୁଞ୍ଚାଇ ନିଏ । ଟିକିଏ ଡେରି ହେଲେଇ ପଚାରନ୍ତି, ହାତରେ କ’ଣ ବାତ ହୋଇଛି ? ଆଉ ଟିକିଏ ଚଞ୍ଚଳ ହେଲେ ପଚାରନ୍ତି । Is there anything to hide ? ମୋର ସୌଭାଗ୍ୟ ଯେ ଏହି କାଗଜଟଣା କାମଟା ମୋ ଭାଗରେ ପଡ଼ିନାହିଁ । ତାହା ହୋଇଥିଲେ ମୋର ପ୍ରବେଶନର ଜୀବନ ଏକାଦିନକେ ସରିଯାଇଥାନ୍ତା ।

 

ମିଷ୍ଟର ରାୟ ଅଫିସରେ ଯେତେକ୍ଷଣ ଥାନ୍ତି, ଏକବାରେ ପୂରାପୂରି ସାହେବ । କାହାରି ସମ୍ବନ୍ଧରେ ଅନାବଶ୍ୟକ କୌତୂହଳ ନାହିଁ । ଅଫିସ ସଂକ୍ରାନ୍ତବିଷୟ ଛଡ଼ା କାହାରି ସହିତ ବାକ୍ୟାଳାପ ବି କରନ୍ତି ନାହିଁ । ମୁଁ ନିତି ତାଙ୍କଠାରୁ ଟିକିଏ ଦୂରରେ ଠିଆ ହୋଇଥାଏଁ । କେବେ କିମିତି ଗୋଟିଏ-ଯୋଡ଼ିଏ ଦରକାରୀ କଥା ଛଡ଼ା ମୋ ଆଡ଼କୁ କେବେ ମନଦେଇ ନାହାନ୍ତି ।

 

ହଠାତ୍‌ ସେଦିନ ଦସ୍ତଖତ କରୁ କରୁ ମୋ ଆଡ଼କୁ ଅନାଇଁ ପ୍ରଶ୍ନ କଲେ, ତୁମର ପ୍ରଭିଡେଣ୍ଟ ଫଣ୍ଡ ଅଛି ?

 

କହିଲି, ନା ।

 

ପରଦିନ ଅଫିସରେ ପଶି ଦୁଇଖଣ୍ଡ କାଗଜ ମୋ ହାତକୁ ଦେଇ କହିଲେ, ଏହିକ୍ଷଣି ଫିଲ୍‌ ଅପ୍‍ କରିଦିଅ ।

 

କାଗଜଟା ଦେଖିଲି ପ୍ରଭିଡେଣ୍ଟ ଫଣ୍ଡରେ ଟଙ୍କା ଜମାଇବାର ଦରଖାସ୍ତ ଫର୍ମ; କିନ୍ତୁ ମୋର ସାମାନ୍ୟ ରୋଜଗାରର ଗୋଟାଏ ପଇସା ବି ଜମାଇବା ପାଇଁ ବଳେ ନାହିଁ । ଭାଗୀଦାର ଅନେକଗୁଡ଼ିଏ ଏବଂ ମୋ ପ୍ରତି ତାଙ୍କର ମନୋଭାବ ଯାହାଇ ହେଉ, ମୋର ଅର୍ଥ ପ୍ରତି ସେମାନେ କେବେ ବିରୂପ ନୁହନ୍ତି । ଇତସ୍ତତଃ କରୁଛି ଦେଖି ମିଷ୍ଟାର ଛାନିଆ କଲେ, କୁଇଜ୍‌ କୁଇଜ୍‌, ସେଥିରେ ମୋର ମଧ୍ୟ ଗୋଟିଏ ଦସ୍ତଖତ ଦରକାର ହେବ ।

 

ସବିନୟରେ କହିଲି, ଆପଣ ମୋ’ପାଇଁ ଯେଉଁ କଷ୍ଟ ସ୍ୱୀକାର କରିଛନ୍ତି ସେଥିପାଇଁ ଧନ୍ୟବାଦ; କିନ୍ତୁ ପ୍ରଭିଡେଣ୍ଟ ଫଣ୍ଡର ଟଙ୍କା ରଖିବା ଭଳି ସଙ୍ଗତି ମୋର ନାହିଁ ।

 

–କ’ଣ ପାଇଁ ?

 

ଟିକିଏ ଇତସ୍ତତଃ କରି କହିଲି, ମୋର ଏହି ସାମାନ୍ୟ ଆୟ ଉପରେ ଜଣେ ଦୁଇଜଣ ଆତ୍ମୀୟ ପରିଜନଙ୍କୁ ନିର୍ଭର କରିବାକୁ ହୁଏ ।

 

–ତାଙ୍କୁ ବଞ୍ଚିତ କରିବାକୁ ତ ତମକୁ କହିନାହିଁ ।

 

–କିନ୍ତୁ ତାଙ୍କୁ ଏବଂ ଏହି ଫଣ୍ଡର ଦାବି ପୂରଣ କରି ଆଉ ଯାହା ବଲିବ ସେଥିରେ ମୋର ଆଉ ଖାଇବା ଚଳିବ ନାହିଁ, ସ୍ୟାର୍‍ ।

 

ଯଦି ନ ଚଳେ, ଖାଇବ ନାହିଁ । ଅମ୍ଳାନ ବଦନରେ ଉତ୍ତର ଦେଲେ ମିଷ୍ଟର ରାୟ, Fill it in quick .

 

ଭାବି ଦେଖିଲି, ମୁଁ ପ୍ରବେଶନର ଲୋକ । ଆଉ ବେଶି ଦୂର ଅଗ୍ରସର ହେବା ସମୀଚୀନ ହେବ ନାହିଁ । ଫର୍ମର ଘରଗୁଡ଼ାକ ପୂରଣ କରି ତାଙ୍କ ହାତରେ ଦେଲି ।

 

ପ୍ରଭିଡେଣ୍ଟ ପଣ୍ଡର ନିୟମ ଅନୁସାରେ ମାସିକ ବେତନର ଟଙ୍କାକରେ ଏକଅଣାରୁ ଦଶପଇସାଯାଏ ଜମାଇବା ଚଳେ । ସେହି ଟଙ୍କା ଦରମାର ବିଲରୁ କଟାଇବାକୁ ହୁଏ । କହିବା ନିଷ୍ପ୍ରୟୋଜନ, ମୁଁ ଏକଅଣା ହିସାବରେ କଟାଇବାର ବ୍ୟବସ୍ଥା କରିଥିଲି । ସେ ସେହି ଅଙ୍କଟା ବଦଳାଇ ଦଶ ପଇସା ହିସାବରେ ଯାହାହୁଏ ତାହାଇ ବସାଇ ଦେଲେ ।

 

ମୁଁ ଅନୁନୟ କର କହିଲି, ଏକବାରେ ମରିଯିବି ସ୍ୟାର୍‌ । ନେଭାର ମାଇଣ୍ଡ୍‌–ବୋଲି ଦସ୍ତଖତ କରି ଉଠି ପଡ଼ିଲେ । ଦୁଆର ପର୍ଯ୍ୟନ୍ତ ଯାଇ ଫେରିପଡ଼ି କହିଲେ, My dear friend, ଆଜି ନିଶ୍ଚୟ ତୁମେ ମୋତେ ଅଭିଶାପ ଦେଉଛ । କିନ୍ତୁ I can assure you, ଏପରି ଗୋଟିଏ ଦିନ ଆସିବ, ଯେଉଁଦିନ ତୁମେ ମୋତେ ପ୍ରାଣଭରି ଆଶୀର୍ବାଦ କରିବ । ତାହା ଅବଶ୍ୟ ମୁଁ ଶୁଣିପାରିବି ନାହିଁ । କାରଣ ମୁଁ ତା’ର ବହୁ ପୂର୍ବରୁ ପୃଥିବୀରୁ ବିଦାୟ ନେଇଥିବି ।

 

କେତୋଟି ଦିନ ପରର ଘଟଣା । ମିଷ୍ଟର ରାୟ ଯଥାବିଧି ଦସ୍ତଖତ କରୁଛନ୍ତି । ହଠାତ୍‌ ଗୋଟିଏ କାଗଜ ଉପରେ ତାଙ୍କର ନଜର ପଡ଼ିଲା । ଟ୍ରେଜେରୀରୁ ଟଙ୍କା ଉଠାଇବାର କଣ୍ଟିଜେଣ୍ଟ ବିଲ୍‌ ।

 

ଜେଲ୍‍ର ଅଧିବାସୀମାନଙ୍କୁ ଧର୍ମପ୍ରାଣ କରାଇବାପାଇଁ ସରକାରୀ ପ୍ରଚେଷ୍ଟାର ଅନ୍ତ ନାହିଁ-। ସେହି ଉଦ୍ଦେଶ୍ୟରେ ନିଯୁକ୍ତ ଅଛନ୍ତି ବିଭିନ୍ନ ଧର୍ମର ଉପଦେଷ୍ଟା–ପାଦ୍ରି, ପଣ୍ଡିତ ଓ ମୌଲବୀ ସାହେବଙ୍କର ଦଳ । ସପ୍ତାହ ଅନ୍ତେ ଥରେ ଆସି ନରକବାସୀ ପାପାତ୍ମାମାନଙ୍କୁ ଏକାଠି ଠୁଳ କରି ସେମାନେ ଉଦ୍ଧାରର ମନ୍ତ୍ର ପ୍ରଚାର କରନ୍ତି । ଅର୍ଥାତ୍‌ ବିଚାରା କଇଦୀମାନେ ସେହି ଗୋଟିଏ ଦିନ କାମଦାମ ଛାଡ଼ି କିଛିକ୍ଷଣ ଏକାଠି ବସି ଖୁସିଗପ କରିବାର ସୁଯୋଗ ପାଆନ୍ତି । ଏହି ଉପଦେଷ୍ଟା ଅବୈତନିକ; କିନ୍ତୁ ଯାତାୟାତର ଭତ୍ତା ଭୋଗ କରନ୍ତି–ସପ୍ତାହରେ ଅଢ଼େଇ ଟଙ୍କା କିମ୍ବା ସେହିପରି କିଛି । ସେଟାକୁ ବିଲ୍‍ କରି ଟ୍ରେଜେରୀକୁ ପଠାଉଛି କ୍ୟାସ୍‌ କରିବା ପାଇଁ । ଅଙ୍କର ପରିମାଣ ସବୁସୁଦ୍ଧା ସାଢ଼େ ବାରଟଙ୍କା ।

 

ବିଷୟଟା ମୁନିବଙ୍କୁ ଯଥାସାଧ୍ୟ ବୁଝାଇ ଦେଲି । ମିଷ୍ଟର ରାୟ କଲମ ଉଠାଇ ପଚାରିଲେ, କିନ୍ତୁ ମୁଁ ଯେ ଦେଖିଛି ସେହି ପାଦ୍ରି ଓ ପଣ୍ଡିତ ମୋ ଘର ସାମନା ଦେଇ ଧାଇଁ ଆସନ୍ତି । ତାଙ୍କର ପୁଣି ଗାଡ଼ିଭଡ଼ା କ’ଣପାଇଁ ?

 

ମୁଁ କହିଲି, ସେମାନେ କିପରି ଆସନ୍ତି ସେଟା ଆମର ଦେଖିବାର କଥା ନୁହେଁ । ସରକାର ଯେତେବେଳେ ଗାଡ଼ିଭଡ଼ା ମଞ୍ଜୁର କରିଛନ୍ତି, ତାହା ସେମାନଙ୍କର ପ୍ରାପ୍ୟ । ମିଷ୍ଟର ରାୟ ହଠାତ୍‌ ଉତ୍ତେଜିତ ହୋଇ ଉଠିଲେ, କିଏ କହିଲା ସେଟା ତାଙ୍କର ପ୍ରାପ୍ୟ ? ସରକାରୀ ଟଙ୍କା ଯେପରି ଅଯଥା ଖରଚ ନ ହୁଏ, ତାହା ଦେଖିବା ମୋର କର୍ତ୍ତବ୍ୟ ।

 

ତା’ପରେ ଟିକିଏ ବ୍ୟଙ୍ଗ କରି କହିଲେ, ତମର ଦେଖୁଛି ଭାରି ଦରଦ ତାଙ୍କ ଉପରେ ! କିଛି ଭାଗ ଅଛି ବୋଧହୁଏ ?

 

ମୁଣ୍ଡ ଭିତରଟା ଝିମ୍‌ଝିମ୍‌ କରିଉଠିଲା । କିଛି ଦିନ ହେଲା ଚାକିରିର ମାୟା କ୍ଷୀଣରୁ କ୍ଷୀଣତର ହୋଇଆସୁଥିଲା । ଗୋଟିଏ ଦମକା ପବନରେ ତାହା ଏକବାରେ ଛିନ୍ନ ହୋଇଗଲା; ମୁହୂର୍ତ୍ତକେ ମନ ସ୍ଥିର କରିପକାଇଲି । ରୂଢ଼ ଜବାବ ମୁହଁକୁ ଆସିଯାଉଥିଲା, କୌଣସିମତେ ନିଜକୁ ସଂଯତ କରି ଆପଣାର ଟେବୁଲ୍‌କୁ ଫେରିଆସିଲି । ଖଣ୍ଡିଏ କାଗଜ ଟାଣିନେଇ ତରବର କରି କେତେକ ଲାଇନ୍‌ ଲେଖି ଇସ୍ତଫାପତ୍ର ଦେଇଦେଲି । କାଗଜଖଣ୍ଡିକ ତାଙ୍କ ଆଗରେ ରଖି କହିଲି, କାଲି ସକାଳେ ଛାଡ଼ିଦେଲେ କୃତଜ୍ଞ ହେବି । ଦେଢ଼ଟାରେ ମେଲ୍‌ ଧରିବାକୁ ଚାହେଁ ।

 

ମୁନିବ କାଗଜଖଣ୍ଡିକ ପଢ଼ି ପକେଟରେ ପୂରାଇଲେ ଏବଂ ତା’ପରେ ନିଃଶବ୍ଦରେ ବାହାରିଗଲେ । ବାକି କାଗଜତକ ଆଉ ଦସ୍ତଖତ ହେଲା ନାହିଁ ।

 

କେଇଖଣ୍ଡ ଚିଠିର ଉତ୍ତର ଦେବାକୁ ଥିଲା । ସନ୍ଧ୍ୟାବେଳେ ଦାଣ୍ଡଘରେ ବସି ତାହାରି ଖଣ୍ଡେ ଦୁଇଖଣ୍ଡ ଶେଷକରି ରଖୁଥିଲି । ଦୁଆରରେ କରାଘାତ ହେଲା । ଦୁଆର ଖୋଲି ନିଜର ଆଖିକୁ ଇ ବିଶ୍ୱାସ କରିପାରିଲି ନାହିଁ । ସେତେବଡ଼ ମୁନିବ ସ୍ୱଶରୀରରେ ମୋ ଦୁଆରରେ । ଅଭ୍ୟର୍ଥନା କରିବାକୁ ଭୁଲିଗଲି । ସେ ସେଥିପାଇଁ ଅପେକ୍ଷା କଲେ ନାହିଁ । ନିଃଶବ୍ଦରେ ଘରେ ପଶିଲେ । ମୁଁ ଖଣ୍ଡିଏ ଚେୟାର ବଢ଼ାଇଦେଇ କହିଲି, ବସନ୍ତୁ ସ୍ୟାର୍‌ । ସେ ଫେରି ଚାହିଁଲେ ନାହିଁ । ଘରର ଚାରିଆଡ଼େ ବୁଲି କାନ୍ଥରେ ଟଙ୍ଗା ହୋଇଥିବା ଛବିଗୁଡ଼ିବ ଦେଖିବାକୁ ଲାଗିଲେ । ଖଣ୍ଡିଏ ଛବି ଦେଖାଇ ବଙ୍ଗଳା ଭାଷାରେ ପ୍ରଶ୍ନ କଲେ–ଇଏ କିଏ ? ଏହି ପ୍ରଥମ ମିଷ୍ଟର ରାୟଙ୍କ ମୁହଁରୁ ବଙ୍ଗଳା ଶୁଣିଲି ।

 

କହିଲି, ମୋର ବାବା ।

 

–ବଞ୍ଚିଛନ୍ତି ?

 

–ନା ।

 

–ତ୍ରାହି ପାଇଛନ୍ତି–କହି କଟମଟ କରି ଚାହିଁଲେ ମୋ ଆଡ଼କୁ । ମୁଁ ଚୁପ୍‌ଚାପ୍‌ ଛିଡ଼ାହୋଇ ରହିଲି ।

 

ଗୋଟିଏ ଚେୟାର ଟାଣିନେଇ ବସି କହିଲେ, ତମରି ବୟସ କେତେ ? ବୟସ କହିଲି-

 

–ମୋର ଗୋଟିଏ ପୁଅ ଥିଲା । ଠିକ୍‌ ତମରି ବୟସ । ବଞ୍ଚି ନାହିଁ । ଭଗବାନ୍‌ଙ୍କୁ ଧନ୍ୟବାଦ ଦିଏଁ ସେଥିପାଇଁ । ...କ’ଣ ପାଇଁ ବୁଝି ପାରୁଅଛ ?

 

କହିଲି, ନା ।

 

–ବଞ୍ଚି ରହିଥିଲେ ସେ ହୁଏତ ତମରି ପରି ବେଆଦବ ତିଆରି ହୋଇଥାନ୍ତା । ବାପବୟସୀ ଅଫିସ-ମାଷ୍ଟର ମୁହଁ ଉପରେ ଫୋପାଡ଼ି ଥାଆନ୍ତା letter of resignation ! –କହି ମୋର ସେହି ଇସ୍ତଫାପତ୍ର ଟିକି ଟିକି କରି ଛିଣ୍ଡାଇ ମୋ ଉପରେ ଫୋପାଡ଼ିଦେଇ ସବେଗରେ ବାହାରିଗଲେ ।

 

ଚାରି

 

କେବଳ ଧନରେ ଅଧିକାର–ଐଶ୍ୱର୍ଯ୍ୟ ନୁହେଁ । ଐଶ୍ୱର୍ଯ୍ୟର ପରିଚୟ ତା’ର ବହିଃପ୍ରକାଶ-। ଗୋଟିଏ ସିନ୍ଦୁକଭରା କୋହିନୂର କିମ୍ବା ଗୋଟିଏ ଡଜନ ମୟୂର-ସିଂହାସନ ନେଇ ଯଦି ଆପଣ ହିମାଳୟର କୌଣସି ନିଭୃତ ଗୁହାରେ ଆଶ୍ରୟ ଗ୍ରହଣ କରନ୍ତି, ପୃଥିବୀର ଧନାଢ଼୍ୟ ତାଲିକାରେ ଆପଣଙ୍କର ନାମ ଅନୁକ୍ତ ରହିଯିବ । କିନ୍ତୁ ରାତାରାତି କଳା-ବଜାରର ଦୌଲତରେ ଲେକ୍‌-ଟେରାସରେ ଚାରି ମହଲା କୋଠା ଠିଆ କରନ୍ତୁ, ତାହା ସହିତ କିଣନ୍ତୁ ଦୁଇଖଣ୍ଡ ବୁଇକ୍‌ ଆଉ ଗୋଟିଏ ରେସ୍‌ର ଘୋଡ଼ା; ଆପଣଙ୍କର ରୂପ, ବୟସ ଓ ବ୍ୟାଙ୍କ୍‌-ବାଲାନ୍‌ସ ଯେତେ ବିରୁଦ୍ଧ ସାକ୍ଷ୍ୟ ଦେଉ, ଅନୂଢ଼ା କନ୍ୟାଙ୍କର ଜନନୀମାନଙ୍କ ଏବଂ ଇନ୍‌କମ୍‌ ଟ୍ୟାକ୍ସର କର୍ମଚାରୀମାନଙ୍କଠାରୁ କେବେ ତ୍ରାହି ପାଇବେ ନାହିଁ । ଏହିପରିଭାବରେ ଆପଣଙ୍କର କୋଠା, ଗାଡ଼ି, ଆପଣଙ୍କର ଚାଲିଚଳନ, ଆସବାବ୍‌ପତ୍ର, ପୋଷାକପରିଚ୍ଛଦ ସର୍ବୋପରି ଆପଣଙ୍କର ସାଳଙ୍କାର ସହଧର୍ମ୍ମିଣୀ–ଅଭାବରେ ସୁସଜ୍ଜିତା ବାନ୍ଧବୀଦଳ–ସମାଜ-ବକ୍ଷରେ ଆପଣଙ୍କର ବିଜୟବାନା ଉଡ଼ାଇ ସଗୌରବରେ ବିଚରଣ କରୁଛନ୍ତି ବୋଲି ଆପଣ ବଡ଼ଲୋକ; ରାମ, ଶ୍ୟାମ, ଯଦୁଠାରେ ଆପଣ ସ୍ୱତନ୍ତ୍ର ଜଣେ ଉଚ୍ଚତର ଜୀବ ।

 

ଐଶ୍ୱର୍ଯ୍ୟର ବାହନ ଅସୁମାରି; କିନ୍ତୁ ତାଙ୍କ ମଧ୍ୟରୁ ଯେଉଁ ଜନ୍ତୁଟି ଆଜି ପୃଥିବୀରେ ସବୁଠାରୁ ବେଶୀ ନାମ କରିଅଛି, ତା’ର ନାମ ମଟର ଗାଡ଼ି । ବେପରୁଆ ଗତିର ନିଶାରେ ସେ ମାତାଲପରି ଧାଇଁଅଛି, ତୀବ୍ର କର୍କଶ-କଣ୍ଠରେ ସେ ପାଦ-ସମ୍ବଳ ପଥଚାରୀକୁ ନାଲି ଆଖି ଦେଖାଇ ହୁଙ୍କାର ଛାଡ଼ୁଛି–ଘୁଞ୍ଚି ଯାଅ, ସାମନାରେ ଯେବେ ପଡ଼ିଅଛ ମୃତ୍ୟୁ ଅବଶ୍ୟମ୍ଭାବୀ, ପାଖରେ ପଡ଼ିଗଲେ ବି କାଦୁଅ ଛିଡ଼ିକାରୁ ମୁକ୍ତି ନାହିଁ । ଏହି ମୋଟରଗାଡ଼ି ହିଁ ଆପଣ ଓ ମୋ ଝିଅର ସୁ ଉଚ୍ଚ ଚାଇନିଜ୍‍-ଓ୍ୱାଲ୍‌ ।

 

ଦାର୍ଜିଲିଂରେ ଐଶ୍ୱର୍ଯ୍ୟର ଅଭାବ ନାହିଁ, ଅଭାବ କେବଳ ଏହି ଶୃଙ୍ଗବାଲା ବାହନଟିର । କେବଳ ଏହି ଗୋଟିଏ ମାତ୍ର କାରଣରୁ ଏଠାରେ ଧନୀ ଓ ନିର୍ଦ୍ଧନଙ୍କ ମଧ୍ୟରେ ବେଶି ତଫାତ୍‌ ନାହିଁ । ଅବଜାରଭେଟରି ହିଲର ଚାରିପଟେ କେଇଥର ଚକ୍‌କର ଦେଇ ମ୍ୟାଲ୍‌ର ଯେଉଁ ବେଞ୍ଚରେ ମୁଁ ନିତିଆସି ବିଶ୍ରାମ ନିଏ, ତାହାରି ଅପର ପ୍ରାନ୍ତ ଅସଂକୋଚରେ ଅଧିକାର କରନ୍ତି ଏପରି ସବୁ ମାନ୍ୟଗଣ୍ୟ ଲୋକ । ଯାହାଙ୍କ ସହିତ ଏକ ଆସନ ତ ଦୂର କଥା, ଏକ ସାହିରେ ବାସ କରିବା ଅନ୍ୟତ୍ର ଧୃଷ୍ଟତା ବୋଲି ଗଣ୍ୟ ହେବ ମୋ ପରି ଲୋକ ପକ୍ଷରେ । ସେ ଦିନ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ହେଲା । ସେଠାରେ ଆସନ ଗ୍ରହଣ କଲେ ବିଶାଳ ଏକ ଜବରଜଙ୍ଗ–ବହୁମୂଲ୍ୟ ରାଇଡ଼ିଂ ବ୍ରିଚେଜ । ତାହା ଉପରେ ତତୋଽଧିକ ମୂଲ୍ୟବାନ୍‌ କୋଟ, ଚେଷ୍ଟାର, ମାଫଲର ଦସ୍ତାନାର ସ୍ତୂପ । ସେଥିରୁ ଯେଉଁ ଆବେଗମୟ ସୌରଭ ମହକିଯାଉଥିଲା, ତାହାର କୌଳିନ୍ୟ ମଧ୍ୟ ସାଗରପାରିର । ଏପରି ଲୋକଙ୍କର ପୂରା ଦେହଟା ଦୂରେ ଥାଉ, ଚୁଟିର ସାକ୍ଷାତ ବି ସ୍ୱପ୍ନାତୀତ କଲିକତା, ବୋମ୍ବାଇ କିମ୍ବା ନୂଆଦିଲ୍ଲୀର ପବଲିକ୍‌ ପାର୍କରେ । ଏପରି ଅଘଟଣ ଯେ ଘଟିଲା ତାହାର ଏକମାତ୍ର କାରଣ ଏହି ରୂପସୀ ନଗରୀର ଛାୟା ଶୀତଳ ପିଚ୍‌ଢଳା, ପରିଚ୍ଛନ୍ନ ରାଜପଥକୁ କଳୁଷିତ କରିବାପାଇଁ ତାଙ୍କର ଆଠଖଣ୍ଡ ମୋଟରରୁ ଖଣ୍ଡିଏ ସୁଦ୍ଧା ଏଠାକୁ ଆଣିବା ସମ୍ଭବ ହୋଇ ନ ଥିଲା ।

 

ଆଗନ୍ତୁକ କଣେଇ କଣେଇ ମୋ ଆଡ଼କୁ କେଇଥର ଅନାଇଲେ, ତା’ପରେ ରତ୍ନ ଖଚିତ ରୌପ୍ୟାଧାରରେ ବହୁମୂଲ୍ୟ ସିଗାରେଟ ମୋ ଆଡ଼କୁ ବଢ଼ାଇ ଦେଇ ବିଦେଶୀ ଭାଷାରେ ପ୍ରଶ୍ନ କଲେ, କ୍ଷମା କରିବେ, ଆପଣ ଏଠାକୁ ନିତି ଆସନ୍ତି ବୋଧହୁଏ ?

 

–ପ୍ରାୟ ଆସେ ।

 

–କେଉଁଠି ରହନ୍ତି, ଜାଣିପାରେଁ କି !

 

–ଜେଲରେ ।

 

ଚମକି ଉଠିଲେ ଭଦ୍ରଲୋକ । ନିଜର ଅଜ୍ଞାତରେଇ ବୋଧହୁଏ ଟିକିଏ ଘୁଞ୍ଚିଯାଇ ସନ୍ଦିଗ୍ଧ ଭାବରେ ଅନାଇବାକୁ ଲାଗିଲେ ମୋ ଆଡ଼କୁ । ମୁଁ ଆଶ୍ୱାସ ଦେଲି, ଡରନ୍ତୁ ନାହିଁ । ଗେଟ୍‌ ଭାଙ୍ଗି କିମ୍ବା ପାଚେରୀ ଡେଇଁ ଆସି ନାହିଁ । ହାତରେ ଛୋରା ଫୋରା ବି ନାହିଁ । ଏଇ ଦେଖନ୍ତୁ–

 

ଖଟାସ୍‌ କରି ଶବ୍ଦ ହେଲା । ଜଣେ ପୋଲିସ୍‌ର ସିପାହୀ ସାମନା ଦେଇ ଯାଉଥିଲା । ସମ୍ଭବତଃ ମୋର ସରକାରୀ ପରିଚୟଟା ଜାଣେ । ପୋଲିସ୍‌ କାଇଦାରେ ଛାତି ଠୁଙ୍କି ସଲାମ ଦେଇଗଲା । ଭଦ୍ରଲୋକ ତାହା ଲକ୍ଷ୍ୟ କଲେ ଏବଂ ହସିକରି କହିଲେ, ଆପଣ ବେଶ୍‍ ଲୋକ, ମୁଁ କ’ଣ ସେହି କଥା–କି ମୁସ୍କିଲ–ବେଶ ଯା’ ହେଉ– ।

 

ତାଙ୍କର ଅବସ୍ଥାଟା ଉପଭୋଗ କରାଗଲା । ସେ ଟିକିଏ ପାଖକୁ ଘୁଞ୍ଚି ଆସି କହିଲେ, ଦେଖନ୍ତୁ, ଗୋଟାଏ କଥା, କହିବି ?

 

–କହନ୍ତୁ ।

 

ମୋ ଆଡ଼କୁ ଟିକିଏ ଘୁଞ୍ଚି ଆସି ଚୁପ୍‌ଚୁପ୍‌ କହିଲେ, ବହୁତ ଦେଶ ବୁଲିଅଛି । ଅନେକ ଆଶ୍ଚର୍ଯ୍ୟ ଜିନିଷ ଆଖିରେ ଦେଖିଛି । ଏପରିକି ଅନେକ ରହସ୍ୟମୟ ନିଷିଦ୍ଧ ଜାଗାକୁ ଯିବାର ସୁଯୋଗ ହୋଇଅଛି, ଯେଉଁଠାରୁ ଫେରି ଆସିବା କପାଳର କଥା, କିନ୍ତୁ ଆଶ୍ଚର୍ଯ୍ୟ, ଗୋଟାଏ ଜିନିଷ କେବେହେଲେ ଦେଖି ନାହିଁ; ତାହା ହେଉଛି ଜେଲ୍‍ । ସେହି କୋଡ଼ିଏ ଫୁଟ ଉଚ୍ଚ ପାଚେରୀ ଉହାଡ଼ରେ କ’ଣ ଅଛି । ଦେଖିବାକୁ ଭାରି ଇଚ୍ଛା ହୁଏ; ଥରେ ଦେଖାଇବେ ?

 

କହିଲ, ତାହା ଆଉ କଠିଣ କ’ଣ ? ଆପଣ ମନେକଲେ ହେବ । ମୋର ସାହାଯ୍ୟ ଦରକାର ନାହିଁ ।

 

କିପରି ?

 

–ଖୁବ୍ ସିଧା କଥା । ଏହି ଯେଉଁ ବେଞ୍ଚରେ ଆପଣ ବସିଛନ୍ତି, ଏହାରି ଉପରେ ଠିଆ ହୋଇ ଦୁଇ ଚାରିଟା ହୁରି ପକାନ୍ତୁ, ଇଂରାଜ ଧ୍ୱଂସ ହେଉ । ଡାଉନ୍‌ ଉଇଥ୍‌ ଇମ୍ପିରିଆଲଜିମ୍‌ । ପୋଲିସ୍‌ ଆଖପାଖରେ ବୁଲୁଛନ୍ତି । ବାକି କାମର ଭାର ସେମାନେ ନେବେ ।

 

ସେ ଜିଭ କାମୁଡ଼ିପକାଇ କହିଲେ–ସର୍ବନାଶ, ତାହା କେବେ କରିପାରେଁ ? ଡାଉନ୍‌ ଉଇଥ୍‌ ଗାନ୍ଧିଜିମ୍‌ ବରଂ ଶହେଥର କହିପାରେଁ; ଆଉ ଦରକାର ବେଳେ କହିବି ଥାଏଁ ।

 

ପରିଚୟ ମିଳିଲା । ସେ ହେଉଛନ୍ତି କେଉଁ ଦେଶୀୟ ରାଜ୍ୟର ମହାମାନ୍ୟ କୁମାର ବାହାଦୁର । ଷ୍ଟେଟ ହେବିଲରୁ କେତେକ ଲକ୍ଷ ଟଙ୍କା ବୃତ୍ତି ପାଆନ୍ତି । ଯେତେବେଳେ କଲିକତା କିମ୍ବା ନୂଆଦିଲ୍ଲୀକୁ ଆସନ୍ତି, ଗୋଟାକେତେ ତୋପ ବି ବୋଧହୁଏ ହୁଙ୍କାର ଛାଡ଼େ ।

 

ପରଦିନ ଇ ସେ ମୋର ଦୀନ କୁଟୀରରେ ପଦାର୍ପଣ କଲେ । ସନ୍ତ୍ରସ୍ତ ହୋଇ ଉଠିଲି ଏବଂ ମୋର ଏକମାତ୍ର କମାଇଣ୍ଡ-ହେଣ୍ଡ, ଏକାଧାରରେ ପୂଝାରି-ଚାକର-ବୟ-ବେହେରା-ଖାନସମା–‘‘କେଟା’’ର ନା ଧରି ଡାକ ପକାଇଲି । କୁମାର ବାହାଦୁର ପ୍ରସ୍ତାବ କଲେ, ବୁଲିଆସି ବସା ଯିବ ଏବଂ ଆପଣଙ୍କର କେଟାର ଶ୍ରୀହସ୍ତରୁ ଚା’ ପାନ ବି କରାଯିବ । ଆଗେ ଚାଲନ୍ତୁ, ଅସଲ ମିସନ୍‍ଟା ସାରି ଆସିଁବା ।

 

ସାନ ଜେଲ୍‍ । ପଶିକରି ପ୍ରଥମେ ନେଇଗଲି ସେଲଗୁଡ଼ାକ ଆଡ଼କୁ । ସାତ ହାତ ଲମ୍ବ ଓ ପାଞ୍ଚ ହାତ ଚଉଡ଼ା ଘର । ଗୋଟିଏ ମାତ୍ର ଲୁହାର ବାର୍‍ଦିଆ ଦୁଆର; ପଚପଟ କାନ୍ଥରେ ମୁଣ୍ଡ ଉପରକୁ ଉଚ୍ଚରେ ସାନ ଗୋଟିଏ ଝରକା-ଭଳି ସମ୍ଭବତଃ ଯାହାର ପରିକଳ୍ପନା ହୋଇଥିଲା, ଆଲୁଅ ପବନକୁ ବ୍ୟଙ୍ଗ କରିବାପାଇଁ । ଘର ସାମନାରେ ଦୁଇ ପାଖରେ ପାଚେରୀଘେରା ଟିକିଏ ବାରନ୍ଦା । ତା’ପରେ ପୁଣି ଗୋଟିଏ କାଠର ଦୁଆର । ସେଲରେ ଯେ ରହିବ, ତାହା ମଧ୍ୟରେ ଓ ଏହି ପ୍ରାଣୀ ଜଗତମଧ୍ୟରେ ତାହା ଗୋଟିଏ ମାତ୍ର ସେତୁ । ସେଠାରେ ଯେତେବେଳେ ଦୁଆର ପଡ଼ିଯାଏ, ଏହି ପୃଥିବୀ ତାହା ପକ୍ଷରେ ଜନ-ମାନବ-ହୀନ ।

 

ବହୁତ ରକମ ବନ୍ଦୀଙ୍କର ଆସ୍ଥାନ ଏହି ‘ସେଲ’ ବା ‘ଡିଗ୍ରୀ’–ପାଗଳ, କୁଷ୍ଠ ରୋଗୀ, ଯେଉଁମାନେ କୃତ-ଅପରାଧ ସ୍ୱୀକାର କରି ଅଛନ୍ତି । କାରା-ଆସନରେ କୌଣସି ମାରାତ୍ମକ ଧାରା ଅମାନ୍ୟ କରି ଯେଉଁମାନେ ନିର୍ଜନ କାରାଗାର-ଶାସ୍ତି ପାଇ ଅଛନ୍ତି । ପ୍ରଥମ ସେଲଟିରେ ଥାଏ ଗୋଟିଏ ଟୋକା ଖୁନୀ ଆସାମୀ । ତା’ର ନାମ ଯତୀନ । ସ୍ୱେଚ୍ଛାରେ ପୋଲିସ୍‌ ପାଖରେ ଧରା ଦେଇଛି । କୁମାର ବାହାଦୁର ତୀକ୍ଷ୍‍ଣ ଉତ୍ସୁକ ଦୃଷ୍ଟିରେ ତାକୁ ଦେଖୁଥିଲେ । ସାମାନ୍ୟ ଗୋଟିଏ ଭୂମିକା ଦେବାପାଇଁ ଆରମ୍ଭ କଲି, ଦିସ୍‌ ପୁଓର ଫେଲୋ–

 

ଯତୀନ ବାଧାଦେଇ କୁମାର ବାହାଦୁରଙ୍କୁ ଲକ୍ଷ୍ୟକରି କହି ଉଠିଲା, କିଏ ଆପଣ ? ଓଃ, ଜେଲ୍‍ ଦେଖିବାକୁ ଆସିଛନ୍ତି ପରା ଦେଖନ୍ତୁ, ଦେଖନ୍ତୁ । ବେଶ୍‌ ଭଲ କରି ଦେଖିବେ ସ୍ୟାର୍‍ । ଚିଡ଼ିଆଖାନା ଦେଖିଛନ୍ତି ତ କଲିକତାରେ ? ଜଙ୍ଗଲରୁ ଜନ୍ତୁ-ଜାନୁୟାର ଧରିଆଣି ପିଞ୍ଜରାରେ ପୂରାଇ କେତେ ମଜା ପାଉଁ ଆମେ ! ତାହାଠାରୁ ବହୁତ ବେଶୀ ମଜା ଏଠାରେ ପାଇବେ । ନିଜ ଜାତିକୁ ଦେଖିବେ ପଶୁପରି ପିଞ୍ଜରାରେ ବନ୍ଦି । କେବଳ ଆଖିରେ ଦେଖିବେ କ’ଣ ପାଇଁ ? ଆପଣଙ୍କ ଲାଠିରେ ଖେଞ୍ଚାମାରି ମଧ୍ୟ ଦେଖି ପାରନ୍ତି, ଆମ ତଣ୍ଟିରୁ କିପରି ଶବ୍ଦ ବାହାରେ–ଠିକ୍‌ ଯେପରି ଚିଡ଼ିଆଖାନାର ହନୁ କିମ୍ବା ସିମ୍ପାଜୀମାନଙ୍କୁ ଖେଞ୍ଚା ମାରି ଦେଖନ୍ତି ପିଲାଗୁଡ଼ାକ !

 

ଏହି ତୀକ୍ଷ୍‌ଣ ବ୍ୟଙ୍ଗର ସୁର ହଠାତ୍‌ ରୁକ୍ଷ କଠିନ ହୋଇ ଉଠିଲା । ଯେତେବେଳେ ସେ ମୋ ଆଡ଼କୁ ଚାହିଁଲା–କହିଲା, ଡେପୁଟିବାବୁ, ଆମକୁ ପିଞ୍ଜରାରେ ପୂରାଇ ଅଛନ୍ତି, ସେଥିପାଇଁ ଦୁଃଖ ନାହିଁ । ଗୋଡ଼ରେ ଦଣ୍ଡା-ବେଢ଼ି, ହାତରେ ହାତ କଡ଼ା, କଡ଼ି କାଠରେ ଝୁଲାଇ ରଖନ୍ତୁ, ତାହା ବି ସହି ପାରିବା; କିନ୍ତୁ ଦୁହାଇ ଆପଣଙ୍କର ‘‘ପୁଓର ଫେଲୋ’’ କହି ଜୋତାଟା ଆଉ ନୂଆ କରିପାରିବେ ନାହିଁ ।

 

ପ୍ରଭୁଭକ୍ତ ଜମାଦାର ରାଗି ଉଠି ତା’ର କଇଦୀଙ୍କୁ ସିଧା କରିବା ଭଙ୍ଗୀରେ କ’ଣ କହିବାକୁ ଯାଉଥିଲା । ହାତ ଟେକି ତାକୁ ନିବୃତ୍ତ କଲି । ଅନୁଚ୍ଚ କିନ୍ତୁ ତୀବ୍ରତର ସ୍ୱରରେ ଯତୀନ କହିଲା–ମଣିଷକୁ କେବେ ଜାନୁଆର ବନାଇ କ୍ଷାନ୍ତ ହୋଇ ନାହାନ୍ତି । ତା’ର ଦୁର୍ଦ୍ଦଶାକୁ ବନ୍ଧୁମାନଙ୍କ ଆଗରେ ମେଲାଇ ଧରିଛନ୍ତି, ତାଙ୍କ କୌତୁକ ଆଉ ଆନନ୍ଦର ଖୋରାକ ଯୋଗାଇବା ପାଇଁ । ଆପଣ କିପରି ନିଷ୍ଠୁର !

 

ଶେଷଆଡ଼କୁ ଗଳାଟା କିପରି କୋମଳ ଶୁଭିଲା । କୋଟରଗତ ତୀକ୍ଷ୍‍ଣ ଆଖି ଯୋଡ଼ିକ ଛଳ ଛଳ ହୋଇଗଲା ।

 

କୁମାର ବାହାଦୁରଙ୍କଆଡ଼କୁ ଅନାଇଲି । ସେ ଯେପରି ସ୍ୱପ୍ନର ଆବେଶରୁ ଜାଗି ଉଠିଲେ । ହଠାତ୍‌ ଆଗେଇ ଗଲେ ଯତୀନର ସେଇ ସାମନାକୁ । ଲୁହା ବାରର ଫାଙ୍କରୁ ତା’ର ହାତ ଦୁଇଟି ଧରିପକାଇ ପରିଷ୍କାର ବଙ୍ଗଳାରେ କହିଲେ, ଆମକୁ କ୍ଷମା କରିବ ଭାଇ ! ଆମେ ଭାରି ଭୁଲ୍‍ କରିଅଛୁ । –କହି ହାତ ଛାଡ଼ିଦେଇ ମୁଣ୍ଡ ନୁଆଁଇ ସିଧା ଧାଇଁଲେ ଗେଟ୍‍ଆଡ଼କୁ । ମୋ’ପାଇଁ ଅପେକ୍ଷା ମଧ୍ୟ କଲେ ନାହିଁ ।

 

ପାଞ୍ଚ

 

ଚାକିରିର ମୋହ ଏହାରି ମଧ୍ୟରେ ମଗଜରେ ପଶି ତାହାର ବିଷକ୍ରିୟା ଯେ ଆରମ୍ଭ କରିଦେଲାଣି କୌତୁକର ସହିତ ଏହା ଅନୁଭବ କରୁଥିଲି । ଏପରି ଅବସ୍ଥା ଛଅମାସ ଆଗରୁ କଳ୍ପନାର ଅତୀତ ଥିଲା, ପୂର୍ବକଥା ଭାବିଲେ ଏବେ ହସମାଡ଼େ । ବଡ଼ବାବୁ ସର୍ବସ୍ୱ ଏହି କିରାଣିମାନଙ୍କୁ କେତେ ଅବଜ୍ଞାର ଆଖିରେ ଦେଖୁ ନ ଥିଲି ! ଆଉ ମୋର ଅବସ୍ଥା ଆଜି କ’ଣ ? ଚିନ୍ତା ଓ ବାକ୍ୟ ଆଜି ଯେଉଁମାନେ ସବୁ ଅଧିକାର କରି ବସିଅଛନ୍ତି ସେମାନେ ବଡ଼ବାବୁ ନ ହେଲେ ମଧ୍ୟ ବଡ଼ ସାହେବ କିମ୍ବା ସାନ ସାହେବ । ଏହି କେଇଦିନ ଆଗରୁ ବି ବନ୍ଧୁବାନ୍ଧବଙ୍କ ମଜଲିସରେ ଯେଉଁଠି ବିଚରଣ କରୁଥିଲେ ଶ’ ରବୀନ୍ଦ୍ରନାଥ, ହ୍ୟାରଲ୍‌ଡ, ଲ୍ୟାସକି କିମ୍ବା ଇସାଡୋରା ଡାନକାନ, ଆଜିକାଲି ସେଠାରେ ଆସନ ଲାଭ କରିଅଛି ଜେଲ୍‍ କୋର୍ଡ଼, ଫଣ୍ଡାମେଣ୍ଟାଲ ରୁଲ୍‍ସ, ଆଇ.ଜି. ଅଥବା ଏକାଉଣ୍ଟେଣ୍ଟ ଜେନେରେଲ । ମନେମନେ ଲଜ୍ଜିତ ହେଲି ।

 

କିନ୍ତୁ ଏହି ଲଜ୍ଜାବୋଧ ତ୍ୟାଗ କରିବାକୁ ମଧ୍ୟ ବେଶୀଦିନ ଲାଗି ନଥିଲା ମୋତେ । ଯେତେବେଳେ ଦେଖିଲି ଏହି ମାନସିକ ରୂପାନ୍ତର କେବଳ ମୋ’ପରି କ୍ଷୁଦ୍ର ଚାକିରିଜୀବୀର ନୁହେଁ, ବଡ଼ ଚାକିରିଆଙ୍କର ମଧ୍ୟ ସେହି ଏକା ପରମାଗତି । ପାର୍ଥକ୍ୟ ଯାହା ତାହା ମାତ୍ରାଗତ, ପ୍ରକାରଗତ ନୁହେଁ; କାଇଣ୍ଡ, ନୁହେଁ–ଡିଗ୍ରୀ । ମୁଁ ଯେଉଁଠି ଆଇ.ଜି. କିମ୍ବା ତାଙ୍କ ପି.ଏକୁ ନେଇ ସଭାମାଡ଼ କରୁଛି, ଏମାନେ ସେଠାରେ ସାର କରିଛନ୍ତି ଚିଫ୍‌ ପଲିଟିକାଲ୍‌ କିମ୍ବା ଫାଇନାନ୍‌ସ ସେକ୍ରେଟାରୀଙ୍କୁ । ସେକ୍ରେଟେରୀ ମହଲ ମଧ୍ୟ ସେହିପରି କୌଣସି ଏଇଚ.ଏମ୍‌. କିମ୍ବା ସ୍ୱୟଂ ଏଇଚ.ଇ.ଙ୍କୁ ନେଇ ମଶଗୁଲ ହୋଇ ଅଛନ୍ତି । ଯାଉ ସେ କଥା । ଏହା ତ ହେଉଛି ପରବର୍ତ୍ତୀ କାଳର ଘଟଣା । ସେଦିନ କିନ୍ତୁ ଦାର୍ଜିଲିଂର ଶୈଳାବାସରେ ମୋର କ୍ଷୁଦ୍ର ବଙ୍ଗଳାର ବାରନ୍ଦାରେ ବସି ବିସ୍ତୀର୍ଣ୍ଣ ଉପତ୍ୟକା ଉପରେ କାଞ୍ଚନଜଙ୍ଘାର ଐଶ୍ୱର୍ଯ୍ୟକୁ ଅନାଇ ନିଜକୁ ଧିକ୍‌କାର ଦେଉଥିଲି । ଭୟର ସହିତ ବାରମ୍ବାର ଉପଳବ୍ଧି କରୁଥିଲି ଚାକିରିଟା ଗୋଟିଏ ମହାକାୟ ଅଜଗର । ଅସହାୟ ମୃଗଶିଶୁ ଭଳି ଥରେ ଯେତେବେଳେ ତା’ର ମୁହଁ ପାଖରେ ଆସି ପଡ଼ି ଯାଇଛି–ଆଉ ରକ୍ଷା ନାହିଁ । ଧୀରେ ଧୀରେ ସେ ମୋତେ ପୂରାପୂରି ଗ୍ରାସ କରିବ ।

 

କେବଳ କ’ଣ ସେତିକି ? ଏତେ ଦିନର ପରିଚିତ ବାଟ ଯେ ହଜାଇ ଦେଇଛି ସେତିକି ନୁହେଁ; ଗୋଟିଏ ମାତ୍ର ଚଞ୍ଚଳ ଝରଣା ଯାହା ମୋର ପାହାଡ଼ୀ ଜୀବନର ନୀରସ ଦିନଗୁଡ଼ିକୁ ମଧୁସିକ୍ତ କରି ରଖିଥିଲା, ତାକୁ ମଧ୍ୟ ହଜାଇ ଦେଇଛି । ଏହା ଭାବି, ବିସ୍ମିତ ହେଲି । ଏଇ କେଇଦିନ ହେଲା ସେ କାଞ୍ଚି ଆସି ନାହିଁ, ସେ କଥା କାହିଁ ଥରେ ବୋଲି ମନରେ ପଡ଼ିନାହିଁ ? ଅଥଚ ଏଇ କେଇଟା ଦିନ ଆଗରୁ ବି ମୋର ସାରା ଦେହମନ ଉତ୍କର୍ଣ୍ଣ ହୋଇ ରହୁଥିଲା ସେହି ମୋହିନୀ ହସର ସ୍ପର୍ଶ ପାଇଁ ।

 

କେତେ ଖଣ୍ଡ ବହି ସଙ୍ଗରେ ଆଣିଥିଲି । ସେଥିରୁ ଖଣ୍ଡିଏ ଟାଣି ନେଇ ଭିତର ବାରନ୍ଦାରେ ବସିଲି । ଡିସେମ୍ବରର ମଧ୍ୟାହ୍ନ । ଆକାଶରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ପ୍ରାଣପଣେ ଚେଷ୍ଟା କରୁଥାଏ ଶୀତକୁ ସହନୀୟ କରିବା ପାଇଁ; କିନ୍ତୁ ମନେ ହେଉଥାଏ ତା’ର ସବୁ ଚେଷ୍ଟା ବ୍ୟର୍ଥ–ଯେପରି ବ୍ୟର୍ଥ ହେଉଛି ମୋର ବହିରେ ମନୋନିବେଶର ଚେଷ୍ଟା । ବାହାର ଦୁଆରରେ କଡ଼ାର ଶବ୍ଦ ହେଲା । ପଚାରିଲି, କିଏ ? କିଛି ଜବାବ ନାହିଁ । ଦ୍ୱିତୀୟ ଥର କଡ଼ାଟା ଆହୁରି ଜୋରରେ ହଲିଗଲା । ପାଖଘରେ କେଟାର ନାସିକାଧ୍ୱନି ଯେପରି ଜୋର୍‍ ଶୁଣା ଯାଉଛି, ବିନା ବଳ ପ୍ରୟୋଗରେ ତା’ର ନିଦ୍ରାଭଙ୍ଗର ଆଶା ନାହିଁ । ଅତଏବ ନିତାନ୍ତ ଅନିଚ୍ଛାରେ ଉଠିବାକୁ ହେଲା ।

 

–ଇଏ କ’ଣ, ତୁମେ !

 

କାଞ୍ଚିକୁ ଯେପରି ନୂଆ ରୂପରେ ଦେଖିଲି । କଳା ଭେଲଭେଟର ଘାଗରା ଉପରେ ଗାଢ଼ ଚକୋଲେଟ ରଙ୍ଗର ଉର୍ଦ୍ଧାବରଣ, ଯାହାକୁ ସେମାନେ ଚେଲା କହନ୍ତି । ପିଠି ଉପରେ ଲମ୍ବବେଣୀ ଝୁଲୁଛି । ରକ୍ତିମ ଗଣ୍ଡରେ, ଓଷ୍ଠରେ, ଚଞ୍ଚଳ ଆଖି ଯୋଡ଼ିକରେ କୌତୁକୋଜ୍ଜଳ ଚପା ହସ । କିଛି ଉପଲକ୍ଷ ପାଇଲେଇ ଉଛୁଳି ଝରି ପଡ଼ିବ । ହାତରେ ଝୁଡ଼ିଏ କମଳା ଲେମ୍ବୁ । ଭିତରକୁ ଆସି ଝୁଡ଼ିଟା ରଖିଦେଇ କହିଲା, ନିଅ, ବଡ଼ୀ ଆମ୍ମା ପଠାଇ ଦେଲେ । ଆମ ବଗିଚାର ଲେମ୍ବୁ ।

 

ମୁଁ ସେହି ସୁନ୍ଦର ଫଳଗୁଡ଼ିକୁ ଏପାଖ ସେପାଖ କରି ଦେଖୁଥିଲି । କାଞ୍ଚି ମୁଣ୍ଡ ହଲାଇ କହିଲା–ଉହୁଁ, ଯାହା ଖୋଜୁଛ ପାଇବ ନାହିଁ । ମୁଁ ନିଜ ହାତରେ ଗଛରୁ ତୋଳି ଆଣିଅଛି । କେଇଟା କଣ୍ଟା ଫୋଡ଼ିଛି ଜାଣ ? ବଡ଼ୀ ଆମ୍ମା ଗାଳି ଦେଲେ, ଡାଳ ଭାଙ୍ଗୁଛୁ କାହିଁକି ? କହିଲି, କ’ଣ କରିବି ? ତମ ବାବୁଜୀଙ୍କର ଯେ ପୁଣି ଡାଳପତ୍ର ନ ଥିଲେ ଲେମ୍ବୁ ପସନ୍ଦ ହୁଏ ନାହିଁ !

 

କଥାଟା ସତ । ଏ ମୋର ଗୋଟାଏ ଅଦ୍ଭୁତ ପିଲାପଣ । କମଳା ସଙ୍ଗରେ ଯେ ଡେମ୍ଫ ଓ ପତ୍ର ଲାଗିଥାଏ, ଦାର୍ଜିଲିଂ ଆସି ତ ପହିଲେ ଦେଖିଲି ।

 

କହିଲି, କିଏ କହିଲା ତମକୁ ଯେ ଡେମ୍ଫ ଛଡ଼ା ଲେମ୍ବୁ ପସନ୍ଦ ହୁଏ ନାହିଁ ?

 

ମୁଁ ଜାଣେ ।

 

କିପରି ଜାଣିଲ ?

 

ଲମ୍ବ ବେଣୀଟାକୁ ଟିକିଏ ହଲାଇ ଦେଇ କହିଲା, କହିବିନାହିଁ ।

 

କପଟ ଗାମ୍ଭୀର୍ଯ୍ୟର ସହିତ କହିଲି, ବେଶ୍‍, ଚାହେଁନା ତମର ଲେମ୍ବୁ ଝୁଡ଼ି, ଫେରାଇ ନେଇଯାଅ ।

 

–ହଁ । ଫେରାଇ ନେବିପରା ? ବଡ଼ୀ ଆମ୍ମାଙ୍କର କାଠ ଫାଳିଆ କି ଜିନିଷ ତାହା ତ ଜାଣ ନାହିଁ ! ଏଇ ଦେଖ–କହି ବାଁ ହାତ ଉପରୁ କୁର୍ତ୍ତାଟା ଘୁଞ୍ଚାଇ ଦେଖାଇଲା ଗୋଟାଏ ଲମ୍ବ କଳା ପଟା ପଡ଼ିବାର ଦାଗ ।

 

କହିଲି, ଭଲ ହୋଇଛି । ଦିନସାରା ଦୁଷ୍ଟାମି କରିବ; ଆଉ ତା’ର ଶାସ୍ତି ନାହିଁ ?

 

–ତା’ହେଲେ ତ ତୁମେ ବି ବାଦଯିବ ନାହିଁ ।

 

–କାହିଁକି, ମୁଁ ପୁଣି କ’ଣ କଲି ?

 

–ଲେମ୍ବୁ ଫେରାଇ ନେଇଯାଅ କହିଲ କାହିଁକି ?

 

ଏହାର ଆଉ ଉତ୍ତର ନାହିଁ । ଟିକିଏ ଅପେକ୍ଷାକରି ସେ ହସରେ ଫାଟି ପଡ଼ିଲା–ଯେପରି କି ପଥର ଉପରେ କିଏ ଝୁଡ଼ିଏ କାଚ ବାସନ କଚାଡ଼ି ଦେଲା । ମୁଁ ବିସ୍ମୟବିମୂଢ଼ ହୋଇଗଲି । ମୋର ଏହି ଭାବାନ୍ତର ବୋଧହୁଏ ସେ ବୁଝି ପାରିଲା ନାହିଁ । ହସ ବନ୍ଦକରି ଧୀରେ ଧୀରେ ଟିକିଏ ପାଖକୁ ଘୁଞ୍ଚି ଆସି ଡରି ଡରି କହିଲା, ତୁମେ ରାଗିଲ କି ବାବୁଜୀ ?

 

ସେହିକ୍ଷଣି ଉତ୍ତର ନ ପାଇ ଅପରାଧୀ ଭଳି କୁଣ୍ଠିତ ମୃଦୁ କଣ୍ଠରେ କହିଲା–ସତରେ, ମୋର ଏହି ରୋଗ କାହିଁରେ ଗଲାନାହିଁ । କେତେ ଯେ ଗାଳି ଖାଏଁ–

 

ସେତେବେଳକୁ ମୁଁ ନିଜକୁ ସମ୍ଭାଳି ନେଇଥାଏଁ । କହିଲି, ସେ ଜ୍ଞାନ ଯଦି ଥାଏ ପାଗଳ ପରି ହସ କାହିଁକି ?

 

–ବା-ରେ, ମୁଁ କ’ଣ ଇଚ୍ଛାକରି ହସେ ? ହସ ମାଡ଼ିଲେ ମୁଁ କ’ଣ କରିବି ?

 

ଆଚ୍ଛା; ଏଥର ଯେତେବେଳେ ହସ ମାଡ଼ିବ, ସିଧା ଧାଇଁଯିବ ବଡ଼ୀ ଆମ୍ମାଙ୍କ ପାଖକୁ । ଗୋଟିଏ କାଠଫାଳିଆର ପାହାର ପିଠିରେ ପଡ଼ିଲେଇ ହସ କୁଆଡ଼େ ପଳାଇ ଯିବ ।

 

–ଇସ୍‍; ତା’ ପରା ! ସେଥିରେ ତ ଆହୁରି ବେଶୀ ହସ ମାଡ଼ିବ ?

 

–ସେ କଥା ଜାଣେ । ସେ ତ ଆଦର ଦେଇ ମୁଣ୍ଡଟା ବିଗାଡ଼ି ଦେଇଛନ୍ତି । ରୁହ, ଆଜି ଯାଇ କହି ଆସୁଛି–

 

–ଯାଉନାହଁ ? ବୁଢ଼ୀ କ’ଣ କହିବ, ମୋର ଜଣା ଅଛି ।

 

–କ’ଣ କହିବେ ?

 

–କହିବେ; ଆଦର ଦେଇ ତା’ର ମୁଣ୍ଡ ମୁଁ ତ ଖାଇନାହିଁ; ଖାଇଛି ଆଉ ଜଣେ ।

 

–ସେ ପୁଣି କିଏ ?

 

–ମୁଁ କ’ଣ ଜାଣେ–କହି ହଠାତ୍‌ ମୋ ଆଡ଼କୁ ପଛ ଫେରି ଘୂରି ପଡ଼ିଲା । ଲମ୍ବ ବେଣୀଟାକୁ ପୁଣି ଥରେ ହଲାଇ ଦେଇ ଚଞ୍ଚଳ ଘର ଆଡ଼କୁ ଚାଲିଗଲା । ଝୁଡ଼ିଟା ମୋର ଭଣ୍ଡାରଘରେ ରଖି ଫେରି ଆସୁ ଆସୁ କହିଲା, ଖାଲି ମୁଣ୍ଡ ଚୋବାଇ ଖାଇଲେ ତ ପେଟ ପୂରିବ ନାହିଁ, ଫଳ କେଇଟା ଖାଇବ । ସବୁଗୁଡ଼ାକ କେଟାକୁ ଦାନ କରିବ ନାହିଁ । ତମର ଯେଉଁ ମନ, ହୁଏତ ଗୋଟାଏ ବି ମୁହଁରେ ଦେବ ନାହିଁ ।

 

ଖୁବ୍‍ ଉତ୍ସାହ ଦେଖାଇ କହିଲି, କିଏ କହିଲା ମୁହଁରେ ଦେବି ନାହିଁ ? କାଲି ଆସିବ ଦେଖିବ, ଝୁଡ଼ି ଏକବାରେ ଖାଲି । ବିଶ୍ୱାସ ହେଉନାହିଁ ? ଆଚ୍ଛା, ତମ ଆଗରେ ଆରମ୍ଭ କରିଦେଉଛି-

 

ଉଠିବାକୁ ଗଲାରୁ କାଞ୍ଚି କଳକଣ୍ଠରେ ମନାକଲା–ହଉ, ହଉ । ଆଉ ଉଠିବାକୁ ହେବ ନାହିଁ । ବେଶ୍‍ ବୁଝିଲି ।

 

ଏଣେତେଣେ ଅନାଇଦେଇ ଥରେ କ’ଣ ଖୋଜିଲା । ତା’ପର ଧାଇଁଗଲା ରୋଷାଇ ଘରକୁ ଏବଂ ତା’ପର ଭଣ୍ଡାର ଘରକୁ । ଗୋଟିଏ ଡିସ୍‌ ଆଣି ତିନିଚାରିଟା ଲେମ୍ବୁ ଛଡ଼ାଇ ମୋ ହାତକୁ ବଢ଼ାଇଦେଇ କହିଲା, ଖାଅ ।

 

କେତୋଟି ଖୋସା ଉଠାଇ ନେଇ କହିଲି, ବାଃ, ମୁଁ କ’ଣ ଏକା ଖାଇବି ?

 

କିଏ ପୁଣି ଖାଇବ ?

 

–କାହିଁକି, ତମେ ?

 

କାଞ୍ଚି ଉତ୍ତର ଦେଲା ନାହିଁ । ମୁଣ୍ଡ ତଳକୁ ପୋତି ଛିଡ଼ାହୋଇ ଗୋଡ଼ ଆଙ୍ଗୁଠିରେ ମାଟି ଖୋଳିବାକୁ ଲାଗିଲା । ଗୋଟାଏ ସଲଜ୍ଜ ମୃଦୁ ହସ ତା’ର ଆନତ ମୁହଁରେ ଖେଳିଗଲା । କେତୋଟି ଖୋସା ତା’ର ହାତରେ ଗୁଞ୍ଜିଦେଇ କହିଲି, ଦେଖେଁ କାହାର ଆଗ ସରୁଛି ।

 

କାଞ୍ଚି କିନ୍ତୁ ଫଳଗୁଡ଼ିକ ମୁହଁକୁ ଦେଲା ନାହିଁ । ସେହିପରି ଠିଆ ହୋଇ ରହିଲା ।

 

–କ’ଣ ହେଲା ? କହି ଯେତେବେଳେ ତା’ଆଡ଼କୁ ଆଖି ଫେରାଇଲି, ଦେଖିଲି, ଦିଓଟି ସ୍ନିଗ୍ଧ ଲାଜ ଆଖି ମୋ ମୁହଁକୁ ଏକ ଧ୍ୟାନରେ ଅନାଇ ରହିଛି । ମୋ ଆଖିରେ ଆଖି ପଡ଼ିଲାକ୍ଷଣି ସାଙ୍ଗେ ସାଙ୍ଗେ ଭୀତା ହରିଣୀପରି ଧାଇଁ ପଳାଇଗଲା ।

 

ପାଖଘରୁ ବଡ଼ୀ ଆମ୍ମାଙ୍କର କଠୋର କଣ୍ଠ ଭାସି ଆସୁଅଛି । ତର୍ଜନ ଗର୍ଜନରେ କଳହର ସୁର । କିନ୍ତୁ ପ୍ରତିପକ୍ଷର କୌଣସି କଥା ଶୁଭୁ ନାହିଁ । ଶୁଭିବା କଥା ମଧ୍ୟ ନୁହେଁ । ବଡ଼ୀ ଆମ୍ମାଙ୍କର ଗଭର୍ଣ୍ଣମେଣ୍ଟରେ ଅପୋଜିସନ ପାର୍ଟିର ଅଡ଼ୁଆ ନାହିଁ । ପୂରାପୂରି ଡିକ୍‌ଟେଟରସିପ । ପଣ୍ଡିତମାନେ ଦାମ୍ପତ୍ୟ କଳହକୁ ‘‘ବହ୍ୱାରମ୍ଭେ ଲଘୁକ୍ରିୟା’’ ବୋଲି କହିଛନ୍ତି; କିନ୍ତୁ ଯେଉଁ ଦମ୍ପତିଙ୍କର ଉତ୍ତମାର୍ଦ୍ଧରେ ଶୋଭା ପାଉଛନ୍ତି ବଡ଼ୀ ଆମ୍ମାଙ୍କଭଳି ଲୋକ ଆଉ ଅଧମାର୍ଦ୍ଧଙ୍କ ଅସ୍ତିତ୍ୱ ଏକବାର ‘ନିରାଣିଆ’ ସେଠାରେ କଳହର ରୂପ ବିପରୀତ । ଏହିପରି ଗୋଟିଏ ଯୋଡ଼ିଏ ଦୃଶ୍ୟର ଦର୍ଶକ ମୁଁ ନିଜେ, ଯାହାର ସୂଚନାରେ ଥିଲା ଖଣ୍ଡିଏ ଖିଅର ହେବାର ବ୍ଲେଡ କିମ୍ବା ସାର୍ଟର ବୋତାମ, କିନ୍ତୁ ଉପସଂହାରରେ ଦେଖାଯାଇଛି ବ୍ୟାଣ୍ଡେଜ ଓ ଟିଂଚର ଆୟୋଡ଼ିନ । ସାମାନ୍ୟ ପିନ୍‌ପ୍ରିକସ୍‌ର ବିନିମୟରେ ଖଣତି କିମ୍ବା କଣ୍ଟାଢାଳର ଆବିର୍ଭାବ ଡାକ୍ତର ଥାପ୍‌ପାଙ୍କର ଦାମ୍ପତ୍ୟ-ଜୀବନରେ ବିରଳ ନୁହେଁ ।

 

ଏହି ବୃଦ୍ଧ ନିରୀହ ଡାକ୍ତରଙ୍କ ପ୍ରତି ମୋର କିପରି ଗୋଟାଏ ସହଜାତ ସହାନୁଭୂତି ଗଢ଼ି ଉଠିଥିଲା । କିନ୍ତୁ ଆଜି ପ୍ରଥମେ ମନେହେଲା ‘‘ଆହା ବିଚାରା’’ ବୋଲି ଯେତେ କରୁଣା ତାଙ୍କୁ ଦେଖାଇଅଛି, ଠିକ୍‌ ସେତିକି ବୋଧହୁଏ ତାଙ୍କର ପ୍ରାପ୍ୟ ନୁହେଁ । ତୁଚ୍ଛ ହେଉ, ବା ବଡ଼ ହେଉ, କୌଣସି ଗୋଟିଏ ନାରୀ ହୃଦୟର ଅନ୍ତଃସ୍ଥଳରେ ମୁଁ ବିଚରଣ କରେ । ମୋତେ ଆଶ୍ରା କରି ତା’ର ସୁଖ-ଦୁଃଖ ବିରୋଧ ଓ ଶାନ୍ତି; ମୋ’ପାଇଁ ତା’ର ଉତ୍କଣ୍ଠାର ଅନ୍ତ ନାହିଁ । ଏହି ସତ୍ୟ ଯେଉଁ ପୁରୁଷ ଉପଲବ୍ଧି କରିଅଛି ତା’ର ଜୀବନରେ ତାହାଠାରୁ ବଡ଼ ସମ୍ପଦର ଅଧିକାରୀ କିଏ ? ମୋର ମନେହୁଏ ଡାକ୍ତର ଥାପ୍‌ପା ସେହି ଭାଗ୍ୟବାନ ପୁରୁଷ-କୁଳର ଅନ୍ୟତମ । ତେଣୁ କଂସ କଣ୍ଠର ବିଷ ତାଙ୍କୁ ସ୍ପର୍ଶ କରେନାହିଁ । କାରଣ ସେ ଜାଣନ୍ତି ତା’ର ଅନ୍ତରାଳରେ ସୁଧାଭାଣ୍ଡ ଅଛି । ସେ ତେଣୁ ସବୁ ବିରୋଧ ଓ ବିକ୍ଷୋଭ ମଧ୍ୟରେ ନିର୍ବିରୋଧ ଓ ନିର୍ବିକାର । ବ୍ୟାଣ୍ଡେଜର ବେଦନା ବହନ କରି ମଧ୍ୟ ତାଙ୍କର ପ୍ରାୟ ଅଦୃଶ୍ୟ ଆଖି ଯୋଡ଼ିକର ଉହାଡ଼ରେ କୌତୁକ ହସ ଭାସି ଉଠେ ।

 

ଡାକ୍ତରଙ୍କ ଏହି ନୂଆ ରୂପ କ’ଣ ଆଜି ମୋର ଆଖିରେ ପଡ଼ିଲା ? ତେବେ କ’ଣ ସେହି ସୁଧାମୟ ଅନୁଭୂତି ମୋ ଅନ୍ତରରେ ମଧ୍ୟ ତା’ର ସୁନାର କାଠିର ସ୍ପର୍ଶ ବୁଲାଇ ଗଲା ? ମୁଁ ମଧ୍ୟ କ’ଣ....

 

– ଆସାମୀ ଆୟା, ହଜୁର !

 

ଚମକି ଉଠିଲେ । ଅଦୂରରେ ଠିଆ ହୋଇଛି ନିଖୁଣ ସାମରିକ ବେଶଧାରୀ ଗୁର୍ଖା ଓୟାର୍ଡ଼ର । ସଶବ୍ଦ ସଲାମ ଠୁଙ୍କି ଆମନ୍ତ୍ରଣ ଜଣାଇ ଗଲା, ଆସାମୀ ଆୟା ହଜୁର । ଅଭ୍ୟର୍ଥନାର ପ୍ରୟୋଜନ ଏବଂ ତାହା ମୋତେ ଏଇକ୍ଷଣି ଯାଇ କରିବାକୁ ହେବ ।

 

ଏହି ଆସାମୀ କେଉଁମାନେ ? ଆଇନ ଏବଂ ଅଦାଲତକୁ ବୁଢ଼ା ଆଙ୍ଗୁଳି ଦେଖାଇ ଅନ୍ୟର ଧନପ୍ରାଣ ନେଇ ପେଣ୍ଡୁ ଖେଳନ୍ତି ଯେଉଁ ଭାଗ୍ୟବାନମାନେ, ସେମାନେ ନୁହନ୍ତି । ସମାଜର ବୁକୁରେ ବସି ଯେଉଁମାନେ ମିଠାହସର ଅନ୍ତରାଳରେ ବିଷାକ୍ତ ଛୁରିକାରେ ଶାଣ ଦିଅନ୍ତି ସେମାନେ ମଧ୍ୟ ନୁହନ୍ତି । ଏଠାକୁ ଦଳ ଦଳ ହୋଇ ଆସନ୍ତି ସେହିମାନେ ଯେଉଁମାନଙ୍କୁ ଆଇନର କବଳରୁ ମୁକ୍ତ କରିବାପାଇଁ କେହି ନାହାନ୍ତି ।

 

ଭୁଟିଆ ବସ୍ତିର ମନ ବାହାଦୁର ତା’ର ଦୈନିକ ପାରିବାରିକ ଖାଦ୍ୟ ‘ଦେଶୀମଦ’ ନିଜ ଘରେ ତିଆରି କରିଅଛି । ଜାଣେନାହିଁ ତା’ର ଅପରାଧ କେଉଁଠି । ବଂଶୀ ସର୍ଦ୍ଦାର ବାହାଦୁର ଲେଡ଼େନ ଲ’ଙ୍କର ବଙ୍ଗଳାରୁ ସିନ୍ଦିକରି ତିନିଖଣ୍ଡ ଥାଳି ଚୋରୀ କରିଅଛି, ବିକ୍ରି କରି କିଣିଅଛି ପାଞ୍ଚସେର ଯାଏ ଚାଉଳ ଓ ଏକଟିଣ ସିଗାରେଟ । ଦାଗୀ ଚୋର ଭକତା ପକେଟ୍‍ ମାରୁ ବ୍ୟବସାୟରେ ସୁବିଧା ନ ହେବାର ଦେଖି ସ୍ୱେଚ୍ଛାରେ ପୋଲିସ୍‌ଠାରେ ଧରା ଦେଇଅଛି । ଜେଲ୍‍ ଯାଇ ଦେହରେ ଟିକିଏ ବଳ କରିନେବାର ଉଦ୍ଦେଶ୍ୟରେ ।

 

ଏହିମାନେଇ ମୋର ଆସାମୀ । ଅଣ୍ଟାରେ ଦଉଡ଼ା ଏବଂ ହାତରେ ହାତକଡ଼ା ପିନ୍ଧି ଏମାନେ ଧାଡ଼ି ଧାଡ଼ି ହୋଇ ଆସନ୍ତି ଓ ଯାଆନ୍ତି । ଏହିମାନଙ୍କର ନାମ, ଧାମ ବିବରଣ, ପିଠିରେ ତିଳ, ନାକର କଟାଦାଗ ଲେଖିରଖେ ମୋର ଚଉଦ-କଲମବାଲା ଚିତ୍ରଗୁପ୍ତଙ୍କର ଖାତାରେ । ତା’ପରେ ଯେତେବେଳେ ଖଲାସ ହେବାର ଦିନ ଆସେ, ବାପର ନାମ ଏବଂ ଆଣ୍ଠୁର ଚିହ୍ନ ମିଳାଇନେଇ ଛାଡ଼ିଦିଏ ଜେଲ୍‍-ଗେଟ୍‌ର ବାହାରକୁ । ଏହି ହତଭାଗ୍ୟମାନଙ୍କ ପାଇଁ ରାଷ୍ଟ୍ରର କି ବିପୁଳ ଆୟୋଜନ ! ଏହିମାନଙ୍କ ପାଇଁ ଗଳଦ୍‌ଘର୍ମ୍ମ ହେଉଛନ୍ତି ସୁବିଶାଳ ପୋଲିସ୍‌ବାହିନୀ । ଉଦୟାସ୍ତ କଲମ ଚଳାଇଛନ୍ତି ଟାଇ-ବନ୍ଧା ହାକିମ ଓ ତାଙ୍କର ବିସ୍ତୀର୍ଣ୍ଣ ଇଜଲାସରେ ତଣ୍ଟି ଫଟାଉଛନ୍ତି କଳାକୋଟପିନ୍ଧା ଓକିଲ, ଆଉ ମଇଲା ଚପକନଧାରୀ ମୁକ୍ତିଆର ଦଳ ଏବଂ ଦଣ୍ଡା ନେଇ ଧାଇଁଛନ୍ତି ଅତି ବ୍ୟସ୍ତ ଜେଲର ସାହେବ ମୌଲବୀ ମୋବାରକ ଆଲି ଓ ଆମେମାନେ ତାଙ୍କର ଅନୁଚରବୃନ୍ଦ ।

 

ତଥାପି ଏହିମାନେ ହିଁ ମୋର ଲକ୍ଷ୍ମୀ । ଏମାନେ ଆସନ୍ତି ବୋଲି ମୋ ଘରକୁ ଆସେ ଅନ୍ନ । ଏମାନେ ଥିଲେ ବୋଲି ତ ମୁଁ ଅଛି । ନୋହିଲେ ଆଜି କେଉଁଠି ଥାଆନ୍ତି ମୁଁ, କେଉଁଠି ଥାଆନ୍ତେ ମୋର ରାଜକନ୍ୟା ଓ ଅଧାରାଇଜ ।

 

ଛଅ

 

ଅଫିସ କହିଲେ ସାଧାରଣତଃ ବୁଝିପାରୁ ଗୋଟିଏ ଅନ୍ଧାର ବନ୍ଦୀଶୀଳ, ଯାହା ଗର୍ଭରେ ଦଶଟାରୁ ପାଞ୍ଚଟା କଲମ ଚାଲେ । ଯେଉଁମାନେ ସେହି କଲମ ଚଳାନ୍ତି, ବହୁ-ଆକାଙ୍‌କ୍ଷିତ ଦିବାନିଦ୍ରା ତାଙ୍କଠାରେ ଦୁର୍ଲ୍ଲଭ । କେବଳ ସପ୍ତାହ ଶେଷରେ ଗୋଟିଏ ମାତ୍ର ଦିନ, ରବିବାରର ମଧୁର ମଧ୍ୟାହ୍ନ । ଜ୍ୟୋତିଷଶାସ୍ତ୍ରରେ ମୋର ଅଧିକାର ନାହିଁ । ମୋର ରାଶିଚକ୍ରରେ କେଉଁ ଗ୍ରହ ବା ଉପଗ୍ରହ ତୁଙ୍ଗ ସ୍ଥାନ ଅଧିକାର କରିଅଛନ୍ତି, ତାହା ମଧ୍ୟ ମୋତେ ଅଜଣା । ତେବେ ମୋର ସନ୍ଦେହ ହୁଏ, ମୋର କର୍ମସ୍ଥାନରେ ଯେ ଅଧିଷ୍ଠିତ ଅଛନ୍ତି ତାଙ୍କ ନାମ ଚନ୍ଦ୍ରଦେବ । ତାଙ୍କରି ପ୍ରସନ୍ନ ଦୃଷ୍ଟି ଯୋଗୁଁ ଏପରି ଗୋଟିଏ ସ୍ୱର୍ଗରେ ଆସି କଲମ ଧରିଅଛି, ଯେଉଁଠି ଅଛି ନିତି ଦିବାନିଦ୍ରାର ଅବସର-। କେବଳ ଏହି କାରଣରୁ ଆମେମାନେ ଚାକିରି-ଜଗତରେ ସଭିଙ୍କର ଈର୍ଷାର ପାତ୍ର । କିନ୍ତୁ ହାୟ ଗୋଲାପଫୁଲ କଣ୍ଟାଶୂନ୍ୟ ନୁହେଁ ! ତେଣୁ ଅନ୍ୟ ଦଶଜଣ ଚାକିରିଆ ବାବୁ ଯେତେବେଳେ ସୂର୍ଯ୍ୟଦେବତାଙ୍କୁ ଅଗ୍ରାହ୍ୟ କରି ଧୀରେ ସୁସ୍ଥେ ଶଯ୍ୟାତ୍ୟାଗ କରନ୍ତି ଏବଂ ଗରମ ଚାହା ପିଆଲାରେ ଦିଅନ୍ତି ନିଦ୍ରାଜଡ଼ିତ ପ୍ରଥମ ଚୁମ୍ବନ-ସ୍ପର୍ଶ କିମ୍ବା ବଜାର ମୁଣି ଧରି ଗୃହିଣୀଙ୍କର ସନ୍ତୋଷବିଧାନ ପାଇଁ ସଂଗ୍ରହ କରି ଆଣନ୍ତି ତଟକା ପନିପରିବା ଓ ମାଛ, ସେତେବେଳେ ଆମେ ପୋଷାକ ପିନ୍ଧି ହାଇ ମାରୁଁ, ସଶବ୍ଦରେ ଚାଳନା କରୁଁ କଇଦୀଜୀବନ ଶାସନଯନ୍ତ୍ର । ତା’ପରେ ବାରଟା-ଗୋଟାଏ ବେଳେ ଆସେ ମଧ୍ୟାହ୍ନ ବିରତି । ତା’ପରେ ଆହାରାନ୍ତେ ନିଦ୍ରା । ନିଦ୍ରାଶେଷରେ ଗୋଟିଏ ଦ୍ୱିରାଗମନ ଅଛି ସତ୍ୟ କିନ୍ତୁ ସେଥିରେ ଅଫିସ ସୁଲଭ ତତ୍ପରତା ନଥାଏ । ତାହା ଜେଲ୍‍ଖାନା ଓ ବୈଠକ ଖାନା ମିଶା । ରିଟାର୍ଣ୍ଣ ରେଜିଷ୍ଟାରର କୁଇନାଇନ ପିଲ ଉପରେ ପାନ-ସିଗାରେଟ-ଖୁସିଗପର ସୁଗାର-କୋଟିଂ । ସନ୍ଧ୍ୟାର ଅଫିସ କେବଳ ଅଫିସ ନୁହେଁ, ଜେଲ୍‍ ବାବୁଙ୍କର ସାନ୍ଧ୍ୟ କ୍ଲବ ।

 

ମାର୍ଚ୍ଚମାସ ଯିବାଉପରେ । ମହାଶୀତ ଅଫିସିଆଲି ଅବସର ଗ୍ରହଣ କରି ଅଛନ୍ତି, କିନ୍ତୁ ସଶରୀରରେ ବିଦାୟ ନେଇନାହାନ୍ତି । ସରକାରୀ କାଗଜ-ପତ୍ରରୁ ଅବସର ଗ୍ରହଣ କରି ନିରୀହ ଗୃହସ୍ଥଙ୍କ ସ୍କନ୍ଧରେ ସବାର ହୋଇଛନ୍ତି । ତାଙ୍କ ସହ ଅଛନ୍ତି ପ୍ରଚଣ୍ଡ ପବନ । ଏମାନଙ୍କର ସମବେତ ଆକ୍ରମଣ ରୋଧ କରି ନପାରି ସୂର୍ଯ୍ୟଦେବତା ମେଘର ଉହାଡ଼ରେ ଆଶ୍ରୟ ନେଇଛନ୍ତି । ଘରେ ଘରେ ତ୍ରାହି ତ୍ରାହି ଡାକ ପଡ଼ି ଯାଇଛି । ମଧ୍ୟାହ୍ନଭୋଜନ କୌଣସି ପ୍ରକାରେ ଶେଷକରି ଡବଲ ରେଜେଇ ଉପରେ ଭୁଟିଆ କମ୍ବଳ ଚଢ଼ାଇ ନିଦ୍ରାଦେବୀଙ୍କ କୋମଳ ଅଙ୍କରେ ଆଶ୍ରୟ ନେବାକୁ ମାତ୍ର ଆୟୋଜନ କରୁଛି, ଦୁଆର ପାଖରେ ଭଗ୍ନଦୂତର ଆବିର୍ଭାବ ।

 

–‘‘ଟେଲିଫୁନ୍‌ ଆୟା ହଜୁର ।’’

 

ପଡ଼ିରହିଲା କୋମଳ ଶଯ୍ୟାର ଉଷ୍ମ ଆଲିଙ୍ଗନ । ମଧୁର ନିଦ୍ରାର ଆଶା ଟେଲିଫୁନ୍‌ର ଆହ୍ୱାନରେ ଛାଡ଼ି ପଳାଇଲା ।

 

‘‘ହ୍ୟାଲୋ ?’’

 

ମୋଟା, ଭାରୀ ଏବଂ ଶ୍ୱେତ କଣ୍ଠରେ ଉତ୍ତର ଆସିଲା–ଡେପୁଟି କମିଶନାର କଥା କହୁଛି ।

 

–ଗୁଡ୍‍ ମର୍ନିଂ, ସ୍ୟାର୍‍ । ଆଇ ମିନ୍‌–

 

–ଲୁକ୍‌ ହିଆର୍‌ । ତମର ‘ସେଲ’ରେ ଜାୟଗା ଅଛି ତ ? ଯଦି ନଥାଏ ଗୋଟାଏ ସେଲ ଖାଲି କରିପକାଅ, ଆଉ ସ୍ପେଶାଲ ଗାର୍ଡ଼ ରେଡ଼ି ରଖ ।

 

–ଏଇକ୍ଷଣି କରୁଛି ସାର୍‍ ।

 

ଅଧଘଣ୍ଟା ଭିତରେଇ ଜଣେ କଇଦୀ ଯିବ । ଲୋକଟା ପାଗଳ, Dangerous Lunatic । ବେଶି ଗୋଳମାଳ କଲେ Fetters ଲଗାଇ ପାର । ଅଲଗା ରଖିବ । So that he does not communicate with anybody.

 

ସନ୍ତ୍ରସ୍ତ ହୋଇ ଉଠିଲି । ଟିକିଏ କୌତୂହଳ ମଧ୍ୟ ହେଲା । ନିଜେ ବଡ଼କର୍ତ୍ତା ଯାହାପାଇଁ ଏତେ ବ୍ୟସ୍ତ, କିଜାଣି ସେ କିପରି ଭୟଙ୍କର ଜୀବ । ଅଧଘଣ୍ଟାଏ ଭିତରେ ଲୋକଟା ଆସିଗଲା । ଅଣ୍ଟାରେ ଦଉଡ଼ି, ହାତରେ ହାତକଡ଼ା, ଦୁଇପାଖରେ ବନ୍ଧୁକଧାରୀ ପୋଲିସ୍‌ । ଏହି ଭୟଙ୍କର ଶୀତରେ ଖଣ୍ଡିଏ ଛିଣ୍ଡା ପାଇଜାମା ଛଡ଼ା ଦ୍ୱିତୀୟ ବସ୍ତ୍ର ତାହା ଦେହରେ ନାହିଁ । ଅନାବୃତ୍ତ ପିଠିରେ, ବାହୁରେ, କାନ୍ଧରେ ଏବଂ ପ୍ରାୟ ସାରା ଦେହରେ ଫୁଟି ଉଠିଛି ମୋଟା ମୋଟା ଆଘାତର ଚିହ୍ନ । କେଉଁ କେଉଁଠାରେ କାଟିଯାଇ ରକ୍ତ ଜମି ରହିଛି । କପାଳର ତଳଆଡ଼ଟା ଫୁଲି ଗୋଟାଏ ଆଖି ଢାଙ୍କି ଯାଇଛି ଏକବାରେ । ଉପର ଓଠ ଫୁଲିଯାଇ ନାକ ସଙ୍ଗରେ ମିଶି ଯାଇଛି ।

 

ଦୁଇଜଣ ପୋଲିସ୍‌ ଅଣ୍ଟାର ଦଉଡ଼ିଟା ଖୋଲି ଟାଣି ଟାଣି ମୋ ଟେବୁଲ ଆଗରେ ଲୋକଟାକୁ ଆଣି ଠିଆ କରାଇ ଦେଲେ । ଅନ୍ୟ ଆଖିଟା ମୋ ମୁହଁଆଡ଼କୁ ଜଳ ଜଳ କରି ଚାହିଁ ରହିଲା । ଏ କିପରି ଡେଞ୍ଜରସ୍‌ ଲୁନେଟିକ !

 

କହିଲି, ହାତକଡ଼ି ଖୋଲ ଦେଓ ।

 

ପୋଲିସ୍‌ ଦୁହେଁ ଇତସ୍ତତଃ କରିବାକୁ ଲାଗିଲେ । ସେମାନଙ୍କର ଇନଚାର୍ଜ ଆଗେଇ ଆସି କହିଲା, ଭାରି ପାଗଲ ଅଛି ହଜୁର ।

 

–ଜାଣେ । ହାତକଡ଼ାଟା ଖୋଲି ଦିଅ ।

 

ହାତକଡ଼ା ଖୋଲା ହେବାକ୍ଷଣି ଲୋକଟା ଧପ୍‌ କରି ଭୂଇଁରେ ବସି ପଡ଼ିଲା । ଏଣେତେଣେ ଚାହିଁ ଶୁଷ୍କ କଣ୍ଠରେ କହିଲା, ପାଣି ।

 

ପାଣି ଆଣିଲାରୁ ପାତ୍ରଟା ଟାଣିନେଇ ଏକ ନିଃଶ୍ୱାସରେ ପିଇଦେଇ ସେହିଠାରେ ଗଡ଼ିପଡ଼ିଲା । ସାରା ଦେହ ମୋଡ଼ି ଭାଙ୍ଗି ମେଞ୍ଚା ହୋଇଗଲା । ଅଫିସରେ ଯେଉଁ କଇଦୀଟି କାମକରେ ଧାଇଁଯାଇ ଯୋଡ଼ାଏ କମ୍ବଳ ଆଣି ତା’ର ଆପାଦମସ୍ତକ ଘୋଡ଼ାଇ ଦେଲା । ଦେହରେ ହାତ ମାରି କହିଲା–ଇସ୍‌, ଦେହ ଏକବାରେ ପୋଡ଼ିଯାଉଛି, ସ୍ୟାର୍‍ ।

 

ହସ୍‍ପିଟାଲକୁ ନ ପଠାଇ ସେଲକୁ ପଠାଇବାକୁ ହେଲା । ଆସାମୀଟାକୁ ! ଡେପୁଟି-କମିଶନରଙ୍କ ହୁକୁମ । କୌଣସି ଅବସ୍ଥାରେ ହିଁ ଅନ୍ୟଥା ହୋଇ ନ ପାରେ ।

 

ବହୁତ କାମ ପଡ଼ି ରହିଥିଲା, ଘରକୁ ଫେରିବାକୁ ଟିକିଏ ରାତି ହୋଇଗଲା । ଓଭରକୋଟ ଖୋଲିବାକୁ ଯାଉଛି । କେଟା ଆସି କହିଲା, ବାହାରଘରେ ଜଣେ ବାବୁ ଆସି ବସି ରହିଛନ୍ତି । ମନଟା ପ୍ରସନ୍ନ ହେଲା ନାହିଁ । ଏହି ଭୟଙ୍କର ଶୀତରେ କୌଣସି ପ୍ରକାରେ ଦକ୍ଷିଣ ହସ୍ତର କାମଟା ସାରିଦେଇ ଡବଲ ରେଜେଇ ଓ ଭୁଟିଆ କମ୍ବଳଆଡ଼କୁ ଦେହ ମନ ଉନ୍ମୁଖ ହୋଇ ରହିଥିବାରୁ ଅତିଥିଙ୍କର ଆଗମନ ଉତ୍ପୀଡ଼ନ ବୋଲି ମନେହେଲା ।

 

ବାହାର ଘରେ ପଶିଲାକ୍ଷଣି ଗୋଟାଏ ଲୁଗାପଟାର ବାଣ୍ତୁଲି କୌଣସି ପ୍ରକାରେ ଉଠି ଠିଆ ହୋଇ ପୁଣି ସାଙ୍ଗେ ସାଙ୍ଗେ ବସି ପଡ଼ିଲା । ମୁହଁରୁ ଯେତିକି ଦେଖାଗଲା ତହିଁରେ ତା’ର ଜାତି, ଦେଶ ବା ଧର୍ମ୍ମ ସମ୍ୱନ୍ଧରେ କିଛି ଧାରଣା କରି ହେଲା ନାହିଁ । ବୟସ ଛବିଶ କି ଛପନ, ଜାଣି ହେଲା ନାହିଁ ।

 

ବଙ୍ଗଳା ଭାଷାରେ କହିଲେ, ଏକବାରେ ଜମି ଯାଇଛି ସାର୍‌ । ବୋଧହୁଏ ଫ୍ରିଜିଂ ପୟେଣ୍ଟ ପାରି ହୋଇ ଯାଇଛି । ଟିକିଏ ଚା’ ଖୁଆଇପାରିବେ ?

 

କେଟାକୁ ଚା’ପାଇଁ ହୁକୁମ ଦେଇ ସପ୍ରଶ୍ନ ଦୃଷ୍ଟିରେ ଅନାଇଲି । ଆଗନ୍ତୁକ କହିଲେ, କେଉଁ ଉଦ୍ଦେଶ୍ୟ ନେଇ ଆସିଛି, ଜାଣିବାକୁ ଚାହାଁନ୍ତି ତ ? ତାହା ଗୋଟାଏ ଦୁଃସାହସିକ ଅଭିଯାନ । ଜଣା ପଡ଼ିଗଲେ ଚାକିରି ନେଇ ବି ଟଣା ଟଣି ପଡ଼ିଯିବ । ତଥାପି ଆସିବାକୁ ହେଲା । ଗୃହିଣୀ ଏକବାରେ ମାନିଲେ ନାହିଁ । ଯାଉ ସେ କଥା । ଧନରାଜ କିପରି ଅଛି, କହନ୍ତୁ ତ ?

 

–କିଏ ଧନରାଜ ?

 

–ଧନରାଜ ତା’ ମାଠ୍‌ । ସିଂଟମ ଟି ଇଷ୍ଟେଟରୁ ଯାହାଙ୍କୁ ପାଗଳ ବୋଲି ଚଲାନ୍‌ ଦେଇଛନ୍ତି । ଆପଣ ତାକୁ ଏପର୍ଯ୍ୟନ୍ତ ଦେଖି ନାହାନ୍ତି ପରା ?

 

–ଆପଣଙ୍କର ପରିଚୟ ଜାଣିପାରେ କି ?

 

–ଏଇ ଦେଖନ୍ତୁ ! ଅସଲ କଥାଟାଇ କୁହା ହୋଇ ନାହିଁ । ଠିକ୍‍ ଧରିଛନ୍ତି । ଖଚରଟା ମାଗିବା ଆଗରୁ ଆଗେ ଜଣାଇବା ଦରକାର ମୁଁ ଲୋକଟା କିଏ । ପୋଲିସ୍‌ର ସି.ଆଇ.ଡ଼ି ମଧ୍ୟ ତ ହୋଇପାରେ । ପ୍ରକୃତରେ ମୁଁ କିନ୍ତୁ ପୋଲିସ୍‌ ନୁହେଁ; ଡାକ୍ତର । ସେହି ଚା’ ବଗିଚାରେଇ ଚାକରି କରୁଛି ଆଜକୁ ବାଇଶ ବର୍ଷ ସାତ ମାସ ହେଲା । ମୋର ନାମ ନିବାରଣ ମଜୁମଦାର । ବିଶ୍ୱାସ ନ ହୁଏ, ଏଇ ନିଅନ୍ତୁ–କହି ତାଙ୍କର ପାହାଡ଼ ଭଳି ବସ୍ତ୍ର-ସ୍ତୂପ ଭିତରେ କୌଣସି ଗୋଟାଏ ଅଜ୍ଞାତ ସ୍ଥାନରୁ ଛାତି ପରୀକ୍ଷାର ଯନ୍ତ୍ରଟି ବାହାର କରି ବେକରେ ଝୁଲାଇ ଦେଲେ । ଅତି ବିରଳ ହେଲେ ମଧ୍ୟ ସଂସାରରେ ଏପରି ଗୁଡ଼ିଏ ଲୋକ ଆଖିରେ ପଡ଼ନ୍ତି, ସ୍ୱଳ୍ପ-ପରିଚୟ କିମ୍ବା ଅପରିଚୟ ଯେଉଁମାନଙ୍କର ଆନ୍ତରିକତାର ପଥରୋଧ କରେ ନାହିଁ । ଏହି ଡାକ୍ତର ବାବୁଟି ଯେ ସେହି ଶ୍ରେଣୀର ତାହା ସହଜରେ ଜଣାଗଲା । ଗାମ୍ଭୀର୍ଯ୍ୟର ମୁଖାପିନ୍ଧି କହିଲି, ସାମାନ୍ୟ ଗୋଟାଏ ରବରର ନଳ ଦେଖାଇ କାମ ହାସଲ କରିବେ, ମତେ ସେପରି ବୋକା ଠଉରାଇବେ ନାହିଁ । ଜାଣନ୍ତି ତ ଆମେ ଜେଲର ଲୋକ ।

 

ଭଦ୍ରଲୋକ ହୋ ହୋ କରି ହସି ଉଠିଲେ । ଜାଣେ ନାହିଁ କ’ଣ ! ଜାଣେ ବୋଲି ତ ଏବେ ରାତିରେ ଚଢ଼ଉ ହୋଇଛି । କିଛି ଖବର ନ ଦେଇ କ’ଣ ଜେଲ୍‍ର ସୀମା ଭିତରେ ଗୋଡ଼ ଦେଇଛି ଭାବୁଛନ୍ତି ? ଆୁ କିଛି ନ ଥାଉ, ପ୍ରାଣର ଭୟ ତ ଅଛି ।

 

ହଠାତ୍‌ ସ୍ୱର ନୁଆଁଇ ଟିକିଏ ପାଖକୁ ଘୁଞ୍ଚିଆସି କହିଲେ, ତା’ପର ଖବର କ’ଣ କହିଲ, ଭାଇ ? ଅଛି ନା ଖତମ ହୋଇ ଯାଇଛି ?

 

କହିଲି–ଯାହା ଦେଖିଲି, ଆଜି ନହେଲେ ବି କାଲିଆଡ଼କୁ ହୋଇଯିବ ବୋଧହୁଏ ।

 

ଡାକ୍ତର ଚୁପ୍‍ ମାରିଗଲେ । ତାଙ୍କର ମର୍କଟ-ଟୋପି ଓ ଭାଲୁ-ଗଳାବଦ୍ଧ ଉହାଡ଼ରୁ ମୁହଁର ଚେହେରାଟା ଆଖିରେ ପଡ଼ିଲାନାହିଁ, କିନ୍ତୁ ଗୋଟିଏ ଗଭୀର ନିଃଶ୍ୱାସର ଶବ୍ଦ ପାଇଲି । କେଟା ଚା’ ଦେଇ ଯାଇଥିଲା । କପ୍‌ଟା ଟାଣିନେଇ ସେଥିରେ ମନଦେଲେ । ଅନେକ ସମୟ ନିଃଶବ୍ଦରେ କଟିଗଲା । ହଠାତ୍‌ ତାଙ୍କର ସ୍ୱର ଶୁଣି ଚମକି ଉଠିଲି ଇଏ ଯେପରି ଆଉ କେହି । ଯେପରି ବହୁଦୂରର ଗୋଟିଏ ଦୁର୍ନିରିକ୍ଷ ବସ୍ତୁ ଆଡ଼କୁ ଚାହିଁ ଧୀରେ ଧୀରେ କହିଲେ, ଏହିପରି ଆଉ ଗୋଟିଏ ଦିନର କଥା ମନରେ ପଡ଼ି ଯାଉଛି । ଧନରାଜ ସେତେବେଳେ ସର୍ଦ୍ଦାର ହୋଇନାହିଁ । ସାମାନ୍ୟ କୁଲି । ଏହି ନର୍ଟନ ସାହେବ ଥିଲା ସାନ ମେନେଜର । ମଉଳିଆ ଯୁବକ । ଭଲ ବେହେଲା ବଜାଇ ପାରୁଥିଲା । ଗୋଟାଏ ବେଶ୍‍ ବଡ଼ ପିୟାନୋ ଥିଲା ତା’ର ଡ୍ରଇଂ ରୁମରେ–ପଶିଲା ବେଳକୁ ଡାହାଣ ହାତି । ତା’ର ବଙ୍ଗଳାରେ ସବୁବେଳେ ସାହେବମେମ୍‌ଙ୍କ ଭିଡ଼ ଲାଗି ରହିଥାଏ ଗୀତ ଗାଣ ଉପଲକ୍ଷରେ । ସେଦିନ ଟିକିଏ ବଡ଼ ରକମର ଆୟୋଜନ ଥିଲା । ପାଖଆଖ ବଗିଚାର ସାହେବ-ମେମ୍‌ ତ ଥିଲେ, ତାଙ୍କଛଡ଼ା ଦାର୍ଜିଲିଂରୁ ଆସିଥିଲେ ଡେପୁଟି–କମିଶନାର ଓ ପୋଲିସ୍‌ ସାହେବ । ପାନ ଭୋଜନର ବିରାଟ ବ୍ୟବସ୍ଥା । ଗୋଟି କେତେ ବଛା ବଛା ପାହାଡ଼ୀ ଝିଅ ବି ଥିଲେ ସାହେବ ଲୋକଙ୍କ ସ୍ଫୁର୍ତ୍ତିପାଇଁ । ନରକ ଗୁଲଜାର । ଏପରି ସମୟରେ ଦେଖାଗଲା–ସର୍ବନାଶ ! ମଦ ସରି ଯାଇଛି । ବିଶ୍ୱାସୀ, ପରିଶ୍ରମୀ ଏବଂ ଖୁବ୍‌ ତତ୍ପର ବୋଲି ଧନରାଜର ସୁନାମ ଥିଲା । ବିଚରା ଶୋଇ ପଡ଼ିଥିଲା, ଜଣେ ଖାନସାମା ତାକୁ ଟଣା ଟଣି କରି ଉଠାଇ ଆଣିଲା । ରାତି ସେତେବେଳେ ଦଶଟା-। ଯିବାକୁ ପନ୍ଦର ଓ ଆସିବାକୁ ପନ୍ଦର–ତିରିଶ ମାଇଲ ଘୋଡ଼ା ଦଉଡ଼ାଇ ସଦରରୁ ମଦ ଆଣିବାକୁ ହେବ । ସମୟ ଦିଆଗଲା ଦଇଘଣ୍ଟା । ଧନରାଜ ଧାଇଁଲା, ଅନ୍ଧାର ରାତି, ପଥ ଜଙ୍ଗଲରେ ବେଷ୍ଠିତ, କ୍ରମାଗତ ଉଠାଣି ଓ ଗଡ଼ାଣିଆ । ଫେରିଆସିଲା ପ୍ରାୟ ଗୋଟାଏ ବାଜି ପଇଁତ୍ରିଶ ମିନଟରେ-। ସାରା ଦେହରୁ ଝାଳ ବହି ଯାଉଛି । ଘୋଡା ମୁହଁରୁ ଫେଣ ଗଡ଼ି ପଡ଼ୁଛି । ମେନେଜର ଟଳମଳ ହୋଇ ବାହାରି ଆସିଲା । ଲାଲ ପାଣିର ରଙ୍ଗ ଆଖିରେ । ଜଡ଼ିତକଣ୍ଠରେ ଗର୍ଜି ଉଠିଲା, ଡେରି କାହେ ହୁଆ ଭଲ୍ଲୁକ ?

 

ଧନରାଜର କଥା କହିବା ଭଳି ଶକ୍ତି ନ ଥିଲା । ତଥାପି ଅତି କଷ୍ଟରେ ଜଣାଇଲା । ବାଟରେ ବାଘ ବାହାରିଥିଲା । କିଛିବାଟ ବୁଲି ଆସିବାକୁ ହୋଇଅଛି ।

 

ସାହେବ ହୁଙ୍କାର ଛାଡ଼ିଲେ, ଚପରାସି ।

 

ଚପରାସି ଧାଇଁ ଆସିଲା–ହଜୁର !

 

–ମେରା ଚାବୁକ୍‌ ।

 

ଚାବୁକ୍‍ ଆସିଲା ଏବଂ ଧନରାଜର ପିଠିରେ ଖଣ୍ତ ଖଣ୍ତ ହୋଇଗଲା । କେଇଜଣ କୁଲି ଧରାଧରି କରି ତା’ର ଅଜ୍ଞାନ ଦେହଟାକୁ ଯେତେବେଳେ ମୋର ହସ୍‍ପିଟାଲକୁ ନେଇ ଆସିଲେ ସେତେବେଳେ ସୁଦ୍ଧା ତା’ ମୁହଁରୁ ରକ୍ତ ପଡ଼ୁଥିଲା ।

 

ଡାକ୍ତର ଟିକିଏ ରହିଲେ । ବୋଧହୁଏ ଦୃଶ୍ୟଟା ତାଙ୍କ ଆଖି ଆଗରେ ଭାସି ଯାଉଥିଲା । ଟିକିଏ ପରେ ପୁଣି ଆରମ୍ଭ କଲେ–ଭାବିଥିଲି ମରିଯିବ । ମରିବା ହିଁ ବୋଧହୁଏ ଉଚିତ ଥିଲା । କିନ୍ତୁ କୁଲିମୂଲିଆଙ୍କର ଜୀବନ କ’ଣ ସେତେ ସହଜରେ ଯାଏ ? କେଇଦିନ ପରେ ବେଶ୍‌ ଭଲ ହୋଇଗଲା ।

 

ମୁଁ କହିଲି, ବଞ୍ଚି ନ ଗଲେ ପୁଣି ସାହେବଙ୍କ ଗୋଇଠା ଓ ଚାବୁକ୍‍ କାହା ପିଠିରେ ପଡ଼ିବ-?

 

ଡାକ୍ତର କହିଲେ, ସତ କହିଅଛ । ତାହାଛଡ଼ା ବଞ୍ଚିଯିବାର ଅନ୍ୟ ପ୍ରୟୋଜନ ମଧ୍ୟ ଥିଲା-। ତାହାଇ କହୁଛି । ମାସେଖଣ୍ତେ ପରେ ହଠାତ୍‌ ଦିନେ ସାହେବଙ୍କ ବଙ୍ଗଳାରୁ ଖବର ଆସିଲା, ସାହେବ ଅସୁସ୍ଥ । ଯାଇ ଦେଖିଲି, ଅବସ୍ଥା ଜଟିଳ । ଦୁଇଟା ଝାଡ଼ା ପରେ ପାଲସ ନାହିଁ, ଆଖି ବସି ଯାଇଛି ଦେଢ଼ଇଞ୍ଚ; ସ୍ୱର ଫିଟୁ ନାହିଁ । ବେଡ଼୍‍ ପ୍ୟାନଟା ଘୁଞ୍ଚାଇ ନେବାପାଇଁ ମେହେନ୍ତରକୁ ଡାକିଲି । ଉତ୍ତର ନାହିଁ । ତା’ପର ଗୋଟି ଗୋଟି କରି ବୟ, ବେହେରା, ଚପରାସି, ଖାନସାମା ବାବୁର୍ଚ୍ଚି–ସବୁଗୁଡ଼ାଙ୍କର ନାଁ ଧରି ଡକାଡକି କଲି । କାହାରି ପତ୍ତା ନାହିଁ । ଦେଖିଲି ବଙ୍ଗଳା ଏକବାରେ ଜନଶୂନ୍ୟ । କେବଳ ଗୋଟିଏ ଲୋକ ଛିଡ଼ା ହୋଇଅଛି–ଧନରାଜ ତା’ ମାଠ ।

 

–କିରେ ? ତୁ ଏଠି କ’ଣ କରୁଛୁ ?

 

ଧନରାଜର ମୁହଁ ଶୁଖି ଯାଇଛି–ସାହେବଙ୍କର ପରା ଭାରି ବେମାରି, ଡାକ୍ତରବାବୁ ।

 

–ହଁ, ଭାରି ଖରାପ ବେମାର–କଲେରା । ତୁ ଚାଲିଯା ।

 

–ସେ ଚାଲିଗଲା । କିନ୍ତୁ ନିଜ ଘରକୁ ନୁହେଁ, ସାହେବର ଶୋଇବା ଘରକୁ । କଲେରାର ମଇଳା ନିଜ ହାତରେ ସଫାକଲା । ଆଉ ସେବା ଯାହା କଲା, ସାହେବର ବିବି କିମ୍ବା ମା ଥିଲେ ବି ତା’ର ପାଏଭାଗ କରିପାରି ନ ଥାନ୍ତେ । ନର୍ଟନ ବଞ୍ଚିଗଲା । ଧନରାଜ ଦୁଇଖଣ୍ତ ଦଶଟଙ୍କାର ନୋଟ୍‌ ବକସିସ୍‌ ପାଇଲା । ସାହେବ ଅତ୍ୟାଚାରୀ ହୋଇପାରେ, ଅକୃତଜ୍ଞ ନୁହେଁ । ବର୍ଷକ ମଧ୍ୟରେ ତା’ର ପ୍ରମୋସନ୍‍ ମଧ୍ୟ ହୋଇଗଲା–କୁଲିରୁ କୁଲି ସର୍ଦ୍ଦାର । ସେହିଦିନ ମୋତେ ଦେଖା କରିବାକୁ ଆସିଲା-। ହାତରେ ଗୋଟିଏ ସାନ ମେଣ୍ଢାଛୁଆ ।

 

–ସେଟା କ’ଣରେ ?

 

ଧନରାଜ ହସିକରି କହିଲା–ଖୁକୁ ଦିଦି ଖେଳିବ ।

 

–ଆଚ୍ଛା ଅଡ଼ୁଆ କଥା, ତାକୁ ପୋଷିବ କିଏ ?

 

ଧନରାଜ ଶୁଣିଲା ନାହିଁ । ‘‘ଖୁକୁ ଦିଦି ବି’’ ଦେଖିଲି ସେହି ଲୋଭନୀୟ ଖେଳନାଟିକୁ ଛାଡ଼ିବାକୁ ରାଜି ନୁହେଁ । ଝିଅଟାକୁ କାଖରେ କୋଳରେ ସେହି ଏକରକମ ମଣିଷ କରିଥିଲା । କହିଲି, ସର୍ଦ୍ଦାର ହେଲୁ । ଏଥର ଗୋଟିଏ ବାହାସାହା ହ ।

 

ଧନରାଜ ସଲଜ୍ଜ ହସ ହସି କହିଲା, ଝିଅ କାହିଁ ?

 

–କାହିଁକି ? ଏତେ ଝିଅ ରହିଛନ୍ତି ବସ୍ତିରେ–କହି ଦୁଇ ଚାରୋଟି ସୁଶ୍ରୀ ଝିଅଙ୍କ କଥା କହିଲି । ଆଖି ତା’ର ଘୃଣାରେ କୁଞ୍ଚିତ ହୋଇଗଲା । କହିଲି, ତାଙ୍କ ନାଁ ମୁହଁରେ ଧରିବେ ନାହିଁ, ବାବୁ ! ତାଙ୍କୁ ଛୁଇଁଲେ ଗାଧୋଇବାକୁ ହୁଏ । ସେମାନେ କେଉଁଠି ରାତି କଟାନ୍ତି ମୁଁ ତ ନିଜ ଆଖିରେ ଦେଖିଛି–କହି ମେନେଜରର ବଙ୍ଗଳା ଆଡ଼କୁ ଇଙ୍ଗିତ କଲା । କଥାଟା ଯେ ସତ, ତାହା ମୁଁ ଜାଣେ । ଅନ୍ୟ ସମସ୍ତେ ମଧ୍ୟ ଜାଣନ୍ତି ।

 

କିନ୍ତୁ ବସ୍ତି-ଜୀବନର ଅନ୍ୟାନ୍ୟ ଉପସର୍ଗ ପରି ଏହାକୁ ମଧ୍ୟ ସମସ୍ତେ ମାନି ନେଇଛନ୍ତି । ଏହି ତୁଚ୍ଛ କାରଣପାଇଁ ବସ୍ତିର କୌଣସି ଝିଅର ବିଭାଘର ଅଟକି ରହେ ନାହିଁ । କୌଣସି କୁଲିଯୁବକର ଆଖି ମୁହଁରେ ଏପରି ଘୃଣାର ଚିହ୍ନ ମଧ୍ୟ ଦେଖାଯାଏ ନାହିଁ ।

 

ଡାକ୍ତରବାବୁଙ୍କର ସିଗାରେଟ ସରିଯାଇଥିଲା । କେଟାକୁ ଡାକି କେସ୍‌ଟା ଆଣିବାକୁ କହିଲି । କେଟା ଆସିଲାରୁ ସେ ତାଙ୍କର ସ୍ୱଦେଶୀ ଭାଷାରେ କହିଲେ, ଏଇ ଟୋକା, କି ଚାହା କରିଛୁ ? ସେପରି ଦୁଧର ସରବତ ତୋ ବାବୁଙ୍କୁ ଦେବୁ । ମୁଁ ହେଲି ତମ ଦେଶର ଲୋକ । ମୋ’ପାଇଁ ବେଶ୍‍ ଭଲକରି ଗୋଟାଏ କପ୍‌–ବୁଝିଲୁ ତ ?

 

କେଟା ମୁରକିହସି ମୁଣ୍ତ ହଲାଇ ଜଣାଇଲା, ସେ ବୁଝିଛି ।

 

ମୁଁ ଗମ୍ଭୀର ଭାବରେ କହଲି, ଆପଣଙ୍କ ପାଖରେ ମୁଣ୍ତବିନ୍ଧାର ଔଷଧ ଅଛି ତ ?

 

ଡାକ୍ତର ଟିକିଏ ବ୍ୟସ୍ତହୋଇ କହିଲେ, କାହିଁକି ? ମୁଣ୍ତ ବିନ୍ଧୁଛି କି ତମର ?

 

ଗମ୍ଭୀର ଭାବରେ କହିଲି, ନା, ବର୍ତ୍ତମାନ ବିନ୍ଧୁନାହିଁ । ତେବେ ଆପଣଙ୍କର ଚା’ର ରୂପ ଦେଖିଲେ ବୋଧହୁଏ ବିନ୍ଧିବ । ତେଣୁ ପୂର୍ବରୁ ବ୍ୟବସ୍ଥା କରି ରଖୁଛି ।

 

ସେ ହସି ଉଠିଲେ–ଆଗେ ରୁହନା, ଭାଇ, ବର୍ଷେଖଣ୍ତେ ଏହି ଅପୂର୍ବ ଶୀତ ଦେଶରେ ! ତା’ପର ଦେଖିବି, କାହା ଚା’ ଦେଖି କାହାର ମୁଣ୍ତ ବିନ୍ଧେ ।

 

ମୁଁ ସିଗାରେଟ ବଢ଼ାଇଦେଇ କହିଲି, ଥାଉ, ସେ ପଛକଥା ପଛକୁ । ଆପଣ ଆରମ୍ଭ କରନ୍ତୁ । ଡାକ୍ତରବାବୁ ଆରମ୍ଭ କଲେ–ଝିଅର ବିଭାଘର ସ୍ଥିର ହୋଇଗଲା । ସପରିବାରରେ ଗାଁକୁ ଯିବାପାଇଁ ଆୟୋଜନ କରୁଛି । ଧନରାଜ ଧରି ବସିଲା ସେ ବି ଯିବ । ଗୃହିଣୀ ତ କୃତାର୍ଥ ହୋଇଗଲେ । ଜାଣ ତ, ଆମଭଳି ଚାକିରିଆଙ୍କ ଦେଶ ହେଉଛି ବିଦେଶ । ଆତ୍ମୀୟ-ସ୍ୱଜନ, ଜ୍ଞାତି-କୁଟୁମ୍ବ ଯେଉଁମାନେ ଅଛନ୍ତି, ତାଙ୍କର ସସ୍ନେହ ମୂର୍ତ୍ତି ସ୍ମରଣ କଲେ ପିଣ୍ତରେ ପ୍ରାଣ ରହେନାହିଁ । ଧନରାଜ ଭଳି କାମିକା ଲୋକ ଏବଂ ପ୍ରକୃତରେ ଆପଣାର ଲୋକ ପାଇ ମୋ ଦେହରେ ମଧ୍ୟ ବଳ ଆସିଗଲା । ସାହେବଙ୍କୁ କହି ତା’ର ଛୁଟି ମଞ୍ଜୁର କରାଇ ନେଲି ।

 

ବିଭାଘର କାମଦାମ ଛିଡ଼ିଗଲା ପରେ ମଧ୍ୟ ମୋତେ ଦି’ଦିନ ଅଟକି ରହିବାକୁ ହେଲା । ମା ତାକୁ ଛାଡ଼ିବାକୁ ଚାହାଁନ୍ତି ନାହିଁ । ଆସିବାବେଳେ, ଯେତେବେଳେ ପ୍ରଣାମ କଲା, ମା ତା’ର ମୁଣ୍ତରେ ହାତଦେଇ କହିଲେ, ‘ତୋର ମାକୁ ମୋର ହିଂସା ହଉଛି ଧନରାଜ । ତୋପରି ପୁଅ ଯେ ପେଟରେ ଧରିଥିଲା, ସେଇ ମାଇକିନାର ତପସ୍ୟାର ବଳ ଅଛି । ମୁଁ ଖାଲି ଚାହିଁ ରହିଲି । ମୋର ମା–ମାନେ ଅତ୍ୟନ୍ତ ପୁରୁଣାକାଳିଆ ରକ୍ଷଣଶୀଳ ପରିବାରର ବ୍ରାହ୍ମଣ ବିଧବା, ଆଉ ଧନରାଜ ତା’ ମାଠ ଗୋଟିଏ ଅସ୍ପୃଶ୍ୟ ଅନାଚାରୀ ପାହାଡ଼ୀ କୁଲି ।

 

ସପରିବାରରେ ଫେରୁଥାଏଁ । ପୋଡ଼ାଦ ଷ୍ଟେସନରେ ଗାଡ଼ି ବଦଳକରି ଦାର୍ଜିଲିଂ ମେଲ ଧରିବା ପାଇଁ ଅପେକ୍ଷା କରୁଅଛି । ଭାରି ବିରକ୍ତ ଲାଗୁଥାଏ । ପ୍ଲାଟଫର୍ମରେ ବୁଲି ବୁଲି ସମୟ ଆଉ କଟୁ ନଥାଏ । ସେ ପାଖରେ ଦୋକାନଗୁଡ଼ାକ ସାମନାରେ ଗୁଡ଼ାଏ ଲୋକ ରୁଣ୍ତ ହୋଇଥାନ୍ତି । ନିହାତି କିଛି କାମ ନଥିବାରୁ ଦେଖିବାକୁ ଗଲି । ଟିକିଏ ଭିତରଆଡ଼କୁ ଗଲାରୁ ଦେଖିଲି, ଗୋଟିଏ ଝିଅ ଗୋଟାଏ ନେପାଳୀର ଗୋଡ଼ କୁଣ୍ଢାଇ ଧରି କାନ୍ଦୁଛି ଏବଂ ଲୋକଟା ଅକଥ୍ୟ ଭାଷାରେ ତାକୁ ଗାଳି ଦେଉଛି ।

 

ତାର ତର୍ଜନ କାନରେ ପଡ଼ିଲା–ଗୋଡ଼ ଛାଡ଼ିଦେ କହୁଛି ! ହାରାମଜାଦୀ, ମୁଁ ତୋତେ କେଭେ ଘରକୁ ନେଇପାରିବି ନାହିଁ ।

 

ଝିଅଟି କାତର ଭାବରେ କହିଲା, ମୁଁ ତା’ହେଲେ କେଉଁଠାକୁ ଯିବି ? ନେପାଳୀଟା ମୁହଁ ଖତାଇ ତା’ର କହିବାର ଭଙ୍ଗି ନକଲ କରି କହିଲା ‘‘କେଉଁଠାକୁ ଯିବି ! ଯେଉଁମାନଙ୍କ ଘରେ ଗୋଟାଏ ରାତି, ଗୋଟାଏ ଦିନ କଟାଇ ଆସିଲୁ, ତୋର ସେହି’’....କହି ଗୋଟାଏ ଅଶ୍ଳିଳ ଇଙ୍ଗିତ କଲା । ଭିଡ଼ ମଧ୍ୟରେ ଆଉ ଗୋଟାଏ ହସର ଢେଉ ଖେଳିଗଲା ।

 

ବିଷୟଟା ମୋଟରେ ଧାରଣା କରିବାକୁ ଅସୁବିଧା ହୋଇ ନ ଥିଲା । ଜଣେ ଭଦ୍ର ଧରଣର ଲୋକକୁ ପଚାରିବାରେ ସବୁ କଥା ଜଣାଗଲା ।

 

ସେହି ନେପାଳୀ ପୋଡ଼ାଦ ଷ୍ଟେସନର ଗୋଟିଏ ଟି-ଷ୍ଟଲର ମାଲିକ ଆଉ ଝିଅଟି ତା’ର ସ୍ତ୍ରୀ । ଝିଅଟିର ବୟସ କମ୍‍ ଓ ଦେଖିବାକୁ ସୁଶ୍ରୀ । ଏପରି ଅବସ୍ଥାରେ ସେହି ଅଞ୍ଚଳରେ ଯାହା ସାଧାରଣ ଘଟିଥାଏ, ତାହାର ହୋଇଥିଲା । ଅର୍ଥାତ୍‍ ପାଖ କେଉଁ ଗାଁରୁ ମୁସଲମାନ୍‌ ଗୁଣ୍ତାଙ୍କ ଦଳ ରାତିରେ ତା’ର ଦୋକାନରେ ଚଢ଼ଉ କଲେ । ମାଲିକ ପୁରୁଷ ଲୋକ । କୌଣସି ପ୍ରକାରେ ପ୍ରାଣନେଇ ପଳାଇ ଗଲା । ଝିଅଟିର ମୁହଁ ବାନ୍ଧି ନେଇଗଲେ । ତା’ପରେ ଗୋଟିଏ ରାତି ଓ ଗୋଟାଏ ଦିନ କିପରି କେଉଁଠାରେ ଯେ କଟିଲା ସେହି ବିଭତ୍ସ ଇତିହାସ କହିବାର ପ୍ରୟୋଜନ ନାହିଁ । ଅନ୍ଧାର ରାତିରେ ସେ କିପରି ଛାଡ଼ ପାଇଲା, କେହି ଜାଣନ୍ତି ନାହିଁ । ବୋଧହୁଏ ନିହାତି ଦୈହିକ କାରଣରୁ ଅନ୍ୟ ପକ୍ଷର କଡ଼ା ପହରା ଟିକିଏ ଶିଥିଳ ହୋଇଥିବ । ସେହି ସୁଯୋଗରେ ସେ ଦେହଟାକୁ ନେଇ ଧାଇଁ ଆସିଛି ନିଜ ଘରକୁ । ଜାଣେନାହିଁ, ସେହି ଘର ତା’ର ଚିରଦିନପାଇଁ ଭାଙ୍ଗି ଯାଇଛି ।

 

ଡାକ୍ତରବାବୁଙ୍କର ମୃଦୁକଣ୍ଠ ଧୀରେ ଧୀରେ ମିଳାଇ ଗଲା । ତାଙ୍କର କାହାଣୀର ଦୁଇମିନିଟ ବିରତି ହେଲା ! ତା’ପରେ ଆରମ୍ଭ କଲେ–

 

ଆମ ଦେଶରେ ବଡ଼ ବଡ଼ଲୋକମାନେ ଝିଅମାନଙ୍କ ନାମ ଦେଇଛନ୍ତି–ଗୃହିଣୀ । ଯେଉଁମାନେ ଟିକିଏ କବି ଧରଣର, ସେମାନେ ପୁଣି ଆଉ ଦୁଇ ଡିଗ୍ରୀ ଆଗେଇ ଯାଇଛନ୍ତି । କହନ୍ତି ଗୃହଲକ୍ଷ୍ମୀ–ଗୃହର ଅଧିଷ୍ଠାତ୍ରୀ ଦେବୀ...ଏହିପରି କେତେ କ’ଣ । ଏହା ଖାଲି ମନ ଭୁଲାଇବା ପାଇଁ-। ଗୃହ ସେହି ଗଢ଼େ, ପ୍ରାଣ ଦେଇ ବୁକୁର ରକ୍ତ ଦେଇ; କିନ୍ତୁ ଗୃହ ତା’ର ନୁହେଁ, ଗୃହର ଦେବତା ପୁରୁଷ । ତେଣୁ ସେ ତା’ର ପ୍ରିୟତମା ଗୃହଲକ୍ଷ୍ମୀକୁ କାଲି ଗୁଣ୍ତାଙ୍କ ହାତରେ ଛାଡ଼ିଦେଇ ପ୍ରାଣରକ୍ଷା କରିଥିଲା, ଆଜି ଭାଗ୍ୟ ହାତରେ ଫିଙ୍ଗିଦେଇ ଧର୍ମ୍ମରକ୍ଷା କଲା ।

 

ଭିଡ଼ ଭିତରୁ ନିଃଶବ୍ଦରେ ବାହାରି ଆସିଲି......

 

–କ୍ଷମା କରିବେ, ଡାକ୍ତରବାବୁ; ବାଧା ଦେଇ କହିଲି ମୁଁ । ମୁଁ ଆପଣଙ୍କର ସବୁକଥା ମାନି ନେଉଛି; ତଥାପି କହିବି, ମୁଁ ଆପଣଙ୍କ ପରି ନୀରବରେ ବାହାରି ଆସିପାରି ନ ଥାନ୍ତି ।

 

–କ’ଣ କରି ଥାଆନ୍ତେ ?

 

–ଗୋଡ଼ରୁ ଜୋତା କାଢ଼ି ସେହି ଜାନୁଆରଟାର ମୁହଁରେ ମାରିଥାନ୍ତି । ପାରେ ନପାରେ ଅନ୍ତତଃ ଚେଷ୍ଟା ଥରେ କରିଥାନ୍ତି ।

 

–କ’ଣ ଲାଭ ହୋଇଥାନ୍ତା ? ଜୋତାଟା ତମର ଜଖମ ହୋଇଥାନ୍ତା । ପଇସା ଖରଚକରି ଆଉ ଯୋଡ଼ାଏ ଜୋତା ପୁଣି କିଣିବାକୁ ହୋଇଥାନ୍ତା ।

 

ମୁଁ ଏ କଥାର ଉତ୍ତର ଖୋଜି ପାଇଲି ନାହିଁ । ସେ ଟିକିଏ ଅପେକ୍ଷା କରି କହିଲେ, ବହୁତ ଦିନ ତଳର କଥା । ସେତେବେଳେ ଏହି ବାଳଗୁଡ଼ାକ ବାରପଣ ପାଚିବାକୁ ବାକି ଥାଏ । କିନ୍ତୁ ଏକଥା ବୁଝିବାକୁ ବାକି ନ ଥିଲା ଯେ ସେହି ନେପାଳୀ ଟୋକାଠାରୁ ବି ବଡ଼ ବଡ଼ ଜାନୁଆର ତା’ର ସଭ୍ୟ-ସମାଜରେ ଅବାଧରେ ବିତରଣ କରୁଛନ୍ତି । ତାଙ୍କର ପିଠିକୁ ଆମର ଜୋତା ପହଞ୍ଚି ପାରିବ ନାହିଁ । ସେହି ଗୋଟାଏ ତୁଚ୍ଛ ଚା’-ବାଲାକୁ ମାରି କେତେ ବା କ୍ଷୋଭ ମେଣ୍ଟନ୍ତା । ସେଥିପାଇଁ ଚିନ୍ତା ନାହିଁ । ଯେଉଁ ଦୃଶ୍ୟକୁ ବର୍ତ୍ତମାନ ତୁମକୁ ନେଇ ଯାଉଛି ତାହା ଆହୁରି ବେଶୀ ଡ୍ରାମାଟିକ୍‌ ।

 

ଷ୍ଟେସନ-ମାଷ୍ଟରଙ୍କ ଅଫିସରୁ ଗୋଟାଏ ସୁସମ୍ବାଦ ମିଳିଲା ଯେ ଗାଡ଼ି ଦୁଇ ଘଣ୍ଟା ଲେଟ୍‌ ହେବ । ସ୍ତ୍ରୀଲୋକମାନଙ୍କ ଓ୍ୱେଟିଂ ରୁମରେ ଉଙ୍କିମାରି ଦେଖିଲି, ସୁକନ୍ୟା ଗୃହିଣୀ ନିଶ୍ଚିନ୍ତରେ ଶୋଇ ଅଛନ୍ତି । ସମୟ କଟାଇବାର ଏହି ସହଜ ଓ ସନାତନ ବାଟଟା ଖୋଲା ଥାଉଁ ଥାଉଁ ମୁଁ କାହିଁକି ଯେ ଏଣେତେଣେ ବୁଲି ବୁଲୁଛି ତା’ର କୌଣସି ସଙ୍ଗତ କାରଣ ପାଇଲି ନାହିଁ । କମ୍ବଳ କାଖରେ ଯାକି ଗୋଟାଏ ନିରୋଳା ଜାଗାର ସନ୍ଧାନ କରୁଛି, ଏତିକିବେଳେ ମୂର୍ତ୍ତିମାନ ବିଘ୍ନପରି ଧନରାଜ ହାଜର ।

 

–ଏତେବେଳ ଯାଏ କେଉଁଠି ଥିଲୁ ? –ପ୍ରଶ୍ନର ଉତ୍ତର ପାଇଲି ନାହିଁ । ସେ କିଛିକ୍ଷଣ ମୋ ମୁହଁକୁ ଚାହିଁରହି କହିଲା, ଯଦି ନ ରାଗିବ ତେବେ ଗୋଟାଏ କଥା କହିବି ।

 

–କ’ଣ କହିବୁ କହ ? ରାଗିବି କାହିଁକି ?

 

–ଘୁଷୁରିଟା ତ ପଳାଇଅଛି । ତା’ର ବାପର ଭାଗ୍ୟ ଯେ ମୁଁ ଟିକିଏ ପଛକୁ ପଡ଼ିଯାଇଥିଲି-। ନହେଲେ ତା’ର ପାଟିଏ ଦାନ୍ତ ଓପାଡ଼ି ନ ଆଣିଥାନ୍ତି ?

 

ଧନରାଜର ଆଖିଯୋଡ଼ାକ ଜଳିଉଠିଲା । ମୁଁ କହିଲି, ଥାଉ । ସେଇ ବାହାଦୁରିଟା ନ ଦେଖାଇ ଭଲ କରିଛୁ । ସେହି ଦାନ୍ତ ଆମର କିଛି କାମରେ ଆସି ନଥାନ୍ତା । ବର୍ତ୍ତମାନ କହିଲୁ କ’ଣ ମତଲବ ?

 

–ତମେ ତ ବୁଝି ପାରୁଥିବ ।

 

–କିଛି ଅନ୍ଦାଜ କରୁଛି । ତାକୁନେଇ ରଖିବୁ କେଉଁଠି ?

 

–ଘରେ ରଖିବି, କେଉଁଠି ଆଉ ରଖିବି ?

 

ମୁଁ କାବାହୋଇ ଅନାଇ ରହିଲି ତାକୁ । ସେ ଅଳ୍ପ ହସି କହିଲା ଘରର ବୋହୂକୁ ଲୋକେ ଆଉ କେଉଁଠି ରଖନ୍ତି ?

 

–ସବୁ ଘଟଣା ଶୁଣିଛୁ ।

 

–ଶୁଣିଛି ।

 

ଏହାପରେ ମୋ ମୁହଁରୁ ଆଉ କଥା ବାହାରିଲା ନାହିଁ । ଜାଣେ, ଅନ୍ୟର ପରିତ୍ୟକ୍ତା ସ୍ତ୍ରୀକୁ ବିଭା ହେବା ତାଙ୍କ ସମାଜରେ ଚଳେ । କିନ୍ତୁ ସେହି ଝିଅଟିକୁ ତା’ର ସବୁକଥା ଜାଣିଶୁଣି...ଭାବିଲି, ମୋର ବାଧାଦେବା ଉଚିତ । ଯେଉଁଠିପାରି ସେଇଠି ବାଟଘାଟରେ ଏପରି ଅବିମୃଶ୍ୟକାରିତା ପାଇଁ ବାଧାଦେବା ଉଚିତ । ଭାବିଲି ଗୋଟାଏ ଧମକ ଦେବି । କିନ୍ତୁ ସତ କହୁଛି ତମକୁ ଡେପୁଟି ବାବୁ, ତା’ର ଆଖିକୁ ଅନାଇ ମୋର ମନଟା ଆପେ ଆପେ ନରମ ହୋଇଗଲା । ନା, ହଠାତ୍‌ ଗୋଟାଏ ଝୁଙ୍କରେ ବାହାଦୁରି ନେବାର କିଛି ଲକ୍ଷଣ ତ ସେଠାରେ ନାହିଁ । ଇଏତ ପିଲାଖେଳ ନୁହେଁ !

 

ମୁଁ ଯାହା କେବେହେଲେ ପାରି ନଥାନ୍ତି, ମୋ କଥା ଛାଡ଼, ବହୁତ ଆଦର୍ଶବାଦୀ ମହାପ୍ରାଣ ଯୁବକ ଯେଉଁଥିରେ ପଛେଇଯିବେ, ଏହି ମୂର୍ଖ କୁଲିଟା ପକ୍ଷରେ ତାହା ଏତେ ସହଜ !

 

ଅନାବଶ୍ୟକ ଜାଣି ସୁଦ୍ଧା କହିଲି, ଭଲକରି ଭାବି ଦେଖିଛୁ ତ ?

 

–ଦେଖିଛି ।

 

–ସେ ରାଜିହେବ ?

 

–ତାହା ଜାଣେ ନାହିଁ । ପଚାରିଥିଲି, କିଛି କହିଲାନାହିଁ, ଖାଲି କାନ୍ଦିବାକୁ ଲାଗିଲା ।

 

–ଓଃ, ସେଥିପାଇଁ ପରା ମୋତେ ଡାକିବାକୁ ଆସିଛୁ ? କିନ୍ତୁ ମୋର ବକସିସ୍‌ ।

 

ଧନରାଜ ଖପ୍‌କିନା ମୋର ଗୋଡ଼ଧୂଳି ନେଇ ମୁଣ୍ତରେ ମାରି ମୁହଁ ତଳକୁ ପୋତି ଠିଆହୋଇ ରହିଲା । ମୁହଁରେ ତା’ର ସଲଜ୍ଜ ହସ ।

 

ଶୋଇବାର ଆଶା ଛାଡ଼ିଦେଇ ସେହି ହତଭାଗାର ସଙ୍ଗରେ ଗଲି । ଦୋକାନ ସାମନାରୁ ଉଠିଯାଇ ଗୋଟାଏ ଗଛମୂଳରେ ଝିଅଟା ବସିଥିଲା । ତାହା ପାଖକୁ ଯାଇ ଠିଆହେଲାରୁ ଧନରାଜ କହିଲା, ଡାକ୍ତରବାବୁ ଆସିଛନ୍ତି ।

 

ସେ ମୁହଁଟେକି ଥରେ ମୋ ଆଡ଼କୁ ଅନାଇଲା । ମୁହଁଟି ଭାରି ମଧୁର । ଆଖି ଯୋଡ଼ିକ ଏପରି ଅସହାୟ ଯେ ଥରେ ଦେଖି ତା’ ଉପରେ କିପରି ଗୋଟାଏ ମାୟା ବସିଗଲା । ତାଙ୍କର ପାହାଡ଼ୀ ଭାଷାରେ କହିଲି, ତମର ସବୁ କଥା ଶୁଣିଅଛି । ତମର ବାପା ଅଛନ୍ତି କି ନା ଜାଣେନାହିଁ । ମୋତେ ତମେ ବାପପରି ବିଶ୍ୱାସ କରିପାର । ଧନରାଜକୁ ଦେଖାଇ କହିଲି, ଏହାକୁ ମୁଁ ସାନଟିବେଳୁ ଜାଣେ, ପୁଅପରି ଦେଖେଁ । ସେ ତମକୁ ଯାହା କହିଛି ତାହା ତୁମେ ନିଜେ ଭାବିକରି ଦେଖ । ମୁଁ ବଳାଉ ନାହିଁ । କିନ୍ତୁ ଏତିକି ଜୋର୍‍କରି କହିପାରେଁ, ତାକୁ ବିଭାହୋଇ କୌଣସି ଝିଅ କେବେ ଦୁଃଖ ପାଇବ ନାହିଁ ।

 

ଝିଅଟି ଟିକିଏ କ’ଣ ଭାବିଲା । ତା’ପରେ ମୋ ଗୋଡ଼ତଳେ ପଡ଼ି କହିଲା, ତୁମେଇ ମୋର ବାପ, ବାବୁଜୀ । ଆଉ କିଛି କହିପାରିଲା ନାହିଁ । ଯାହା ବାକି ଥିଲା ଜଣାଇ ଦେଲା ତା’ର ଆଖିର ଲୁହ ।

 

ଗୋଟାଏ ସାନ ନାଟକ ସୃଷ୍ଟି କରି ପକାଇଲି, କ’ଣ କହୁଛ ? ଅବଶ୍ୟ ନାଟକର ଅସଲ ‘ହିରୋ’ ହେଉଛି ସେହି ଟୋକା ଧନରାଜ, ମୁଁ ମାତ୍ର ସାଇଡ ଆକ୍ଟର–କହି ଡାକ୍ତରବାବୁ ହୋ ହୋ କରି ହସି ଉଠିଲେ ।

 

ମୁଁ ଗାମ୍ଭୀର୍ଯ୍ୟର ସହିତ କହିଲି, ଆପଣଙ୍କର ‘ରୋଲ୍‍ଟା’ ଯେ କ’ଣ ନାଟକର ଶେଷଯାଏ ନଗଲେ ବୁଝିପାରୁ ନାହିଁ ଅତଏବ ନେକ୍ସଟ ସିନ, ପ୍ଲିଜ୍‍......

ଡାକ୍ତରବାବୁ ହସି ହସି କହିଲେ, ଆଚ୍ଛା, ତେବେ ଶୁଣ–

 

ବହୂଟାକୁ ସୁସ୍ଥ କରାଇବାକୁ ମାସେ ଖଣ୍ତେ ଲାଗିଗଲା । କହିବା ବାହୁଲ୍ୟ, ଏଇ ସମୟଟା ସେ ମୋ ଘରେ ରହିଲା । ମୁଁ ତାକୁ ହାସପିଟାଲକୁ ପଠାଇବାକୁ ଚାହିଁଥିଲି । ଗୃହିଣୀ ରାଜିହେଲେ ନାହିଁ । ତା’ର ସବୁ ଭାର ନିଜ ହାତକୁ ନେଲେ । ତଥାପି ପୁଣି ଥରେ ବୁଝାଇବାକୁ ଚେଷ୍ଟା କଲି । ହାସପିଟାଲରେ ତ ଭଲ ବନ୍ଦୋବସ୍ତ ଅଛି । ଏତେ ଅଡ଼ୁଆ କାହିଁକି ଘରେ ପୂରାଉଛ-?

 

ଗୃହିଣୀ ସଂକ୍ଷେପରେ କହିଲେ, ସେକଥା ତୁମେମାନେ ବୁଝିପାରିବ ନାହିଁ । ‘‘ତୁମେମାନେ’’–କଥାଟା ଉପରେ ବେଶ୍‍ ଟିକିଏ ଜୋରଦେଇ କହିଲେ । ଜାଣେନାହିଁ କ’ଣ ତାଙ୍କର ବକ୍ତବ୍ୟ । ମୋ’ଠାରେ ତାହା ଅବୋଧ୍ୟ ରହିଗଲା–ହୁଏତ–

 

ମୁଁ ବାଧାଦେଇ କହିଲି, ଏଥିରେ ଅବୋଧ୍ୟ କିଛି ନାହିଁ, ଡାକ୍ତରବାବୁ ! ନାରୀପକ୍ଷରେ ଏହାଯେ କେତେବଡ଼ ଲାଞ୍ଛନା, ତାହା କେବଳ ନାରୀ ହିଁ ବୁଝି ପାରିବ । ଆମେ ବୁଦ୍ଧିଦ୍ୱାରା ବୁଝୁଁ । କିନ୍ତୁ ସେମାନେ ବୁଝନ୍ତି ତାଙ୍କର ସମସ୍ତ ଅନ୍ତର ଦେଇ ।

 

–ତମକଥା ମୁଁ ମାନି ନିଅନ୍ତି ଭାଇ, କହିଲେ ଡାକ୍ତରବାବୁ, ଯଦି ଜାଣିଥାନ୍ତି ନାରୀଙ୍କର ଏହି ଚରମ ଲାଞ୍ଛନା କେବଳ ପୁରୁଷଙ୍କଠାରୁ ଆସେ । କିନ୍ତୁ ତାହା ତ ନୁହେଁ । ଏହା କ’ଣ ଶୁଣିନାହଁ–କେତେ ସ୍ତ୍ରୀଲୋକ ଏହି ନରକ ଦୃଶ୍ୟ କେବଳ ଯେ ପାଖରେ ଠିଆହୋଇ ଉପଭୋଗ କରନ୍ତି, ତାହା ନୁହେଁ । ନିଜର ସ୍ୱାମୀ କିମ୍ବା ତା’ର ସଙ୍ଗୀ କୌଣସି ଜନ୍ତୁକୁ, ଅନ୍ୟ ଗୋଟିଏ ସ୍ତ୍ରୀଲୋକର ସର୍ବନାଶ କରିବାରେ ସାହାଯ୍ୟ କରନ୍ତି ।

 

କହିଲି, ଶୁଣିଛି । ସବ୍ୟସାଚୀର କଥା ମନେ ପଡ଼ୁଛି । ଗୋରୁର ମାଂସ କଂସେଇ ଖାନାରୁ ଗୋଟାଇ ବୋହିଆଣେ । କିନ୍ତୁ ତଥାପି କହିବି ସେମାନେ ସମସ୍ତେ ସେପରି ନୁହନ୍ତି । ଯେଉଁ କଲ୍ୟାଣୀ ସେହି ଲାଞ୍ଛିତା ପାହାଡ଼ୀ ଝିଅଟାର ସେବାର ଭାର ନିଜ ହାତକୁ ନେଇ, ତା’ର ଦୁଃଖର ବୋଝ ଟିକିଏ ହାଲୁକା କରିବାକୁ ଚାହିଁଥିଲେ, ସେ ବି ତାଙ୍କରି ଜାତି । ଯାଉ ସେ କଥା, ତା’ପରେ କହନ୍ତୁ.....

 

ଡାକ୍ତରବାବୁ ଆରମ୍ଭକଲେ–ଧନରାଜ ତା’ର ବସ୍ତିର ବସା ଛାଡ଼ିଦେଇ ଚା’ବଗିଚାର ସୀମା ବାହାରେ ପାହାଡ଼ତଳର ଗାଁକୁ ବୋହୂକୁ ନେଇ ଉଠିଗଲା । ବର୍ଷେଖଣ୍ତେ ପରେ ସେମାନଙ୍କର ଝିଅଟିଏ ହେଲା । ଝିଅ ତ ନୁହେଁ, ଯେପରି ଆଞ୍ଜୁଳାଏ ଟଗର ଫୁଲ ।

 

ଧନରାଜ ତା’ର ନାଁ ରଖିଲା, ଲଖିଆ । ଗୋଟାଏ ରାତିର ପ୍ରଳୟ କାଣ୍ତ ପରେ ବୋହୂଟାର ଦେହ ଯେଉଁଭଳି ଭାଙ୍ଗି ଯାଇଥିଲା, ସାରା ଜୀବନରେ ତାହା ଆଉ ସୁଧାରିବାର କଥା ନୁହେଁ । ପ୍ରସବର ଧକା ସମ୍ଭାଳିବା ତାହା ପକ୍ଷରେ କଠିଣ ହେଲା ।

 

ଏହି ପ୍ରସଙ୍ଗରେ ଗୋଟିଏ କଥା ମୁଁ ତମକୁ ନ କହି ରହିପାରୁନାହିଁ ଡେପୁଟି ବାବୁ । ମୁଁ ଡାକ୍ତର, ବହୁତ ସୁଦକ୍ଷ ନର୍ସ ନିଜ ଆଖିରେ ଦେଖିଅଛି । ଆନ୍ତରିକ ସେବା ଯେ କିପରି, ତାହା ବି ଦେଖିବାର ସୁଯୋଗ ହୋଇଅଛି । କିନ୍ତୁ ପୁରୁଷ ମଣିଷ ଯେ ମା ପରି ନିଜର ସବୁ ସତ୍ତା ଭୁଲି ଯାଇ ଦିନ ପରେ ଦିନ ରାତି ପରେ ରାତି ସମାନ ଭାବରେ ରୋଗୀନେଇ ପଡ଼ି ରହିପାରେ, ସେହି ଧନରାଜଟାକୁ ନଦେଖିଲେ ବିଶ୍ୱାସ କରିପାରି ନଥାନ୍ତି । ବୋହୂଟା ଯେ ଆହୁରି ଦୁଇ ବର୍ଷ ବଞ୍ଚିଗଲା, କେବଳ ସେହି ସେବାଯୋଗୁ, ନିଜର ଜୀବନୀଶକ୍ତିର ବଳରେ ନୁହେଁ ।

 

ଦୁଇ ବର୍ଷର ଗୋଟାଏ ଶିଶୁନେଇ ଧନରାଜ ବିବ୍ରତ ହୋଇପଡ଼ିଲା । ଆମେମାନେ କହିଲୁ, ବାହାହୁଅ । ଝିଅଟାକୁ ତ ବଞ୍ଚାଇବାକୁ ହେବ !

 

ଧନରାଜ ହସିକରି କହୁଥିଲା, ସେହି ହୁକୁମଟା କରିବନାହିଁ, ବାବୁ । ତା’ର ଜିନିଷ କି ମୁଁ ଆଉ କାହା ହାତକୁ ଟେକି ଦେଇପାରେଁ ?

 

ଗୋଟାଏ ଲେଖାଯୋଖା ବୁଢ଼ୀ ପିଉସୀ କେଉଁଠୁ ଖୋଜି ଆଣିଲା । କେବଳ ଦି’ଟା ଫୁଟାଇ ଦେଉଥିଲା ଆଉ ଝିଅଟିକୁ ସମ୍ଭାଳୁଥିଲା । ଧନରାଜ କାମରୁ ନଫେରିବା ଯାଏ, ଝିଅକୁ ପାଳିବାର ସବୁ ଭାର ନିଜ ହାତକୁ ନେଲା । ତା’ର ଯାହା କିଛି ରୋଜଗାର ସବୁ ଝିଅ ପଛରେ ଯାଏ-। ଝିଅ ମିସନାରୀ ସ୍କୁଲରେ ପଢ଼େ । ତା’ପାଇଁ ଆସେ ବୋଝ ବୋଝ ଲୁଗାପଟା, ଖେଳନା, କୁଣ୍ଢେଇ, ପ୍ରସାଧନର ଦ୍ରବ୍ୟ ।

 

କୁଲି ବସ୍ତିରେ ସମସ୍ତେ ତାକୁ ଥଟ୍ଟା ଟାପରା କରନ୍ତି । ଧନରାଜ ହସି ଉଡ଼ାଇ ଦିଏ । ହେଡ଼୍‌କ୍ଳାର୍କ ବାବୁ ଦିନେ କହିଲେ–ଧନରାଜର କାଣ୍ତଟା ଦେଖୁଛନ୍ତି ? ଝିଅଟାକୁ ତ ଅଣ୍ତିରାଚଣ୍ତୀ କରିସାରିଲାଣି । ଏବେ ତାକୁ କିପରି ବାହାଦେବ ? ସେହି ମେମସାହେବ ତ ଆଉ କୌଣସି କୁଲିମୂଲିଆଙ୍କର ଘର କରିପାରିବ ନାହିଁ ।

 

ବିଷୟଟା ପ୍ରକୃତରେ ଭାବିବାର କଥା । ଦେଖୁ ଦେଖୁ ଝିଅଟି ବଡ଼ ହୋଇଗଲା । ନାମ ଲଖିଆ, ଦେଖିବାକୁ ଲକ୍ଷ୍ମୀ-ପ୍ରତିମାଠାରୁ ବି ସୁନ୍ଦର ।

 

ଧନରାଜକୁ ଡାକି କହିଲି, ଲଖିଆର ବାହାଘର କଥା କ’ଣ କରୁଛୁ ?

 

ସେ ଟିକିଏ କରୁଣ ଭାବରେ କହିଲା, ତୁମେ ତ ସବୁ କଥା ଜାଣ, ବାବୁ ! ଯାହା ହାତକୁ ଟେକିଦେଇ ନିଶ୍ଚିନ୍ତ ହୋଇପାରେଁ ଏପରି ଗୋଟିଏ ପିଲା ତ ଏ ଅଞ୍ଚଳରେ ଦେଖୁନାହିଁ ।

 

ତେବେ କ’ଣ କରିବାକୁ ଚାହୁଁ ? ଝିଅ ଯେ ବଢ଼ିଗଲାଣି, ଜାଗାଟା ଭଲନୁହେଁ ।

 

ଧନରାଜ ଗୋଟିଏ ନିଃଶ୍ୱାସ ପକାଇ କହିଲା, ସେ କଥା ମୁଁ କ’ଣ ଜାଣେନାହିଁ ? କେତେ ସାବଧାନରେ ଯେ ଝିଅଟାକୁ ରଖିବାକୁ ହୁଏ ! ତା’ପରେ ଟିକିଏ ପାଖକୁ ଘୁଞ୍ଚି ଆସି ଚୁପ୍‍ ଚୁପ୍‍ କହିଲା, ପାଞ୍ଚଶହଯାଏ ଟଙ୍କା ଜମେଇଛି । ସବୁ ତ ତାହାରି । ସହରକୁ ଗଲେ ଗୋଟିଏ ପଢ଼ାଶୁଣା ଜାଣିଥିବା ଭଲପିଲା କ’ଣ ମୋ ଲଖିଆପାଇଁ ମିଳିବ ନାହିଁ ?

 

ଦେଖିଲି ପ୍ରସ୍ତାବଟା ଖରାପ ନୁହେଁ । ଗୋଟାଏ ମୋଟାମୁଟି ଆଲୋଚନା କରି ସ୍ଥିରହେଲା, ସେ ମାସେ ଖଣ୍ତେ ଛୁଟିନେଇ, ଲଖିଆକୁ ନେଇ ଦାର୍ଜିଲିଂ ଯିବ । ତା’ର ଗୋଟିଏ ମାଉସୀ ପୁଅ ଭାଇ ପୋଲିସରେ କାମକରେ । ତାହା ପାଖରେ ରହି ଗୋଟିଏ ଭଲ ଦେଖି ନେପାଳୀ ପିଲାର ଚେଷ୍ଟା କରିବ ।

 

ଏହାରି ଦିନାକେତେ ପରେ, ଦିନେ ଓପରଓଳି ମେନେଜର ନର୍ଟନ ସାହେବ ମୋତେ ଆଉ ହେଡ଼କ୍ଳାର୍କ ବାବୁଙ୍କୁ ସଙ୍ଗରେ ନେଇ ବାହାରିଥିଲେ ପାହାଡ଼ ତଳର ସେହିଆଡ଼ଟା ବୁଲି ଦେଖିବା ପାଇଁ । ସେହି ଅଞ୍ଚଳରେ କିଛି ଜମି ସଂଗ୍ରହ କରି ବଗିଚାଗୁଡ଼ାକ ବଢ଼ାଇବାର ଗୋଟାଏ ପ୍ଲାନ ଥିଲା । ଫେରିବା ବାଟରେ ଗୋଟାଏ ସାନଘର ସାମନାରେ ଦେଖୁଲୁଁ ଗୋଟିଏ ପସନ୍ଦ ଷୋହଳ ବର୍ଷର ଝିଅ ଛେଳିକୁ ପତର ଖୁଆଉ ଅଛି ।

 

ତା’ର ରୂପ, ତା’ର ସ୍ୱାସ୍ଥ୍ୟ, ତା’ର ପୋଷାକପରିଚ୍ଛଦ, ସବୁ ମିଶି ବେଶ୍‍ ଗୋଟାଏ ମାର୍ଜିତ ସପ୍ରତିଭ ଭାବ–ଏପରି ଅଭାବନୀୟ ଯେ କାହାରି ଆଖିରେ ନପଡ଼ି ରହିପାରିବ ନାହିଁ । ସାହେବ କିଛି ସମୟ ଅବାକ୍‌ ହୋଇ ଠିଆହୋଇ ରହି ପଚାରିଲେ ଝିଅଟି କିଏ, ଡାକ୍ତର ?

 

ମୁଁ ଜବାବ ଦେବା ଆଗରୁ ହେଡ଼କ୍ଳାର୍କ ବାବୁ କହିଲେ, ଧନରାଜ ତା’ ମାଠର ଝିଅ ।

 

ସାହେବ ଯେପରି ସ୍ୱର୍ଗରୁ ପଡ଼ିଲେ, You mean our dhanraj । ମୁଁ କହିଲି ହଁ ସ୍ୟାର୍‍, ଆମର ଧନରାଜ ।

 

ଦୁଇ ଦିନ ପରେ ସାହେବ ହୁକୁମ ଦେଲେ, ଧନରାଜକୁ ବସ୍ତିକୁ ଉଠି ଆସିବାକୁ ହେବ । ତାଙ୍କର କୁଲି ସର୍ଦ୍ଦାରକୁ ବାହାରେ ରହିବାକୁ ଦେଇ ନପାରନ୍ତି । ଧନରାଜ ରାଜି ହେଲାନାହିଁ, ସାହେବ ଗମ୍ଭୀର ହୋଇଗଲେ । ଦିନକେତେ ପରେ ଧନରାଜ ଛୁଟିପାଇଁ ଦରଖାସ୍ତ କଲା । ତାହା ବି ସିଧା ନା-ମଞ୍ଜୁର ହୋଇଗଲା ।

 

ଏହାର ଠିକ୍‌ ପରର ରବିବାର, ପୁଣି ସାହେବଙ୍କ ବଙ୍ଗଳାରେ ଗୋଟାଏ ପାର୍ଟିର ବ୍ୟବସ୍ଥା ହେଲା । ନାଚ, ଗୀତ, ଖାନାପିନାର ବିରାଟ ଆୟୋଜନ । ବିଶେଷ ଅତିଥି ରୂପରେ ନିମନ୍ତ୍ରିତ ହେଲେ ନବେଗତ ପୋଲିସ୍‌ ସାହେବ । ମଦର ସନ୍ଧାର ପାଇଁ ଧନରାଜକୁ ପଠାହେଲା । ଏପରି ଅସମୟରେ ହୁକୁମ ହେଲା ଯେ ଫେରିବାକୁ ତାକୁ ବାଜିଗଲା ରାତି ବାରଟା । ବୋତଲଗୁଡ଼ାକ କୌଣସି ପ୍ରକାରେ ସାହେବଙ୍କ କୋଠିରେ ପହଞ୍ଚାଇ ଦେଇ ସେ ଧାଇଁଲା ନିଜଘରକୁ । ଯାଇଁ ଦେଖିଲା ପିଉସୀ ମୁଣ୍ତ ବାଡ଼େଇ ହେଉଛି, ଲଖିଆ ନାହିଁ । ବହୁତ ପଚରାପଚରି କରି ତାହାଠାରୁ କେବଳ ଏତିକି ଖବର ମିଳିଲା, ଯେ ମୁଖା ପିନ୍ଧା କେତେଗୁଡ଼ାକ ଗୁଣ୍ତାଭଳିଆ ଲୋକ ଝିଅଟାର ମୁହଁରେ ଲୁଗା ଯାକିଦେଇ ନେଇ ଯାଇଛନ୍ତି । ଧନରାଜ ଏକା ନିଃଶ୍ୱାସରେ ଧାଇଁଲା ସାହେବର କୋଠିକୁ । ବେହେରା ଚପରାସିଙ୍କର ବ୍ୟୂହ ପାରିହୋଇ ସିଧା ନର୍ଟନର ବେଡ଼୍‍ରୁମ ପାଖରେ ଯାଇ ପହଞ୍ଚିଲା । ଦୁଆର ଭିତରୁ ବନ୍ଦ । ଧନରାଜ ସେତେବେଳେ ପ୍ରକୃତରେ ପାଗଳହୋଇ ଯାଇଅଛି । କବାଟରେ ଜୀବନ-ମୂର୍ଚ୍ଛା ବିଧା ଗୋଇଠା ମାରୁଛି । ଆଉ ହୁରି ପକାଉଅଛି, କବାଟ ଖୋଲ, ଖୋଲ କବାଟ । ନର୍ଟନ ବାହାରି ଆସିଲା । ଲଖିଆ କେଉଁଠି ?–ଗର୍ଜି ଉଠିଲା ଧନରାଜ । ନାଲିପାଣିର କଲ୍ୟାଣରୁ ସାହେବଙ୍କ ଅବସ୍ଥାର ଠିକଣା ନାହିଁ । ଜଡ଼ିତ ସ୍ୱରରେ କହିଲେ, ଲଖିଆକୋ ହାମ ସାଦି କରଲିଆ । I am your son-in-law ହୋ...ହୋ...ହୋ...

 

ଚୋପ୍‌ ରହୋ ଭଲ୍ଲୁକ–କହି ଧନରାଜ ତା’ର ମୁନିବଙ୍କ ଉପରକୁ ଝାମ୍ପି ପଡ଼ିଲା । ମୁନିବର ଠିଆ ନାକ ଉପରେ ବସାଇଦେଲା ତାହାର ପାହାଡ଼ୀ ହାତର ବିଧା ।

 

ନର୍ଟନ ଭୁଇଁରେ ପଡ଼ିଗଲେ । ଶ୍ୱେତାଙ୍ଗଙ୍କର ପବିତ୍ର ରକ୍ତରେ କଳା ଆଦିମଙ୍କ ଦେଶ ଧନ୍ୟ ହେଲା । ପୋଲିସ୍‌ର ବଡ଼ କର୍ତ୍ତା ସ୍ୱୟଂ ଉପସ୍ଥିତ ତାଙ୍କ ଦଳବଳ ନେଇ । ଲୁଣ୍ଠିତ ଦ୍ରବ୍ୟର ସେ ମଧ୍ୟ ଜଣେ ଅଂଶୀଦାର । ତେଣୁ ପରବର୍ତ୍ତୀ ଦୃଶ୍ୟଟା ଅନୁମାନ କରିବାକୁ କଷ୍ଟ ହେବ ନାହିଁ । ଅନୁମାନ କ’ଣ ପାଇଁ ? କିଛି ନମୁନା ତ ନିଜ ଆଖିରେ ଆଜି ଦେଖିଛ ।

 

ଡାକ୍ତରବାବୁ ସିଗାରେଟ ଧରାଇଲେ । ଘଡ଼ି ଦେଖି କହିଲେ, ଇସ୍‌, ଅନେକ ରାତି କରି ପକାଇଲି । ଯାଅ, ଏବେ ଖିଆପିଆ କର । ମୁଁ ଉଠେଁ ।

 

ମୁଁ ହଠାତ୍‌ ଅସଂଲଗ୍ନ ଭାବରେ ପ୍ରଶ୍ନ କଲି, ଝିଅଟାର କ’ଣ ହେଲା ଡାକ୍ତର ବାବୁ ?

 

–ତମେ ବି ଯେଉଁପରି ! ସେ ଖବର କିଏ ରଖିଛି ? ଶୁଣିଥିଲି ତା’ର କୁଆଡ଼େ ଘନ ଘନ ଫିଟ୍‌ ହେଉଛି ।

 

–ଆଚ୍ଛା ତାକୁ କଅଣ ଉଦ୍ଧାର କରିହେବ ନାହିଁ ? ଡାକ୍ତରବାବୁ ଉଠି ଠିଆ ହୋଇ ମୋ ଦୁଇ କାନ୍ଧରେ ଦୁଇଟା ହାତ ରଖି କହିଲେ, ତମେ ସତରେ ପିଲା ମଣିଷ ।

 

ସେ ଯିବାପାଇଁ ଗୋଡ଼ ବଢ଼ାଇଲାରୁ ମୋର ଯେପରି ହଠାତ୍‌ ଜ୍ଞାନ ଫେରି ଆସିଲା । ବାଧାଦେଇ କହିଲି, ଏ କ’ଣ ? ଏତେ ରାତିରେ କୁଆଡ଼େ ଯାଉଛନ୍ତି ? ନା, ନା, ଯାହାହେଉ ଗଣ୍ତାଏ ମୁହଁରେ ଦେଇ ଶୋଇପଡ଼ନ୍ତୁ, ଭୋରରୁ ଉଠାଇ ଦେବି ।

 

ଡାକ୍ତର ମୋର ଗୋଟାଏ ହାତ ଧରିପକାଇ କହିଲେ, ସେ କଥା ହେବାର ଉପାୟ ନାହିଁ, ଭାଇ ! ଘୋଡ଼ା ଅପେକ୍ଷା କରିଛି । ଏହିକ୍ଷଣି ବାହାରି ପଡ଼ିବାକୁ ହେବ । ଭୋର ବଗିଚାରେ ହାଜର ହେବା ଦରକାର ।

 

ଚମକି ପଡ଼ିଲି, କହୁଛନ୍ତି କ’ଣ ? ଏହି ଭୟଙ୍କର ଶୀତରେ, ଏତେ ରାତିରେ–

 

Unknown

ଡାକ୍ତରଙ୍କର ମୁହଁରେ ମ୍ଳାନ ହସ ଦେଖା ଦେଲା । କ’ଣ କରିବି, ଭାଇ ! ଚାକିରି !

 

ବାରଣ୍ତାକୁ ବାହାରି ଆସି ପୁଣି ଖାପଛଡ଼ା ପ୍ରଶ୍ନ କଲି । ଆଚ୍ଛା, ଡାକ୍ତରବାବୁ, ଧନରାଜକୁ ଆସାମୀ କରି ସେମାନେ ମାମଲା କଲେନାହିଁ କ’ଣପାଇଁ ? ମେନେଜରକୁ ଜଖମ କରିଅଛି । ଏତୋ ବଡ଼ ଚାର୍ଜ !

 

ଡାକ୍ତର ହସି କରି କହିଲେ, ପ୍ରଶ୍ନଟା କିନ୍ତୁ ତମପରି ବୁଦ୍ଧିମାନ ପିଲାର ଉପଯୁକ୍ତ ହେଲାନାହିଁ । ଡେପୁଟି ବାବୁ, ମୋକଦ୍ଦମା ଚାଲିପାରେ । କିନ୍ତୁ ଧନରାଜକୁ ଆଣି ଅଦାଲତରେ ଠିଆ କରାଇଲେ ଲଖିଆ କଥା ତ ଆଉ ଲୁଚା ରହିବ ନାହିଁ । ତାହାଠାରୁ ସହଜ ଓ ନିରାପଦ ପନ୍ଥା ହେଲା ତାକୁ ପୂରାପୂରି ପାଗଳ ବନାଇଦେବା ।

 

ମୁଁ ପୁଣି ତର୍କ କଲି, ସେଟା କ’ଣ ସହଜ ପନ୍ଥା ହେଲା ? ଗୋଟାଏ ଭଲ ମଣିଷକୁ ପାଗଳ ବନାଇବାକୁ ହେବ ! ମେଡିକେଲ ସାର୍ଟିଫିକେଟ ତ ଦରକାର !

 

ଡାକ୍ତର ହୋ ହୋ କରି ହସି ଉଠିଲେ । ଆଉ କିଛି ଜବାବା ଦେଲେନାହିଁ ।

 

ଦେଖୁ ଦେଖୁ ସେହି ଲୁଗାପଟାର ବଣ୍ତୁଲି ପାହାଡ଼ର ଉହାଡ଼ରେ ଅଦୃଶ୍ୟ ହୋଇଗଲା । ମୁଁ ନିଃଶବ୍ଦରେ ସେଆଡ଼କୁ ଅନାଇ ଛିଡ଼ାହୋଇ ରହିଲି । କିଏ ଏହି ଲୋକଟି ? ଅଖ୍ୟାତ, ଅଜ୍ଞାତ, ଆଡ଼ବାୟା ଧରଣର ଗୋଟାଏ ଚା’-ବିଗିଚାର ଡାକ୍ତର । କିନ୍ତୁ କିପରି ଜାଣେନାହିଁ, ମୋ ପରି ଶିକ୍ଷାଭିମାନୀ ମନରେ ଗୋଟାଏ ଦାଗ ରଖିଗଲା ।

 

ତାହା ସହିତ ଆଉ ଦେଖା ହୋଇନାହିଁ ।

 

ଧନରାଜ କାହାଣୀର ବାକି ଅଂଶ ଖୁବ୍‍ ସଂକ୍ଷିପ୍ତ । ଦେହର ଦାଗ ମିଳାଇବାକୁ ପ୍ରାୟ ଦୁଇମାସ ଲାଗିଲା । ତାହା ମଧ୍ୟରେ ଶ୍ୱେତାଙ୍ଗ ସିଭିଲ-ସର୍ଜନ କେଇଥର ଜେଲ୍‍ ପରିଦର୍ଶନ କଲେ । ତା’ପରେ ଦିନେ କୋର୍ଟରୁ ଅର୍ଡ଼ର ଆସିଲା ।

 

–ସିଭିଲ ସର୍ଜନଙ୍କର ଅଭିମତ ଅନୁସାରେ ଧନରାଜ ତା’ ମାଠକୁ ଉନ୍ମାଦ ସାବ୍ୟସ୍ତ କରାଗଲା, ତାକୁ ଅବିଳମ୍ବରେ ଦଲିଲପତ୍ର ସହ ରାଞ୍ଚି ମେଣ୍ଟାଲ ହାସପିଟାଲକୁ ସ୍ଥାନାନ୍ତରିତ କରାଗଲା । ଦଲିଲ ସହିତ ଗୋଟିଏ ପୋଲସ ରିପୋର୍ଟ ଦେଖିଲି । ପାହାଡ଼ୀ ଦାରୋଗା ଲେଖିଛନ୍ତି, ତଦନ୍ତ କରି ଜଣାଗଲା–ଧନରାଜ ନିୟମିତ ଗଞ୍ଜେଇ ଖାଉଥିଲା । ତା’ର ପିତୃକୁଳରେ ଏକାଧିକ ବ୍ୟକ୍ତିଙ୍କର ମସ୍ତିସ୍କ-ବିକୃତି ଇତିହାସ ଅଛି ।

 

ଏହାପରେ ମୁଁ ତାକୁ ଦିନେ ହାକିମଙ୍କର ଆଦେଶ ଅନୁସାରେ ପୋଲିସ୍‌ ହାତରେ ସମର୍ପି ଦେଲି । ଜେଲ୍‍ କୋର୍ଡ଼ର ନିୟମ ଅନୁସାରେ ଦାର୍ଜିଲିଂରୁ ରାଞ୍ଚିରୋଡ଼ ଯାଏ ଗାଡ଼ିର ଗୋଟାଏ ପୂରା କାମରା ତା’ପାଇଁ ରିଜର୍ଭ କରିଦେଲି । ପୋଲିସ୍‍ର ଲୋକମାନେ ତାକୁ ଯେତେବେଳେ ଶକ୍ତ ଦଉଡ଼ାରେ ବାନ୍ଧିଲେ ତାହା ମୁହଁରୁ ଗୋଟିଏ କଥା ବି ବାହାରିଲା ନାହିଁ । କେବଳ ମନେହେଲା ତା’ର ଅବସନ୍ନ ଆଖି ଯୋଡ଼ିକରୁ ଫୁଟି ଉଠିଅଛି ଗୋଟାଏ ନିଷ୍ଫଳ ପ୍ରଶ୍ନ–ମୋର ଲଖିଆ କେଉଁଠି ରହିଲା ?

 

ହୁଏତ ଏ ସବୁହିଁ ମୋର କଳ୍ପନା କିମ୍ବା ଆଖିର ବିଭ୍ରମ ।

 

ସାତ

 

ଗୋ-ଜାତିର ସେବା ଯଦି ପୁଣ୍ୟ ସଞ୍ଚୟର ପରମ-ପନ୍ଥା ବୋଲି ସ୍ୱୀକୃତ ହୋଇଥାଏ, ଜେଲ୍‍ ପ୍ରାଙ୍ଗଣ ନିଶ୍ଚୟ ଗୋଟିଏ ପୁଣ୍ୟକ୍ଷେତ୍ର । ସାନ ବଡ଼ ସବୁ ଜେଲରେ ହିଁ ଗୋଟିଏ କରି ଡାୟେରି ବା ଗୋଶାଳା ଅଛି ଏବଂ ଯେଉଁମାନେ ସେଠାର ଅଧିବାସୀ ତାଙ୍କ ସେବାର ଉପକରଣ ସାଧୁ, ଗୁରୁ ଓ ମହନ୍ତଙ୍କର ଈର୍ଷାର ଯୋଗ୍ୟ । ତାଙ୍କର ବାସ ପାଇଁ ସୁଦୃଶ୍ୟ କୋଠା, ପାନ ଭୋଜନ ପାଇଁ ଅନାୟାସ ଲବ୍ଧ ମହାର୍ଘଖାନା ଏବଂ ଦଳନ ମର୍ଦ୍ଦନ ପାଇଁ ବିନା ବେତନରେ ଅନୁଗତ ଭୃତ୍ୟ । ପଡ଼ିଆରେ ଚରି ବୁଲିବାର କିମ୍ବା ଭୂଇଁରୁ ଘାସ ଖୁଣ୍ଟି ଖାଇବାର ଉଞ୍ଚ ବୃତ୍ତି ତାଙ୍କୁ କେବେହେଲେ କରିବାକୁ ହୁଏନାହିଁ । ସେମାନେ ବଂଶ ଗୌରବରେ କୁଳୀନ ଏବଂ ମେଦ ବାହୁଲ୍ୟରେ ଅଭିଜାତ । ଗିରୀନ ଭାଇ ମିଛ କହି ନାହାନ୍ତି, ଅକ୍ଷୟ ପୁଣ୍ୟର ଅଧିକାରୀ ଯେଉଁମାନେ ସେହିମାନେ କେବଳ ପରଜନ୍ମରେ ଜେଲର ଗୋରୁହୋଇ ଜନ୍ମଗ୍ରହଣ କରିଥାନ୍ତି ।

 

ଇଂରେଜର ସେହି ସମୟର ରାଷ୍ଟ୍ରବିଧାନରେ ଯେଉଁପରି ଡାୟର୍କି, ଡାୟେରିବିଧାନରେ ସେହିପରି ଦ୍ୱୈତ-ଶାସନର ବ୍ୟବସ୍ଥା । ଗୋଧନଙ୍କର କୁଳରକ୍ଷା ଏବଂ ଖାଦ୍ୟ-ନିର୍ଦ୍ଧାରଣର ଦାୟିତ୍ୱ ନେଇ ଅଛନ୍ତି ପଶୁପାଳକ ବିଭାଗ । ଆଉ କାରାବିଭାଗ ହାତରେ ଥାଏ ଦୁଗ୍ଧ-ଭାଣ୍ତ । ଗୋଟିଏ ଦିଗରେ ପଶୁ-ଡାକ୍ତର, ଅନ୍ୟଦିଗରେ ଜେଲ୍‍-ଡାକ୍ତର । ପ୍ରଥମ ବ୍ୟକ୍ତିଟି ନିଷ୍କାମ ଧର୍ମ୍ମରେ ଦୀକ୍ଷିତ; ତାଙ୍କର ଅଧିକାର କେବଳ କର୍ମ୍ମଣ୍ୟେବ । ଦ୍ୱିତୀୟଟି କର୍ମ୍ମାତୀତ ମହାପୁରୁଷ, ତାଙ୍କର ଦୃଷ୍ଟି ନିଯୁକ୍ତ କେବଳ ଫଳେଷୁ । ଯେଉଁମାନଙ୍କୁ ନେଇ ଏହି ଦାର୍ଶନିକ ଭେଦାଭେଦ ସେମାନେ ତୈଳ-ଚିକ୍‌କଣ ଦେହ ନେଇ ପରମ ସୁଖରେ ବଞ୍ଚି ବର୍ତ୍ତି ରହି ତାଙ୍କର କର୍ତ୍ତବ୍ୟ ଶେଷ କରନ୍ତି । ଚତୁର୍ଥ ପକ୍ଷ ଅର୍ଥାତ୍‌ ଆମେମାନେ କୌତୁକ ସହ ଲକ୍ଷ୍ୟ କରୁଁ–ଗୋଧନକର ନଧର ଦେହ ଯେଉଁଭଳି ଶୁକ୍ଳପକ୍ଷର ଶଶିକଳାପରି ଦିନକୁ ଦିନ ଶ୍ରୀବୃଦ୍ଧି ଲାଭ କରୁଥାଏ, ତାଙ୍କର ଦୁଗ୍ଧର ପରିମାଣ ସେହିପରି କୃଷ୍ଣପକ୍ଷର ଚନ୍ଦ୍ରକଳା ଭଳି କ୍ଷୀୟମାନ ହେଉଥାଏ ।

 

ଅଧିକାଂଶ ଜେଲ୍‍-ଡାୟେରିର ଏହାଇ ହେଲା ସଂକ୍ଷିପ୍ତ ଇତିହାସ । ବୋଲିବା ବାହୁଲ୍ୟ, ଆମ କ୍ଷେତ୍ରରେ ବି ଏହି ସାଧାରଣ ନିୟମର ବିଶେଷ ବ୍ୟତିକ୍ରମ ହୋଇନାହିଁ ।

 

ଦିନେ କାଗଜପତ୍ର ଦସ୍ତଖତ କରୁ କରୁ ଦୁଗ୍ଧାଙ୍କର ଏହି ତଥ୍ୟଟି ବଡ଼ ସାହେବଙ୍କ ନଜରରେ ପଡ଼ିଗଲା । ଡାୟେରିର ହିସାବ ରକ୍ଷାର ଦାୟିତ୍ୱ ଡାକ୍ତରଙ୍କର । ଅତଏବ ଡାକ୍ତର ଥାପ୍‌ପାଙ୍କର ଡାକ ପଡ଼ିଲା । ସାହେବ ପ୍ରଶ୍ନକଲେ–ଡକ୍ଟର ତମର ଦୁଧର ପରିମାଣ କାହିଁକି ଦିନକୁ ଦିନ କମିଯାଉଛି ? ଡାକ୍ତର ଶୁଷ୍କ କଣ୍ଠରେ ଉତ୍ତର କଲେ, I don’t know. you don’t know ! ତା’ହେଲେ ଜାଣିବ କିଏ ? ଡାକ୍ତର ନିରୁତ୍ତର । ମିଷ୍ଟର ରାୟ ପାଟିକରି କହିଲେ, କୁହ ! ଦୁଧର ଖବର ତୁମେ ନ ଜାଣିଲେ, ଜାଣିବ କିଏ ?

 

ଡାକ୍ତର ଥରେ ମୋ ମୁହଁକୁ, ଥରେ ଜେଲର ସାହେବଙ୍କ ମୁହଁକୁ ବଲବଲ ଚାହିଁଲେ ଏବଂ କୁଆଡ଼ୁ କିଛି ଭରସା ନପାଇ କ୍ଷୀଣ କଣ୍ଠରେ କହିଲେ, The cows might know, sir.

 

ମିଷ୍ଟର ରାୟ ହଠାତ୍‌ ଗମ୍ଭୀର ହୋଇଗଲେ । ବୋଧହୁଏ ସନ୍ଦେହ କଲେ, ଡାକ୍ତର ବିଦ୍ରୂପ କରୁଛି । ପରମୁହୂର୍ତ୍ତରେ ତା’ର ଅସହାୟ ଆଖି ଯୋଡ଼ିକ ଆଡ଼କୁ ଚାହିଁ କ’ଣ ମନେକଲେ କେଜାଣି ! ସେ ହଠାତ୍‌ ଉଚ୍ଚରେ ହସି ଉଠିଲେ, ପୁଣି ସାଙ୍ଗେ ସାଙ୍ଗେ ହସ ବନ୍ଦକରି କହିଲେ, All right you may go.

 

ମୁଁ ପ୍ରୋବେଶନାର । ଅତଏବ ଦୁଧ କମିବାର ରହସ୍ୟ ଉଦ୍‌ଘାଟନର ଭାର ମୋ ଉପରେ ପଡ଼ିଲା । ମୁଁ ଯଥାରୀତି ତଦନ୍ତ ଆରମ୍ଭ କରିଦେଲି । ଦୁଇ ଚାରି ଦିନରେଇ ବୁଝାଗଲା, ଜଣେ ଦେଶୋୟାଲୀ ଜମାଦାରର ଗୋଟାଏ ବଡ଼ ଲୋଟା ଏହା ସହିତ ଜଡ଼ିତ । ଗେଟ୍‍-କିପରକୁ ଚାପି ଧରିଲି, ତୁମ୍‌ କ୍ୟା କରତା ହ୍ୟାୟ ଜୀ ? ଲୋଟା ତ ସଚଳ ପଦାର୍ଥ ନୁହେଁ ଯେ ନିଜେ ନିଜେ ଚାଲି ବାହାରି ଯିବ ! ଏପରି ହେଲେ ତମର ନୌକରୀ ଚାଲିଯିବ, କହିଦେଉଛି ! ସେ ଆଶ୍ୱାସ ଦେଲା, ସବ ଠିକ୍‌ ହୋ ଜାୟଗା । ପରଦିନହିଁ ଲୋଟା ଅନ୍ତର୍ଦ୍ଧାନ କଲା । ଦୁଧର ମାତ୍ରା ସଙ୍ଗେ ସଙ୍ଗେ ବଢ଼ିଗଲା । ମୁନିବ ଖୁସିହେଲେ, କେଇଦିନ ଯାଉ ନ ଯାଉଣୁ ପୁଣି ଯେଉଁ କଥାକୁ ସେହିକଥା । ଗେଟ୍‍-କିପରକୁ ଡାକି କହିଲି, ତୋର ଆଉ ରକ୍ଷାନାହିଁ । ପ୍ୟାକ୍ ଅପ୍‌ ପ୍ଲିଜ୍‍ । ଲୋଟା କମ୍ବଳ ବାନ୍ଧି ତିଆରି ହୁଅ ।

 

ସେ ଜଣାଇଲା, ଦୁଧ ଠିକ୍‌ ଯାଉଛି, କିନ୍ତୁ ‘ଲୋଟାସେ ନେହିଁ !’–ଲୋଟାସେ ନଗଲା ? ହାଣ୍ତି କିମ୍ୱା ଘଡ଼ାରେ ଯାଉଛି ବୋଲି କ’ଣ ତମର ଦାୟିତ୍ୱ କମିଯିବ ? ତମେ ଠିକ୍‍ ମୁତାବକ ତଲାସି କରୁନାହଁ !

 

ଏ କଥାର ଉତ୍ତର ନଦେଇ ସେ କହିଲା, କାଲି ଭୋର ମେହେରବାନି କରି ଯଦି ଥରେ ଆସନ୍ତ, ସବୁ ନିଜ ଆଖିରେଇ ଦେଖିବାକୁ ପାଇବେ ।

 

ସେୟା କଲି । ଭୋର ବେଳକୁ ଗଲି । ଡାୟେରିରେ ସେତେବେଳେ ଦୁହାଁକାମ ଆରମ୍ଭ ହୋଇଅଛି । ଗେଟ୍‍-କିପରର ପରାମର୍ଶ ଅନୁସାରେ ଆମେ ଗୋଟିଏ ପାଚେରୀ ଉହାଡ଼ରେ ଲୁଚି ରହିଲୁଁ । ବିଶାଳକାୟ ଜମାଦାର ସାହେବ ଚେୟାର ଦଖଲକରି ବସି ଅଛନ୍ତି । ତାଙ୍କୁ ବେଢ଼ି ଶୋଭା ପାଉଛନ୍ତି ତାଙ୍କର ଅନୁଗତ କୟେଦୀଦଳ । କ’ଣ ଗୋଟାଏ ହସର କଥା ହେଉଥିଲା । ସବୁତକ ଶୁଣାଗଲା ନାହିଁ । ଶେଷତକ ଶୁଣିଲି–କାଲିକାପିଲା । ମୋ ସଙ୍ଗରେ ଲାଗିବାକୁ ଆସିଛି । ବନ୍ଦକରୁ-! ଦେଖେଁ କେତେ ବଡ଼ ବାହାଦୁର ? ବୁଝିଲି ‘ପିଲାଟି’ ଏହି ଅଧମ । ଜମାଦାର ସାହେବଙ୍କ ବଡ଼େଇ ଯେ ନିହାତି ଶୂନ୍ୟଗର୍ଭ ନୁହେଁ, ପର ମୁହୂର୍ତ୍ତରେ ବୁଝିଲି । ଜଣେ କୟେଦୀ ଗୋଟାଏ ବାଲତିରେ ଦୁଧ ଆଣି ଜମାଦାର ସାହେବଙ୍କ ହାତରେ ଦେଲା । ସେ ଆଉ କାଳ ବିଳମ୍ବ ନକରି ଢକ ଢକ ଗଳାରେ ଢାଳି ଦେଲେ । ତିନିସେର ଅନ୍ଦାଜ ଖାଣ୍ଟି କଞ୍ଚାଦୁଧ । ପାତ୍ରଟି ଶେଷକରି ସ୍ଫୀତ ଉଦରରେ ହାତ ବୁଲାଇ ଗୋଟିଏ ରାଜୋଚିତ ହାକୁଟି ମାରିଲେ ଏବଂ ତା’ପରେ ଯେପରି ଭୂତ ଦେଖିଲାଭଳି ଚମକି ଉଠିଲେ ।

 

ପରର ଦୃଶ୍ୟ ଅତ୍ୟନ୍ତ କରୁଣ । ଯେଉଁ ‘ପିଲାକୁ’ ସେ ଦୁଇ ମିନିଟ ଆଗରୁ ନିହାତି ତାଚ୍ଛଲ୍ୟ ଦେଖାଇ ଥିଲେ, ତାହାରି ଗୋଡ଼ତଳେ ତାଙ୍କର ଦୁଗ୍ଧ ପୁଷ୍ଟ ନଧର ଦେହ ଲୋଟି ପଡ଼ିଲା ।

 

ଗେଟ୍‍–କିପରର ଅସହାୟ ଅବସ୍ଥାଟା ଉପଲବ୍ଧି କଲି । ଲୋଟା ନୁହେଁ, ହାଣ୍ତି ନୁହେଁ, ଦୁଗ୍ଧ ବହନର ଏପରି ପାତ୍ର ଅଛି, ଯେଉଁଠି ତା’ର ଅନୁସନ୍ଧାନ ଏକବାରେ ଅଚଳ ।

 

ସରକାରୀ ଚାକିରିର ସୁଖ-ସୁବିଧା ବହୁ ପ୍ରକାର । ତାହାର ହିସାବ ଦେବାକୁ ଯାଇ ନିଜ କ୍ୟାମ୍ପର ବିରାଗଭାଜନ ଏବଂ କ୍ୟାମ୍ପର ଈର୍ଷାଭାଜନ ହେବାକୁ ଚାହେଁ ନାହିଁ । ତାହା ମଧ୍ୟରୁ ଗୋଟିଏ ଜିନିଷ କେବଳ ଉଲ୍ଲେଖ କରିବି, ଯେଉଁଟା ମୋ’ଠାରେ ସବୁଠାରୁ ବେଶୀ ଲୋଭନୀୟ । ତା’ର ନାମ ଛୁଟି । ଛୁଟି, ତାହା ପୁଣି କେତେ ପ୍ରକାର ! ତା’ର ବ୍ୟାଖ୍ୟା ବିନ୍ୟାସ ବିବରଣ ଏବଂ ଟିକା-ଟିପ୍‌ପଣୀର ଅସଂଖ୍ୟ ଜଟିଳ ଧାରା ମାଡ଼ି ରହିଛି Fundamental Rulesର ଗୋଟିଏ ଅତିବଡ଼ ଦୁର୍ବୋଧ୍ୟ ଅଧ୍ୟାୟ । ପ୍ରଥମ ଧରନ୍ତୁ କ୍ୟାଜୁଏଲ ଲିଭ୍‌ । ବର୍ଷ ଆରମ୍ଭ ହେଲାକ୍ଷଣି ପନ୍ଦର ଦିନ-। ଏକାଠି ନିଅନ୍ତୁ କିମ୍ବା ଟିକିଏ ଟିକିଏ କରି ଭୋଗ କରନ୍ତୁ । କିନ୍ତୁ ଯାହା କରିବେ ୩୧ ଡିସେମ୍ବର ଭିତରେ । ତା’ ପରେଇ ସବୁ ମାରାଯିବ । ପ୍ରିଭିଲେଜ ଲିଭ୍‍ ବା ଯାହାକୁ କହନ୍ତି ହକ ଛୁଟି, ପଚନଶୀଳ ପଦାର୍ଥ ନୁହେଁ । ବର୍ଷ ବିତିଗଲେଇ ଏକମାସ ଦୁଇଦିନ ଜମା ହେଲା । ଆପଣଙ୍କର ଏକାଉଣ୍ଟରେ ବଢ଼ି ଚାଲିଲା ଭାଗ୍ୟବାନ ବ୍ୟକ୍ତିର ବ୍ୟାଙ୍କ ବାଲାନ୍‌ସ ପରି । ତା’ପରେ ସୁବିଧା ମୁତାବକ ନେଇ ନିଅନ୍ତୁ ପୂରା ଚାରିମାସ । ସବୁତକ ପୂରା ବେତନରେ ପାଇବେ । ପରିଶ୍ରମ ନାହିଁ, କିନ୍ତୁ ପାରିଶ୍ରମିକ ପୂରା ରହିଲା । ସ୍ୱଚ୍ଛନ୍ଦରେ ବୁଲି ଆସନ୍ତୁ ସେତୁବନ୍ଧ ରାମେଶ୍ୱର କିମ୍ବା ଡେରାଇସ୍‌ ମାଇଲ ଖାଁ । ସାଗର ପାରହୋଇ ‘‘ହୋମ’’କୁ ଯିବାକୁ ଚାହାଁନ୍ତି ? ତା’ହେଲେ ତ ସୁନାରେ ସୋହାଗା । ସେହି ଚାରିମାସ ଏକା ଆଠ ମାସ ହୋଇଯିବ । ସ୍ୱର୍ଗ ସୁଖ ଆଉ କାହାକୁ କହନ୍ତି-?

 

ତିନି ନମ୍ବର–ମେଡ଼ିକାଲ ଲିଭ । ରୋଗପାଇଁ ଛୁଟି । ଡରନ୍ତୁ ନାହିଁ । ରୋଗ ଦରକାର ନାହିଁ । ଦରକାର ଖାଲି ଖଣ୍ତିଏ ଡାକ୍ତରୀ ସାର୍ଟିଫିକେଟ । ସେତକ ସଂଗ୍ରହ କରିବାକୁ ଯେ ଅକ୍ଷମ, ସେ ସରକାରୀ ଚାକିରିର ଯୋଗ୍ୟ ନୁହେଁ । ତାଲିକା ଆଉ ବଢ଼ାଇବାକୁ ଚାହେଁ ନାହିଁ । ସବୁଠାରୁ ଯେଉଁ ଛୁଟିଟା ବଢ଼ିଆ ତାହାର ଉଲ୍ଲେଖ କୌଣସି ଆଇନ ବହିରେ ନାହିଁ । ତା’ର ନାମ French Leave । ଯେତେବେଳେ ଖୁସି, ଯେତେଥର ଖୁସି, ଟିକିଏ ବୁଲି ଆସୁଛି ସ୍ୟାର୍‍, କହି ବାହାରି ପଡ଼ନ୍ତୁ । ଏହି ଛୁଟିର କିଛି ସର୍ତ୍ତ ନାହିଁ । ଏକମାତ୍ର ସର୍ତ୍ତ–ବସ୍‌କୁ ଖୁସି ରଖିବାକୁ ହେବ ।

 

ସେହି ଦୁର୍ଲ୍ଲଭ ସୌଭାଗ୍ୟ ମୁଁ ଅର୍ଜନ କରିପାରି ନ ଥିଲି । ମୋର ଏକମାତ୍ର ପଥ ଦରଖାସ୍ତ ଏବଂ ତା’ର ଫଳାଫଳ ପାଇଁ ଅଧୀର ପ୍ରତୀକ୍ଷା । ବହୁ କଷ୍ଟରେ ବହୁ ବିଡ଼ମ୍ବନା ପରେ ଶେଷ ମୁହୂର୍ତ୍ତରେ ପନ୍ଦର ଦିନ କ୍ୟାଜୁଏଲ ଛୁଟି ମିଳିଲା । ଆଉ ଗୋଟିଏ ଦିନ ଡେରି ହୋଇଥିଲେ ତା’ର ପଚନ କ୍ରିୟା ଆରମ୍ଭ ହୋଇ ଯାଇଥାନ୍ତା ।

 

କାଶ୍ମୀର ନୁହେଁ, ଚିଦାମ୍ବରମ ନୁହେଁ, ସେହି ପୁରୁଣା କଲିକତାର ବହୁ ପୁରୁଣା ବନ୍ଧୁ-ମହଲରେ କଟାଇ ଆସିଲି ଦୁଇ ସପ୍ତାହ । ଫେରି ଆସି ଦେଖିଲି ଦୁଆରରେ ଯେଉଁ ତାଲାଟି ଝୁଲୁଛି ତା’ର ଉପଯୁକ୍ତ ସ୍ଥାନ କୌଣସି ରାଜବାଡ଼ିର ସିଂହଦ୍ୱାର । ଏହି ଅତି-ସତର୍କତାର କାରଣ ଥିଲା । ଶୁଣିଲି, ଠିକ୍‍ ଆଗ ରାତିରେ ମୋର ଏକମାତ୍ର କର୍ଣ୍ଣଧାର ଶ୍ରୀମାନ୍‌ ବ୍ୟାମ ବାହାଦୁର ଓରଫ୍‌ କେଟା ହଠାତ୍‌ ଅନ୍ତର୍ଦ୍ଧାନ କରିଛନ୍ତି ଏବଂ ତାଙ୍କର ସହଯାତ୍ରୀ ହୋଇଛନ୍ତି ମୋର ଏକମାତ୍ର ସମ୍ପତ୍ତି–ଗୋଟିଏ ଶୂନ୍ୟଗର୍ଭ ଷ୍ଟିଲ ଟ୍ରଙ୍କ ଏବଂ ଆଉ କେଇଟା କଂସା ଲୋଟା । ଯେଉଁ ସିପାହୀଟି ଉପରେ ମୋର କୋଠା ତଦାରଖର ଭାର ଥିଲା, ସେ ତା’ର ସ୍ୱେଦଶୀ ଭାଷାରେ ବହୁତ ଅବଶୋଷ ଜଣାଇଲା । ଅବଶୋଷ ମୋର ବି ହେଲା । କିନ୍ତୁ ତାହା ମୋର ଅପହୃତ ସମ୍ପତ୍ତି ପାଇଁ ନୁହେଁ । ଅପହରଣର ପରିଶ୍ରମ ଯେ ଭୋଗ କଲା ତାହାପାଇଁ ।

 

ସିପାହୀଟି ଜାଣିବାକୁ ଚାହିଁଲା, ଦୋକାନରୁ ଚା’ ଆଣିବାକୁ ହେବ କି ନାହିଁ । କହିଲି, ନା, ଥାଉ ।

 

ଦୋସରା ଲୋକର ସନ୍ଧାନ କରିବାର ପ୍ରସ୍ତାବ ଜଣାଇଲା । ତାହା ବି ନା-ମଞ୍ଜୁର କରିଦେଲି ।

 

Smiles ସାହେବଙ୍କ Self Help ନାମକ ପ୍ରସିଦ୍ଧ ଗ୍ରନ୍ଥ ମୋର ପଢ଼ାଥିଲା ଏବଂ ବଙ୍ଗଳାରେ ସ୍ୱାବଲମ୍ବନ ସମ୍ବନ୍ଧରେ ଅନେକ ରଚନା ବି ଦିନେ ମୁଖସ୍ତ କରିଥିଲି । ଏତେ କାଳପରେ ସେହି ସବୁ ବହୁମୂଲ୍ୟ ଉପଦେଶ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବାର ସୁଯୋଗ ଉପସ୍ଥିତ । ଦୁଶ୍ଚିନ୍ତାର କାରଣ ନ ଥିଲା । ନଗଦ ପାଞ୍ଚଟଙ୍କା ଖରଚ କରି ଖଣ୍ତିଏ ସଚିତ୍ର ରନ୍ଧନ-ଶିକ୍ଷା ଏଠାକୁ ଆସିବା ଆଗରୁଇ ସଂଗ୍ରହ କରିଥିଲି ।

 

ଅବିଳମ୍ବରେ ଚା’ର ପ୍ରୟୋଜନ, ଆଉ ତା’ର ପ୍ରଥମ ପର୍ବ ଷ୍ଟୋଭ ଲଗାଇବା । ଅଧବୋତଲେ ସ୍ପିରିଟ ଏବଂ ଅଧଘଣ୍ଟାଏ ପମ୍ପକରି କୌଣସିମତେ ଷ୍ଟୋଭ ଜଳାହେଲା । ଏହାପରେ କ’ଣ କରାଯିବ ସେଥିପାଇଁ ସଦ୍ୟ ଜ୍ଞାନ ପାଇଁ ‘ଚା’ ପ୍ରସ୍ତୁତ ପ୍ରଣାଳୀର ଅଧ୍ୟାୟଟା ମାତ୍ର ଖୋଲି ବସିଅଛି, ଏପରି ସମୟରେ ଦୁଆରରେ କାଞ୍ଚିର ଆବିର୍ଭାବ ।

 

ଗୋଟିଏ ଅତୁଳନୀୟ କୌତୁକ ହସର ଅଭିନନ୍ଦନ ମନେମନେ ଆଶା କରୁଥିଲି । ଶିହରି ଉଠିଲି ହଠାତ୍‌ ତା’ ମୁହଁ ଆଡ଼କୁ ଚାହିଁ । ଇଏ କ’ଣ ହୋଇଛି କାଞ୍ଚିର ? ଦୁଇଦିନ ଆଗରୁ ଯାହାର ମୁହଁ ଥିଲା କଳହାସ୍ୟ ମୁଖର, ଆନନ୍ଦ ଉଚ୍ଛଳ, ସହସା କାହାର ନିର୍ମ୍ମମ ଅଭିଶାପରେ ତାହା ଯେପରି ପଥର ପାଲିଟି ଯାଇଛି । ସାରା ଶରୀରରେ ଗଭୀର ବିଷାଦର ମୌନ ଛାୟା । ଏହି କେତୋଟି ଦିନରେ ତା’ର ବୟସ ଯେପରି କେତେ ବର୍ଷ ବଢ଼ି ଯାଇଛି । ଆଗେଇ ଯାଇ କହିଲି, କ’ଣ ହୋଇଛି କାଞ୍ଚି ?

 

ସେ ମୋର ବ୍ୟାକୁଳ ପ୍ରଶ୍ନର କିଛି ଉତ୍ତର ଦେଲାନାହିଁ । ହାତରେ ଥିଲା ଜଳଖିଆର ଥାଳି । ଧୀରେ ଧୀରେ ଘରେ ପଶି ସେଟା ମୋ ଆଗରେ ଟୁଲ ଉପରେ ରଖି ମୃଦୁ ସ୍ୱରରେ କହିଲା, ବଡ଼ୀ ଆମ୍ମା ପଠେଇ ଦେଲେ । ତା’ପରେ ଷ୍ଟୋଭ୍‌ଟା ଲିଭାଇ ଦେଇ ଯାଉ ଯାଉ କହିଲା, ଚା’ ନେଇ ଆସୁଛି ।

 

ଯେତେଦୂର ଦୃଷ୍ଟିଯାଏ, ମୋର ବିସ୍ମିତ ଆଖି ତାକୁ ଅନୁସରଣ କଲା; କିନ୍ତୁ ସେ ବାରେହେଲେ ଫେରି ଚାହିଁଲା ନାହିଁ ।

 

ଚା’ ନେଇ ଆସିଲା ଡାକ୍ତରର ଦଶବର୍ଷର ଝିଅ ରୁମୀ । ଟି-ପଟଟା ଟୁଲ୍‍ ଉପରେ ଥୋଇ କହିଲା, ଚା’ କିନ୍ତୁ ଆଜି ମୁଁ କରିଛି, ବାବୁଜୀ । ଦେଖ, ଦୁଧ, ଚିନି, ଆଉ....

 

–କାଞ୍ଚି ଆସିଲା ନାହିଁ, ରୁମୀ ?

 

–ତାକୁ ବଡ଼ୀ ଆମ୍ମା ଗାଧୋଇବାକୁ ପଠାଇ ଦେଲେ ।

 

–ଗାଧୋଇବାକୁ ? ଏତେ ଜଲଦି ?

 

–ଓ–ଓ । ତୁମେ ଜାଣ ନାହିଁ ପରା ? ବଡ଼ ବଡ଼ ଆଖିକରି କହିଲା ରୁମୀ, କାଞ୍ଚିର ଯେ ଆଜି ବାହାଘର !

 

–କାଞ୍ଚିର ବାହାଘର ! –ଯନ୍ତ୍ରଚାଳିତ ପିତୁଳା ପରି ଆବୃତ୍ତି କଲି ମୁଁ ।

 

ରୁମୀ ହାତ ମୁହଁ ହଲାଇ କହିବାକୁ ଲାଗିଲା, କାଞ୍ଚିକୁ ଆଜି କ’ଣ କ’ଣ ସବୁ କରିବାକୁ ହେବ, ବିଭାଘରକୁ କିଏ କିଏ ଆସିଅଛନ୍ତି, କିଏ କିଏ ଆସିନାହାନ୍ତି, କେତେଖଣ୍ଡ ଗହଣା ତା’ର ହେଲା, କିଏ କେଉଁ ଜିନିଷଟା ଦେଲା, ଏହିପରି ଆହୁରି କେତେ କଅଣ । ସେଥିରୁ କେତେକ ମୋ କାନରେ ପଶିଲା, କେତେକ ପଶିଲା ନାହିଁ । ଝରକା ବାହାରେ ସଦ୍ୟ ମେଘମୁକ୍ତ ସୂର୍ଯ୍ୟକରୋଜ୍ଜଳ ପ୍ରଭାତ ଆଡ଼କୁ ଅନାଇଲି । ଦେଖିଲି ତା’ର ମରଣାହତ ପାଣ୍ତୁର ରୂପ । ଅନାଗତ ଜୀବନର ଦୀର୍ଘ ପଥ ଆଡ଼କୁ ଅନାଇଲି । ଦେଖିଲି ସବୁତକ ହିଁ ରୁକ୍ଷ୍ମ ଓ ଉଷର, କେଉଁଠି ନାହିଁ ବୁନ୍ଦାଏ ଶ୍ୟାମଳତା ।

 

ଚେତନା ଫେରି ଆସିଲା–ରୁମୀର ଧମକରେ । ତୁମେ ତ କିଛି ଖାଇନାହଁ ବାବୁଜୀ, ମୁଁ ଆଉ କେତେବେଳଯାଏ ବସି ରହିବି ? କହିଲି, ତୁ ଏଇକ୍ଷଣି ଯା, ରୁମୀ । ଏସବୁ ଥାଳି–ଫାଳି ପଛକୁ ଆସି ନେଇଯିବୁ ।

 

–ବାଃ, ତୁମେ ନ ଖାଇଲେ ମୁଁ ଯିବି କିପରି ?

 

–କାହିଁକି ?

 

–କାଞ୍ଚି ଗାଳିଦେବ ଯେ !

 

–ନା, ନା, ଗାଳିଦେବ ନାହିଁ । ତୁ ଯା ।

 

–ହଁ, ତମେ ତ ଖୁବ୍‌ ଜାଣ ? ଏଇକ୍ଷଣି କହିଲା–ଗାଳିଦେବ ।

 

–କ’ଣ କହିଲା ?

 

–କହିଲା, ରୁମୀ, ଜଳଖିଆ ମୁଁ ରଖି ଆସିଛି । ତୁ କପେ ଚା’ କରି ନେଇ ବାବୁଜୀଙ୍କୁ ଦେଇଆ । ତିନି ଚାମଚ ଚିନି ଦେବୁ; କିନ୍ତୁ ବାବୁଜୀ ଚିନି ବେଶୀ ଖାଆନ୍ତି । ଆଉ ଦେଇକରି ଯେପରି ଚାଲି ଆସିବୁନାହିଁ ! ଆଗରେ ବସି ଖୁଆଇବୁ । କିଛି ଯେପରି ନ ଛାଡ଼ନ୍ତି । ତାହା ନହେଲେ କିନ୍ତୁ ତୋତେ ଭାରି ଗାଳିଦେବି ।

 

ଏହି କାଞ୍ଚିଇ ଆଜି ଚାଲି ଯାଉଛି ଚିରଦିନ ପାଇଁ । ଗୋଟିଏ ମାତ୍ର ରାତିର ବ୍ୟବଧାନ । ତାହାପରେ ଆଉ ତାକୁ ଦେଖିବାକୁ ପାଇବି ନାହିଁ ।

 

ଏଇ ତ ସେଦିନର କଥା । ଗୋଟାଏ ମାସ ବି ହୋଇନାହିଁ । ଏଇଠାରେ ବସି ଏକଥା ସେକଥା ପରେ ହଠାତ୍‌ ସେ ପଚାରିଥିଲା–ବାବୁଜୀ, ବୋହୂ ଆସିବ କେବେ ?

 

ହସି କହିଥିଲି, ବୋହୂ ବୋଲି ଯେ ଜଣକୁ ଆସିବାକୁ ହେବ, ଏପରି ଚୁକ୍ତି ତ କାହା ସହିତ କରି ନାହିଁ ।

 

–ଏ ମା ! ତମେ ଚିରକାଳ ଏହିପରି ଏକଲା ରହିବ । ତମକୁ ଦେଖିବ କିଏ ?

 

–କାହିଁକି ? ଯାହାର ଗରଜ, ସେହି ଦେଖିବ ।

 

କାଞ୍ଚିର ହାସ୍ୟ-ଉଜ୍ଜ୍ୱଳ ମୁହଁ ଉପରେ ହଠାତ୍‌ ବେଦନାର ଛାୟା ଘୋଟି ଆସିଲା । କଣ୍ଠରେ ବାଜି ଉଠିଲା ଅପୂର୍ବ କରୁଣ ସୁର । ସେହି ଝରକା ବାହାରକୁ ଚାହିଁ ଧୀରେ ଧୀରେ କହିଥିଲା, ସେ ତ ସେ ଭାଗ୍ୟ କରିନାହିଁ ! ଆଜି ହେଉ, କାଲି ହେଉ, ତାକୁ ତ ଦିନେ ଯିବାକୁ ଇ ହେବ ।

 

ସେହି ଦିନଟା ଯେ ଏତେ ପାଖେଇ ଆସିଥିଲା, ସେ ଜାଣି ନଥିଲା; ମୁଁ ମଧ୍ୟ ବୁଝିପାରି ନଥିଲି ।

 

ରୁମୀର ଦ୍ୱିତୀୟ ଧମକରେ ଜଳଖିଆ ଥାଳିରେ ହାତଦେଲି । ଏହି କତୋଟି ତୁଚ୍ଛ ଖାଦ୍ୟବସ୍ତୁ । ଏହାକୁ ଉପଲକ୍ଷ କରି ଏଇ ପାହାଡ଼ୀ ଝିଅଟି ହାତକୁ କ’ଣ ନ ପାଇଅଛି ! କେବଳ ତ ଆଜି ନୁହେଁ, ମୋର ଏହି କେଟା ଯନ୍ତ୍ରଟି ଅଧା ଦିନ ବିଗିଡ଼ି ଯାଇଥାଏ । କେତେଥର ଦେଖିଛି ସେହି ଖବରଟା ମୋ କାନକୁ ଆସିବା ପୂର୍ବରୁ ଆର ଘରୁ ମୋର ଖାଇବାର ଆସି ଯାଇଛି । ଖାଇବାଟା ବରାବର ବଡ଼ୀ ଆମ୍ମାଙ୍କ ନାମରେ ଆସେ । ମୁଁ କିନ୍ତୁ ତାହା ଭିତରେ ଆଉ ଗୋଟିଏ ଶୁଭକଲ୍ୟାଣ-ହସ୍ତର ସ୍ପର୍ଶ ପାଏଁ । ଆଜି ତା’ର ଶେଷ । ସେହି ସ୍ପର୍ଶ ଆଉ କେବେ ଏ ଜୀବନରେ ପାଇବିନାହିଁ ।

 

ଘଣ୍ଟାଏ ଖଣ୍ତେ ପରେ ବଡ଼ୀ ଆମ୍ମା ଆସିଲେ ନିମନ୍ତ୍ରଣ କରିବାକୁ । କହିଲେ, ଝିଅଟାର ମା ନାହିଁ, ବାପ ନାହିଁ । ଏକା ମୋତେ ଛାଡ଼ି ନିଜର ବୋଲିବାକୁ କେହି ନାହାନ୍ତି । ହଠାତ୍‌ ସମ୍ବଳଟା ମିଳିଗଲା । ପିଲାଟି ମୋଟ ଉପରେ ଭଲ ।

 

କିଛି ଦିଆ ନିଆ କରିବାକୁ ହେବ ନାହିଁ । ସେଥିପାଇଁ ଅଉ ସାତ ପାଞ୍ଚ ନ ଭାବି ଦେଲି ବିଦା କରି । ତମକୁ ସେ ଭାରି ଭଲପାଏ । ତମେ ଠିଆ ହୋଇ ଆଶୀର୍ବାଦ କଲେ କାଞ୍ଚି ମୋର ନିଶ୍ଚୟ ସୁଖୀ ହେବ । ଟିକିଏ କଷ୍ଟକରି ଆସିବାକୁ ହେବ, ବାବୁଜୀ ! ଆସିବ ତ ? ମୁଁ ଆଗ୍ରହର ସହିତ କହିଲି, ନ ଯିବି କ’ଣ ! ବଡ଼ୀ ଆମ୍ମା, ନିଶ୍ଚୟ ଯିବି ।

 

କଥା ଦେଲି; କିନ୍ତୁ ବଡ଼ୀ ଆମ୍ମା ଯାଉ ନ ଯାଉଣୁ ମନ ଭିତରଟା କିପରି ଓଲଟପାଲଟ ହୋଇଗଲା । କର୍ତ୍ତବ୍ୟବୋଧକୁ ଶକ୍ତ କରି ଧରି ଠିଆ ହେବାକୁ ଚେଷ୍ଟା କଲି; କିନ୍ତୁ ସବୁ ବ୍ୟର୍ଥ ହେଲା । ମୋର ଯିବାର ଉପାୟ ନାହିଁ । ମୋତେ ପଳାଇବାକୁ ହେବ । ଛୁଟି ସରିବାକୁ ସେତେବେଳେ ବି ଗୋଟିଏ ଦିନ ବାକି ଥାଏ । ହଠାତ୍‌ ମନରେ ପଡ଼ିଲା ମୋର ଜଣେ ବାଲ୍ୟବନ୍ଧୁ ଥାଆନ୍ତି କାର୍ସିୟାଂରେ; ପି.ଡବଲିଉ.ଡି.ର କର୍ଣ୍ଣଧାର । ତାଙ୍କରି ଉଦ୍ଦେଶ୍ୟରେ ବାହାରି ପଡ଼ିଲି ।

 

ଡାକ୍ତର ଥାପ୍‌ପାଙ୍କ ନାମରେ ଖଣ୍ତିଏ ଚିଠି ଲେଖିଦେଇ ଗଲି–ବଡ଼ୀ ଆମ୍ମାଙ୍କୁ ଶ୍ରଦ୍ଧାପୂର୍ଣ୍ଣ ନମସ୍କାର ଜଣାଇବେ, କହିବେ ବିଶେଷ ଜରୁରୀ କାମରେ ମୋତେ କାର୍ସିୟାଂ ଯିବାକୁ ହେଉଛି । କାଞ୍ଚିର ବିଭାଘର ଦେଖା ହୋଇପାରିଲା ନାହିଁ । ଭାରି ଦୁଃଖ ରହିଗଲା । ତାକୁ ଆନ୍ତରିକ ଆଶୀର୍ବାଦ କରୁଅଛି,....ଇତ୍ୟାଦି ।

 

ପରଦିନ ଫେରିବା କଥା । ସେଠାରେ ଆଉ ଭଲ ଲାଗିଲା ନାହିଁ । ଜଲଦି ଜଲଦି ବାହାରି ପଡ଼ିଲି । ଷ୍ଟେସନକୁ ଆସି ଦେଖିଲି, ସେତେବେଳକୁ ଗାଡ଼ିର ବହୁତ ଡେରି ଅଛି । କିଛିକ୍ଷଣ ପ୍ଲାଟଫର୍ମରେ ବୁଲାବୁଲି କଲି । ବେଳ ଆଉ ସରୁ ନଥାଏ । ଲୋକଙ୍କ ଭିଡ଼ ଅସହ୍ୟ । ଓୟେଟିଂ ରୁମ୍‌ଟାରେ ଉଙ୍କିମାରି ଦେଖିଲି, ଏକବାରେ ଖାଲି ।

 

କପେ ଚା’ର ଅର୍ଡ଼ର ଦେଇ ଆରାମ ଚୌକିରେ ଢଳି ପଡ଼ିଲି । ଯେତେବେଳେ ପାରେ ସେତେବେଳେ ଚା’ ଖାଇବାକୁ ପସନ୍ଦ କରେ ନାହିଁ । କିନ୍ତୁ ସେଦିନ କ’ଣ ହେଲା କେଜାଣି, ପରେ ପରେ ଦୁଇକପ୍‌ ଚା’ ଡଠିଗଲା, ଜାଣି ପାରିଲି ନାହିଁ । ତୃତୀୟ କପ୍‌ ପାଇଁ ବୟକୁ ଡାକିବି ନା ନାହିଁ ଭାବୁଛି; ହଠାତ୍‌ ବାହାରକୁ ନିଜର ପଡ଼ିଗଲା । ଚମକି ଉଠିଲି । ବିସ୍ମୟ, ଆନନ୍ଦ, କି ବେଦନା, ବୁଝି ପାରିଲି ନାହିଁ । ଦୁଆର ଆଗରେ କାଞ୍ଚି ଠିଆ ହୋଇଛି ଆନତ ମ୍ଳାନମୁଖୀ ନବବଧୂର ବେଶରେ । ପଛକୁ ତା’ର ବର । ସିଧା ହୋଇ ବସି ସେମାନଙ୍କୁ ଅଭ୍ୟର୍ଥନା କଲି । ସହାସ୍ୟରେ ସହଜ ଭାବରେ ଇ କହିଲି, ଆସ । ପିଲାଟି ଟିକିଏ ମିଲିଟାରୀ କାଇଦାରେ ଗୋଟିଏ ସଲାମ କଲା । ତା’ପରେ ସବିନୟରେ ଅନୁମତି ନେଇ ବାହାରକୁ ଚାଲିଗଲା । କାଞ୍ଚି ଧୀରେ ଧୀରେ ଆଗେଇ ଆସି ମୋ ପାଖରେ ଠିଆ ହେଲା ।

 

କିଛି ସମୟ ନୀରବରେ କଟିଗଲା । ମୁଁ ତା’ର ଡାହାଣ ହାତ ଖଣ୍ତିକ ନିଜ ହାତକୁ ଟାଣିନେଇ କହିଲି, ତମର ବିଭାଘରକୁ ରହି ପାରିଲି ନାହିଁ । ତମେ ତ ସବୁ କଥା ଜାଣ କାଞ୍ଚି । ସେଥିପାଇଁ ଦୁଃଖ କରିବ ନାହିଁ, ପାର ତ ମୋତେ କ୍ଷମା କରିବ ।

 

କାଞ୍ଚି ତଡ଼ିତାହତ ପରି ଦୁଇ ହାତରେ ମୋ ହାତକୁ ଧରି ପକାଇ କହିଲା, କି କଥା କହୁଛ ବାବୁଜୀ ? ତମେ ମୋ ପାଖରେ କ୍ଷମା ମାଗୁଛ ? ମୋହରି ଯେ ତୁମଠାରେ ଅପରାଧର ସୀମା ନାହିଁ !

 

ତା’ର ଅପରାଧ କେଉଁଠି ଜାଣେ ନାହିଁ । ତଥାପି ପ୍ରତିବାଦ କଲି ନାହିଁ । ଆହୁରି କିଛିକ୍ଷଣ ପରେ ସେ ସହଜ ମୃଦୁ-କଣ୍ଠରେ କହିଲା, ଆଜି ଇ ଫେରୁଛ ?

 

କହିଲି, ହଁ ।

 

ଟିକିଏ ଅପେକ୍ଷା କରି ପୁଣି କହିଲା, ଛୁଟି ତ ତମର ପାଉଣା ଅଛି । ଆହୁରି କିଛିଦିନ ଯାଇ ବରଂ ଘରୁ ବୁଲି ଆସ ।

 

ପଚାରିଲି–କାହିଁକି ?

 

–କାହିଁକି ! ହତାଶ ଭାବରେ ଜବାବ ଦେଲା କାଞ୍ଚି । ସେ କଥା ବି କ’ଣ ତମକୁ କହି ଦେବାକୁ ହେବ ? କିଏ ଅଛି ତମର ସେଠି ? କିଏ ଦେଖିବ ? ଶୋଷକଲେ ଗ୍ଲାସେ ପାଣି ମାଗି ଯେ ଖାଇଜାଣେ ନାହିଁ, ତା’ର ଦୁର୍ଦ୍ଦଶାର କ’ଣ ସୀମା ଅଛି ? କେତେଦିନ ନ ଖାଇ ଶୋଇ ପଡ଼ିବ । ସେ କଥା ତ ମୁଁ ଆଖି ଆଗରେ ଦେଖି ପାରୁଛି । ନା ଛୁଟି ତମକୁ ନେବାକୁ ଇ ହେବ । ତାହା ନ ହେଲେ ମୁଁ ଭାରି ରାଗିବି ।

 

ହସି କହିଲି, ବେଶ୍‌ ତାହା ନ ହେଲେ ନେଲି । କିନ୍ତୁ ଛୁଟିର ତ ପୁଣି ଶେଷ ଅଛି । ତା’ପର ?

 

–ତା’ପରେ ଯେତେବେଳେ ଫେରିବ, ବାହାସାହା ହୋଇ ବହୂ ନେଇ ଫେରିବ ।

 

ତା’ର ଉଦବେଗ-ବ୍ୟାକୁଳ ଆଖି ଯୋଡ଼ିକୁ ଚାହିଁ କହିଲି, ତାହା ମୁଁ ହେଲେ ଇ ତମେ ସୁଖୀ ହେବ, କାଞ୍ଚି ?

 

ହେବି ନାହିଁ ? ତମେ ଭଲରେ ଅଛ, ସୁଖରେ ଅଛ, ତମର କୌଣସି କଷ୍ଟ ନାହିଁ–ଦୂରରେ ଥାଇ ଏତକ ଯଦି ଶୁଣିବାକୁ ପାଏଁ, ତାହା ଇ ତ ମୋର ପରମ ସୁଖ । ଆହୁରି ବୋଧହୁଏ କିଛି କହିବାକୁ ଇଚ୍ଛା ଥିଲା । କିନ୍ତୁ ସ୍ୱରଟା ରୁଦ୍ଧ ହୋଇଗଲା । ରକ୍ତାକ୍ତ ଗଣ୍ତରୁ ଝରି ପଡ଼ିଲା ଟୋପା କେତେ ଅବାଧ୍ୟ ଅଶ୍ରୁ ।

 

ଯିବାର ସମୟ ହୋଇ ଯାଇଥିଲା । ଓଢ଼ଣା ପ୍ରାନ୍ତରେ ଅଶ୍ରୁଧାରା ପୋଛି ପକାଇ ସେ ଧୀରେ ଧୀରେ ଆଗେଇ ଆସିଲା । ଭୂଇଁରେ ବସିପଡ଼ି ମୋ ପାଦ ଉପରେ ମୁଣ୍ତ ଥୋଇ ପ୍ରଣାମ କଲା । ବାଧା ଦେଲିନାହିଁ । ନଇଁପଡ଼ି ଡାହାଣ ହାତ ତା’ ପିଠିରେ ରଖି ମନେମନେ ବୋଧହୁଏ ଆଶୀର୍ବାଦ ଇ କଲି । ସାରାଦେହଟା ତା’ର ଥରି ଉଠିଲା । ପର ମୁହୂର୍ତ୍ତରେ ବନ୍ୟାରେ ବନ୍ଧ ଭାଙ୍ଗିଗଲା ପରି ଅଶ୍ରୁ ଉଛୁଳି ଉଠିଲା । ସେହି ଅଶ୍ରୁଧାରାର ଗୋପନ ଉଷ୍ଣ ସ୍ପର୍ଶ ମୋହରିଠାରେ କେବଳ ଗୋପନ ହୋଇ ରହିଲା । ମୋର ଏହି ତୁଚ୍ଛ ପାଦ ଯୋଡ଼ିକ ରହିଲା ତାହାର ଏକମାତ୍ର ଗୋପନ ସାକ୍ଷୀ ।

 

କାଞ୍ଚିକୁ ଏତେକାଳ କେବଳ ହସିବାକୁ ଇ ଦେଖିଅଛି । ଉଚ୍ଛ୍ୱସିତ ରଜତଧାରା ଭଳି ହସ; ସଂସାରରେ ଯାହାର ତୁଳନା ନାହିଁ । ଆଜି ବିଦାୟ ମୁହୂର୍ତ୍ତରେ ଦେଖିଲି ତା’ର କାନ୍ଦ । ହୃଦୟ ନିଗଡ଼ା ଦୁର୍ବାର-କାନ୍ଦ; ତାହାର ମଧ୍ୟ କୌଣସି ତୁଳନା ନାହିଁ ।

 

ଆଠ

 

୧୭୫୭ ଠାରୁ ୧୯୩୦–ପୂରା ଦିଓଟି ଶତାବ୍ଦୀ ମଧ୍ୟ ନୁହେଁ । ଇତିହାସର ଅନନ୍ତ ପ୍ରବାହରେ ଗୋଟିଏ ସାନ ବିଲୟମାନ ବୁଦ୍‌ ବୁଦ୍‍ । କିନ୍ତୁ କିପରି ପ୍ରଚଣ୍ତ ତା’ର ଆଲୋଡ଼ନ ! କିଭଳି ସୁଦୂର ପ୍ରସାରୀ ଗଭୀର ଆବର୍ତ୍ତ ସେ ରଚନା କରିଗଲା, ଏହି ସୁପ୍ରାଚୀନ ଜାତିର ବହୁମୁଖୀ ଜୀବନ ଧାରାରେ !

 

ଏହି ହତଭାଗ୍ୟ ଜାତି ଉପରେ ବିଦେଶୀ ବିଜେତାର ପଦାଘାତ ତ ନୂଆ ନୁହେଁ ! ଠିକ୍‌ ଏହାରି ପୂର୍ବରୁ ସାତ ଶହ ବର୍ଷ ଧରି ଆସ୍ଫାଳନ କରିଯାଇ ଅଛନ୍ତି । ପଠାଣ, ମୋଗଲ, ତୁର୍କୀ–କେତେ ସୁଲତାନ ମାମୁଦ, ଚେଙ୍ଗିଜ୍‌ ଖାଁ, ଆଲ୍ଲାଉଦ୍ଦିନ ଖିଲିଜ, ଔରଙ୍ଗଜେବଙ୍କ ଦଳ । ରକ୍ତ ସ୍ରୋତରେ ଭାସି ଯାଇଛି ନଦୀ, ଗିରି, ଜନପଦ; କଳୁଷିତ ହୋଇଛି ଦେବ ମନ୍ଦିର; ଲାଞ୍ଛିତ ହୋଇଛି ନାରୀ । କିନ୍ତୁ ଭାରତର ଅନ୍ତରାତ୍ମା ଧରା ଦେଇନାହିଁ । ସେହି ସାତଶହ ବର୍ଷର ଇତିହାସ ଯେପରି ଗୋଟିଏ କାଳରାତ୍ରିର ଦୁଃସ୍ୱପ୍ନ; ଯେପରି ଜଳସ୍ରୋତ ଉପରେ ଚଳନ୍ତା ମେଘର ଛାୟା ।

 

କିନ୍ତୁ ଇଂରେଜ କେବଳ ଦିଗ୍‌ବିଜୟୀ ନୁହେଁ । ରାଜ୍ୟଜୟ ଓ ଧନ ଲୁଣ୍ଠନ କରି ହିଁ ସେ କ୍ଷାନ୍ତ ହେଲା ନାହିଁ । ସେ କାଢ଼ି ନେବାକୁ ଚାହିଁଲା ମନୁଷ୍ୟତ୍ୱ । ତା’ର ବିଷବୃକ୍ଷର ବିଷାକ୍ତ ଚେର ଧୀରେ ଧୀରେ ପ୍ରବେଶ କଲା ଏହି ଉର୍ବର ଦେଶର ଅସ୍ଥିମଜ୍ଜାରେ । ବିଷକ୍ରିୟାରେ ମୋହାଚ୍ଛନ୍ନ ହୋଇଗଲା ଗୋଟିଏ ସୁବିଶାଳ ଜାତିର ସମଗ୍ର ଚେତନା । ମୋହଗ୍ରସ୍ତ ମୂଢ଼ ଭଳି ସେ ତା’ର ସମସ୍ତ ଚେତନା, ତା’ର କର୍ମୈଷଣା, ତା’ର ପ୍ରତିଭା, ନିୟୋଜିତ କଲା ବିଦେଶୀ ସାମ୍ରାଜ୍ୟର ପରିଚର୍ଯ୍ୟାରେ-

 

ଏହିପରି ବର୍ଷ ପରେ ବର୍ଷ ବିତିଗଲା । ତା’ପରେ ଦିନେ ଶତାବ୍ଦୀର ମୋହନିଦ୍ରାରୁ ଜାଗି ଉଠିଲେ ଦଳେ ମୁଷ୍ଟିମେୟ ଲୋକ । ସଭୟରେ ଦେଖିଲେ ସେମାନେ, ବିରାଟକାୟ ଶ୍ୱେତାଙ୍ଗ ଅକ୍ଟୋପାଶ ଲୁହାର ବନ୍ଧନରେ ସମଗ୍ର ଜାତିର କଣ୍ଠକୁ ବେଢ଼ି ରହିଅଛି । ପ୍ରାଣ ଯିବା ଉପରେ । ମୁକ୍ତି-ଆଶାରେ ପହିଲେ ଆରମ୍ଭ ହେଲା ଆବେଦନ-ନିବେଦନ । ତା’ପର ତର୍ଜନ ଗର୍ଜନ । କିନ୍ତୁ ବନ୍ଧନ ଶିଥିଳ ହେଲା ନାହିଁ । ଯନ୍ତ୍ରଣାର ତାଡ଼ନାରେ ଦୁଇ ଚାରିଟା ମୂର୍ଖଙ୍କର ଦଳ ଏଠି-ସେଠି ଛଟପଟ କଲେ । ଦେଖାଦେଲା ୧୮୫୭ ତା’ପରେ ୧୯୦୫ । କିନ୍ତୁ ଯେତେ ଉଦ୍ଧତ ଶିରଥିଲା ସାମ୍ରାଜ୍ୟର ଷ୍ଟିଲରୋଲର ତାକୁ ଗୁଣ୍ତ କରିଦେଇ ଗଲା ।

 

କିଛିଦିନ ବିତିଗଲା । ୧୯୨୧ ସାଲର ବସନ୍ତ କାଳ । ସହସା ଦିନେ ଭାରତର ପଶ୍ଚିମ ପ୍ରାନ୍ତରୁ ବାହାରି ଆସିଲା ଜଣେ ଅର୍ଦ୍ଧନଗ୍ନ ଫକୀର–କ୍ଷୀଣ ତା’ର ଦେହ, ପରିଧାନରେ କଟିବାସ, ମୁହଁରେ ରହସ୍ୟମୟ ହସ । ବ୍ରିଟିଶ୍‌-ସିଂହକୁ ଆହ୍ୱାନ କରି କହିଲା, ହେ ପଶୁରାଜ, ଆମେ ନିରସ୍ତ୍ର, କିନ୍ତୁ ତମର ଦଂଷ୍ଟ୍ରାଘାତକୁ ଭୟ କରୁନାହିଁ । ତମର ବିଜୟ–ରଥର ଚକରେ ଆମେ ଏତେଦିନ ତେଲ ଯୋଗାଇ ଆସିଛୁଁ । ଆଜିଠାରୁ ଆଉ ଯୋଗାଇବୁଁ ନାହିଁ । ଆମରି ଦେଶର ବୁକୁର ପଞ୍ଜରା ଗୁଣ୍ତ କରିଦେଇ ଆମେଇ ତ ତାକୁ ଟାଣିନନେଇ ବୁଲିଅଛୁଁ । ସେହି ଦଉଡ଼ା ମଧ୍ୟ ଛାଡ଼ି ଦେଲୁଁ । ତମ ସହିତ ଆମର ବିରୋଧ ନାହିଁ, ତମ ସହିତ ଆମର ଅସହଯୋଗ ।

 

ବୈରାଗୀର କ୍ଷୀଣକଣ୍ଠରେ ଏତେ ଶକ୍ତି ଥିଲା, କିଏ ଜାଣିଥିଲା ? ଆସମୁଦ୍ର ହିମାଚଳ କମ୍ପି ଉଠିଲା । ଦେଢ଼ଶହ ବର୍ଷର ଶାସନ-ପ୍ରତିଭା ନେଇ ଗଢ଼ା ଯେଉଁ କୀର୍ତ୍ତିସ୍ତମ୍ଭ, ତାହା ମୂଳରେ ଫାଟ ଦେଖାଦେଲା । କିନ୍ତୁ ତାହା କ୍ଷଣିକ ପାଇଁ । ଝଡ଼ ତୋଫାନ ବନ୍ଦ ହୋଇଗଲା, ପଡ଼ିରହିଲା ତା’ର ଅବସାଦ । ରାଜଶକ୍ତିର ଜୟରଥ ପୁଣି ଚାଲିଲା ଘର୍ଘର ଶବ୍ଦରେ ଚାରିଆଡ଼ ମୁଖରିତ କରି । ଯେଉଁମାନେ ଦଉଡ଼ା ଛାଡ଼ି ଦେଇଥିଲେ, ସେମାନେ ଆସି ପୁଣି ଧରିଲେ । ଦୁଇ-ଚାରି ଜଣ କେବଳ ଛିଡ଼କି ପଡ଼ି ରହିଲେ ଏଠି ସେଠି; ମିଳେଇ ଗଲେ ବିସ୍ମୃତିର ଅତଳ ଗର୍ଭରେ ।

 

ଦଶଟି ବର୍ଷ ନ ପୂରୁଣୁ ପୁଣି କେଉଁଠୁ ଫେରି ଆସିଲା ସେହି ଶୀର୍ଣ୍ଣକାୟ ଫକୀର । ଦେହ କ୍ଷୀଣତର; କିନ୍ତୁ ଲଲାଟରେ ବଜ୍ରର ଦୃଢ଼ତା । ତା’ର ଉଦାର କଣ୍ଠରୁ ଧ୍ୱନିତ ହେଲା, ହେ ଯନ୍ତ୍ରରାଜ ବିଭୂତି, ଆମ ଜୀବନର ସ୍ୱଚ୍ଛନ୍ଦଧାରା ରୁଦ୍ଧକରି ଗଢ଼ି ଚାଲିଅଛ ଯେଉଁ ପର୍ବତ ପ୍ରମାଣ ଯନ୍ତ୍ର, ତାହାର ବାଧା ନିଷେଧର ଜଞ୍ଜାଳ ଆମେ ମାନିବୁ ନାହିଁ । ସେହି କଣ୍ଠ ଦିଗଦିଗରେ ଧ୍ୱନିତ ହେଲା–ଆମେ ମାନିବୁ ନାହିଁ । ବାହାରି ଆସିଲେ ହଜାର ହଜାର ନିପୀଡ଼ିତଙ୍କର ଦଳ, ଜୀବନର ନାନା କ୍ଷେତ୍ର, ସମାଜର ନାନା ସ୍ତରରୁ । ସମସ୍ତଙ୍କର କଣ୍ଠରେ ଏକା ସୁର–ଆମେ ମାନିବୁ ନାହିଁ ।

 

ବ୍ରିଟିଶ-ସିଂହର ଦମ୍ଭଦୀପ୍ତ ଲଲାଟରେ ଜାଗି ଉଠିଲା ଚିନ୍ତା ରେଖା । ଏହା କିପରି ସମ୍ଭବ ହେଲା ? ଯେଉଁମାନେ ଥିଲେ ଚିରକାଳର much obedient servant ତାଙ୍କ ମୁହଁରେ disobedienceର ଧ୍ୱନି ! କିନ୍ତୁ ଭାବିବାକୁ ବେଳ ନାହିଁ । ଚ୍ୟାଲେଞ୍ଜ ଗ୍ରହଣ କଲେ ସାମ୍ରାଜ୍ୟ-ଶକ୍ତି । ଆମେ ଇଂରେଜ । ଆମ ରାଜ୍ୟରେ ସୂର୍ଯ୍ୟାସ୍ତ ନାହିଁ । ଚଲାଅ ରିପ୍ରେଶନ୍‌ । ଯନ୍ତ୍ରରାଜ ବିଭୂତି ତା’ର ପେଷଣଯନ୍ତ୍ର ଚଳାଇ ଦେଲା । ଯେଉଁମାନେ ପେଷି ହୋଇଗଲେ, ସେମାନେ ତ ମଲେ; ଯେଉଁମାନେ ବଞ୍ଚିରହିଲେ, ସେମାନେ ବନ୍ଦୀ ହେଲେ ଦେଶବ୍ୟାପୀ ଲୁହାର ପିଞ୍ଜରାରେ । ତାହାରି ଗୋଟିଏ କ୍ଷୁଦ୍ର ପିଞ୍ଜରା ଜଗି କରି ରହିଅଛୁଁ ଆମେ କେତୋଟି ଯନ୍ତ୍ର ରାଜ୍ୟର ଅନୁଚର, ଏହି ଦୁର୍ଭେଦ୍ୟ ପାହାଡ଼ବେଷ୍ଟିତ ହିମାଳୟର ଅରଣ୍ୟରେ । କିନ୍ତୁ ପଥରର କର୍ମ ଭେଦକରି ବହିର୍ଜଗତରେ ତୁମୂଳ କୋଳାହଳ ଏବେ ସୁଦ୍ଧା ଏଠାରେ ଆସି ପହଞ୍ଚି ନାହିଁ । ଇଂରେଜର ସ୍ନେହପୁଷ୍ଠ, କୃପାଭାଜନ ଏହି ପାହାଡ଼ୀ ଜାତି ଚା’, ସିଗାରେଟ ଓ ମଦ–ଏହି ତିନିଦଫା ମହାନିଶାରେ ନିସ୍ତେଜ ହୋଇ ପଡ଼ି ରହିଛନ୍ତି । ଯଦି ଅବା ଗୋଟିଏ ଯୋଡ଼ିଏ ମୁଣ୍ତ ଟେକିଥିଲେ ଚାକିରି ବା ଖିତାବର ମର୍ଫିୟା ଖାଇ ପୁଣି ଅଚେତନ ହୋଇପଡ଼ିଛନ୍ତି ।

 

ସୁତରାଂ ଆମେମାନେ ବେଶ୍‍ ଆନନ୍ଦରେ ଅଛୁ । ଆମର ଏହି ପିଞ୍ଜରାରେ ହିଁ ସେମାନଙ୍କର ବସା । ଯେଉଁମାନେ ଖାଆନ୍ତି, ପିଅନ୍ତି, ନିର୍ଦ୍ଦିଷ୍ଟ କାଇଦାରେ ହାତ ଗୋଡ଼ ହଲାନ୍ତି ଏବଂ ନିରୁପଦ୍ରବରେ ନିଦ୍ରା ଯାଆନ୍ତି; ଅନର୍ଥକ ଡେଣା ଝାପଟାରେ ମୁନିବର ଶାନ୍ତିଭଙ୍ଗ କରନ୍ତି ନାହିଁ-। ଭଗବାନଙ୍କୁ ଡାକୁଅଛି ହେ ଠାକୁର ! ଆମର ଏହି ମହାଶାନ୍ତି ଅକ୍ଷୁଣ୍ଣ ରହୁ । ଚୋର, ଡକାଇତ ଆଉ ତଣ୍ଟି କଣ୍ଟାଙ୍କୁ ନେଇ ମହାସୁଖରେ ଦିନଗୁଡ଼ାକ କଟିଯାଉ । କିନ୍ତୁ ମୋର ଏହି ପ୍ରାର୍ଥନାରେ ମୋବାରକ ଅଲ୍ଲିଙ୍କର ଯୋଗ ନାହିଁ । ହାତଟା ତାଙ୍କର ନିସ୍‌ପିସ୍‌ କରି କହୁଛି–ଦୁଇ ଚାରିଟା ଅବାଗିଆ ସ୍ୱଦେଶୀଙ୍କୁ ସିଧା କରିବାର ଯଦି ସୁଯୋଗ ନ ମିଳିଲା, ତେବେ ତାଙ୍କର ଜେଲର-ଜନ୍ମ ହିଁ ବୃଥା । ଶେଷ ଆଡ଼କୁ ମୋବାରକ ଅଲ୍ଲିଙ୍କର ମନୋବାଞ୍ଛା ଇ ପୂର୍ଣ୍ଣ ହେଲା । କଲିକତାର କୌଣସି ଜେଲ୍‍ରୁ ହଠାତ୍‌ ଦିନେ ପଠାଇଦେଲେ ଗୋଟିକେତେ ନାମଜାଦା ‘‘ସ୍ୱଦେଶୀ’’ ଓ ‘‘ସ୍ୱଦେଶିନୀ’’-। ସେଠାକାର ହାଓ୍ୱାକୁ ସେମାନେ ଏତେ ଗରମ କରିପକାଇ ଥିଲେ ଯେ ଏହି ହିମ-ଶୀତଳ ନିର୍ବାସନର ଆଶ୍ରୟ ନେବା ଛଡ଼ା କର୍ତ୍ତୃପକ୍ଷର ଆଉ କିଛି ଉପାୟ ନଥିଲା ।

 

ସ୍ୱଦେଶିନୀ ଯେଉଁମାନେ ଆସିଲେ ତାଙ୍କ ମଧ୍ୟରେ ଥିଲେ ଜଣେ ଶ୍ରୀମତୀ ତପତୀ ଦାସ-। ଆମଦାନି ବହିରେ ତାଙ୍କର ନାମଧାମ ଯେଉଁଠି ଲେଖାଯାଏ ଜେଲର ସାହେବ ଦାସ କାଟି ଦାସୀ କରାଇଦେଲେ । ଜେଲରେ ଯେଉଁମାନେ ନବାଗତ, ହସ୍‍ପିଟାଲର ରୋଗୀମାନଙ୍କ ଭଳି ସେମାନେ ଖଣ୍ତିଏ ଲେଖା ଟିକଟ ପାଆନ୍ତି, ଯାହାର ଉପରଆଡ଼କୁ ଥାଏ ନାମ ଓ ଅନ୍ୟାନ୍ୟ ବିବରଣ ଏବଂ ତାହା ସଂଗ୍ରହ କରାହୁଏ ଆମଦାନି ବହିରୁ । ଶ୍ରୀମତୀ ଦାସଙ୍କ ହାତରେ ଯଥା ସମୟରେ ଏହି ‘ଦାସୀ’ ମାର୍କା ଟିକଟ ଯାଇ ପହଞ୍ଚିଲା । ସଙ୍ଗେ ସଙ୍ଗେ ଜନାନା ଫାଟକରେ ଆଗ୍ନେୟଗିରିର ଆବିର୍ଭାବ । ପରଦିନ ସ-ପାରିଷଦ ସୁପାରଙ୍କର ଦର୍ଶନ ମାତ୍ରକେ ଆରମ୍ଭ ହୋଇଗଲା ଉଦ୍‌ଗୀରଣ-। ଯେଉଁ ବସ୍ତୁ ଉତ୍‌କ୍ଷୀପ୍ତ ହେଲା, ତାହା ମଧ୍ୟରେ ନିଆଁ ଯେତେ ଥିଲା ତାହାଠାରୁ ବେଶୀ ଥିଲା କାଦୁଅ । ଆମେମାନେ ନୀରବରେ ମୁଣ୍ତ ନୁଆଁଇ ତାକୁ ଗ୍ରହଣ କଲୁଁ । ମିଷ୍ଟର ରାୟ ମୋବାରକ ଅଲ୍ଲିଙ୍କୁ ଅନାଇ ଜାଣିବାକୁ ଚାହିଁଲେ, କଥା କ’ଣ ?

 

ଜେଲର ସାହେବ ତାଚ୍ଛଲ୍ୟର ସହିତ କହିଲେ, କଥା କିଛି ନୁହେଁ, ସ୍ୟାର୍‍ । ଖଣ୍ତିଏ ଓ୍ୱାରେଣ୍ଟରେ କିଛି ଗ୍ରାମାର ଭୁଲ୍‍ ଥିଲା, କରେକ୍ଟ କରିଦେଇଛି ।

 

–ଗ୍ରାମାର ଭୁଲ୍‍ କି ରକମ ?

 

ଜେଲର ସାହେବ ମୋ ଆଡ଼କୁ ଗୋଟାଏ ବଜ୍ର ଦୃଷ୍ଟି ନିକ୍ଷେପ କରି କହିଲେ, ବି.ଏ., ଏମ୍‌.ଏ. ନକଲେ ବି ପିଲାଦିନେ ବଙ୍ଗଳା ବ୍ୟାକରଣଟା ଭଲକରି ପଢ଼ିଥିଲି । ଯେତେଦୂର ଜାଣେ ‘ଦାସ’ ଶବ୍ଦଟା ପୁଲିଙ୍ଗ ସ୍ତ୍ରୀଲିଙ୍ଗରେ ହୁଏ ‘ଦାସୀ’ । ‘‘ସ୍ୱଦେଶୀ’’ କରିବାକୁ ଗଲେ ଯେ ଲିଙ୍ଗ ପ୍ରକରଣ ବାତିଲ ହୋଇଯାଏ, ଏକଥା ଜଣା ନଥିଲା ।

 

ସୁପାର ସାହେବ ଅନ୍ୟ ଆଡ଼କୁ ମୁହଁ ଫେରାଇଲେ । ବନ୍ଦିନୀମାନଙ୍କ ମଧ୍ୟରୁ ଜଣେ ଦୁଇଜଣ ଯେଉଁମାନେ ଟିକିଏ ବୟସ୍କା ନୀରବରେ ଘରକୁ ଚାଲିଗଲେ । ମିସ୍‌ ଦାସ ଦେଲେ ହଙ୍ଗର ଷ୍ଟ୍ରାଇକର ନୋଟିସ ।

 

ଶେଷ ପର୍ଯ୍ୟନ୍ତ ସରକାରଙ୍କପକ୍ଷର ହିଁ ପରାଜୟ ହେଲା । ସେତେବଡ଼ ଜଣେ ଅଭିଜ୍ଞ ଜେଲରଙ୍କ ବ୍ୟାକରଣ-ନିଷ୍ଠାର ମର୍ଯ୍ୟାଦା ରକ୍ଷା ହେଲା ନାହିଁ । ଶ୍ରୀମତୀ ପୁଣି ଦାସୀରୁ ଦାସରେ ରୂପାନ୍ତର ଲାଭକଲେ ।

 

ରେଲଯାତ୍ରୀଙ୍କ ପରି ଜେଲ୍‍ ଯାତ୍ରୀଙ୍କର ମଧ୍ୟ ତିନୋଟି ଶ୍ରେଣୀ–ପ୍ରଥମ, ଦ୍ୱିତୀୟ ଓ ତୃତୀୟ । କିନ୍ତୁ ରେଲର କାମରା ଯେପରି ଯାତ୍ରୀ ନିଜେ ଇ ବାଛି ନିଏ, ଜେଲର କାମରା ସ୍ଥିରକରି ଦିଅନ୍ତି ଦଣ୍ତଦାତା ବିଚାରକ । ‘‘ସ୍ୱଦେଶୀ’’ ମହିଳାମାନଙ୍କର ଥିଲା ପ୍ରଥମ ଶ୍ରେଣୀର ଟିକଟ । କାରଣ–କେତେକଟା ସାମାଜିକ, କେତେକଟା ରାଜନୈତିକ ଏବଂ ବେଶୀ ଭାଗ ବୋଧହୁଏ ରୋମାଣ୍ଟିକ୍‌ । କାରଣ ଟିକଟ-ଦାତା ହାକିମ ପୁରୁଷ ଜାତୀୟ । ଏମାନଙ୍କର ଶ୍ରେଣୀ କେବଳ ପ୍ରଥମ ନୁହେଁ । ଦଣ୍ତଟା ମଧ୍ୟ ଥିଲା ଅଶ୍ରମ । ଅତଏବ ଭୋଜ୍ୟ ଓ ଭୋଗ୍ୟ ବସ୍ତୁର ଅକୃପଣ ସମାବେଶ । କିନ୍ତୁ ଉପକରଣଟା ହିଁ କେବଳ ଭୋଗର ଏକମାତ୍ର ଉପାଦାନ ନୁହେଁ । ତାକୁ ଉପଭୋଗ୍ୟ କରିବାପାଇଁ ମଣିଷଙ୍କ ହାତ ପ୍ରୟୋଜନ । ସେହି ମଣିଷର ଅଭାବ ନାହିଁ, ଜେଲ୍‍ଖାନାରେ । ମୁଷ୍ଟିମେୟ ପ୍ରଥମ ଶ୍ରେଣୀଙ୍କ ପାଇଁ ଗତର ଖଟାଇବେ ଅପରିମେୟ ତୃତୀୟ ଶ୍ରେଣୀ–ଏହି ଧାରା ତ ଚାଲି ଆସୁଛି ସମାଜରେ, ରାଷ୍ଟ୍ରରେ; ସେହି ଆରିଷ୍ଟେଟଲଙ୍କ ‘‘ସିଟି ଷ୍ଟେଟ’’ରୁ ଆରମ୍ଭ କରି ଅତି ଆଧୁନିକ ‘ପିଉପିଲସ୍‌ ଡେମୋକ୍ରାସି’ ପର୍ଯ୍ୟନ୍ତ । ଜେଲ୍‍-ତନ୍ତ୍ରରେ ଅବା ତାହାର ବ୍ୟତିକ୍ରମ ହେବ କ’ଣ ପାଇଁ ? ତେଣୁ ପ୍ରଥମ ଶ୍ରେଣୀର କଇଦୀଙ୍କ ପରିଚର୍ଯ୍ୟ କରି ଧନ୍ୟ ହୁଅନ୍ତି ତୃତୀୟ ଶ୍ରେଣୀର କଇଦୀ । ‘ସରଭ୍ୟାଣ୍ଟ’ କହିଲେ କାଳେ ଏମାନଙ୍କର ଶୁଭାନୁଧ୍ୟାୟୀମାନେ କଳୁଷିତ ହୁଅନ୍ତି, ତେଣୁ ବହିରେ ଏମାନଙ୍କର ନାମ ‘‘ଆଟେନଡାଣ୍ଟ’’ । ଜେଲ୍‍ ପରିଭାଷାରେ କହନ୍ତି ‘‘ଫାଲତୁ ।’’

 

ଗୋଟିଏ ଅଳ୍ପବୟସୀ ପାହାଡ଼ୀ ଝିଅ ‘‘ସ୍ୱଦେଶିନୀ’’ମାନଙ୍କର ନାମ କରୁଥିଲା । ହଠାତ୍‌ ଦିନେ ଶ୍ରୀମତୀ ବାନାର୍ଜି ଓ ଶ୍ରୀମତୀ ଲାହା ଜିଦ୍‌ ଧରିଲେ, ଏଇ ଝିଅ ଚଳିବ ନାହିଁ ।

 

କହିଲି, କ’ଣ ପାଇଁ ?

 

–କାରଣ ଦେଖାଇବାଟା ଆମେ ପ୍ରୟୋଜନ ମନେକରୁ ନାହୁଁ । ମୁଁ ସବିନୟରେ କହିଲି, ସେ ତ ନିଶ୍ଚୟ, ଆପଣମାନେ କହୁଛନ୍ତି, ତାହାଇ ଯଥେଷ୍ଟ । ମୁଁ କେବଳ ଜାଣିବାକୁ ଚାହୁଁଥିଲି, ସେ କ’ଣ କାମଦାମ ଠିକ୍‍ ମୁତାବକ କରିବାକୁ ଚାହୁଁ ନାହିଁ ?

 

ମିସ୍‌ ଲାହା ଗୋଟିଏ ଦୃପ୍ତଭଙ୍ଗୀ କରି କହିଲେ, ଆମେ ଯାହା କହିଅଛୁ, ତାହାଠାରୁ ବେଶୀ ଆଉ କିଛି କହିବାକୁ ଚାହୁଁ ନାହୁଁ ।

 

ଏହା ଉପରେ ଆଉ କଥା ନାହିଁ । ପରିଚାରିକାର ପରିବର୍ତ୍ତନ ହେଲା ।

 

ପରିଦିନ ଓପରଓଳି, ସ୍ୱଦେଶୀ ଓୟାର୍ଡର ଚିଠିଗୁଡ଼ିକ ପଢ଼ି ଦେଖୁଥିଲି, ଡାକକୁ ଦେବା ଆଗରୁ ଜେଲ୍‍ର ଭାଷାରେ ଯାହାକୁ କହନ୍ତି ‘ସେନ୍‌ସର’ । ସେତେବେଳେ ନୂଆ ନୂଆ ଚାକିରି, ମନଟା ପରିପକ୍ୱ ହୋଇନାହିଁ । ଏହା ପରର-ଚିଠି ପଢ଼ିବା କଥାଟା କିପରି ଗୋଟାଏ ଅଶିଷ୍ଟ ଓ ଅଶୋଭନ ମନେ ହେଉଥିଲା । ‘‘ସ୍ୱଦେଶୀ’’ ମହିଳାଙ୍କର ଯେଉଁଦିନୁ ଆବିର୍ଭାବ ହେଲା, ସେମାନଙ୍କର କଞ୍ଚା ହାତର ଲେଖା ଦୀର୍ଘପତ୍ର ହାତକୁ ଆସିବାକୁ ଆରମ୍ଭ ହେଲା, ସେତେବେଳେ ବୁଝିଲି, ସଙ୍କୋଚଟା ମୋ ଆଡ଼ୁ ଯେତେ ହେଉ ପଛକେ, ତାଙ୍କଆଡ଼ୁ ଏକାନ୍ତ ଅଭାବ । ତେଣୁ ସଙ୍କୋଚ ଭାବ କଟାଇବାକୁ ବେଶୀଦିନ ଲାଗି ନ ଥିଲା ।

 

ମିସେସ୍‌ ଚାଟାର୍ଜିଙ୍କର ଲେଖା ମୋଟ ଚିଠି ଖଣ୍ତିକ ଖୋଲିଲି । ତାଙ୍କର କୌଣସି ବାନ୍ଧବୀଙ୍କୁ ଦୀର୍ଘ ପାଞ୍ଚ ପତର ଲେଖା ହୋଇଛି । ସେହି ପାହାଡ଼ୀ ଝିଅଟିର ଉଲ୍ଲେଖ ଦେଖି କୌତୂହଳ ହେଲା । ଭୂମିକା ପରେ ମିସେସ୍‌ ଚାଟାର୍ଜି ଲେଖିଛନ୍ତି କାଲି ଆମେ ଖୁବ୍ ଗୋଟାଏ ବଡ଼କାମ କରିଅଛୁଁ । ଗୋଟିଏ ନେପାଳୀ ଝିଅ-କଇଦୀ ଆମର କାମଦାମ କରିଦେଉଥିଲା । ଝିଅଟି ଭାରି ଭଲ, ଶାନ୍ତ ଓ ବିଶ୍ୱାସୀ, କାମଦାମରେ ମଧ୍ୟ ଖୁବ୍‌ ତତ୍ପର । ହଠାତ୍‌ ଆମ କାନକୁ ଆସିଲା, ସେ ଜେଲ୍‍ ଖଟୁଛି, କୌଣସି ସୁସ୍ପଷ୍ଟ କାରଣରୁ ସ୍ୱାମୀଙ୍କୁ ବିଷ ଖୁଆଇ ମାରିଥିଲା ବୋଲି । ଏପରି ସ୍ତ୍ରୀଲୋକର ଘୃଣ୍ୟ ସାନ୍ନିଧ୍ୟ ଆମପରି ସୁସଭ୍ୟ ସୁନୀତି-ପରାୟଣା ମହିଳାମାନଙ୍କର ଅବଶ୍ୟ ବର୍ଜନୀୟ । ଅତଏବ, ଆମେମାନେ ଜିଦ୍‌ ଧରିଲୁଁ, ତାକୁ ତଡ଼ିବାକୁ ହେବ । କର୍ତ୍ତୃପକ୍ଷ ଅନିଚ୍ଛାସତ୍ତ୍ୱେ ବାଧ୍ୟହେଲେ । ତାକୁ ଯେତେବେଳେ ତା’ର ନିଜ ଓୟାର୍ଡକୁ ଚାଲିଯିବାକୁ କୁହାହେଲା ଝିଅଟାର ଆଖି ଯୋଡ଼ିକ ଛଳଛଳ କରୁଥିଲା; କିନ୍ତୁ ସେ ସବୁ ତୁଚ୍ଛ ସେଣ୍ଟିମେଣ୍ଟକୁ ପ୍ରଶ୍ରୟ ଦେବାକୁ ଗଲେ ଆମର ମର୍ଯ୍ୟାଦା ରହେ ନାହିଁ । ଏବେ ଯିଏ ଆସିଛି, ସେ ଲୁଗା ଚୋରି କରିଥିଲା । ଅତଏବ ଆମେ ନିରାପଦ ।

 

ସାରା ରାତି ମୁଁ ସେହି ଝିଅଟି କଥା ଭାବିଅଛି । ସ୍ୱାମୀଙ୍କୁ ସେ ବିଷ ଖୁଆଇ ମାରିଛନ୍ତି । ଆଉ, ମୁଁ କ’ଣ କରିଅଛି ? ମୋର ଅନ୍ତର, ମୋର କଣ୍ଠ, ମୋର ପ୍ରତିଦିନର ଆଚରଣରୁ ଯେଉଁ ବିଷ ଝରି ପଡ଼ିଅଛି, ତାହା କି ମୋର ସ୍ୱାମୀ ଓ ତାଙ୍କର ପରିଜନମାନଙ୍କୁ ଜର୍ଜର କରି ପକାଇ ନାହିଁ-? ଏକାଦିନକେ ମାରିପକାଇବାଟା ହିଁ ମାରିପକଇବା । ଆଉ ତିଳ ତିଳ ପଳ ପଳ କରି ମାରିଲେ କି ମାରିବା ନୁହେଁ । ସେହି ଝିଅଟା କ’ଣ ମୋ’ଠାରୁ ବେଶି ଅପରାଧୀ ?

 

ମୁଁ ଏକା ନୁହେଁ । ମୋ ପରି ଆଧୁନିକାମାନେ, ଯେଉଁମାନେ ଆଜି ଘର ଛାଡ଼ି ଅଛନ୍ତି, କିମ୍ବା ଘରେ ଥାଇ ମଧ୍ୟ ଘରର ବନ୍ଧନ ସ୍ୱୀକାର କରୁ ନାହାନ୍ତି, ସମସ୍ତଙ୍କର ସେହି ଏକା ଇତିହାସ । ଆମେ ସମସ୍ତେ ବିଷକନ୍ୟାଙ୍କର ଦଳ । ସ୍ୱାତନ୍ତ୍ର୍ୟ, ସ୍ୱାଧୀନତା, ମର୍ଯ୍ୟାଦା ଓ ନାରୀ-ପ୍ରଗତିର ଫଣା ଟେକି ଆମେ ଆମର ଘର ଦୁଆର, ସ୍ୱାମୀ, ପୁତ୍ରକନ୍ୟା, ଶାଶୁ, ନଣନ୍ଦ, ଦିଅର, ଦେଢ଼ଶୁର ସଭିଙ୍କର ଦେହରେ ନିର୍ବିଚାରରେ ବିଷ ଢାଳି ବୁଲୁଅଛୁଁ । ତେଣୁ ସଂସାର ବି ଆମଠାରେ ବିଷମୟ । ଘର ଆମକୁ ଧରି ରଖି ପାରିଲା ନାହିଁ ।

 

ମୋର ମା’ଙ୍କୁ ମନେ ପଡ଼ୁଅଛି । ବାବା ଥିଲେ ସାମାନ୍ୟ କିରାଣି । ମଣିଷ ହିସାବରେ ମଧ୍ୟ ଅତି ସାମାନ୍ୟ ଅଫିସର । ସେ ଯେତେବେଳେ ଫେରୁଥିଲେ, ତାହା ଆଗରୁ ମା ଆମକୁ ସାବଧାନ କରି ଦେଇଥିଲେ, ଯେପରି ପାଟି ହୁରି ଗୋଳମାଳ ନ କରୁଁ । ବଙ୍ଗଳାରେ ଆସି ଠିଆହେଲେ ମା ନିଜ ହାତରେ ତାଙ୍କ ଜୋତାର ଫିତା ଖୋଲି ଦେଉଥିଲେ । ତା’ପରେ ସଯତ୍ନରେ ଠାଆ କରି ଲିପା ଜାଗାକୁ ଆଉଥରେ ଲିପି ଦେଇ କେତେ ଯତ୍ନରେ ଦୁଇଖଣ୍ତ ରୋଟି, ଟିକିଏ ତରକାରୀ ତାଙ୍କ ଆଗରେ ଥୋଇ ଦେଇ, ହାତରେ ପଙ୍ଖା ନେଇ ବସୁଥିଲେ । ଆମର ସେଠାକୁ ଯିବାର ହୁକୁମ ନଥିଲା । ବାବା ଯେବେ ଆମପାଇଁ କିଛି ରଖିବାକୁ ଚାହୁଁଥିଲେ, ମା ଭୀଷଣ ରାଗୁଥିଲେ । ସେଥିରୁ ପୁଣି କ’ଣ ଛାଡ଼ୁଛ ? ଏତେ ମିହନତ ପରେ ସେତକ ନ ଖାଇଲେ ଦେହ ରହିବ ?

 

ବଡ଼ ହେଲାରୁ ଯେତେବେଳେ ନାରୀପ୍ରଗତିର ସ୍ୱାଦ ପାଇଲି, ମା’ଙ୍କର ଏହି ଦାସୀବୃତ୍ତି ଦେଖି ମନେମନେ ଲଜ୍ଜିତ ହୋଇଅଛି । କିନ୍ତୁ ମୋ’ଠାରୁ କିଏ ବେଶୀ ଜାଣେ, ମା ଦାସୀ ନ ଥିଲେ-? ମର୍ଯ୍ୟାଦା ଓ ଅଧିକାର ନେଇ ସେ ବାବାଙ୍କ ସହିତ କେବେ ଲଢ଼ି ନାହାନ୍ତି । ତଥାପି ତାଙ୍କର ସାନ ସଂସାରଟିରେ ସେ ଥିଲେ ସର୍ବମୟୀ କର୍ତ୍ତ୍ରୀ ।

 

ଅଭାବର ସଂସାର । ତାହା ଉପରେ ବାବା ଥିଲେ ରୁକ୍ଷ ମିଜାଜର ଲୋକ । ମଝିରେ ମଝିରେ ତାଙ୍କ ମୁହଁରୁ ଅନେକ ରୂଢ଼ କଥା ମା’ଙ୍କୁ ଶୁଣିବାକୁ ହେଉଥିଲା; କିନ୍ତୁ କେବେହେଲେ ପାଟି ଫିଟାଇ ନାହାନ୍ତି । ହସିକରି କହୁଥିଲେ, ପୁରୁଷଙ୍କୁ କେତେ ସହିବାକୁ ହୁଏ; ଆମେ ଗୋଟାଏ ଟାଣକଥା ବି ସହି ପାରିବା ନାହିଁ ? କେବେ ଅବା କହୁଥିଲେ, ରାଗ ହେଲେ ଦି’ଟା କଥା ମୋତେ ଶୁଣାଇବେ ନାହିଁ, ଯିବେ କ’ଣ ସାହି ପଡ଼ିଶାଙ୍କୁ ଶୁଣାଇବାକୁ ?

 

ସେହି ମାଆର ଝିଅ ମୁଁ । ମୋର ଏବଂ ମୋ’ପରି ଆଉ ଦୁଇଜଣ ଆଧୁନିକାଙ୍କର ସ୍ୱାମୀ ଯେତେବେଳେ କର୍ମକ୍ଳାନ୍ତ ଦେହରେ ଅଫିସରୁ ଫେରନ୍ତି, ଆମେ ଥାଉଁ ଡ୍ରଇଂ ରୁମରେ, ଶୋଇବା ଘରେ, କିମ୍ବା ବାହାରେ କେଉଁଠି । ହଠାତ୍‌ ସିଲେଇ କିମ୍ବା ବହି ନେଇ ବ୍ୟସ୍ତ ହୋଇପଡ଼ୁଁ । ଆଗରେ ଆସି ଠିଆହେଲେ କାଳେ ସାନ ହୋଇ ଯିବୁଁ ସେଥିପାଇଁ ଆସୁନାହିଁ । ଦେଖାଇବାକୁ ଚାହୁଁ ଯେ ଆମର ମଧ୍ୟ ଗୋଟିଏ ସ୍ୱତନ୍ତ୍ର ଜଗତ ଅଛି । ତମଠାରୁ ଆମେ ଟିକିଏ ହେଲେ ଛୋଟ ନୋହୁଁ । କିନ୍ତୁ ପୁରୁଷ ଚିରକାଳ ହିଁ ପୁରୁଷ । ଆଧୁନିକାର ସ୍ୱାମୀ ହେଲେ ମଧ୍ୟ ସେହି ସନାତନ ସ୍ୱାମୀ । ସ୍ତ୍ରୀଠାରୁ ସେ ଚାହେଁ ସେବା, ଯତ୍ନ ଓ ତାହାଠାରୁ ବଳି ଆନୁଗତ୍ୟ । ଯେତେବେଳେ ତହିଁରୁ ବଞ୍ଚିତ ହୁଏ, ତା’ର ସାରା ଅନ୍ତର ବିଷାକ୍ତ ହୋଇଉଠେ ସଭ୍ୟତାର କୋମାଳ ଆବରଣ ଭେଦକରି ମଝିରେ ମଝିରେ ବାହାରି ପଡ଼େ ତା’ର ଝଞ୍ଜା । ଆମେ କିନ୍ତୁ କିଛି ସହୁନାହିଁ, କାହାରିକୁ ମାନିନେଉ ନାହିଁ । ଠିଆହେଉଁ ମର୍ଯ୍ୟାଦାର ସଙ୍ଗୀନ ଉଦ୍ୟତ କରି । ସେତେବେଳେ ଚାଲେ ଆଘାତ ଓ ପ୍ରତ୍ୟାଘାତ, ବକ୍ରୋକ୍ତି, ବ୍ୟଙ୍ଗୋକ୍ତି ଓ କଟୂକ୍ତିର ବାଦୀପାଲା । ସଭ୍ୟ ନରନାରୀ ଯେଉଁ ଛୁରି ଚଳାନ୍ତି, ତାହାର ଅବସ୍ଥାନ ହାତରେ ନୁହେଁ, ଜିଭ ଅଗରେ; କିନ୍ତୁ ତୀକ୍ଷ୍‌ଣତାରେ ତାହା ଯେ କୌଣସି କଂସେଇର ଛୁରିଠାରୁ ଧାରୁଆ ।

 

ଆଉ ଗୋଟିଏ ଧରଣର ଦମ୍ପତି ଅଛନ୍ତି, ଆମର ଏହି ଅତିଆଧୁନିକ ସମାଜରେ ଯେଉଁମାନେ ଛୁରି ଚଳାନ୍ତି ନାହିଁ : କିନ୍ତୁ ହାଣ କାଟ ନାହିଁ ବୋଲି ତାଙ୍କ ପ୍ରାଣ ଯେ ‘ପ୍ରେମରେ ଗଦ୍‌ଗଦ’ ଏପରି ଭୁଲ୍‍ କରି ବସନାହିଁ । ସେପରି ସ୍ଥଳରେ ସ୍ୱାମୀ-ରତ୍ନଙ୍କର ଏକମାତ୍ର ଆଶ୍ରୟ–ଅଭିନୟ । ମୁହଁରେ ତାଙ୍କର ବିଲାତି ମୁଖା, ରସନାରେ ଶସ୍ତା ଦାମର ବିଲାତି ମଧୁର ପ୍ରଲେପ । ‘ଦାନ୍ତ ଆଗରେ ମିଠା ହସ ନେଇ’ ତାଙ୍କ ପୁରୁଷ-ହୃଦୟର କ୍ରୋଧାନଳକୁ ଢାଙ୍କି ରଖନ୍ତି । ଯେଉଁ ସ୍ତ୍ରୀଠାରୁ ସେ ନିତି ପାଆନ୍ତି ଅବହେଳା, ଅନାଦର ଓ ଔଦାସିନ୍ୟ, ଯେଉଁ ସ୍ତ୍ରୀର ମୁହଁକୁ ଚାହିଁଲେ ତାଙ୍କ ଦେହ ଜଳିଯାଏ, ତାହାରି କାନ୍ଧରେ ହାତରଖି ସେ ଆଦର ଜଣାନ୍ତି, ନିତି ନୂଆ ନୂଆ ଜୁୟେଲାରି ଉପହାର ଦିଅନ୍ତି । ତା’ର ରୂପର ଟେକ, ପ୍ରସାଧନର ପାଲିସ୍‍ ସମ୍ବନ୍ଧରେ ଦୁଇ ଚାରିଟା କୃତ୍ରିମ ସ୍ତୁତି କରି କ୍ଲବକୁ ଯାଇ ନିଃଶ୍ୱାସ ମାରନ୍ତି । ଆମର ଭ୍ୟାନିଟି ବୋଧ ବୋଧହୁଏ ତୁପ୍ତି ଲାଭ କରେ; କିନ୍ତୁ ଅନ୍ତର ?

 

ଅନ୍ତର ରହିଯାଏ ଉପବାସୀ ।

 

ତୁମମାନଙ୍କର ଆଖିରେ ମୁଁ ଜଣେ ଖୁବ୍‌ ବଡ଼ ଦେଶ ନେତ୍ରୀ । ମୋର ବକ୍ତୃତାରୁ ନିଆଁ ଝରି ପଡ଼େ; କିନ୍ତୁ ସଭା ଶେଷରେ ମୋର ଭକ୍ତମାନେ ଯେଉଁ ବିଷୟ ନେଇ ଆଲୋଚନା କରନ୍ତି, ତାହା କ’ଣ ଜାଣ ? ତାହା ହେଉଛି ମୋର ରୂପ, ମୋର ଚାଲିଚଳନ କିମ୍ବା ମୋର ବକ୍ତୃତାର ଢଙ୍ଗ-। ମୋର ପାରିବାରିକ ଇତିହାସ ଯେଉଁମାନଙ୍କୁ ଜଣାଅଛି, ସେମାନେ ଯେଉଁ ଭାଷା ପ୍ରୟୋଗ କରନ୍ତି, ତାହା ତମକୁ କହିବି ନାହିଁ । କାରଣ ତୁମେ ମୋର ବାଲ୍ୟବନ୍ଧୁ ହେଲେ ବି ଗୃହସ୍ଥ ବନ୍ଧୁ । ଏହା ଇ ମୋର ମର୍ଯ୍ୟାଦା ! ଏହାରି ଲୋଭରେ ଘରର ମାୟା ତୁଟାଇ ଦେଶ-କାମରେ ମାତିଥିଲି ।

 

ଆଜି ଏଇ ଗଭୀର ରାତିରେ, ଏହି ନଗାଧିରାଜ ହିମାଳୟର ପଦପ୍ରାନ୍ତରେ ବସି ତମର ସେ ଦିନର କଥାଟାକୁ ଅକପଟରେ ସ୍ୱୀକାର କରୁଅଛି । ନାରୀର ଯଦି କିଛି ଗୌରବ କରିବାର ଥାଏ, ସେ ତା’ର ପ୍ରେମ । ସେହି ଅମୃତଲୋକରୁ ସ୍ୱେଚ୍ଛାରେ ନିର୍ବାସନ ବରଣ କରି ନେଇଛି । ଯେଉଁ ତରୁ ଶାଖାରେ ନୀଡ଼ ବାନ୍ଧିଥିଲି, ନିଜ ହାତରେ ତାହାରି ମୂଳରେ ନିର୍ମ୍ମମ କୁଠାରାଘାତ କରିଅଛି....

 

ଏହିପରି ଆହୁରି ଅନେକଗୁଡ଼ିଏ ଆବେଗ ଉଚ୍ଛ୍ୱାସ ପାରିହୋଇ ଶେଷରେ ଦୀର୍ଘ ଚିଠିର ଉପସଂହାରରେ ମିସେସ୍‌ ଚାଟାର୍ଜି ଲେଖିଛନ୍ତି :–

 

ସ୍ୱାମୀଗତ ପ୍ରାଣା ବୋଲି ଦିନେ ତମକୁ କେତେ ଅବଜ୍ଞା ନ ଦେଖାଇଅଛି ? ମୋର ସେହି ଧୃଷ୍ଟତା କ୍ଷମା କରିବ, ମିନତି ! ତମର ଗୋଟିଏ ବୋଲି ଝିଅ । ଆଶୀର୍ବାଦ କରେଁ ସେ ଯେପରି ତମରି ଭଳି ହୁଏ । ତା’ର ଏହି ଦେଶ-ବନ୍ଦିତା ମାଉସୀ ପରି ତାକୁ ଯେପରି ଦେଶ କାମର ମୋହ ଗ୍ରାସ ନ କରେ । ବଡ଼ ହେଲେ ନିଜେ ଦେଖିଚାହିଁ ଭଲ ଘର ବର ଦେଖି ଝିଅକୁ ବିଭାଦେବ-। ନିଜଘରକୁ ଯାଇ ସେ ଯେପରି ନିଜକୁ ନିର୍ବିଶେଷରେ ସମ୍ପିଦେଉ ତାହାରି ହାତରେ ଯାହା ସହିତ ତା’ର ଜୀବନ ଏକ ସୂତ୍ରରେ ଗ୍ରଥିତ ହୋଇଗଲା ।

 

ଜଣେ ଅତି-ଆଧୁନିକା ଅତି ଉଚ୍ଚ ରାଜନୈତିକ ଖ୍ୟାତି-ସମ୍ପନ୍ନା ବିଦୁଷୀ ମହିଳା ମୁହଁରୁ ଏହିପରି ପୁରୁଣାକାଳିଆ ତତ୍ତ୍ୱ ଆଜି ତମକୁ ଅଦ୍ଭୁତ ଲାଗିବ ଜାଣେ । ତଥାପି କହୁଛି, ନାରୀଜୀବନରେ ସୁଖ ଯଦି କେଉଁଠି ଥାଏ, ଏହାଇ ତାହାର ଏକମାତ୍ର ରାଜପଥ । ଏହି ପଥରୁ ଯେ ଘୁଞ୍ଚିଗଲା, ଆଶ୍ରୟ କଲା ଉଦ୍ଧତ ଶିର ଓ ଉଦ୍ୟତ ତର୍ଜନୀ, ସେ ଆଉ ଯାହାହେଲେ ପାଇ ଥାଉ, ପାଇବ ନାହିଁ ସୁଖ–ପାଇବ ନାହିଁ ସମ୍ମାନ....

 

ଚିଠିଟା ଶେଷକରି ମନେହେଲା ସ୍ୱପ୍ନ ଦେଖୁଥିଲି । ଏ କେଉଁ ମିସେସ୍‌ ଚାଟାର୍ଜି ? ଇଏ କ’ଣ ସେହି ମିସେସ୍‌ ନିହାରିକା ଚାଟାର୍ଜି, ଯାହାଙ୍କ ଉଦ୍ଦୀପନାପୂର୍ଣ୍ଣ ବକ୍ତୃତାର ପ୍ରଚଣ୍ତ ଝଟିକାରେ ଭାଙ୍ଗି ଯାଇଛି କତେ ସୁନାର ସଂସାର । ପୋଥିର ବୋଝ ଫିଙ୍ଗି ନେଇ ବାହାରି ଆସିଛନ୍ତି କେତେ ତରୁଣୀଙ୍କର ଦଳ । ଘର କରଣାର ଜୁଆଳି କାନ୍ଧରୁ ଖସାଇ ପକାଇ ଧାଇଁ ଆସିଛନ୍ତି ବହୁତ ସନ୍ତାନବତୀ ପୌଢ଼ା । ଖବରର ବୋଝ କାନ୍ଧରେ ନେଇ ଫେରି କରିଛନ୍ତି ରାସ୍ତାରେ ରାସ୍ତାରେ, ମଦ ଗଞ୍ଜେଇର ଦୋକାନରେ ପିକେଟିଂ କରି ଅଛନ୍ତି, ତା’ପରେ ଆସି ଭିଡ଼ କରି ଅଛନ୍ତି ଜେଲର ଦୁଆରରେ ? ଆଜି ତାଙ୍କ କଣ୍ଠରେ ଏ କେଉଁ ସୁର ? କିଏ କହିପାରିବ କେଉଁଟା ତାଙ୍କର ଅସଲ ରୂପ ?

 

ଏହାପରେ ବାଇଶ ବର୍ଷ ବିତି ଗଲାଣି । ନାରୀ-ପ୍ରଗତିର ଆଲୋକ ଆଜି ପହଞ୍ଚି ଗଲାଣି ସାଧାରଣ ବଙ୍ଗାଳୀଙ୍କର ଘରେ ଘରେ । ନାରୀ-କଣ୍ଠର କୋଳାହଳରେ ଆଜି ଆକାଶ-ପବନ ମୁଖରିତ; କିନ୍ତୁ ସେମାନେ ଯାହା ଚାହିଁଥିଲେ, ତାହା ପାଇଅଛନ୍ତି କି ? ପାଇଛନ୍ତି କି ସୁଖ ? ପାଇଛନ୍ତି ସମ୍ମାନ ? ନା, ଆଜି ମଧ୍ୟ ସେମାନେ ନିହାରିକା ଚାଟାର୍ଜିଙ୍କ ଭଳି ବିନିଦ୍ର ରଜନୀର ନିଭୃତ ଅନ୍ଧକାରରେ ଦୁଃଖର କାହାଣୀ ଲେଖି ଚାଲିଛନ୍ତି ପୃଷ୍ଠା ପରେ ପୃଷ୍ଠା ତାଙ୍କର କୌଣସି ପତିଗତ ପ୍ରାଣା ବାନ୍ଧବୀଙ୍କ ଉଦ୍ଦେଶ୍ୟରେ ।

 

ନଅ

 

ଦୁର୍ଜୟ ଲିଙ୍ଗଙ୍କର ଦେଶରେ ଋତୁରାଜଙ୍କ ଭୂମିକା ନେଇଛନ୍ତି ମହାଶୀତ । ବର୍ଷସାରା ତାଙ୍କରି ଅଖଣ୍ତ ପ୍ରତାପ । ମଝିରେ କିଛି ସମୟପାଇଁ ବର୍ଷା ଦେଖା ଦିଅନ୍ତି । ଋତୁଚକ୍ରର ବାକି ଶିଳ୍ପୀମାନେ, ଉଇଂସର ପାଖଦେଇ ଟିକିଏ ଉଙ୍କିମାରି ଚାଲି ଯାଆନ୍ତି । ଏହି ସାର୍କ, ଫ୍ଳାନେଲ, ଉଲନ ଟୋପିର ବର୍ମ ଭେଦକରି ତାଙ୍କର କ୍ଷଣିକ ଆବିର୍ଭାବ କେବଳ ବୁଝିପାରେଁ, ଯେତେବେଳେ ଦେଖେ ଗ୍ୟାଲ, ବାର୍ଚହିଲ ଏବଂ ବୋଟାନିକ୍ୟାଲ ଗାର୍ଡ଼ନର ବେଞ୍ଚଗୁଡ଼ାକ ହଠାତ୍‌ ପୂରି ଯାଇଅଛି ରୂପର ଚହଟରେ, ବେଶ-ଭୂଷାର ବୈଭବରେ ଏବଂ ହସ ଗପର ଝଙ୍କାରରେ । ଦୋକାନମାନଙ୍କରେ ସଦ୍ୟ-ସଜ୍ଜିତ ପଣ୍ୟ-ସମ୍ଭାର, ହୋଟେଲମାନଙ୍କରେ ସୁପ୍ତୋତ୍‌ଥିତ ପ୍ରାଣ-ଚାଞ୍ଚଲ୍ୟ । ଦାର୍ଜିଲିଂ ପରା ବଙ୍ଗଦେଶର ସ୍ୱାସ୍ଥ୍ୟ ନିବାସ ! କିନ୍ତୁ ସ୍ୱାସ୍ଥ୍ୟ ସଞ୍ଚୟର ପ୍ରୟୋଜନ ଯେଉଁମାନଙ୍କର ସବୁଠାରୁ ବେଶୀ, ତାଙ୍କର ଏହାର ତ୍ରିସୀମାରେ; କିନ୍ତୁ କେଉଁଠି ଦେଖାମିଳେ ନାହିଁ । ଏଠାରେ ଦେଖା ମିଳେ କେବଳ ସେହିମାନଙ୍କର, ଯାହାଙ୍କର ସ୍ୱାସ୍ଥ୍ୟର ଭଣ୍ତାର ପରିପୂର୍ଣ୍ଣ ହୋଇ ରହିଅଛି ।

 

କୁମ୍ଭକର୍ଣ୍ଣର ନିଦ୍ରାଭଙ୍ଗ ଭଳି ଦାର୍ଜିଲିଂ ମଧ୍ୟ ବର୍ଷରେ ଦୁଇଥର ଜାଗଉଠେ । ଘରେ ବାହାରେ ଉତ୍ସବର ଚହଳ ପଡ଼ିଯାଏ । ପାନ ଭୋଜନ, ବିଳାସ ବ୍ୟସନ, ପାର୍ଟି ଇତ୍ୟାଦିର ଧୁମ୍‌ ପଡ଼ିଯାଏ । ତା’ପରେ କୁମ୍ଭକର୍ଣ୍ଣ ପୁଣି ଶୋଇପଡ଼େ । ଏହି କ୍ଷଣିକ ଆନନ୍ଦର ଚହଟ ଦୁଇଦିନପାଇଁ ଆମ ମନରେ ବି ତା’ର ସ୍ପର୍ଶ ନେଇଯାଏ । ଦୁଇଦିନପାଇଁ ଆମେ ବି ଅନୁଭବ କରୁଁ ତା’ର ଜୀବନର ସ୍ପର୍ଶ । ନିଜକୁ ହଜାଇ ପକାଉଁ ଇଟାଲିଅନ ଚେଷ୍ଟାର ଓ ଫର୍‌ କୋଟ୍‌ର ଜଙ୍ଗଲରେ, ଉପଭୋଗ କରୁଁ ଅକାରଣ ହସ, ଅମିତ ଉଚ୍ଛ୍ୱାସ, ‘‘ଅର୍ଥହୀନ ଭାବପୂର୍ଣ୍ଣ ଭାଷା ।’’

 

ଅପରାହ୍ନର ଅଫିସ ସଂକ୍ଷେପରେ ସମାଧା କରି ସେଦିନ ତେଣୁ ଚଞ୍ଚଳ ଘରକୁ ଫେରୁଥିଲି । ‘ସିଜିନ’ ଆରମ୍ଭ ହୋଇ ଯାଇଛି । ଦାର୍ଜିଲିଂର ବାଟ-ଘାଟରେ ନୟନ ମନୋହର ଆକର୍ଷଣ । ଘରକୁ ଫେରି କୌଣସିମତେ କପେ ଚା’ । ତା’ପରେ ବାହାରି ପଡ଼ିବା ।

 

ସୁପାରଙ୍କର ଘରପାଖ ଦେଇ ବାଟ । ଗେଟ୍‌ ସମାନାରେ ରେଲିଂ ଧରି ଠିଆ ହୋଇଛନ୍ତି ମିସେସ୍‌ ରାୟ । ଚିନ୍ତାକ୍ଳିଷ୍ଟ ମଳିନ ମୁହଁ । ଆଖିରେ ଉଦାସ ଚାହାଣି । ମୋତେ ଦେଖି ପକାଇ ଟିକିଏ ହସିବାର ଚେଷ୍ଟା କରି କହିଲେ, ଏଇ ଯେ ଚୌଧୁରୀ । ତମକୁ ବହୁତ ଦିନରୁ ଦେଖି ନାହିଁ । ଭଲ ଅଛ ?

 

–ଆଜ୍ଞା ଭଲ ଅଛି । ଆପଣ କିପରି ଶୁଖିଲା ଦିଶୁଛନ୍ତି । ଦେହ ଖରାପ ହୋଇ ନାହିଁ ତ-?

 

–ନାଃ । ମୁଁ ତ ଭଲ ଇ ଅଛି । ଆସୁନାହଁ ? ମିଷ୍ଟର ରାୟ ଅଛନ୍ତି । ତାହାଛଡ଼ା କେତେଦିନ ହେଲା ଆମର କେଇଜଣ ଅତିଥି ବି ଆସିଛନ୍ତି ।

 

ମିଷ୍ଟର ରାୟଙ୍କର ସଙ୍ଗଲାଭ କିମ୍ବା ତାଙ୍କର ଅତିଥିମାନଙ୍କର ସାହଚର୍ଯ୍ୟ, କୌଣସିଟାପାଇଁ ମୋର ଆଗ୍ରହ ନ ଥିଲା; କିନ୍ତୁ ମିସେସ୍‌ ଯେତେବେଳେ ଡାକିଲେ, ଯିବାକୁ ହେଲା-। ସିଧା ଡ୍ରଇଂ-ରୁମ୍‌କୁ ନେଇଗଲେ । ମିଷ୍ଟର ରାୟ ସରବରେ ଅଭ୍ୟର୍ଥନା ଜଣାଇଲେ ଏବଂ ଯଥାରୀତି ତାଙ୍କ ଆଗନ୍ତୁକମାନଙ୍କ ସହ ପରିଚୟ କରାଇ ଦେଲେ । ଜଣେ ନିଖୁଁଣ ସାହେବୀ ବେଶଧାରୀ ଭଦ୍ରଲୋକ, ଦୁଇଜଣ ସଯତ୍ନ-ସଜ୍ଜିତ ମହିଳା । ମିଷ୍ଟର ରାୟଙ୍କର ଭାଇ ନିକୋଲାସ ରାୟ, ଭାତୃବଧୂ ଅଚଳା, ଭଉଣୀ ମାର୍ଗାରେଟ । ଏମାନଙ୍କୁ ଛାଡ଼ି ଘରର ଗୋଟିଏ କୋଣରେ ଠିଆ ହୋଇଥିଲା ଜଣେ ଲୁଙ୍ଗିପିନ୍ଧା ଦାଢ଼ିଆ ବୁଢ଼ା–ଆମର ରୋଟିବାଲା ଗୁଞ୍ଜା ହୋସେନ ତାହାରି ସଙ୍ଗରେ କଥା ହେଉଥିଲା । ଟେବୁଲ ଉପରେ କାଗଜରେ ଗୁଡ଼ା ଗୋଟିଏ ପାଉଁରୁଟି ଲକ୍ଷ୍ୟ କଲି ।

 

ମିଷ୍ଟର ରାୟ ମୋ ଆଡ଼କୁ ଫେରି କହିଲେ, ତମେ ରୋଟି ନିଅ କେଉଁଠାରୁ ଚୌଧୁରୀ-?

 

ମୁଁ ଉତ୍ତର ଦେବା ଆଗରୁ ହିଁ ଗୁଞ୍ଜା ହୋସେନ କହିଲା, ଆଜ୍ଞା ! ସେ ସାହେବଙ୍କ ରୁଟି ମୋ ଦୋକାନରୁ ଯାଏ । ସେହି ଆଠଖଣ୍ତ କରି ଇ ନିଅନ୍ତି । ପଚାରନ୍ତୁ ।

 

ରାୟ କହିଲେ, କିନ୍ତୁ ମୋ ବେଳକୁ ତମର କିଛି ସୁବିଧା କରିଦେବା ଉଚିତ । ଭାବି ଦେଖ, ମୁଁ ଏଠିକାର ସିନିଅର ହାକିମ । ତା’ର ମାନେ ଡି.ସି. ନ ଥିଲେ ମୁଁ ଡି.ସି. । ତାହାଛଡ଼ା ମୁଁ ଜେଲ୍‍ଖାନାର ବଡ଼ ସାହେବ, ସିଭିଲ କୋର୍ଟର ସବ୍‌ଜଜ୍‌, ଡିଷ୍ଟ୍ରିକ୍‌ଟ ରେଜିଷ୍ଟାର । ବିପଦ ଆପଦରେ ମାମଲା ମୋକଦ୍ଦମାରେ ମୋ ବିନା ତମର ଗତି ନାହିଁ ।

 

ଗୁଞ୍ଜା ହୋସେନ ହାତଯୋଡ଼ି କହିଲା, ଆଚ୍ଛା, ହଜୁର ଯେତେବେଳେ ଏତେ କରି କହୁଛନ୍ତି, ଆପଣ ସେହି ନଅଖଣ୍ତ କରି ନେବେ । କହିସାରି ଚାଲି ଯାଉଥିଲା । ମିଷ୍ଟର ରାୟ କହିଲେ, ରୁହ । ଆଉ ଗୋଟାଏ କଥା ଅଛି । ଟଙ୍କାରେ ନଅ ଖଣ୍ତ ହେଲେ ଖଣ୍ତିଏ ରୋଟିଏ ଦାମ କେତେ ପଡ଼ିବ ?

 

ରୋଟିବାଲା ପ୍ରଶ୍ନଟାର ତାତ୍ପର୍ଯ୍ୟ ବୁଝି ନ ପାରି କହିଲା, ଆପଣ ତ ଆଉ ଖୁଚୁରା ଦରରେ କିଣୁ ନାହାନ୍ତି ?

 

–ତେବେ ?

 

ଗୁଞ୍ଜା ହୋସେନ ମନେମନେ ହିସାବ କରି କହିଲା, ସାତ ପଇସାଇ ପଡ଼ିବ ।

 

ରାୟ ଖୁସି ହୋଇ କହିଲେ, ସାତ ପଇସା । ବେଶ୍‌ ସେହି ହିସାବରେ ନଅଖଣ୍ତ ରୋଟିର ଦାମ ହେଉଛି ତେଷଠି ପଇସା ତମେ ନେଉଛ ଟଙ୍କାଏ । ଅର୍ଥାତ୍‌ ଚଉଷଠି ପଇସା । ତା’ର ମାନେ ତମେ ପ୍ରତି ଟଙ୍କାରେ ପଇସାଏ ବେଶୀ କରି ନେଉଛ । ଠିକ୍‌ ନା ?

 

ମାର୍ଗାରେଟ ଗୋଟାଏ ବଡ଼ ନିଃଶ୍ୱାସ ପକାଇ କହିଲେ–ଓଃ, ମୁଣ୍ତ ବିନ୍ଧି ଗଲାଣି ବାବା, ତମର ହିସାବର ଜ୍ୱାଳାରେ । ସତ କହୁଛି, ହ୍ୟାରଲ୍‌ଡ, ମାଜିଷ୍ଟ୍ରେଟ ନହୋଇ ତୁମେ ଯେବେ ଭୁଷା ଦୋକାନ କରିଥାନ୍ତ, ବହୁତ ଉନ୍ନତି କରିଥାନ୍ତ । ରାୟ ଭଉଣୀର କଥାରେ କାନ ଦେଲେ ନାହିଁ । ରୋଟିବାଲାକୁ ଯେଉଁ ପ୍ରଶ୍ନ କରିଥିଲେ ତାହାରି ଉପରେ ଆଉଥରେ ଜୋର୍‍ ଦେଇ କହିଲେ, ଠିକ୍‌ କହିଛି କି ନା କୁହ ? ତା’ର ମାନେ ପ୍ରତି ଟଙ୍କାରେ ଗୋଟିଏ କରି ପଇସା ମୋର ପାଉଣା ହେଉଛି-

 

ରୋଟିବାଲାର ମୁହଁ ଦେଖି ଜଣାଗଲା, ସେ ଚିଡ଼ି ଯାଇଛି । ଗମ୍ଭୀର ହୋଇ କହିଲା, ବେଶ୍‍ । ସେହି ଗୋଟିଏ କରି ପଇସା ମୁଁ ଆପଣଙ୍କୁ ଫେରାଇଦେବି ।

 

ରାୟ ହସି ହସି କହିଲେ, ନାହିଁ-ନାହିଁ । ଫେରାଇ ଦେବାକୁ ହେବ ନାହିଁ । ସେଟା ମୋ ହିସାବରେ ଜମୁଥିବ । ସାତଟଙ୍କାର ରୋଟି କିଣାହେଲେ ଖଣ୍ତିଏ ରୋଟି ମୁଁ ଅଧିକା ପାଇବି । ଏହିପରି ପ୍ରତି ସାତଟଙ୍କାରେ ଖଣ୍ତିଏ ଅଧିକା ରୋଟି । ବାସ୍‌ ଏଇ ବୁଝିଲ ତ !

 

ଗୁଞ୍ଜା ହୋସେନ କ’ଣ ବୁଝିଲା, ସେହି ଜାଣେ; କିନ୍ତୁ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା ଏବଂ ଏପରି ଭାବରେ ବାହାରି ଗଲା, ଯେପରି ଭାରି ଗୋଟାଏ ବିପଦରୁ ରକ୍ଷା ପାଇଲା ।

 

ସେ ଚାଲିଗଲାରୁ ମିଷ୍ଟର ରାୟ ପାଟିକରି ଉଠିଲେ, ଆରେ ଯାଃ । ରୋଟିଟାଏ ନେଇଗଲା ନାହିଁ । ଚପରାସିକୁ ଡାକ ପଡ଼ିଲା ଏବଂ କେଇ ମିନିଟ ପରେ ସେହି ରୋଟିବାଲାକୁ ଧରି ଆଣିଲା ।

 

ରାୟ କହିଲେ, ତମର ରୋଟି ଯେ ଛାଡ଼ି ଯାଇଛି ମିଆଁ ସାହେବ ।

 

ଆଜ୍ଞା, ସେଟା ହଜୁରଙ୍କର ସାମ୍ପଲ ।

 

–ବେଶ୍‌, ତା’ର ଦାମଟା ବି ସେହି ହିସାବରେ ରହିଲା । ମାନେ ସାତ ପଇସା ହିସାବରେ ।

 

ଗୁଞ୍ଜା ହୋସେନ ହସି ପକାଇ କହିଲା, ସାମ୍ପଲର ତ ଦାମ ନାହିଁ ହଜୁର ।

 

ମିଷ୍ଟର ରାୟଙ୍କର ମୁହଁରେ ଖୁସିର ଭାବ ଫୁଟି ଉଠିଲା । ରୋଟିଟାକୁ ଅନାଇ କିଛିକ୍ଷଣ କ’ଣ ଭାବିଲେ । ତା’ପରେ କହିଲେ, ଏଥିରୁ ଗୋଟିଏ ଗପ ମନେ ପଡ଼ୁଛି ।

 

ଘଡ଼ିକୁ ଚାହିଁ କହିଲେ, ଶୁଣିବ, ନା ବୁଲିବାକୁ ଯିବ ?

 

ନିକୋଲାସ କହିଲେ, ଦୁଇଟା ଯାକ କରିବା । ଆପଣଙ୍କର ଆପତ୍ତି ଅଛି ମିଷ୍ଟର ଚୌଧୁରୀ ?

 

କହିଲି ମୋଟେ ନାହିଁ । ତା’ ଉପରେ ଆହୁରି ଯଦି କିଛି ଥାଏ, ସେଥିରେ ମଧ୍ୟ ।

 

ତମର ଇଚ୍ଛାଟା କ’ଣ ଅଚଳା ? ଭ୍ରାତୃବଧୂଆଡ଼କୁ ଚାହିଁ ପ୍ରଶ୍ନ କଲେ ମିଷ୍ଟର ରାୟ ।

 

ଅଚଳା ମୃଦୁ କଣ୍ଠରେ କହିଲେ, ଗପ ପାଇଲେ ବୁଲି ଯିବାଟା ବାଦ୍‍ ଦେବାକୁ ମୁଁ ରାଜିଅଛି ।

 

ମୁଁ ବାବା, ସେଥିରେ ରାଜି ନୁହେଁ । ସାଙ୍ଗେ ସାଙ୍ଗେ କହି ଉଠିଲେ ମାର୍ଗାରେଟ୍‌ । ଯାହା କହିବାର ଜଲଦି କହି ପକାଅ, ଆହୁରି ପାଛିଏ ଅଙ୍କ ପୂରାଇବ ନାହିଁ ତ ଗପ ମଝିରେ ।

 

ରାୟ ମୃଦୁ ହସି କହିଲେ–ନା, ଅଙ୍କ ନୁହେଁ ତାହା ବଦଳରେ ପାଇବ ଏଥର ପାଛିଏ ଆମ୍ବ । ଆଉ ତାହା ସହିତ ବହୁତ fun ।

 

Fun ଗନ୍ଧ ପାଇ ଆମେ ସମସ୍ତେ ବକ୍ତାଙ୍କ ମୁହଁକୁ ଆଗ୍ରହରେ ଅନାଇଲୁ । ଅଚଳା ଚେୟାରଟା ଟାଣିନେଇ ଆଉ ଟିକିଏ ଆଗେଇ ବସିଲେ । ମିଷ୍ଟର ରାୟ ଆରମ୍ଭ କଲେ–

 

ସେତେବେଳେ ନୂଆକରି ଚାକିରିରେ ପଶିଛି । ସେଟଲମେଣ୍ଟ ଟ୍ରେନିଂରେ ଦ୍ୱାରଭଙ୍ଗା ଯିବାକୁ ହେଲା । ପଡ଼ିଆ ମଝିରେ କ୍ୟାମ୍ପ, କେତେଗୁଡ଼ିକରେ ଅଫିସ, କେତେଗୁଡ଼ିକରେ ରହିବାର ବ୍ୟବସ୍ଥା । ଦିନେ ଓପରଓଳି ନିଜ କ୍ୟାମ୍ପରେ ବିଶ୍ରାମ ନେଉଛି । ମହାରାଜାଙ୍କର ଏକ ମେନେଜର ଆସିଲେ ଦେଖା କରିବାକୁ । ପଛରେ ଲୋକ ମୁଣ୍ତରେ ଗୋଟିଏ ଝୁଡ଼ି । କହିଲି, ସେଟା କି ଜିନିଷ-?

 

ଭଦ୍ରଲୋକ ବିନୟରେ କହିଲେ, ସେଟା ବିଶେଷ କିଛି ନୁହେଁ । ମହାରାଜାଧିରାଜ ପଠାଇ ଦେଲେ । ତାଙ୍କ ବଗିଚାର ଗୋଟାକେତେ ଲେଙ୍ଗଡ଼ା ।

 

ଗମ୍ଭୀର ଭାବରେ କହିଲି, ବାହାରକୁ ନେଇଯିବାକୁ କହନ୍ତୁ । ଏସବୁ ମୋର ଅଭ୍ୟାସ ନାହିଁ ।

 

ମେନେଜର ଅବାକ୍‌ ହୋଇ କହିଲେ, କାହିଁର ଅଭ୍ୟାସ ?

 

ଏହି ଘୁଷ ନେବା କଥା କହୁଛି ।

 

ଭଦ୍ରଲୋକ ମନେମନେ ଚିଡ଼ିଗଲେ ବୁଝାଗଲା । କହିଲେ, ଆଜ୍ଞା, ଘୁଷ ଦେବାର ଅଭ୍ୟାସ ଆମର ବି ନାହିଁ । ଆପଣ ଭୁଲ୍‍ କରୁଛନ୍ତି । ଏଟା ଘୁଷ ନୁହେଁ । ଏହା ହେଉଛି ରାଜବଂଶର ପ୍ରାଚୀନ ପ୍ରଥା । ରାଜ ପୁରୁଷଙ୍କ ସହିତ ଦେଖା କରିବାପାଇଁ ଆସିବାକୁ ହେଲେ ଖାଲି ହାତରେ ଆସିବାର ନିୟମ ନାହିଁ; ମହାରାଜାଧିରାଜଙ୍କ ମର୍ଯ୍ୟାଦାକୁ ବାଧେ ।

 

ଭଦ୍ରଭାବରେ ଇ କହିଲି, Excuse me, ମେନେଜର ବାବୁ, ଯେପରି ଭାବରେ କହନ୍ତୁ ପ୍ରକୃତରେ ଏହା ବି ଏକରକମ ଘୁଷ, ଇଂରାଜୀରେ ଯାହାକୁ କହନ୍ତି illegal gratification । ମହାରାଜାଧିରାଜଙ୍କୁ ଧନ୍ୟବାଦ ଜଣାଇବେ, ତାଙ୍କର ଏହି ଉପହାର ମୁଁ ଗ୍ରହଣ କରିବାକୁ ଅକ୍ଷମ ।

 

ମେନେଜର ବୋଧହୁଏ ସେତେଟା ଆଶା କରି ନ ଥିଲେ । କିଛି ସମୟ ମୋ ମୁହଁକୁ ଅନାଇ ରହିଲେ । ତା’ପରେ କହିଲେ, ତା’ ମାନେ ଏଇ ଆମ୍ବ କେଇଟା ଆପଣ ନେବେ ନାହିଁ ?

 

–ନା ।

 

–ସେଟା ମହାରାଜଙ୍କ ପକ୍ଷରେ କେତେ ବଡ଼ ଅପମାନ, ତାହା ବୁଝି ପାରୁଛନ୍ତି ?

 

ଏଥର ଟିକିଏ ଘାବୁଡ଼େଇ ଗଲି । ସେ ସବୁ mediaeval ଯୁଗର ରାଜା-ରାଜୁଡ଼ାଙ୍କ ମର୍ଯ୍ୟାଦାବୋଧ ଯେଉଁପରି ଖୁବ୍‌ ଉଚ୍ଚ ସେହିପରି ଭଙ୍ଗୁର । କେତେବେଳେ କାହିଁରେ ଯେ ସେଟା ଭାଙ୍ଗିପଡ଼େ, ବୁଝିବାର ଉପାୟ ନାହିଁ । ନିକୋଲାସ କହିଲେ, Excuse me, Harold । ସେମାନେ ତ ହେଲେ mediaeval ଯୁଗର ଲୋକ; କିନ୍ତୁ ଜଣେ ଆଧୁନିକ ଯୁଗର ଉଚ୍ଚପଦସ୍ଥ ସରକାରୀ ଲୋକର ନୀତି ବୋଧଟା ବି ତ କମ୍‍ ଭଙ୍ଗୁର ନୁହେଁ । ଝୁଡ଼ିଏ ଆମ୍ବର ଭାରା ବି ସହି ପାରିଲା ନାହିଁ ?

 

ମିଷ୍ଟର ରାୟଙ୍କ ମୁହଁରେ ମୃଦୁ ହସ ଦେଖା ଦେଲା । କହିଲେ, ଗୋଟିଏ ଭୁଲ୍‍ କରୁଛ । ଯେଉଁ ଲୋକର ବିଷୟ ଶୁଣୁଛ ସେ ଜମାରୁ ଆଧୁନିକ ନ ଥିଲେ । ଶତ ଶତ ଆଧୁନିକ ଯେଉଁମାନେ (ଆମ ଦୁହିଁଙ୍କର ମୁହଁ ଉପରେ ଆଖି ବୁଲାଇ ନେଇ) ତାଙ୍କ ନୀତିବୋଧ ଯେ କେଉଁଥିରେ କ୍ଷୁଣ୍ଣ ହୁଏ ନାହିଁ ତାହା ଭଲକରି ଜାଣେ । ଆମ୍ବ ଝୁଡ଼ି ସେଠାରେ ବାହାରେ ଅପେକ୍ଷା କରେ ନାହିଁ । ସୁଡ଼ ସୁଡ଼ କରି ଭିତରକୁ ଚାଲିଯାଏ ସିଧା ।

 

–ସେଥିରେ ଅନ୍ୟାୟଟା କ’ଣ, ଶୁଣେ ? ଆଚ୍ଛା, ଆପଣ ହେଲେ କ’ଣ କରନ୍ତେ ମିଷ୍ଟର ଚୌଧୁରୀ, Honestly କହିବେ କିନ୍ତୁ...

 

ମୁଁ ଆଖିର ଇଙ୍ଗିତରେ ବସ୍‌ଙ୍କୁ ଦେଖାଇ ଦେଇ କହିଲି, honestly କହିବା ଭଳି ସାହସ ପାଉଛି କେଉଁଠି ?

 

ମିଳିତ କଣ୍ଠରେ ହସର ରୋଳ ଉଠିଲା ।

 

ମାର୍ଗାରେଟ କହିଲେ, ତା’ପରେ ଆମ୍ବ ଝୁଡ଼ିର କ’ଣ ଗତିହେଲା ?

 

ରାୟ କହିଲେ, ହଁ । ତା’ପରେ ମେନେଜରଙ୍କୁ କହିଲି–ଦେଖନ୍ତୁ ମେନେଜର ବାବୁ ! ମହାରାଜାଧିରାଜଙ୍କ ସମ୍ମାନ କ୍ଷୁଣ୍ଣ ହେବା ଭଳି, ସେପରି କିଛି କରିବାକୁ ମୁଁ ଚାହେଁନାହିଁ । ଅଥଚ ସରକାରୀ କର୍ମଚାରୀ ହିସାବରେ ଆମ୍ବଗୁଡ଼ିକ ଗ୍ରହଣ କରିବା ମଧ୍ୟ ମୋ ପକ୍ଷରେ ସମ୍ଭବ ନୁହେଁ । ତାହାଠାରୁ ଆସନ୍ତୁ ଗୋଟାଏ ରଫା କରାଯାଉ । ଆମ୍ବ ମୁଁ ନେବି ନାହିଁ, ଫେରସ୍ତ ବି ଦେବି ନାହିଁ । Neither accept, not reject । ଇତିମଧ୍ୟରେ ମୋର Head-officeକୁ ସବୁ ବିଷୟଟା ଲେଖି ଦେଉଛି । ଗଭର୍ଣ୍ଣମେଣ୍ଟର ନିର୍ଦ୍ଦେଶ ନ ଆସିବାଯାଏ ଆମ୍ବ ଏଠାରେ ଥାଉ ।

 

ମେନେଜର ଟିକିଏ ହସି କହିଲେ, ବେଶ୍‍ ତାହା ଇ ହେଉ । ତାଙ୍କ ମୁହଁର ଭାବ ଦେଖି ମନେହେଲା ମୋର ମସ୍ତିସ୍କ ସୁସ୍ଥତା ସମ୍ବନ୍ଧରେ ତାଙ୍କର ସନ୍ଦେହ ଉପୁଜି ଅଛି ।

 

ନିକୋଲାସ ମୃଦୁକଣ୍ଠରେ କହିଲେ, ଆମର କିନ୍ତୁ କିଛି ସନ୍ଦେହ ନାହିଁ ।

 

–ମୁଁ ମଧ୍ୟ ତମ ସହିତ ଏକମତ । ଯୋଗକଲେ ମାର୍ଗାରେଟ । ତା’ପରେ ହେଡ଼ ଅଫିସକୁ ଚିଠି ଲେଖା ହେଲା ପରା ?

 

ରାୟ କହିଲେ ହଁ, ଚିଠି ଚାଲିଗଲା । ତା’ପରେ ଦିନାଦଶ ପରେ ଗୋଟାଏ ତାଗଦା ବି ଦିଆଗଲା । ଏଣେ ଆମ୍ବର ଅବସ୍ଥା ବୁଝି ପାରୁଥିବ । କ୍ୟାମ୍ପରେ ରହିବା କଷ୍ଟ ହେଲାଣି ! ଝୁଡ଼ିଟା ବି ପକାଇଦେଇପାରୁ ନାହିଁ । ମେନେଜରଙ୍କୁ କଥା ଦେଇଛି Neither accept nor reject. His Highness the ମହାରାଜା at stake ! ଏପରି ସମୟରେ ଉତ୍ତର ଆସିଲା । ଗଭର୍ଣ୍ଣମେଣ୍ଟ କହିଲେ, ସରକାରୀ କର୍ମଚାରୀଙ୍କ ପକ୍ଷରେ କୌଣସି ରକମ ଉପହାର ଗ୍ରହଣ ନିଷେଧ । ତେବେ ଏପରି କ୍ଷେତ୍ରରେ, ଅର୍ଥାତ୍‌ ମାନୀ ଲୋକଙ୍କର ମାନ-ମର୍ଯ୍ୟାଦା ଯାହା ସହିତ ଜଡ଼ିତ, ସେ ସ୍ଥଳେ ଟଙ୍କାଏ ଦୁଇ ଟଙ୍କା ମୂଲ୍ୟର କୌଣସି ଜିନିଷ ଗ୍ରହଣ କରିବାର ବାଧା ନାହିଁ ।

 

ମେନେଜରଙ୍କୁ ଡକାଇ ପଠାଇ ପଚାରିଲି । ଆପଣଙ୍କର ସେହି ଆମ୍ବର ଦାମ ପୁଣି କ’ଣ ? ଆଗରୁ ତ କହିଛି ସେଟା ଆମ ବଗିଚାର ଆମ୍ବ ।

 

–ତାହା ହେଉ, ତଥାପି, ତା’ର ଗୋଟାଏ ବଜାର-ଦର ତ ଅଛି ?

 

ମେନେଜର ନାକରେ ଲୁଗା ଦେଇ କହିଲେ, ବଜାର ଦର ? ବର୍ତ୍ତମାନ ଦୁଇ ଅଣା, ମାନେ ସେହି ଝୁଡ଼ିଟାର ଦାମ । ମୁଁ ସ୍ୱସ୍ତିର ନିଃଶ୍ୱାସ ପକାଇ କହିଲି–ବେଶ୍‍, ତା’ହେଲେ ମହାରାଜାଧିରାଜଙ୍କୁ ନମସ୍କାର ଜଣାଇ କହିବେ, ତାଙ୍କ ଉପହାର ମୁଁ ଆନନ୍ଦର ସହିତ ଗ୍ରହଣ କରୁଛି-

 

ସେମାନଙ୍କର ଚାହାପର୍ବ ମୁଁ ଆସିବା ଆଗରୁ ଇ ସରିଯାଇଥିଲା । ଏଥର ବୁଲିଯିବାର ପାଳି । ତାହାରି ଉଦ୍ୟୋଗ କରୁଥିଲେ । ଏପରି ସମୟରେ ମିସେସ୍‌ ରାୟ ଆସି କହିଲେ, ଚୌଧୁରୀ, ତମେ ଯେପରି ଚାଲି ନ ଯାଅ, ତମର ଚା’ ନେଇ ଆସୁଛି । ମିଷ୍ଟର ଉଠି ଠିଆ ହୋଇ କହିଲେ, ବେଶ୍‌ ତା’ହେଲେ ତମେ ବସ, ଆମେ ଟିକିଏ ବୁଲି ଆସୁଁ । ଡୋରା ରହିଲେ ।

 

ମୁଁ ସବିନୟରେ ସମ୍ମତି ଦେଲି ।

 

ମିସେସ୍‌ ରାୟ ନିଜ ହାତରେ ଜଳଖିଆ ପତ୍ର ନେଇ ପଶିଲେ । ସଙ୍ଗରେ ଚା’ର ସରଞ୍ଜାମ ନେଇ ଦାଢ଼ିବାଲା ବୟ । କହିଲେ, ଆଜି କିନ୍ତୁ ମୋର କେକ୍‌ର ଭଣ୍ତାର ଶୂନ୍ୟ । କ’ଣ ନେଇ ଚା’ ଖାଇବ କହିଲ ?

 

କହିଲି, ଆପଣ ଯାହା ଦେବେ, ତାକୁ ଇ ନେଇ ଖାଇବି ।

 

ତାହାହେଲେ ଦେଖୁଛି ଖାଲି ଚା’ ଅଛି ତମ କପାଳରେ । ପୁଣି ଯେବେ କେକ୍‌ କରିବି, ଦୁଇଖଣ୍ତ ଖାଇଯିବ । ଖବର ଦେଲେ ଆସିବ ତ ?

 

କହିଲି, ନିଶ୍ଚୟ ଆସିବି । ଖବର ଦେବାର ଦରକାର ହେବ ନାହିଁ ।

 

ମିସେସ୍‌ ରାୟ ଜଳଖିଆର ଡିସ୍‌ଗୁଡ଼ିକ ବଢ଼ାଇ ଦେଉଥିଲେ । ଚୀଜ୍‌, ବିସ୍କୁଟ, ପ୍ୟାଷ୍ଟ୍ରି ଏବଂ ନାନା ରକମର ଫଳ । ପ୍ରଚୁର ଆୟୋଜନ । ତଥାପି ସେ ବାରମ୍ବାର ଅବଶୋଷ କରିବାକୁ ଲାଗିଲେ, ଏହା କହି ଯେ ଏଥିରୁ କୌଣସିଟା ତାଙ୍କ ନିଜ ହାତରେ ତିଆରି ନୁହେଁ, ମୋର କିନ୍ତୁ ସେଥିପାଇଁ ଅବଶୋଷ ନ ଥିଲା । ସୁଖାଦ୍ୟର ସଦ୍‌ବ୍ୟବହାରରେ କୌଣସି ଦିନ ମୋର କିଛି ତ୍ରୁଟି ବା ଅବହେଳା ଦେଖା ଯାଇଛି, ଏହା ମୋର ଘୋର ଶତ୍ରୁ ବି କହି ପାରିବ ନାହିଁ । ମିସେସ୍‌ ରାୟ ଚାହିଁ ଚାହିଁ ମୋର ଖିଆ ଦେଖୁଥିଲେ । ଗୋଟିଏ ଅପୂର୍ବ ସ୍ନେହଦୀପ୍ତ ତୃପ୍ତି ତାଙ୍କ ଆଖିରେ ଫୁଟି ଉଠିଲା ।

 

କିଛିକ୍ଷଣ ପରେ କହିଲେ, ତମେ ଆଜିକାଲି ଆସୁନାହଁ କାହିଁକି, କହିଲ ଭଲା ? ମୁଁ ବିଦେଶୀ ମଣିଷ । ସେଥିପାଇଁ ବୋଧହୁଏ ପର ମନେକର !

 

ଗୋଟାଏ ସୁପୁଷ୍ଟ ପାଚିଲା କଦଳୀର ଶେଷଖଣ୍ତ କୌଣସିମତେ ଗଳାଧିକରଣ କରି ମୁଁ କହିଲି, କିଛିଦିନ ଆଗରୁ ହୋଇଥିଲେ ମୁଁ ଆପଣଙ୍କର କଥାର ପ୍ରତିବାଦ କରି ନ ଥାନ୍ତି । ଜଣେ ଶ୍ୱେତାଙ୍ଗିନୀ ମହିଳାଙ୍କୁ ପର ନ ଭାବିବାଟା ପ୍ରକୃତରେ ମୋ ପକ୍ଷରେ କଠିଣ ଥିଲା । କିନ୍ତୁ ଆଜି ଏ କଥା କହିବାକୁ ମୋର ତିଳେ କୁଣ୍ଠା ନାହିଁ । ଆପଣଙ୍କୁ ଦେଖିବା ପରଠାରୁ ବୁଝିଅଛି, ମଣିଷର ପରିଚୟ ତା’ର ବେଶ ବା ଚମଡ଼ାରେ ଲେଖା ନ ଥାଏ ।

 

ମୋର ଏହି ଉଚ୍ଛ୍ୱାସର ଉତ୍ତରରେ ମିସେସ୍‌ ରାୟ ହଠାତ୍‌ ପ୍ରଶ୍ନ କଲେ, ତମର ଖ୍ରୀଷ୍ଟାନ ନାମଟା କ’ଣ ଚୌଧୁରୀ ?

 

–ମୋର ନାମ ମଳୟ ।

 

–ଆଚ୍ଛା, ସତକରି କୁହ ତ ମଳୟ, ଏଇକ୍ଷଣି ଯାହା କହିଲ, ସେଟା କ’ଣ ତମର ଗୋଟାଏ ସାଧରଣ ମତ, ନା, ସେ କଥାଟା ତମେ ଏକାନ୍ତ ମନରେ ବିଶ୍ୱାସ କର ?

 

ଦୃଢ଼ ଭାବରେ କହିଲି, ଏହା ମୋହର ଅକପଟ ବିଶ୍ୱାସ, ମିସେସ୍‌ ରାୟ ।

 

ସେ ଆଉ କିଛି କହିଲେ ନାହିଁ । ଟିକିଏ ଅପେକ୍ଷା କରି କହିଲି, ମୋର ଧୃଷ୍ଟତା କ୍ଷମା କରିବେ । ଆପଣଙ୍କୁ ଦେଖିଲେ ମୋର ମା’ଙ୍କର କଥା ମନେ ପଡ଼ିଯାଏ । ଅଥଚ ଆପଣଙ୍କ ସହିତ ତାଙ୍କର ଏତେ ତଫାତ୍‌ ଯେ ଲୋକେ ମୋତେ ପାଗଳ କହିଲେ ଆାଶ୍ଚର୍ଯ୍ୟ ହେବି ନାହିଁ । ସେ ଦେଖିବାକୁ ସୁନ୍ଦର ନୁହନ୍ତି, ତାଙ୍କର ବେଶଭୂଷା କିଛି ନାହିଁ । ଲେଖାପଢ଼ା ଏକବାରେ ଜାଣନ୍ତି ନାହିଁ । ସୁଦୂର ପଲ୍ଲୀରେ ତାଙ୍କର ସାରା ଜୀବନ କଟିଥିଲା । ଆଦବ-କାଇଦାର ପାଲିସ୍‍ ତାଙ୍କ ଦେହ ବା ମନରେ କେଉଁଠି ଲାଗି ନ ଥିଲା । ତଥାପି ମନେହୁଏ ଆପଣଙ୍କ ସହିତ ତାଙ୍କର କେଉଁଠି ଗୋଟିଏ ଗଭୀର ଐକ୍ୟ ଅଛି ।

 

ମିସେସ୍‌ ରାୟଙ୍କ ମୁହଁରୁ ମୃଦୁ ହସ ମିଳେଇ ଗଲା । ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ପେ ଉଦାସ କଣ୍ଠରେ କହିଲେ, ମଳୟ, ତମ ସହିତ ମୋର ଦେଖା ତ ଏଇ ସେଦିନ । ଯେତିକି ଘନିଷ୍ଠତା ସମୟ ଦିଗରୁ ତାହା ସମାନ୍ୟ । ତଥାପି ତମେ ମୋର ଯେଉଁ ପରିଚୟ ଦେଲ, ଏଇ ସତେଇଶ ବର୍ଷ ଯେଉଁମାନଙ୍କୁ ନେଇ ଘର କଲି ସେମାନେ କ’ଣ ତା’ର କଣିକାଏ ବି ଦେଖିବାକୁ ପାଇଲେ ନାହିଁ ?

 

ଚମକି ଉଠିଲି । ପ୍ରଗଳ୍‍ଭ ମୂର୍ଖ ପରି ଏହି ବିଦେଶିନୀ ମହିଳାଙ୍କ ହୃଦୟର କେଉଁ ଗୋପନ ତାରରେ ହଠାତ୍‌ ଆଘାତ ଦେଇ ପକାଇଅଛି । ସାବଧାନ ହୋଇଗଲି । ପ୍ରସଙ୍ଗଟା ଚାପି ଦେବା ପାଇଁ କହିଲି, ମୋ’ପାଇଁ ଆଜି ଆପଣଙ୍କର ବୁଲି ଯିବାଟା ନଷ୍ଟ ହେଲା ।

 

ମିସେସ୍‌ ଅନ୍ୟମନସ୍କ ହୋଇ ପଡ଼ିଥିଲେ । ହଠାତ୍‌ ବ୍ୟସ୍ତ ହୋଇ କହିଲେ, ନା ନା, ତମେ ବସ, କ’ଣ କହୁଥିଲ ? ବୁଲିଯିବା କଥା ? ମୋର ତ ବୁଲିଯିବାର କଥା ନଥିଲା ।

 

କୁଣ୍ଠିତ ହୋଇ କହିଲି, ମୁଁ ଭାବୁଥିଲି, ସେମାନେ ବାହାରିଗଲେ, ଆପଣ ବି ନିଶ୍ଚୟ ଯାଇଥାନ୍ତେ । ସନ୍ଧ୍ୟାଟା ଘରେ ବସି ଏକା-ଏକା କଟାଇବେ ?

 

ଏକା ! ଉଦାସ କଣ୍ଠରେ କହିଲେ ମିସେସ୍‌ ରାୟ । ତମେ ଜାଣନାହିଁ ମଳୟ, ମୁଁ ଚିରଦିନ ହିଁ ଏକା । I have been alone all my life !

 

ଟିକିଏ ହସି ପୁଣି କହିଲେ, ତମେ ମୋର ସନ୍ତାନ ପରି । ସବୁ କଥା ତମକୁ ହୁଏତ କହିବା ଉଚିତ ନୁହେଁ । ତାହାଛଡ଼ା, ତମେ ପିଲାମଣିଷ, ସବୁକଥା ବୁଝିବ ବି ନାହିଁ । ଆଜି ନିସଂଶୟରେ ବୁଝିପାରୁଛି, ମୁଁ ଭୁଲ୍‍ କରିଥିଲି । This marriage was a mistake ! ଚମକି ଉଠିଲି । ନିତାନ୍ତ ସହଜ କଣ୍ଠରେ ଏ କେଉଁ କଠିଣ କଥା ଉଚ୍ଚାରଣ କଲେ ମିସେସ୍‌ ରାୟ ? ସତେଇଶ ବର୍ଷ ବିବାହିତ ଜୀବନ ଯାପନ କରିବା ପରେ ଏ କେଉଁ ଭୟଙ୍କର ଆବିଷ୍କାର ଏ କଥାର ମର୍ମ୍ମ ବୁଝିବା ଭଳି ମୋର ନଥିଲା ବୟସ, ନଥିଲା ବୁଦ୍ଧି ଏବଂ ଅଭିଜ୍ଞତା । କିନ୍ତୁ ଏତକ ନିଃସନ୍ଦେହରେ ବୁଝିଥିଲି, ଏଇକ୍ଷଣି ଯାହା ଶୁଣିଲି, ସେଟା ଜଣେ ଅଭିମାନିନୀ କ୍ଷୁବ୍‌ଧା ନାରୀର କ୍ଷଣିକ ଉଚ୍ଛ୍ୱାସ ନୁହେଁ, ଜଣେ ଶାନ୍ତ ସ୍ଥିତଧୀ ପ୍ରୌଢ଼ା ମହିଳାଙ୍କର ଅନ୍ତରର ନିଗୂଢ଼ ଉପଲବ୍ଧି ।

 

ମୁଁ ନିରୁତ୍ତର ରହିଲି ।

 

ମିସେସ୍‌ ସେହିପରି ଅବିଚଳିତ କଣ୍ଠରେ କହିଲେ, ମୋତେ ଭୁଲ୍‍ ବୁଝିବନାହିଁ, ଚୌଧୁରୀ-। ମୋ ସ୍ୱାମୀଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ମୋର ନାହିଁ । ଆମର ଦାମ୍ପତ୍ୟ ଜୀବନରେ ଯେଉଁ ସୁଖ, ଯେଉଁ ମାଧୁର୍ଯ୍ୟ ଆମେ ପାଇଅଛୁ, ଖୁବ୍‌ କମ୍‍ ଝିଅଙ୍କ ଭାଗ୍ୟରେ ତାହା ମିଳେ-। ତଥାପି ମୁଁ ବିଦେଶୀ । ମା, ଭାଇ, ଭଉଣୀ, ଭାଇବହୂ ନେଇ ଯେଉଁ ସଂସାର, ସେଠାରେ ମୋର ସ୍ଥାନ ହେଲା ନାହିଁ ।

 

ବିନିଦ୍ର ଶଯ୍ୟାରେ ଅନେକ ରାତି ପର୍ଯ୍ୟନ୍ତ ମିସେସ୍‌ ଡୋରା ରାୟଙ୍କର ବେଦନାହତ କଣ୍ଠସ୍ୱର ମୋ ମନ ମଧ୍ୟରେ ଗୁଞ୍ଜରଣ କରିବାକୁ ଲାଗିଲା । ଏହି ଶ୍ୱେତାଙ୍ଗିନୀ ମହିଳାଙ୍କ ବିଚିତ୍ର ଜୀବନ କାହାଣୀ ମୋର ଜଣାନାହିଁ । ଯେଉଁ ବିବାହ ଆଜି ତାଙ୍କଠାରେ ଗୋଟାଏ ମାରାତ୍ମକ ଭୁଲ୍‍ ମାତ୍ର, ତା’ର ଇତିହାସ ବି ମୋତେ ଅଜଣା । ଏତିକି ମାତ୍ର କଳ୍ପନା କରିପାରେ, ସତେଇଶ ବର୍ଷ ପୂର୍ବେ ଏହି ଡୋରା ଥିଲେ ରୂପସୀ ତରୁଣୀ । ଦେହରେ ଯୌବନ ସମ୍ଭାର, ନୟନରେ ବିଦ୍ୟୁତ୍‌ ଚମକ, ଅନ୍ତର ଉଦାର ଆବେଗରେ ଭରା । ଜୀବନର ସେହି ମହା ସନ୍ଧିକ୍ଷଣରେ ଦିନକରେ ସୁଠାମ-ଦେହ ମେଧାବୀ ଯୁବକ ହ୍ୟାରଲ୍‍ଡ ରାୟଙ୍କ ସହ ତାଙ୍କର ପ୍ରଥମ ଦୃଷ୍ଟି ବିନିମୟ ହେଲା । ଠିକ୍‌ କେଉଁ ସ୍ଥାନରେ ଜାଣେନା । ହୁଏତ ଲଣ୍ତନର ନୃତ୍ୟ-ଗୀତ-ମୁଖର ଭୋଜିସଭାରେ । ହାଇଡ଼ ପାର୍କର କୌଣସି ନିଭୃତ ଲତାକୁଞ୍ଜରେ, କିମ୍ବା ସ୍କଟଲ୍ୟାଣ୍ତର ସାଗର-ଚୁମ୍ବିତ ପର୍ବତ ଛାୟାରେ । ସେଦିନ ଦୁହିଁଙ୍କ ଆଖିରେ ଥିଲା ଯୌବନର ମୋହ–ଯାହା ମାୟାରେ ମିଳେଇ ଯାଇଥିଲା ଦେଶ, ଜାତି ଓ ସମାଜର ଦୁସ୍ତର ବ୍ୟବଧାନ । ଧୀରେ ଧୀରେ ଆଭାଷ, ପ୍ରକାଶ, ଭାଷା ଓ ଇଙ୍ଗିତରେ ପରିଚୟ ହେଲା ଅନ୍ତର ସହ ଅନ୍ତରର । ଅଶ୍ରୁ-ହାସ୍ୟ-ସିଞ୍ଚିତ ବିରହ-ମିଳନର ଚିରନ୍ତନ ପଥରେ ଅନୁରାଗ ସଞ୍ଚାରିତ ହେଲା । ତା’ପରେ ଦିନେ ବନ୍ଧୁମାନଙ୍କୁ ସଚକିତ କରି ‘‘merrily rung the bells, and they were wed’’

 

ଡୋରାଙ୍କୁ ସେଦିନ ବହୁତ କିଛି ଛାଡ଼ିବାକୁ ହୋଇଥିଲା–ଜନ୍ମଭୂମି, ସ୍ୱଜାତି, ଚିରପରିଚିତ ପରିବେଶ । କିନ୍ତୁ କାହାରି କଥା ସେ ଭାବି ନଥିଲେ, ପଛ ଫେରିବାରେ ଅନାଇ ନଥିଲେ । ପରମ ବିଶ୍ୱାସରେ ଗୋଟିଏ ମାତ୍ର ମଣିଷର ହାତଧରି ସେ ବାହାରି ପଡ଼ିଥିଲେ ଊର୍ମିମୁଖର ସାଗର ପଥରେ, ଏକ ଅଜଣା ରାଇଜର ଉଦ୍ଦେଶ୍ୟରେ ।

 

ସେ ଦିଗରୁ ମିସେସ୍‌ ଡୋରା ରାୟ ବଞ୍ଚିତ ହୋଇ ନାହାନ୍ତି । ଦୀର୍ଘ ଦାମ୍ପତ୍ୟ ଜୀବନରେ ପ୍ରେମର ବନ୍ଧନ ତାଙ୍କର କୌଣସି ଦିନ ଶିଥିଳ ହୋଇ ନଥିଲା, ଏକଥା ତାଙ୍କରି ଅକପଟ ସ୍ୱୀକାରୋକ୍ତି । ତେବେ ଏଇ ଦୀର୍ଘଶ୍ୱାସ କ’ଣ ପାଇଁ ? ଜାଣେନାହିଁ । ନାରୀହୃଦୟର ଲୀଳା ବୈଚିତ୍ର୍ୟର ସନ୍ଧାନ ମୁଁ ପାଇନାହିଁ । କୌଣସି ମହିଳା-ରଚିତ ଖଣ୍ତିଏ ଉପନ୍ୟାସର ଗୋଟିଏ ଉକ୍ତି ମୋର ମନେ ପଡ଼ୁଛି । ‘‘ଯେତେକ୍ଷଣ ନରନାରୀଙ୍କ ହୃଦୟ ମଧ୍ୟରେ ସତ୍ୟ ପ୍ରେମର ଯୋଗ ଥାଏ, ତେତେକ୍ଷଣ ହିଁ ବିବାହ ସାର୍ଥକ ଓ ସତ୍ୟ । ଯେଉଁ ମୁହୂର୍ତ୍ତରେ ପ୍ରେମର ମୃତ୍ୟୁ ହୁଏ, ସେହି ମୁହୂର୍ତ୍ତରେ ହିଁ ବିବାହ-ବନ୍ଧନ ଉଦ୍‌ବନ୍ଧନ ହୋଇଉଠେ ।’’–କହିଛନ୍ତି ଜଣେ ନାରୀ । ଏହି କଥାର ପ୍ରତିଧ୍ୱନି ଶୁଣିଅଛି ଶତ ଶତ କଣ୍ଠରେ, ଯେଉଁ କଣ୍ଠ ଦିନେ ପାଇଥିଲା ମାଲ୍ୟର ସ୍ପର୍ଶ । ହଠାତ୍‌ ଦିନେ ନିଦ ଭାଙ୍ଗିଲାରୁ ଦେଖିଲା, ‘‘ଫୁଲଗୁଡ଼ିକ ଝରି ପଡ଼ିଅଛି, ରହିଛି କେବଳ ଡୋର’’ । ସେହି ଡୋରଟାକୁ ସାରାଜୀବନ ଧରି ବହିନେଇ ବୁଲିବାର ବ୍ୟର୍ଥତା ଓ ବିଡ଼ମ୍ବନା ଓ ଅହରହ ଦେଖିବାକୁ ପାଉଛି । ତଥାପି ପ୍ରଶ୍ନ ରହିଯାଏ ବିବାହ କି କେବଳ ପ୍ରେମ ? କେବଳ ପ୍ରେମନେଇ ତୃପ୍ତ ହୋଇଅଛି କେଉଁ ନାରୀ ? ତା’ର ବିବାହିତ ଜୀବନରେ ଡୋରା ରାୟ ହୋଇନାହାନ୍ତି । ସେ ସ୍ୱାମୀପ୍ରେମ ପାଇଥିଲେ, ପାଇନାହାନ୍ତି ସ୍ୱାମୀ ଗୃହ । ପାଇଥିଲେ ହୃଦୟ ଲକ୍ଷ୍ମୀର ଗର୍ବ; ଗୃହଲକ୍ଷ୍ମୀର ଗୌରବ ପାଇନାହାନ୍ତି । ସ୍ୱାମୀଙ୍କ ବନ୍ଧୁଜନଙ୍କ ଶ୍ରଦ୍ଧା ପାଇଥିଲେ; ପାଇନାହାନ୍ତି ଆତ୍ମଜନଙ୍କ ବିଶ୍ୱାସ । ସ୍ୱାମୀଙ୍କଠାରେ ସେ ଚିରନ୍ତନ ପ୍ରିୟ ସଖୀ, ଗୃହିଣୀ ନୁହନ୍ତି; ସଚିବ ବି ନୁହନ୍ତି । ତେଣୁ ସାରାଜୀବନ ଧରି ଏତେ ପାଇ ସୁଦ୍ଧା ତାଙ୍କର ଅନ୍ତରର କ୍ଷୁଧା ମେଣ୍ଟିଲା ନାହିଁ । ଅବଶେଷରେ ଦିନେ ସେହି ବୁଭୁକ୍ଷା-ଶୀର୍ଣ୍ଣ-ଅନ୍ତରର ରିକ୍ତ ରୂପ ସେ ମେଲିଦେଲେ ବିଦେଶୀ ବିଧର୍ମ୍ମୀ ଜଣେ ଅର୍ବାଚୀନଠାରେ । ବ୍ୟକ୍ତ କଲେ ତାଙ୍କ ଜୀବନର ଯେଉଁଟା ଗୋପନ ଓ ମର୍ମ୍ମାନ୍ତିକ ସତ୍ୟ–this marriage was a mistake.

 

ଗଭୀର ରାତିଯାଏ ଭାବିବାକୁ ଚେଷ୍ଟାକଲି । କାହିଁକି ଏପରି ହେଲା ? ଡୋରା ରାୟଙ୍କ ବ୍ୟର୍ଥତା ପାଇଁ ଦାୟୀ କିଏ ? ତାଙ୍କ ସ୍ୱାମୀ ହ୍ୟାରଲ୍‌ଡ ରାୟ ? ତାହା ଅବା କିପରି କହିବି ? ସେ ତ ତାଙ୍କର ସାରା ହୃଦୟ ଢାଳି ଦେଇଥିଲେ ଏହି ବିଦେଶିନୀ ପତ୍ନୀର କୋମଳ କରପୁଟରେ । ସେଠାରେ ତ କିଛି କାର୍ପଣ୍ୟ ନାହିଁ । ସେଠାରେ ତ କିଛି ଫାଙ୍କି ନଥିଲା । ତେବେ.....

 

ଆଜି ମନେ ହେଉଛି, ଗୋଟିଏ ଦିଗ ଆଖିରେ ପଡ଼ି ନଥିଲା ହ୍ୟାରଲ୍‌ଡ ରାୟଙ୍କର । ତାଙ୍କର ମନେ ହୋଇନଥିଲା–ଦୟିତର ହୃଦୟ-ପଦ୍ମ ଯେତେବଡ଼ କାମ୍ୟ ବସ୍ତୁହିଁ ହେଉ, ସାରାଜୀବନ ତାକୁ ଇ ସମ୍ବଳ କରି ଭାବଲୋକରେ ବିଚରଣ କରିବାର ସୌଭାଗ୍ୟ କୌଣସି ନାରୀ କାମନା କରେନାହିଁ । ସେ ଚାହେଁ ଜୀବନର ଯଜ୍ଞଶାଳାରେ ଅମୃତ ବିତରଣର ଆମନ୍ତ୍ରଣ । ଯେ ସେହି ଭାର ପାଇଲା ନାହିଁ, ସଂସାରର ରୌଦ୍ରତାପରେ ଲଲାଟରେ ଦେଖାଦେଲା ନାହିଁ ସ୍ୱେଦ ବିନ୍ଦୁ, ଅଞ୍ଚଳ ରହିଲା ଧୂଳିମୁକ୍ତ, ପ୍ରିୟ-ସୁଖ-ମିଳନର ସ୍ମୃତିଭଣ୍ଡାର ତାଙ୍କର ଯେତେ ବଡ଼ ଇ ହେଉ ମିସେସ୍‌ ଡୋରା ରାୟଙ୍କ ପରି ନିଃଶ୍ୱାସ ପକାଇ ଦିନେ ତାଙ୍କୁ କହିବାକୁ ହେବ–ମୁଁ ନିତାନ୍ତ ଏକା ।

 

ଦଶ

 

ସଂସାରରେ ଚାହିଁବା ଓ ପାଇବା ମଧ୍ୟରେ ଚିରନ୍ତନ ଅସହଯୋଗ । ଯାହା ଚାହୁଁ ତାହା ପାଉନାହୁଁ; ଆଉ ଯାହା ଚାହୁଁ ନା ବୋଲି ଡକାପାରୁଁ, ପାଇବା ଘରେ ତାହା ସ୍ତୁପାକାର ହୋଇ ଜମେ-। ଏହା ଅତି ମାମୁଲି କଥା, ଯାହାର ପ୍ରତ୍ୟକ୍ଷ ଉପଲବ୍ଧିରୁ ରକ୍ଷା ପାଇଛନ୍ତି ଏପରି ନରନାରୀ ଦେଖିବାକୁ ପାଇବେ ନାହିଁ କୌଣସି ଦେଶରେ ଏବଂ କୌଣସି ଯୁଗରେ । ଏହି ପୁରାତନ ତତ୍ତ୍ୱର ଅଧୁନାତମ ଦୃଷ୍ଟାନ୍ତ ଆମେ ଦୁହେଁ–ବିଖ୍ୟାତ ଜେଲର ମୌଲବୀ ମୋବାରକ ଅଲ୍ଲି ଆଉ ତାଙ୍କର ଅଖ୍ୟାତ ଡେୟଟି ବାବୁ ମଳୟ ଚୌଧୁରୀ ।

 

ଟିକିଏ ଆଗରୁ ଇ କହିଛି, ସ୍ୱଦେଶୀଙ୍କ ଠାରେ ନିଜର ପରିଚୟଟା ଟିକିଏ ବିଷଦ ଭାବରେ ଦେବାପାଇଁ । ମୋବାରକ ଅଲ୍ଲି ବହୁତଦିନରୁ ଛଟପଟ ହେଉଥିଲେ । ସେ ବିଷୟରେ ଏଠାର କ୍ଷେତ୍ର ଅତି ସଂକୀର୍ଣ୍ଣ । କାରଣ ପ୍ରଥମତଃ ସଂଖ୍ୟାରେ ଏମାନେ ନଗଣ୍ୟ । ଦ୍ୱିତୀୟତଃ, ମୂଳରୁ ତାଙ୍କର ବ୍ୟାକରଣ-ନିଷ୍ଠାର ଅମର୍ଯ୍ୟାଦା ଅଲ୍ଲି ସାହେବଙ୍କ ଅଭିମାନରେ ଏତେ ଆଘାତ ଦେଇଛି ଯେ, ସେମାନଙ୍କ ସଂସ୍ରବରୁ ସେ ନିଜକୁ ଏକବାରେ ଅଲଗା କରି ଦେଇଥିଲେ ।

 

ଏଣେ ସମତଳ ଭୂମିରୁ ନାନା ସୂତ୍ରରେ ନାନା ରୁଚିକର ଖବର ପ୍ରତିଦିନ ତାଙ୍କଠାକୁ ଭାସି ଆସୁଥିଲା । ଦିନେ ଶୁଣିଲି, କୌଣସି ଗୋଟିଏ ବଡ଼ ଜେଲରେ ଏକହଜାର ସ୍ୱଦେଶୀବାଲା ତାଙ୍କର ସଦ୍ୟଲବ୍ଧ ଦୁଇ ହଜାର ନୂଆ କମ୍ବଳକୁ ଏକାଠି ଜମାକରି ଖାଣ୍ଡବ-ଦହନର ଚାକ୍ଷୁସ ଅଭିଜ୍ଞତା ଲାଭକରି ଅଛନ୍ତି ଏବଂ ସଙ୍ଗେ ସଙ୍ଗେ ପୁଣି ଯୋଡ଼ିଏ କରି ନୂଆ କମ୍ବଳ ଦାବିକରି ପଡ଼ିଆ ମଝିରେ ସତ୍ୟାଗ୍ରହ କରି ପଡ଼ି ରହିଛନ୍ତି । ସ୍ୟାଟାନିକ-ଗଭର୍ଣ୍ଣମେଣ୍ଟର କମ୍ବଳଗୁଡ଼ାକ ବି ଯେ ସଇତାନ ଏହି ତତ୍ତ୍ୱ ଅସ୍ୱୀକାର କରେ ନାହିଁ ଏବଂ ସଇତାନକୁ ଯେ ନିଆଁରେ ପୋଡ଼ି ମାରିବାକୁ ଇ ହୁଏ ଏହି ଯୁକ୍ତି ଅକାଟ୍ୟ । ଅତଏବ ବହ୍ନ୍ୟୁତ୍ସବର ଅର୍ଥ ବୁଝେଁ । କିନ୍ତୁ ଆଉ ଯୋଡ଼ାଏ ସଇତାନ ଦାବିକରି ସତ୍ୟାଗ୍ରହ ପୁଣି କ’ଣ ପାଇଁ ?

 

କ’ଣପାଇଁ ? ଗର୍ଜି ଉଠିଲେ ମୋବାରଜ ଅଲ୍ଲୀ । ପିଠି କୁଣ୍ଡାଇ ହେଉଛି ? ବୁଝିପାରୁ ନାହାନ୍ତି ? ଔଷଧ ଦରକାର ?

 

ପୁଣି ଦିନେ ଶୁଣାଗଲା, ଅନ୍ୟ ଗୋଟାଏ କେଉଁ ସ୍ପେଶାଲ ନା ସେଣ୍ଟ୍ରାଲ ଜେଲରେ ଭାତ-ଡାଲିର ହୋଲି ଖେଳ ଚାଲିଛି । ଅନ୍ନ ଉଦରରେ ପ୍ରବେଶ ନକରି ନିକ୍ଷିପ୍ତ ହେଉଛି କାରା କର୍ମ୍ମୀଙ୍କର ମୁଣ୍ଡରେ ଏବଂ ଶୂନ୍ୟ ଥାଳୀ ଆଗରେ ଥୋଇ ଧାଡ଼ିବାନ୍ଧି ରାଜବନ୍ଦୀମାନେ ବସି ଗର୍ଜନ କରୁଛନ୍ତି–ମ୍ୟୟ ଭୁଖା ହୁ ।

 

ଏହାର କେଇଦିନ ପରେଇ କେଉଁଠୁ ଆସିଲା ଏକ ଉଡ଼ା ଖବର–ସେଠାରେ ପରା ‘ସ୍ୱଦେଶୀ’ ବାବୁମାନେ ସନ୍ଧ୍ୟାବେଳେ ବ୍ୟାରେକ ଗୁଡ଼ାକରେ ନପଶି, ଗଛରେ ଚଢ଼ନ୍ତି ଏବଂ ଭଗୀର ରାତିଯାଏ ଶିବରାମଙ୍କ ମହାସଙ୍ଗୀତ ଆବୃତ୍ତି କରନ୍ତି । ମୋବାରକ କହିଲେ, ଗୁଳିମାଡ଼ ଖାଇ ଗଛଉପରୁ ଚଢେଇ କିପରି ଖସି ପଡ଼ନ୍ତି ଦେଖିଛି । ମଣିଷ କିପରି ପଡ଼ନ୍ତି, ଦେଖିବାକୁ ଇଚ୍ଛାହୁଏ । ଅର୍ଥାତ୍‌ ସେଠାରେ ଉପସ୍ଥିତ ଥିଲେ ଦୃଶ୍ୟଟା ସେ ସ୍ୱହସ୍ତରେ ଉପଭୋଗ କରି ଥାଆନ୍ତେ ।

 

ଏହି ଜାତୀୟ ଖବର ଆମର ସ୍ନାୟୁତନ୍ତ୍ରୀ ଉପରେ ଯେଉଁ ଆଘାତ କରୁଥିଲେ, ତା’ର ପ୍ରତିକ୍ରିୟା ଉଭୟଙ୍କ ବେଳକୁ ଥିଲା ବିପରୀତ । ମୁଁ ପ୍ରାର୍ଥନା କରୁଥିଲି,ଏହିସବୁ ସ୍ୱଦେଶୀ ପୀଠ ସ୍ଥାନରୁ ମୋତେ ରକ୍ଷାକର ଭଗବାନ । ମୋବାରକଙ୍କର ପ୍ରାର୍ଥନା ଥିଲା–ହେ ଖୋଦା ଆଲ୍ଲା, ବେଶୀ ନୁହେଁ ପାଞ୍ଚଶହ ଯାଏ ଅମାନିଆ ସ୍ୱଦେଶୀ ମୋ ହାତକୁ ଆଣିଦିଅ । ଥରେ ପରୀକ୍ଷା କରି ଦେଖେଁ ସେମାନେ କିପରି ‘ଚିଜ’ ।

 

କେବଳ ନୀରବ ପ୍ରାର୍ଥନା ଉପରେ ନିର୍ଭର ନକରି ସେ କାଳି କଲମର ଆଶ୍ରୟ ନେଲେ । ଲିଖିତ ଅବେଦନରେ ସେ ଉପରବାଲାଙ୍କ ଦରବାରରେ ଜଣାଇଲେ ।

 

ଏହି ସଙ୍କଟ କାଳରେ ସେ ତାଙ୍କର ସମଗ୍ର ଶକ୍ତି ଇଂରେଜ ସରକାରଙ୍କର ସାମ୍ରାଜ୍ୟ ରକ୍ଷାରେ ନିୟୋଗ କରିବାକୁ ଉତ୍ସୁକ । ଅତଏବ ତାଙ୍କୁ କୌଣସି ବୃହତ୍ତର ରାଜନୈତିକ ଜେଲ୍‍କୁ ସ୍ଥାନାନ୍ତରିତ କରାହେଉ ।

 

କିନ୍ତୁ ବର୍ତ୍ତୃପକ୍ଷଙ୍କର ରସଜ୍ଞାନ ଅଛି । ତାଙ୍କର ସରବ ଏବଂ ମୋର ନୀରବ–କୌଣସି ପ୍ରାର୍ଥନା ହିଁ ପୂର୍ଣ୍ଣ ହେଲାନାହିଁ । ମୋବାରକ ରହିଗଲେ ପାହାଡ଼ ଦେଶରେ ଚୋର ଡକାଇତଙ୍କୁ ସମ୍ଭାଳି । ମୋର ଡାକରା ଆସିଲା ଗୋଟିଏ ନିରୋଳା ସ୍ୱଦେଶୀ ଛାଉଣୀକୁ ସତ୍ୟାଗ୍ରହୀ ଦମନର ମହାନ ବ୍ରତ ସ୍କନ୍ଧରେ ନେବାପାଇଁ ।

 

ଦୁର୍ଗମ ଜଙ୍ଗଲରେ ବେଢ଼ା ପ୍ରାୟ ବାରଖଣ୍ଡ ହେବ ଭଙ୍ଗାଘର । ଏକ ସମୟରେ ଥିଲା ଗୁଳି-ବାରୁଦର କାରଖାନା । ପ୍ରତି ପ୍ରହରରେ ବେୟନେଟ ଦେଖାଉଥିଲା ଟହଲଦାର ପ୍ରହରୀ । ଅଜ୍ଞ ପଥଚାରୀଙ୍କ ପିଳେହି ଚମକାଇ ହୁଙ୍କାର ଛାଡ଼ୁଥିଲା–ହୁକୁମଦାର । କାଳକ୍ରମରେ ପ୍ରହରୀ ବଦଳ ହେଲା । ବେଲୁଚ ରେଜିମେଣ୍ଟ ଯେଉଁଠି ଥିଲେ ସେଠାରେ ଦେଖାଦେଲେ ଫେରୁ-ପଲ । ସେମାନେ ମଧ୍ୟ ପ୍ରହର ଘୋଷଣା କରନ୍ତି । ‘ହୁକୁମଦାର’ ନକହି କହନ୍ତି ହୁକ୍‌କା ହୁଆ ।

 

ଗୋଟିଏ ଯୁଗ ପରେ ଆସିଲା ପଟ ପରିବର୍ତ୍ତନର ପାଳି । କୋଦାଳି, କୁରାଢ଼ି ଓ ଶାବଳ ଆଘାତରେ ଶିବରାମଙ୍କର ଦଳ ଡିହ ଛାଡ଼ି ପଳାଇଗଲେ । ନୂଆ ଦୃଶ୍ୟ ଦେଖାଦେଲା । ସରକାରଙ୍କ ଆଖିରେ ସେମାନେ ମଧ୍ୟ ଗୋଟାଏ ଜୀବନ୍ତ ଗୋଳା ବାରୁଦ । ତେଣୁ ନୂଆକରି ଆରମ୍ଭ ହୋଇଛି ସଶସ୍ତ୍ର ପ୍ରହରୀର ଟହଲ-ଗର୍ଜନ; ହୁସିଆରୀର ସରଞ୍ଜାମ ଏଥର ବ୍ୟାପକତର ।

 

ଏହି କାରଖାନାରୁ ଦିନେ ଯେଉଁ ବୁଲେଟ ବାହାରି ଥିଲା, ତାହାର ଖ୍ୟାତି ଥିଲା ଆନ୍ତର୍ଜାତିକ । ରକ୍ତ-ପିଚ୍ଛଳ ପଥରେ ସେହିମାନେ ହିଁ କରିଥିଲେ ବ୍ରିଟିଶ ସାମ୍ରାଜ୍ୟର ଉଦବୋଧନ । ଆଜି ଏହି ଭଙ୍ଗା ଘରର ବୁକୁରେ ଯେଉଁସବୁ ବୁଲେଟ ଠୁଳ ହେଲା, ତାହାର ପଥ ରକ୍ତହୀନ । କିଏ କହିପାରେ ଏହି ପଥଦେଇ ଏମାନଙ୍କ ହାତରେ ଆସିବ ସାମ୍ରାଜ୍ୟର ଉପସଂହାର ?

 

ଜଙ୍ଗଲ ପାଖରେ ପଡ଼ିଆ । ସେଠାରେ ଧାଡ଼ି ଧାଡ଼ି ଚାଳିଘର ତିଆରି ହେଲା–ଶାଳର ଖୁଣ୍ଟ, କୁଟାର ଛାଉଣୀ ଓ ତାଟିର ବାଡ଼ । ପାଚେରୀ ବିନା ଜେଲ୍‍ ହୁଏ କିପରି ? କାରଗାର ମାନେଇ ତ ପ୍ରଥମରେ ବୁଝୁ କାରା ପ୍ରାଚୀର । ସେହି ଥିଓରୀ ବାତିଲ ହୋଇଗଲା । ଗୋଟାଏ ସୂଷ୍ମ କଣ୍ଟାତାରର ବେଷ୍ଟନୀ କୌଣସି ପ୍ରକାରେ ପରଦା ରକ୍ଷାକରି ଜେଲ୍‍ର ମାନ ବଞ୍ଚାଇ ଦେଲା, ମସଲିନର ଓଢ଼ଣା ଯେପରି ରାଜପୁତ ରମଣୀର ଲଜ୍ଜା ନିବାରଣ କରେ । ପଥଚାରୀ କୃଷକମାନେ ଦା’ ହସ୍ତରେ ଛିଡ଼ାହୋଇ ଦେଖନ୍ତି ଓ ହସନ୍ତି । ଯେଉଁମାନେ ତରୁଣ, ଥଟ୍ଟାକରି କହନ୍ତି, ଏ ଜେଲ୍‍ ନା ବାବୁଙ୍କର ବଗିଚାଘର । ଯେଉଁମାନେ ଟିକିଏ ପ୍ରାଚୀନ, ସମ୍ଭ୍ରମର ସହିତ ଉତ୍ତର ଦିଅନ୍ତି, ଏଠାରେ କେଉଁମାନେ ରହିବେ ଜାଣ ? ସ୍ୱଦେଶୀ ବାବୁମାନେ । ଗାନ୍ଧିରାଜାଙ୍କ ଲୋକ । ଏମାନେ ଚୋର ଓ ଡକାୟତ ନୁହନ୍ତି ଯେ ପଳେଇବେ ।

 

ସେକଥା ଆମେ ମଧ୍ୟ ବୁଝୁଁ । ତଥାପି ଚିନ୍ତିତ ହେଲେ ଅଭିଜ୍ଞ ଏବଂ ଦକ୍ଷ ଜେଲର ମହେଶ ତାଲୁକଦାର । କିନ୍ତୁ ଶ୍ୱେତାଙ୍ଗ ଇନସ୍ପେକ୍ଟର ଜେନେରାଲ ତାଙ୍କ ଆଶଙ୍କାକୁ ଅମଳ ଦେଲେ ନାହିଁ । କହିଲେ, ଦୁଇ ଚାରି ଦଶଟା ଯଦି ପଳାନ୍ତି, ଟେକ୍‍-ନୋ ନୋଟିସ । ତହିଁରୁ ବେଶୀହେଲେ ମୋ ଅଫିସକୁ ଗୋଟାଏ ନୋଟିସ ପଠାଇଦେବ । ତେବେ Rest assured gailor, ସେହି ରିପୋର୍ଟ ତମକୁ ପଠାଇବାକୁ ହେବନାହିଁ । ଏମାନେ ପଳାଇବା ପାଇଁ ଆସି ନାହାନ୍ତି ।

 

ତାର ବେଢ଼ା ଶେଷ ହେଲାରୁ ଆରମ୍ଭ ହୋଇଗଲା ବନ୍ୟା ପ୍ରବାହ । ବଡ଼ ବଡ଼ ମୋଟର ଯାନ ଭର୍ତ୍ତି–ଆସୁଛନ୍ତି ତ ଆସୁଛନ୍ତି । ଯୁବକ, ବୃଦ୍ଧ, ପୌଢ଼ ଓ କିଶୋର । ଉଚ୍ଛଳ ହସ ଆଉ ପ୍ରଦୀପ୍ତ ଉତ୍ସାହ । ଆକାଶ-ପବନରେ ଧ୍ୱନିତ ହେଉଛି, ବନ୍ଦେ ମାତରମ୍‌, ମହାତ୍ମା ଗାନ୍ଧିଜୀ କି ଜୟ ।

 

–ଆଜି କେତେ ଆସିଲେ ?

 

–ତିନିଶହ ପଚିଶି ।

 

–ମୋଟେ ? ଆମର ଆସିଛି ଚାରିଶହ ସତାବନ ।

 

ପାଖାପାଖି ଦୁଇ ଜେଲର କର୍ମ୍ମୀଙ୍କର ଦେଖାହେଲେ ଆଳାପର ବିଷୟ ସେହି ଗୋଟିଏ-। ପକ୍କାଘରେ ରହନ୍ତି ନେତା ଓ ଉପନେତାଙ୍କ ଦଳ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ । ତୃତୀୟ ଶ୍ରେଣୀଙ୍କ ପାଇଁ କୁଟୀର ଘର, ତାଙ୍କର ଆଉ ଶେଷ ନାହିଁ । ପାଞ୍ଚଶହ; ଛଅଶହ, ଆଠଶହ, ହଜାରେ, ବାରଶହ । ଆଉ ଯେ ଜାଗା ନାହିଁ । କିଏ ଶୁଣୁଛି ସେ କଥା ? ବନ୍ୟାର ଜଳ ଫାମ୍ପି ପୁଲି ଉଠୁଛି ପ୍ରତିଦିନ । ଏହି ଯୌବନ-ଜଳ-ତରଙ୍ଗ ରୋଧିବ କିଏ ?

 

କଣ୍ଟାତାରର ଗେଟ୍‌ । ତାହା ସାମନାରେ ଟାଇଲଘରେ ଅଫିସ ବସିଅଛି । କାମ ଚାଲିଛି ସକାଳୁ ରାତି ବାରଟା । ଲଢ଼େଇ-ଫେରନ୍ତା ସୁପାର, କ୍ୟାପ୍ଟେନ ବାନର୍ଜି । ପ୍ରବୀଣ ଏବଂ ସୁଦକ୍ଷ ଜେଲର ମହେଶ ତାଲୁକଦର । ଚାରିଜଣ ଡେପୁଟି । ତା’ପରେ ଅଛନ୍ତି କିରାଣିକୁଳ ଏବଂ ସିପାହୀ ସାନ୍ତ୍ରୀଙ୍କ ବିଶାଳ ବାହିନୀ । ଟେବୁଲମାନଙ୍କରେ ଓୟାରେଣ୍ଟର ହିମାଳୟ, ଆଉ ଫାଇଲର ପିରାମିଡ଼-। ନାନା ଆକାର ଓ ନାନା ପ୍ରକାରର ଖାତା ଉପରେ ଅବିରାମ କଲମ ଚାଲିଛି । ଆଉ ତାହା ସହିତ ଚାଲିଛି ହସ, ଥଟ୍ଟା, ଚା’ ସିଗାରେଟ ଓ ମଝିରେ ମଝିରେ ଅଫିସ-ପଲିଟିକ୍‌ସର ରୁଚିକର ଫୁଟଣ-

 

ଓ, ବାବା ! ଏ ଯେ ଦେଖୁଛି rigorous imprisonment, ସଶ୍ରମ କାରାଦଣ୍ଡ । କେଉଁ ଶ୍ରମଟା ଏମାନେ କରୁଛନ୍ତି–ଅନେକଟା ନିଜ ମନକୁ କହିଲା ସୁଧାଂଶୁ । ଆମଦାନି ବହିରେ ଓୟାରେଣ୍ଟ ନକଲ କରିବା ତା’ର କାମ ।

 

ଡେପୁଟି ଜେଲର ହୃଦୟବାବୁ ଚା’ ଖାଉଥିଲେ । କହିଲେ, କାହିଁକି ଶ୍ରମଟା କମ୍‍ ହେଉଛି କେଉଁଠି ? ତମ ଘଣା ଟଣା, ପଥର ଭଙ୍ଗା ଏସବୁ କରୁ ନାହାନ୍ତି ସତ; କିନ୍ତୁ ତାଙ୍କ ଲାଇନରେ ସେମାନେ ଦିନସାରା ଖଟୁଛନ୍ତି ।

 

–ଯଥା ?

 

–ଯଥା, ଭୋରରୁ ଉଠି–ମିଲଟାରୀ କାୟଦାରେ କହିଲେ ହୃଦୟ ବାବୁ–

 

ବାୟାଁ ଡାହାଇନା,

 

ବାୟାଁ ଡାହାଇନା.

 

ଘୁମ ଯାଓ ।

 

ବାୟାଁ ଡାହାଇନା,

 

ବାୟାଁ ଡାହାଇନା,

 

ଠାର୍‌ ଯାଓ ।

 

ସଭିଙ୍କର ହାତର କଲମ ବନ୍ଦ ହୋଇଗଲା । ଯତୀଶ ଦା ଏପାଖରୁ କହିଲେ ମୁଣ୍ଡ ଖରାପ ହେଲା କି ହୃଦୟବାବୁ ? ସେଗୁଡ଼ାକ କ’ଣ କହୁଛନ୍ତି ?

 

ହୃଦୟବାବୁ ଗମ୍ଭୀର ଭାବରେ କହିଲେ, ବୁଝି ପାରିଲେ ନାହିଁ ? ପ୍ୟାରେଡ଼, ସ୍ୱଦେଶୀ ପ୍ୟାରେଡ଼ ! ଆପଣମାନେ ଯାହାକୁ କହନ୍ତି–

 

Left right, Left right

 

About Turn !

 

Left right, Left right

 

Halt !

 

ହସର ରୋଳ ଉଠିଲା ଘରଭରି । ଯତୀଶ ଦା କଲିକତାର ଡେଲି ପ୍ୟାସେଞ୍ଜର । ଭୋର ବେଳର ଖବର ରଖନ୍ତି ନାହିଁ । ସନ୍ଦେହ କରି କହିଲେ, ଏସବୁ କ’ଣ ସତ ? ଏମାନେ କରନ୍ତି, ନା ଆପଣ ବନେଇ କହୁଛନ୍ତି ।

 

ହୃଦୟବାବୁ ଚା’ ତକ ଶେଷକରି କହିଲେ, ଆପଣ ଭାଗ୍ୟବାନ ଲୋକ ଦାଦା । ନିତି ବୌଦିଦିଙ୍କ ହାତରୁ ଲେହ୍ୟ-ପେୟ ଖାଇ ଦଶଟା-ପାଞ୍ଚଟା ଅଫିସ କରନ୍ତି । ଦିନେ ଆମ ହିତ ଏଇ ଜଙ୍ଗଲର ମଶାର କାମୁଡ଼ା ଖାଆନ୍ତୁ ନା । ନିଜେଇ ଦେଖି ପାରିବେ, ବନେଇ କହୁଛି କି ନା । ଯତୀଶ ଦା ଗୋଟାଏ କ’ଣ କହିବାକୁ ଯାଉଥିଲେ । ସୁଧାଂଶୁ ବାଧାଦେଇ କହିଲା, ଯାଉ ସେ କଥା, ଆପଣ କହନ୍ତୁ । ଏହାର ପର ପର୍ବଟା କ’ଣ ? ହୃଦୟବାବୁ ସିଗାରେଟ ଧରାଉ ଧରାଉ କହିଲେ, ଏହା ପରେଇ ଆରମ୍ଭ ହେଲା କ୍ଲାସ–ନିମ୍ନପ୍ରାଇମେରୀ ଠାରୁ ଏମ୍‌.ଏ. ଯାଏ ଯେତେ ରକମ କ୍ଲାସ ଅଛି । କେତେକ ଘରେ,କେତେକ ପଡ଼ିଆରେ,କେତେକ ଗଛମୂଳରେ । ଏତେବଡ଼ ରେସିଡେନ୍‌ସିୟାଲ ଇଉନିଭାର୍ସିଟି ପୃଥିବୀରେ ଆଉ କେଉଁଠି ପାଇବନାହିଁ ।

 

–କେତେଟା ଯାଏ କ୍ଲାସ ଚାଲେ ?

 

–ଘଡ଼ିଧରି ଏଗାରଟା । ତା’ପରେ ସ୍ନାନ ଓ ଆହାର ପର୍ବ । ଘଣ୍ଟାଏ ଖଣ୍ଡେ ବିଶ୍ରାମ ଦୁଇଟା ଠାରୁ ଆରମ୍ଭ ହେବ ବକ୍ତୃତା, ଆଲୋଚନା, ଆଉ ତା’ ମଝିରେ (ଗଳା ନୁଆଁଇ କହିଲେ ହୃଦୟବାବୁ) କୌଣସି କୌଣସି ଘରେ ସିକ୍ରେଟ ମିଟିଂ ଅଥବା କ୍ଲୋଜ୍‌-ଡୋର୍‌ ମନ୍ତ୍ରଣା ସଭା । ଏହି ଜେଲରେ ବସି ଭବିଷ୍ୟତ କାର୍ଯ୍ୟକ୍ରମ ତିଆରି ହେଉଛି, ଜାଣିରଖ ।

 

–ତା’ପର ?

 

–ତା’ପର ଉପରଓଳି ଖେଳ କୌତୁକ; ହା, ଡୁ, ଡୁ, ଚୋର, ଚୋର ଧାଁ ଦଉଡ଼ ଇତ୍ୟାଦି-। ସନ୍ଧ୍ୟାପରେ ଆମୋଦ-ପ୍ରମୋଦ; କ୍ୟାରି କେଚର, ମ୍ୟାଜିକ୍‌, ସାନ୍ତାଳ ନାଚ ଆହୁରି କେତେ କ’ଣ-! କେଉଁ କେଉଁ ଘରେ ପୁଣି ଗୀତ ମଜଲିସ୍‌ ବସେ । ତାହା ସହିତ ପାଣିର ଡ୍ରମ ବା ବାଲଟିର ସଙ୍ଗତ ।

 

ନିତାଇ ବକ୍‌ସୀ କହିଲେ, ବେଶ୍‍ ଅଛନ୍ତି କିନ୍ତୁ ଲୋକ ଗୁଡ଼ାକ । ଜେଲ୍‍ ଖଟି ଦେଶୋଦ୍ଧାର ବି ହେଲା, ଏଣେ ସ୍ଫୁର୍ତ୍ତିର ସୀମା ନାହିଁ । ଆଉ ଆମମାନଙ୍କର ଅବସ୍ଥା ଦେଖ । କେଉଁ ସକାଳୁ କପେ ଚା’ ଖାଇ ବାହାରିଛି । ବାରଟା ବାଜିଗଲା । କେତେବେଳେ ଯେ ଫେରିବି, କିଏ ଜାଣେ ? ଆଉ ଫେରି ମଧ୍ୟ ସେହି ତ ଲୁହାକଟା ବାଲାଙ୍କ ହୋଟେଲର ଶୁଖିଲା ଭାତ । ଥାଳିରେ ଝଣ ଝଣ ଶବ୍ଦ ହୁଏ, ଯେପରି ଗୋଡ଼ି ପଥର ।

 

ଟୋକା ରକମ କିଏ ଜଣେ କହିଲା, ତାହାଠାରୁ ଚାଲନ୍ତୁ ନା, ଦାଦା, ଗାନ୍ଧିଜୀଙ୍କି ଜୟ କହି ବାହାରି ପଡ଼ିବା । ଲୁହା କଟାଙ୍କର ଲୁହା ଟୁକୁରା ବଦଳରେ ସୁନ୍ଦର ଦୁଇଓଳି ଗରମ ଗରମ...

 

ଚଲିୟେ ହଜୁର–ଜମାଦାର ତମେଶ୍ୱର ନାଥ ମିଶିର ସଲାମ ଦେଇ ଆମନ୍ତ୍ରଣ ଜଣାଇଲା । କଥାଟା କିଛି ନୂଆ ନୁହେଁ । ପ୍ରାୟ ଦୈନନ୍ଦିନ ଘଟଣା । ରନ୍ଧନ-ଯଜ୍ଞ ସଦ୍ୟ ସମାପ୍ତ ହୋଇଅଛି । ଏଥର ଭୋଜନ-ଯଜ୍ଞର ଉପକ୍ରମଣିକା, ଅର୍ଥାତ୍‌ ପରିବେଷଣ–ଜେଲ୍‍ ଭାଷାରେ ଯାହାକୁ କହନ୍ତି ଫିଡ଼ିଂ-ପ୍ୟାରେଡ଼ । ନିତାଇ ବକ୍‌ସୀର ଟିଫିନ-କେରିଆରରେ ଶୁଷ୍କ ଅନ୍ନ ଶୁଷ୍କତର ହେବାକୁ ଲାଗିଲା । ଟୋପିଟା ଉଠାଇ ନେଇ ଧାଇଁବାକୁ ହେଲା ଅନ୍ୟର ସଦ୍ୟ-ପକ୍ୱ ଅନ୍ନ ବିତରଣ ଉତ୍ସବରେ ପରିଦର୍ଶନ ହେବାପାଇଁ । ସେ ଏକା ନୁହନ୍ତି । ଆମେ ମଧ୍ୟ ସଙ୍ଗ ନେଲୁ, ସମବ୍ୟଥାର ବ୍ୟଥା । ଡେପୁଟି ଜେଲର ବାହିନୀଙ୍କ ଏହା ହେଉଛି ଦୈନନ୍ଦିନ ଅଭିଯାନ । ଫଳ ଯାହା ହେବ ତାହା ମଧ୍ୟ ଆମର ମୁଖସ୍ଥ । ବଣ୍ଟନ କାର୍ଯ୍ୟରେ ଯଥାସମ୍ଭବ ସାବଧାନତା ସତ୍ତ୍ୱେ ଅନ୍ତତଃ ପଚାଶ ଜଣଙ୍କର ଭାତ କମ୍‌ ପଡ଼ିବ, ଅଥଚ ଚାଉଳ ଯାହା ଦିଆଯାଉଛି ତାହା ବରାଦି ମୁତାବକ । ତା’ର ହିସାବ ନିର୍ଭୁଲ ଏବଂ ରନ୍ଧାର ବ୍ୟବସ୍ଥା ଓ ତା’ର ତତ୍ତ୍ୱାବଧାନରେ କୌଣସି ତ୍ରୁଟି ନାହିଁ । ତା’ପରେ ହେବ ଗୋଟିଏ ନିଷ୍ଫଳ ଏନକୋୟାରି ଅର୍ଥାତ୍‌ ସ୍ୱଦେଶୀ କ୍ୟାମ୍ପର ପଣ୍ଡାମାନଙ୍କ ସହିତ ନିରର୍ଥକ ପାଟିତୁଣ୍ଡ ।

 

ଜମାଦାର କହିବ, ହାମି ଖୋଦ ଦେଖିଛି, ଏହି ପାଞ୍ଚ ଠୋ ବାବୁ ଦୋବାର କରି ଭାତ ନେଇଛି । ସ୍ୱଦେଶୀମାନେ ଗର୍ଜିଉଠିବେ–ମିଛ କଥା । ଆମେ ଘୋର ପ୍ରତିବାଦ ଜଣାଉ ଅଛୁଁ । ଶେଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାରେ ଥଣ୍ଡା କରି ଆମକୁ ରିପୋର୍ଟ ଦେବାକୁ ହେବ । ରନ୍ଧନଶାଳାର ସାଧାରଣ କଇଦୀଙ୍କର ଅସାବଧନତା ଯୋଗୁଁ ତେଇଶି ସେର ଦଶ ଛଟାଙ୍କି ଚାଉଳର ଭାତ ପୋଡ଼ିଯାଇ ମଣିଷ ଖାଦ୍ୟର ଅଯୋଗ୍ୟ ହୋଇ ଯାଇଛି । ଅତଏବ ସେହି ପରିମାଣରେ ଚାଉଳ ଅତିରିକ୍ତ ଇସୁ କରାହେଉ ! ଏହାପରେ ବଡ଼ ସାହେବଙ୍କ ହୁକୁମ ହେବ–ତଥାସ୍ତୁ । ନୂଆ କରି ବୟଲାରରେ କୋଇଲା ପଡ଼ିବ ।

 

ଏହି ଦୃଶ୍ୟର ପୁନରାବୃତ୍ତି ହେଉଛି ପ୍ରତିଦିନ । ସ୍ୱଦେଶୀ ନେତାମାନେ କହୁଛନ୍ତି, ଆମ ହାତରେ କିଚେନ ଛାଡ଼ି ଦିଅନ୍ତୁ । ସେଠାକାର ସାଧାରଣ କଇଦୀଙ୍କୁ ଆମେ ଚଳାଇବୁଁ । ରସିଦ ହିସାବ କରି ବୁଝିନେବୁଁ । ବାକି ଦାୟିତ୍ୱ ଆମର । କିନ୍ତୁ କର୍ତ୍ତୃପକ୍ଷ ରାଜି ନୁହନ୍ତି । ସରକାରଙ୍କର ମର୍ଯ୍ୟାଦା କ୍ଷୁଣ୍ଣ ନ କରି ଏହି ବ୍ୟବସ୍ଥା କିପରି ଚଳିବ ? କିଚେନ ଆମକୁ ହିଁ ଚଳାଇବାକୁ ହେବ । ଜେଲ୍‍ ଗଭର୍ଣ୍ଣମେଣ୍ଟର ଦାୟିତ୍ୱ ସରକାରଙ୍କର । ତମେ କଇଦୀ । କଇଦୀଙ୍କ ହାତରେ କର୍ତ୍ତୃତ୍ୱ ଛାଡ଼ିଦେଇ ହେବ ନାହିଁ । ମାସେଖଣ୍ଡେ ପରେ ଦିନେ ସକାଳେ ରସିଦ-ଗୁଦାମର ପାଖଦେଇ ଯାଉଥିଲି । ବାରନ୍ଦାରେ ବସି ଷ୍ଟୋର-କ୍ଳର୍କ ସୁରେଶ ବାବୁ ହିସାବ କରୁଥିଲେ । ଟେବୁଲ ଆରପଟେ ଆଉ ଖଣ୍ଡିଏ ଚେୟାରରେ ବସିଛନ୍ତି ଅନ୍ୟ-ପକ୍ଷର ଜଣେ ସାନ ନେତା, ବିମଳ ମଜୁମଦାର । ତାଙ୍କ ହାତରେ ଖାତା-ପେନ୍‌ସିଲ । ସୁରେଶବାବୁଙ୍କ ପାଟି ଶୁଭିଲା–ହଳଦୀ ୩୭ ସେର ବାର ଛଟାଙ୍କି ହେଉଛି ବିମଳବାବୁ । ଆପଣଙ୍କର କେତେ ହେଲା ?

 

–ଆଜ୍ଞା ମୋର ହେଉଛି ତେର ଛଟାଙ୍କି ।

 

–ବେଶ୍‌ । ସେହି ଛଟାଙ୍କିକ ଆପଣଙ୍କୁ ବକ୍‌ସିସ ଦିଆଗଲା ।

 

ଦୁହେଁଯାକ ହସି ଉଠିଲେ । ଯେଉଁସବୁ ସାଧାରଣ କଇଦୀମାନେ ମାଛ ଓଜନ କରୁଥିଲେ, ତାଙ୍କ ମୁହଁରେ ବି ଦେଖିଲି ଖୁସିର ଆଭା । ସବୁ ରସିଦର ହିସାବ କସି, ମାଲ ଓଜନ କରି କଇଦୀଙ୍କ ମୁଣ୍ଡରେ ଲଦି ବିମଳବାବୁ କିଚେନରୁ ନେଇଗଲେ । ଶୁଣିଲି ସେ ପରା ଏ ମାସପାଇଁ ମେସ୍‌ କମିଟିର ସେକ୍ରେଟାରୀ । ରନ୍ଧନଶାଳାର ତଦାରଖିରେ ଅଛନ୍ତି ଆଉ ଜଣେ । ସେ କିଚେନ କମିଟି । ରନ୍ଧନ ଦ୍ରବ୍ୟର ଚେହେରା ବି ଦେଖିଲି ବଦଳି ଯାଇଛି । ଜେଲ୍‍ ଆଇନରେ ପ୍ରତ୍ୟେକ କଇଦୀର ପ୍ରାପ୍ୟ ଚାରିଛଟାଙ୍କି ପରିବା । ନିତି ଗାଡ଼ିଏ ପରିବା ଆସେ । ନାନାରକମ ଜିନିଷ ଏକାଠି ମିଶାଇ ଗୋଟାଏ ଉପାଦେୟ ରସାୟନ ଏତେକାଳ ତିଆରି ହେଉଥିଲା । ଆଳୁ, ବାଇଗଣ, କଖାରୁ, ପାଳଙ୍ଗ ଶାଗ, ମୂଳା, ବନ୍ଧାକୋବି ଆହୁରି କେତେ କ’ଣ । ଆଜିକାଲି ସେହି ଏକା ଉପକରଣ ଦୁଇ ଦୁଇଟା ତରକାରୀ ହେଉଛି । ଆଳୁ ଓ ବନ୍ଧାକୋବି ଗୋଟାଏ, ଆଉସବୁ ପରିବା ମିଶି ଗୋଟାଏ ସନ୍ତୁଳାଭଳି । ଡାଲି ଓ ପାଣିର ଅସହଯୋଗ ଆମେ କେବେ ଦୂର କରିପାରି ନ ଥିଲୁଁ । ଏବେ ଦେଖିଲି ସେମାନେ ମିଳିମିଶି ଯାଇଛନ୍ତି ଏବଂ ତାହା ମଧ୍ୟରୁ ମାଛ ମୁଣ୍ଡର ଖଣ୍ଡ ଉଙ୍କିମାରୁଛି । କେବଳ ଭଜା ଛଡ଼ା ଯେ ମାଛର ଆଉ କିଛି ସଦ୍‌ଗତି କରାଯାଇପାରେ ରନ୍ଧନ କର୍ତ୍ତୃପକ୍ଷଙ୍କର ତାହା ଥିଲା କଳ୍ପନାର ଅତୀତ । ସେହି ମାଛ ଖଣ୍ଡ ଦେଖିଲି କାଲିଆ ରୂପରେ କଇଦୀଙ୍କ ଥାଳିରେ ଶୋଭା ପାଉଛି ।

 

କିଚେନ କମିଟି ହସି କହିଲେ, କ’ଣ ଦେଖୁଛନ୍ତି ଡେପୁଟି ବାବୁ ! ବିଧାତା ଆମକୁ ରସନା ଦେଇଛନ୍ତି ଦୁଇଟା କାମ ପାଇଁ–ବକ୍ତୃତା ଆଉ ସୁଖାଦ୍ୟର ରସ ଗ୍ରହଣ । ପ୍ରଥମଟା ଯେତେବେଳେ ଆପଣମାନେ ଦେହ ଜୋରରେ ଛଡ଼ାଇ ନେଲେ, ସେହି ଲୋକସାନ ଦ୍ୱିତୀୟଟା ଦେଇ ପୋଷାଇ ନେବାକୁ ହେବ ।

 

ମୁଁ କହିଲି, ଖାଲି ପୋଷାଇ ନେବା ? କହନ୍ତୁ, ସୁଧ ଅସଲରେ ଆଦାୟ କରିନେବା ।

 

ମେସ୍‌ କମିଟି ହସି ଉଠିଲେ ।

 

ଫେରିବା ବେଳେ ଭାବି ଭାବି ଆସିଲି, କାହା ହୁକୁମରେ ଏ ସବୁ ହେଲା ? କେହି ଜାଣିଲେ ନାହିଁ । ରାତାରାତି କ୍ଷମତା ହସ୍ତାନ୍ତର ହୋଇଗଲା । ଆନୁଷ୍ଠାନିକ ଭାବରେ ନୁହେଁ, କେତେକଟା ଯେପରି ସ୍ୱଭାବର ନିୟମରେ ମନକୁ ମନ କର୍ତ୍ତୃପକ୍ଷ ଦେଖି ସୁଦ୍ଧା ଆଖି ବୁଜି ରହିଲେ-। ମନେମନେ ବୋଧହୁଏ ସ୍ୱସ୍ତିର ନିଃଶ୍ୱାସ ପକାଇଲେ । ସବୁଠାରୁ ଖୁସିହେଲୁଁ ଆମେ ନିତାଇ ବକ୍‌ସୀଙ୍କର ଦଳ । ପଚାଶ ଆଦମିକା ଭାତ ଘଟଗିୟା–ଏହି ଭୟାବୟ ରିପୋର୍ଟ ନେଇ ଆଉ ତମେଶ୍ୱର ମିଶିର ଆସେ ନାହିଁ । ଏନକୋୟାରିର ଦାୟରୁ ମୁକ୍ତି ପାଇଅଛି ।

 

ଦିନଗଲା, ମାସଗଲା, ବର୍ଷ ବି ଯିବା ଉପରେ । ଜୁଆରର ବେଗ ଶେଷ ହେଲା । ଏବେ ଦେଖା ଦେଇଛି ଭଟ୍ଟା । ଯେଉଁମାନେ ମଝିନଈରେ ନାଆ ଭସାଉଥିଲେ, ଝଡ଼ ତୋଫାନର ଭୃକୁଟିକୁ ଖାତିର କରି ନାହାନ୍ତି, ତାଙ୍କର ମନ ଆଜି ଘରମୁହାଁ ତୀରର ଆଶ୍ରୟ ପାଇଁ ବ୍ୟାକୁଳ । ଦେଶମାତାଙ୍କର ଦୀପ୍ତ ମୁଖ ଆଜି ଅନେକଙ୍କର ଆଖିରେ ଅସ୍ପଷ୍ଟ ହୋଇ ଆସିଲାଣି । ଉଜ୍ଜ୍ୱଳ ହୋଇ ଉଠିଛି ନିଜ ନିଜ ଗୃହର ରୂପ । ଦେହ କ୍ଳାନ୍ତ, ମନ ଅବସନ୍ନ, ମିଜାଜ ରୁକ୍ଷ । ପ୍ୟାରେଡ଼, ଡିବେଟ, କ୍ୟାରି କେଚାର ମନକୁ ବନ୍ଦ ହୋଇ ଯାଇଛି । ତାହା ବଦଳରେ ଆସିଛି ଅସହିଷ୍ଣୁ ବାଗ୍‌ଯୁଦ୍ଧ ଆଉ ଅହେତୁକ ଭେଦଭାବ । ବାହାରର ଖବର କ’ଣ ? ଜେଲ୍‍ର ଏହି କଦନ୍ନ ଓ କମ୍ବଳ ଶଯ୍ୟା କେତେକାଳ କପାଳରେ ଅଛି ? ମହାତ୍ମାଜୀ କ’ଣ କହୁଛନ୍ତି ? କମ୍ପ୍ରମାଇଜର କେତେଦୂର ହେଲା ? ଏହି ସବୁ ପ୍ରଶ୍ନ ସଭିଙ୍କର ମନରେ ଘୂରି ଫେରି ଗୁଞ୍ଜନ କରୁଅଛି ।

 

ଅଫିସ ମହାକ୍ରାନ୍ତ ଛନ୍ଦରେ ଚାଲିଛି । ଯେଉଁଠି ରାତି ବାରଟାରେ ନିଃଶ୍ୱାସ ପଡ଼ୁ ନ ଥିଲା, ସେଠାରେ ଦିନବାରଟାରେ ଘୁଙ୍ଗୁଡ଼ି ଶୁଭୁଛି । ଆମଦାନି ଅନେକ ଦିନୁ ଶେଷ ହେଲାଣି । ବର୍ତ୍ତମାନ ବିଦାୟର ପର୍ବ । ନିତି ଦଳେ ବାହାରି ଯାଉଛନ୍ତି, ଜେଲ୍‍ର ମିଆଦ ଶେଷକରି । ବନ୍ଧୁମାନେ ଗେଟ୍‌ଯାଏ ଆସି ବିଦାୟ ନେଇ ଯାଆନ୍ତି । ମୁରବିମାନେ ଅଫିସ ଯାଏ ଭିଡ଼ କରନ୍ତି । ତା’ପରେ ପାଥେୟନେଇ ଚାଲିଥାଏ ଭିଡ଼ାଭିଡ଼ି । ଖୋରାକି ଦୁଇଦିନ ହେବ, ନା ତିନିଦିନ । ନଉକା ଭିଡ଼ା ତିନିଟଙ୍କା ନା ସାଢ଼େ ତିନିଟଙ୍କା । ଜେଲର ମହେଶ ତାଲୁକାଦାର ପୂରା ବୁରୋକ୍ରାଟ-ଇସ୍ପାତର ଫ୍ରେମ ଉପରେ କାଦୁଅର ପଲସ୍ତରା । ବିନୟରେ ସୌଜନ୍ୟରେ ଗଦଗଦ । ସାଢ଼େ ତିନିଘଣ୍ଟା ଅସୀମ ଧୈର୍ଯ୍ୟରେ ବକ୍ତୃତା ଶୁଣିଯିବେ; କିନ୍ତୁ ଟଙ୍କାର ଅଙ୍କ ତିନିରୁ ସାଢ଼େ ତିନି ହେବ ନାହିଁ ।

 

ତେଣେ ସ୍ୱଦେଶୀ ବାବୁମାନେ ମଧ୍ୟ ଇସ୍ପାତର ଜାତି । ମଝିରେ ମଝିରେ ସଂଘର୍ଷର ସମ୍ଭାବନା ଦେଖାଦିଏ । ମୋର ଡାକପଡ଼େ । ଜେଲର ସାହେବଙ୍କ ଅନୁଗ୍ରହରୁ ମୁଁ ହେଉଛି ତାଙ୍କର ଭୌଗଳିକ ଉପଦେଷ୍ଟା–ଏଇଯେ ମଳୟ, ତୁମେ ତ ବହୁକାଳ ସେ ଆଡ଼େ ରହି ଆସିଛ । କହିଲ ଭଲା କୁମିଲ୍ଲାରୁ ବଦରଖାଲି ନଉକା ଭଡ଼ା କେତେ ?

 

କୁମିଲ୍ଲା ସହିତ ମୋର ପରିଚୟ ଭୂଗୋଳର ପୃଷ୍ଠାରେ; ଆଉ ବଦରଖାଲି ନାମ ତ ଏହି ପ୍ରଥମ ଶୁଣିଲି । ତଥାପି ବିଶେଷଜ୍ଞର ଗାମ୍ଭୀର୍ଯ୍ୟ ନେଇ କହିବାକୁ ହେଲା ବଦଳରଖାଲିର କେଉଁ ସାହିରେ ଆପଣଙ୍କର ଘର ?

 

ଖଲାସୋଦ୍ୟତ ଆସାମୀଟି କହିଲେ, ଦକ୍ଷିଣ ପଡ଼ାରେ ।

 

ନଉକା ତ ସେଆଡ଼େ ଶସ୍ତା । କେତେ ଚାହୁଁଛନ୍ତି ଆପଣ ?

 

ଭଦ୍ରଲୋକ ଉତ୍ତର ଦେବା ଆଗରୁ, ତାଲୁକଦାର ସାହେବ କହିଲେ, ସେ ତ ଚାରିଟଙ୍କା ହାଙ୍କି ବସିଛନ୍ତି । ମୋର ମନେହୁଏ ଅଢ଼େଇ ଟଙ୍କାରୁ ବେଶୀ ହେବ ନାହିଁ ।

 

ମୁଁ ରାୟ ଦେଲି ଟଙ୍କା ତିନିଯାଏ ପଡ଼ିବ ।

 

ଯେପରି ସବୁ ସମସ୍ୟାର ସମାଧାନ ହୋଇ ଯାଉଛି, ଏପରି ଭାବରେ କହିଲେ ମହେଶ ବାବୁ, ବାସ୍‍, ଛିଡ଼ିଗଲା । ମଳୟଙ୍କୁ ସବୁ ଜଣା କି ନା ?

 

ପଣ୍ଡାମାନେ ମନେମନେ ଉତ୍ତପ୍ତ ହେଲେ ମଧ୍ୟ ବାହାରେ କିଛି କହିଲେ ନାହିଁ । ଖଲାସୀଟି ପିଲା ମଣିଷ । ମିଜାକ ଠିକ୍‍ ରଖିପାରିଲା ନାହିଁ । ଗରମ ହୋଇ କହି ପକାଇଲା, ଆଚ୍ଛା, ସ୍ୱରାଜ ହେଲେ ଆମ ହାତକୁ ତ କ୍ଷମତା ଆସିବ । ସେତେବେଳେ ଦେଖିବା, କିପରି ଆପଣମାନଙ୍କର ଚାକିରି ରହେ !

 

ତାଲୁକଦାର ହସି ପକାଇ କହିଲେ, କ’ଣ କହୁଛନ୍ତି ? ଚାକିରି ରହିବ ନାହିଁ । ବରଞ୍ଚି ଆମର ଦରମା ବଢ଼ିଯିବ । ଆଜି ବିଦେଶୀ ସରକାରର ପଇସା ବଞ୍ଚାଉ ଅଛୁଁ, ସେତେବେଳେ ବଞ୍ଚାଇବୁଁ ଆପଣମାନଙ୍କର ।

 

କିନ୍ତୁ ମୁଁ ଜାଣେ, ତାଲୁକଦାର ସାହେବ ଯେତେ କଡ଼ାକଡ଼ି କରନ୍ତୁ, ଶେଷ ପର୍ଯ୍ୟନ୍ତ ତାଙ୍କରି ହାର ହେଉଥିଲା । ଅନ୍ତତଃ ବେଶୀର ଭାଗ କ୍ଷେତ୍ରରେ; ଠିକ୍‌ ଯେଉଁପରି ହାରୁଥିଲେ ଆମର ଅଠର ନମ୍ବର ମେସ୍‍ର ମେନେଜର ହରିଦାସ ବାବୁ ।

 

ଗପଟା ଯେତେବେଳେ ମନେ ପଡ଼ିଗଲା, କହି ପକାଏଁ ।

 

ବହୁଦିନ ଆଗର କଥା । ସ୍କୁଲରେ ପଢେଁ । ଗୋଟାଏ ମେସରେ ରହୁଥିଲି । ନୂଆ ପୂଝାରି ରଖାଗଲା–ମହାଦେବ ମିଶ୍ର । ସେତେବଡ଼ କାମିକା ଲୋକ ସାରା ଜୀବନରେ ଆଉ ଦେଖି ନାହିଁ । କାମିନୀବାବୁଙ୍କ ଅଫିସ ଠିକ୍‍ ସାଢ଼େ ଆଠଟାରେ । ଆଠଟା ବାଜି ପନ୍ଦର ମିନିଟ ହେଲାରୁ ଖାଇବା ଘରୁ ହୁଙ୍କାର ଶୁଭିଲା–ପୂଝାରି ଭାତ ନେଇ ଆସ । ମାଛ ସେତେବେଳେ ମାତ୍ର କଟା ହେଉଛି । କାମିନୀବାବୁଙ୍କ ସହିତ ତା’ର ଯୋଗାଯୋଗ କେବଳ ଲୋଲୁପଦୃଷ୍ଟି ଓ ଦୀର୍ଘନିଃଶ୍ୱାସ ମଧ୍ୟ ନେଇ । ବିକଳ୍ପ ବ୍ୟବସ୍ଥା ହିସାବରେ ତାଙ୍କ ପାଇଁ ବରାଦ ଥିଲା ଦୁଇ ପଇସାର ଦହି, ଅର୍ଥାତ୍‌ ମଧୁପର୍କର ଗୋଟିଏ ଗିନା । ହଠାତ୍‌ ସେଦିନ ଦହି ବଦଳରେ ଚଟୁ ହସ୍ତରେ ମହାଦେବର ପ୍ରବେଶ-। କାମିନୀବାବୁ ଆବାକ୍‌ । ସେଟା ପୁଣି କ’ଣ ?

 

–ଆଜ୍ଞା ରାମରସ ।

 

–ରାମରସ ମାନେ ?

 

ମହାଦେବ ଚଟୁ ଉଜାଡ଼ି ଦେଲା କାମିନୀବାବୁଙ୍କ ଥାଳିରେ । ଦସ୍ତୁର ମୁତାବକ ମାଛର ଝୋଳ । ସଙ୍ଗରେ ଖଣ୍ଡିଏ ମାଛ । କାମିନୀବାବୁଙ୍କ ଚକ୍ଷୁରେ ଆନନ୍ଦାଶ୍ରୁ । ସେ କ’ଣ ଏହାରି ଭିତରେ ହୋଇଗଲା ?

 

କରି ପକାଇଲି ଚଟୁଏ ।

 

ହାଣ୍ଡି ନୁହେଁ, କରେଇ ନୁହେଁ; ଚଟୁରେ ରନ୍ଧା ମାଛଝୋଳ । କାମିନୀବାବୁଙ୍କ କପାଳ ସେହିଦିନଠାରୁ ଫେରିଗଲା ।

 

ଦି’ଦିନ ନ ଯାଉଣୁ ମହାଦେବ ଗୋଟା ମେସ୍‍ଟାକୁ ଜୟ କରିପକାଇଲା । ମହାଦେବ ବିନା କୌଣସି ବାବୁଙ୍କର ଚଳେ ନାହିଁ । ଆସ୍ତେ ଆସ୍ତେ ବଜାରର ଭାର ବି ତା’ ହାତକୁ ଆସିଗଲା ! ଲେଖାପଢ଼ା ସେ ଜାଣି ନ ଥିଲା । କାଗଜ-କଲମ ସଙ୍ଗରେ ତା’ର କୌଣସି ସମ୍ପର୍କ ନାହିଁ । ହିସାବ ସବୁ ମୁହେଁ ମୁହେଁ । ନିତି ସକାଳେ ମେନେଜର ହରିଦାସବାବୁ ଦୁଇଖଣ୍ଡ ଦଶଟଙ୍କାର ନୋଟ୍‍ ତା’ ହାତରେ ଧରାଇ ଦେଉଥିଲେ । ସନ୍ଧ୍ୟାରେ ସେ ହିସାବ ଲେଖାଇ ଖରଚ ବୁଝାଇ ଦେଉଥିଲା । ହରିଦାସବାବୁ ଖାତା ଖୋଲି କହିଲେ–କୁହ ।

 

–ମାଛ !

 

–ମାଛ ଟ ୮-୬୨ ।

 

ହରିଦାସବାବୁ ଲେଖିଲେ ଟ ୭-୭୫ ।

 

–ପୋଟଳ ?

 

ମହାଦେବ କହିଲା, ପୋଟଳ ଟ ୨-୯୦ ।

 

ହରିଦାସବାବୁ ଲେଖିଛନ୍ତି ଟ ୨-୨୫ ।

 

ଏହିପରି ମହାଦେବ ଯାହା କହେ, ପ୍ରତି ଦଫାରେ କିଛି ଡିସ୍‌କାଉଣ୍ଟ ବାଦଦେଇ ମେନେଜର ତାଙ୍କର ଖାତାରେ ବସାଉଥିଲେ । ଲେଖା ଶେଷ ହେଲେ ମହାଦେବ ପଚାରେ କେତେ ହେଲା ବାବୁ ?

 

ହରିଦାସବାବୁ ଖାତାରେ ଅଙ୍କ ଯୋଗ କରି କହିଲେ ଟ ୧୭-୪୮ ।

 

କେତେ ଫେରସ୍ତ ଦେବାକୁ ହେବ ?

 

ଟ ୨-୫୮ ।

 

ମହାଦେବ କିଛି ନ କହି ଟ ୨-୫୮ ପକାଇଦେଇ ଚାଲି ଯାଉଥିଲା । ହରିଦାସ ଅନାଇ ରହୁଥିଲେ । ବେଶ୍‌ କିଛି କ୍ଷଣ ଲାଗୁଥିଲା ତାଙ୍କର ଆଁ ବନ୍ଦ ହେବାକୁ । ଯେତେ କାଟନ୍ତୁ, ସବୁ ଯାଉଥିଲା ପାଣି ଉପର ଦେଇ । ଦୁଧ ଉପରେ ହାତ ପଡ଼ୁ ନ ଥିଲା କୌଣସି ଦିନ ।

 

ଗପଟା ଦିନେ ଜେଲର ସାହେବଙ୍କୁ ଶୁଣାଇଲି । ସେ ମନେଦେଇ ଶୁଣିଲେ । ତା’ପରେ ହସି କହିଲେ, ତମର ସେହି ହରିଦାସଙ୍କ ସହିତ ମୋର ଅସଲ ଜାଗାରେ ତଫାତ୍‌ ।

 

–ଯେପରି ?

 

ସେ ଜିତିବାର ଚେଷ୍ଟା କରି ଠକୁଥିଲେ । ମୁଁ ଜିତିବାର ଚେଷ୍ଟା କରେନାହିଁ ।

 

ମୁଁ ପ୍ରଶ୍ନପୂର୍ଣ୍ଣ ଆଖିରେ ଅନାଇଲି । ମହେଶବାବୁ ଆଉ ଟିକିଏ ପରିଷ୍କାର କରି କହିଲେ, ବୁଢ଼ା ହେଲିଣି । ଜୀବନରେ ଆଜିଯାଏ ଦି’ଟା ପଇସା ହାତ ଟେକି କିଛି ଭଲ କାମରେ ଦେଇଛି ବୋଲି ତ ମନେପଡ଼େ ନାହିଁ । ଦୈବାତ୍‌ ଗୌରୀ ସେନର ଏତେବଡ଼ ସିନ୍ଧୁକଟା ଯେତେବେଳେ ହାତରେ ଆସି ପଡ଼ିଯାଇଛି, ସେଥିରୁ ଦୁଇ ଚାରିଟା ପଇସା ଯେବେ ସେହି ଗୃହହରା ପିଲାଙ୍କ ଭୋଗରେ ଲାଗେ ତ ଲାଗୁ । ମୋର ତ କିଛି କ୍ଷତି ହେଉ ନାହିଁ ।

 

ଏଗାର

 

ସ୍ୱପ୍ନ ଦେଖୁଥିଲି । ଦାର୍ଜିଲିଂରେ ମୋର ସେହି ବଙ୍ଗଳା । ବାହାର ଘରେ କ୍ୟାମ୍ପ-ଚେୟାରରେ ପଡ଼ି ପଡ଼ି ଶୋଇ ଯାଇଛି । ବେଳ ଗଡ଼ିଗଲାଣି । ଝରକା ପାଖରେ ଠିଆ ହୋଇ କାଞ୍ଚି ଡାକି ଚାଲିଛି, ବାବୁଜୀ,ବାବୁଜୀ । ନିଦ ଆଉ ଭାଙ୍ଗୁନାହିଁ କାହିଁରେ । କାଞ୍ଚିର ହସର ଫରୁଆ ଖୋଲିଗଲା, ସ୍ୱପ୍ନମୟ ମଧୁର ଝଙ୍କାରରେ ।

 

ଥତମତ ହୋଇ ଉଠି ପଡ଼ିଲି । ବିଛଣା ପାଖରେ ଆଲାରାମ ଘଡ଼ିଟା କର୍କଶ ସ୍ୱରରେ ବାଜି ଚାଲିଛି । ରାତି ଦୁଇଟା ବାଜି ପନ୍ଦର । ରାଉଣ୍ଡରେ ଯିବାକୁ ହେବ । ନିହାତି ଯେ କ୍ରୀତଦାସ ତା’ର ବି ଅଛି ଗଭୀର ରାତ୍ରିରେ ବିଶ୍ରାମର ଅବସର । ମୋର ନାହିଁ । ଘଡ଼ିଟା ସେହି କଥାଟାଇ ଜଣାଇଦେଲା ।

 

ଫାଲ୍‌ଗୁନ ଶେଷ । ଶୀତ ଚାଲିଗଲାଣି । ରାତ୍ରି ଶେଷରେ କୋମଳ ଦେହରେ ତା’ର ବିଦାୟର ସ୍ପର୍ଶ ଲାଗି ରହିଛି । କେତେ ମଧୁମୟ ଏହି ନିଶୀଥ ରାତ୍ରିର ମଧୁମୟ ଆଲିଙ୍ଗନ । ‘‘କ୍ଳାନ୍ତ ଟାନେ ଅଙ୍ଗ ମମ ।’’ ତାହାଠାରୁ ପ୍ରବଳତର ଟାଣ ମହେଶ ତାଲୁକଦାରଙ୍କର ଡିଉଟି ରୋଷ୍ଟାରର ଚତୁର୍ଥ ଲାଇନ–‘‘ଗୁରୁବାର–ଲେଟ୍‌-ରାଉଣ୍ଡ–ଡେପୁଟି ଜେଲର ବାବୁ ମଳୟ ଚୌଧୁରୀ’’ । କୌଣସିମତେ ଦେହଟାକୁ ଟାଣିନେଇ ବାହାରି ପଡ଼ିଲି, ସେକ୍‌ସପିଅର ଯାହାକୁ କହିଛନ୍ତି Crawling like a snail.ଆଜି ବୁଝିଲି,ଏହି ଅପୂର୍ବ ବିଶେଷଣର ଏହାଠାରୁ ଯଥାର୍ଥ ପ୍ରୟୋଗ ଆଉ ହୋଇ ନ ପାରେ । କୌଣସି ରାଉଣ୍ଡଗାମୀ ଜେଲର କିମ୍ବା ତା’ର ଡେପୁଟି ସହ ମହାକବିଙ୍କର ସାକ୍ଷାତ ହୋଇ ନାହିଁ । ଯଦି ହୋଇଥାନ୍ତି ବିଚାରା ସ୍କୁଲର ପିଲାଗୁଡ଼ାଙ୍କ ମୁଣ୍ଡରେ ଏତେବଡ଼ ଅପବାଦର ବୋଝ ଲଦି ଦେଇ ନ ଥାନ୍ତେ ।

 

ରାଉଣ୍ଡରେ ଚାଲିଅଛି । କେଉଁ ଉଦ୍ଦେଶ୍ୟରେ ମୋର ଏହି ନୈଶ ଅଭିଯାନ ? କର୍ତ୍ତବ୍ୟପରାୟଣତା, ସତର୍କତା, ନିରାପତ୍ତା ଇତ୍ୟାଦି ବଡ଼ ବଡ଼ କଥାର ଖଣ୍ଟ ନେଇ ଯେତେ ଏହାକୁ ଉଚ୍ଚକୁ ଟେକି ଧରୁଁ, ନିଜ ପାଖରେ ଏ କଥା ଆଉ ଲୁଚା ନାହିଁ ଯେ, ମୋର ଅସଲ ଉଦ୍ଦେଶ୍ୟ ଶିକାର ସନ୍ଧାନ । ଚାକିରିର ଉଚ୍ଚ ମଞ୍ଚକୁ ଆରୋହଣ କରିବା ପାଇଁ ଯେତେଗୁଡ଼ିଏ ସୋପାନ ଅଛି, ଏହା ବି ତାହା ମଧ୍ୟରୁ ଗୋଟିଏ । ଏହି ଶିକାର ସଂଖ୍ୟା ହିଁ ମୋର କୃତିତ୍ୱର ମାପକାଠି । ଯାଇ ଯଦି ଦେଖେଁ, ମୋର ଶିକାରର ଦଳ ଅର୍ଥାତ୍‌ ନିଶାଚର ପ୍ରହରୀମାନେ ସଜାଗ ଓ ସତର୍କ ତାଙ୍କର ମୁଣ୍ଡର ପଗଡ଼ି ମୁଣ୍ଡ ଉପରେ ଇ ଅଛି, ଚାଦରତ୍ୱ ପ୍ରାପ୍ତ ହୋଇ ଦେହ ଆବୃତ୍ତ କରି ନାହିଁ, ଗୋଡ଼ର ଜୋତା ଗୋଡ଼ରେ ଇ ଶୋଭା ପାଉଅଛି, ଉପାଧାନରେ ରୂପାନ୍ତର ଲାଭ କରି ନାହିଁ, ମୋର ସବୁ ପରିକ୍ରମା ବ୍ୟର୍ଥ ହେବ । ମୋର ରିପୋର୍ଟ ହେବ ଗୋଟିଏ ଲାଇନ–Found every thing in order.ବୋଲିବା ବାହୁଲ୍ୟ, ଏହି ସରଳ ଓ ସ୍ୱରହୀନ ରିପୋର୍ଟ କର୍ତ୍ତୃପକ୍ଷଙ୍କ କର୍ଣ୍ଣରେ ସୁଧା ବର୍ଷଣ କରିବ ନାହିଁ । ଅର୍ଜନ କରିବ କୁଞ୍ଚିତ ନାସିକାର ଅବଜ୍ଞା–ଲୋକଟା କି ଓାର୍ଥଲେଶ୍‌ ! ଅର୍ଥାତ୍‌ ଅନ୍ୟର ଗଲତିର ଆବିଷ୍କାରର ଅକ୍ଷମତା ହିଁ ମୋର ନିଜର ଗଲତିର ବଡ଼ ପ୍ରମାଣ ।

 

କିନ୍ତୁ ଅଦୃଷ୍ଟ ଯଦି ପ୍ରସନ୍ନ ହୁଏ, ମୋର ରିପୋର୍ଟର ପୃଷ୍ଠା ଭରି ଉଠିବ ବିଚିତ୍ର ଶିକାର–କାହାଣୀର ସରସ ବର୍ଣ୍ଣନାରେ । ହାତରେ କାହାର ଲାଠି ନାହିଁ, କାହା ଜାମାରେ ବୋତାମ ନାହିଁ, କିଏ ହୁଏତ ଦୁଇ ମିନିଟ ଠିଆ ହୋଇ ଯାଇଛି–ଅବିରାମ ଟହଲ ଦେଉଁ ଦେଉଁ ନିଜର ସୀମା ଛାଡ଼ି ଯାଇ ଗପର ମୁଣାଟା ମେଲେଇ ଧରିଛି ସଦ୍ୟ-ମୁଲୁକ-ପ୍ରତ୍ୟାଗତ କୌଣସି ଭାଇଆ ପାଖରେ । ଏହାକୁ ଛାଡ଼ି ରହିବ ଗୋଟାଏ ଯୋଡ଼ିଏ Sleeping While on duty–ନୈଶ୍ୟ ପ୍ରହରୀର ସବୁଠାରୁ ମାରାତ୍ମକ ଅପରାଧ ନିଦ ।

 

ନିଦ–ତାହାରି ପୁଣି କେତେ ବିଚିତ୍ର ରୂପ । ଏତେକାଳ ଜଣାଥିଲା ମୁଦ୍ରିତ ଆଖିରେ ହିଁ ନିଦ୍ରାଦେବୀଙ୍କ ଆସନ । ଖଟ ନାହିଁ, ପଲଙ୍କ ନାହିଁ, ପୁଅ ଆଖିରେ ବସ ।

 

କିନ୍ତୁ ପୁଅର ସେହି ଆଖି ଯଦି ମେଲା ହୋଇ ରହିଥାଏ ନିଦ୍ରାଦେବୀ ତ ସେଠାରେ ବସି ପାରନ୍ତି ନାହିଁ । ଏହି କଥା ତ ଏତେକାଳ ମା-ଗୋସେଇଁମାଙ୍କଠାରୁ ଶୁଣି ଆସିଛି । ରାଉଣ୍ଡରେ ବାହାରି ଧରା ପଡ଼ିଲା ପିଲା ମଣିଷ ପାଇଁ କି ପ୍ରତାରଣା ନ କରି ଯାଇଛନ୍ତି ସେମାନେ ! ସେହି ଯେଉଁ ସିପାହୀଟି ଲାଠି ଠୁଙ୍କି ଠୁଙ୍କି ଟହଲ ଦେଉଅଛି, ପାଦ ପକାଉ ଅଛି ସମାନ ତାଳ ରଖି, ଆଖି ଖୋଲା, ଦୃଷ୍ଟି ଶୂନ୍ୟରେ ନିବଦ୍ଧ, ପାଖକୁ ଆଗେଇ ଯାଆନ୍ତୁ, ଶୁଣି ପାରିବେ ତା’ର ଘୁଙ୍ଗୁଡ଼ି । ବାଟ ଉଗାଳି ଠିଆ ହୁଅନ୍ତି । ସିଧା ଆପଣଙ୍କ ଉପରେ ପଡ଼ିଯିବ । ମୁଣ୍ଡରୁ ଟୋପିଟା କାଢ଼ି ନିଅନ୍ତୁ, ସେ ଜାଣି ବି ପାରିବ ନାହିଁ । ସେ ଚାହିଁନାହିଁ ଗଭୀର ନିଦାରେ ବିଭୋର । ସେହି ପାଚେରୀ ଧାରରେ ସିଧା ହୋଇ ଛିଡ଼ା ହୋଇଅଛି ଯେଉଁ ଶିବନେତ୍ର ପ୍ରହରୀ, ଲାଠିଟା ଧରି ରହିଛି ନିଖୁଣ ଆଟେନସନ୍‌ର ଭଙ୍ଗୀରେ, ମୋତେ ହିଁ ଯେପରି ସମ୍ମାନ ଦେଖାଇବାପାଇଁ, ଦେହ ନିସ୍ପନ୍ଦ, ମୁଣ୍ଡଟି ପର୍ଯ୍ୟନ୍ତ ହଲୁନାହିଁ, ତା’ର ମଧ୍ୟ ସବୁ ଚେତନା ନିଦ୍ରାଚ୍ଛନ୍ନ । ଏମାନେ ହଠଯୋଗୀ ନୁହନ୍ତି, ଚଳତ୍‌ ନିଦ୍ରାସନ ବା ଅନ୍ୟ କୌଣସି ଉତ୍କଟ ଆସନ ବି ଅଭ୍ୟାସ କରି ନାହାନ୍ତି ବିଷ୍ଣୁ ଘୋଷର ଆଖଡ଼ାରେ-। କିନ୍ତୁ ଏହା ପଛରେ ଅଛି ଦୀର୍ଘ ଦିନର ସାଧନା ଆଉ ତା’ର ମୂଳରେ ଅଛି ନିତାନ୍ତ ପ୍ରାଣର ଦାୟ-। ସାରା ଜୀବନରେ ଗୋଟାଏ ରାତି ମଧ୍ୟ ଯେଉଁମାନଙ୍କର କଟେ ନାହିଁ ଶଯ୍ୟାର ଆଶ୍ରୟରେ, ନିଦ୍ରା-ବଶୀକରଣର ଏହି ଦୁରୂହ ପ୍ରକ୍ରିୟା ତାଙ୍କୁ ବାଧ୍ୟହୋଇ ଶିଖିବାକୁ ହୁଏ । ଏହି ବିଦ୍ୟାର ବଳରେ ହିଁ ଏମାନେ ଆମ ଆଖିରେ ଧୂଳି ପକାନ୍ତି ଏବଂ ଆମର ମାରାତ୍ମକ ଲେଖନୀର କବଳରୁ ମୁକ୍ତି ପାଆନ୍ତି-। ମୁକ୍ତି ପାଆନ୍ତି ନାହିଁ ସେହିମାନେ, ଏହି ଜାତୀୟ ଭ୍ରାମ୍ୟମାନ ଏବଂ ଦଣ୍ଡାୟମାନ ନିଦ୍ରା ଯେଉଁମାନଙ୍କର ଆୟତ୍ତ ହୋଇନାହିଁ, ନିଦ୍ରା ଯେଉଁମାନଙ୍କର ଶୟନ ସାପେକ୍ଷ, ଅର୍ଥାତ୍‌ କୌଣସି ଯୌଗିକ ବା ବୈଜ୍ଞାନିକ ପ୍ରକ୍ରିୟାର ଆଶ୍ରୟ ନ ନେଇ ସିଧା ଭୂମିତଳ ଆଶ୍ରୟ କରନ୍ତି-। କିନ୍ତୁ ଧୂଳି-ନିକ୍ଷେପ ହସ୍ତରୁ ଆମର ଆଖି ଯୋଡ଼ିକ ସେଠାରୁ ପୂରାପୂରି ମୁକ୍ତ ନୁହେଁ, ତହିଁର ପ୍ରତ୍ୟକ୍ଷ ସାକ୍ଷୀ ମୋର ସହକର୍ମୀ ମହୀତୋଷଦା ।

 

ଭଲ ମଣିଷ ବୋଲି ମହୀତୋଷଦାଙ୍କର ଅଖ୍ୟାତି ଥିଲା । ତାହା ଯେ ଅମୂଳକ ନୁହେଁ, ତା’ର ପ୍ରମାଣ ମିଳିଲା ଯେତେବେଳେ ପୂରା ତିନିମାସ ମଧ୍ୟରେ ବି ତାଙ୍କର ରାଉଣ୍ଡ-ଓ୍ୱାଲରେ କୌଣସି ଶିକାର ଧରା ପଡ଼ିଲେ ନାହିଁ । ମହୀତୋଷ ରାଉଣ୍ଡର ସଂଖ୍ୟା ଓ ସମୟ ବଢ଼ାଇ ଦେଲେ-। କିନ୍ତୁ ତାଙ୍କର କପାଳ ଫେରିଲା ନାହିଁ । ତାରପର ତାଙ୍କର ଦିନେ ନଜରରେ ପଡ଼ିଲା, ରାଉଣ୍ଡରେ ବାହାରି ପ୍ରତିଥର ଗୋଟାଏ ନା ଗୋଟାଏ ପୋଷ୍ଟ ଖାଲି ଦେଖିବାକୁ ପାଆନ୍ତି-। ଅନୁପସ୍ଥିତ ସିପାହୀର ଅବସ୍ଥାନ ସମ୍ବନ୍ଧରେ ପ୍ରଶ୍ନ କଲେ ତା’ର ପ୍ରତିବେଶୀ ଓୟାର୍ଡ଼ର ଏପରି ଗୋଟିଏ ଜାଗାର ନାମ କରେ ଯେଉଁଠିକାର ଡାକ ଦୈନିକ ପ୍ରୟୋଜନରେ ଅଲଙ୍ଘନୀୟ । ଦିନେ ସେ ଅପେକ୍ଷା କରିବାକୁ ଲାଗିଲେ । ପନ୍ଦର ମିନିଟ, କୋଡ଼ିଏ ମିନିଟ, ଅଧଘଣ୍ଟା ବିତିଗଲା । ପ୍ରତିବେଶୀ ସିପାହୀ ଆସକ୍ତିବୋଧ କରିବାକୁ ଲାଗିଲା । କିନ୍ତୁ ତା’ର ବନ୍ଧୁର ଦେଖାନାହିଁ । ମହୀତୋଷଦା ଗୋଟାଏ ଗଛ ମୂଳରେ ବେଶ୍‍ ସ୍ଥାୟୀ ଭାବରେ ବସିଲେ । ପ୍ରହରୀ ବଦଳର ଘଣ୍ଟା ପଡ଼ିଲା ଏବଂ କିଛିକ୍ଷଣ ପରେ ଦଳେ ନୂଆ ସିପାହୀ ବି ଆସିଗଲେ । ପୁରୁଣା ଦଳ ଏବେ ଫେରିଯିବାକୁ ହେବ । କିନ୍ତୁ ଯାହାପାଇଁ ସେ ଅପେକ୍ଷା କରି ରହିଛନ୍ତି, ତା’ର ଅଗସ୍ତ ଯାତ୍ରାର ଆଉ ଅବସାନ ହେଲା ନାହିଁ ।

 

ତା’ପରେ ସେହି ବିଶେଷ ସ୍ଥାନଟି ମଧ୍ୟ ଖୋଜି ଦେଖାଗଲା, କେହି ନାହାନ୍ତି । ମହୀତୋଷ ବାବୁ ନିରାଶ ହୋଇ ଅଗତ୍ୟା ଫେରିଯିବା ପାଇଁ ଉଠି ଠିଆ ହୋଇଛନ୍ତି । ହଠାତ୍‌ ଗଛ ଉପରୁ ଝୁପ୍‌କିନି ତାଙ୍କ ମୁଣ୍ଡ ଉପରେ ଗୋଟାଏ କ’ଣ ପଡ଼ିଲା । ୟେ କ’ଣ ! ଖାକି ଟୋପି ଆସିଲା କେଉଁଠୁ ? ପହିଲେ ମନେହେଲା ଭୌତିକ କାଣ୍ଡ । କିନ୍ତୁ ଗଭୀର ରାତିରେ ଗଛ ଡାଳରୁ ନିରୀହ ଭଦ୍ରଲୋକଙ୍କର ମୁଣ୍ଡ ଉପରେ ଟୋପି ବର୍ଷଣ କରି ମଜା ଦେଖିବା ଭଳି ରସଜ୍ଞାନ ଭୂତର ମଧ୍ୟ ଅଛି କି ନା ମହୀତୋଷ ବାବୁଙ୍କର ସନ୍ଦେହ ହେଲା । ସନ୍ଦେହ ଭଞ୍ଜନର ଡେରିହେଲା ନାହିଁ । ନିରୁଦ୍ଦିଷ୍ଟ ସିପାହୀର ସନ୍ଧାନ ମିଳିଲା । ଅର୍ଥାତ୍‍ ଦୁଶ୍ଚିନ୍ତାର କୌଣସି କାରଣ ନାହିଁ । ସେ ‘‘ଉଚ୍ଚ ବୃକ୍ଷ ଚୂଡ଼ାରେ ବାନ୍ଧି ନୀଡ଼’’ ନିର୍ବିଘ୍ନରେ ଏବଂ ସୁସ୍ଥ ଦେହରେ ନିଦ୍ରାସୁଖ ଉପଭୋଗ କରୁଛନ୍ତି । ଶିରଚ୍ୟୁତ ଟୋପିଟା ଅସମୟରେ ବିଶ୍ୱାସଘାତକତା କରି ନ ଥିଲେ ସେହି ନିଦ୍ରାରେ ବ୍ୟାଘାତ ଘଟିବାର ଆଶୁ ସମ୍ଭାବନ ନ ଥିଲା ।

 

ଅନନ୍ତର ମହୀତୋଷବାବୁ ଆବିଷ୍କାର କଲେ ଘଟଣାଟା ଆକସ୍ମିକ ନୁହେଁ । ତିନୋଟି ବୃହତ୍‌ ଶାଖାର ପ୍ରଶସ୍ତ ସଙ୍ଗମ ସ୍ଥଳରେ କମ୍ବଳ ବିଛା ହୋଇଛି ଏବଂ ସେଟା ନିୟମିତ ନିଦ୍ରାର ସ୍ଥାୟୀ ବ୍ୟବସ୍ଥା । କାହାରି ବ୍ୟକ୍ତିଗତ ବନ୍ଦୋବସ୍ତ ନୁହେଁ । ରୀତିମତ ଯୌଥ କାରବାର । ଲାଭ୍ୟାଂଶ ସମାନ ଭାବରେ ବଣ୍ଟନ ହୁଏ । ଅର୍ଥାତ୍‌ ପ୍ରତ୍ୟେକଟି ସିପାହୀ ପାଳି କରି ଏହି ନିଦ୍ରାସୁଖ ଭୋଗ କରନ୍ତି ଏବଂ ତାଙ୍କ ଶୂନ୍ୟପୋଷ୍ଟ ଉପରେ ଯେତେବେଳେ ଯେଉଁ ରାଉଣ୍ଡ ଅଫିସରଙ୍କ ନଜର ପଡ଼େ ପାର୍ଶ୍ୱବର୍ତ୍ତୀ ବନ୍ଧୁମାନେ କୈଫିୟତ ଦିଅନ୍ତି Call of nature Sir ।

 

ଜେଲ୍‍ କର୍ତ୍ତୃପକ୍ଷଙ୍କର ସୌଭାଗ୍ୟ, ସମସ୍ତେ ମହୀତୋଷବାବୁ ନୁହନ୍ତି । ପହରା ବାଲାଙ୍କ ମଧ୍ୟରେ ଯେପରି ଦିନେ ଥାନ୍ତି ‘ବଣ ଓଲ’ ରାଉଣ୍ଡବାଲାଙ୍କ ମଧ୍ୟରେ ସେହିପରି ଅଛନ୍ତି ‘ପର୍ବତ କଇଁଆ ।’ ତାହାର ସବୁଠାରୁ ବଡ଼ ଦୃଷ୍ଟାନ୍ତ ଆମର ଗଗନ ଡିପୁଟି । ଭଦ୍ରଲୋକ ପଦରେ କିରାଣି । କିନ୍ତୁ ପରିଚ୍ଛଦରେ ଡେପୁଟି ଜେଲର । ନାମ ଗଗନ ହାଲଦାର, ସିପାହୀମାନେ କହନ୍ତି ଗଗନ ଡିପୁଟି । ଯଦିଚ କିରାଣି ହିସାବରେ ରାଉଣ୍ଡ ତାଙ୍କର ଅବଶ୍ୟ କର୍ତ୍ତବ୍ୟ ନୁହେଁ, ତାଙ୍କର ଅତ୍ୟଧିକ ଉତ୍ସାହ ଓ ଉଦ୍ୟମ ଲକ୍ଷ୍ୟ କରି କୌଣସି ସୁରସିକ ଜେଲର ରାଉଣ୍ଡ ତାଲିକାରେ ଗଗନବାବୁଙ୍କ ନାମଟା ପୂରାଇ ଦେଇଥିଲେ । ସେହି ସମୟରୁ ତାଙ୍କର ଦାଉରେ ସିପାହୀକୁଳ କମ୍ପମାନ । ଟହଲ ଦେଉଁ ଦେଉଁ ଦୁଇମିନିଟ ଯଦି କାହାରି ଗୋଡ଼ ଦି’ଟା ରହିଯାଏ, ଲାଠି ଖଣ୍ଡିକ ଆଶ୍ରା କରି ଯଦି କାହାରି ଆଖି ଯୋଡ଼ିକ ତନ୍ଦ୍ରାରେ ବୁଜିଆସେ, ଅନ୍ୟ ବାବୁମାନଙ୍କଠାରେ କନ୍ଦାକଟା କରି ଛାଡ଼ ମିଳେ । କିନ୍ତୁ ଗଗନ ଡିପୁଟିଠାରେ ତ୍ରାହି ନାହିଁ । ତେଣୁ ଯେଉଁଦିନ ତାଙ୍କର ରାଉଣ୍ଡର ପାଳିପଡ଼େ, ସିପାହୀ ମହଲରେ ସାବଧନତାର ଅନ୍ତ ନାହିଁ । ସମସ୍ତେ ସେଦିନ ରୀତିମତ ‘‘ସୁନାପୁଅ’’ । Every thing in order ବୋଲିବା ବାହୁଲ୍ୟ । ତାହା ଗଗନବାବୁଙ୍କ କାମ୍ୟ ହୋଇ ନ ପାରେ । ତାଙ୍କର କଲମର ଖେଞ୍ଚାରେ ଦି’ ଚାରିଟା ଯେବେ ଧରାଶାୟୀ ନ ହେଲେ ତେବେ ବୃଥା ତାଙ୍କର ଡେପୁଟିତ୍ୱ-। କିନ୍ତୁ ଏପରି ଦୁର୍ଭାଗ୍ୟ ସିପାହୀଗୁଡ଼ାକ ଷଡ଼ଯନ୍ତ୍ର କରି ଅଛନ୍ତି, ତାଙ୍କୁ ସେହି ସୁଯୋଗ ଦେବେ ନାହିଁ ।

 

ସେଥର ମାଘ ମାସର ଅଧାଅଧି । ପଦ୍ମାକୂଳରେ ଖୋଲା ପଡ଼ିଆ ମଝିରେ ଜେଲ୍‍ । ତାହା ଉପରେ ଉତ୍ତର ବଙ୍ଗର ଶୀତ । ହାତ ଭିତରୁ କମ୍ପ ଉଠୁଥାଏ । ରାତି ସାଢ଼େ ତିନିଟା । ଚାରିଆଡ଼ କୁହୁଡ଼ିରେ ଢାଙ୍କି ଯାଇଛି । ତାହାର କଣିକାଗୁଡ଼ିକ ବର୍ଷାଧାର ପରି ଝରି ପଡ଼ୁଛି ଓ ଅସ୍ତିମଜ୍ଜାକୁ ଭେଦ କରୁଛି । ସର୍ବାଙ୍ଗ ଲୁଗାରେ ଗୁଡ଼ାଇ କୌଣସିମତେ ଆଖିଯୋଡ଼ିକୁ ଖୋଲାରଖି ଏଠି ସେଠି ସିପାହୀଙ୍କ ଦଳ ଠିଆ ହୋଇ କମ୍ପୁଛନ୍ତି । ଏହି ଭୟଙ୍କର ନିଶୀଥରେ, ଦୀର୍ଘ ପ୍ରାଚୀର ପାଖଦେଇ ଧୀରେ ଧୀରେ ଆଗେଇ ଚାଲିଅଛି ସେ କିଏ ? ସାତ ନମ୍ବର କୋଣ ପାରି ହେଲାରୁ ହାଙ୍କିଦେଲା ସତର୍କ ପ୍ରହରୀ, ‘ଆସାମୀ ଭାଗତା ହ୍ୟାୟ’ । ସେହି ଭୟାବହ ବାର୍ତ୍ତା ତୀରର ଫଳା ପରି ଯାଇ ବିଦ୍ଧିଗଲା ସଭିଙ୍କର କାନରେ । ବାଜି ଉଠିଲା ହୁଇସିଲ ଏବଂ ସାଙ୍ଗେ ସାଙ୍ଗେ ଗେଟ୍‌ ସେଣ୍ଟ୍ରୀ ବଜାଇ ଦେଲା ଆଲରାମ । ଆଖ ପାଖରେ ଯେଉଁମାନେ ଥିଲେ ଲାଠିନେଇ ଧାଇଁ ଆସିଲେ । ସେହି କମ୍ବଳାବୃତ୍ତ ଲୋକଟି ଧାବମାନ ହେଲା । କିନ୍ତୁ ସିପାହୀମାନେ ଚାରିଆଡ଼ୁ ଘେରି ପକାଇଲେ । ସେ ଯେ କ’ଣ କହିଲା, କାହାରି କାନକୁ ଗଲା ନାହିଁ । ବେପରୁୟା ଲାଠି ଚାଲିଲା ।

 

କେତେକ ମିନିଟ ମଧ୍ୟରେ କର୍ତ୍ତାମାନେ ଯେତେବେଳେ ଆସି ପହଞ୍ଚିଗଲେ ‘କମ୍ବଳ’କୁ ତାହା ପୂର୍ବରୁ ହସ୍‍ପିଟାଲର ବାରନ୍ଦାରେ ଟେକା ଟେକି କରି ନେଇ ରଖିଛନ୍ତି । ଆଖି ମୁହଁ ଫୁଲି ଯାଇଛି । ଚିହ୍ନିବା କଷ୍ଟ । ଆର୍ତ୍ତନାଦ ଶୁଣି ବୁଝାଗଲା କମ୍ବଳଧାରୀ ପଳାତକ ଆସାମୀ ନୁହେଁ । ସ୍ୱନାମଧନ୍ୟ ରାଉଣ୍ଡ-ବିଶାରଦ ଗଗନ ଡ଼ିପ୍‌ଟି ।

 

ପୂର୍ବ ପ୍ରସଙ୍ଗକୁ ଫେରିଆସୁଁ । କ’ଣ କହୁଥିଲି ? ମୁଁ ରାଉଣ୍ଡରେ ଚାଲିଅଛି । ରାତି ଦୁଇଟା ବାଜି ପଚିଶ । କିଛିବାଟ ଚାଲିଲା ପରେ ଯେତେବେଳେ ଚାରିଆଡ଼କୁ ଅନାଇ ଦେଖିଲି, ନିଶବ୍ଦରେ ଝରି ପଡ଼ିଗଲା ମୁହୂର୍ତ୍ତ ପୂର୍ବର ପୁଞ୍ଜୀଭୂତ ଗ୍ଳାନି ଓ ବିରକ୍ତିର ବୋଝ ଇଏ କେଉଁ ପୃଥିବୀ ? ଏହାର ଚାରିଆଡ଼ ବାସନ୍ତୀ ଜ୍ୟୋତ୍ସ୍ନାର ରଜତ ପ୍ଳାବନରେ ଧୋଇ ଯାଇଛି, ନିସ୍ତବ୍ଧ ରାତ୍ରିର ସର୍ବାଙ୍ଗରେ ସଞ୍ଚାରିତ ହେଉଛି ଶୋଭା, ସମ୍ଭ୍ରବ ଓ ଶୃଭ୍ରତା । ଦିନର ଆଲୁଅରେ ଯାହା ଥିଲା ତୁଚ୍ଛ ଓ ରୂପହୀନ, ଜ୍ୟୋତ୍ସ୍ନାର ମାୟା ସ୍ପର୍ଶରେ ତାକୁ ଇ ଦେଖୁଛି, ସୁନ୍ଦର ଓ ମହିମାମୟ । ସେହି ଚୂନ ବାଲି ଖସା ଭଙ୍ଗା ଘରଟା ଯେପରି ରୂପକଥାର ରାଜପୁରୀ । ସେହି କଣ୍ଟା ବୁଦାଟା ଯେପରି ମାୟା କାନନ । ହଠାତ୍‌ କେଉଁଠୁ ଭାସି ଆସିଲା ବଇଁଶୀର ସ୍ୱର । କ୍ଳାନ୍ତ କରୁଣ ବେହାଗଭ ବ୍ୟାକୁଳତା । କିଏ ସେ ? କାହାର ହୃଦୟମଥିତ ବ୍ୟାକୁଳ ରୋଦନ–ଗଳିତ ଧାରରେ ଲୋଟି ପଡ଼ୁଛି ଫାଲ୍‌ଗୁନୀ ନିଶିଥିନୀର ବୁକୁ ଉପରେ ?

 

ଗେଟ୍‍ ପାରିହୋଇ ଆଗେଇ ଚାଲିଅଛି । ୧୨୭ ଠିକ୍‍ ବ୍ୟୟ ହଜୁର । ତାଲା ଜାନାଲ ସବ ଠିକ୍‍ ହ୍ୟୟ–ବୁଟ୍‍ ଠୁଙ୍କି ଏବଂ ତିନି ନମ୍ବର ଓୟାର୍ଡ଼ ମିଶାଇ ଆସାମୀଙ୍କ ସଂଖ୍ୟା ୧୨୭ ଏବଂ ସେମାନେ ସମସ୍ତେ ଉପସ୍ଥିତ–ଏହି କଥାଟା ଜଣାଇଦେଲା ଭାରପ୍ରାପ୍ତ ଓ୍ୱାର୍ଡ଼ର । ଚାହିଁ ଦେଖିଲି, ୧୨୭ରୁ ଜଣେ ବି ନାହାନ୍ତି ଏହି ଦୁଇଟା ବ୍ୟାରାକର କୌଣସି କୋଣରେ । ଚାଞ୍ଚଡ଼ାର ବାଡ଼ ଓ ବତାର ଝରକା କେବେଠାରୁ ନିଶ୍ଚିହ୍ନ ହୋଇଗଲାଣି । କଇଦୀମାନେ ସବୁ ଏଠାରେ ସେଠାରେ ବିଞ୍ଛୁଡ଼ି ହୋଇ ପଡ଼ିଛନ୍ତି । ଅନ୍ୟ ବ୍ୟାରାକର କଇଦୀଙ୍କ ସହିତ ମିଶି ଯାଇଛନ୍ତି । ତେବେ ତାଲାଗୁଡ଼ିକ ଠିକ୍‍ ବନ୍ଦ ଅଛି ଏବଂ ଯଥାରୀତି ତା’ର ଶକ୍ତି ପରୀକ୍ଷା ଚାଲିଅଛି । ଦୁଇ ଘଣ୍ଟା ଅନ୍ତରରେ ନୂଆ ପ୍ରହରୀ ଆସି ଶୂନ୍ୟ ଘରର ତାଲା ଟାଣି ଝରକା ଠୁଙ୍ଗି ରିପୋର୍ଟ ହେଉଛି–ସବ ଠିକ୍‍ ହ୍ୟାୟ ହଜୁର ।

 

ଆହୁରି ଆଗେଇ ଗଲି । ଇତସ୍ତତଃ ବିକ୍ଷିପ୍ତ ନିଦ୍ରିତ ମଣିଷ । ମଝିରେ ମଝିରେ ଠକାସ୍‌ ଠକାସ୍‌ ବୁଟ୍‌ର ଶବ୍ଦ । ସବୁରି ଉପରେ ଝରି ପଡ଼ୁଛି ଅବିଶ୍ରାନ୍ତ ବଇଁଶୀର ସ୍ୱର । ବାର ନମ୍ବର କୋଣରେ ମେହେଗାନୀ ଗଛ ମୂଳରେ ସାନ ଗୋଟିଏ ପକ୍କା ବେଦୀ । ତାହାରି ଉପରେ ବସି ଯେଉଁ ଲୋକ ଏହି ସ୍ୱରର ଜାଲ ବୁଣି ଚାଲିଛନ୍ତି, ତାଙ୍କଠାରେ ମୋର ଆଗମନ ଅଜଣା ରହିଗଲା । ମୁଁ ନିଃଶବ୍ଦରେ ଠିଆ ହୋଇ ରହିଲି । ତା’ପର କେତେବେଳେ ଯେ ଯାଇ ତାଙ୍କ ପାଖରେ ମୁଁ ବସି ପଡ଼ିଅଛି ଏବଂ କେତେବେଳେ ଯେ ସେ ସ୍ୱର ବନ୍ଦ ହୋଇ ଯାଇଛି କିଛି ହିଁ ବୁଝିପାରି ନାହିଁ । ଚମକି ପଡ଼ିଲି ତାଙ୍କ କଣ୍ଠ ସ୍ୱରରେ–କି ଖବର ଡେପୁଟିବାବୁ । ବେଆଇନି ହେଉଛି ନା ?

 

ମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଲି । ତା’ ଟିକିଏ ହେଉ କାହିଁକି ?

 

–ବଇଁଶୀଟା ଛଡ଼ାଇ ନେବେ ତ ?

 

–ନେବା ତ ଉଚିତ । ନେଇପାରୁଛି କେଉଁଠି ?

 

–କ’ଣ ପାଇଁ ?

 

–ଛଡ଼ାଇ ନେବାର ବଳଟା ଯେ ଆପଣ କାଢ଼ି ନେଇଛନ୍ତି । ଭାରି କବିତ୍ୱ ହୋଇଗଲା । କ’ଣ କହୁଛନ୍ତି ?

 

–ତା’ ଟିକିଏ ହେଲା । ଯାହା କହିଲେ ତାହା ଯେବେ ସତ୍ୟ ହୁଏ, ତାହାଲେ କହିବି, ଏହି ଲାଇନରେ ଆସିବା ଆପଣଙ୍କର ଠିକ୍‌ ହୋଇ ନାହିଁ । ଆପଣ ମିସ୍‌ ଫିଟ୍‌ ।

 

ମୁଁ କହିଲି ଠିକ୍‌ ସେହି କଥାଟା ମୁଁ ବି ଆପଣଙ୍କ ସମ୍ବନ୍ଧରେ କହିପାରେଁ, ଅନିମେଷବାବୁ-। ଏ ରାସ୍ତା ଆପଣଙ୍କର ନୁହେଁ ।

 

କାହିଁକି ?

 

–ଆପଣ ଶିଳ୍ପୀ । ଆପଣ ରସସ୍ରଷ୍ଟା । ଆପଣଙ୍କର ପଥ ସୁନ୍ଦରର ପଥ, ବିରୋଧର ପଥ ନୁହେଁ । ରାଜନୀତିର ବନ୍ଧୁର ପଥରେ ଆପଣ କ୍ରମାଗତ ହାବୁଡ଼ି ପଡ଼ିବେ, ଅଭୀଷ୍ଟ ସୀମାରେ କେବେହେଲେ ପହଞ୍ଚି ପାରିବେ ନାହିଁ ।

 

ଅନିମେଷ ଚୁପ୍‌କରି ରହିଲେ । ମୁଁ ଟିକିଏ ରହି, ପୁଣି କହିଲି ଆପଣ ହୁଏତ କହିବେ, ଏ ପଥରେ ସଂଘର୍ଷ ନାହିଁ । ମହାତ୍ମାଜୀ ଶାନ୍ତିକାମୀ । ସେ କହିଛନ୍ତି ଇଂରେଜ ସହିତ ଆମର ବିରୋଧ ନାହିଁ । ତାହାର ନୀତି ସହିତ ଆମର ଅସହଯୋଗ । କିନ୍ତୁ ସେଟା କେବଳ କଥାର ମାରପେଞ୍ଚ । ପ୍ରକୃତରେ ସେହି ଦୁଇଟା ମଧ୍ୟରେ କିଛି ତଫାତ୍‌ ନାହିଁ ।

 

ଅନିମେଷ ଏଥର ମଧ୍ୟ ପ୍ରତିବାଦ କଲେ ନାହିଁ । ସେହିପରି ନୀରବରେ ବସି ରହିଲେ ।

 

ମୁଁ ପ୍ରଶ୍ନ କଲି, ଆଚ୍ଛା ଏହି ଅହିଂସା ଅସହଯୋଗ ବିଶ୍ୱାସ କରନ୍ତି ?

 

ଅସଙ୍କୋଚରେ ଉତ୍ତର ଆସିଲା, ନା !

 

–ଏମାନଙ୍କର ଖବର ଫିଲଦଫି ?

 

–ତାହା ବି କରେ ନାହିଁ ।

 

–ହିନ୍ଦୁ ମୋସେଲେମ ଇଉନିଟ ?

 

Unknown

–ନା ! ସେଥିରେ ବି ମୋର ବିଶ୍ୱାସ ନାହିଁ ।

 

ମୁଁ ହସି ପକାଇଲି । ତା’ହେଲେ ଦେଖୁଛି, ଆପଣଙ୍କର ବିଶ୍ୱସ୍ତ ଓ ଅକପଟ ସୈନିକ ଏମାନଙ୍କର ଆଉ ନାହିଁ ।

 

ଅନିମେଷ ଗାମ୍ଭୀର୍ଯ୍ୟ ରକ୍ଷା କରି ଇ କହିଲେ, କାହାରି ମତବାଦ ନେଇ ମୋର ମୁଣ୍ଡବଥା ନାହିଁ ମଳୟ ବାବୁ । ମୋ’ଠାରେ ମଣିଷର ଥିଓରୀଠାରୁ ଅନେକ ବଡ଼ ସେହି ମଣିଷଟି । ସେଠାରେ ମୋର ବିଶ୍ୱାସ ଅନ୍ଧ ଏବଂ ଅଟଳ । ସେ ଜାଗାରେ ଯଦି କୌଣସି ଦିନ ଫାଟ ଦେଖାଦିଏ ସେହିଦିନ ଏଇ ରାସ୍ତା ଛାଡ଼ିଦେବି ।

 

ଠିକ୍‌ ଦୁଇବର୍ଷ ପରର କଥା । ମହାତ୍ମାଜୀ ତା’ ପୂର୍ବରୁ ହିମାଳୟାନ ବ୍ଳାଣ୍ଡାର ଘୋଷଣା କରି ସମ୍ମୁଖ ସମରରୁ ଘୁଞ୍ଚି ଯାଇଛନ୍ତି । ଯେଉଁମାନେ ତାଙ୍କର ଏବଂ ତାଙ୍କ ଅଧିନାୟକମାନଙ୍କ ଆହ୍ୱାନରେ ସାର୍‍ ଆଶୁତୋଷଙ୍କ ଗୋଲାମଖାନାରେ ପଦାଘାତ କରି ବାହାରି ପଡ଼ିଥିଲେ ତାଙ୍କ କାନରେ ପୁଣି ନୂଆ ମନ୍ତ୍ର ଘୋଷିତ ହେଉଛି–ଛାତ୍ରାନାଂ ଅଧ୍ୟୟନଂ ତପଃ ! କିନ୍ତୁ ସେହି ତପସ୍ୟା ନୂଆକରି ଆରମ୍ଭ କରିବାର ବାଟ କେଉଁଠି ସେ ସମ୍ବନ୍ଧରେ ନେତୃବୃନ୍ଦ ନୀରବ । ଯେଉଁମାନେ ଏ ପାରିର ନୁହନ୍ତି, ସେ ପାରିର ବି ନୁହନ୍ତି ଏହି ଘୋର ଅନ୍ଧାରରେ ତାଙ୍କୁ ଡାକି ନେବାକୁ କେହି ନାହାନ୍ତି-

 

ଏହିପରି ସମୟରେ ଦିନେ ଡେଲ୍‌ହାଉସୀ ସ୍କୋୟାରର ଭିଡ଼ ମଧ୍ୟରେ ହଠାତ୍‌ ଦିନେ ଅନିମେଷ ସହ ଦେଖା ହୋଇଗଲା । ମୁଁ ତାଙ୍କୁ ଚିହ୍ନିପାରି ନ ଥିଲି । ଚିହ୍ନିବାର କଥା ବି ନୁହେଁ । ସେ ମୋତେ ଡାକି ଅଟକାଇଲେ । ପିନ୍ଧିଥାନ୍ତି ଖଣ୍ଡିଏ ଜୀର୍ଣ୍ଣ ଖଦଡ଼ର ପଞ୍ଜାବୀ, ଜୋତା ଯୋଡ଼ାକ ତାଳିର କଲ୍ୟାଣରୁ ନବଜୀବନ ଲାଭ କରିଅଛି । ଦେହର ଉଜ୍ଜ୍ୱଳ ବର୍ଣ୍ଣ ତମ୍ବାପରି । ବୟସ ଅନ୍ତତଃ ଦଶବର୍ଷ ବଢ଼ି ଯାଇଛି । କହିଲି କ’ଣ କରୁଛନ୍ତି ଆଜିକାଲି ? କଲେଜରରେ ଭର୍ତ୍ତି ହୋଇ ନାହାନ୍ତି ?

 

–କାହିଁ ଆଉ ହେଲି ? ମା ମରିଗଲେ । ବେକରେ ଦିଟା ବଡ଼ ବଡ଼ ଭଉଣୀ ଆଉ ଗୋଟାଏ ସାନ ଭାଇ । ଚାକିରି ଖୋଜୁଛି ।

 

–ଚାକିରି ଇ ଯେବେ କରିବାକୁ ଚାହାଁନ୍ତି ବି.ଏ.ଟା ପାସ୍‍ କଲେ ସୁବିଧା ହୋଇ ନ ଥାନ୍ତା-?

 

ଅନିମେଷ ହସି କହିଲେ ପାସ୍‍ କରିବାକୁ ଚାହଁଲେ ଇ ତ ଆଉ କରିହୁଏ ନାହିଁ । ତା’ଛଡ଼ା ପାସ୍‍କରି କ’ଣ ଲାଭ ହୋଇଥାନ୍ତା ? ସ୍ୱଦେଶୀ ମାମଲାରେ ଜେଲ୍‍ ଖଟିଛି ଶୁଣି ସଭିଏଁ ରାସ୍ତା ଦେଖାଇ ଦିଅନ୍ତି । ଗଭର୍ଣ୍ଣମେଣ୍ଟ ଅଫିସ ଛାଡ଼, ମାର୍ଚେଣ୍ଟ ଅଫିସଗୁଡ଼ାକ ମଧ୍ୟ । ଆପଣଙ୍କର ଜଣା ଶୁଣାରେ ଅଛି କିଛି ? ପନ୍ଦର କୋଡ଼ିଏ ଯାହା ଦେବେ ତହିଁରେ ମୁଁ ରାଜି ଅଛି ।

 

–ଆଚ୍ଛା ଚେଷ୍ଟା କରିବି ।

 

ଠିକଣା ଲେଖିଦେଇ ଅନିମେଷ ପୁଣି ବନାରଣ୍ୟରେ ମିଳେଇ ଗଲେ । ମୁଁ କିଛିକ୍ଷଣ ସେ ଆଡ଼କୁ ଅନାଇ ଛିଡ଼ା ହୋଇ ରହିଲି ।

 

ଏହି ଅନିମେଷ ଥିଲା ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର । ବିଧବା ମାଆ ଏବଂ ଦୁଇ ତିନୋଟି ଅସହାୟ ଭାଇ ଭଉଣୀଙ୍କର ଏକମାତ୍ର ଭରସାସ୍ଥଳ । ମା’ର ଏକାନ୍ତ କାମନା ଥିଲା ପୁଅ ବିଦ୍ୱାନ ହେବ, ମଣିଷ ହେବ । ସଂସାରର ଦୁଃଖ ଦୂର କରିବ । ଏହି ଆଶା ନେଇ ସେ ତାଙ୍କର ଶେଷ ସମ୍ବଳ ପୁଅର ମଙ୍ଗଳପାଇଁ ନିଃଶେଷ କରିଥିଲେ । ତା’ପରେ କେଉଁଠୁ କ’ଣ ହୋଇଗଲା । ପୁଅ କଲେଜ ଛାଡ଼ି ଆଶ୍ରୟ ନେଲା ଜେଲରେ । ମା ଶେଯ ଧରିଲେ । ସେ ଆଉ ଉଠିଲେ ନାହିଁ । ଶେଯ ଛାଡ଼ି ତା’ପରେ ଦିନେ ସଂସାରରୁ ବିଦାୟ ନେଇଗଲେ, ସମ୍ଭବତଃ ବିନା ଚିକିତ୍ସାରେ । ରଖିଗଲେ ଦୁଇଟି ନିରାଶ୍ରୟା ଅନୂଢ଼ା କନ୍ୟା ଆଉ ଗୋଟିଏ ସହାୟହୀନ ଶିଶୁପୁତ୍ର । ଗୋଟିଏ ଭଦ୍ର ଶିକ୍ଷା ମାର୍ଜିତ ସୁଖୀ ପରିବାର ବନ୍ୟାରେ ଭାସି କୁଆଡ଼େ ଚାଲିଗଲେ ।

 

ଅନିମେଷ ଗୋଟିଏ ଯୋଡ଼ିଏ ନୁହେଁ । ଏହିପରି ହଜାର ହଜାର ଅନିମେଷ ଏବଂ ତାଙ୍କର ମୁଖାପେକ୍ଷୀ ଆହୁରି କେତେ ହଜାର ନରନାରୀ ଶିଶୁ ଏହିପରି ଭାବରେ ଇ ଭାସି ଯାଇଛନ୍ତି ମଧ୍ୟବିତ୍ତ ଶିକ୍ଷିତ ବଙ୍ଗଳାର ଘରେ ଘରେ । କିଏ ସେଥିୀପାଇଁ ଦାୟୀ ? ଯେଉଁମାନେ ରାଜନୀତିର ଉଚ୍ଚ ମଞ୍ଚରେ ବିଚରଣ କରନ୍ତି, ସେମାନେ ହୁଏତ କହିବେ, ଏମାନେ ସବୁ ସ୍ୱାଧୀନତାର ବଳି । ବୃହତ୍‍ ସାଫଲ୍ୟର ସ୍ରୋତ ମୁଖରେ ଏହି ସାମାନ୍ୟ କ୍ଷତି ତୃଣ ଖଣ୍ଡ ଭଳି ଭାସି ଯାଇଥାଏ ସବୁ ଦେଶରେ, ଇତିହାସର ସବୁ ଅଧ୍ୟାୟରେ । ସ୍ୱାଧୀନତାକାମୀ ପର ପଦାନତ ଦେଶର ଏହାଇ ଏକମାତ୍ର ପରିମାଣ । ଅସ୍ୱୀକାର କରେ ନାହିଁ । ଦେଶର ବୃହତ୍ତର କଲ୍ୟାଣର ଗଭୀର ତାତ୍ପର୍ଯ୍ୟ ମନେମନେ ଉପଲବ୍ଧି କରିବାକୁ ଚେଷ୍ଟା କଲି । କିନ୍ତୁ ଅବଶେଷରେ ଅନାହାର କ୍ଳିଷ୍ଟ ଶୀର୍ଣ୍ଣ ମୁହଖଣ୍ଡ ଏବଂ ତାକୁ ଘେରି ତିନୋଟି ଅଦେଖା ଅପରିଚିତ ଓ ଅସହାୟ କିଶୋର-କିଶୋରୀଙ୍କର ମ୍ଳାନ ମୁହଁ ବାରମ୍ବାର ଆଖି ଉପରେ ଭାସି ଉଠିଲା ।

 

ଗୋଟିଏ କଥା ପଚରା ହେଲା ନାହିଁ । ଅନିମେଷର ସେହି ଅନ୍ଧ ବିଶ୍ୱାସ କି ଆଜିଯାଏ ଅତୁଟ ରହିଛି ? ଗୋଟିଏ ସାନ ଫାଟ ବି କି କେଉଁଠି ଦେଖା ଦେଇ ନାହିଁ ?

 

ବାର

 

ଅଫିସକୁ ଆସି ଦେଖିଲି, ବ୍ୟସ୍ତତା ଦେଖାଇବାଭଳି ଉପକରଣ ଟେବୁଲରେ ବିଶେଷ କିଛି ସଞ୍ଚିତ ନାହିଁ । ଅଗତ୍ୟା ଡାକର ଫାଇଲଟା ଟାଣିନେଇ ଓଲଟ ପାଲଟ କରି ଦେଖୁଥିଲି । ତାହା ମଧ୍ୟ ଶେଷ ହୋଇଗଲା । ସେତେବେଳେ ସବାଶେଷ ଚିଠି ଖଣ୍ଡିକ ଉପରେ ଆଖି ପକାଇ ଚୁପ୍‌ଚାପ୍‍ ବସିଥିଲି ।

 

ଗୁଣୁ ଗୁଣୁ କରି କୀର୍ତ୍ତନ ଗାଇ ଗାଇ ହୃଦୟବାବୁଙ୍କର ପ୍ରବେଶ । ହେଲମେଟଟା ବ୍ରାକେଟରେ ଝୁଲାଇ ଦେଇ ଆରାମ କରି ଗୋଡ଼ ଲମ୍ବାଇ ଦେଇ ବସିଲେ ଏବଂ ସିଗାରେଟ ଧରାଇ ବେଶ୍‍ ଗୁଡ଼ାଏ ଧୂଆଁ ଛାଡ଼ିଲେ । ତା’ପରେ ମୋ ଆଡ଼କୁ କଣେଇ ଚାହିଁ କହିଲେ, ବିଷୟଟା ଯେପରି ଅତ୍ୟନ୍ତ ଜଟିଳ ମନେହେଉଛି ମଳୟବାବୁ । କ’ଣ ସେଟା ? Differential calculus ବା Law of relativity ?

 

ମୁଁ ବି ଗମ୍ଭୀର ଭାବରେ ଉତ୍ତର ଦେଲି, ତାହାଠାରୁ ବି ଜଟିଳ । –ଯଥା ?

 

–ନୋଟିସ ମିଳିଲା, ମହମ୍ମଦ ପର୍ବତ ପାଖକୁ ଯିବେ ନାହିଁ ! ପର୍ବତ ମହାଶୟ ଅଭିଯାନ କରିଛନ୍ତି ମହମ୍ମଦଙ୍କ ଦରବାରକୁ ।

 

–ଅର୍ଥାତ୍‌ ?

 

ଅର୍ଥାତ୍‌ ଫିଙ୍ଗର-ପ୍ରିଣ୍ଟ କେସ୍‍ର ଆସାମୀ ଭୂପେଶ ସେନଙ୍କର ବିଚାର ହେବ ଜେଲରେ । ଏସ.ଡି.ଓ.ଲେଖିଛନ୍ତି କୋର୍ଟର ଆୟୋଜନ କରିବାକୁ ।

 

ହୃଦୟ ଦା କହିଲେ, ଏହା ମଧ୍ୟରେ ଜଟିଳତା କେଉଁଠି ଦେଖିଲେ ? କହିଲି, ବିଷୟଟା ତଳେଇକି ଦେଖନ୍ତୁ । ବିଚାର ପ୍ରାର୍ଥୀ ବନ୍ଦୀ ପ୍ରକାଶ୍ୟ ବିଚାରଶାଳାରେ ଠିଆ ହେବାର ଅଧିକାର ପାଇଲା ନାହିଁ । ବିଚାରକ ଓହ୍ଲାଇ ଆସିଲେ ତା’ର ବିଚାର କରିବାପାଇଁ ଜେଲ୍‍ଖାନାକୁ । କିପରି ? ଯୋଗକଲେ ହୃଦୟବାବୁ ।

 

ମୁଁ କହିଲି, ସେଇଆ ତ ହେଉଛି ।

 

–କିନ୍ତୁ ଭୁଲି ଯାଉଛନ୍ତି । ଏହା ଭିତରେ ଗୋଟାଏ ଜିନିଷ ଅଛି, ଯାହାର ନାମ Administrative necessity ।

 

–ସେହିଠାରେ ଇ ତ ମୋର ଆପତ୍ତି । ଶାସନତାନ୍ତ୍ରିକ ପ୍ରୟୋଜନ ଯେତେବେଳେ ବିଚାରର ଆଦର୍ଶ ଲଙ୍ଘନ କରେ, ସେତେବେଳେ ଆଉ ଯାହାହେଉ, କୋର୍ଟର ମର୍ଯ୍ୟାଦା ରକ୍ଷା ହୁଏ ନାହିଁ । ଶାସନ-ଦଣ୍ଡଠାରେ ମୁଣ୍ଡ ନୁଆଁଇଲା ନ୍ୟାୟ ଦଣ୍ଡ; ଏହାଠାରୁ ମାରାତ୍ମକ ଆଉ କ’ଣ ହୋଇପାରେ ?

 

–ଆପଣ ବଡ଼ ବେଶୀ ତଳେଇ ଦେଖୁଛନ୍ତି ମଳୟ ବାବୁ ।

 

–ନା ହୃଦୟବାବୁ, ମୁଁ ଏକବାରେ ସରଫେସରୁ ଦେଖୁଛି । ସମସ୍ତେ ଜାଣନ୍ତି, ଆସାମୀ ଯେତେକ୍ଷଣ ବିଚାରାଧୀନ ଆଇନର ଆଖିରେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ବ୍ରିଟିଶ ଲ’ର ଏହାଇ ହେଉଛି ମୂଳ କଥା । ତା’ର ଦୋଷମୁକ୍ତିର ପ୍ରମାଣର ଭାର ତା’ର ନିଜ ଉପରେ ନୁହେଁ, ଅଭିଯୋକ୍ତାର ବିରୁଦ୍ଧରେ ନିଜକୁ ସମର୍ଥନ କରିବାର ତା’ର ଯେଉଁ ମୌଳିକ ଅଧିକାର ତାହା ହେବ ନିରଙ୍କୁଶ ଏବଂ ସେଥିପାଇଁ ତାକୁ ଦେବାକୁ ହେବ ପରିପୂର୍ଣ୍ଣ ସୁଯୋଗ ଆଉ ଅବାଧ ସୁବିଧା । ଏହି ଜେଲ୍‍ ଭିତରେ ତାହାର କେଉଁଟା ସମ୍ଭବ, କହନ୍ତୁ ।

 

ହୃଦୟ ଦା ପ୍ରତିବାଦ କଲେ ନାହିଁ । ଅନୁକୂଳ ଶ୍ରୋତା ପାଇ ମୋର ଉତ୍ସାହ ବଢ଼ିଗଲା ଏବଂ ତାହାରି ଝୁଙ୍କରେ ଗୋଟାଏ ସାନ ରକମର ବକ୍ତୃତା ଦେଇ ପକାଇଲି । ଶେଷ ଆଡ଼କୁ କହିଲି, ଇଂରେଜ ପୃଥିବୀକୁ ଅନେକ କିଛି ଦେଇ ଅଛି–ଅନୁପମ ସାହିତ୍ୟ, ସୁଗଭୀର ଦର୍ଶନ ଏବଂ ମହାଶକ୍ତିଶାଳୀ ଜଡ଼ ବିଜ୍ଞାନ । କିନ୍ତୁ ମୋର ମନେହୁଏ ତା’ର ସବୁ ଅବଦାନକୁ ବଳିଯାଉଛି ଗୋଟାଏ ଜିନିଷ, ଯାହାକୁ କୁହାଯାଇପାରେ Rule of law । ବ୍ୟକ୍ତିଠାରୁ ବଡ଼ ବିଧାନ ଏବଂ ତାହାରିଠାରେ ନିର୍ବିଚାରରେ ମୁଣ୍ଡ ନୁଆଇଁବେ ପ୍ରାଇମମିନିଷ୍ଟାରଠାରୁ ଟମ୍‌, ଡିକ୍‌, ହ୍ୟାରି–ଏହାଇ ହେଲା British Jurisprudenceର ପ୍ରଥମ କଥା । ଅନ୍ୟ ଦେଶକୁ ଯାଆନ୍ତୁ । ବେଶୀ ଦୂରକୁ ନୁହେଁ, ଇଂଲିଶ ଚ୍ୟାନେଲ ପାରିହେଲେଇ ଦେଖିବେ, ଏତେ ବଡ଼ Revolutionର ଜନ୍ମଭୂମି ଯେଉଁ ଫ୍ରାନ୍ସ, ସେଠାରେ ବି ଆଇନର ଆଖିରେ ସବୁ ମଣିଷ ସମାନ ନୁହନ୍ତି । ସେଠାରେ ରାଜପୁରୁଷମାନଙ୍କ ପାଇଁ ବିଶେଷ ଆଇନ; ତାଙ୍କର ବିଚାର ପାଇଁ ସ୍ୱତନ୍ତ୍ର ବିଚାରଶାଳା । ଜଣେ ସାଧାରଣ ଇଂରେଜର ଆଖିରେ ତାହା କେବଳ ବିଷଦୃଶ ନୁହେଁ, ଅନ୍ୟାୟ । ସାମ୍ରାଜ୍ୟର ସ୍ୱାର୍ଥ ସେହି ଇଂରେଜକୁ ଆଜି କେଉଁଠାକୁ ଓହ୍ଲାଇ ଆଣିଅଛି !

 

ବକ୍ତୃତାର ନିଶାରେ ଲକ୍ଷ୍ୟ କରି ନାହିଁ ଯେ ହୃଦୟ ବାବୁଙ୍କ ପଦଯୁଗଳ ଇତିମଧ୍ୟରେ କେତେବେଳେ ଟେବୁଲ ତଳୁ ଉପରକୁ ପ୍ରମୋସନ୍‍ ଲାଭ କରିଅଛି । ଦେହର ଭଙ୍ଗୀ ଅର୍ଦ୍ଧ-ଶୟାନ, ଚକ୍ଷୁ ମୁଦ୍ରିତ ଏବଂ ହସ୍ତରେ ଅର୍ଦ୍ଧଦଗ୍ଧ ସିଗାରେଟଟା ।

 

–ଶୋଇପଡ଼ିଲେ କି ହୃଦୟ ଦା ?

 

–ଶୋଇବାବୁ ଆଉ ଦେଲେ କେଉଁଠି ?

 

–ଏକଦମ ଝିମେଇ ଗଲେ ଯେ । ସଡ଼ା ଶବଦ ଦିଅନ୍ତୁ ।

 

ହୃଦୟବାବୁ ଟେବୁଲ ଉପରୁ ଗୋଡ଼ ଓହ୍ଲାଇ ଏଥର ସିଧା ହୋଇ ବସିଲେ । ତା’ପରେ ଗମ୍ଭୀରଭାବରେ କହିଲେ, ଆପଣଙ୍କର ଆଲୋଚ୍ୟ ବିଷୟ ସମ୍ବନ୍ଧରେ ମୋର ଜ୍ଞାନ ଏତେ ଗଭୀର ଯେ କୌଣସି ରକମ ମନ୍ତବ୍ୟ କରି ବାଚାଳତା ପ୍ରକାଶ କରିବି ନାହିଁ । ଆପଣଙ୍କର ବକ୍ତୃତା ଶୁଣି ଆଉ ଗୋଟାଏ କଥା ମନେହେଲା । ସେଇଟା ଖାଲି କହିବି । ସେଟା ମୋର ଗୋଟିଏ ଥିଓରୀ । ଶୁଣି ଫେରେ ହସିବେ ନାହିଁ ତ ?

 

କହିଲି, ଯଦି ହସେ, କହିବାକୁ ହେବ ଆପଣଙ୍କ ଥିଓରୀ ସାର୍ଥକ । ପୃଥିବୀରେ ବେଶୀ ଭାଗ ଥିଓରୀ ତ ଆଖିରେ ଲୁହ ସୃଷ୍ଟି କରି ଯାଇଛି ।

 

ହୃଦୟବାବୁ ଚାରିଆଡ଼କୁ ଚାହିଁଦେଇ ଟିକିଏ ଚପା ଗଳାରେ କହିଲେ, ଆଜି ହେଉ, କାଲି ହେଉ ଇଂରେଜକୁ ଜାଲ ଗୋଟାଇ ନେଇ ପଳାଇବାକୁ ଇ ହେବ । ସେତେଦିନ ଯଦି ବଞ୍ଚିଥାଏ, ପେନସନ୍‍ ତ କେଭେ ପାଇବି ନାହିଁ; ଅଥଚ ପେଟର ସଂସ୍ଥାନ ତ କରିବାକୁ ହେବ ! ସେଥିପାଇଁ ଠିକ୍‌ କରିଛି ଖଣ୍ଡିଏ ସ୍କୁଲ ପାଠ୍ୟଇତିହାସ ଲେଖିବି । ତହିଁରେ ଗୋଟାଏ ଅଧ୍ୟାୟ ରହିବ ବ୍ରିଟିଶ ସାମ୍ରାଜ୍ୟର ପତନର କାରଣ । କି କାରଣ ? ଉତ୍ତର-ଇଂରାଜୀ ଶିକ୍ଷାର ପ୍ରଚଳନ । ଇଂରେଜ ସହିତ ପ୍ରକୃତ ବିଶ୍ୱାସଘାତକତା ଯଦି କେହି କରିଥାଏ ସେ ତା’ର ନିଜର ଭାଷା । ଥିଓରୀଟା ମନଃପୂତ ହେଲା ନାହିଁ । କ’ଣ କହୁଛନ୍ତି ?

 

ଥଙ୍ଗେଇ ଥଙ୍ଗେଇ କହିଲି, ଠିକ୍‌ ଯେପରି ବୋଧଗମ୍ୟ ହେଉନାହିଁ ।

 

ହୃଦୟବାବୁ ଏଥର ଟିକିଏ ଭଲକରି ବସିଲେ । କହିଲେ–ଭାବି ଥରେ ଦେଖନ୍ତୁ ତ,୧୮୫୭ ସାଲ ପରେ ତାଙ୍କ ରାଜତ୍ୱର ମୂଳଦୁଆ ଯେତେବେଳେ ଶକ୍ତହୋଇ ବସିଲା, ସାତସମୁଦ୍ର ତେର ନଈର ଆର ପାରିରୁ ଏହି ଭାଷାକୁ ସେମାନେ କେତେ ଆଶାକରି ନେଇ ଆସିଲେ ! ଉଦ୍ଦେଶ୍ୟ କ’ଣ ? ଏକମାତ୍ର ସାମ୍ରାଜ୍ୟ ବିସ୍ତାର । ଭାବିଥିଲେ, ଏହାର କେଇଟା ଡୋଜ ପେଟରେ ପଡ଼ିଗଲେ ନେଟିଭର ପ୍ରାଣରେ ରାଜଭକ୍ତି ଉଛୁଳି ଉଠିବ । ଅନୁଗତ କିରାଣି ଯୋଗାଣରେ ଅଭାବ ହେବ ନାହିଁ କୌଣସି ଦିନ । ସେ ଦିଗରୁ ସେମାନେ ଭୁଲ୍‍ କରି ନାହାନ୍ତି । କିନ୍ତୁ କିଏ ଜାଣେ, କେଉଁଠି ଟିକିଏ ହିସାବରେ ଭୁଲ୍‍ ଥିଲା । ତେଣୁ ଇଂରାଜୀ ସ୍କୁଲର କାରଖାନାରୁ ପଲ ପଲ କିରାଣି ଯେପରି ତିଆରି ହେଲା, ତାହା ସହିତ ବାହାରିଲା ଆଉ ଏ ଜୀବ, ଆପଣଙ୍କର ଇକନମିକ୍‌ ଭାଷାରେ ଯାହାକୁ କହନ୍ତି by–product; ଅର୍ଥାତ୍‌ କୋଇଲା ଖଣିରୁ ଯେପରି ବାହାରିପଡ଼େ, ଦୁଇ ଚାରିଖଣ୍ଡ ହୀରା । ଏମାନଙ୍କର ଚେହେରା ଏକବାରେ ଅଲଗା । ନିର୍ଦ୍ଦିଷ୍ଟ ଡୋଜ-ମପା ବିଦ୍ୟାତକ ପାନକରି ସେମାନେ କ୍ଷାନ୍ତ ହେଲେ ନାହିଁ, ନିଃଶୋଷରେ ଶୋଷିନେଲେ ପଶ୍ଚିମ ଦିଗନ୍ତର ବିପୁଳ ଜ୍ଞାନ-ଭଣ୍ଡାର ଏବଂ ତାହାରି ବଳରେ ପ୍ରଚଣ୍ଡ ଆଘାତ ଦେଲେ ସାମ୍ରାଜ୍ୟର ବୁକୁ ଉପରେ । ଏମାନଙ୍କୁ ଚିହ୍ନି ପାରୁଛନ୍ତି ନିଶ୍ଚୟ । ଏମାନେ ହେଉଛନ୍ତି ଆପଣମାନଙ୍କର ସେହି ଗୋଖଲେ, ଗାନ୍ଧୀ, ସୁଭାଷ, ପଟେଲ, ଚିତ୍ତରଞ୍ଜନ, ଜବାହର ଲାଲଙ୍କ ଦଳ–କିରାଣି ଫ୍ୟାକ୍‌ଟରୀର ମାରାତ୍ମକ by-product; ଇଂରେଜୀ ପଣ୍ଡିତର ଗୁରୁମରା ଚେଲା । ଟୋଲ ବା ମକ୍ତବରୁ ଏମାନଙ୍କର କୌଣସି ଦିନ ଜନ୍ମ ହୋଇ ନ ଥାନ୍ତା ।

 

ଖାଲି କ’ଣ ଏଇମାନେ ? କହିବାକୁ ଲାଗିଲେ ହୃଦୟ ବାବୁ । ମୋର ମନେ ହେଉଛି ଫ୍ୟାକଟ୍‌ରୀରୁ ଅସଲ ମାଲ ଆଉ ବାହାରୁ ନାହିଁ । ଆଜିକାଲି ଯାହା ଆସୁଛି ସବୁ ସେହି by-product । ତଫାତ୍‌ କେବଳ ସେହି ପ୍ୟାକିଂ କଭରଟାରେ । କୌଣସିଟା ଖଦଡ଼ କୌଣସିଟା ପୁଣି ଖାକୀ–

 

କହି ସେ ମୋ ଆଡ଼କୁ ଟିକିଏ ବିଶେଷ ଭାବରେ କଣେଇ ଅନାଇଲେ । ତା’ପରେ କହିଲେ, ଆପଣ ଅବଶୋଷ କରୁଥିଲେ ନା ? ସେହି ଇଂରେଜ ଆଜି କେଉଁଠି ଠିଆ ହୋଇଛି ! ଅବଶୋଷ ମୋର ବି ହୁଏ । ତେବେ ସେଟା ଅନ୍ୟ କାରଣରୁ–ସେମାନେ କ’ଣ ଚାହିଁଥିଲେ, ଆଉ କ’ଣ ହେଲା ! ଲୋକ ଦିଅଁ ଗଢ଼ୁଗଢ଼ୁ ମାଙ୍କଡ଼ ଗଢ଼େ । ସେମାନେ ମାଙ୍କଡ଼ ଗଢ଼ୁଗଢ଼ୁ ଦିଅଁ ଗଢ଼ି ପକାଇଲେ । ଗଢ଼ିବାକୁ ଗଲେ ଗୋଟାକେତେ ହୃଦୟ ସାମନ୍ତ; କପାଳ ଦୋଷରୁ ସେଗୁଡ଼ାକ ହୋଇଗଲେ ମଳୟ ଚୌଧୁରୀ ।

 

ହୃଦୟ ଦା ନିଜର ରସିକତାରେ ନିଜେ ହୋ ହୋ କରି ହସି ଉଠିଲେ । ଖୋଦା ବକ୍‌ସ, ମୋୟାଜ୍ଜେମ ହୋସେନ ଆହୁରି କିଏ କିଏ ସବୁ ସେତେବେଳେ ଘରେ ପଶୁଛନ୍ତି ।

 

–କି ଖବର ହୃଦୟ ଦା, ବଡ଼ ସ୍ପୁର୍ତ୍ତି ଯେ ଆଜି ?

 

–ଆରେ ଭାଇ, କହୁଛ କାହିଁକି ? ଏତେ କଷ୍ଟ କରି ଖଣ୍ଡିଏ ନୂଆ ଗୀତ ଲେଖିଲି, ତାହା ମଳୟ ବାବୁଙ୍କର ମୋଟେ ପସନ୍ଦ ହେଲା ନାହିଁ । ମୁହଁଟା କିପରି ହାଣ୍ଡି କରି ବସିଛନ୍ତି, ଦେଖ ।

 

ମୋୟାଜ୍ଜେମ ହୋସେନ କହିଲେ, କି ଗୀତ ଲେଖିଲେ, ଆମେ ଟିକିଏ ଶୁଣିବୁ ନାହିଁ ?

 

ହୃଦୟବାବୁ ଚପା କଣ୍ଠରେ କୀର୍ତ୍ତନର ସୁରରେ ଗାଇଲେ–

 

ପ୍ରଭାତେ ଉଠିଆ, ହୃଙ୍କାହାତେ ନିଆ

କାନୁ କହିଲେନି, ରାଈ ଗୋ,

ତୋମାର ମାଲ ସାତେ କି ଆଗୁନ ଆଛେ ?

ଗୋଟାଏ ହସର ରୋଳ ଉଠିଲା ।

ସୁପାରଙ୍କର ଘରେ କୋର୍ଟ ବସିଲା ।

 

ହାକିମ ସଦ୍ୟ ଆମଦାନି ବ୍ରିଟିଶ ସିଭିଲିଆନ । ବେଶଭୂଷାରେ ସଯତ୍ନ ତାଚ୍ଛଲ୍ୟ ସୁସ୍ପଷ୍ଟ-। ପାଇପ ସଂଯୋଗରେ ଦୁର୍ବୋଧ୍ୟ ଭାଷାକୁ ଅଧିକତର ଦୁର୍ବୋଧ୍ୟ କରିବାର ଯେଉଁ ମୁନିବ-ସୁଲଭ ପ୍ରଚେଷ୍ଟା, ତହିଁରେ ଏବେ ସୁଦ୍ଧା ପୂରା ଦକ୍ଷ ହୋଇ ଉଠି ନାହାନ୍ତି । ଆସାମୀ ଭୂପେଶ ସେନ, ସ୍ୱଦେଶୀ ମାମଲାରେ ଜେଲ୍‍ ଖଟୁଛି, କିନ୍ତୁ ପୋଲିସ୍‌ର ବିଶ୍ୱାସ, ତାହା ତା’ର ଗୋଟାଏ ଗୌରବମୟ ଆବରଣ । ଅସଲରେ ସେ ଅନ୍ଧକାରର ଜୀବ । ଅତଏବ କର୍ତ୍ତୁପକ୍ଷଙ୍କର ହୁକୁମ ଆସିଲା, ତାକୁ ପୋଲିସ୍‌ର ଖାତାରେ ଅଙ୍ଗୁଳିର ଟିପ ଦେବାକୁ ହେବ । ଭୂପେଶ ଯଥାରୀତି ଅସ୍ୱୀକାର କଲା । ତାହାରି ଜେରା ଏହି ମାମଲା ।

 

ହାକିମ ତାଙ୍କର ନବଲବ୍ଧ ବଙ୍ଗଳାରେ କହିଲେ–

 

ଟୁମି ଟିପ ଡିଟେ ଅସ୍ୱୀକାର ଆଛୋ ?

 

ଭୂପେଶ ଦୁଇ କାଖରେ ହାତ ପୂରାଇ କଡ଼ିକାଠ ଆଡ଼କୁ ଅନାଇ ଠିଆ ହୋଇ ରହିଲା ।

 

ମାଜିଷ୍ଟ୍ରେଟ ସୁର ଚଢ଼ାଇ କହିଲେ, ଜବାବ ଡାଓ ।

 

ଭୂପେଶ ନିରୁତ୍ତର ରହିଲେ । କୋର୍ଟ ଇନସ୍ପେକ୍ଟର ଅତ୍ୟନ୍ତ ଅସ୍ୱସ୍ତି ବୋଧ କରୁଥିଲେ । ସେଆଡ଼କୁ ଫେରି ସାହେବ ପଚାରିଲେ, Is Your accused deaf and dumb, inspector ?

 

I am examining him, your Honour–ବ୍ୟସ୍ତ ହୋଇ ଜବାବ ଦେଲେ ଇନସ୍ପେକ୍ଟର । ତା’ପର ଭୂପେଶ ଆଡ଼କୁ ଫେରି କହିଲେ, କି ମଶାଇ ହାକିମ କ’ଣ କହୁଛନ୍ତି, ଶୁଣିପାରୁ ନାହାନ୍ତି ?

 

ଭୂପେଶ ଜବାବ ଦେଲା ଇଂରାଜୀରେ ଗାଉଛି । ଆପଣଙ୍କ ସାହେବଙ୍କୁ ବୁଝାଇ ଦିଅନ୍ତୁ ଭଦ୍ରଲୋକ ଠାରୁ ଜବାବ ପାଇବାକୁ ହେଲେ ପ୍ରଶ୍ନର ଭାଷା ମଧ୍ୟ ଭଦ୍ର ହେବା ଦରକାର ।

 

ହ୍ୱା ଆଟ୍‌ ! ତେଜି ଉଠିଲେ ସାହେବ । କିନ୍ତୁ ଏଥର ପ୍ରଶ୍ନ କଲେ ଇଂରେଜୀରେ ।

 

ମୁଁ ଜାଣିବାକୁ ଚାହେଁ ତୁମେ ଟିପ ଦେବ କି ନାହିଁ ?

 

ଭୂପେଶ ଜବାବ ଦେଲା, ନା ।

 

–ନ ଦେଲେ କଠୋର ଶାସ୍ତି ପାଇବାବୁ ହେବ ।

 

ଭୂପେଶ ହସି କରି କହିଲା, ବୃଥା ବଡ଼େଇ ନ କରି ସେଟା ଚଞ୍ଚଳ ଦେଇ ପକାଇତ ପାର ।

 

ଏହିପରି କିଛିକ୍ଷଣ ଚାଲିଲା ବାଦାନୁବାଦ–ଏକେ ଆଇ.ସି.ଏସ.–ଏସ.ଡି.ଓ. ତାହା ଉପରେ ନବାଗତ । କଳା ଆଦିମର ଔଦ୍ଧତ୍ୟ ସହ୍ୟ କରିବାର କଥା ନୁହେଁ । ଅଭ୍ୟାସ ବି ହୋଇ ନାହିଁ । ସେ ଯେ କୋର୍ଟ ଏକଥା ସମ୍ଭବତଃ ମନେ ରହିଲା ନାହିଁ । ହଠାତ୍‌ ହୁକୁମ ଦେଇ ବସିଲେ–Take his finger impression by force । ଇନସ୍ପେକ୍ଟର ଇତସ୍ତତଃ କରିବାକୁ ଲାଗିଲେ । ଜୋର୍‍କରି ଟିପ ନେବା ଯଦି ଚଳୁଥାନ୍ତା, ତେବେ ଏତେ ମାମଲା ମୋକଦ୍ଦମାର କ’ଣ ଦରକାର ଥିଲା ?

 

ସାହେବଙ୍କର ଧୈର୍ଯ୍ୟର ସୀମା ଅତିକ୍ରମ କରିଥିଲା । ବିକଟ ଚିତ୍କାର କରି ଉଠିଲେ, ପକଡ଼ୋ ଉସ୍‌କୁ । ଦୁଇଜଣ କନେଷ୍ଟବଳ ଆସି ଭୂପେଶକୁ ଧରିବାକୁ ଗଲାରୁ ସେ ଟୋକା ଝଙ୍କାରେ ନିଜକୁ ଛଡ଼ାଇନେଇ ହୁଙ୍କାର କଲା–‘ବନ୍ଦେ ମାତରମ୍‌’ ।–ସଟ-ଅପ୍‌, ଇଉ ସ୍କାଉଣ୍ଡ୍ରେଲ୍‌ ! ଗର୍ଜିଉଠିଲେ ଏସ.ଡି.ଓ । ଉତ୍ତର ଆସିଲା ପାଲଟା ଗର୍ଜନ–ମହାତ୍ମା ଗାନ୍ଧିଜୀ କି ଜୟ । ଜେଲ୍‍ ଭିତରୁ ଶତକଣ୍ଠରେ ଆସିଲା ତା’ର ପ୍ରତିଧ୍ୱନି–ମହାତ୍ମା ଗାନ୍ଦିଜୀ କି ଜୟ !

 

ସାହେବଙ୍କ ନାଲି ମୁହଁରୁ ମନେହେଲା ରକ୍ତ ଫାଟି ପଡ଼ିବ । ଆଉ ଆଖିରେ ନିଆଁହୁଳା । ତଳ ଓଠକୁ ଜୋରେ କାମୁଡ଼ି ଧରି ଥରେ ଭୂପେଶ ଆଡ଼କୁ ଅନାଇଲେ । ମୁହୂର୍ତ୍ତରେ ସେହି ଦୃଷ୍ଟି ଫେରି ଆସିଲା ଟେବୁଲ ଉପରକୁ । ସେଠାରେ ତାଙ୍କର ହାଣ୍ଟର ପଡ଼ିଥିଲା । ସେଟାକୁ ଉଠାଇନେଇ ସଫା କରି ବସାଇ ଦେଲେ ଆସାମୀର ଉଦ୍ଧତ ଲଲାଟରେ । ଭୂପେଶ ବୁଲିକରି ପଡ଼ିଗଲା ଏବଂ ଦୁଇ ହାତରେ କପାଳ ଚାପିଧରି ସବୁ ଶକ୍ତି ଦେଇ କହି ଉଠିଲା–ମହାତ୍ମା ଗାନ୍ଧିକୀ ଜୟ ।

 

ପଚିଶ ହାତ ଦୂରରେ ଜେଲ୍‍ ଗେଟ୍‍ । ଖବର ପହୁଞ୍ଚିବାକୁ ଲାଗିଲା ପଚିଶି ସେକେଣ୍ଡ । ତା’ପରେ ଆରମ୍ଭ ହେଲା ତାଣ୍ଡବ । ଗେଟ୍‍କିପର ପକ୍ଷରେ ଗେଟ୍‍ ରକ୍ଷା କରିବା ଅସମ୍ଭବ ହୋଇ ପଡ଼ିଲା । ଉପାୟାନ୍ତର ନ ଦେଖି ସେ ବଜାଇ ଦେଲା ପାଗଳା ଘଣ୍ଟି । ଦେହରେ ଫତୁଆ ପାଦରେ ଚଟି ଧାଇଁ ଆସିଲେ ଜେଲର ସାହେବ । ଆଉ ତାଙ୍କ ପଛରେ ତତୋଽଧିକ ବିଚିତ୍ର ବେଶରେ ଆମେମାନେ, ତାଙ୍କର ଅନୁଚର ବୃନ୍ଦ । ରାଇଫେଲଧାରୀ ସ୍କୋୟାଡ଼ ଗେଟ୍‍ ପାରି ହୋଇ ରହିଗଲା-। ସାରା ରାସ୍ତା ବନ୍ଦ କରି ଲାଇନ ଧରି ବସିଅଛନ୍ତି ବନ୍ଦୀମାନେ । ବନ୍ଦେ ମାତରମ୍‌ ବନ୍ଦ ହୋଇଯାଇଛି, କିନ୍ତୁ ସଭିଙ୍କ ମୁହଁରେ ଉତ୍କଣ୍ଠା, ଆଖିରେ ଉତ୍ତେଜନା । ନେତୃସ୍ଥାନୀୟ କେତେଜଣ ଠିଆ ହୋଇଥିଲେ ପ୍ରଥମ ଲାଇନରେ, ଗେଟ୍‍ର ଠିକ୍‍ ‍ସାମନାରେ । ତାଙ୍କରି ଜଣକୁ ଉଦ୍ଦେଶ୍ୟ କରି ପ୍ରଶ୍ନ କଲେ ତାଲୁକଦାର ସାହେବ–କଥା କ’ଣ ବରେନ ବାବୁ ?

 

କ୍ଷୀଣକାୟ ବରେନ ବାବୁ ତୀକ୍ଷ୍‌ଣ କଣ୍ଠରେ ଉତ୍ତର ଦେଲେ–ଘଟଣା ତ ଦେଖି ପାରୁଛନ୍ତି-। ଗୁଳି ଚଳାନ୍ତୁ, ରାସ୍ତା ସଫା ହୋଇଯିବ । ଗୋଟାଏକୁ ତ ସେଆଡ଼େ ସାବାଡ଼ କରି ଆସିଲେ-

 

–କାହାକୁ ପୁଣି ସାବାଡ଼ କଲି ! କହୁଛନ୍ତି କ’ଣ ଆପଣ ? ବରେନ ବାବୁ ଶ୍ଳେଷର ସହିତ କହିଲେ, ଆକାଶରୁ ପଡ଼ିଲେ ଯେପରି ମନେ ହେଉଛି । ଭୂପେଶ ସେନ ଖତମ–ସେହି ସୁସମ୍ବାଦ କ’ଣ ଆପଣଙ୍କୁ ଜଣା ନାହିଁ ?

 

ଭୂପେଶ ସେନ ଖତମ ! ପ୍ରକୃତରେ ଆକାଶରୁ ପଡ଼ିଲେ ତାଲୁକଦାର ସାହେବ । ଫୋର୍ସ ଫେରାଇ ନେଇ ଆସିଲେ ଏବଂ ଗେଟ୍‍ ବାହାରକୁ ଆସି ଡିସ୍‌ମିସ୍‌ କରିବାକୁ ହୁକୁମ ଦେଲେ-। ସମସ୍ତେ ମିଶି ଧାଇଁଗଲୁ ଅଫିସ ଆଡ଼କୁ । କୋର୍ଟର ଚିହ୍ନମାତ୍ର ଦେଖାଗଲା ନାହିଁ । ହାକିମ, ପେସ୍କାର, ଇନସ୍ପେକ୍ଟର, ସିପାହୀ, ସମସ୍ତେ ଯେପରି ମନ୍ତ୍ର ବଳରେ ଉଭେଇ ଯାଇ ଅଛନ୍ତି-। ଭୂଇଁରେ ଚିତ୍‌ ହୋଇ ପଡ଼ିଅଛି ଆସାମୀ ଭୂପେଶ ସେନ । କପାଳର କ୍ଷତରୁ ରକ୍ତ ବହି ଯାଉଛି-। ତାକୁ ଘେରି ଠିଆ ହୋଇଛନ୍ତି ଦୁଇ ଚାରିଜଣ ଜେଲ୍‍ର ଲୋକ । ଡାକ୍ତର ହନ୍ତସନ୍ତ ହୋଇ ଧାଇଁ ଆସିଲେ ତୂଳା ଓ ଔଷଧ ନେଇ । ପଛରେ ଷ୍ଟ୍ରେଚାର ହାତରେ ଦୁଇଜଣ ସାଧାରଣ କଇଦୀ-

 

ଘଟଣା ଯାହା ଘଟିବାର ଘଟିଗଲା । ଆମର କାମ ହେଲା ରିପୋର୍ଟ ଦେବା । ସେହି ରିପୋର୍ଟର ଭାଷା କେତେକଟା strong ହେଲେ ଜେଲ୍‍ ତରଫରୁ ଉପଯୁକ୍ତ ପ୍ରତିବାଦ ଜଣାଇ ହେବ, ଅଥଚ ଶ୍ୱେତାଙ୍ଗ ପ୍ରଭୁମାନଙ୍କର କ୍ରୋଧ ଉଦ୍ରେକ କରିବ ନାହିଁ, ଏହାଇ ହେଲା ଆଲୋଚନାର ବିଷୟ । ପ୍ରଥମ ଦିଗଟାକୁ ଜୋରଦେଲେ ସ୍ପଳ୍ପାଭିଜ୍ଞ ସୁପାର, ଯୁଦ୍ଧ ପ୍ରତ୍ୟାଗତ ଉଷ୍ଣରକ୍ତ କ୍ୟାପ୍ଟେନ–ମର୍ଯ୍ୟାଦା ସମ୍ବନ୍ଧରେ ଯେ ଅତିମାତ୍ରାରେ ଆତ୍ମ ସଚେତନ । ଆଉ ଦ୍ୱିତୀୟ ବିଷୟଟା ଉପରେ ଜୋର୍‍ ଦେଲେ ବହୁଦର୍ଶୀ ଶୀତଳ-ଶୋଣିତ ପୌଢ଼ ଜେଲର, ପ୍ରେଷ୍ଟିଜର ହାଲ୍‍କା ବୋଲି ଯାହାଙ୍କଠାରେ ଏକାନ୍ତ ଅର୍ଥହୀନ । ଏହି ଦୁଇ ବିରୁଦ୍ଧ ଶକ୍ତିର ସମନ୍ୱୟରେ ରିପୋର୍ଟର ଖସଡ଼ା ଯେତେବେଳେ ଧୀର ଗତିରେ ଅଗ୍ରସର ହେଉଥିଲା, ଏପରି ସମୟରେ ସୁପାରଙ୍କ ନାମରେ ଜରୋରୀ ଚିଠି ଆସି ଉପସ୍ଥିତ । ଏସ.ଡି.ଓ. ସାହେବ ଲେଖିଛନ୍ତି, ଗୋଟାଏ ଅବାଗିଆ ଓ ବିପଦ ଜନକ ଆସାମୀକୁ ଦମନ କରିବାପାଇଁ କୋର୍ଟର ଭିତରେଇ ଟିକିଏ ବଳ ପ୍ରୟୋଗ କରିବା ପ୍ରୟୋଜନ ହୋଇଥିଲା । ଜେଲ୍‍-ସୁପାରଙ୍କର ଅଫିସରେ ବସି ଏହି ଅପ୍ରିୟ କର୍ତ୍ତବ୍ୟ ପାଳନ କରିବାକୁ ହୋଇଛି ବୋଲି ସେ କ୍ଷମା ମାଗୁ ଅଛନ୍ତି ଏବଂ ଆନ୍ତରିକ ଦୁଃଖ ପ୍ରକାଶ କରୁଛନ୍ତି ।

 

କ୍ୟାପ୍ଟେନ ବ୍ୟାନାର୍ଜି ଚିଠି ଖଣ୍ଡିକ ତାଲୁକଦାର-ସାହେବଙ୍କ ହାତକୁ ଦେଇ କହିଲେ, ଲୋକଟା ଏକବାରେ କଞ୍ଚା; ଇଟନର ଗନ୍ଧ ଏବେ ମଧ୍ୟ ମୁହଁରୁ ଯାଇନାହିଁ ଦେଖୁଛି । ନିଜର ମୃତ୍ୟୁବାଣ ନିଜ ହାତରେ ପଠାଇ ଦେଇଛି–କହି ହୋ ହୋ କରି ହସି ଉଠିଲେ ।

 

ବ୍ୟାନାର୍ଜିଙ୍କ ଉଲ୍ଲାସର କାରଣ ଥିଲା । ଏଇ କେଇଦିନ ଆଗରୁଇ କ୍ଲବରେ ପାକଶାଳାରେ ତାଙ୍କର ମିଲିଟାରୀ କୌଲିନ୍ୟ ପ୍ରତି ଅମାର୍ଜନୀୟ ତାଚ୍ଛଲ୍ୟ ଦେଖାଇଅଛି ଏହି ମୂର୍ଖ ଏବଂ ଦାମ୍ଭିକ ସିଭିଲିଆନ । ସେହି ଆକ୍ରୋଶର ଜ୍ୱାଳା ମେଣ୍ଟାଇବାର ସୁଯୋଗ ଉପସ୍ଥିତ ।

 

ଚିଠି ଖଣ୍ଡିକ ପକେଟସ୍ଥ କରି ବିଜୟୀର ଆନନ୍ଦ ନେଇ ସେ ଧାଇଁଲେ ଏହି ସାନ ହାକିମଙ୍କ ଉପର ବାଲା, ବଡ଼ ହାକିମ ଅର୍ଥାତ୍‌ ସ୍ୱୟଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦରବାରକୁ । ସେହି ଗାଦିରେ ଯେ ଅଧିଷ୍ଠିତ, ସେ ମଧ୍ୟ ବିଲାତି ସିଭିଲିଆନ । କିନ୍ତୁ ଅନେକ ତଫାତ୍‌ । ତାଙ୍କ ମୁହଁରୁ ଇଟନ ବା ଅକ୍‌ସଫୋଡ଼ର ଗନ୍ଧ ଏକବାରେ ଲୁପ୍ତ ହୋଇ ଯାଇଛି, ଉଗ୍ର ହୋଇ ଉଠିଛି ଖାଣ୍ଟି ଓ ପୂରାପୂରି ‘‘ଭାରତୀୟ ଗନ୍ଧ’’ । ତାଙ୍କର ତାମ୍ରାଭ ଦେହ-ଚର୍ମରେ ଏବଂ କେଶ-ବିରଳ ମସ୍ତକରେ ଦେଶୀ ସୂର୍ଯ୍ୟର ସୁଦୀର୍ଘ ପ୍ରଭାବ ସୁସ୍ପଷ୍ଟ । ଚିଠି ଖଣ୍ଡିକ ସେ ନିରବରେ ପାଠ କଲେ ଏବଂ ଧୀର ଭାବରେ ପକେଟରେ ପୂରାଇଲେ । ତା’ପର ଘଟଣା ସମ୍ବନ୍ଧରେ ଗୋଟାଏ ମୋଟାମୋଟି ଆଭାଷ ଗ୍ରହଣ କରି ବିନୟ ଓ ସୌଜନ୍ୟରେ ବିଗଳିତ ହୋଇ କହିଲେ, ଆପଣ ଯେ ଏତେଟା କଷ୍ଟ ସ୍ୱୀକାର କରିଛନ୍ତି, ଏଥିପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ କ୍ୟାପ୍ଟେନ ବ୍ୟାନାର୍ଜି । ଏସବୁ ଅପ୍ରିୟ ବିଷୟ ନେଇ ଆପଣଙ୍କୁ ଆଉ ବିବ୍ରତ ହେବାକୁ ହେବନାହିଁ । ବାକିତକ ମୋ ହାତରେ ଛାଡ଼ି ଦିଅନ୍ତୁ । ଯାହାକିଛି କରିବାର ମୁହିଁ କରିବି, କହି ଉଠିପଡ଼ି ହାତଟା ବଢ଼ାଇ ଦେଲେ ବ୍ୟାନାର୍ଜିଙ୍କ ଆଡ଼କୁ । ଇଙ୍ଗିତଟା ବୁଝିବାକୁ କଷ୍ଟ ହେଲାନାହିଁ । ସୁପାର ସାହେବ କଳ ପିତୁଳା ଭଳି ପ୍ରସାରିତ ହାତ ଖଣ୍ଡିକ ଟିକିଏ ହଲାଇ ଦେଇ ନୀରବରେ ବାହାରି ଗଲେ । ‘‘ମୃତ୍ୟୁ ବାଣର’’ ପରିଣାମ ଯେ ଏପରି ହେବ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ କ୍ୟାପ୍ଟେନ ବ୍ୟାନାର୍ଜି ।

 

ପ୍ରତିଶ୍ରୁତ ‘ଅ୍ୟାକସନରେ’ ବିଳମ୍ବ ହେଲା ନାହିଁ । ଯଥାରୀତି ଏନକୋୟାରି କମିଟି ନିଯୁକ୍ତ ହେଲା । ମେମ୍ବର ଦୁଇଜଣ–ମାଜିଷ୍ଟ୍ରେଟ ସ୍ୱୟଂ ଏବଂ ତାଙ୍କ ସହିତ ରହିଲେ କାରା ବିଭାଗର ବଡ଼ କର୍ତ୍ତା ତାଙ୍କଠାରୁ ‘ଟାଣୁଆ’ ଏବଂ ପକ୍ୱକେଶ ଆଇ.ଏମ.ଏସ୍‌ । ଯଥା ସମୟରେ ସେମାନେ ଦେଖା ଦେଲେ ପୁଣି ସେହି ସୁପାରଙ୍କ ଘରେ ।

 

ପ୍ରଧାନ ଆଲୋଚନାର ବିଷୟ ହେଲା ମେଡିକେଲ ସାକ୍ଷ୍ୟ । ରିପୋର୍ଟ ରହିଛି ଦୁଇଖଣ୍ଡ-। ପ୍ରଥମଟା ଦେଇଛନ୍ତି କ୍ୟାମ୍ବେଲ ଫେରନ୍ତା ଏମ.ଏ.ଏସ୍‌ । ଦ୍ୱିତୀୟଟା, ଲଢ଼େଇ ଫେରନ୍ତା ଆଇ.ଏମ.ଏସ୍‍ । ଜଣେ ନଗଣ୍ୟ ଜେଲ୍‍ ଡାକ୍ତର, ଆଉ ଜଣେ ମହାମାନ୍ୟ ସିଭିଲ ସର୍ଜନ-। ତାଙ୍କ ମତର ପାର୍ଥକ୍ୟ ମଧ୍ୟ ପଦାନୁରୂପ । ଆମର ଡାକ୍ତର ଲେଖୁଛନ୍ତି କ୍ଷତର ପରିମାଣ ତିନିଇଞ୍ଚ ଲମ୍ବ ଏବଂ ଏକଇଞ୍ଚ ଗଭୀର ସମ୍ଭବତଃ ଲାଠି କିମ୍ବା ସେହି ଜାତୀୟ କୌଣସି କଠିଣ ବସ୍ତ୍ର ଦ୍ୱାରା ତାହାର ଉତ୍ପତ୍ତି । ସିଭିଲ-ସର୍ଜନଙ୍କ ମତରେ ଆଘାତର ପରିଧି ଏକଇଞ୍ଚ ଦୀର୍ଘ ୧/୪ ଇଞ୍ଚ ପ୍ରସ୍ଥ । ଉତ୍ପତ୍ତିର କାରଣ–କୌଣସି କଠିଣ ବସ୍ତ୍ର ଉପରେ ଆକସ୍ମିକ ପତନ ।

 

ଜେଲ୍‍ ଡାକ୍ତରଙ୍କୁ ଡକାହେଲା । ମାଜିଷ୍ଟ୍ରେଟ ସାହେବ ରିପୋର୍ଟ ଦୁଇଖଣ୍ଡ ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ ଏ ସମ୍ବନ୍ଧରେ ଆପଣଙ୍କର କିଛି କହିବାର ଅଛି ?

 

ଡାକ୍ତର କହିଲେ, ନୋ ସ୍ୟାର୍‍ ।

 

ମ୍ୟାଜିଷ୍ଟ୍ରେଟ ଦ୍ୱିତୀୟ ପ୍ରଶ୍ନ କଲେ–ରିପୋର୍ଟ ଦେଖି ମନେ ହେଉଛି ଆପଣ କ୍ଷତ ପରୀକ୍ଷା କରିଥିଲେ ୨୪ ତାରିଖରେ, ଆଉ ସିଭଲ ସର୍ଜନ କରି ଅଛନ୍ତି ୨୫ ତାରିଖରେ । ଗୋଟିଏ ଦିନର ବ୍ୟବଧାନରେ ଆଘାତର ଏତେଟା ଉନ୍ନତି ହୋଇପାରେ ବୋଲି ଆପଣ ମନେ କରନ୍ତି ? ଡାକ୍ତର ଜଣାଇଲେ ଏ ବିଷୟରେ ମୋର କିଛି କହିବାର ନାହିଁ । ଇନସ୍ପେକ୍ଟର–ଜେନେରାଲ କହିଲେ ଆପଣଙ୍କ ରିପୋର୍ଟରୁ ଏହି ସିଦ୍ଧାନ୍ତ ଇ ଆମକୁ କରିବାକୁ ହେଉଛି ଯେ, ହୁଏତ ଆପଣଙ୍କର ସାଧାରଣ ଜ୍ଞାନର ଅଭାବ । ନଚେତ୍‌ ଆପଣ ସରକାର ବିରୋଧୀ କୌଣସି ପ୍ରଭାବର ଅଧୀନରେ ପରିଚାଳିତ ହୋଇଥିଲେ ।

 

ଡାକ୍ତର କହିଲେ, ସେ ସମ୍ବନ୍ଧରେ ମଧ୍ୟ ତାଙ୍କର କିଛି ବକ୍ତବ୍ୟ ନାହିଁ ।

 

ଆମ ଅଫିସର ଦୁଇଜଣ କିରାଣି ଥିଲେ ଘଟଣାର ପ୍ରତ୍ୟକ୍ଷ ଦର୍ଶୀ । ସୁପାରଙ୍କ ଆଦେଶରେ ତାଙ୍କର ଗୋଟାଏ ଜବାନବନ୍ଦୀ ନିଆ ହୋଇଥିଲା ଏବଂ ସେହି କାମର ଭାରଟା ମୋ ଉପରେ ପଡ଼ିଥିଲା । ଖୁବ୍‍ ଜୋରରେ ସେମାନେ ପ୍ରକୃତ ଘଟଣା ପ୍ରକାଶ କରିଥିଲେ । ସୁତରାଂ ବିବୃତିର ଭାଷାଟା ବି ଥିଲା ଅନୁରୂପ ଜୋର୍‍ଦାର । ତାହାର ଗୋଟିଏ ନକଲ କମିଟିଠାରେ ପେଶ୍‌ କରାଯାଇଥିଲା । ସୁତରାଂ କିରାଣି ଦ୍ୱୟଙ୍କୁ ଡାକରା ପଡ଼ିଲା । ମାଜିଷ୍ଟ୍ରେଟ ପ୍ରଶ୍ନକଲେ, ଆପଣମାନେ କେତେଦୂର ଲେଖାପଢ଼ା କରିଛନ୍ତି ?

 

ଜଣେ କହିଲା, ସେ ମେଟ୍ରିକ ପାସ୍‍ କରି ଆଇ.ଏ. ଯାଏ ପଢ଼ିଅଛି । ଆଉ ଜଣେ କହିଲା, ସେ ଆଇ.ଏସ୍‌.ସି. ପାସ୍‍ କରିଅଛି । –ତା’ହେଲେ ଆମେ ଧରି ନେଇପାରୁଁ–ଏ ବିବୃତି ଆପଣମାନଙ୍କର ନୁହେଁ ?

 

–ଆଜ୍ଞା,ସେଟା ଆମରି ଷ୍ଟେଟମେଣ୍ଟ ।

 

ମାଜିଷ୍ଟ୍ରେଟ ବିସ୍ମୟରେ କହିଲେ, ଏପରି ଇଂରେଜୀ ଆପଣମାନେ କହି ବା ଲେଖି ପାରନ୍ତି ?

 

ସେମାନେ ଜଣାଇଲେ, ଆମେ ବଙ୍ଗଳାରେ କହିଛୁଁ । ଡେପୁଟି ଜେଲର ମଳୟବାବୁ ସେଟା ଇଂରାଜୀରେ ଅନୁବାଦ କରି ଲେଖିଛନ୍ତି ।

 

ମାଜିଷ୍ଟ୍ରେଟ ଆଶ୍ୱସ୍ତ ହୋଇ କହିଲେ, ଓଃ ସେଇଆ କହନ୍ତୁ । ମଳୟ ବାବୁ ଠିକ୍‌ ମୁତାବକ ତର୍ଜମା କଲେ କି ନାହିଁ ସେଟା ଅବଶ୍ୟ ଆପଣମାନଙ୍କର ଜାଣିବାର କଥା ନୁହେଁ ।

 

କିରାଣି ଦୁହେଁ ନିରୁତ୍ତର ।

 

ସର୍ବେଶେଷରେ ଆସିଲେ କୋର୍ଟ ଇନସ୍ପେକ୍ଟର । ଆସାମୀର ଆକୃତି ଓ ପ୍ରକୃତି ସମ୍ବନ୍ଧରେ ଗୋଟାଏ ଭୟାବହ ବର୍ଣ୍ଣନା ଦେଇ କହିଲେ, କେସ୍‍ ସମ୍ବନ୍ଧରେ ହାକିମ ସହିତ ଆସାମୀର ଦୁଇ ଚାରିଟା କଥା କଟାକଟି ହେଉଥିଲା । ହଠାତ୍‌ ଲୋକଟା ଆସ୍ତିନ ଗୋଟାଇ ଏସ.ଡି.ଓ ସାହେବଙ୍କ ଉପରକୁ ଝାମ୍ପ ଦେଲା । ଆମେ ସେତେବେଳକୁ ଆଗେଇ ଯାଇ ପାରିନାହୁଁ । ହାକିମ ଉଠି ଠିଆ ହୋଇ ଦୁଇ ହାତରେ ଏପରି ଠେଲିବାକୁ ଗଲେ । ତାଙ୍କ ହାତ ବାଜି ଆସାମୀ ଛିଡ଼କି ପଡ଼ିଲା ସେ ପାଖକୁ । ସେଠାରେ ଥିଲା ଗୋଟାଏ ଟେବୁଲ । ବୋଧହୁଏ ସେହି ଟେବୁଲଟା ଇ ହେବ । ତାହାରି କୋଣ ଲାଗି ଟିକିଏ କାଟିଗଲା କପାଳର ଏଇ ଡାହାଣ ପାଖଟାରେ ।

 

କମିଟିର ମେମ୍ବର ଦୁହେଁ ପରସ୍ପରକୁ ଅନାଇଲେ । ଉଭୟଙ୍କର ମୁହଁରେ ଇ ଫୁଟି ଉଠିଲା ଗୋଟାଏ ନିଶ୍ଚିନ୍ତ ତୃପ୍ତିର ଭାବ । ମନେହେଲା ଏତେବେଳ ଯାଏ ସେମାନେ ଅନ୍ଧାରରେ ଅଣ୍ଡାଳି ବୁଲୁଥିଲେ । ଇନସ୍ପେକ୍ଟର ତାଙ୍କୁ ଆଲୋକର ସନ୍ଧାନ ଦେଇ ରକ୍ଷାକଲେ ।

 

କମିଟିର ରାୟ ବର୍ତ୍ତମାନ ବାହାରିଲା ନାହିଁ । କିନ୍ତୁ ସେମାନଙ୍କ ଆସନ୍ନ ସିଦ୍ଧାନ୍ତ ସମ୍ବଦ୍ଧରେ ଆମର କାହାରି କିଛି ସନ୍ଦେହ ରହିଲା ନାହିଁ ।

 

ସାହେବମାନେ ଚାଲିଗଲେ । ଇନସ୍ପେକ୍ଟର ବି ଯିବାର ଆୟୋଜନ କରୁଥିଲେ । ଜେଲର ସାହେବ ଡାକି କହିଲେ ଏତେ ତରତର କ’ଣ ପାଇଁ ! ଆସନ୍ତୁ ନା, ଟିକିଏ ଚା’ ଖିଆଯାଉ । ଟୋକାମାନଙ୍କ ଭିତରୁ କିଏ ଜଣେ କହିଲା, ହଁ, ବହୁତ ପରିଶ୍ରମ ଗଲା ଆପଣଙ୍କର । ତଣ୍ଟିଟା ଟିକିଏ ଭିଜାଇ ଦିଅନ୍ତୁ, ସ୍ୟାର୍‍ ।

 

ସୁଧାଂଶୁ କହି ପକାଇଲା, ସତରେ ଗୋଟାଏ ‘ସିନ୍‍’ ଯାହା ଦେଖିଲି, ତାହା ଭିତରେ ପୁଣି ସବୁଠାରୁ ବଢ଼ିଆ ପାର୍ଟ ଆପଣଙ୍କର ବିବେକଟାକୁ କେଉଁଠି ଲୁଚାଇ ରଖିଥିଲେ ଦାଦା ?

 

କିଏ ଜଣେ କହିଲା, ଦାଦାଙ୍କର ସେ ସବୁ ବିବେକ ଟିବେକର ବଳେଇ ନାହିଁ ।

 

ଜେଲର-ସାହେବ ବିରକ୍ତି ପ୍ରକାଶ କଲେ । ଟିକିଏ ଧମକ ଦେଇ କହିଲେ, ଆହା, ରୁହ ନା ବାପା ।

 

ଇନସ୍ପେକ୍ଟର କିନ୍ତୁ ବିରକ୍ତିର ଲକ୍ଷଣ ଦେଖାଇଲେ ନାହିଁ । ଚା’ ଖାଇ ହସ ମୁହଁରେ କହିଲେ, କହିବାକୁ ଦିଅନ୍ତୁ । ପିଲାମାନଙ୍କ କଥା ଦେହକୁ ନେଲେ ଚଳେ ନାହିଁ ।

 

ଟିକିଏ ରହି ଚା’ କପ୍‍ଟାକୁ ପୁଣି ଟାଣି ନେଇ କହିଲେ ବିବେକ କଥା କିଏ କହୁଥିଲେ ଭାଇ ? ତୁମେ ! ‘ତୁମେ’ କହୁଛି ବୋଲି କିଛି ମନେ କରିବ ନାହିଁ କିନ୍ତୁ । –ନା, ନା । ମନେ କରିବି କାହିଁକି ? ଆପଣ ସ୍ୱଚ୍ଛଳରେ କହନ୍ତୁ ।

 

ଇନସ୍ପେକ୍ଟର ସିଗାରେଟ ଧରାଇ ଥରେ, ଦୁଇଥର ଟାଣି ନେଇ କହିଲେ, ସତ୍ୟନିଷ୍ଠା, ମହାନୁଭବତା–ଇତ୍ୟାଦି ବଡ଼ବଡ଼ ବୋଲି ତମମାନଙ୍କ ବୟସରେ ଆମେ ବି ବହୁତ ଝାଡ଼ିଅଛୁଁ । ତା’ପର ଦେଖିଲୁଁ ସେଗୁଡ଼ାକ ସେହି ସ୍ୱଦେଶୀ ବାଲାଙ୍କ ଖଦଡ଼ ଝୁଲାଇରେ ମନାଏ ଭଲ । ଯେଉଁମାନେ କାମର ଲୋକ, ଅର୍ଥାତ୍‌ ସଂସାରରେ ଯେଉଁମାନଙ୍କୁ ଉପାର୍ଜନ କରି ଖାଇବାକୁ ହୁଏ ଏବଂ ଆଉ ଦଶଜଣଙ୍କୁ ଖୁଆଇବାକୁ ହୁଏ, ତାଙ୍କର ସେ ସବୁ ବଳେଇ ଥିଲେ ପ୍ରକୃତରେ ଚଳେ ନାହିଁ-। ଚାକିରି ଯେତେବେଳେ ଏକମାତ୍ର ଲକ୍ଷ୍ୟ ହେବ ଉନ୍ନତି, ଅର୍ଥାତ୍‌ ମୁନିବକୁ ଖୁସି ରଖିବା କି ଚାରିଟା ମିଛ କହିଲେ ଯଦି ସେହି କାମଟା ହାସଲ ହୁଏ, ସେଥିରେ ଦୋଷର ତ କିଛି ଦେଖେଁ ନାହିଁ-!

 

ସୁଧାଂଶୁ କହିଲା, ଇଏ ଏକବାରେ ଖାଣ୍ଟି କଥା କହୁଛନ୍ତି ବାବା । ଆପଣଙ୍କ ଉନ୍ନତି ମାରିବ କିଏ ? ପ୍ରମୋସନ୍‍ କହନ୍ତୁ, ଉପାଧି କହନ୍ତୁ, ସବୁ ଆପଣଙ୍କ ହାତମୁଠାରେ ।

 

ଏହିସବୁ କଥାର କିଛି ଜବାବ ନ ଦେଇ ଇନସ୍ପେକ୍ଟର କହିଲେ, ତମମାନଙ୍କୁ ବି କହୁଛି । ଏଇ ବାଟରେ ଯେତେବେଳେ ଆସିଛ ଏଇବାଟ ଧରି ଚାଲ । ଦୁଇ ନଉକାରେ ଗୋଡ଼ଦିଅ ନାହିଁ । ହଠାତ୍‌ ଦିନେ କେଉଁଠି ବୁଡ଼ିଯିବ ଥଳକୂଳ ପାଇବ ନାହିଁ । ସେହି ବିବେକର ‘ଗଣ୍ଠିଧନ’ ସେଦିନ କିଛି କାମରେ ଆସିବ ନାହିଁ ।

 

ହୃଦୟବାବୁଙ୍କୁ ଖୋଜି ପାଇଲି–ଜେଲ୍‍ ପାଖରେ ଗୋଟିଏ ଖଜୁର ଗଛର ବୁଦା ଥିଲା, ତାହାରି ପାଖରେ ।

 

–ଏଠି ବସି କ’ଣ କରୁଛନ୍ତି, ଦାଦା ?

 

–ଭାବୁଛି !

 

–କ’ଣ ଭାବୁଛନ୍ତି ?

 

–ଭାବୁଛି ମୋର ଇତିହାସ ଖଣ୍ଡିକ ଏବେ ଆରମ୍ଭ କରିବା ଦରକାର ।

 

–ଏତେ ଚଞ୍ଚଳ ?

–ଚଞ୍ଚଳ କେଉଁଠି ଦେଖୁଛନ୍ତି ? ସେମାନଙ୍କର ତ ଦିନ ସରି ଆସିଲା । ଘୁଣଖିଆ ଘର ଭାଙ୍ଗି ପଡ଼ିବାକୁ ଆଉ ବେଶୀ ଡେରି ନାହିଁ ।

–ଭାଙ୍ଗି ପଡ଼ିବ ! ସେହି ଇନସ୍ପେକ୍ଟର ପରି ଲୁହାର ପିଲାର ସେମାନଙ୍କର କେତେ ଅଛି ତା’ର ଖବର ରଖନ୍ତି ?

–ଯେତେ ଥାଉ, ତଥାପି ମୁଁ ଦିବ୍ୟ ଚକ୍ଷୁରେ ଦେଖି ପାରୁଛି, ଦିନ ତାଙ୍କର ସରି ଆସିଲାଣି-। ଭୀରୁର ରାଜତ୍ୱ ବେଶୀ ଦିନ ତିଷ୍ଠେ ନାହିଁ, ମଳୟବାବୁ ।

–ଭୀରୁ ?

ହୃଦୟବାବୁ ସିଧା ହୋଇ ବସିଲେ, କହିଲେ, ଭୀରୁ ନୁହେଁ ? ତେରବର୍ଷ ଆଗ କଥା ସ୍ମରଣ କରନ୍ତୁ । ୧୯୧୯ ସାଲ, ନିରୀହ ଚଷା, ଅସହାୟ ନାରୀ, ଅବୋଧ ଶିଶୁର ରକ୍ତରେ ଭାସିଗଲା ଜାଲିୟାନାଓୟାଲାବାଗ । ଆମେ ଯେପରି ମୂଷାମାରୁଁ, ଘରର ନାଳବନ୍ଦ କରି ଠେଙ୍ଗାରେ ବାଡ଼େଇ, ସେମାନେ ତାହାଠାରୁ ଅନାୟାସରେ ଗୁଳିକରି ମାରିଲେ ମଣିଷ । ଯାହାଙ୍କୁ ଗୁଳିକରି ମାରି ପାରିଲେ ନାହିଁ, ତାଙ୍କ ପିଠିରେ ଭାଙ୍ଗିଲା ଚାବୁକ । ଲାଜପତ ରାୟଙ୍କୁ ଧରି ଏହିପରି ଦିନବେଳେ, ପ୍ରକାଶ୍ୟ ରାଜପଥରେ ଘୋଷାରି ନେଇ ଗଲେ । ମନେଅଛି କି କ’ଣ କହିଥିଲା ଜେନେରାଲ ଡାୟାର ? ଛାତିକୁ ଦମ୍ଭ କରି କହିଥିଲା, ହଁ, ମୁଁ ମାରିଛି ଏବଂ ବେଶ୍‍ କରିଛି । ଆହୁରି ମାରିଥାନ୍ତି ଯଦି ଗୁଳି ସରିଯାଇ ନଥାନ୍ତା । ତାହା ପଛକୁ ଆସି ଠିଆ ହେଲା ମାଇକେଲ ଓ ଡାୟାର-। କହିଲା Dyer is right । ତାହାର ପ୍ରତିଧ୍ୱନି ଉଠିଲା ପାର୍ଲାମେଣ୍ଟରେ, ଉଠିଲା ତାଙ୍କର ପ୍ରେସରେ ଏବଂ ସଭା-ସମିତିର ପ୍ରକାଶ୍ୟ ଅଧିବେଶନରେ । ଭାବି ଦେଖନ୍ତୁ ସେମାନଙ୍କ ହେମତ୍‌ ଥରେ । ଆମର ରାଜ୍ୟ ଆମେ ଯେପରି ପାରିବୁଁ ଜବତ୍‌ କରି ରଖିବୁଁ । ଏହାଇ ତ ପୁରୁଷଭଳି କଥା-। ଆଉ ଆଜି ! ସାମାନ୍ୟ ଗୋଟାଏ ଲାଠିର ମାଡ଼ ଘୋଡ଼ାଇବା ପାଇଁ କିପରି ପାଣି ପିଇଗଲେ ଏତେଗୁଡ଼ାଏ ଜବରଦସ୍ତ ଆଇ.ସି.ଏସ୍‌. ଏବଂ ଆଇ.ଏମ୍‌.ଏସ୍‌ଙ୍କର ଦଳ । ଇନସ୍ପେକ୍ଟରଙ୍କୁ ଶିଖଣ୍ଡୀ ଠିଆ କରାଇ ଜଘନ୍ୟ ମିଛର ଉହାଡ଼ରେ ଲୁଚି ରହିଲେ । କ’ଣ ପାଇଁ ? ନା, ଗୋଟା କେତେ ନିରୀହ କାଗଜବାଲାଙ୍କ ବାକ୍ୟବାଣ ଭୟରେ ।

ହୃଦୟବାବୁଙ୍କ କଣ୍ଠରେ ଏପରି ଝାଞ୍ଜି ଏବଂ ତାଙ୍କର ସଦା ପରିହାସଦୀପ୍ତ ମୁହଁରେ ଏହିପରି ତୀବ୍ର ଘୃଣାର କୁଞ୍ଚନ କେବେହେଲେ ଦେଖି ନଥିଲି । ସେ ସେହିପରି ତିକ୍ତ କଣ୍ଠରେ କହିଲେ, ଜାଣନ୍ତି ମହାଶୟ, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଦିନେ ସଦମ୍ଭରେ ଏମାନଙ୍କର ନାମ ଦେଇଥିଲେ ଷ୍ଟିଲଫ୍ରେମ । ସେହି ଷ୍ଟିଲର ଆଉ ଜୋର୍‍ ନାହିଁ । ସବୁ ମରିଚା ପଡ଼ିଗଲାଣି । ଏତେବଡ଼ ଜାତିଟାର ପୂରା ମେରୁଦଣ୍ଡଟା ବଙ୍କାହୋଇ ଗଲାଣି । ରାଜଦଣ୍ଡ ବହିବାକୁ ଆଉ ଶକ୍ତି ନାହିଁ । ସେଥିପାଇଁ ତ କହୁଥିଲି ଏବେ ମୋର ବହିଲେଖା ଆରମ୍ଭ ନ କରିବାର ଆଉ କାରଣ ଦେଖୁନାହିଁ । ହଁ ଆପଣଙ୍କୁ ଗୋଟିଏ କାମ କରିବାକୁ ହେବ ।

–କି କାମ, କହନ୍ତୁ ?

ହୃଦୟ ଦା ଅନୁନୟର ସ୍ୱରରେ କହିଲେ, ଆପଣଙ୍କର ଜଣାଶୁଣା ଦୁଇ ଚାରିଜଣ ନିଶ୍ଚୟ ଅଛନ୍ତି ବିଶ୍ୱ ବିଦ୍ୟାଳୟର ଉପର ମହଲରେ । ଟିକିଏ ତଦବିର କରିବେ, ଭାଇ, ବହି ଖଣ୍ଡ ମୋର ଯେପରି ଉତୁରି ଯାଏ ।

 

ତେର

 

ବୈଷ୍ଣବ, ତୀର୍ଥ ଯାତ୍ରୀଙ୍କ ଯେଉଁପରି ଚରମ ଲକ୍ଷ୍ୟ ଶ୍ରୀବୃନ୍ଦାବନ, ଆମର ଅର୍ଥାତ୍‌ କାରାସେବକ ଯାତ୍ରୀଙ୍କ ସେହିପରି ପରମ ତୀର୍ଥ ସେଣ୍ଟ୍ରାଲ ଜେଲ୍‍ । ଡିଷ୍ଟ୍ରିକ୍‍ଟ ଓ ସ୍ପେଶାଲ ଜେଲ୍‍ଗୁଡ଼ିକ ଯେପରି ଓ୍ୱେ ସାଇଡ଼ ଷ୍ଟସନ । ସେଣ୍ଟ୍ରାଲ ହେଲା ଟାର୍ମିନାସ । ଏଠାକୁ ଆସିଲେ ମନେହେବ–ହଁ, ଏଥର ଆସି ପହଞ୍ଚିଲେ । ମୋର ପ୍ରଥମ ମୁନିବ ମୋବାରକ ଆଲ୍ଳୀ ତାଙ୍କର କ୍ଷୁଦ୍ର ପାର୍ବତ୍ୟରାଜ୍ୟଟିକୁ ଅନାଇ କହୁଥିଲେ ଆରେ ଛି, ଛି, ଇଏ ପୁଣି ଗୋଟାଏ ଜେଲ୍‍ ! ଚାକିରି କରାଯାଇଛି, ଅମୁକ ସେଣ୍ଟ୍ରାଲ ଜେଲରେ । କର୍ଣ୍ଣେଲ ମ୍ୟାକ୍‌ଫାରସନ ସୁପରିଣ୍ଟେଡେଣ୍ଟ, ଗଣପତି ସ୍ୟାନାଲ ଜେଲର । ସେ ସବୁ ଦିନ–ଇତ୍ୟାଦି, କହୁ କହୁ ତାଙ୍କ ଆଖି ଯୋଡ଼ିକ ସକଳ ହୋଇ ଉଠୁଥିଲା । ସେହି କେତୋଟି ଗୌରବମୟ ଦିନର ସ୍ମୃତି ତାଙ୍କ ମୁହଁକୁ ପ୍ରଦୀପ୍ତ କରୁଥିଲା, ଆଲ୍ଲୀସାହେବଙ୍କ ଜୀବନରେ ଯେଉଁମାନେ ଆଣିଥିଲେ ‘ପରମଲଗ୍ନ’ । କୌଣସି ଦୁର୍ବଳ ମୁହୂର୍ତ୍ତରେ ଦିନେ ସେ ତାଙ୍କର ଜୀବନର ଚରମ ଆକାଙ୍‌କ୍ଷା ମୋ ପାଖରେ ବ୍ୟକ୍ତ କରିଥିଲେ । ରାଜ୍ୟ ନୁହେଁ, ମନ୍ତ୍ରୀତ୍ୱ ନୁହେଁ, ଜମିଦାରୀ, ଜାୟଗିରଦାରୀ ବି ନୁହେଁ କୌଣସି ଗୋଟାଏ ସେଣ୍ଟ୍ରାଲ ଜେଲରେ ଜେଲରର ଉଚ୍ଚାସନ । କିନ୍ତୁ ହାୟ । ଏହି ଆଶା ତାଙ୍କ ଜୀବନରେ ପୂର୍ଣ୍ଣ ହୋଇନାହିଁ । ଯାଉ ସେ କଥା ।

 

‘‘ସ୍ୱଦେଶୀ ସ୍ପେଶାଲ’’ରୁ ଯେଉଁଦିନ ସେଣ୍ଟ୍ରାଲକୁ ଆସିଲି ପ୍ରଥମ, ମନହେଲା ଦିନେଶ ପଣ୍ଡିତଙ୍କ ଗ୍ରାମ୍ୟ ପାଠଶାଳାରୁ ଆଉ ଥରେ ସହରର ମିସନାରୀ ସ୍କୁଲକୁ ପଢ଼ିବାକୁ ଆସିଲି, ବିଶୃଙ୍ଖଳ ହଟ୍ଟଗୋଳର ଇଲାକା ଶେଷହେଲା । ପଶିଲି ଆସି ସୁଶୃଙ୍ଖଳ ଏବଂ ସୁସମ୍ବନ୍ଧ ନିୟମର ରାଜ୍ୟ ସୀମାରେ । ଦୁଇ ପାଖରେ ସୁବିନ୍ୟସ୍ତ ପୋଖରୀ, ବଗିଚା, ଫୁଲର କିଆରୀ । ଏଠାକାର ଯେଉଁମାନେ ଅଧିବାସୀ, ତାଙ୍କର ପୋଷାକ ଅଭିନ୍ନ । ଜଙ୍ଘିଆ କୁର୍ତ୍ତା, କମରରେ ଗାମୁଛା, ମୁଣ୍ଡରେ ଟୋପି । ସେମାନେ ‘ଫାଇଲ’ରେ ଚାଲନ୍ତି ଫାଇଲରେ ବସନ୍ତି, ଫାଇଲରେ ଖାଆନ୍ତି ଏବଂ ଫାଇଲ କରି ଶୁଅନ୍ତି । ଏମାନଙ୍କର ଦୈନନ୍ଦିନ ଜୀବନ କେତେଗୁଡ଼ିଏ ପ୍ୟାରେଡ଼ର ସମାହାର–ଲ୍ୟାଟ୍ରିନ ପ୍ୟାରେଡ଼, ବେଦିଂ ପ୍ୟାରେଡ଼, ଫିଡ଼ିଂ ପ୍ୟାରେଡ଼, ଓ୍ୱାଶିଂ ପ୍ୟାରେଡ଼, ଆହୁରି କେତେ କ’ଣ ପ୍ୟାରେଡ଼ । ସୁଦକ୍ଷ ସେନାନାୟକଙ୍କ ପରି ଏହି ପ୍ୟାରେଡ଼ଗୁଡ଼ିକ ଯେଉଁ କଇଦୀ-ପ୍ରଧାନମାନେ ଚାଳନା କରନ୍ତି, ସେମାନଙ୍କର ନାମ ମେଟ୍‌ । ସେମାନେ ପିନ୍ଧନ୍ତି କୁର୍ତ୍ତା ବଦଳରେ କୋଟ, କମରରେ ଚାପରାଶ, ପାଦରେ ସ୍ୟାଣ୍ଡାଲ । ଏହି ମେଟ୍‌-ଗୋଷ୍ଠୀହିଁ ହେଉଛନ୍ତି କାରାଶାସନର ଷ୍ଟିଲ-ଫ୍ରେମ, ଯାହା ଉପରେ ଛିଡ଼ା ହୋଇଛି ବଡ଼ ବଡ଼ ଜେଲ୍‍ର ଡିସିପ୍ଲିନ । ଆହାରରେ, ବିହାରରେ, କର୍ମ୍ମରେ ଏବଂ ଦୁଷ୍ମର୍ମ୍ମରେ ସାଧାରଣ କଇଦୀଙ୍କ ଜୀବନଯାତ୍ରା ଏହି ମେଟ୍‌-ରାଜତନ୍ତ୍ରଦ୍ୱାରା ନିୟନ୍ତ୍ରୀତ । ସେମାନେ ମେଟ୍‌ ଡାକରାରେ ଶୋଇ ପଡ଼ନ୍ତି ଏବଂ ମେଟ୍‍ର ଡାକରେ ଉଠନ୍ତି ।

 

ସେଣ୍ଟ୍ରାଲ ଜେଲ୍‍ର ରାଷ୍ଟ୍ରତନ୍ତ୍ରରେ ସୁପାରଙ୍କ ଯେଉଁ Sovereignty ବା ପୂର୍ଣ୍ଣାଧିପତ୍ୟ ତାହା ହେଉଛି De jure । ଡି ଫ୍ୟାକଟୋ ଅଧିଶ୍ୱର ଯିଏ ତାଙ୍କର ନାମ ଚିଫ ହେଡ଼ ଓୟାର୍ଡ଼ର ବା ବଡ଼ ଜମାଦାର । ମେଟ୍‌-ରାଜତନ୍ତ୍ରର ସେହି କର୍ଣ୍ଣଧାର ଏବଂ ତାଙ୍କରି ହାତରେ ଅସଲ ଶାସନ ଦଣ୍ଡ-। ସୁପାରଙ୍କ ହାତରେ ଡେଉଁ ଶାସନ ତାହା ହେଉଛି Rule of law, ଆଉ ଚିଫଙ୍କ ହାତରେ ଯେଉଁ ଶାସନ ତା’ର ନାମ Rule of awe । ପ୍ରଥମଟାଠାରୁ ଦ୍ୱିତୀୟଟା ଯେ ଅନେକ ବେଶୀ କାର୍ଯ୍ୟକାରୀ, ଏ ବିଷୟରେ ଅଭିଜ୍ଞ ମୁରବି-ମହଲରେ ମତଭେଦ ନାହିଁ । ଲାଠିର ମାହାତ୍ମ୍ୟ ଯେ କେତେଦୂର ଜୀବନ୍ତ ଏଠାକୁ ଆସି ପହିଲେ ପ୍ରତ୍ୟକ୍ଷ କଲି ଏବଂ ତାହା ସହିତ ଉପଲବ୍ଧି କଲି, ବଙ୍କିମ ଚନ୍ଦ୍ର ଯେଉଁ ଲାଠିପ୍ରଶସ୍ତି ଗାଇ ଯାଇଛନ୍ତି, ଏ ଯୁଗରେ ବି ସେଥିରେ କିଛି ଅତ୍ୟୁକ୍ତି ମିଳିବ ନାହିଁ ।

 

କାରା ରାଜ୍ୟର ପ୍ରଧାନ ବିଭାଗ ଦିଓଟି–General department ବା ସାଧାରଣ ବିଭାଗ, ଆଉ Manufactory Department ବା ଉତ୍ପାଦନ ବିଭାଗ ।

 

ପ୍ରଥମଟି ଉପରେ ନ୍ୟସ୍ତ ରହିଛି ତାଙ୍କ ଶାସକ ମଣ୍ଡଳୀଙ୍କର ପରିବହନ ଏବଂ ଶାସିତ ବାହିନୀଙ୍କ ପରିଚାଳନ, ତାଙ୍କ ଖାଦ୍ୟ, ବସ୍ତ୍ର, ସ୍ୱାସ୍ଥ୍ୟ, ସ୍ୱାଚ୍ଛନ୍ଦ୍ୟ ଏବଂ ଡିସିପ୍ଲିନ । ଦ୍ୱିତୀୟଟିରେ ଜଡ଼ିତ ରହିଅଛି ଶିଳ୍ପ, ବାଣିଜ୍ୟ, ଏବଂ କର୍ମ୍ମସଂସ୍ଥାନ । ସେଣ୍ଟ୍ରାଲ ଜେଲ୍‍ଗୁଡ଼ିକ କେବଳ ଜେଲ୍‍ ନୁହେଁ, ସାନ ରକମ ଶିଳ୍ପକେନ୍ଦ୍ର, ନାନା ଶିଳ୍ପର ମିଳନ କ୍ଷେତ୍ର–ଘଣା, ତନ୍ତ, ସତରଞ୍ଜି, ଦରଜିଶାଳା, ବାଉଁଶ, ବେତ, କାଠ ଏବଂ ଲୁହା ଲକ୍‌କଡ଼ର ସମାବେଶ । ଏଠାରେ ଟାଟାନଗର ସହ ମିଳିତ ହୋଇଅଛି ଆହମଦାବାଦ, ବଉ ବଜାର ସହିତ ଖିଦିରିପୁର । ଏହା ବ୍ୟତୀତ ଜେଲ୍‍ ପ୍ରାଚୀରକୁ ବେଷ୍ଟନ କରି ରହିଅଛି ତା’ର ବିସ୍ତୃତ ସବ୍‌ଜି-କ୍ଷେତ ।

 

ସବୁ ବୁଲି ବୁଲି ଦେଖିଲି । ଫୋରମ୍ୟାନ ପରିତୋଷବାବୁ ସବୁ ଟିକିନିଖି ବୁଝାଇ ଦେଲେ । ଗର୍ବର ସହିତ କହିଲେ, ଏସବୁ ତାଙ୍କର ନିଜହାତରେ ଗଢ଼ା । କିନ୍ତୁ ଭୂତର ବେଗାର ଖଟି ଲାଭ କଣ ?

 

ଡେପୁଟି-ସୁପାର ହେବାର ପଥ ଖୋଲା ନାହିଁ କୌଣସି କଳା-ଆଦମୀ ପାଇଁ । ତହିଁରେ ଶ୍ୱେତ ଚର୍ମ୍ମର ବିଶେଷ ଅଧିକାର, ମଗଜର ବର୍ଣ୍ଣ ତାହାର ଯାହା ଇ ହେଉ ପଛକେ । ସବୁ ଓ୍ୱାର୍କସପରେ ପୂରା ଦମରେ କାମ ଚାଲିଅଛି । କେବଳ ଗୋଟାଏ ଦେଖିଲି ବନ୍ଦ । ପରିତୋଷବାବୁ କହିଲେ, ସେଟା ହେଉଛି ପିତ୍ତଳ-କଂସାର କାରଖାନା । କେଇଦିନ ଆଗରୁ ଏଠାକୁ ଆସିଥିଲେ ମୁଣ୍ଡବିନ୍ଧି ଯାଇଥାନ୍ତା ଏହାର ଠଣ ଠଣ ଶବ୍ଦରେ ।

 

ପଚାରିଲି, ଏଠାରେ କ’ଣ ତିଆରି ହେଉଥିଲା ?

 

ପରିତୋଷ ବାବୁ କହିଲେ ବେଶୀର ଭାଗ ଘଣ୍ଟା–ସାନ ବଡ଼ ନାନା ରକମର ଘଣ୍ଟା । ଜେଲ୍‍ମାନଙ୍କରେ ଯେଉଁ ସବୁ ଘଣ୍ଟା ଦେଖନ୍ତି, ସେ ସବୁ ଆମରି ତିଆରି । କେବଳ ଜେଲ୍‍ କାହିଁକି, ସ୍କୁଲ, କଲେଜ, ଥାନା, କଚେରୀ, ଚର୍ଚ୍ଚ ଏବଂ ଆହୁରି କେତେ ଜାଗାରୁ ଯେ ଆମେ ଅର୍ଡ଼ର ପାଉଁ । ଆପଣଙ୍କ କଲେଜରେ ଯେଉଁ ଘଣ୍ଟାଟା ବାଜୁଥିଲା ତାକୁ ଆମେଇ ଦିନେ ପଠାଇଥିଲୁ ।

 

–ତାହା ହୋଇପାରେ । ବୋଧହୁଏ ସେହି ଘଣ୍ଟାର ଆକର୍ଷଣରେ ଇ ଏଠାରେ ଆସି ପହଞ୍ଚି ଅଛି ।

 

ପରିତୋଷବାବୁ ହସି ଉଠିଲେ । କହିଲି, କାମ ବନ୍ଦ କ’ଣ ପାଇଁ ! ଅର୍ଡ଼ର ନାହିଁ ପରା ।

 

–ଅର୍ଡ଼ର ନଥିବ କାହିଁକି ? ଯୋଗେନ ନାହିଁ ।

 

–ଯୋଗେନ କିଏ ?

 

–ଯୋଗେନ ଥିଲା ଏଠାକାର Instructor । ଜେଲ୍‍ର ଭାଷାରେ ଯାହାକୁ କହନ୍ତି ଇସପିନଦାର । ସେ ଏଇମାସେ ଖଣ୍ଡେ ହେବ ବାହାର ହୋଇଛି । ସେପରି ପକ୍କା କାରିଗର ଆଉ ପାଉ ନାହୁଁ । ସେଥିପାଇଁ ତ ହୁଣ୍ଡାଟାକୁ କହିଲି । ଅର୍ଡ଼ରଗୁଡ଼ାକ ଫେରାଇ ଦିଅ । ଆଉ ଗୋଟାଏ ସର୍‌କୁଲାର କରିଦିଅ ଯେ ଘଣ୍ଟା ଆମେ ଆଉ ଦେଇ ପାରିବୁ ନାହିଁ । ସେ କ’ଣ କହେ, ଜାଣନ୍ତି ? କହିଲା, Why ? Let Jogen come ଶୁଣନ୍ତୁ କଥା ! ଯୋଗେନ ଆସୁ । ଆରେ ଯୋଗେନ ଯଦି ଚୋରି ନକରେ, ତା’ର ଯଦି ଜେଲ୍‍ ନହୁଏ, ଆମେ କ’ଣ ତାକୁ ଜୋର୍‍ କରି ଧରି ଆଣିବୁ ? ଏହି ‘ହୁଣ୍ଡା’ ଲୋକଟି ଯେ ଶ୍ୱେତ ଚର୍ମ ଡେପୁଟି ସୁପାର ତାହା ବୁଝିବାକୁ ଅସୁବିଧା ହେଲାନାହିଁ ।

 

ଆହୁରି କିଛିଦିନ ଗଲା । ପିଟା ଘଣ୍ଟାର ଅର୍ଡ଼ର କ୍ରମେ ଜମି ଉଠିଲା । ଦୁଇ ଚାରିଟା ତାଗ୍‌ଦା ଆସିବାକୁ ବି ଆରମ୍ଭ କଲା । ଡେପୁଟି ସୁପାର ବିବ୍ରତ ବୋଧକଲେ । ଯୋଗେନର ଦୋସ୍ତ ଥିଲା ମହୀଉଦ୍ଦୀନ । ତନ୍ତରେ କାମକରେ । ତାକୁ ଡକାଇ ପଠାଗଲା । ସାହେବ ପଚାରିଲେ, ଯୋଗେନର କ’ଣ ହେଲା ? ସେ ଆସୁନାହିଁ ଯେ ?

 

ମହୀଉଦ୍ଦୀନ କହିଲା, ସେ ହାମି ବାହାର ନା ଗଲେ କେମନ କୋରେ ବୋଲବୋ ହଜୁର ?

 

–ଟୋମାର ଆର କୋଟୋ ଡିନ ବାକି ଆଛେ ?

 

–ଏକୁଶ ରୋଜ୍‌ ସାବ୍‌ ।

 

–ଟିକେଟ ଲେ ୟାଓ ।

 

ମହୀଉଦ୍ଦୀନର ଟିକଟ ଅଣାହେଲା । ଡେପୁଟି ସୁପାର ଉତ୍ତମ କାମର ପୁରସ୍କାର ସ୍ୱରୂପ ତା’ର କୋଡ଼ିଏ ଦିନ Special remission ବା ବିଶେଷ ଧରଣର ଜେଲ୍‍ ମକୁଫ ସୁପାରିସ୍‍ କଲେ । ଅଧଘଣ୍ଟାକ ମଧ୍ୟରେ ସୁପାରଙ୍କ ମଞ୍ଜୁରି ଆସିଗଲା । ମହୀଉଦ୍ଦୀନ ପରଦିନ ଇ ଖଲାସ ହୋଇଗଲା ।

 

ଦିନ ସାତ ପରେ ଯୋଗେନ ଆସି ସଲାମ କରି ଠିଆ ହେଲା ସାହେବଙ୍କର ଅଫିସରେ-। ପକେଟକଟା ଅପରାଧରେ ଅଡ଼େଇ ବର୍ଷ ଜେଲ୍‍ । ଏଥରକୁ ନେଇ ଆଠଥର ହେଲା ତା’ର ଶୁଭାଗମନ । ସାହେବ ଡ୍ରୟାରରୁ ପିଟା ଘଣ୍ଟାର ଅର୍ଡ଼ରଗୁଡ଼ାକ ବାହାର କରି ତା’ ହାତକୁ ନେଇ କହିଲେ, ତୁମି ବଡ଼ ବଦମାସ ଆଛେ । ଯୋଗେନ କର୍ମ୍ମକାର । ଏତନା ଡେରି କାହେ ହୁୟା-?

 

ଯୋଗେନ ଜବାବ ଦେଲା ନାହିଁ, କେବଳ ଟିକିଏ ମୁରକି ହସିଲା । ପରଦିନ ସକାଳଠାରୁ ଇ ଘଣ୍ଟା ବାଲାମାନଙ୍କର ଠଣ ଠଣ ଶବ୍ଦରେ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା ପରିତୋଷ ବାବୁଙ୍କର ।

 

ଯୋଗେନ ଗୋଟିଏ ଯୋଡ଼ିଏ ନୁହେଁ । ବର୍ଷପରେ ବର୍ଷ ଧରି ଶହ ଶହ ଯୋଗେନ ଏହିପରି ବୁଲି ବୁଲି ଆସନ୍ତି, ଧରା ଦିଅନ୍ତି ଏହି ଲୌହ-ତୋରଣର ବାହୁ ବନ୍ଧନରେ, ସୂର୍ଯ୍ୟଙ୍କ ଚାରିପଟେ ଯେଉଁ ପରି ଘୂରନ୍ତି ଗ୍ରହ ଓ ଉପଗ୍ରହର ଦଳ । କି ପ୍ରଚଣ୍ଡ ଆକର୍ଷଣ ! ସାରା ଜୀବନରେ ବି ଏହି ପରିକ୍ରମାର ବିରାମ ନାହିଁ । ପାଞ୍ଚଥର, ଦଶଥର ତ ସବୁବେଳେ ଯାଉଛନ୍ତି, ଆସୁଛନ୍ତି । ବୟାଳିଶ ଥର ଜେଲ୍‍ ଖଟିଛନ୍ତି । ଏପରି ଏକ ମହାପୁରୁଷଙ୍କ ସାକ୍ଷାତ ପାଇଥିଲି ଏହି ସେଣ୍ଟ୍ରାଲ ଜେଲ୍‍ର ହସ୍‍ପିଟାଲରେ । ପ୍ରଥମ ଯେଉଁଦିନ ଆସିଥିଲା, ତା’ର ବୟସ ଥିଲା ଦଶ । ଚଉରାଶୀ ବର୍ଷ ବୟସରେ ଏଠାରେ ହିଁ ପଡ଼ିଲା ତା’ର ଶେଷ ନିଃଶ୍ୱାସ ।

 

ଏମାନଙ୍କର ଅନେକଙ୍କୁ ତ ଦେଖିଲି । ଭଦ୍ର, ବୁଦ୍ଧିମାନ, ତତ୍ପର, କାମର ଲୋକ ଏବଂ ଏପରି ସବୁ କାରିଗରୀ ବିଦ୍ୟାରେ ପାରଦର୍ଶୀ, ଯାହାର ଗୋଟାଏ କିଛି ଅବଲମ୍ବନ କରି ସ୍ୱଚ୍ଛନ୍ଦ ଜୀବନ ଯାତ୍ରାର ଅଭାବ ହୁଅନ୍ତା ନାହିଁ ଜେଲ୍‍ର ବାହାରେ କୌଣସି ଜାଗାରେ । କିନ୍ତୁ ସେ ବାଟରେ ଏମାନେ ଯାଆନ୍ତି ନାହିଁ । ଜେଲ୍‍ର ଡାକ ଏମାନଙ୍କଠାରେ ଦୁର୍ନିବାର ।

 

ନିତି ଏମାନଙ୍କ ମଧ୍ୟରୁ କେହି ନା କେହି ଖଲାସ ହେଉଛନ୍ତି । ମୁରବି ଭଳିଆ ଜଣକୁ ଦିନେ ଧରିଲି । ଅଫିସରୁ ଘରକୁ ଡାକି ନେଇ କହିଲି, କେହି କେଉଁଠି ନାହାନ୍ତି । ଗୋଟାଏ ସତ କଥା କହିବୁ ?

 

ମହେଶ ଜିଭ କାମୁଡ଼ି ପକାଇ ମୋ ଗୋଡ଼ ଧୂଳି ମୁଣ୍ଡରେ ମାରି କହିଲା, ‘ବି’ କ୍ଲାସ ହୁଏଁ ବା ଯାହା ହୁଏ, ହକୁରଙ୍କ ପାଖରେ କ’ଣ ମିଛ କହିଁପାରେଁ ?

 

–ଜେଲ୍‍କୁ ଆସୁ କାହିଁକି ?

 

ମହେଶ ଅସଂକୋଚରେ ଜବାବ ଦେଲା, ଇଚ୍ଛା କରି କ’ଣ ଆଉ ଆସେ ବାବୁ ? ଦଶଥର ପକେଟ ମାରିବାଲୁ ଗଲେ ଥରେ ଦୁଇଥର ଧରା ପଡ଼ିଯାଏଁ । ହାତସଫେଇର କାମ । ସବୁଗୁଡ଼ାକ କ’ଣ ଆଉ ଉତୁରି ଯାଏ ?

 

–ପକେଟ ମାରୁ କ’ଣ ପାଇଁ ?

 

–ଶୁଣ କଥା । ପକେଟ ନ ମାରିଲେ ଖାଇବ କ’ଣ ?

–କାହିଁକି ? ଦେଶରେ କେତେ ଲୋକ ତନ୍ତରେ କାମ କରି ଖାଉଛନ୍ତି । ତୋପରି ଗୋଟାଏ ପକ୍କା ତନ୍ତୀକୁ କାମ ମିଳିବ ନାହିଁ ! ମହେଶ ହସି କରି କହିଲା, ଆପଣ ଭୁଲି ଯାଉଛନ୍ତି । ହଜୁର, ପୁରୁଣା ଚୋର ମୁଁ । ମୋ ପରି ଲୋକକୁ କାମ ଦେବ କିଏ ? ଆପଣ କହିବେ, ବ୍ୟବସାୟ କର । କିନ୍ତୁ ବ୍ୟବସାୟର ମୂଳ କଥା ହେଲା ବିଶ୍ୱାସ । ପୁରୁଣା ଚୋରକୁ କେହି ବିଶ୍ୱାସ କରେ ? ପୁଞ୍ଜି ନାହିଁ, ଧାରରେ ମାଲ ପାଇବି ନାହିଁ । ତିଆରି ଜିନିଷ ବିକିବାକୁ ଗଲେ ଲୋକେ କହିବେ ଚୋରାମାଲ । ଧରି ନେଇଯିବେ ଥାନାକୁ । ତା’ପରେ ବୁଲି ବୁଲି ପୁଣି ସେହି ଜେଲ୍‍ ।

କହିଲେ କୌଣସି Millକୁ ଯାଇ ଚାକିରି କର ।

–ଚାକିରି ଦେବେ କାହିଁକି ? ଚାକିରି ତ ଦୂରର କଥା, ଭଦ୍ରଲୋକଙ୍କ ସାହିରେ ଟିକିଏ ଆଶ୍ରୟ ପାଇବାର ବି ଉପାୟ ନାହିଁ ଆମର । ଘରବାଲାଙ୍କୁ ରାତିରେ ନିଦ ହେବ ନାହିଁ । ଭଲାଣ୍ଟିୟରମାନେ ପାଳି କରି ପହରା ଦେବେ । ପୋଲିସ୍‌ ଆସି ଘଣ୍ଟାକୁ ଘଣ୍ଟା ଦୁଆରରେ ଧକ୍କା ଦେବ, ରାତିସାରା ଡାକ-ହାକ କରିବ ଘରେ ଅଛି କି ନା ଦେଖିବା ପାଇଁ । ତା’ପରେ ଯଦି ଆଖପାଖରେ କେଉଁଠି ଗୋଟାଏ କିଛି ହେଲା ଚୋରି ବା ଡକାଇତି ପ୍ରଥମରେ ମୋ ହାତରେ ଇ ଦଉଡ଼ି ପଡ଼ିବ ।

ମୁଁ ରାଗିଯାଇ କହିଲି, ଦଉଡ଼ା ଖାଲି ପଡ଼ିଲେ ଇ ହେଲା । ମଗର ମୁଲୁକ ପାଇଛି ନା କ’ଣ ପ୍ରମାଣ କରିବାକୁ ହେବ ନାହିଁ ?

ପ୍ରମାଣ ! ବିଦ୍ରୂପର ହସ ମହେଶର ମୁହଁରେ ଫୁଟି ଉଠିଲା । କେତେ ପ୍ରମାଣ ଚାହାନ୍ତି ? ସାହିର ଦଶଜଣ ଭଦ୍ରଲୋକ ନିଜ ପକେଟରୁ ଗାଡ଼ିଭଡ଼ା ଖର୍ଚ୍ଚକରି କୋର୍ଟରେ ଯାଇ ସାକ୍ଷୀ ଦେବେ-। ନିୟାମ କରି କହିବେ, ଏହି ଲୋକଟାକୁ ସିନ୍ଧି କାଟିବାର ଦେଖିଛି । କେହି କହିବେ, ଏହାକୁ ଦେଖିଛି ବାକ୍ସ ମୁଣ୍ଡାଇ ଦଉଡ଼ିବାର । ସାପ ସହିତ ଏକା ଘରେ ବାସ କରିହୁଏ ହଜୁର-! କିନ୍ତୁ ଦାଗୀ ଚୋର ସଙ୍ଗରେ ଏକା ସାହିରେ ବାସ କରିହୁଏ ନାହିଁ ।

ଏଇ କଥାରେ ଉତ୍ତର ଖୋଜି ପାଇଲି ନାହିଁ । ଅନ୍ୟ ପ୍ରଶ୍ନ ପକାଇଲି । କହିଲି, ତାହା ବୋଲି ଏଇ ଜୀବନ-ସାରା ଜେଲ୍‍ର କଷ୍ଟ....

ମହେଶ ବାଧା ଦେଇ କହିଲା, କଷ୍ଟଟା ଆପଣ କେଉଁଠି ଦେଖିଲେ ସ୍ୟାର୍‍ ? ବଢ଼ିଆ ଦୁଇ ମହଲା କୋଠା, ତିନିଓଳି ପେଟପୂରା ଖିଆ, ଧୋବ ଫରଫର ଲୁଗାପଟା, ଶୀତରେ ତିନିଖଣ୍ଡ କରି କମ୍ବଳ, ବେମାରି ହେଲେ ତୋଫା ହାସପିଟାଲ, ଦୁଇ ପାଉଣ୍ଡ ଓଜନ କମିଗଲେ ମାଛ, ମାଂସ, ଦୁଧ, ଘିଅର ପ୍ରଚୁର ବନ୍ଦୋବସ୍ତ । ଏହିପରି ଆରାମ କ’ଣ ଜେଲ୍‍ର ବାହାରେ ଅଛି ?

ଅବାକ୍‌ ହୋଇ ରହିଲି । ବୋକାଙ୍କ ଭଳି ପ୍ରଶ୍ନ କଲି, କହୁଛୁ କ’ଣ ! ଜେଲରେ ତମର କଷ୍ଟ ହୁଏ ନାହିଁ ?

ତିଳେ ବି ନୁହେଁ । ଗୋଟାଏ କଷ୍ଟ କେବଳ ଥିଲା । ସେ ବି ପହିଲୁ ପହିଲୁ । ଆଜିକାଲି ତାହା ବି ନାହିଁ ।

–କ’ଣ ସେଟା ?

–ହଜୁର, ଦୋଷ ଧରିବେ ନାହିଁ ?

 

–ନା, ତୁ କହ ।

 

–ସେଟା ହେଉଛି ନିଶା । ଯେତେଦିନ ଯାଏ ଗଳାରେ ଫୋକର ନହୋଇଛି ବଡ଼ କଷ୍ଟ ଯାଇଛି । ଏବେ ଆଉ ଚିନ୍ତାନାହିଁ । ଫୋକରର କାହାଣୀ ଯାହା ଶୁଣିଲି ବିସ୍ମୟକର ଏବଂ ଭୟାବହ-। ଗୋଟାଏ ସୀସାର ବଲ ଗଳା ଭିତରେ ଏକ ପାଖରେ ରଖିଦେଇ, ଦିନ ପରେ ଦିନ ତିଳ ତିଳ କରି ତିଆରି ହୁଏ ଏକ ଗହ୍ୱର । ଯନ୍ତ୍ରଣା ତ ଅଛି, ତାହା ସହିତ ଅଛି ଏକାବେଳକେ ଭବ ଯନ୍ତ୍ରଣାରୁ ମୁକ୍ତି ପାଇବାର ସମ୍ଭାବନା । ଏହିପରି ବଲ ଗଳାରେ ଅଟକି ଦୁଇ ଚାରି ଜଣ ଯେ ଶେଷ ହୋଇ ଯାଇନାହାନ୍ତି, ତାହା ନୁହେଁ । ମହେଶ୍ୱର ଆଖି ଆଗରେ ଇ ସେଥର ଜଣେ ଗଲା । ଫୋକରର ଘା ଶୁଖିଗଲେ, ବଲଟା ପକାଇ ଦେଇ ତାହା ଭିତରେ ସେମାନେ ଲୁଚାଇ ରଖନ୍ତି ସୁଉକି, ଅଧୁଲି, ଗିନି, ମୃଦି, କିମ୍ବା ସୁନାର ଚେନ୍‍ । ଏଇ ଗଚ୍ଛିତ ସମ୍ପତ୍ତିର ବିନିମୟରେ ଆସେ ଦୋକ୍ତା, ବିଡ଼ି, ଗଞ୍ଜେଇ, ଚରସ, ଅଫିମ, କୋକେନ ଆହୁରି କେତେ କ’ଣ ନିଶାର ଉପକରଣ । ସେହି ଉପକରଣ ଯେଉଁମାନେ ଯୋଗାନ୍ତି, ଆଇନର ବହିରେ ତାଙ୍କର କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ଅଛି ଏହି ସବୁ ନିଷିଦ୍ଧ ବସ୍ତୁ ପ୍ରବେଶରୋଧ କରିବା । ବୋଲିବା ବାହୁଲ୍ୟ, ତାଙ୍କର କର୍ତ୍ତବ୍ୟହାନିର ଦୋଷ ସୁଧୁରି ଯାଏ ଉପଯୁକ୍ତ କାଞ୍ଚନ-ମୂଲ୍ୟରେ ଏବଂ ସେହି ଭାର ବହନ କରନ୍ତି ସେହି ଫୋକର ଗଚ୍ଛିତ ଧନର ଗୋଟାଏ ମୋଟ ଅଂଶ ।

 

ମହେଶ କୌତୂହଳ ବୁଝିପାରି ତା’ର ଫୋକରରୁ ଉଗାଳି ବାହାର କଲା ଏକ ଗିନି । ତା’ପର ତାକୁ ପୁଣି ସ୍ୱସ୍ଥାନକୁ ପଠାଇ ଦେଇ ଆହୁରି ବହୁତ ସୁଖ-ଦୁଃଖର କଥା କହି ବିଦାୟ ନେଇ ଚାଲିଗଲା ।

 

କଥା କଥାରେ ଦିନେ ତାକୁ ପଚାରିଥିଲି, ସାରାଜୀବନ ଜେଲରେ କଟାଇ ଦେଉଛୁ, ବୋହୂ-ପୁଅଝିଅଙ୍କ ପାଇଁ ଟିକିଏ ବୋଲି ତୋର ପ୍ରାଣ କାନ୍ଦେ ନାହିଁ ? ମନହୁଏ ନାହିଁ, ଆଉ ଦଶ ଜଣଙ୍କ ପରି ତାଙ୍କୁ ନେଇ ଘର ଦୁଆର କରିବାକୁ ?

 

ମହେଶ କହିଥିଲା, ପୁଅ-ଭାରିଜା ଥିଲେ ତ ମନ କାନ୍ଦିବ ! ସେ ସବୁ ଝନଝଟ ଆମର କାହାରି ନାହିଁ ।

 

ବିସ୍ମିତ ହୋଇ କହିଥିଲି ସେ କ’ଣ ! ଏତେ ଯେ ସ୍ତ୍ରୀଲୋକ ସବୁ ଆସନ୍ତି ତମମାନଙ୍କ ସଙ୍ଗରେ ଦେଖା କରିବାକୁ, ଦରଖାସ୍ତରେ ଲେଖନ୍ତି ଅମୁକ ମୋର ସ୍ୱାମୀ ଅମୁକ ମୋର ସ୍ୱାମୀର ଭାଇ ।

 

ମହେଶ ହସି ପକାଇ କହିଲା–ସ୍ୱାମୀ-ଟାମୀ ନ କହିଲେ ଆପଣମାନେ ଦେଖା କରିବାକୁ ନେବେ କାହିଁକି ? ଅସଲରେ କୌଣସିଟା ଇ ବୋହୂ ନୁହନ୍ତି ।

 

ଟିକିଏ ରହି ଅନେକଟା ନିଜ ମନକୁ କହିଥିଲା, ବୋହୂ ନହେଲା ନାହିଁ, ଏଇମାନେ ଆମର ଅସମୟର ବନ୍ଧୁ । ରୋଗରେ-ଶୋକରେ ଆପଦରେ-ବିପଦରେ ଏମାନେ ନ ଥିଲେ ଆମର ଉପାୟ ନଥିଲା । ସେଥର ବସନ୍ତ ହେଲା ସେହି ରାମଦୀନ କାହାରକୁ । କେତେ ସେବା ନକଲା ବିମ୍‍ଲି । ନିଜ ଘରେ ଲୁଚାଇ ରଖିଲା, କାଳେ କରପୋରେଶନର ଲୋକେ ଜାଣିପାରି ହସ୍‍ପିଟାଲକୁ ନେଇ ଯାଆନ୍ତି । ତାହାରି ପାଇଁ ରାମଦୀନ ବଞ୍ଚିଗଲା । ତା’ପର ପଡ଼ିଲା ସେ ନିଜେ । ରାମଦୀନଟା ହସ୍‍ପିଟାଲରେ ଖବର ଦେଇ ଆସିଲା । ଆମ୍ବୁଲେନ୍‌ସ ଦେଖି ସେ କି କାନ୍ଦ ବିମ୍‍ଲିର-! କାନ୍ଦେ ଆଉ କହେ, ଆଉ ବଞ୍ଚିବି ନାହିଁ, ମହେଶ ଦା । ନିହାତି ପରମାୟୁର ଜୋର୍‍ ଥିଲା ଝିଅଟିର-। ଜୀବନ ଗଲାନାହିଁ; କିନ୍ତୁ ଆଖି ଦି’ଟା ଗଲା । ଏଇକ୍ଷଣି ରାସ୍ତାରେ ରାସ୍ତାରେ ଭୀକମାଗେ । ଝିଅଗୁଡ଼ାକ ସତରେ ଭାରି ଭଲ, ହଜୁର !

 

ମହେଶ ଚାଲିଗଲାରୁ ମନେ ପଡ଼ିଲା, କେବେ କେଉଁଠି ଯେପରି ପଢ଼ିଅଛି–ବାହାରୁ ମଣିଷର ଭଲ କରିବାକୁ ଯିବାପରି ବିଡ଼ମ୍ବନା ଆଉ ନାହିଁ । ଅଥଚ, ଏହି ବିଡ଼ମ୍ବନା ହିଁ ଆମେ ଅଣ୍ଟାଭିଡ଼ି କରି ଯାଉଅଛୁଁ । ଏହି ‘ବି’ କ୍ଲାସ ଜେଲ୍‍ଖଟା ପୁରୁଣା ପାପୀମାନଙ୍କ ଉଦ୍ଧାର ପାଇଁ ଦଳେ ଲୋକଙ୍କର ଦୁଶ୍ଚିନ୍ତାର ଅନ୍ତ ନାହିଁ । ଯେଉଁ ସବୁ ପଣ୍ଡିତ ଲୋକେ Crimeର ବୀଜାଣୁ ନେଇ ମୁଣ୍ଡ ଖଟାନ୍ତି ଏବଂ ସେହି ପୋକଗୁଡ଼ାକଙ୍କର ଅସଲ ବାସସ୍ଥାନ ରକ୍ତ ଭିତରେ ନା ମୁଣ୍ଡର ଖପୁରୀରେ, ଏହି ମହା ତଥ୍ୟ ସମ୍ବନ୍ଧରେ ଗବେଷଣା କରନ୍ତି, ତାଙ୍କ କଥା କହୁ ନାହିଁ । Crimeର ଜନ୍ମସ୍ଥାନ ଯେ ପାରିପାର୍ଶ୍ୱିକ ବାତାବରଣ–ଏହି ପୁରୁଣା କଥା କହି Heredity vrs Environmentର ସନାତନ କଳି ଆମଦନି କରି ଯେଉଁମାନେ ମାସିକପତ୍ର ପାଠକଙ୍କର କାନ ଅତଡ଼ା କରନ୍ତି, ତାଙ୍କ ପ୍ରସଙ୍ଗ ମଧ୍ୟ ଆଲୋଚନା କରୁ ନାହିଁ । ମୁଁ କହୁଥିଲି ସେହିମାନଙ୍କର କଥା, ଯେଉଁମାନେ ପାଗଳ ହୋଇ ପଡ଼ିଛନ୍ତି ଜେଲ୍‍-ରିଫର୍ମର ଧ୍ୱଜା ନେଇ । ଆହା ! ଭାରି କଷ୍ଟ କଇଦୀଗୁଡ଼ାକଙ୍କର । କମ୍ବଳ ଜାମାଟା ଦେହକୁ କଣ୍ଟା କଣ୍ଟା ଲାଗେ, ତାହା ତଳକୁ ଗୋଟାଏ ସୂତାର ଲାଇନିଂ ଦିଅ । କମ୍ବଳ ବିଛଣା ଉପରେ ବିଛାଇ ଦିଅ ଖଣ୍ଡିଏ ଚାଦର । ମାଛର ଖଣ୍ଡ ବଢ଼ାଅ । ଧଣିଆର ଗଡ଼ିଟା ହାସ୍ୟ ଜନକ–ଏକ ଛଟାଙ୍କିର ୧୨୮ ଭାଗର ଏକଭାଗ ! ସେହି ହୋମିଓପ୍ୟାଥିକ ଡୋଜ୍‌ଟା ଡବଲ କର-। ବିଚାରାମାନେ ବିଡ଼ି ଖାଇବାକୁ ପାଆନ୍ତି ନାହିଁ ? ଡିସ୍‌ଗ୍ରେସ୍‌ ଫୁଲ ! ଏକ ବାଣ୍ଡୁଲି କରି ବିଡ଼ି ବରାଦ ହେଉ ପ୍ରତ୍ୟେକଙ୍କ ପାଇଁ, କିମ୍ବା ଦିଅ ଗୋଟାଏ କରି ହୁଙ୍କା-ଚିଲମ । ଭାରି ଏକ ଘେଇଆ ଜୀବନ ତାଙ୍କର । ମଝିରେ ମଝିରେ ଝାଡ଼ ଗୋଟାଏ କରି ମ୍ୟାଜିକ ଲଣ୍ଠନର ଲେକଚର । ଗୋଟାଏ କରି ରେଡ଼ିଓ ସେଟ୍‌ ବସାଇ ଦିଅ ସେମାନଙ୍କର ବ୍ୟାରାକ ମୁଣ୍ଡରେ । ଗୀତ-ବାଦ୍ୟ ? ନିଶ୍ଚୟ ଦରକାର । ମ୍ୟାନ ଡଜନଟ ଲିଭ୍‌ ବାଇ ବ୍ରେଡ ଏଲୋନ୍‌ । ସନ୍ଧ୍ୟାପରେ ସଭିଏଁ ମିଶି କୀର୍ତ୍ତନ କରନ୍ତୁ-। ମଝିରେ ମଝିରେ ଆଦିବାସୀ ଗୀତ ଓ ବାଦୀପାଲା । ଅର୍ଥାତ୍‌ ଜେଲ୍‌କୁ ଯେପରି କେହି ଜେଲ୍‍ ବୋଲି ବୁଝି ନପାରନ୍ତି । ଆହାର-ବିହାରରେ ଯେତେ ପାର ଆରାମ ଦିଅ । ଆହା-! କି ଭୀଷଣ କଷ୍ଟ ବିଚାରାମାନଙ୍କର ।

 

ହତଭାଗ୍ୟ କଇଦୀମାନଙ୍କ ଦୁଃଖରେ ଏହି ସହୃଦୟ ରି-ଫର୍ମରଙ୍କର କୋମଳ ହୃଦୟ ଅହରହ ବିଗଳିତ ହେଉଅଛି । କିନ୍ତୁ ବିନ୍ଦୀର ହୃଦୟର ଖବର ଏମାନେ କେବେହେଲେ ପାଇ ନାହାନ୍ତି । ଏମାନଙ୍କ ମଧ୍ୟରୁ ଜଣକୁ ଲକ୍ଷ୍ୟ କରି ମହେଶ ଦିନେ କହିଥିଲା–ସବୁଠାରୁ ଅସହ୍ୟ ଆପଣଙ୍କର ସେହି ଭିଜିଟର ବାବୁମାନେ । ଏପରି ଭାବରେ ଚାହିଁବେ ଆମେ ସବୁ ନିତାନ୍ତ କୃପାର ପାତ୍ର । ଥରେ ଜଣେ ବୁଢ଼ା ଆସି ମୋତେ ଧରିଲା–ଶୁଣିଲି ସେ ପରା ଜଣେ ରାୟ ବାହାଦୁର–କିପରି ଅଛ ? କ’ଣ ଖାଅ ? କ’ଣ ଅସୁବିଧା ତମର ? ଏହିପରି ସବୁ ଲୋକଦେଖାଣିଆ ଦରଜ । ଦେହ ଜ୍ୱଳି ଗଲା । କହିଲି, ବାବୁ, ଜେଲ୍‍ ଭିତରେ କ’ଣ ଖାଏଁ, ସେ ଖବର ନ ନେଇ ଜେଲ୍‍ ବାହାରକୁ ଯାଇ କ’ଣ ଖାଇବି, ସେଥିପାଇଁ ଟିକିଏ ମୁଣ୍ଡ ବଥାଅ । ସେଥିରେ ଇ ବହୁତ ବେଶୀ ଉପକାର ହେବ ଆମମାନଙ୍କର । କଥାଟା ବୋଧହୁଏ ଭଲ ଲାଗିଲା ନାହିଁ ରାୟ ବାହାଦୁରଙ୍କୁ । ତମତମ ହୋଇ ଚାଲିଗଲେ । ଏହିପରି କେତେ ଦେଖିଲି । ଯେତେବେଳଯାଏ ଜେଲ୍‍ ଖଟୁ ଥାଉଁ ସେମାନଙ୍କ ଦରଦ ଉଛୁଳି ପଡ଼େ । ବାହାରକୁ ଯାଇ ଯେତେବେଳେ ଟୋଟୋ ହୋଇ ବୁଲି ବୁଲୁଥାଉଁ, କେହି ପଚାରି ଯାଆନ୍ତି ନାହିଁ । ଦୂର ଦୂର କରି ତଡ଼ି ଦିଅନ୍ତି, ଆଉ ସଭିଏଁ ମିଳି ଫିକର ପାଞ୍ଚନ୍ତି କିପରି ଜେଲ୍‍-ଦାଗୀଟାକୁ ପୁଣି ଜେଲରେ ନେଇ ପୂରାଇ ନିଶ୍ଚିନ୍ତ ହେବା ।

 

ଯୋଗେନ–ମହେଶ ଆ୍ୟଣ୍ଡ କମ୍ପାନୀର ଅନେକଗୁଡ଼ିଏ ମୁହଁ ଆଜି ଆଖି ଆଗରେ ନାଚି ଯାଉଛି । କେଉଁଟା ଖୁବ୍‌ ଉଜ୍ଜ୍ୱଳ, କେଉଁଟା ଅବା ଅସ୍ପଷ୍ଟ ହୋଇ ଗଲାଣି ସ୍ମୃତିର ଅନ୍ତରାଳରେ । ଏମାନଙ୍କ ମଧ୍ୟରୁ ଜଣକର ହାତର ତିଆରି ଏହି ବେତ ଚେୟାର ଖଣ୍ଡିକ । ସଂସାରରେ ଯେଉଁ କେତୋଟି ପ୍ରିୟବସ୍ତୁ ବୋର ଅଛି ତାହା ମଧ୍ୟରେ ଏହାର ସ୍ଥାନ ଅଳ୍ପ ନୁହେଁ । ଏତେକାଳ ପରେ ସୁଦ୍ଧା ଆଜି ବି କେଉଁ କେଉଁ ଦିନ ନିଃସଙ୍ଗ ସନ୍ଧ୍ୟାରେ ଏଇ ଚେୟାର ଖଣ୍ଡିକ ନେଇ ମୋର ବଗିଚାର ଗୋଟାଏ ପ୍ରାନ୍ତରେ ଯେତେବେଳେ ବସିଥାଏ, ଆଖିରେ ଭାସିଉଠେ କଳା ପତଳା ମଜଭୁତ ଗଢ଼ଣର ଗୋଟାଏ ଯୁବକ । ହସ ହସ ମୁହଁରେ ବସନ୍ତର ଦାଗ, ମୁଣ୍ଡରେ ତରଙ୍ଗାୟିତ ବାବରି । ନାଁ ପଚାରିଲେ କହେ, ରହିମ ଶେଖ, ବେତ-କାମର ଓସ୍ତାତ୍‌ । ଅର୍ଥାତ୍‌ ତା’ର ପଦମର୍ଯ୍ୟାଦା ସମ୍ବନ୍ଧରେ ସେ ନିଜେ ଯେପରି ସଚେତନ ଅନ୍ୟକୁ ମଧ୍ୟ ସେହିପରି ସଜାଗ ରଖିଥିଲା ।

 

ରହିମ ଗଞ୍ଜେଇ, ବିଡ଼ି, ଚରସ ଏସବୁ ସ୍ପର୍ଶ କରୁ ନ ଥିଲା । ତାହାଠାରୁ ବଡ଼ ନିଶା, ତା’ର ସେହି ଗୋଟିଏ ମାତ୍ର ନିଶା, ତା’ର ବାଳ । କେଶ-ପ୍ରସାଧନ ପାଇଁ ତା’ର ତେଲ ପ୍ରୟୋଜନ । ତାହା ନାନା ଉପାୟରେ ତାକୁ ସଂଗ୍ରହ କରିବାକୁ ହେଉଥିଲା । ସେହି ତେଲର କିଛି ଅଂଶ ତା’ର ମୁଣ୍ଡକୁ ଯାଉଥିଲା ଓ ବେଶୀ ଭାଗ ଯାଉଥିଲା ଜମାଦାରର ଗୋଡ଼ରେ । ତାହା ନ ହେଲେ ତା’ର ଏତେ ସଉଖର ବାବୁରି କେଉଁଦିନୁ ନିକାଶ ହୋଇଥାନ୍ତା କହିବା ବାହୁଲ୍ୟ । ତୈଳ ସଂଗ୍ରହ ପାଇଁ ତା’ର ଫୋକର-ବ୍ୟାଙ୍କ ଉପରେ ଯେଉଁ ଚାପ ପଡ଼ୁଥିଲା ଗଞ୍ଜେଇ ଚରସ ସଂଗ୍ରହଠାରୁ ତାହା କମ୍‍ ନୁହେଁ ।

 

‘ବି’ କ୍ଲାସ ବନ୍ଦୀଙ୍କର ଗୋଟାଏ ସାଧାରଣ ରୋଗ ଅଛି, ଯାହାକୁ କହନ୍ତି ‘ଛୋକରା-ରୋଗ-ନିପୀଡ଼ିତ ଯୌନ-ଜୀବନର କୁତ୍ସିତ ବିକୃତି । ଜେଲ୍‍ କ୍ରାଇମର ଗୋଟିଏ ବଡ ଅଂଶର ମୂଳରେ ଅଛି ଏହି ଛୋକରା-ରୋଗ, ଯାହାପାଇଁ ଦାୟୀ ବୋଧହୁଏ ତାଙ୍କର ସ୍ତ୍ରୀ-ସଙ୍ଗ ବର୍ଜିତ ଦୀର୍ଘ କାରାବାସ ଏବଂ ସେଠାକାର କଳୁଷିତ ବାୟୁମଣ୍ଡଳ । ଏହାରି ପାଇଁ କେତେ କୁଟିଳ ଷଡ଼ଯନ୍ତ୍ର । କେତେ ଜଘନ୍ୟ ଜିଙ୍ଘାସା । କେତେ ଆଘାତ ପ୍ରତିଘାତର ବିଭତ୍ସଲୀଳା ପ୍ରତିଦିନ ଘଟୁଅଛି । ସେହି ଲମ୍ବା ବ୍ୟାରାକଗୁଡ଼ାକର ଗହ୍ୱରରେ ତା’ର ଇତିହାସ କେବେ ଲେଖା ହେବ ନାହିଁ ।

 

ହସ୍‍ପିଟାଲରୁ ରହିମ ଶେଖ ପାଇଁ ଦୈନିକ ଖଞ୍ଜାଥିଲା ଅଧସେରେ ଦୁଧ; କିନ୍ତୁ ରହିମ ତା’ର ବାହକ ମାତ୍ର । ଯେଉଁ ଭାଗ୍ୟବାନଙ୍କ ପେଟକୁ ତାହା ଯାଉଥିଲା, ତାହାର ବୟସ ଥିଲା ସତର, ଦେହର ବର୍ଣ୍ଣ ମୋଟ ଉପରେ ଗୌର ଏବଂ ସ୍ୱାସ୍ଥ୍ୟ ନିଟୋଳ । ଏହାକୁ ନେଇ ଦିନେ ମେଘ ଘୋଟି ଆସିଲା–ତା’ର ଶେଷ ପରିଣତି ଛୋରା ବର୍ଷଣ । ରହିମ ଏବଂ ପଟଲାଙ୍କ ମଧ୍ୟରେ ଜୀବନ ଦିଆ-ନିଆ ଖେଳ । ଆଘାତର ମାତ୍ରାର ବେଶୀ ଭାଗ ପଡ଼ିଥିଲା ରହିମର ଭାବରେ । ତେଣୁ ଶାସ୍ତି ବେଳକୁ ସୁପାର ତା’ର ପାଉଣା ଟିକିଏ କମାଇ ଦେଲେ । ରହିମର ଧାରଣା, ତାହା ସମ୍ଭବ ହୋଇଛି କେବଳ ମୋର ସାନୁଗ୍ରହ ହସ୍ତକ୍ଷେପ ଯୋଗୁଁ ।

 

ଖଲାସ ହେବାର କିଛିଦିନ ପରେ ସେ ମୋ ସହିତ ଦେଖା କରିବାପାଇଁ ମୋ ଘରକୁ ଆସିଲା । ମୁଁ ତାହାରି ହାତରେ ତିଆରି ମୋର ଏହି ଚେୟାର ଖଣ୍ଡିକରେ ବସି କ’ଣ ଗୋଟାଏ କରୁଥିଲି । ରହିମ କିଛିକ୍ଷଣ ଅନାଇ ରହି କହିଲା, ଚେୟାର ଖଣ୍ଡିକ ତରବରରେ କରି ଦେଇଥିଲି । ଜିଣିଷଟା ପସନ୍ଦ ମୁତାବକ ହେଲା ନାହିଁ । ଆଚ୍ଛା, ସେଥିପାଇଁ କ’ଣ ଅଛି ? ପୁଣି ଆସି ଏଥର ଆଉ ଖଣ୍ଡିଏ କରିଦେବି ଏକବାରେ ନୂଆ ଡିଜାଇନ । ଯେତେଦିନ ବସିବେ, ରହିମକୁ ମନେ ପଡ଼ିବ ।

 

ମୁଁ କହିଲି, ଆଉ ଚେୟାର ଦରକାର ନାହିଁ ମୋର । ତୋତେ ଆଉ ଆସିବାକୁ ହେବନାହିଁ । କେଇଟା ଦିନ ଅପେକ୍ଷା କର । ମନେ ହେଉଛି ତୋ’ପାଇଁ ଗୋଟାଏ ଭଲ କାମ ଯୋଗାଡ଼ କରିଦେଇ ପାରିବି ।

 

ରହିମ ବ୍ୟସ୍ତ ହୋଇ କହିଲା, ନା, ନା, ସେ ସବୁ ଆପଣ କେଭେ କରିବାକୁ ଯିବେ ନାହିଁ-

 

ତା’ର ଆପତ୍ତିର ଢଙ୍ଗ ଦେଖି ହସି ପକାଇ କହିଲି, କାହିଁକିରେ ? କାମ କଥା ଶୁଣି ଡରିଯାଉଛୁ କ’ଣ ପାଇଁ ?

 

ରହିମ ସିଧା କହିଲା, ଦରକାର ନାହିଁ ଆପଣଙ୍କର କାମ ଖୋଜି । ସେଥିରେ ମୋର ତ କିଛି ଉପକାର ହେବ ଇ ନାହିଁ, ବରଂ ଆପଣ ଅଡ଼ୁଆରେ ପଡ଼ିଯିବେ ।

 

ଅବାକ୍‌ ହୋଇ କହିଲି, ମୁଁ ଅଡ଼ୁଆରେ ପଡ଼ିବି କାହିଁକି ? ରହିମ ବାରନ୍ଦା ଧାରରେ ଭଲ କରି ବସି କହିଲା, ତେବେ ଶୁଣନ୍ତୁ ଗୋଟାଏ ଗପ କହେଁ ।

 

ସେଥର ଖଲାସ ପାଇଳି ଜେଲ୍‍ରୁ । ସାହେବ ଚାରିଟଙ୍କା ବକସିସ୍‍ ଦେଲେ । ତାହା ସହିତ ଦୁଇଦିନର ଖୋରାକି ବାରଅଣା ଓ ଶିଆଲଦା ପର୍ଯ୍ୟନ୍ତ ଖଣ୍ଡିଏ ରେଳର ପାସ୍‍ । ମୁଣ୍ଡକୁ କ’ଣ ବଦଖିଆଲ ଆସିଲା–ଭାବିଲି, କଲିକତା ନ ଯାଇ ସାଠାରେ ଇ ଗୋଟାଏ କାମଦାମର ଯୋଗାଡ଼ କରି ରହିଯିବି । ବେତକାମ ତ ଆଗରୁଇ ଜାଣିଥିଲି । ଏଥର ଗୋଟାଏ ପକ୍କା ଓସ୍ତାତ୍‌ ହାତରେ ପଡ଼ି ବଢ଼େଇ ମିସ୍ତ୍ରି କାମଟା ବି ବେଶ୍‍ ଭଲ ରକମ ଜାଣି ଯାଇଥିଲି । ଦିନସାରା କାମ ଖୋଜି ବୁଲେଁ । ଆଉ ରାତିରେ ଷ୍ଟେସନରେ ପଡ଼ିଥାଏଁ । ଦେଖୁଁ ଦେଖୁଁ ଟଙ୍କା କେଇଟା ସରିଗଲା ।

 

ସେଦିନ ସଞ୍ଜ ହୋଇ ଗଲାଣି । ଦିନସାରା ପେଟକୁ କିଛି ଯାଇନାହିଁ । ପ୍ଲାଟ-ଫର୍ମରେ ଘୂରି ବୁଲୁଛି । ଦେହକୁ ଲାଗି ଘଷି ହୋଇ ଏକ ମାରୁଆଡ଼ି ବାବୁ ଚାଲିଗଲା । ପକେଟରେ ତାଡ଼େ ନୋଟ୍‍ । ହାତଟା ଖୁଜ୍‌ ବୁଜ କରି ଉଠିଲା । ଲୋକଟା ଏପରି ହୁଣ୍ଡା, ନୋଟ୍‍ଗୁଡ଼ାକ ବାଗେଇ ନେବାକୁ ଲାଗିଥାନ୍ତା ଗୋଟାଏ ସେକେଣ୍ଡ । କିନ୍ତୁ ନିଜକୁ ସମ୍ଭାଳି ନେଲି । କପାଳରେ ଦୁଃଖ ଥିଲେ ଯାହା ହୁଏ । ଭୋର ଆଡ଼କୁ ନିଦ ସେତେବେଳେ ଭାଙ୍ଗି ନାହିଁ । ପିଠିରେ ଏକ ଜୋର୍‍ । କଠୋର ଆଖି ମେଲାଇ ଦେଖିଲି ପୋଲିସ୍‌ର ହାବିଲଦାର । କହିଲି, ମାରୁଛନ୍ତି କ’ଣ ପାଇଁ ତୁଚ୍ଛାରେ ?

 

ତେବେରେ ଶଳା–କହି ବାଳଧରି ଟାଣି ଉଠାଇଲା । ତା’ପର ଥାନାକୁ । ୧୩୯ ଧାରାରେ ଚାଲାଣ ଦେଇ ଦେଲା । ସେ ଦିନ ଥିଲା ରବିବାର । ଓ୍ୱାରେଣ୍ଟ ସହି କରାଇବାକୁ ହେବ ଏସ.ଡି. ଓ. ସାହେବଙ୍କ ବସାରେ । ମୋତେ ବାନ୍ଧିନେଇ ଚାଲିଲା । ଶୁଣିଲି ହାକିମଟା କୁଆଡ଼େ ପାଗଳ । ଆସାମୀକୁ ନଦେଖି ଓ୍ୱାରେଣ୍ଟ ସହି କରେନାହିଁ ।

 

ଘର ଆଗରେ ଟେନିସ ଖେଳର ପଡ଼ିଆ । ତାହାରି ଗୋଟାଏ ପାଖରେ ବେତ ଚେୟାରରେ ବସି ଜଣେ ଝିଅ ମଣିଷ ଉଲ ବୁଣୁଥିଲେ । ଅନୁମାନ କଲି, ଏସ୍‌.ଡି.ଓ. ସାହେବଙ୍କ ସ୍ତ୍ରୀ-। ଅଳ୍ପ ବୟସ, ମୁହଁ ଦେଖିଲେ ଜଣାଯାଏ ମନରେ ଦୟା ମାୟା ଅଛି । ପାଖରେ ଖଣ୍ଡିଏ ସାନ ଟେବୁଲ । ପୋଲିସ୍‌ ଦୁହେଁ ଟିକିଏ ଦୂରରେ ଠିଆ ହୋଇ ଦୁକୁତା ମଳୁଥିଲେ, ସେହି ଫାଙ୍କରେ ଟିକିଏ ଆଗେଇ ସଲାମ କରି କହିଲି, ମେମ୍‌ ସାହେବ, ଆପଣଙ୍କ ସେହି ଟେବୁଲଟା ପାଲିସ୍‍ କରିବା ଦରକାର ହେଉଛି । ମେହରବାନୀ କରି ଯଦି କାମଟା ମୋତେ ଦିଅନ୍ତେ...ଦି’ଦିନ ହେଲା ଖାଇବାକୁ ପାଇନାହିଁ । ପହିଲେ ସେ ଟିକିଏ ଚମକି ପଡ଼ିଲେ । ପୋଲିସ୍‌ ଯୋଡ଼ାକ ହାଁ ହାଁ କରି ଧାଇଁ ଆସିଲେ । ତାଙ୍କୁ ହାତ ଇଶାରାରେ ବନ୍ଦକରି ସେ କହିଲେ, ପାଲିସ୍‍ର କାମ ଜାଣ ତମେ-?

 

–ଜାଣେ, ମେମ୍‍ ସାହେବ ।

 

ଦେଶୀ ହାକିମଙ୍କ ଘରଣୀମାନେ–ମେମ୍‍ ସାହେବ କହିଲେ ଖୁସି ହୁଅନ୍ତି, ଏହା ମୋର ଜଣାଥିଲା ।

 

ସେ କହିଲେ ତମେ ଚୋରି କରିଛ ?

 

ନା, ହଜୁର । ଚାରିଦିନ ହେଲା ଜେଲ୍‍ରୁ ଖଲାସ ହୋଇଛି । କାମ ଖୋଜୁଥିଲି । ଷ୍ଟେସନରୁ ତୁଚ୍ଛାରେ ଧରି ଆଣିଅଛି ।

 

ମେମ୍‍ ସାହେବ ଭିତରକୁ ଚାଲିଗଲେ ଏବଂ କିଛିକ୍ଷଣ ପରେ ସାହେବଙ୍କୁ ସଙ୍ଗରେ ନେଇ ଫେରି ଆସିଲେ । ସେ ଆସି ମୋତେ ବହୁତ କିଛି ପଚରା ପଚରି କଲେ । ତା’ପର କେଉଁଠି କେଉଁଠି ଫୋନ କରି ପୋଲିସ୍‌ମାନଙ୍କୁ ହୁକୁମ କଲେ ଆସାମୀକୁ ଛାଡ଼ିଦିଅ ।

 

ପ୍ରାୟ ଦଶ ବାର ଦିନ ଲାଗି ତାଙ୍କର ସବୁ ଫର୍ନିଚର ପାଲିସ୍‍ କରିଦେଲି । ମାଲ ମସଲା କିଣିବା ପାଇଁ ଟଙ୍କା ମୋହରି ହାତରେ ଧରାଇଦେଲେ । ମୁହିଁ ସବୁ କିଣି ଆଣିଲି । ହିସାବ ଦେବାକୁ ଗଲି, ନେଲେ ନାହିଁ । କାମ ଦେଖି ମେମ୍‍ ସାହେବ ଭାରି ଖୁସି । ଏହି କେଇଦିନ ଖାଇବାକୁ ତ ଦେଲେ ଇ । ତାହା ଉପରେ ବକସିସ୍‍ ଦେଲେ ଦଶଟଙ୍କା ।

 

ଏଣେ ସାହେବ ମୋ’ପାଇଁ କାମ ଖୋଜୁଥିଲେ । ଦିନକରେ ପଚାରିଲେ ତମେ କି କି କାମ ଜାଣ ?

 

ସବୁ ରକମ ବେତର କାମ ଜାଣେ, ହଜୁର । ମେମ୍‍ ସାହେବ ଯେଉଁ ଚେୟାରଟାରେ ବସିଛନ୍ତି, ଜେଲରେ ବସି ସେଟା ମୁହିଁ ତିଆରି କରିଥିଲି ।

 

–ସତରେ ?

 

ସେଠାକାର କାମ ଶେଷ ହେଲାରୁ ସେ ମୋତେ ଖଣ୍ଡିଏ ଚିଠି ଦେଇ ପଠାଇ ଦେଲେ ସହର ବାହାରକୁ, କୌଣସି ଏକ ଜମିଦାର ସ୍କୁଲ ଖୋଲିଥିଲେ ସେଠାକୁ । ବଡ଼ଲୋକଙ୍କର ଖିଆଲ-। ଭଦ୍ରଲୋକଙ୍କର ପିଲାଙ୍କୁ ଧରି ହାତର କାମ ଶିଖାଉଛନ୍ତି–ତନ୍ତ, କାଠକାମ, ଛୁରି-କଇଞ୍ଚି ତିଆରି, ବେତକାମ ଏହିପରି ସବୁ ।

 

ମୁଁ ହେଲି ବେତର ମାଷ୍ଟର । ଦରମା କୋଡ଼ିଏ ଟଙ୍କା । ଏସ.ଡି.ଓ ସାହେବ କହି ଦେଇଥିଲେ । ତମେ ଯେ ଜେଲ୍‍ ଖଟିଛ ଏକଥା କାହାକୁ କହିବ ନାହିଁ । ମୁଁ ମନେମନେ ହସିଲି । ଦାଗୀ ଚୋରର ଦେହରେ ଜେଲ୍‍ର ଗନ୍ଧ ଲାଗି ରହିଥାଏ, ଏକଥା ତାଙ୍କୁ ଜଣା ନଥିଲା ! ଟୋକା ହାକିମ କି ନା !

 

ମାସେ ଖଣ୍ଡେ ଭିତରେ ପୋଲିସ୍‌ର ଚେଷ୍ଟାରେ ସବୁ ଜଣାଜଣି ହୋଇଗଲା । ଛାତ୍ରମାନେ ଧରି ବସିଲେ, ଆମେ ଜେଲ୍‍ ଖଟା ଚୋର ପାଖରେ କାମ ଶିଖିବୁ ନାହିଁ । ବୁଝିଲି, ମୋର ଚାକିରି ଏଥର ଖତମ । ମାନେ ମାନେ ଖସିଯିବି ଭାବୁଛି, ଏପରି ସମୟରେ ଜମିଦାରଙ୍କ ଝିଅ ବେକରୁ ହାର ଚୋରି ଗଲା ପୋଖରୀ ଘାଟରେ । ପୋଲିସ୍‌ ଆସି ମୋତେ ଧରିଲା । ପିଠିରେ ବି ବେଶ୍‍ କିଛି ପଡ଼ିଲା । ସେ ତ ବୁଝିପାରୁଥିବେ । ଜମିଦାର ମାମଲା ଚଳାଇବାକୁ ଦେଲେ ନାହିଁ । ମୋତେ ଡାକିନେଇ ମାସକର ଦରମା ଅଧିକା ଦେଇ ଆଖି ନାଲିକରି କହିଲେ, ଜୋତା ଦେଖୁଛୁ !

 

ମୁଁ ମୁଣ୍ଡ ହଲାଇ କହିଲି ଦେଖୁଛି ।

 

–ଖବର ଦାର ! ମୋ ଜମିଦାରୀର ସୀମା ଭିତରେ ଯଦି କେବେ ଗୋଡ଼ ପକାଇଛୁ ତୋ ପିଠିରୁ ଛାଲ ଉତାରି ନେବି, ବୁଝିଲୁ ?

 

ଏଥର ମଧ୍ୟ ମୁଣ୍ଡ ହଲାଇ କହିଲି, ବୁଝିଛି ।

 

ଜମିଦାର ବାବୁ ହାଙ୍କିଲେ ଦରୋଆନ !

 

ଦରୋଆନ ଆସି ମୋ କାନଧରି ହଡ଼ହିଡ଼ କରି ଧରିନେଇ ଚାଲିଲା । ଗଲାବେଳେ କାନକୁ ଆସିଲା, ବାବୁ କହୁଛନ୍ତି ଯେମିତି ଯୋଟିଛି ଏକ ପାଗଳା ଏସ.ଡି.ଓ । ସ୍କୁଲ ପାଇଁ ମାଷ୍ଟର ଦରକାର, ପଠାଇଲା ଏକ ଦାଗୀ ଚୋର ।

 

କାମ ଦାମ କରି ଖାଇବାର ସଉଖ ଏତେ ଦିନେକେ ମେଣ୍ଟି ଯାଇଥିଲା । ଏଥର ନିଜ ବାଟ ଧରିଲି । ଷ୍ଟେସନରେ ଇ ମିଳିଗଲା ଗୋଟାଏ କେସ୍‌ । ପକେଟ ଭାରି କରି ଚାଲି ଆସିଲି କଲିକତାକୁ । କିଛିଦିନ ପରେଇ ଏହି ‘ପୁରୁଣା ଜେଲ୍‍’ ।

 

ମୁଁ କହିଲି, ନିଃଶ୍ୱାସ ମାରି ବଞ୍ଚିଗଲୁ–ନା, କ’ଣ କହୁଛୁ ?

 

ସେକଥା ଆଉ କହିବାକୁ, ସାଙ୍ଗେ ସାଙ୍ଗେ ଜବାବ ଦେଲା ରହିମ, ବାହାରେ ଯେଉଁ କେତେଦିନ ଥାଏଁ ମନେହୁଏ ପରଘରେ ରହିଛି । ନିଜର ଘର ଦୁଆର ବୋଲିବାକୁ ଯାହା କିଛି ଆମର ଏଇ ଜେଲ୍‍ । ଜେଲ୍‍କୁ ଲୋକେ ଥଟ୍ଟାକରି କହନ୍ତି ଶ୍ରୀଘର । କଥାଟା କିନ୍ତୁ ଏକବାରେ ଖାଣ୍ଟି, ସ୍ୟାର୍‍ ।

 

–ବେଶ୍‍, ତାହା ଯେପରି ହେଲା । ମୋର କ’ଣ ଅଡ଼ୁଆ ହେବ କହୁଥିଲୁ ଯେ !

 

ରହିମ ଅପ୍ରସ୍ତୁତ ହୋଇ କହିଲା, ଏଇ ଦେଖନ୍ତୁ, ଅସଲ କଥାଟାଇ ଭୁଲି ଯାଉଛି । କଲିକତାକୁ ଆସିବାର କେଇଦିନ ପରେ ଚିତ୍ତପୁରରେ ପଟଲା ସଙ୍ଗରେ ଦେଖା ହେଲା । ତା’ଠାରୁ ଶୁଣିଲି, ଏସ.ଡି.ଓ ସାହେବଙ୍କର ଚାକିରି ଦେଇ ଟଣାଟଣି । ଗୋଟାଏ ଦାଗୀ ଚୋରକୁ ପୋଲିସ୍‌ ହାତରୁ ଛଡ଼ାଇ ନେଇ ଘରେ ଜାଗା ଦେଇଛନ୍ତି । ସ୍କୁଲରେ ଚାକିରି କରାଇ ଦେଇ ଅଛନ୍ତି–ସାହେବ କଲେକ୍ଟର ପରା ଭାରି ଖପ୍‌ପା । ସେ ଆଉ ଏସ.ଡି. ଓ. ନାହାନ୍ତି । ସାଧାରଣ ହାକିମ କରି, କେଉଁଠାକୁ ବଦଳି କରାଯାଇଛି । ସେଥିପାଇଁ ତ କହୁଥିଲି ସ୍ୟାର୍‍, ପୁରୁଣା ଚୋରର ଜଞ୍ଜାଳ ବହୁତ-। ଆପଣ କେବେ ଏସବୁ ଝନଝଟକୁ ଯିବେ ନାହିଁ । ଗୋଟାଏ ବିପଦ ଘଟିବାକୁ କେତେକ୍ଷଣ-?

 

ରହିମ ଚାଲିଗଲା । ବହୁତ ବେଳଯାଏ ତା’ର କଥାଗୁଡ଼ାକ ମନରେ ଘୂରଫେର ହେବାକୁ ଲାଗିଲା । ଅନେକ କଥା ମଧ୍ୟରେ ଥରେ ସେ କହିଥିଲା, ଆମେ ଦାଗୀ, କିନ୍ତୁ ଆମର ଦାଗ କି କେବେହେଲେ ଘୁଞ୍ଚିବ ନାହିଁ ?

 

ଉତ୍ତର ଦେଇପାରି ନାହିଁ । ହୁଏତ ଏ ପ୍ରଶ୍ନର କିଛି ଉତ୍ତର ନାହିଁ । ମଝିରେ ମଝିରେ ମନେହୁଏ, ଦାଗୀ ସେମାନେ ନୁହନ୍ତି, ଦାଗ ପଡ଼ିଅଛି ଆମର ଆଖିରେ । ଦାଗ ପଡ଼ିଛି ଆମର ମନରେ–ଯେଉଁ ଆଖିଦେଇ ତାଙ୍କୁ ଦେଖୁଁ, ଯେଉଁ ମନଦେଇ ତାଙ୍କୁ ବିଚାର କରୁଁ ସେହିଠାରେ । ଆମେ ଭଦ୍ର ମଣିଷ, ସଭ୍ୟ ମଣିଷ, ସତ୍‌ ମଣିଷ–କେବେହେଲେ ଭୁଲ୍‍ ନାହିଁ । ଏହିଲୋକଟା ଦିନେ ଜେଲରେ ଘଣା ପେଲିଥିଲା । ସମାଜର ଯେଉଁ ସ୍ତରରେ ଯେଉଁ ସ୍ଥାନଟିକୁ ସେ ଛାଡ଼ି ଯାଇଥିଲା, ସେଠାକୁ ଫେରି ଆସି ଠିଆ ହେବାର ସୁଯୋଗ କୌଣସିମତେ ଆମେ ତାକୁ ଦେଇପାରୁ ନାହିଁ । ଥରେ ଯେ ଗଲା, ସେ ଚିରକାଳ ପାଇଁ ହିଁ ଗଲା । ଯେଉଁ ଦାଗ ତା’ର କପାଳରେ ପଡ଼ିଲା, ଆମ ଆଖିରେ ତାହା କେବେହେଲେ ଲିଭିବ ନାହିଁ ।

 

ମନେ ପଡ଼ିଗଲା, ବହୁତ ଦିନ ଆଗର ଗୋଟାଏ ଘଟଣା । ସେତେବେଳେ କଲେଜରେ ପଢ଼ୁଥାଏଁ । ଗୋଟାଏ କ’ଣ ସାହିତ୍ୟ ସଭାଟଭା ଉପଲକ୍ଷ୍ୟ କରି ପ୍ରସିଦ୍ଧ ଔପନ୍ୟାସିକ ଶରତଚନ୍ଦ୍ରଙ୍କ ସାନ୍ନିଧ୍ୟଲାଭ କରିବାର ସୁଯୋଗ ଘଟିଗଲା । ତାଙ୍କ ପାଖରେ ଘଣ୍ଟା କେତେ ଥିଲି । ତାଙ୍କ ସୃଷ୍ଟ ପତିତା ଚରିତ୍ରର ପ୍ରସଙ୍ଗ ନେଇ ଗୋଟାଏ କ’ଣ ମନ୍ତବ୍ୟ କରିଥିଲି । ସେ ହଠାତ୍‌ କିପରି ଗମ୍ଭୀର ହୋଇଗଲେ । ଗଡ଼ଗଡ଼ାର ନଳଟା ମୁହଁରୁ ହାତକୁ ଚାଲି ଆସିଲା । ତୀକ୍ଷ୍‌ଣ ଆଖି ଯୋଡ଼ିକ କିପରି ଉଦାସ ହୋଇଗଲା । ସହସା ଯେପରି କେତେ ଦୂରକୁ ଚାଲିଗଲେ । କେଉଁଠାରେ କେଉଁ ଅଦୃଶ୍ୟ ବସ୍ତୁଆଡ଼କୁ ଅନାଇ କହିଲେ, ପତିତା ! ହଁ ତାଙ୍କୁ ନେଇ ଅନେକ କଥା ଇ ଉଠିଅଛି, ଯଦିଚ ମୁଁ ସେଟା ଠିକ୍‍ ବୁଝିପାରେ ନାହିଁ । ମୁଁ ସେମାନଙ୍କର ଅନେକଙ୍କର କଥା ଇ ଜାଣେ । ନିଜ ଆଖିରେ ଦେଖିଅଛି, ଏପରି ଜିନିଷ ତାଙ୍କ ଭିତରେ ଅଛି, ଯାହା ବଡ଼ ବଡ଼ ସମାଜରେ ନାହିଁ । ତ୍ୟାଗ କୁହ, ଧର୍ମ୍ମ କୁହ, ଦୟା, ମାୟା ପ୍ରେମ–ମନୁଷ୍ୟତ୍ୱ ବୋଲିବାକୁ ଯାହା ବୁଝ, ସେମାନଙ୍କ ମଧ୍ୟରେ ବି ଅଭାବ ନାହିଁ ।

 

ଟିକିଏ ରହି କରୁଣାଦ୍ର କଣ୍ଠରେ କହିଥିଲେ, ତାହାଛଡ଼ା କୌଣସି ତୁଚ୍ଛା କଳା, ତାହା ଭିତରେ କୌଣସି redeeming fealture ନାହିଁ, ଏକଥା ଭାବିବାକୁ ମୋର କଷ୍ଟହୁଏ । ତାହା ମୁଁ ପାରେ ନାହିଁ ।

 

ବାହାରେ ସନ୍ଧ୍ୟାର ଛାୟା ଗାଢ଼ ହୋଇ ଆସିଲାଣି । କେହି କୁଆଡ଼େ ନାହିଁ । ଗୋଟିଏ ସାନ ବାରନ୍ଦାରେ ତାଙ୍କ ଆଗରେ ଆମ ଦୁଇଟି ତରୁଣ ଛାତ୍ର ପାଖାପାଖି ବସି ଥାଉଁ । ଆମ ଆଡ଼କୁ ନ ଚାହିଁ ଅନେକଟା ଯେପରି ଆତ୍ମଗତ ଭାବରେ, ଏହି କେତୋଟି କଥା ସେ ରହି ରହି କହି ଯାଉଥିଲେ । ଆଜି ଏତେକାଳ ପରେ ସେହି ହତଭାଗ୍ୟ ଦାଗୀ ଚୋର ରହିମ ଶେଖ ଆଡ଼କୁ ଚାହିଁ ମାନବ-ଦରଦୀ କଥାଶିଳ୍ପୀଙ୍କର ସେହି ବେଦନାସିକ୍ତ କଥାଗୁଡ଼ିକ ମନେ ପଡ଼ିଗଲା । ଭାବୁଛି ଏମାନେ ମଧ୍ୟ କ’ଣ ତୁଚ୍ଛା କଳା ? ଏମାନଙ୍କ ଭିତରେ କି କୌଣସି redeeming feature ନାହିଁ ?

 

ଶତାବ୍ଦୀର ଆର ପାରିରୁ ଟମାସ ହାଡ଼ିଙ୍କର ମାନସ କନ୍ୟା ଟେସର କଣ୍ଠ ଶୁଣି ପାରୁଛି । ଗୋଟିଏ ରାତ୍ରିର ମୁହୂର୍ତ୍ତକର ଦୁର୍ବଳତା ତା’ର ଜୀବନରେ ଆଣିଥିଲା ଲଜ୍ଜା, କଳଙ୍କ ଓ ଅଭିଶାପ । ସେହି ଦାଗ ଯେତେବେଳେ ସାରା ଜୀବନରେ ପୋଛିପାରା ଗଲାନାହିଁ ତା’ର ଆର୍ତ୍ତକଣ୍ଠରୁ ଧ୍ୱନିତ ହେଲା ଗୋଟିଏ କଠିନ ପ୍ରଶ୍ନ–The recuperative power of Nature is denied to maidenhood alone ? ନିରନ୍ତର ଭଙ୍ଗାଗଢ଼ା ହିଁ ତ ପ୍ରକୃତିର ଲୀଳା । ଛିନ୍ନ ଶାଖାର ମୂଳରୁ ନୂଆ ପତ୍ରର ଉଦ୍ୟମ ଦେଖା ଦିଏ । ଏତେ ବଡ଼ ଯେଉଁ ପୁତ୍ରଶୋକ, ତାହାର କ୍ଷତ ମଧ୍ୟ ଦିନେ ମାଆର ବୁକୁରୁ ମିଳେଇ ଯାଏ । ଅଶ୍ରୁଧାରା ଶୁଖିଯାଏ, ଫେରିଆସେ ହସର ଦ୍ୟୁତି । କିନ୍ତୁ ମୁହୂର୍ତ୍ତକ ପାଇଁ ଖଣ୍ଡିତ ହେଲା ଯେଉଁ କୁମାରୀର କୌମାର ଧର୍ମ୍ମ, ତା’ର କାଳିମା ଲେଖା କି କୌଣସି ଦିନ ଲିଭିବାର ନୁହେଁ ? ପ୍ରକୃତିର ଅପରାଜେୟ ସଞ୍ଜୀବନୀ–ଶକ୍ତି କେବଳ ଏହିଠାରେ ବ୍ୟର୍ଥ ହେବ ?

 

ଟେସ ତା’ର ପ୍ରଶ୍ନର ଜବାବ ପାଇଛି କି ନା ଜାଣେନାହିଁ । କିନ୍ତୁ ରହିମର ପ୍ରଶ୍ନ ଆଜିସୁଦ୍ଧା ଅମୀମାଂସିତ । ଲୌହ ଯବନିକାର ଅନ୍ତରାଳରେ ଶତ ଶତ ରହିମଙ୍କର ଆଖିରେ ଫୁଟି ଉଠିଛି ସେହି ନିର୍ବାକ୍‍ ପ୍ରଶ୍ନ–ଆମର ଏହି ଦାଗ କି କେବେହେଲେ ଲିଭିବ ନାହିଁ ?

 

ପ୍ରାଣପୂର୍ଣ୍ଣ ଦରଦ ନେଇ ଯଦି ଫେରି ଆସନ୍ତି କୌଣସି ଟମାସ ହାର୍ଡ଼ କିମ୍ବା ଶରତ ଚାଟର୍ଜି, ହୁଏତ ଜବାବ ଦିନେ ମିଳିବ ।

 

ପନ୍ଦରବର୍ଷ ପରର କଥା । ଇତିମଧ୍ୟରେ ଗୋଟା ସାତ ଜେଲ୍‍ ବୁଲି ପୁଣି ଆସିଲି କଲିକତା । ଆଗବର୍ଷ ବଡ଼ ଝିଅ ବିନୁର ବିଭା ଦେଇଛି । ଜୋଇଁ ଘରକୁ ବେଭାର ଯିବ । ତାହାରି ଆୟୋଜନରେ ବ୍ୟସ୍ତ । ଗୃହିଣୀଙ୍କ ଫରମାସ–ଝୁଡ଼ିଏ ଲେଙ୍ଗଡ଼ା ଆମ୍ବ ଦେବାକୁ ଇ ହେବ । ଦୁଇପହରିଆ ଖରା । ବଡ଼ ବଜାର ପୋସ୍ତାକୁ ଯାଇଥିଲି ଆମ୍ବ କିଣିବା ପାଇଁ । ଭୀଷଣ ଭିଡ଼ । ବହୁତ ଦୋକାନ ବୁଲି ଦରଦାମ କରି ଗୋଟାଏ ଜାଗାରେ ପସନ୍ଦ କରି ଦାମ ଦେବାକୁ ଯାଉଛି ।

 

–ସର୍ବନାଶ ! ମନିବ୍ୟାଗ କାହିଁ ? ଏ ପକେଟ ସେ ପକେଟ ବାରମ୍ବାର ବୃଥା ଅଣ୍ଡାଳି ଦେଖିଲି । ଆମ୍ବ ତ ରହିଲା । ଫେରିବି ଯେ ତା’ର ବାସ୍‍ ଭଡ଼ାଟା ବି ନାହିଁ । ହ୍ୟାରିସନ୍‌ ରୋଡ଼ରେ ଫୁଟପାଥ ଧରି ପୂର୍ବ ଆଡ଼କୁ ଚାଲିବାକୁ ଲାଗିଲ ।

 

–ସଲାମ, ହଜୁର ।

 

ଚମକି ପଡ଼ିଲି । ଗଳାଟା ଚିହ୍ନା ଚିହ୍ନା । ଚାହିଁ ଦେଖିଲି, ଗେଡ଼ା କଳା କଞ୍ଚା ପାଚିଲା ଦାଢ଼ିବାଲା ଗୋଟାଏ ଲୋକ । ମୁଣ୍ଡରେ ଢେଉଖେଳା ବାବୁରି ।

 

–କିଏ, ରହିମ !

 

–ହଁ ହଜୁର ! ଗରିବକୁ ଭୁଲି ନାହାନ୍ତି, ଦେଖୁଛି ।

 

–କେମିତି ଅଛୁ, ରହିମ ?

 

–ଭଲ ଇ ଅଛି, ଆପଣଙ୍କ ଦୟାରେ ।

 

ଟିକିଏ ତୀକ୍ଷ୍‌ଣ ଆଖିରେ ମୋ ଆଡ଼କୁ ଅନାଇ ରହିମ କହିଲା, ଆପଣଙ୍କୁ କିପରି ଶୁଖିଲା ଦେଖାଯାଉଛି ସ୍ୟାର୍‍ । ଦେହ ଭଲ ଅଛି ତ ?

 

ପଚାଶ ଯାଏ ଟଙ୍କା ଥିଲା ବ୍ୟାଗରେ । ବଡ଼ ଭାଙ୍ଗି ପଡ଼ିଥିଲି । ଚେଷ୍ଟାକରି ସୁଦ୍ଧା ନିସ୍ତେଜ ଭାବଟା ଲୁଚାଇ ପାରିଲି ନାହିଁ । କହିଲି ଭଲରେ ଅଛି । ତେବେ–

 

ରହିମ ସାଗ୍ରହରେ ଅପେକ୍ଷା କରୁଥିଲା । ମୁଁ ଟିକିଏ ହସିବା ଭଳି ମୁହଁ କରି କହିଲି; ମନିବ୍ୟାଗଟା ଚୋରିଗଲା ।

 

ରହିମ ବ୍ୟସ୍ତ ହୋଇ କହିଲା–କେତେବେଳେ ଚୋରିଗଲା କେଉଁଠି ?

 

କହିଲି–ସେହି ଆମ୍ବପଟ୍ଟୀରେ । ଏଇ ଅଧଘଣ୍ଟେ ଖଣ୍ଡେ ହେବ । ସେ ଯାଉ, ତୁ ଅଛୁ କେଉଁଠି ? କାମ ଦାମ କିଛି–

 

ରହିମ ସେ କଥାର କିଛି ଜବାବ ନ ଦେଇ କହିଲା, ଆପଣ ଠିଆ ହେଉନ୍ତୁ ବାବୁ, ମୁଁ ଏଇକ୍ଷଣି ଆସୁଛି–କହି ଦଉଡ଼ି ବାହାରିଗଲା ।

 

ମୁଁ ସେହିଠାରେ ଅପେକ୍ଷା କରି ରହିଲି । ପନ୍ଦର ମିନିଟ, କୋଡ଼ିଏ ମିନିଟ ଅଧଘଣ୍ଟା ଯିବା ଉପରେ । ହଠାତ୍‌ ମନେହେଲା, ଏ କ’ଣ କରୁଛି ? ଗୋଟାଏ ପୁରୁଣା ଚୋର କ’ଣ କହିଗଲା, ଆଉ ତାହାରି କଥାରେ ଠିଆ ହୋଇ ରହିଛି ମୁଁ–ଜଣେ ପଦସ୍ଥ ସରକାରୀ ଅଫିସର । ଗୋଡ଼ ବଢ଼ାଇବାକୁ ଯାଉଛି ରହିମ ଦଉଡ଼ି ଦଉଡ଼ି ଆସି ହାଜର । ଫତୁଆର ପକେଟରୁ ଦୁଇଟା ମନିବ୍ୟାଗ ବାହାର କରି କହିଲା, ଦେଖନ୍ତୁ କେଉଁଟା ଆପଣଙ୍କର ।

 

ମୁଁ ନିଜର ବ୍ୟାଗଟା ଉଠାଇନେଲି ।

 

ରହିମ କହିଲା, ଦେଖନ୍ତୁ ସବୁ ଠିକ୍‌ ଅଛିକି ନା । ଦେଖିଲି, ସବୁ ଯେଉଁପରି ଥିଲା ସେହିପରି ଅଛି । ମୋର ବିସ୍ମୟର ସୀମା ରହିଲା ନାହିଁ । କହିଲି, କେଉଁଠୁ ପାଇଲୁ ? ରହିମ ହସି ଜବାବ ଦେଲା, ସେ ଅନେକ କଥା, ହଜୁର ! ସବୁ ତ ଆପଣ ବୁଝିବେ ନାହିଁ । ଛୋକରାଟା ନୂଆ । ଆପଣଙ୍କୁ ତ ଚିହ୍ନେ ନାହିଁ । ତେବେ ଭାରି ବିଶ୍ୱାସୀ । କିଛି ହିଁ ନେଇ ନାହିଁ, ପୂରାଟା ଜମା ଦେଇଛି । ସର୍ଦ୍ଦାରକୁ ଯାଇ ଆପଣଙ୍କ କଥା କହିଲାରୁ ସାଙ୍ଗେ ସାଙ୍ଗେ ବାହାର କରିଦେଲା । ସର୍ଦ୍ଦାର ଏକ୍ଷଣି ଭାରି ବ୍ୟସ୍ତ । ନୋହିଲେ ସେ ନିଜେ ଇ ଆସିଥାନ୍ତା । କହିଲା, ବାବୁ ଯେପରି ଆମର କସୁର ମାପ କରନ୍ତି ।

 

ମୁଁ ଖଣ୍ଡିଏ ଦଶ ଟଙ୍କାର ନୋଟ୍‍ ନେଇ ରହିମ ହାତରେ ଦେବାକୁ ଗଲି । ସେ ଜିଭ କାମୁଡ଼ି ପକାଇ ହାତ ଯୋଡ଼ି ଦୁଇପାଦ ପଛକୁ ଘୁଞ୍ଚିଗଲା । ତା’ପରେ ମୋ ଗୋଡ଼ରେ ହାତ ମାରି କହିଲା, କସୁର ଆଉ ବଢ଼ାଇବେ ନାହିଁ, ହଜୁର !

 

ମୁଁ ଆଉ ବଳାଇ ପାରିଲି ନାହିଁ । ରହିମ କହିଲା, ଆମ୍ବ କିଣିବାକୁ ଏତେ ବାଟ ଆସିଥିଲେ ହଜୁର ?

 

–ହଁ । ବଡ଼ ଝିଅର ଶ୍ୱଶୁର ଘରକୁ ଦେବାକୁ ହେବ । ଝୁଡ଼ିଏ ଖଣ୍ଡେ ଲେଙ୍ଗଡ଼ା ଆମ୍ବ, ସମସ୍ତେ କହିଲେ ପୋସ୍ତାରେ ସୁବିଧା ହେବ ।

 

ରହିମ କହିଲା, ଏଠାରେ ଆମ୍ବ କିଣିବା କ’ଣ ଆପଣଙ୍କର କାମ ? ଚାଲନ୍ତୁ ମୁଁ କିଣାଇ ଦେଉଛି ।

 

ମୋର ଉତ୍ସାହ କମି ଯାଇଥିଲା, କହିଲି ଥାଉ । ସେଆଡ଼ୁ ନ ହେଲେ କିଣି ନେବି ।

 

ରହିମ କହିଲା, ଆପଣଙ୍କୁ ବଜାରରେ ପଶିବାକୁ ହେବ ନାହିଁ । କଷ୍ଟକରି ଏହି ମୋଡ଼ଟାରେ ଟିକିଏ ଠିଆ ହୁଅନ୍ତୁ । ମୁଁ ପାଞ୍ଚମିନିଟ ଭିତରେ ଇ ଆସୁଛି । ମୋର ସମ୍ମତିର ଅପେକ୍ଷା ନ କରି ସେ ଚାଲିଗଲା ।

 

ମିନିଟ ଦଶ ଭିତରେ ଇ କୁଲି ମୁଣ୍ଡରେ ଦୁଇ ଝୁଡ଼ି ଲେଙ୍ଗଡ଼ା ଆମ୍ବ ନେଇ ଫେରି ଆସିଲା ଏବଂ ଗୋଟାଏ ଘୋଡ଼ା ଗାଡ଼ି ଉପରେ ତାକୁ ଲଦିଦେଇ କହିଲା, ବାବୁଙ୍କୁ ପହଞ୍ଚାଇ ଦେଇ ଆ ।

 

ମୁଁ ଆମ୍ବର ଦାମ ଜାଣିବାକୁ ଚାହିଁଲି । ରହିମ ପୁଣି ହାତ ଯୋଡ଼ିଲା ।

 

ବିରକ୍ତିର ସ୍ୱରରେ କହିଲି, ନା ନା, ତାହାକି ହୁଏ ? ଖାଲି ଖାଲି ଏତେଗୁଡ଼ାଏ ଟଙ୍କା ତୁ କାହିଁକି ଦେବୁ ? ଆଉ ମୁଁ ବା ନେବି କାହିଁକି ?

 

ରହିମ ସଙ୍କୁଚିତ ହୋଇ କହିଲା, ଆପଣଙ୍କୁ ଦେଇ ନାହିଁ, ହଜୁର ! ମୋର ବିନୁ ମାଙ୍କୁ ଦେଲି । ସେହି କେବେ ଦେଖିଥିଲି । ଆପଣଙ୍କର ଚାକର ଗେଟ୍‌ ସାମନାକୁ ନେଇ ଆସୁଥିଲା । ଦୁଇ ବର୍ଷର ଝିଅ, ଯେପରି ବେହେସ୍ତର ପରି । ସେହି ଆମର ସାନ ବିନୁ ମା’ଟି ଆଜି କେତେବଡ଼ ହେଲାଣି । ସାଦି ହୋଇଛି । ଗରିବ ରହିମ ଆଉ କ’ଣ ବା ଦେଇ ପାରିବ ? ଦି’ଟା ଆମ୍ବ ଦେଲି ମୋର ମା’କୁ । ସ୍ୱରଟା ବୁଜି ଆସିଲା । ଆଖି ଯୋଡ଼ିକ ଛଳ ଛଳ ହୋଇଗଲା । ଆମ୍ବର ଦାମ ଆଉ ଦେଇ ପାରିଲି ନାହିଁ ।

 

ଘରେ ପହଞ୍ଚି ଗାଡ଼ିର ଭଡ଼ା ଦେବାକୁ ଗଲି । ଗାଡ଼ୋଆନ ସଲାମ କରି କହିଲା, ଭଡ଼ା ପାଇ ଯାଇଛି, ବଡ଼ବାବୁ ।

 

–ସେ କ’ଣ ! କିଏ ଦେଲା ଭଡ଼ା ?

 

–କାହିଁକି, ରହିମ ?

 

–ନା ନା, ସେ କଥା ହେବ ନାହିଁ । ସେ ଟଙ୍କା ଫେରାଇ ଦେବ । ଭଡ଼ା ତମକୁ ନବାକୁ ହେବ ।

 

ଗାଡ଼ୋଆନ ଡରି ଡରି କହିଲା, କ’ଣ କରୁଛନ୍ତି ବାବୁ ? ସେହି ରହିମକୁ ଆପଣ ଚିହ୍ନନ୍ତି ନାହିଁ ? ମୋତେ ଜିଅନ୍ତା ମାଟିରେ ପୋତି ପକାଇବ ।

 

ଚଉଦ

 

ଶୁଣିଅଛି, ପ୍ରାଣୀବିଜ୍ଞାନ ମତରେ ଚିଙ୍ଗୁଡ଼ି ମାଛ ମାଛ ନୁହେଁ । ଆମ ପରି ଅବୈଜ୍ଞାନିକ ପକ୍ଷରେ କଥାଟା ଚମକପ୍ରଦ ସନ୍ଦେହ ନାହିଁ । କିନ୍ତୁ ଏହାଠାରୁ ବି ଆଶ୍ଚର୍ଯ୍ୟର କାରଣ ଘଟିଲା, ଯେଉଁଦିନ ଶୁଣିଲି, ଭୂତନାଥ ଦାରୋଗା ଦାରୋଗା ନୁହେଁ । ଏହା କେବଳ ଖବର ନୁହେଁ, ଏହା ଗୋଟାଏ ଆବିଷ୍କାର–ରାମ, ଶ୍ୟାମ ଯଦୁଠାରୁ ଆରମ୍ଭ କରି ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଯାଏ ଗୋଟାଏ ପୂରା ମହକୁମାର । ଯେ ‘ଭୂତନାଥ ଦାରୋଗା’ ନାମରେ ସୁପରିଚିତ, ଭାବି ନ ଥିଲି ସେହି ସ୍ୱନାମଧନ୍ୟ ପୁରୁଷ ଜଣେ ତୁଚ୍ଛ ଡି.ଏସ୍‌.ପି. ମାତ୍ର । ସରକାରୀ ପରିଚୟରେ ଯେ କେବଳ ଅସଲ ମଣିଷଟି ଚିହ୍ନାଯାଏ ନାହିଁ, ତାହାରି ଆଉ ଗୋଟିଏ ଦୃଷ୍ଟାନ୍ତ ମିଳିଲା ।

 

ଭୂତନାଥଙ୍କ ଦାଉରେ ବାଘ-ବକରୀ ଏକା ଘାଟରେ ପାଣି ପିଅନ୍ତି । ଅର୍ଥାତ୍‌ ଗୋରୁ-ଚୋର ଫାଜଲା ଶେଖ ଆଉ ବାଘ-ଶିକାରୀ ଦୁର୍ଦ୍ଦାନ୍ତ ଜମିଦାର କାଲୁ ଚୌଧୁରୀ ଏକା ହାତରେ କଡ଼ା ପିନ୍ଧି ଏକା ଦଉଡ଼ି ଅଣ୍ଟାରେ ବାନ୍ଧି ଏକାଠି କୋର୍ଟକୁ ଯିବା ଆସିବା କରନ୍ତି । ଲଘୁ ଗୁରୁ ଭେଦ ନାହିଁ, ଭୂତନାଥ ଦାରୋଗାଠାରେ । ତାଙ୍କର ଶୁଭଦୃଷ୍ଟି ଥରେ ଯାହା ଉପରେ ପଡ଼ିଛି, ଅର୍ଥ ଏବଂ ମୁରବିର ଜୋର୍‍ ତା’ର ଯେତେ ଥାଉ, ଜେଲରେ ଘଣା ତାକୁ ପେଲିବାକୁ ଇ ହେବ । ଯେତେ ବଡ଼ ଅଖାଡ଼ୁଆ ଗୁଁ ତ ଗୁତିଆ, ଉଦାରପନ୍ଥୀ ହାକିମ ଆସନ୍ତୁ ପଛକେ, ଭୂତନାଥଙ୍କ ଆସାମୀକୁ ଖଲାସ ଦେବାଭଳି କିଛି ବାଟ ପାଇଛନ୍ତି ବୋଲି କେବେ ଶୁଣାଯାଇ ନାହିଁ ।

 

ଖଲାସି ଖାଲି ଦେଲେ ଇ ହେଲା ? ଭୂତନାଥ ଛାତି ଫୁଲାଇ କହନ୍ତି ତାଙ୍କର ଭକ୍ତ ମହଲରେ, ଫୌଜଦାରୀ ମାମଲା ହେଉଛି ଡିଷ୍ଟ୍ରିକ୍ଟ ବୋର୍ଡ଼ର ପକ୍କା ସଡ଼କ । ଆଇନକାନୁନର ଗଳିକନ୍ଦିର ବଲେଇ ନାହିଁ । ତୁଚ୍ଛା ଘଟଣା ସଜାଇ ଯାଅ । Conviction ମାରେ କିଏ ? କିନ୍ତୁ ଘଟଣା ମାନେ କ’ଣ ? ହଠାତ୍‌ ପ୍ରଶ୍ନ କରି ବସନ୍ତି କୌଣସି ଜୁନିଅରକୁ ଲକ୍ଷ୍ୟ କରି । ଲକ୍ଷ୍ୟଟା କେବଳ ଉପଲକ୍ଷ ମାତ୍ର । ଉତ୍ତର ସେ ନିଜେ ଇ ଦିଅନ୍ତି–ଘଟଣା ମାନେ ଯେବେ ବୁଝିଥାଅ–ଯାହା ଘଟେ, ସୁବଳ ମିତ୍ରଙ୍କ ଡିକ୍‌ସନାରୀ ମୁଣ୍ଡେଇ ସ୍କୁଲ ମାଷ୍ଟ୍ରି କରି ଯାଇ ପେଟ ପୋଷ । ପୋଲିସ୍‌ର ଚାକିରି ତମ ଦେଇଁ ହେବନାହିଁ । ଯାହା ଘଟେ, ନୁହେଁ; ତମର ସୁବିଧା ପାଇଁ ଯାହା ଘଟିବା ଦରକାର । ଏହି ଯେପରି ଧର, ବାଘା ଡାଙ୍ଗାର ସତୀଶ କୁଣ୍ଡୁ ହଠାତ୍‌ ଟଙ୍କାର ଗରମରେ ତାତି ଉଠିଛି । ତୁମ ଇଲାକାରେ ବାସ କରି ତମରି ଆଖି ଆଗରେ ମୁଣ୍ଡ ଟେକି ଚାଲେ । ଜବଦ କରିବାକୁ ଚାହଁ ? ପକାଇ ଦିଅ କୌଣସି ଗୋଟାଏ ଖୁଣୀର ମାମଲାରେ । କୌଣସି ଟୋକା ପ୍ରବେଶନର ପଚାରେ, କିନ୍ତୁ ସ୍ୟାର୍‍ ଆଖପାଖରେ କେଉଁଠି ଗୋଟାଏ ଖୁନ୍‍ ହେବା ତ ଦରକାର ?

 

–କିଏ କହିଲା ଖୁନ୍‍ ହେବା ଦରକାର ? ଖୁନ୍‍ର କିଛି ଦରକାର ନାହିଁ, ଦରକାର କେବଳ ଗୋଟାଏ ଲାସ । ଦେଶରେ ଏତେ ଲୋକ ମରୁଛନ୍ତି, ଆଉ ଗୋଟାଏ ମୁର୍ଦ୍ଦାର ଯୋଗାଡ଼ କରି ପାରିବ ନାହିଁ ? ଆଉ କେଉଁଠି ନପାଅ, ହସ୍‍ପିଟାଲଗୁଡ଼ାକ ଅଛି କ’ଣ ପାଇଁ ?

 

ପ୍ରବେଶନରଟି ଅମାନିଆ । ପୁଣି ପ୍ରଶ୍ନ କରେ, ମୁର୍ଦ୍ଦାର ନହେଲେ ଯୋଗାଡ଼ ହେଲା । କିନ୍ତୁ ସେଟା ଯେ କଲେରାରେ ମରିନାହିଁ, ଖୁନ୍‍ର ଲାସ, ସେକଥା ପ୍ରମାଣ ହେବ କିପରି ?

 

ଭୂତନାଥ ସେହିକ୍ଷଣି ଜବାବ ଦିଅନ୍ତି, କାହିଁକି; ଡାକ୍ତର ବୋଲି ଏକ ପ୍ରକାର ପ୍ରାଣୀ ଅଛନ୍ତି ଶୁଣି ନାହଁ କେବେ ସେହିମାନେ ପ୍ରମାଣ କରିବେ । ଭଗବାନ ତାଙ୍କ ହାତରେ ସ୍ପ୍ରିଂ ଲଗାଇ ଦେଇଛନ୍ତି, ଯେଉଁଆଡ଼କୁ ଘୂରାଇବାକୁ ଚାହଁ ଘୂରିବ । ତେବେ ତା’ପାଇଁ ଦରକାର କିଛି ତେଲ ।

 

ଜଣେ-ଦୁଇଜଶ ସିନିଅର ଭଳି ଅଫିସର ମୁଣ୍ଡ ହଲାଇ କହିଲେ, ସେକଥା ଯାହା କହିଲେ, ସ୍ୟାର୍‍, ତେଲଟା ହେଲା ଅସଲ । ତାକୁ ଇ ସଂଗ୍ରହ କରିବା ଟିକିଏ ମୁସ୍‌କିଲ ।

 

–କିଛି ମୁସ୍‌କିଲ ନୁହେଁ, ସଙ୍ଗେ ସଙ୍ଗେ କହନ୍ତି ଭୂତନାଥ, ତେଲ ମନକୁ ଜୁଟିଯାଏ । ଖବର ନେଇ ଦେଖ, ଶତୀଶ କୁଣ୍ଡୁର ଗୋଟାଏ ବିପକ୍ଷ ଦଳ ନିଶ୍ଚୟ ଥିବ, ଆଉ ତାଙ୍କ କର୍ଣ୍ଣଧାର ହେଉଛନ୍ତି ବଗତ ପାଲ, କିମ୍ବା ନିରଞ୍ଜନ ସାହା । ତାଙ୍କୁ କାହାରିକୁ କେବଳ ଇଙ୍ଗିତରେ ଜାଣିବାକୁ ଦିଅ ତମର ମତଲବଟା କ’ଣ । ତେଲ ପିମ୍ପା ମୁଣ୍ଡରେ ନେଇ ଧାଇଁ ଆସିବେ । ଯେତେ ଖୁସି ଢାଳ-। ଡାକ୍ତର ଯଦି ଟିକିଏ ନଜର ଦିଅନ୍ତି, ଅଦାଲତକୁ ଯାଇ ଦେଖିଦେ କଲେରାର ସଢ଼ା ମୁର୍ଦ୍ଦାର ପେଟରୁ ବାହାରି ଅଛି ବନ୍ଧୁକର ଗୁଳି କିମ୍ବା ତା’ର ଛାତିରେ ଅଛି ମାରତ୍ମକ ଛୁରାର ଜଖମ-

 

ଏହାପରେ ଆଉ କିଛି ପ୍ରଶ୍ନ କରିବାର ନଥାଏ । କିନ୍ତୁ ପୋଲିସ୍‌ ମହଲରେ ବି ସ୍ଥୂଳ-ବୁଦ୍ଧି ହୁଣ୍ଡା ଜଣେ-ଦୁଇଜଣ ଥାଆନ୍ତି । ତାଙ୍କ ଭିତରୁ କେହି ଏବେ କହି ପକାଏ, ଆଚ୍ଛା ସ୍ୟାର୍‍, ଲାସ ନହେଲେ ପାଇଲୁ, ତାହା ଯେ ଖୁନ୍‍ ହୋଇଛି ତାହାର ବି ଡାକ୍ତରୀ ପ୍ରମାଣ ମିଳିଲା; କିନ୍ତୁ ତାହା ସହିତ ଶତୀଶ କୁଣ୍ଡୁକୁ ଜଡ଼ିତ କରିବା ପାଇଁ ସାକ୍ଷୀ କାହାନ୍ତି ?

 

ଭୂତନାଥ ସିଗାରର ଧୂଆଁ ସହ ଉଚ୍ଚାଙ୍ଗର ହସ ମିଶାଇ କହନ୍ତି, ସାକ୍ଷୀ ତ ଆକାଶରୁ ପଡ଼ନ୍ତି ନାହିଁ ବାପ, ପଡ଼ିଆରେ କଅଁଳନ୍ତି ନାହିଁ ! ସେହି ଜିନିଷଟା କଷ୍ଟକରି ତିଆରି କରିବାକୁ ହୁଏ, ଆଉ ତାହା ପାଇଁ ଦରକାର ମୁଣ୍ଡରେ କିଛି ବୁଦ୍ଧି ଓ ଛାତିରେ କିଛି ସାହସ ।

 

ବୋଲିବା ବାହୁଲ୍ୟ, ଭୂତନାଥଙ୍କ ଭଣ୍ଡାରରେ ଏହି ଦୁଇଟି ଜିନିଷରୁ କୌଣସିଟିର ଅଭାବ ନାହିଁ । ଏହାରି ବଳରେ ସାକ୍ଷୀ ତିଆରୀ ଓ ଆସାମୀର ସ୍ୱୀକାରୋକ୍ତି ଆଦାୟ, ଦୁଇଟା ଯାକ ତାଙ୍କ ପକ୍ଷରେ ଖୁବ୍‍ ସହଜ । ପ୍ରଥମ ସାକୁଲା ସାକୁଲି ତା’ପରେ ଶାସନ ଗର୍ଜନ–ଏଇ ସବୁ ପ୍ରଚଳିତ ପଦ୍ଧତି ତ ଅଛି ! ଏହାକୁ ଛାଡ଼ି ଅଛି ତାଙ୍କର କେଇଟା ନିଜସ୍ୱ ପେଟେଣ୍ଟ କବିରାଜ ମୁଷ୍ଟିଯୋଗ ।

–ସାକ୍ଷୀ କଥା ଶୁଣୁ ନାହିଁ ?

ସହକାରୀ କହିଲେ, ନା, ସ୍ୟାର୍‍ ।

–କ’ଣ କହୁଛି ?

–କିଛି କହୁ ନାହିଁ ।

–ତମର ଯାହା କରିବାର କରିଅଛ ?

–ସବୁ ତ କଲୁ ।

ଭୂତନାଥ ଗମ୍ଭୀର ଭାବରେ ବ୍ୟବସ୍ଥା ଦେଲେ, ବୃହତ୍‍ ଯଷ୍ଟିମଧୁଚୂର୍ଣ୍ଣ ଏକ ପୁଡ଼ିଆ ।

ପୁଡ଼ିଆ ଯଥାରୀତି ସେବନ କରାଗଲା । ଅର୍ଥାତ୍‌ ଗୋଟିଏ ମଧୁବର୍ଷୀ ବୃହତ୍‍ ଯଷ୍ଟି ସାକ୍ଷୀର ପିଠିରେ ଚୂର୍ଣ୍ଣ ହୋଇଗଲା । କିନ୍ତୁ ସେ ନିର୍ବିକାର । ଭୂତନାଥଙ୍କ ପାଖକୁ ରିପୋର୍ଟ ଆସିଲା-

–କ’ଣ ସିଧା ହେଲାନାହିଁ ?

ସହକାରୀ ହତାଶ ଭାବରେ ମୁଣ୍ଡ ହଲାଇଲେ ।

–ଦିଅ ତିନି ଡୋଜ ଗୁମ୍ଫୋତ୍ପାଟନ ରସାୟନ, ଯେତେ ଅଡ଼ୁଆର ମୂଳ ଶଳାର ସେହି କାଇଜରି ନିଶ ।

ଗୋଟିଏ ପଲୁଆନ ହିନ୍ଦୁସ୍ଥାନୀ ସିପାହୀକୁ ଏହି ମହତ୍‍ କାର୍ଯ୍ୟରେ ନିଯୁକ୍ତ କରାଗଲା । ମିନିଟ ପାଞ୍ଚ ପରେଇ ଖବର ଆସିଲା ସାକ୍ଷୀ ତିଆରି ।

କେବଳ ସାକ୍ଷୀ ବାଗେଇବା ନୁହେଁ, କନଫେସନ ଆଦାୟ କରିବାପାଇଁ ସେହି ଏକା ବ୍ୟବସ୍ଥା । କିନ୍ତୁ ଗୋଟିଏ ଯୋଡ଼ିଏ ଦୁର୍ଦ୍ଧର୍ଷ ଆସାମୀ କେବେ କ୍ୱଚିତ ଦେଖିବାକୁ ମିଳେ–ତାଙ୍କ ବେଳକୁ ଗୁମ୍ଫୋତ୍ପାଟନ ରସାୟନ କିମ୍ବା ଶ୍ମଶ୍ରୁଚ୍ଛେଦନ ସେପରି କାର୍ଯ୍ୟକାରୀ ହୁଏ ନାହିଁ । ଏପରି କ୍ଷେତ୍ରରେ ସେ ପ୍ରୟୋଗ କରନ୍ତି ତାଙ୍କର ଶେଷ ଏବଂ ଚରମ ଆବିଷ୍କାର ମହା ନିମଜ୍ଜନୀ ସୁଧା, ଚପେଟା ଘାତ ସହ ସେବ୍ୟ । ଶୀତକାଳର ଗଭୀର ରାତ୍ରି ହିଁ ଏହି ମହୌଷଧି ସେବନର ଉପଯୁକ୍ତ ସମୟ । ତାହା ଉପରେ ସ୍ଥାନଟା ଯଦି ପଚା ପୋଖରୀ ହୁଏ, ଫଳ ଅବ୍ୟର୍ଥ ।

ଭୂତନାଥ ଘୋଷାଲଙ୍କ ସହ ପରିଚୟ ନ ଥିଲା, ଦେଖା ହୋଇଗଲା କାର୍ଯ୍ୟ ସୂତ୍ରରେ । ଅଫିସରେ ବସି କାମ କରୁଛି । ଭାରି ଜୋତାର ଶବ୍ଦରେ ମୁହଁ ଟେକିଲି । ଯେଉଁ ଭଦ୍ରଲୋକ ମୋର ଟେବୁଲର ଆରପାଖ ଚେୟାର ଖଣ୍ଡିକ ଦଖଲ କଲେ, ତାଙ୍କ ଦୈର୍ଘ୍ୟ ଛଅ ଫୁଟ ଏବଂ ପରିଧି ତିନି ଫୁଟରୁ କମ୍‍ ନୁହେଁ । ମୁଁ ଜିଜ୍ଞାସୁ ଆଖିରେ ଅନାଇଲାରୁ ପାଖରେ ଛିଡ଼ାହୋଇଥିବା ପୋଲିସ୍‌ ଅଫିସରଟି ପରିଚୟ ଦେଲେ–ସଦର ଡି.ଏସ୍‌.ପି. ଭଦ୍ରଲୋକ ଟୋପିଟା ଖୋଲିବାରୁ ମୁଣ୍ଡସାରା ଚନ୍ଦା ଚକ୍‌ ଚକ୍‌ କରି ଉଠିଲା । ମୁଁ ସମ୍ଭ୍ରମରେ ନମସ୍କାର ଜଣାଇ କହିଲି, ଓଃ ଆପଣ ହିଁ ମିଷ୍ଟର ଘୋଷାଲ ? ଭାରି ଆନନ୍ଦ ହେଲା ।

ଆନନ୍ଦ ହେଲା–ଘର କମ୍ପାଇ ହସି ହସିଲେ ଭୂତନାଥ । ମୋତେ ଦେଖି ଯେ କାହାରି ଆନନ୍ଦ ହୁଏ, ଏହା ଏଇ ପ୍ରଥମ ଶୁଣିଲି ଆପଣଙ୍କ ଠାରୁ । ଏତେ ଦିନ ତ ଜାଣିଥିଲି, ମୋତେ ଦେଖିଲେ ସମସ୍ତଙ୍କର ଆତଙ୍କ ହୁଏ ।–କହି ପକେଟରୁ ଗୋଟାଏ ମୋଟା ଦରପୋଡ଼ା ସିଗାର ବାହାର କରି ଧରାଇ କଡ଼ା ଧୂଆଁ ଛାଡ଼ିଲେ ।

ଭୂତନାଥ ଅତ୍ୟୁକ୍ତି କରି ନାହାନ୍ତି । ପ୍ରକାଣ୍ଡ ଖଣ୍ଡାଧାର ଭଳି ନାକ, ତାହା ତଳକୁ ବଢ଼ିଆ ମୋଡ଼ା ନିଶ, ସୁଗୋଲ ରକ୍ତାଭ ଆଖି, ପାନର ରସ ଓ ସିଗାର ଧୂଆଁରେ ବାରିତ ମୋଟ ମୋଟ ଓଠ, ଗୋଟା କେତେ ଗଜଦନ୍ତ ଏବଂ ତାହା ତଳକୁ ଚଉଡ଼ା ଚିବୁକ । ଏହି ଆକୃତି ଆନନ୍ଦଦାୟକ ତ ନୁହେଁ, ଘୋର ଆତଙ୍କ ଜନକ । କିନ୍ତୁ ଆପଣଙ୍କୁ ଦେଖି ଭାରି ଆତଙ୍କ ହେଲା–ଏକଥା ତ କୁହାଯାଇ ନପାରେ କୌଣସି ସଦ୍ୟ ପରିଚିତ ଆଗନ୍ତୁକଙ୍କୁ ।

ସିଗାରଟାକୁ ଆହୁରି କେତେଥର ଟାଣି ସହକାରୀକୁ କହିଲେ, କାହିଁ ତମର କାଗଜପତ୍ର ବାହାର କର ।

ସହକାରୀ କାଗଜ ଖଣ୍ଡିକ ମୋ ଆଗରେ ରଖିଲେ–ଜଣେ ହାକତି ଆସାମୀ ସହ ସାକ୍ଷାତ କରିବାର ଆବେଦନ । କାଗଜଟାରେ ଆଖି ବୁଲାଇ ଦେଖୁଥିଲି । ଭୂତନାଥ ମୁଣ୍ଡ ହଲାଇ କହିଲେ, ଅଛି ମଶାଇ ଅଛି ।

ମାଜିଷ୍ଟ୍ରେଟର ସହି ନ ନେଇ ଆସିନାହିଁ । ସେ ସବୁ ଆଗ କାଳରେ ଚଳୁଥିଲା । ଯେତେବେଳେ ଖୁସି ଦେଖା କରିଅଛି ଆସାମୀ ସଙ୍ଗରେ, ଦରକାର ମୁତାବକ ବାହାର କରି ନେଇ ଯାଇଛି ଥାନା, ପୁଣି ସୁବିଧା ମୁତାବକ ପହଞ୍ଚେଇ ଦେଇଯାଇଛି । ପରମିଶନ କଥା ଛାଡନ୍ତୁ, ଗୋଟାଏ ରସିଦ ଟସିଦ ବି ମାଗୁ ନଥିଲେ ଜେଲର ବାବୁମାନେ । ସେ ସବୁ ଦିନ ଆଉ ନାହିଁ । ଆପଣମାନେ ହେଲେ ନବ୍ୟତନ୍ତ୍ରର ଅଫିସର । ଆମେ ବି ସେଥିପାଇଁ ବାଟ ଘାଟ ଜଗି କାମ କରୁଁ । କାହିଁ, ଆପଣଙ୍କକ ମେଟ୍‌ ଗଲା କୁଆଡ଼େ ? ଥରେ ହୁକୁମ କରନ୍ତୁ ନେଇଆସୁ ବଦମାସଟାକୁ । ଏଠାକାର କାମ ସାରି ପୁଣି କୋର୍ଟକୁ ଯିବାକୁ ହେବ ଥରେ ।

କହି, ବିଶାଳ ଦେହଟାକୁ ଚୟାର ଉପରେ ଯେତେଟା ସମ୍ଭବ ମେଲେଇ ଦେଇ ଲମ୍ବ ହାଇ ମାରି ହାତରେ ଟୁସକି ମାରିଲେ ।

ଆସାମୀକୁ ଅଣା ହେଲା । ମୁଣ୍ଡରେ ବ୍ୟାଣ୍ଡେଜ, ସାରା ଦେହରେ ମାରାତ୍ମକ ଆଘାତର ଚିହ୍ନ । ଦେଢ଼ମାସ ହସ୍‍ପିଟାଲରେ ରହିବା ପରେ କୌଣସି ପ୍ରକାରେ ଉଠି ଠିଆ ହୋଇ ପାରୁଛି କେତେଦିନ ହେଲା । ମେଟ୍‌ ଏବଂ ଆଉ ଜଣେ କଇଦୀର କାନ୍ଧରେ ଭାରା ଦେଇ ଆସ୍ତେ ଆସ୍ତେ ଆସି ବସି ପଡ଼ିଲା । ଭୂତନାଥ ତାହା ମୁହଁ ଉପରେ ତୀକ୍ଷ୍ଣ ଦୃଷ୍ଟି ପକାଇ କହିଲେ, ତମେ ହିଁ ବଦରୁଦ୍ଦିନ ମୁନ୍‌ସି ?

–ହଁ ହଜୁର ! ଚିହ୍ନିପାରୁ ନାହାଁନ୍ତି ?

–ଚିହ୍ନିବି କିପରି କୁହ ? ତମର କୀର୍ତ୍ତି କାହାଣୀ ଅବଶ୍ୟ ଜାଣିବାକୁ ବାକି ନାହିଁ । କିନ୍ତୁ ତମକୁ ତ ଆଖିରେ କେବେ ଦେଖିନାହିଁ ?

ଦେଖା ହୋଇ ନାହିଁ କ’ଣ ? ଦେଖା ଆମର ହୋଇଛି ବଡ଼ବାବୁ ।

ଥରେ ନୁହେଁ, ଦୁଇଥର ।

–ଦୁଇଥର ! କହୁଛ କ’ଣ ? ମୋର ତ ମନେ ପଡ଼ୁନାହିଁ କେଉଁଠି ଦେଖିଲି ତମକୁ !

–ପ୍ରଥମ ଦେଖାହେଲା ଆମର ଛତ୍ରିଶ ସାଲରେ କୁତୁଲଗଞ୍ଜରେ ଭୁବନ ସାର ଗଦିରେ-। ଡକାଇତି କରି ପଳାଉଥିଲି । ଏକବାରେ ପଡ଼ିଗଲି ହଜୁରଙ୍କ ପିସ୍ତଲ ମୁହଁରେ । ଗୁଳି ବି ଆପଣ ଛାଡ଼ିଥିଲେ, ମୁଣ୍ଡକୁ ଲକ୍ଷ୍ୟ କରି । କିନ୍ତୁ ମୁଣ୍ଡଟା ନେଇ ପାରିଲେ ନାହିଁ, ନେଲେ ଏଇ କାନର ଟିକିଏ ମାଂସ, ଭାରି ଅବଶୋଷ ହେଲା କାନପାଇଁ ନୁହେଁ, ହଜୁରଙ୍କ ପାଇଁ । ଏପରି ପକ୍‌କା ହାତର ଗୁଳିଟା ଖସିଗଲା ।

ଭୂତନାଥ ହୋ ହୋ କରି ହସି ଉଠିଲେ, ଖସିଯାଇ ଭଲ ହୋଇଥିଲା କହିବାକୁ ହେବ । ତାହା ନହେଲେ ଆମର ଦେଖା ହୁଅନ୍ତା କିପରି ? ଖୋଦା ଯାହା କରନ୍ତି ଭଲ ପାଇଁ କରନ୍ତି । କ’ଣ କହୁଛ ?

ଭୂତନାଥର ସ୍ୱର ହାଲକା, କିନ୍ତୁ ମୁନ୍‌ସି ଜବାବ ଦେଲା ଗମ୍ଭୀର ଗାଢ଼ ସ୍ୱରରେ । ଅଲବତ୍‌ ଖୋଦା ଯା କରନ୍ତି ଭଲ ପାଇଁ କରନ୍ତି ।

ଘରର ହାଉଆ ଯେପରି ହଠାତ୍‌ ବଦଳି ଗଲା, କେତେକ ମିନିଟ କେହି କିଛି କଥା କହିଲେ ନାହିଁ । ତା’ପରେ ଭୂତନାଥ ପୁଣି ପୂର୍ବ ସୂତ୍ରକୁ ଫେରିଯାଇ କହିଲେ, ଆଚ୍ଛା, ଇଏତ ଗଲା ଥରେ । ଆଉ ପୁଣି କେଉଁଠି ଦେଖାହେଲା ତମ ସଙ୍ଗରେ ?

–ତାହାରି ଠିକ୍‍ ବର୍ଷକ ପରେ ସୋନାଡଙ୍ଗାର ରମେଶ ଡାକ୍ତରଙ୍କ ଘରେ । ନୋଟିସ ଦେଇ ଡକାଇତି । ଦଳେ ପୋଲିସ୍‍ ନେଇ ଆପଣ ଏକବାରେ ରେଡ଼ି ହୋଇ ଯାଇଥିଲେ । ମତଲବ ଥିଲା ବଦର ମୁନ୍‌ସିକୁ ଦଳ ସୁଦ୍ଧା ଧରିବା । କିନ୍ତୁ ଦୁଇ ଚାରି ‘ଲ୍ୟାବା’ ଚଳାଇବାରୁ ଫୋର୍ସ ଆପଣଙ୍କର ପଳାଇଗଲେ । ହଜୁର ଆଶ୍ରୟ ନେଲେ ଡାକ୍ତରଙ୍କ ବାଡ଼ି ପୋଖରୀର ଦଳଭିତରେ । ମୋ ଦଳର ଲୋକଗୁଡ଼ାକ ଜାଣିଥିଲେ ଆପଣ ବି ପଳାଇ ଅଛନ୍ତି । ମୁଁ ପାଣିଉପରେ ଆପଣଙ୍କର ସେହି ନିଶ ଯୋଡ଼ିକ ଭାସିବାକୁ ଦେଖିଥିଲି । ହାତରେ ଲ୍ୟାବା ମଧ୍ୟ ଥିଲା । କିନ୍ତୁ କାମରେ ଲଗାଇ ନଥିଲି । ଟିକିଏ ରହି କେତେକଟା ଯେପରି ଶ୍ଳେଷ-ଜଡ଼ିତ ସୁରରେ କହିଲା ମୁନ୍‌ସି, ତା’ହେଲେ ଦେଖନ୍ତୁ, ହଜୁର ଖୋଦା ଯାହା କରନ୍ତି, ଭଲ ପାଇଁ କରନ୍ତି ।

 

ଭୂତନାଥଙ୍କ ମୁହଁ ଦେଖି ମନେହେଲା, ସେ ଅସ୍ୱସ୍ତିବୋଧ କରୁଛନ୍ତି । କୁଣ୍ଡଳୀକୃତ ଧୂଆଁର ଉହାଡ଼ରେ ମନେହେଲା ତାଙ୍କ ମୁହଁଟି ଆଷାଢ଼ର ମେଘପରି ଥମଥମ କରୁଛି । ଆହୁରି କିଛି ସମୟ କଡ଼ା ଧୂଆଁର କଡ଼ା ଗନ୍ଧ ଛାଡ଼ି ସିଧାହୋଇ ବସି କହିଲେ, ଦେଖ ବଦରୁଦ୍ଦିନ, ଦେଖା ଆମର ହେଉ ନହେଉ, ଦୁହେଁ ଆମେ ଦୁହିଁଙ୍କୁ ଯେ ଭଲ ଭାବରେ ଚିହ୍ନୁ, ସେ କଥା ତମେ ବି ଜାଣ ମୁଁ ବି ଜାଣେ । କଥାର ମାରପେଞ୍ଚ ଆଉ ବୁଦ୍ଧିର ଲଢ଼େଇ ଦେଖାଇ ଆଉ ଲାଭ ନାହିଁ । ତମକୁ ଯାହା କହିବି ଏକବାରେ ଖୋଲାଖୋଲି ଭାବରେ କହିବି । ତମଠାରୁ ମୁଁ ମଧ୍ୟ ସେହି ଜିନିଷଟାର ଆଶାକରେଁ ।

 

–ମାର ପେଞ୍ଚ ମୋ ଭିତରେ ବି ନାହିଁ, ହଜୁର । ଖୁନୀ ହୁଏ ବା ଡକାଇତ ହୁଏ, ବଦର ମୁନ୍‌ସିର ଦିଲ୍‌ ସାଦା । ଏ କଥା ତା’ର ଦୁସମନମାନେ ମଧ୍ୟ ଅସ୍ୱୀକାର କରିବେ ନାହିଁ ।

 

–ମୁଁ ବି ସେ କଥା ବିଶ୍ୱାସ କରେ ମୁନ୍‌ସି । ସେହି ବିଶ୍ୱାସ ଅଛି ବୋଲି ତ ତମଠାରୁ କିଛି ସାହାଯ୍ୟ ମାଗିବାକୁ ଆସିଛି ।

 

ମୁନ୍‌ସି ବିସ୍ମୟର ସ୍ୱରରେ କହିଲା, ସାହାଯ୍ୟ ! ମୋ’ଠାରେ ?

 

–ହଁ, ତୁମରିଠାରେ । ଆଜିକୁ ଚଉଦ ବର୍ଷ ହେଲା ପୋଲିସ୍‌ ତମକୁ ଧରିବାକୁ ଚେଷ୍ଟା କରୁଛି; ଧରିପାରି ନାହିଁ । ତମର ଦଳକୁ ଧରିବାକୁ ଯାଇ ଆଜି ପର୍ଯ୍ୟନ୍ତ ତିନିଜଣ ଲୋକ ଜୀବନ ଦେଇଛନ୍ତି, ଜଖମ ହୋଇଛନ୍ତି ଅନେକ । କଦମ ତଳିର ପଡ଼ିଆରେ ତିନିଶହ ଲୋକ ଘେରାଉ କରି ବି ତମକୁ ଅଟକାଇ ପାରି ନ ଥିଲେ ଶେଷ ପର୍ଯ୍ୟନ୍ତ । ସେହି ବଦର ମୁନ୍‌ସି କ’ଣ ନା ଧରା ପଡ଼ିଲା ଜଣ କେତେ କୁଞ୍ଚ-ଲମ୍ବାଇଥିବା ସୌଖୀନ ବରଯାତ୍ରୀଙ୍କ ହାତରେ । ଯାହାର ଗୋଟାଏ ଘୁଷିରେ ଯେଉଁମାନଙ୍କର ଛତୁପରି ଗୁଣ୍ଡ ହୋଇଯିବାର କଥା ! ତମକୁ ଏଠାରେ ନ ଦେଖିଥିଲେ ମୁଁ ମଧ୍ୟ କଥାଟା ବିଶ୍ୱାସ କରିପାରି ନ ଥାନ୍ତି । କିନ୍ତୁ ଏହିପରି ହୋଇଥାଏ । ଏହା ଦୁନିଆର ନିୟମ । ମହାଭାରତରେ ଅଛି, ଏତେବଡ଼ ଯେଉଁ ସବ୍ୟସାଚୀ ଅର୍ଜୁନ, ସେ ମଧ୍ୟ ଦିନେ ତାଙ୍କର ଗାଣ୍ଡିବ ଖଣ୍ଡିକ ଟେକିପାରି ନଥିଲେ ।

 

ବଦର ମୁନ୍‌ସିର ଭାରି ଗଳାରେ ଉତ୍ତର ଆସିଲା, ଜାଣେ ।

 

–ତାହାହେଲେ ଦେଖ । ସବୁ ନିୟତିର ଖେଳ । ଯାହା କିଛି ଡିଆଁ ଡେଇଁ ସବୁ ଦି’ଦିନର-। ହଠାତ୍‌ ଏହିପରି ଦିନେ ତା’ର ସବୁ ଶେଷ ହୁଏ ।

 

ଟିକିଏ ରହି ଭୂତନାଥବାବୁ ସେହିପରି ଧୀରେ ଧୀରେ କହିଲେ, ତମେ ଭଲ ହୋଇ ଯାଇଛ, ସୁଖର କଥା । ଏକରକମ ପୁନର୍ଜନ୍ମ ହିଁ କୁହାଯାଇପାରେ । ଦେହରେ ଯେ ତମର ସେଦିନ ପ୍ରାଣ ଥିଲା, ତାହା ତ ସେଦିନ କେହି ବୁଝିପାରି ନ ଥିଲେ ।

 

ମୁନ୍‌ସି ରୁଦ୍ଧ-କଣ୍ଠରେ କହିଲା, ଥିଲା ନାହିଁ ହଜୁର । ପ୍ରାଣ ଫେରିଯାଇଛି ଜେଲର ସାହେବଙ୍କ ଦୟାରୁ । ସେହି ମୋର ବାପ, ମୋର ଜନ୍ମଦାତା–କହି ସେ ମୁହଁ ଟେକି ମୋ ଆଡ଼କୁ ଅନାଇଲା ।

 

ଭୂତନାଥ କହିଲେ, ସେ ସବୁ କଥା ଆମେ ଶୁଣିଅଛୁଁ । କିନ୍ତୁ ଯେଉଁ ଜୀବନ ତୁମେ ଫେରି ପାଇଲ ସେମାନଙ୍କର ଦୟାରୁ, ତାହାର ବାକି କେଇଟା ଦିନ ବି ତମକୁ କଟାଇ ଦେବାକୁ ହେବ ସେମାନଙ୍କର ଆଶ୍ରୟରେ–ଶୁଣିବାକୁ ଭଲ ନ ଲାଗିଲେ ବି ଏହି ସତ କଥାଟା ତମର ଜାଣିରଖିବା ଭଲ ।

 

ମୁନ୍‌ସି ହସି କହିଲା, ସେଟା ବି କ’ଣ ଆପଣ ମୋତେ ମନେ ପକାଇଦେବେ ବଡ଼ବାବୁ-? ଏହି ଜେଲ୍‍ର ମାଟିରେ ଇ ଦିନେ ମୋର ଶେଷ ନିଦ ଆସିବ, ସେ କଥା ମୁଁ ଜାଣେ । ସେଥିପାଇଁ ମୁଁ ତିଆରି ହୋଇଅଛି ।

 

ଭୂତନାଥ ଉଦାସ କଣ୍ଠରେ କହିଲେ, ଏହାଇ ଯେତେବେଳେ ପରିଣାମ, ଆଉ ସେ ସମ୍ବନ୍ଧରେ ତମର ମନରେ ମିଛ ଆଶା ବି ନାହିଁ । ତେବେ ଆଉ ମାୟା କ’ଣ ପାଇଁ ? ଯେଉଁମାନଙ୍କ ସଙ୍ଗରେ ହାତରେ ହାତ ମିଳାଇ ଦିନେ ଏହି ବାଟରେ ଗୋଡ଼ ଦେଇଥିଲ, ତାଙ୍କୁ ପଛରେ ଛାଡ଼ି ଆସିଲେ ଚଳିବ କାହିଁକି ? ସେମାନଙ୍କୁ ଡାକ । ସମସ୍ତେ ଆସି ନିଜ ନିଜର ବାଣ୍ଟ ବୁଝିନିଅନ୍ତୁ ।

 

ମୁନ୍‌ସିର ସନ୍ଦିଗ୍ଧ ଦୃଷ୍ଟି ପଡ଼ିଲା ଭୂତନାଥଙ୍କ ମୁହଁ ଉପରେ । ଧୀରେ ଧୀରେ ତା’ର ଓଠର କୋଣରେ ଦେଖାଦେଲା ଆଗର ସେହି ଶ୍ଳେଷକୁଞ୍ଚିତ ହସ । କହିଲା, ଏହି ସାହାଯ୍ୟ କି ମୋ’ଠାରେ ମାଗିବାବୁ ଆଜି ଆସି ଅଛନ୍ତି । ହଜୁର ?

 

–କେବଳ ମାଗିବାକୁ ଆସି ନାହିଁ, ମୁନ୍‌ସି ସାଗ୍ରହରେ କହିଲେ ଭୂତନାଥ । ସେହି ସାହାଯ୍ୟ ପାଇବ ବୋଲି ଇ ଭରସା କରେଁ ।

 

–ତା’ହେଲେ ବୁଝିବି, ବଦର ମୁନ୍‌ସିକୁ ଚିହ୍ନିବାକୁ ଆପଣ ଭୁଲ୍‍ କରିଛନ୍ତି, ବଡ଼ବାବୁ । ଆପଣଙ୍କର ଏତେଟା ଦାମୀ ସମୟ ଅକାରଣ ନଷ୍ଟ ହେଲା ଦେଖି ମୋର ଅବଶୋଷ ହେଉଛି । ଭୂତନାଥଙ୍କ ରୂପ ହଠାତ୍‌ ବଦଳି ଗଲା । ତୀକ୍ଷ୍ଣ କଣ୍ଠରେ କହିଲେ, ତା’ର ମାନେ ତମେ ଦଳର କାହାରି ନାମ କହିବ ନାହିଁ ?

 

ଉତ୍ତରରେ ମୁନ୍‌ସି କେବଳ ଟିକିଏ ହସିଲା । ତା’ପରେ ଉଠିବାର ଉଦ୍ୟୋଗ କରି କହିଲା, ହୁକୁମ ହେଲେ ଏବେ ଉଠିପାରେଁ ବଡ଼ବାବୁ । ଆପଣଙ୍କର କାମର କ୍ଷତି ହେଉଛି । ସେ ଲୋକସାନ ଆଉ ବଢ଼ାଇବାକୁ ଚାହେଁନା..ସଲାମ ହଜୁର ।

 

ଭୂତନାଥ ତୀବ୍ର ଶ୍ଳେଷ ସ୍ୱରରେ କହିଲେ–ଭୂତନାଥ ଦାରୋଗାର ମୁଷ୍ଟିଯୋଗ ଗୁଡ଼ାକ ଏବେ ସୁଦ୍ଧା ଏକବାରେ ଅକାମୀ ହୋଇଯାଇ ନାହିଁ, ଏ କଥା ବୋଧହୁଏ ମୁନ୍‌ସି ସାହେବଙ୍କର ମନେ ଅଛି ।

 

–ନିଶ୍ଚୟ ଇ ଅଛି । ତେବେ ମୁଷ୍ଟି-ଯୋଗର ଫଳ କି ସଭିଙ୍କ ବେଳକୁ ସମାନ ହୁଏ ବଡ଼ବାବୁ !–କହି ଆଉ ଥରେ ସଲାମ କରି ଉଠି ଠିଆ ହେଲା ।

 

ମୁନ୍‌ସି ଚାଲିଗଲା ପରେ ବି କିଛିକ୍ଷଣ ଭୂତନାଥ ବାବୁଙ୍କର ସଡ଼ା ଶବଦ ମିଳିଲା ନାହିଁ । ତାଙ୍କର ମେଘାଚ୍ଛନ୍ନ ମୁହଁକୁ ଅନାଇ ସହକାରୀଟି କହିଲେ, ମୁଁ ଆଗରୁ କହିଛି ସ୍ୟାର୍‍, ଭଲ କଥାର ପାତ୍ର ସେ ନୁହେଁ । ରୀତିମତ ଔଷଧ ଦରକାର । ସେହି ବ୍ୟବସ୍ଥା ହିଁ ଏଥର ଆମକୁ କରିବାକୁ ହେବ-। ଆପଣଙ୍କର ‘ନିମଜ୍ଜନୀ ସୁଧା,’ କେଇ ଡୋଜ ପଡ଼ିଗଲେ ବାପଧନ ବାଟକୁ ଆସିଯିବ-

 

ଭୂତନାଥ କଟମଟ କରି ଅନାଇଲେ ତାଙ୍କ ସହକାରୀ ଆଡ଼କୁ । ସେତେ ସିଧା ମନେକର ନାହିଁ । ଯେଉଁ ଲୋକଟା କନଫେସନ କରେ, ଅଥଚ କାହାରିକୁ ଜଡ଼ିତ କରେ ନାହିଁ, ସେ ଭାରି କଠିନ ଚିଜ ।

 

ମୁଁ କହିଲି, ଆପଣଙ୍କର କଥାରୁ ଯେତେଟା ବୁଝିଲି, ଲୋକଟା ମହାପୁରୁଷ । କିନ୍ତୁ ଧରା ପଡ଼ିଲା କିପରି ?

 

ଏକବାରେ ମହାପୁରୁଷ ପରି, ସାଙ୍ଗେ ସାଙ୍ଗେ ଜବାବଦେଲେ ଭୂତନାଥ, ଧରା ପଡ଼ିଲା-। ମାଡ଼ ଖାଇଲା ଠାଏ ଠିଆ ହୋଇ, ଆଉ ସେହିପରି ମାଡ଼; ତା’ପର କରି ବସିଲା ଗୋଟାଏ କନଫେସନ । କେବଳ ତ ଡକାଇତି ନୁହେଁ, ତାହା ସହିତ ମର୍ଡ଼ର ଓ ରେଫ୍‌ । ମୂଳରୁ ଶେଷଯାଏ ଯାହାକୁ କହନ୍ତି ରହସ୍ୟମୟ । ଯାହାହେଉ, ଆପଣ ଠିକ୍‌ ଇ କହିଛନ୍ତି, ଲୋକଟା ମହାପୁରୁଷ-। ତେଣୁ ବେଶ୍‍ ଟିକିଏ କଡ଼ା ନଜରରେ ରଖିବାକୁ ହେବ । ଡେଣାରେ ଯେତେବେଳେ ଥରେ ବଳ ପାଇଲାଣି, ହଠାତ୍‌ କେଉଁଦିନ ବଣର ଚଢ଼େଇ ବଣକୁ ଉଡ଼ିଯିବ, ଜାଣି ପାରିବେ ନାହିଁ ।

 

ସେ ବିଷୟରେ ଜେଲର ତରଫରୁ ହୁସିଆରୀ ଓ କଡ଼ାକଡ଼ିର ତ୍ରୁଟି ନଥିଲା । ଭୂତନାଥଙ୍କ ଉପଦେଶରେ ସେ ବ୍ୟବସ୍ଥା ଆଉ ଟିକିଏ ହୃଢ଼ତର ହେଲା ।

 

ଏହି ଘଟଣାର ମାସେଖଣ୍ଡେ ଗଡ଼ିଗଲାଣି । ମୁନ୍‌ସିକୁ ବିଶେଷ ଭାବରେ ମନେ ରଖିବାଭଳି ନୂଆ କିଛି ଘଟି ନାହିଁ । ତା’ପରେ ଦିନେ ଓପରଓଳି ସେଲବ୍ଲକ୍‌ର ମେଟ୍‌ ଆସି ଜଣାଇଲା ମୁନ୍‌ସି ମୋ ସହିତ ଦେଖା କରିବାକୁ ଚାହେଁ ।

 

–କ’ଣ ପାଇଁ ?

 

–ସେ କଥା ସେ ହଜୁରଙ୍କ ଦରବାରରେ ନିଜେଇ ନିବେଦନ କରିବାକୁ ଚାହେଁ । ମୋର ମେଟ୍‍ଟି କିଛି ଲେଖାପଢ଼ା ଜାଣେ ଏବଂ ସାଧୁଭାଷା ଉପରେ ତା’ର ଗଭୀର ଅନୁରାଗ ।

 

କହିଲି, ଆଚ୍ଛା ନେଇ ଆସ ।

 

ମୁନ୍‌ସି ଆସି ବସିଲା ମୋ ଗୋଡ଼ ପାଖଟିରେ । ମୁଁ ଜିଜ୍ଞାସୁ ଆଖିରେ ଚାହିଁଲି । ସେ କିଛି କହିଲା ନାହିଁ । ଏଆଡ଼େ ସେଆଡ଼େ ଚାହିଁ ଇତସ୍ତତଃ କରିବାକୁ ଲାଗିଲା । ତା’ର ଉଦ୍ଦେଶ୍ୟ ବୁଝାଗଲା । ଦୁଇଜଣ କର୍ମ୍ମୀ କାର୍ଯ୍ୟସୂତ୍ରରେ ମୋ ଅଫିସରେ ଅପେକ୍ଷା କରୁଥିଲେ । ତାଙ୍କୁ ଶୀଘ୍ର ବିଦାକରି କହିଲି, କୁହ ଏଥର ।

 

ମୁନ୍‌ସି ମୋ ଗୋଡ଼ଧୂଳି ମୁଣ୍ଡରେ ମାରି କହିଲା, ବଦର ମୁନ୍‌ସିର ମନର କଥା ଏପରି କେହିକେବେ ବୁଝି ନାହିଁ ହଜୁର । ଆଜି ଆସିଲି ଗୋଟାଏ ନୂଆ ଅରଜି ନେଇ ।

 

–କି ଅରଜି ତମର ?

 

ମୁନ୍‌ସି ଦଣ୍ଡେ କ’ଣ ଭାବିଲା, ତା’ପର ନିଜର ହାତ ଯୋଡ଼ିକୁ ଅନାଇ ଧୀରେ ଧୀରେ କହିଲା, ଗୋସ୍ତାକି ମାପ କରିବେ, ବଡ଼ବାବୁ । ଟଙ୍କା କଉଡ଼ି, ସୁନା ଦାନା, ଲୋକେ ଯେତେ ଚାହାନ୍ତି, ଯେତିକି ପାଇଲେ ମନେ କରନ୍ତି ନିଜକୁ ବଡ଼ଲୋକ, ତାହାଠାରୁ ବି ଅନେକ ବେଶୀ ସାରା ଜୀବନ ଧରି ଏଇ ହାତ ଯୋଡ଼କ ଦେଇ ଲୁଟ୍‌ କରିଅଛି । କିନ୍ତୁ ଯେଉଁପରି ଛଡ଼ାଇ ନେଇଛି, ସେହିପରି ବିଞ୍ଛୁଡ଼ି ବି ଦେଇଛି । କିଛି ଆଉ ବାକି ନାହିଁ । ଯେଉଁମାନଙ୍କର ବୁକୁରୁ ଛଡ଼ାଇ ଆଣିଥିଲି ତାଙ୍କରି ନିଃଶ୍ୱାସରେ ଇ ସବୁ ଉଡ଼ି ପୋଡ଼ି ଶେଷ ହୋଇ ଯାଇଛି । ସେଥିପାଇଁ ମୋ ମନ ଆଜି ଏକବାରେ ହାଲୁକା । ଟିକିଏ ବୋଝ ଖାଲି ବାକି ରହି ଯାଇଛି, ଉଠୁଣୁ ବସୁଣୁ ବୁକୁରେ ଚାପି ଧରେ-। ତାକୁଇ ଆଜି ହଜୁରଙ୍କ ପାଦ ଉପରେ ପକାଇଦେଇ ଏକବାରେ ନିଶ୍ଚିନ୍ତ ହେବାକୁ ଚାହେଁ ।

 

କଥାଟା ସ୍ପଷ୍ଟ ବୁଝି ନ ପାରି ମୁଁ ନୀରବରେ ଅପେକ୍ଷା କରି ରହିଲି ।

 

ମୁନ୍‌ସି ଆଉ ଟିକିଏ ପାଖକୁ ଘୁଞ୍ଚିଆସି ହାତ ଯୋଡ଼ି କହିଲା, କହିବାକୁ ସାହସ ହେଉନାହିଁ । କିନ୍ତୁ ନ କହି ମଧ୍ୟ ମୋର ଉପାୟ ନାହିଁ । ହଜାର ପାଞ୍ଚ ଯାଏ ଟଙ୍କା ମୋର ମୋଟାଏ ଜାଗାରେ ଲୁଚାହୋଇ ରହିଛି । ତାକୁ ମୁଁ ହଜୁରଙ୍କ ହାତରେ ଦେଇଯିବାକୁ ଚାହେଁ ।

 

ସବିସ୍ମୟରେ କହିଲି, ମୋ ହାତରେ ! ମୁଁ ଏହି ଟଙ୍କା ନେଇ କ’ଣ କରିବି ?

 

–ବାଣ୍ଟି ଦେବେ ହଜୁର, ଯେଉଁଠି ଖୁସି । ମନହେଲେ କିଛି ଭଲ କାମରେ ଖର୍ଚ୍ଚ କରିବେ-। ତେବେ ମରିବା ବେଳେ ଏତିକି ଜାଣିକରି ଯିବି ଯେ, ବଦରୁଦ୍ଦିନ ଡକାଏତର ସାରାଜୀବନଟା ବିଫଳରେ ଯାଇନାହିଁ । ବହୁତ ଦୟା ତ କରିଛନ୍ତି ହଜୁର ଏଇ ଖୁନୀଟାକୁ । ତା’ର ଏହି ଶେଷ ଗୁହାରିଟା ପାଦରେ ଠେଲିବେ ନାହିଁ ।

 

ସହସା ଉତ୍ତର ଦେଇପାରିଲି ନାହିଁ । ତାହା ସହିତ ମୋର ଯେଉଁ ସମ୍ପର୍କ ତା’ର ଗୁପ୍ତଧନର ଭାର ଗ୍ରହଣ ମୋ ପକ୍ଷରେ ଆଇନସଙ୍ଗତ ନୁହେଁ । ନୈତିକ ଦିଗରୁ ବି ଅସଙ୍ଗତ । ଏହି ଜାତୀୟ ଅବାଞ୍ଛନୀୟ ପ୍ରସ୍ତାବ ତାହା ପକ୍ଷରେ ଅନ୍ୟାୟ ସ୍ପର୍ଦ୍ଧା ବୋଲି ମନେହେଲା । କିନ୍ତୁ କ’ଣ ଦେଖିଥିଲି, ଜାଣେ ନାହିଁ, ସେହି ପରସ୍ୱାପହାରୀ ନରହନ୍ତାର ମୁହଁରେ, କ’ଣ ଶୁଣିଥିଲି ତା’ର ବେଦନାର୍ତ୍ତ ବ୍ୟାକୁଳ କଣ୍ଠରେ, ରୂଢ଼ ଉତ୍ତର ମୋ ମୁହଁକୁ ଆସି ସୁଦ୍ଧା ଅଟକି ଗଲା । ସିଧା ଜବାବଟା ଏଡ଼ି ଯାଇ କହିଲି, ନିଜ ଲୋକ କି ତମର କେହି ନାହିଁ ଯେ ଏତେଗୁଡ଼ାକ ଟଙ୍କା ବାଣ୍ଟି ଦେବାକୁ ଚାହୁଁଛ ?

 

ମୁନ୍‌ସି ଟିକିଏ ହସି କହିଲା, ନିଜର ଲୋକ ! ନିଜ ଲୋକର ଅଭାବ କ’ଣ ବଡ଼ବାବୁ ? ସମସ୍ତେ ଅଛନ୍ତି । ତିନି ତିନିଟା ବିବି । ପୁଅ, ଝିଅ, ନାତି ନାତୁଣୀ ତାଙ୍କର ପୁଣି ପୁଅ ଝିଅ । ନ ଅଛି କିଏ ? ଆପଣ କହିବେ, କାହିଁ କେହି ତ ଆସନ୍ତି ନାହିଁ ଖବର ନେବାପାଇଁ ! ତଥାପି ସେମାନେ ଅଛନ୍ତି । ଆହୁରି କିଛି ଟଙ୍କା ମୋର ରହି ଯାଇଛି, ଏହି ଖବରଟା ଜଣାଜଣି ହେଲେ ଇ ଅଣ୍ଡା ବଚ୍ଚା ନେଇ ଧାରଣା ଦେବେ ଆପଣଙ୍କର ସେହି ଜେଲ୍‍ର ପଡ଼ିଆରେ । ଏପରି କାନ୍ଦଣା ଆରମ୍ଭ କରିଦେବେ ଯେ ମୋହରି ଆଖିରୁ ପାଣି ଗଡ଼ି ପଡ଼ିବ । ଏହି ବୁଢ଼ା ବୟସରେ ଆଉ ସେତେଟା ଦରଦ ସହି ପାରିବି ନାହିଁ । ନିଜର ଲୋକ ମୁଣ୍ଡ କୋଡ଼ି ମରିବେ, ତାହା ବି ଆଖି ଆଗରେ ଦେଖିବାକୁ ଚାହେଁ ନାହିଁ । ତେଣୁ ମୋର ଏହି ଟଙ୍କାର କଥା ସେମାନେ କୌଣସିଦିନ ଜାଣିବେ ନାହିଁ ।

 

–ବେଶ୍‍, ତାଙ୍କୁ ନ ହେଲେ ନ ଦେବ । କିନ୍ତୁ ଟଙ୍କାର ଦରକାର ତମର ନିଜର ବି ତ କମ୍‍ ନୁହେଁ । ଏତେ ବଡ଼ ମାମଲା ତମର ମୁଣ୍ଡ ଉପରେ !

 

ମୁନ୍‌ସିର ମୁହଁରେ ହସ ଫୁଟି ଉଠିଲା । ଧୀରେ ଧୀରେ କହିଲା, ମାମଲା ହାତରୁ ବଞ୍ଚିବାର ଚେଷ୍ଟା ଇ ଯଦି କରିବି ତା’ହେଲେ ଆଜି ଏଠାକୁ ଆସିବାର କ’ଣ ଦରକାର ଥିଲା, ବଡ଼ବାବୁ ?

 

ତାହା ସତ୍ୟ । ଭୂତନାଥବାବୁଙ୍କ କଥା ମନେ ପଡ଼ିଲା । ମୁନ୍‌ସିର ଏହି ଧରାପଡ଼ିବା ଏବଂ ସ୍ୱୀକାରୋକ୍ତି ଭିତରେ ଗୋଟାଏ କ’ଣ ରହସ୍ୟ ଅଛି । ସେହି ରହସ୍ୟ ଉଦ୍‌ଘାଟନର କୌତୂହଳ ଯେତେ ଥାଉ ପଛକେ, ସେ ସମ୍ବନ୍ଧରେ କୌଣସି ପ୍ରଶ୍ନ କରିବା ମୋ ପକ୍ଷରେ ଉଚିତ ହେବ ନାହିଁ ବୋଲି ଚୁପ୍‍ କରି ରହିଲି । ମୁନ୍‍ସି କିଛିକ୍ଷଣ ଅପେକ୍ଷା କରି କହିଲା, ଅରଜି ମୋର ମଞ୍ଜୁର ହେଲା ତ ହଜୁର ?

 

କହିଲି, ତମର ମନ କଥା ମୁଁ ବୁଝି ପାରୁଛି, ମୁନ୍‌ସି । ସେହିପରି ତମେ ମଧ୍ୟ ନିଶ୍ଚୟ ବୁଝି ପାରୁଛ, ଏ ବିଷୟରେ ତମକୁ ସାହାଯ୍ୟ କରିବା ମୋ ପକ୍ଷରେ ସମ୍ଭବ ନୁହେଁ । ତଥାପି ଗୋଟାଏ କଥା ଜାଣିବାକୁ ଚାହେଁ । କୁହତ, ତମର ଇଚ୍ଛାଟା କ’ଣ ? କାହାକୁ ଦେଇ ଯିବାକୁ ଚାହଁ ତମର ଏହି ଶେଷସମ୍ବଳ ? କିପରି ଭାବରେ କାହା ହାତରେ ଦେଲେ ତମେ ଶାନ୍ତି ପାଇବ ?

 

ମୁନ୍‌ସି ତତ୍‌କ୍ଷଣାତ୍‌ ଉତ୍ତର ଦେଲାନାହିଁ । ଏକ ଧ୍ୟାନରେ କିଛି ସମୟ ଅନାଇ ରହିଲା କାନ୍ଥ ଆଡ଼କୁ । ତା’ପର ଧୀରେ ଧୀରେ କହିଲା, ଆପଣ ମୋର ବାପ, ମୋର ଜୀବନଦାତା । ଆପଣଙ୍କଠାରେ ମୋର ଲୁଚାଇବାର କିଛି ହିଁ ନାହିଁ । ଏହି ସଂସାରରେ ଗୋଟିଏ ମଣିଷ ଅଛି ଯାହା ହାତକୁ ଏହି ସାମାନ୍ୟ ଟଙ୍କାଟା ଟେକି ଦେଇ ପାରିଲେ ମୋର ମନର ଭାରା ଉହ୍ଲାଇ ଯାଆନ୍ତା । ମୁଁ ମହାନନ୍ଦରେ ଫାଶୀର ଦଉଡ଼ା ବେକରେ ପିନ୍ଧି ହସି ହସି ଚାଲି ଯାଇ ପାରନ୍ତି । କିନ୍ତୁ ଏ କଥା ବି ଜାଣେ ଯେ ସେ ମୋର ଟଙ୍କା ଗୋଡ଼ରେ ବି ଛୁଇଁବ ନାହିଁ । ଯେଉଁ ଚରମ ସର୍ବନାଶ ତା’ର ମୁଁ କରିଅଛି ଦୁନିଆର ସବୁ ଟଙ୍କା ଢାଳିଦେଲେ ବି କୌଣସି ଦିନ ତା’ର ପୂରଣ ହେବନାହିଁ ।

 

ଟେବୁଲ ଉପରୁ ଟେଲିଫୋନ ଝଙ୍କାର ଦେଇ ଉଠିଲା ।

 

–ହ୍ୟାଲୋ ।

 

କୋର୍ଟରୁ ଖବର ଦେଉଛି, ଜଜ ସାହେବ ଗୋଟାଏ ଜଟିଳ ମାମାଲାରେ ମାତ୍ର ଏଇକ୍ଷଣି ଚାର୍ଜ ବୁଝାଇବା ଶେଷ କରିଛନ୍ତି । ଜୁରି ମହୋଦୟମାନେ ଦୁଆର ବନ୍ଦକଲେ । କେତେବେଳେ ଖୋଲିବେ ଠିକ୍‍ କରି ହେବନାହିଁ । ଅତଏବ ଆସାମୀମାନଙ୍କର ଫେରିବାକୁ ବହୁତ ରାତି ହେବାର ସମ୍ଭାବନା ।

 

ସନ୍ଧ୍ୟା ମାଡ଼ି ଆସୁଥିଲା । ଝରକା ଦେଇ ଦେଖାଗଲା ସୁଦୂର ଆକାଶ ଦେହରେ ଅସ୍ତଗାମୀ ସୂର୍ଯ୍ୟର ସୁନେଲି ଆଭା । ସେହି ଆଡ଼କୁ ଚାହିଁ ଗଭୀର ନିଃଶ୍ୱାସ ପକାଇ ଉଠି ଠିଆ ହେଲା ମୁନ୍‌ସି । ମୁଁ ମଧ୍ୟ ଉଠିଲି । ଲକ-ଅପ୍‌ ପର୍ବର ଆୟୋଜନରେ ଅଂଶଗ୍ରହଣ କରିବାକୁ ହେବ-। ଯାଉଁ ଯାଉଁ କହିଲି, ପୁଣି କେବେ ଆସୁଛ ?

 

ଆର୍ଦ୍ର କଣ୍ଠରେ ଉତ୍ତର ଆସିଲା, ଯେଉଁଦିନ ପୁଣି ହୁକୁମ ପାଇବି ।

 

କେତେଦିନ ପରେ ସେହିପରି ସମୟରେ ସେହି ଜାଗାଟିରେ ବସିହିଁ ଶୁଣିଲି ତାହାର ଅସମାପ୍ତ ଆତ୍ମକାହାଣୀ, ନରଘାତକ ଦସ୍ୟୁର ବିଚିତ୍ର ଜୀବନର ଏକ ଅପୂର୍ବ ଅଧ୍ୟାୟ । ବର୍ଷାର ମେଘାଚ୍ଛନ୍ନ ଆକାଶରେ ସେଦିନ ବିପୁଳ ସମାରୋହ । ଆକାଶର ଏ ପ୍ରାନ୍ତରୁ ସେ ପ୍ରାନ୍ତଯାଏ ଘନ ଘନ ବିଜୁଳିର ଚମକ । ମନେ ହେଉଥିଲା, ପ୍ରଳୟ ଆସନ୍ନ । ସେହି ଆଡ଼କୁ ଚାହିଁ ଅନେକ୍ଷଣ ତନ୍ମୟ ହୋଇ ବସି ରହିଲା ମୁନ୍‌ସି । ତା’ପର ଧୀରେ ଧୀରେ ଅନୁଚ୍ଚ ଗମ୍ଭୀର କଣ୍ଠରେ କହିଗଲା, ତା’ର ଶତ ଶତ ଦୁଷ୍କର୍ମର ସୁଦୀର୍ଘ ବିବରଣ । ଆଜି ଏତେଦିନ ପରେ ମୋ କଣ୍ଠରେ ତା’ର ପୁନରୁକ୍ତି କରିବାକୁ ଯାଇ ମନେ ହେଉଛି ଏହାଠାରୁ ହାସ୍ୟକର ବ୍ୟର୍ଥତା ଆଉ ହୋଇ ନ ପାରେ । ତେବେ ଏତିକି ମୋର ସାନ୍ତ୍ୱନା–ନିଜର ଭାଷା ଓ ଭାଷ୍ୟ ଦେଇ ମୁଁ ତାହାକୁ ବିକୃତ କରି ନାହିଁ । ବ୍ୟାହତ କରିନାହିଁ ତା’ର ସ୍ୱଚ୍ଛନ୍ଦ ସାରଲ୍ୟ । ଏହି କାହାଣୀର କଥା ମୁନ୍‌ସିର, ସ୍ୱର ମଧ୍ୟ ତାହାରି । ମୁଁ ଅକ୍ଷମ ଲିପିକାର ମାତ୍ର । ମୁନ୍‌ସିର କାହାଣୀ ଆରମ୍ଭ ହେଲା–

 

କାଳିଗଞ୍ଜର ସୀତାନାଥ ଦତ୍ତଙ୍କ ଘରେ ଡକାଇତି କରିବୁଁ–ଏହା ଥିଲା ଆମର ବହୁତ ଦିନର ଇଚ୍ଛା । ଲୋକଟା ଟଙ୍କାର କୁମ୍ଭୀର କିନ୍ତୁ ଭୀଷଣ ଧଡ଼ିବାଦ । ଟଙ୍କା ପଇସା ଗହଣା ଗଣ୍ଠି ଘରେ ବିଶେଷ କିଛି ରଖେ ନାହିଁ, ସବୁଥାଏ ବ୍ୟାଙ୍କରେ । ବହୁତ ବଡ଼ କାରବାର । ଚାରିଖଣ୍ଡ ଶଗଡ଼-। ସବୁଗୁଡ଼ାକ ତା’ର ନିଜର କାମରେ ଖଟୁଥାଏ ଦିନରାତି । ତାହାରି ଖଣ୍ଡିକର ଗାଡ଼ୁଆନ କରି ଦେଲି ମୋ ଦଳର ଗୋଟାଏ ଟୋକାକୁ । ସେହି ଦିନେ ଖବର ଆଣିଲା, ଦତ୍ତବାବୁଙ୍କର ଝିଅର ବିଭାଘର । ସେହି ଏକମାତ୍ର ଝିଅ, ଜୁଆଇଁ ଆସୁଛି ବଡ଼ ଘରୁ । ବଡ଼ଲୋକ କୁଟୁମ୍ବ ବି ବହୁତ ଆସିବେ । ବିଭାଘର ରାତିରେ ଚଢ଼ଉ ହେଲେ ନଗଦରେ ଗହଣାରେ ପଚାଶ ହଜାର ଯାଏ ଯେ ମିଳିଯିବ ଏଥିରେ ସନ୍ଦେହ ନାହିଁ । ତେବେ ଦତ୍ତ ମହାଶୟଙ୍କର ଦୁଇଟା ବନ୍ଧୁକ ଅଛି, ହିନ୍ଦୁସ୍ଥାନୀ ଦରୁଆନ ଅଛି । ଘରେ ଲୋକବାକ ବି କମ୍‍ ନ ଥିବେ । ତେଣୁ ଆୟୋଜନଟା ବେଶ୍‍ ବଡ଼ ରକମର ହେବା ଦରକାର । ସେ ଦିଗରୁ କିଛି ଅସୁବିଧା ନାହିଁ । ଦଳ ଠିକ୍‍ କରି ପକାଇଲି । ତାହା ଛଡ଼ା–

 

ଏହି ପର୍ଯ୍ୟନ୍ତ କହି ମୁନ୍‌ସି ହଠାତ୍‌ ରହିଗଲା । ମନେହେଲା ଭାବୁଛି, ଯେଉଁଟା ମୁହଁକୁ ଆସି ଯାଉଥିଲା, ତାକୁ ମୁହଁରୁ କାଢ଼ି ବା ଠିକ୍‍ ହେବ କି ନାହିଁ । ଥରେ ମୋ ଆଡ଼କୁ ଅନାଇଲା ଏବଂ ପର ମୁହୂର୍ତ୍ତରେ ସବୁ ସଙ୍କୋଚର ବାଧା ଠେଲି ଦେଇ କହିଲା, ନା ଲାଜ କଲେ ତ ଚଳିବ ନାହିଁ । ଏହି ପାପ ମୁହଁରେ ଯେତେବେଳେ ସବୁ କବୁଲ କରିଛି; ହଜୁରଙ୍କ ପାଖରେ ଏଟାବି ଲୁଚେଇବି ନାହିଁ । ହଜୁର ଜାଣନ୍ତି, ଗୋଟାଏ ଗୋଟାଏ ଡକାଇତିରେ ଆମେ କେତେ ବଡ଼ ବଡ଼ ଗୃହସ୍ଥଙ୍କୁ ଦାଣ୍ଡର ଭିଖାରି କରି ଛାଡ଼ିଦେଉଁ । ଦଶଜଣ କୁହାକୁହି କରନ୍ତି, ଲୋକଟାର କି ସର୍ବନାଶ ହୋଇଗଲା । ବାହାରୁ ସେତିକି ଦେଖାଯାଏ, କିନ୍ତୁ ଅସଲ ସର୍ବନାଶ ଯେ କେତେ ଦୂର ଯାଏ, ହୁଏତ ତା’ର ଖବର ଆପଣମାନେ ରଖନ୍ତି ନାହିଁ । ଲୋକଙ୍କ ଧନ ପ୍ରାଣ ଛଡ଼ାଇ ନେଇ ଆମେ କ୍ଷାନ୍ତ ହେଉନାହିଁ, ଲୁଟ୍‌ କରୁଁ ତାଙ୍କ ମାନ, ଆଉ ତାହାଠାରୁ ବି ବଡ଼ ଜିନିଷ–ଝିଅଙ୍କର ଇଜ୍ଜତ । ଘରେ ଡକାଇତି ହୋଇଛି, ଆଉ ବୋହୂଝିଅଙ୍କର ଧର୍ମ ନଷ୍ଟ ହୋଇନାହିଁ, ଏପରି ଘଟଣା ମୁଁ ଅନ୍ତତଃ ଗୋଟାଏ ବି ଜାଣେ ନାହିଁ । ଶିକାରୀଙ୍କ ଦଳରେ ଯେପରି କେତେଗୁଡ଼ିଏ ଲୋକଥାନ୍ତି, ଯେଉଁମାନେ ବଣବୁଦା ଭାଙ୍ଗି ହୈହଲ୍ଲା କରି ଶିକାର ଧରିବାର ସୁବିଧା କରି ଦିଅନ୍ତି, ଆମେ ସେହିପରି ଦଳେ ଗୁଣ୍ଡା ନେଇଯାଉଁ ଯେଉଁମାନଙ୍କ କାମ ମାରପିଟ, ଖୁବ୍‌ ଜଖମ ଓ ପାଟିହୁରି । ଏମାନଙ୍କ ନଜର ରୂପା ଆଡ଼କୁ ଯେତେ ନଥାଏ ତାହାଠାରୁ ବହୁତ ବେଶି ରୂପ ଆଡ଼କୁ । ଆମେ ମଧ୍ୟ ତାହାଇ ଚାହୁଁ । ଏମାନଙ୍କୁ ନେଇ ଆମର ଡବଲ ଲାଭ । ଗୋଟା କେତେକଙ୍କୁ ସ୍ତ୍ରୀଲୋକମାନଙ୍କ ପିଛାରେ ଲଗାଇ ଦେଇ ଆମେ ଆମର କାମ ହାସଲ କରୁ । ଆଉ ଭାଗ ବାଣ୍ଟବେଳକୁ ଯାହା କିଛି ଦେଲେଇ ହେଲା-। ଦେଖିବାକୁ ଭଲ ବୋଲି ଦତ୍ତଘର ଝିଅମାନଙ୍କର ନାଁ ଡାକ ଥିଲା । ତାହାଙ୍କୁ ଛାଡ଼ି ଏହି ବିଭା ଉପଲକ୍ଷରେ ସହରରୁ ଯେଉଁମାନେ ଆସିବେ, ସେମାନେ ଆହୁରି କାଠିଏ ସରସ । ତେଣୁ ବହୁତ ଗୁଣ୍ଡା ଆସିଗଲେ–ତାଙ୍କରି ଭିତରୁ ବାଛି ବାଛି ଦଳେ ଜୁଆନ ଛୋକରା ଠିକ୍‍କରି ପକାଇଲି-

 

ଶୀତଦିନିଆ ରାତି । ବାରଟା ଭିତରେ ବିଭାଘରର ଗୋଳମାଳ ସବୁ ସରିଗଲା । ଯେଉଁମାନେ ଖାଇବାକୁ ଆସିଥିଲେ, ସମସ୍ତେ ଚାଲିଗଲେ । ବରଯାତ୍ରୀ ଓ ଦୂରର କୁଣିଆମାନେ ଶୋଇ ପଡ଼ିଛନ୍ତି । ଏହିପରି ସମୟରେ ଆମେ ‘ମାର’ ‘ମାର’ ଶବଦ କରି ଝାମ୍ପି ପଡ଼ିଲୁ । ପହିଲେ ଘରଟାକୁ ଘେରି ପକାଇଲୁ । ହିନ୍ଦୁସ୍ଥାନୀ ଦରୁଆନଙ୍କର ଆଉ ପତ୍ତା ନାହିଁ । ବରଯାତ୍ରୀଙ୍କର ଘର ବାହାର ବନ୍ଦ କରି ଘରେ ପଶିଗଲୁଁ । ଅନ୍ଦରମହଲରେ କନ୍ଦାକଟା ପଡ଼ିଗଲା । ବଛା ବଛା ଲୋକ ନେଇ ଦୋତାଲାକୁ ଉଠିଗଲି । ସୀତାନାଥ ଦତ୍ତକୁ ବାହାଦୁର କହିବାକୁ ହେବ । କିଛି ଯେପରି ହୋଇ ନାହିଁ, ଏପରି ଭାବରେ ବାହାରି ଆସି କହିଲା, ତମମାନଙ୍କର ସର୍ଦ୍ଦାର କିଏ ? ମୁହଁରେ ରଙ୍ଗ ଟଙ୍ଗ ଲଗାଥିଲା । ଆଗେଇ ଗଲି । ଦତ୍ତ ମଶାଇ କହିଲା, ଏଇ ନିଅ ଚାବି । ସେହି ଘରେ ସିନ୍ଦୁକରେ ଟଙ୍କା ଅଛି । ଗହଣା ବି ବେଶ୍‌ କିଛି ଅଛି । ନେଇ ଯାଅ । ଲୁଗାପଟା ଯାହା ଅଛି, ତାକୁ ବି ନେଇପାର । ଝିଅମାନଙ୍କ ଦେହରେ ଗହଣା ଗାଣ୍ଠି ଯାହା ଅଛି, ତାକୁ ବି ଖୋଲି ଦେବାର ବ୍ୟବସ୍ଥା କରୁଛି । କିନ୍ତୁ ଗୋଟାଏ କଥା ଦେବାକୁ ହେବ ।

 

–କି କଥା ?

 

–ଯେବେ ହିନ୍ଦୁ ହୁଅ, ନାରାୟଣଙ୍କ ଦୋହି, ଯେବେ ମୁସଲମାନ ହୁଅ ଆଲ୍ଲାଙ୍କ ଦୋହି, ଝିଅମାନଙ୍କ ଦେହରେ ଯେପରି କେହି ହାତ ନ ଦିଅନ୍ତି–କହି ଆଗେଇ ଆସି ଏହି ହାତ ଯୋଡ଼ାକୁ ଧରି ଝରଝର କରି କାନ୍ଦି ପକାଇଲା । ଥରା ଗଳାରେ କହିଲା, ଡକାଇତଙ୍କ ସର୍ଦ୍ଦାର ହେଲେ ବି ତମେ ମଣିଷ । ଆମରି ଦେଶର ମଣିଷ । ତମ ଘରେ ବି ମା-ଭଉଣୀ ବୋହୂଝିଅ ଅଛନ୍ତି । ଏତକ ଖାଲି ତମ ପାଖରେ ଭିକ ମାଗୁଛି ।

 

ଡକାଇତି ଅନେକ କରିଛି, ବଡ଼ବାବୁ । କନ୍ଦାକଟା ବି କମ୍‍ ଶୁଣି ନାହିଁ । ସେ ସବୁ ଆମର ଦେହସହା ହୋଇ ଯାଇଛି । କିନ୍ତୁ ଦତ୍ତ ମଶାଇଙ୍କ ଲୁହରେ ମୋ ଛାତି ଥରି ଉଠିଲା । କଥା ଦେଲି । କହିଲି, ଗହଣାଗାଣ୍ଠ ଖୋଲିଦେଇ ଝିଅମାନଙ୍କୁ ଗୋଟାଏ ଘରକୁ ଚାଲି ଯିବାକୁ କୁହନ୍ତୁ । ତାଙ୍କର କୌଣସି ବିପଦ ନାହିଁ । ଦତ୍ତ ମଶାଇ ଚାଲିଗଲେ । ମୁଁ ମୋର ଦଳବଳଙ୍କୁ ଏକାଠି କରି ହୁକୁମ ଦେଲି । ଟଙ୍କା କଉଡ଼ି ଜିନିଷ ପାତି ଯାହା ପାଉଛ ଲୁଟ କର । କିନ୍ତୁ ସାବଧାନ, ଜନାନା ହାରାମ ।

 

କାମ ଶେଷ ହେବାକୁ ଅଧଘଣ୍ଟାଏ ବି ଲାଗିଲା ନାହିଁ । ସମସ୍ତଙ୍କୁ ତଳକୁ ଯିବାକୁ ହୁକୁମ ଦେଇ ଭାବିଲି ତେତଲାଟା ଥରେ ନିଜ ଆଖିରେ ଦେଖି ଆସେ । ଦତ୍ତ ମଶାଇ ସିହାଣିଆ ଲୋକ । କିଛି ପୁଣି ଲୁଚାଇ ଛପେଇ ରଖି ନାହିଁ ତ ସେଠାରେ ।

 

ତେତାଲାରେ ଖଣ୍ଡିଏ ଘର । ଅନ୍ଧାର ଦୁଆର ବନ୍ଦ । ଝରକା ବାଟେ ଟର୍ଚ୍ଚ ପକାଇଲାରୁ ଆଲୁଅ ଯାଇ ପଡ଼ିଲା ଗୋଟିଏ ଝିଅ ମୁହଁରେ । ଚମକି ଉଠିଲି ଏ କିଏ ! ଏ କେଉଁଠୁ ଆସିଲା ! ଏକବାରେ ଅବିକଳ ସେହି । ସେହି ନାକ । ସେହି ଆଖି, ସେହିପରି ଭ୍ରୂଲତା ଯୋଡ଼ିକ ଉପରେ ସାନ ଖଣ୍ଡିଏ କପାଳ । ମୋର କେତେ ଆଦରର ନୂରୁ । ତାରି ଭଳି ଝିଅ । ମୋର ପିଲାଦିନର ଦୋସ୍ତ ଥିଲା ମତୀଶ । କଲେଜରେ ପଢ଼ୁଥିଲା । ତେତେବେଳେ ବଡ଼ ଆଦରରେ ନାଁ ଦେଇଥିଲା ନୂରଜାହାନ । ଆଠ ବର୍ଷ ଆଗେ ଏହିପରି ଦାମୀ ବନାରସୀ ପିନ୍ଧାଇ ଦେହଭରା ବଡ଼ୋୟା ଗହଣାରେ ସଜାଇ ମା’କୁ ମୋର ପରଘରକୁ ପଠାଇଥିଲି । ଆଉ ଫେରିଆସି ନାହିଁ ।

 

ଝିଅଟା ଚିତ୍କାର କରି କାହାକୁ କୁଣ୍ଢାଇ ଧରିଲା । ଟର୍ଚ୍ଚ ଲିଭାଇ ଦେଲି । ଭଲ କରି ଆଖି ଦୁଇଟାକୁ ମଳି ଦେଲି । ମୋର ଏ କ’ଣ ହେଲା ? କ’ଣ ନିଆଁ ପାଉଁଶ ଭାବୁଛି ? କିଏ ସେହି ଝିଅଟା ? ସୀତାନାଥ ଦତ୍ତର ଝିଅ । ତାହାରି ତ କିଛିକ୍ଷଣ ଆଗରୁ ବାହାଘର ହେଲା । ପୁଣି ଟର୍ଚ୍ଚ ଜାଳିଲି । ଭାରୀ ଭାରୀ ଗହଣା ଉପରେ ବଡ଼ୋୟାର ପଥରଗୁଡ଼ାକ ଜଳ ଜଳ କରି ଉଠିଲା । ଦଶହଜାର ଯାକେ ଟଙ୍କାର ମାଲ । ଭାଗ୍ୟକୁ ଉପରକୁ ଆସିଥିଲି । ଦତ୍ତଟା ଏକ ନମ୍ବର ଜୁଆଚୋର-। ଧମକ ଦେଇ କହିବାକୁ ଗଲି ଖୋଲିଦିଅ ଗହଣା । ସ୍ୱର ଫୁଟିଲା ନାହିଁ । କିଏ ଯେପରି ମୁହଁ ବାନ୍ଧି ଦେଲା । ନୂରୁର ମୁହଁ ଖଣ୍ଡିକ ଆଖି ଆଗରେ ଭାସି ଉଠିଲା । ସେହି ଆଠ ବର୍ଷ ଆଗର ଶେଷଥର ପାଇଁ ଦେଖା ବିଭା-ସାଜପିନ୍ଧା ନୂରଜାହାନ । ଓଠ ଯୋଡ଼ିକ ଥରିଗଲା ଯେପରି-। କ’ଣ ସେ କହିବାକୁ ଚାହେଁ ? ଏହି ଗହଣା ମୋର ନିଆ ହେବ ନାହିଁ–ଏହି କଥା ହିଁ ଯେପରି ଶୁଣିଲି ତା’ର ମୁହଁରୁ ।

 

ଫେରି ଆସିଲି । ସିଧା ତଳକୁ ଓହ୍ଲାଇ ଗେଟ୍‍ ପାରିହୋଇ ଧାଇଁଲି ପଡ଼ିଆ ଆଡ଼କୁ । ଦଳର ଲୋକଗୁଡ଼ାକ ସେଠାରେ କେଉଁଠି ମୋ’ପାଇଁ ଅପେକ୍ଷା କରିଛନ୍ତି । ମନେହେଲା କିଏ ଯେପରି ମୋତେ ତଣ୍ଟିଆ ଦେଇ ପେଲି ନେଇ ଯାଉଛି । କିଛି କ୍ଷଣ ଧାଇଁବା ପରେ ହଠାତ୍‌ ରହିଗଲି । ଇଏ କ’ଣ କରୁଛି ! ମୁଣ୍ଟଟା କ’ଣ ସତରେ ଖରାପ ହୋଇଗଲା । ଏପରି ତ କେଉଁ ଦିନ ହୋଇ ନାହିଁ । ସୀତାନାଥ ଦତ୍ତର ଦି’ଟା ମିଠା କଥା ଶୁଣି ବଦରୁଦ୍ଦିନ ଡକାଇତର ମନ ତରଳି ଗଲା-! କଥାର ଖିଲାପ କରି ବସିଲି ନିଜର ଦଳ ସଙ୍ଗରେ । ଯେଉଁ ଲୋଭ ଦେଖାଇ ଟୋକାଗୁଡ଼ାଙ୍କୁ ନେଇ ଆଣିଲି, ସେମାନେ ତାହା ପାଖକୁ ବି ଯାଇ ପାରିଲେ ନାହିଁ । କେବଳ ମୋହରି ପାଇଁ । ଆସିଥିଲି ଡକାଇତି କରିବା ପାଇଁ-। ଦଶହଜାର ଟଙ୍କାର ଗହଣା ଛାଡ଼ି ଫେରିଯାଉଛି । ଭୀମ ବଡ଼ି ଆଉ କାହାକୁ କହନ୍ତି ? ମୁଣ୍ଡଟାକୁ କେଇଥର ବେଶ୍‍ ଝାଡ଼ି ଦେଲାରୁ ମନେହେଲା ନିଶାର ଝୁଙ୍କ କଟିଗଲାଣି । ଦତ୍ତ ବାଡ଼ିରେ ପୁଣି ଯାଇ ପଶିଲି । ସିଧା ତେତାଲାକୁ ଉଠିଗଲି । ଘର ଖୋଲା, ଟର୍ଚ୍ଚ ଜାଳି ଯାହା ଦେଖିଲି–

 

ହଠାତ୍‌ ପୁଣି ରହିଗଲା ମୁନ୍‌ସି । ଦୁଇଟା ବଡ଼ ବଡ଼ ଆଖି ଶୂନ୍ୟ, ବିହ୍ୱଳ ଦୃଷ୍ଟିରେ ଚାହିଁ ରହିଲା ସେହି ଫାଙ୍କା କାନ୍ଥଟା ଆଡ଼କୁ । ସେଠାରେ ହିଁ ଯେପରି ଫୁଟି ଉଠିଛି ସେ ଦିନର ଦେଖିଥିବା କୌଣସି ବିଭତ୍ସ ଦୃଶ୍ୟ । ବେଶ୍‌ କିଛି କ୍ଷଣ କଟିଗଲା, ଧୀରେ ଧୀରେ ତା’ର ଦୃଷ୍ଟି ପୁଣି ସହଜ ହୋଇ ଆସିଲା । କାନ୍ଥରୁ ଆଖି ଫେରାଇ ମୋ ଆଡ଼କୁ ଚାହିଁ କହିଲା, ଯାହା ଦେଖିଲି ମୋ’ଠାରେ ନୂଆ କିଛି ନୁହେଁ, ବଡ଼ବାବୁ ! ସାରା ଜୀବନରେ କେତେ ଦେଖିଛି । ଖୁନ୍‌ ଆଉ ବଳାତ୍କାର–ଏହା ତ ଆମର ବେଉଷା । ଏହି ହାତରେ କେତେ ଲୋକଙ୍କ ତଣ୍ଟିଚିପି ମାରିଛି, ଛାତିରେ ଛୁରା ବସେଇଛି । ଲ୍ୟାଦାର ଗୋଟାଏ ଚୋଟରେ ଖତମ କରିଛି, ରାମଦାର ଏକା କୋପରେ ଗଣ୍ଡିରୁ ମୁଣ୍ଡ ଖସାଇ ଦେଇଛି । ରକ୍ତ ପିଚକାରୀ ମାରି ପଡ଼ିଅଛି । ଟିକିଏ ବୋଲି ଛାତି ଥରି ନାହିଁ । ମୁଣ୍ଡ ବି ଥରେ ବୋଲି ଘୂରି ନାହିଁ । ଝିଅମାନଙ୍କର ସର୍ବନାଶ ? ତାହା ବି କମ୍‍ କରି ନାହିଁ । କେତେ ଝିଅ ଡରରେ ଅଜ୍ଞାନ ହୋଇ ଯାଇଛନ୍ତି, ତେବେ ସୁଦ୍ଧା ତ୍ରାହି ପାଇନାହାନ୍ତି । କେତେ ବଡ଼ ବଡ଼ ଘରର ଝିଅ ବୋହୂ ଏହି ଗୋଡ଼ରେ ମୁଣ୍ଡ କୋଡ଼ି କହିଛନ୍ତି, ତମେ ମୋର ଧରମ ବାପ, ମୁଁ ତମର ଝିଅ ! ତାଙ୍କର ସେସବୁ କାନ୍ଦ ଦେଖି ହସ ମାଡ଼ିଛି । କିନ୍ତୁ ଆଜି ମୋର ଇଏ କ’ଣ ହେଲା ? ଘରକୁ ପଶି ଯାହା ଦେଖିଲି, ମୁଣ୍ଡଟା ବୁଲେଇ ଦେଲା । କାନ୍ଥ ଧରି ସମ୍ଭାଳି ନେଲି । ଦେଖିଲି କାନ୍ଥକୁ ଲାଗି ପଡ଼ିଅଛି ଗୋଟାଏ ଜୁଆନ ପିଲା । ରଜା-ବାଦ୍‌ଶା ପରି ରୂପ, ପିନ୍ଧିଛି ବରର ପୋଷାକ । ଛାତିର ବାଁପଟେ ଗୋଟାଏ ଛୋରା ବିନ୍ଧି ରହିଛି । ଛାତିରେ ସବୁତକ ପଶି ଯାଇଛି । ବେଣ୍ଟଟା ବାହାରେ ଅଛି । ରକ୍ତରେ ଭାସି ଯାଉଛି ବାସର ଘର ଓ ତା’ର ମଝିରେ ପରା ହୋଇଥିବା ଭେଲଭେଟର ଚାଲିଚା । ରକ୍ତଭିଜା ବିଛଣାର ଗୋଟାଏ ପାଖରେ ଅସାଡ଼ ହୋଇ ଆଖି ବୁଜି ପଡ଼ି ରହିଛି ଝିଅଟା । ଆଉ ମୋହରି ଗୋଟାଏ ଜାନୁଆର– । ବାଳ ଧରି ଟାଣି ଉଠାଇଲି ଶୁଅରଟାକୁ । ମୁହଁଟା ତା’ର ଠୁଙ୍କି ଦେଲି କାନ୍ଥରେ । ନାକରୁ ଗଳ ଗଳ ହୋଇ ରକ୍ତ ପଡ଼ିଲା । ଚାରି ପାଞ୍ଚଟା ଦାନ୍ତ ଭାଙ୍ଗି ଖସି ପଡ଼ିଲା । ଆଉ ଗୋଟାଏ ଯୋଡ଼ାଏ ପାହାର ପଡ଼ିଥିଲେ ଶଳା ଖତମ ହୋଇ ଯାଇଥାନ୍ତା; କିନ୍ତୁ ଛାଡ଼ି ଦେଲି । ଛୁରା ମାରି ହାତ ଗନ୍ଧ କରି ଲାଭ କ’ଣ ? ଗୋଇଠାମାରି ବାରଣ୍ଡାକୁ ଫୋପାଡ଼ି ଦେଲି ।

 

ପିଲାଟାର ନାଡ଼ି ଧରିଲି । ନାକରେ ହାତ ଦେଇ ଦେଖିଲି ନାହିଁ । ତା’ପରେ ତା’ ଆଡ଼କୁ ଆଗେଇ ଗଲି । ଝିଅ ତ ନୁହେଁ ଯେପରି ଆଞ୍ଜୁଳାଏ କଞ୍ଚନ ଫୁଲ । କିଏ କହିବ ଏ ମୋର ନୂରୁ ନୁହେଁ ? ଏହି ତ ମୋର ନୂରଜାହାନ । ଏତେ ରୂପ କ’ଣ ମଣିଷଙ୍କର ହୁଏ ? ବେହେସ୍ତରୁ ଓହ୍ଲାଇ ଆସିଛି ସୀତାନାଥ ଦତ୍ତର ଘରକୁ । ମୋହର ଝିଅ ସେ । ଆଜି ବିଭାରାତି ନ ପାହାଣୁ ମୋହରି ହାତ ଦେଇ ଆସିଲା ତା’ର ସବୁଠାରୁ ବଡ଼ ଓ ସବୁଠାରୁ ଚରମ ସର୍ବନାଶ ।

 

କିଛି କ୍ଷଣ ହେଲା ବର୍ଷା ଆରମ୍ଭ ହୋଇ ଯାଇଛି । ବର୍ଷଣ-ମୁଖର ଭୀଷଣ ସନ୍ଧ୍ୟା । ଗାଢ଼ ଅନ୍ଧାରରେ ମୁନ୍‌ସିକୁ ସ୍ପଷ୍ଟ ଦେଖାଯାଉ ନ ଥିଲା । ଉଠି ଯାଇ ଆଲୁଅଟା ଜାଳିଦେଲି । ଚମକି ପଡ଼ିଲି । ବଦର ମୁନ୍‌ସିର ଆଖିରେ ପାଣି । ନା, ଭୁଲ୍‍ କରିନାହିଁ । ଦିଓଟି ରୋଗ-ପାଣ୍ଡୁର ଗଣ୍ଡର ପାର୍ଶ୍ୱ ଦେଇ ଗଡ଼ି ପଡ଼ୁଛି ନିର୍ବାକ୍‍ ଅଶ୍ରୁଧାରା । କହିଲି, ଥାଉ ମୁନ୍‌ସି, ଏସବୁ କଥା କହି ଆଉ କ’ଣ ହେବ ? ଏଥିରେ ଆଉ ଆଜି କାହାରି କିଛି ଲାଭ ନାହିଁ । ମୁନ୍‌ସି ଚଞ୍ଚଳ ଆଖି ପୋଛି ପକାଇ କହିଲା, ନା, ହଜୁର, ମେହେରବାନୀ କରି ଆଉ ଟିକିଏ ଶୁଣନ୍ତୁ । ଲାଭ ଥାଉ ବା ନ ଥାଉ । ସବୁ କଥା ମୋତେ ଆଜି କହିବାକୁ ଇ ହେବ । ଆପଣଙ୍କ ଛଡ଼ା କାହାକୁ ଇ ବା କହିବି ?

 

ମୁଁ ସିଗାରେଟ ଲଗେଇ ଚେୟାର ଉପରେ ଗୋଡ଼ ଟେକି ବାଗେଇ ବସିଲି । ମୁନ୍‌ସି ଆରମ୍ଭ କଲା ।

 

ଘର କୋଣରେ ଗୋଟାଏ ସୁରାଇ ଥିଲା । ଆଖିରେ ମୁହଁରେ କେଇଥର ପାଣିଛାଟ ମାରିଲାରୁ ସେ ଆଖି ମେଲାଇ ଅନାଇଲା । ଅନେକ ବର୍ଷ ଆଗରୁ ମୋ ନୂରୁ ବି ଏହିପରି ଅନାଉଥିଲା । କିନ୍ତୁ କେତେ ତଫାତ୍‍ । ଏଣେତେଣେ ଚାହିଁ ହଠାତ୍‌ ମୋ ଉପରେ ଆଖି ପଡ଼ିଗଲାରୁ ଚିତ୍କାର କରି ପୁଣି ଅଜ୍ଞାନ ହୋଇଗଲା । ଦଉଡ଼ି ବାହାରି ଗଲି । ଡାକ୍ତର ! ଜଣେ ଡାକ୍ତର ଦରକାର-। ଭୁଲିଗଲି ମୁଁ କିଏ, କେଉଁଠାକୁ ଯାଉଛି; ଡାକ୍ତର ଡାକିବାର ମୋର ଅଧିକାର କ’ଣ-। କେବଳ ମନେହେଲା ଡାକ୍ତର ଡାକିବାକୁ ହେବ । କିନ୍ତୁ ସେ ସୁଯୋଗ ଆଉ ହେଲା ନାହିଁ । ସିଡ଼ି ମୁହଁରେ ଅଟକି ପଡ଼ିଗଲି । ହଠାତ୍‌ ବୁଝି ପାରିଲି, ଝିଅଟି ମୋର କେହି ନୁହେଁ । ମୁଁ ସେମାନଙ୍କ ଘରକୁ ଆସିଅଛି ଡକାଇତି କରିବାକୁ । ମୋହରି ପାଇଁ ଆଜି ଏତେ ଟିକିଏ ଝିଅଟା ଦୁନିଆର ସବୁ କିଛି ହରାଇ ସଂସାରର ବାହାରକୁ ଚାଲିଗଲା ।

 

ଭୂତନାଥ ବାବୁ ମିଛ କହି ନାହାନ୍ତି, ହଜୁର । ଯେଉଁମାନେ ମୋତେ ଘେରି ପକାଇଥିଲେ, ମନ କରିଥିଲେ ତାଙ୍କ ସବୁଗୁଡ଼ାଙ୍କୁ ଧକ୍‌କା ମାରି ଚାଲିଯାଇ ପାରିଥାଆନ୍ତି । କିନ୍ତୁ ମୋ ହାତ ଗଲା ନାହିଁ । କେବଳ ମନେହେଲା, ଏହି ଶେଷ । ବଦର ମୁନ୍‌ସିର କବର ଖୋଳା ହେଉଛି । ଯାଇ ଖାଲି ଶୋଇ ପଡ଼ିବା । ଲାଠି, ଶତକ, ଲୁହାର ଦଣ୍ଡା–ବହୁତ କିଛି ହିଁ ଚାରିଆଡ଼ୁ ଆସି ପଡ଼ୁଥିଲା ମୋ ମୁଣ୍ଡରେ, ପିଠିରେ, କାନ୍ଧରେ । ଯେତେ କ୍ଷଣ ପାରିଥିଲି, ଠିଆ ହୋଇଥିଲି । ତା’ପରେ କେତେବେଳେ ପଡ଼ିଗଲି ଆଉ କିଛି ମନେ ନାହିଁ ।

 

ଯେତେବେଳେ ଜ୍ଞାନହେଲା, ଆଖି ମେଲି ପହିଲେଇ ଦେଖିଲି ମୋ ପାଖରେ ଠିଆ ଲାଲ ପଗଡ଼ି । ଜଣେ ମୁଣ୍ଡରେ ରୁମାଲ-ବନ୍ଧା ଦେଶୀ ମେମ ସାହେବ ଧାଇଁ ଆସିଲେ । ବୁଝିଲି ନର୍ସ-। ପାଖକୁ ଆସି ନାଡ଼ି ଦେଖିଲା, ତା’ପରେ ଗୋଟାଏ ଶିଶିରୁ କିଛି ଔଷଧ ଢାଳି ଧୀରେ ଧୀରେ ଖୁଆଇ ଦେଲା । କିଛି କ୍ଷଣ ପରେ ଟିକିଏ ଯେପରି ବଳ ପାଇଲି । ଅତି କଷ୍ଟରେ ପଚାରିଲି, ମୁଁ କେଉଁଠି ?

 

–ଏଟା ସରକାରୀ ହସପାତାଲ । ଡାକ୍ତର ବାବୁଙ୍କୁ ଡାକିଦେବି ? ହାତ ହଲାଇ କହିଲି, ଦରକାର ନାହିଁ । ହାକିମ–ହାକିମ ଜଣେ ଦରକାର ।

 

ଜଣେ ପୋଲିସ୍‌ର ଦାରୋଗା ଆସିଲେ । ମୋ ମୁହଁ ଉପରକୁ ଝୁଙ୍କିପଡ଼ି କହିଲେ ହାକିମ କ’ଣ ପାଇଁ ?

 

ଏକରାର କରିବି ।

 

ଘଣ୍ଟା ଦୁଇ ଭିତରେ ଜଣେ ମ୍ୟାଜିଷ୍ଟ୍ରେଟ ଆସିଲେ । ସେତେବେଳେ ସୁଦ୍ଧା ମୋର ଜ୍ଞାନ ଥିଲା; କିନ୍ତୁ ଖୁବ୍‌ କଷ୍ଟ ହେଉଥିଲା । ସବୁତକ ବୋଧହୁଏ କହିପାରି ନଥିଲି । ତାହା ଆଗରୁ ଚେତା ବୁଡ଼ି ଯାଇଥିଲା । ତା’ପରେ କେତେବେଳେ କିପରି ସେମାନେ ମୋତେ ହଜୁରଙ୍କ ଆଶ୍ରୟକୁ ନେଇ ଆସିଲେ, କିଛିଇ ଜାଣେ ନାହିଁ । ସରକାରୀ ହାସପିଟାଲର କର୍ତ୍ତାମାନେ ବୋଧହୁଏ ଭାବିଥିଲେ, ମୁର୍ଦ୍ଦାରଟା ତାଙ୍କ ଉପରେ ଭାରା ହେବ ? ଜେଲରେ ନେଇ ପକାଇ ଦିଅ; କିନ୍ତୁ ସେମାନେ ଜାଣି ନ ଥିଲେ, ଏଠାରେ ମୋର ବାବା ଅଛନ୍ତି । ତାଙ୍କରି ଦୟାରେ ମଲା ଦେହରେ ପ୍ରାଣ ଫେରି ଆସିଲା ।

 

ମୁନ୍‌ସିର କାହାଣୀ ଶେଷ ହେଲା । ମୁଁ ତା’ର ଶେଷ ପ୍ରସଙ୍ଗର ଜବାବ ଦେଲି । କହିଲି, ଏହା ମଧ୍ୟରେ ମୋର ଦୟା ତ କେଉଁଠି କିଛି ନାହିଁ ମୁନ୍‌ସି । ଯେତିକି କର୍ତ୍ତବ୍ୟ, ସେତିକି କରିଅଛି । ବରଂ କୃତିତ୍ୱ ଯଦି କିଛି ଥାଏ, ସେଟା ଡାକ୍ତରର । ଯାଉ ସେ କଥା । ଗୋଟାଏ କଥା ଖାଲି ବୁଝିପାରୁ ନାହିଁ । ଅପରାଧୀ ତା’ର କୃତ-ଅପରାଧ ସ୍ୱୀକାର କରିଅଛି, ଏହା ନୂଆ ନୁହେଁ, ଅଦ୍ଭୁତ ବି କିଛି ନୁହେଁ, କିନ୍ତୁ ଯେଉଁ ଅପରାଧ ସେ କରିନାହିଁ, ତାହାରି ବୋଝ ସ୍ୱେଚ୍ଛାରେ ନିଜ ମୁଣ୍ଡରେ ନେଇ ହାକିମ ଡାକି ହଲପ କରି କହିଛି, ଏହା ମୁଁ କରିଅଛି–ଏ ରକମ ତ କେବେ ଶୁଣି ନାହିଁ । ଏଥିରେ ବାହାଦୁରି ଥାଇପାରେ; କିନ୍ତୁ ଏହାକୁ ସତ୍‌ସାହସ କହନ୍ତି ନାହିଁ । ଡକାଇତି ତୁମେ କରିଛ । ତା’ର ସବୁ ଦାୟିତ୍ୱ ତମର । କିନ୍ତୁ ସେହି ଝିଅଟି ଓ ତା’ର ସ୍ୱାମୀ ଉପରେ ଯେଉଁ ଜଘନ୍ୟ ଅତ୍ୟାଚାର ସେଦିନ ଘଟିଲା, ତା’ର ଦାୟିତ୍ୱ ତ ତମର ନୁହେଁ । ସ୍ୱେଚ୍ଛାରେ ଦୁଇଟା ମାରାତ୍ମକ ମିଥ୍ୟା ଅପରାଧରେ ନିଜକୁ ଜଡ଼ିତ କରି ଫାଶୀକାଠରେ ନିଜର ବେକକୁ ବଢ଼ାଇ ଦେବାର ସାର୍ଥକତା କେଉଁଠି, ମୁଁ ବୁଝିପାରୁ ନାହିଁ ।

 

Unknown

ମୁନ୍‌ସି ବିନୀତ କଣ୍ଠରେ କହିଲା, ହଜୁର ଜ୍ଞାନୀ ଲୋକ, ମୁଁ ମୂର୍ଖ ଡକାଇତ । ହଜୁରଙ୍କ ସଙ୍ଗରେ ତର୍କ କରିବା ମୋର ଗୋସ୍ତାକି । ତର୍କ ମୁଁ କରୁନାହିଁ । କିନ୍ତୁ ଏ କଥା ବି ଅସ୍ୱୀକାର କରିପାରୁ ନାହିଁ, ଝିଅଟାର କପାଳରେ ଯାହା କିଛି ଘଟିଲା ତାହାର ସବୁତକର ମୂଳରେ ହିଁ ତ ମୁଁ । ସେହି ଜନ୍ତୁଟାକୁ ତ ମୁହିଁ ଜୁଟାଇଥିଲି । ଯେଉଁଥି ପାଇଁ ଜୁଟାଇଥିଲି ଠିକ୍‌ ତାହାଇ ତ ସେ କରିଅଛି । ଚୁକ୍ତିର ବାହାରକୁ ସେ ଯାଇନାହିଁ । କଥାର ଖିଲାପ ଯଦି କେହି କରିଥାଏ, ସେ ମୁଁ । ସୀତାନାଥ ଦତ୍ତର କଥାରେ ଭୁଲି ଯେଉଁ ହୁକୁମ ମୁଁ ଜାରି କରିଥିଲି ତାହା ଅନ୍ୟାୟ ହୁକୁମ । ସେହି ଗୁଣ୍ଡାଟା ଯଦି ସେହି ମନା ମାନି ନ ଥାଏ, ସେଥିପାଇଁ ତାକୁ ଦୋଷ ଦେବି କିପରି ?

 

ବୁଝିଲି, ମନ ତା’ର ଯେଉଁ ପଥ ଧରି ଧାଇଁଅଛି, ମୋର ନ୍ୟାୟ ଅନ୍ୟାୟର ଶୁଖିଲା ଲଜିକ ସେଠାରେ ଅଚଳ । ହୁଏତ ତାହାରି କଥା ହିଁ ଠିକ୍‌ । ଆଉ ଏଇ କଥା ବି ସତ୍ୟ ଯେ, ଦୈବାତ୍‌ ଯଦି ସେହି ଝିଅଟାର ମୁହଁରେ ତା’ର ନୂରୁର ମୁହଁର ଛାୟା ସେଦିନ ତାହା ଆଖିରେ ପଡ଼ି ନ ଥାନ୍ତା, ଆଜି ମୋ ପାଖରେ ବସି ବଦର ମୁନ୍‌ସିର ଏହି କାହାଣୀ ଶୁଣିବାର କିଛି ଉପଲକ୍ଷ ଘଟି ନ ଥାନ୍ତା । ଏହି ସଂସାରରେ ସେହି ନୂରୁ ହିଁ ଥିଲା ତା’ର ଏକମାତ୍ର ବନ୍ଧନ । ସେହି ବନ୍ଧନ ଦିନେ ଅକାଳରେ ଛିନ୍ନ ହୋଇ ଯାଇଥିଲା । ଯେଉଁ କ୍ଷତ ରଖିଯାଇଥିଲା ଦାନବ ପ୍ରକୃତି ସେହି ଦସ୍ୟୁର ବୁକୁରେ, ତାହା ହୁଏତ ଚିରଦିନ ଇ ତା’ର ଅଗୋଚରରେ ରହି ଯାଇଥାନ୍ତା । ହୁଏତ ଚିରଦିନ ହିଁ ଏହିପରି କେତେ ଶତ ସୀତାନାଥ ଦତ୍ତଙ୍କର ଝିଅ ତା’ର ଲୋଭ ଓ ଲାଲସାର ଅଗ୍ନିରେ ଆହୁତି ଦେଇ ଯାଇଥାନ୍ତେ । ତାଙ୍କର ଅନିନ୍ଦ୍ୟ ରୂପ, ଅମୂଲ୍ୟ ବସ୍ତ୍ରାଳଙ୍କାର ଆଉ ଅଭେଦ୍ୟ ସତୀଧର୍ମ୍ମ । କିନ୍ତୁ ତାହା ହେଲା ନାହିଁ । ବଦର ମୁନ୍‌ସିର ବିଚିତ୍ର ଜୀବନ-ନାଟ୍ୟରେ ଦେଖା ଦେଲା ଏକ ପ୍ରଳୟ ରାତ୍ରି । ଆଠ ବର୍ଷର ଆର ପାରିରୁ ନବ ବଧୂ ବେଶରେ ଫେରି ଆସିଲା ତା’ର ନୂରଜାହାନ । ଫେରି ଆସିଲା, କିନ୍ତୁ ବଦର ମୁନ୍‌ସି ତାକୁ ଫେରି ପାଇଲା ନାହିଁ । ତା’ର ନିଜ ହାତରୁ ହିଁ ଆସିଲା ନିର୍ଦ୍ଦୟ ଆଘାତ । ନିର୍ମୂଳ ହୋଇଗଲା ସେହି ଝିଅଟାର ସ୍ୱାମୀ, ସମ୍ଭ୍ରମ, ତା’ର ନାରୀ ଜୀବନର ସବୁ ଶୋଭା ଓ ସମ୍ପଦ । ନୂଆ କରି ମୃତ୍ୟୁ ହେଲା ନୂରଜାହାନର । ଆଠ ବର୍ଷର ପୁରୁଣା କ୍ଷତ-ମୁହଁରୁ ଆଜି ଆରମ୍ଭ ହୋଇଛି ରକ୍ତକ୍ଷରଣା ନିଜକୁ ନିଃଶେଷ ନ କରି ଏହି ବେଦନାର ଉପଶମ ନାହିଁ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ଯାଇଛି । କ୍ଷାନ୍ତ ବର୍ଷଣ ଆକାଶରେ ମେଘାଡ଼ମ୍ବର ସ୍ତବ୍ଧ ପ୍ରାୟ । ବଦର ମୁନ୍‌ସିର ସେଲ୍‍ର ଲୌହ ତୋରଣ ଅନେକ କ୍ଷଣ ଆଗରୁ ହିଁ ତା’ପାଇଁ ଅପେକ୍ଷା କରୁଛି । ତା’ର ନିଶ୍ଚୟଇ ମନେ ନାହିଁ, ମୁଁ ବି ମନରେ ପକାଇ ଦେଇନାହିଁ । ଜମାଦାର କେଇଥର ନୀରବରେ ପାଇଚାରି ଯାଇଛି ଝରକା ସାମାନା ଦେଇ । ଏହି ଦୁର୍ଦ୍ଦାନ୍ତ ଡକାଇତ ପାଇଁ ସେମାନଙ୍କର ଉତ୍କଣ୍ଠାର ସୀମା ନାହିଁ । ତଥାପି ଉଠିବି ଉଠିବି କରି ମଧ୍ୟ ଯେପରି ଉଠିପାରୁ ନାହିଁ ।

 

ମୁନ୍‌ସି ଆହୁରି କିଛି କ୍ଷଣ ନିଃଶବ୍ଦରେ କଟାଇ ଧୀରେ ଧୀରେ କହିଲା, ହଜୁର ଫାଶୀର ଦଉଡ଼ା କଥା କହୁଥିଲେ । ସେହି ଜିନିଷଟାକୁ ଆଉ ଭୟ ନାହିଁ । ଫାଶୀରେ ଯିବା ତ ଆଜି ସବୁଠାରୁ ଭଲରେ ଯିବା । ଏକ ନିମିଷରେ ସବୁ ଶେଷ । କିନ୍ତୁ ଏହି ତିଳ ତିଳ କରି ମରିବା, ଏହି ମରଣ ତ ଆଉ ସହ୍ୟ ହେଉ ନାହିଁ । ନା, ଏହା ମୋର ଅବଶୋଷ୍‌ ନୁହେଁ । ଜୀବନରେ ଯାହା କିଛି କରିଛି, ଯେତେ ପାପ, ଯେତେ ଅନ୍ୟାୟ, ତାହା ପାଇଁ ମୋର ଦୁଃଖ ନାହିଁ । ମୌଲବୀ ସାହେବମାନେ ଯାହା କହନ୍ତୁ, ତାହା ପାଇଁ ତୋବା କରିବାର ବି କିଛି ଆଗ୍ରହ ନାହିଁ ମୋ ମନରେ । ଛାତି ଭିତରଟା ଖାଲି ଜଳୁଥାଏ, ଯେତେବେଳେ ସେହି ଝିଅଟାର ମୁହଁ ମନରେ ପଡ଼ିଯାଏ । ରାତିରେ ନିଦ ନାହିଁ, ଦିନରେ ସ୍ୱସ୍ତି ନାହିଁ । ସାରା ଦେହ ଖାଲି ଜଳୁଥାଏ । ହତଭାଗୀର ଯାହା ହେବାର ତାହା ତ ହେଲା-। ତା’ପରେ ? ସାରା ଜୀବନଟା କିପରି କଟିବ ତା’ର ? ଯେଉଁ ଶ୍ୱଶୁରଘର ସେ ଦେଖିବାକୁ ବି ପାଇଲା ନାହିଁ ସେଠାରେ ତା’ର ଜାଗା ହେବ ନାହିଁ । ବାପଘରର ଆଶ୍ରୟ, ତାହା ବି ହୁଏତ ଛାଡ଼ିବାକୁ ହେବ । ଆଜି ନ ହେଲେ ବି କାଲି । ବିଭା ରାତିରେ ବିଧର୍ମ୍ମୀ ଡକାଇତ ଆସି ଯାହା ଧର୍ମ ନାଶ କରିଗଲା, ହିନ୍ଦୁ ଘରେ ସେ ଝିଅକୁ କି ଆଖିରେ ଦେଖନ୍ତି ଆପଣମାନେ, ତାହା ତ ମୁଁ ଜାଣେ-। ସେହିସବୁ ଝିଅଙ୍କର ଯାହା ଗତି, ତାକୁ ବି କ’ଣ ସେହି ପଥରେ ଯିବାକୁ ହେବ ? ସନ୍ଧ୍ୟା ପରେ ସଜବାଜ ହୋଇ ଠିଆ ହେବାକୁ ହେବ ସେହି ବଜାରର ଗଳିରେ ? ସେଠାରେ ଯେଉଁମାନେ ଥାନ୍ତି, ତାଙ୍କର କେତେ ଜଣଙ୍କୁ ତ ମୁଁ ଜାଣେ । ଏହି ବାଟ ଦେଇ ସେମାନେ ଦିନେ ବାହାରି ଆସିଥିଲେ-। ସେହି ଫୁଲପରି ଝିଅ, କିଛି ଦୋଷ କରି ନାହିଁ । ଦୁନିଆର କିଛି ପାପ ଯାହାକୁ ଛୁଇଁ ନାହିଁ । ତାକୁ ବି ଯାଇ ପଚି ମରିବାକୁ ହେବ ସେହି ଦୋକାନର ପଙ୍କ ଭିତରେ ? ମୋର ସର୍ବସ୍ୱ ଦେଇ ମଧ୍ୟ ତାକୁ ବଞ୍ଚାଇବାର କିଛି ଉପାୟ ନାହିଁ ?

 

ଏହି ନିଷ୍ଫଳ ପ୍ରଶ୍ନମାଳାର ମୁଁ କି ଉତ୍ତର ଦେବି ? ମୁଁ କେବଳ ନିର୍ବାକ୍‍ ବିସ୍ମୟରେ ତା’ର ଅଗ୍ନି ଗୋଲକ ଭଳି ଆଖି ଯୋଡ଼ିକୁ ଚାହିଁ ରହିଲି । ସର୍ବାଙ୍ଗରେ ଅନୁଭବ କଲି ତା’ର ଦାହ । ପ୍ରଶ୍ନବାଣ ନିରସ୍ତ ହେଲା । କିନ୍ତୁ ତା’ର ଉତ୍ତେଜିତ ଭଗ୍ନକଣ୍ଠର ଦୁଃସହ ବେଦନା ଘରସାରା ଅନୁରଣିତ ହୋଇ ବୁଲିବାକୁ ଲାଗିଲା ।

 

ଝିଅଟାର ଯେଉଁ ବିଭୀଷିକାମୟ ଭବିଷ୍ୟତ ଆଜି ତା’ର କଳ୍ପନାରେ ଭାସି ଉଠିଅଛି, ଦିନେ ତାହା ଯେ ବାସ୍ତବର ରୂଢ଼ ରୂପ ଧରି ଦେଖା ଦେବ ନାହିଁ, କିପରି କହିବି ? କିନ୍ତୁ ସେହି ପରିଣାମ ଯଦି ପ୍ରକୃତରେ ଦେଖା ଦିଏ, ମୁନ୍‌ସି ତାକୁ ରୋଧ କରିବ କ’ଣ ଦେଇ ? କେଉଁ କାମରେ ଲାଗିବ ତା’ର ସଯତ୍ନ-ସଞ୍ଚିତ ଗୁପ୍ତଧନ ?

 

ଏହି କଥାଟା ମୁଁ ଯେପରି ଭାବରେ ବୁଝିଅଛି, ଏହି ବହୁଦର୍ଶୀ ଅଭିଜ୍ଞ ଦସ୍ୟୁ ତାହାଠାରୁ କମ୍‌ ବୁଝି ନାହିଁ । କିନ୍ତୁ ମନୁଷ୍ୟ ଜୀବନରେ ବୁଦ୍ଧିର ସ୍ଥାନ କେତେ ଟିକିଏ ? କେତେଟା ପ୍ରଶ୍ନର ଜବାବ ସେ ଦେଇ ପାରିଛି ଆଜି ଯାଏ ? କେଇଟା ସମସ୍ୟାର ସମାଧାନ ? Rational animal ବୋଲି ମାନବ ଜାତିର ପରିଚୟ ଅଛି ଦର୍ଶନର ପୃଷ୍ଠାରେ । ଜୀବଜଗତରେ ମଣିଷ ତା’ର ଶ୍ରେଷ୍ଠତ୍ୱର ଦାବି କରେ । ତାହା ମୂଳରେ ବି ଶୁଣେ ତା’ର ସେହି Rationalism । ଶୁଣେ ଏହାଇ ହେଉଛି ତା’ର ବୈଶିଷ୍ଟ୍ୟ । ସେଥିପାଇଁ ଗର୍ବ ବୋଧ କରିବାକୁ ଚାହାନ୍ତି କରନ୍ତୁ । କିନ୍ତୁ ଏକଥା ଅସ୍ୱୀକାର କରିବି କିପରି ଯେ ମୋ ଭିତର ଯେତିକି Rational ତାହାଠାରୁ ବହୁତ ବେଶି animal ।

 

ଜ୍ଞାନଗର୍ବୀ ମଣିଷ ଏହି ସହଜ ସତ୍ୟଟା ମାନି ନେବାକୁ ଲଜ୍ଜାବୋଧ କରେ । ବୁଦ୍ଧିଜୀବୀ ବୋଲି ତା’ର ଅହଙ୍କାରର ଅନ୍ତ ନାହିଁ । ନ୍ୟାୟଶାସ୍ତ୍ରର ଧରାବନ୍ଧା ଫରମୁଲା ଦେଇ ସେ ବାନ୍ଧିବାକୁ ଚାହେଁ ତା’ର ଦୈନନ୍ଦିନ କର୍ମଧାରା । କିନ୍ତୁ ଯେତେବେଳେ ଝଡ଼ ଉଠେ କେଉଁଠି ରହେ ତା’ର Logical syllogism ! ଶତଚ୍ଛିନ୍ନ ହୋଇଯାଏ ତା’ର ହିସାବନିକାଶର ଜଟିଳ ସୂତ୍ର । ସେଦିନ ଯେ ତାକୁ ପଥ ଦେଖାଇ ନେଇଯାଏ, ସେ ତା’ର ମସ୍ତିସ୍କ ନୁହେଁ, ହୃଦୟ । ହେଡ଼ ନୁହେଁ, ହାର୍ଟ । ଯାହାର ରହସ୍ୟମୟ ଭାଷାର କୌଣସି ଆଭିଧାନିକ ଅର୍ଥ ନାହିଁ, କୌଣସି ଥିଓରିର ଛାଞ୍ଚରେ ବି ଯାହାକୁ ବନ୍ଧାଯାଏ ନାହିଁ ।

 

ମୁନ୍‌ସିର ଜୀବନରେ ଝଡ଼ ଉଠିଥିଲା । ତେଣୁ ଯେଉଁ ପ୍ରଶ୍ନ ନିର୍ଗତ ହେଲା ତା’ର ବିକ୍ଷତ ବକ୍ଷ ଆଲୋଡ଼ିତ କରି, ତାହା ମଧ୍ୟ ଏହିପରି ଅର୍ଥହୀନ । ନିର୍ବିକାର ନିର୍ବେଦ ମୁଁ କେବଳ ତା’ର ଶ୍ରୋତା ହିଁ ରହିଗଲି । ତା’ର ବ୍ୟାକୁଳ ଦୃଷ୍ଟି ସେତେବେଳେ ସୁଦ୍ଧା ମୋ ମୁହଁ ଉପରେ ନିବଦ୍ଧ, ସାଗ୍ରହ ଉତ୍ତର ପ୍ରତୀକ୍ଷାରେ ଉନ୍ମୁଖ । ମୁଁ କାନ୍ଥର ଘଡ଼ିଟା ଆଡ଼କୁ ଚାହିଁଲି । ଆଠଟା ବାଜି ପନ୍ଦର । ଆଖି ତଳକୁ କରି ତା’ ଆଡ଼କୁ ଫେରି କହିଲି, ଜମାଦାର ଠିଆ ହୋଇ ରହିଛି । ତମକୁ ଏଥର ବନ୍ଦ ହେବାକୁ ହେବ, ମୁନ୍‌ସି ।

 

ଦିନା କେତେ ପରେ ଭୂତନାଥବାବୁ ପୁଣି ଆସି ଉପସ୍ଥିତ । ସେହିପରି ହଠାତ୍‌ ଏବଂ ହନ୍ତସନ୍ତ ।

 

–କଥା କ’ଣ ?

 

–ମୁନ୍‌ସିଟାକୁ ଥରେ ଆଣିବାକୁ ପଠାନ୍ତୁ ତ ?

 

–ନୂଆକରି ବଜାଇ ଦେଖିବା ଭଳି ପାଇଛନ୍ତି କି କିଛି ?

 

–ଗୋଟାଏ ଦାନ୍ତଭଙ୍ଗା ଗୁଣ୍ଡା ଧରା ପଡ଼ିଛି । ମନେ ହେଉଛି ତାହାରି ଦଳର ଲୋକ । ଦେଖେଁ, କିଛି କହେ କି ନା । ତାକୁ ଟିକିଏ ଏକା ପାଇଲେ ସୁବିଧା ହୁଅନ୍ତା ।

 

–ବେଶ୍‌, ତାହା ହିଁ ହେବ ।

 

ପାଖ ଘରେ ଘଣ୍ଟାଏ ଖଣ୍ଡେ ଧସ୍ତାଧସ୍ତି କରି ଭୂତନାଥବାବୁ ଯେତେବେଳେ ବାହାରି ଆସିଲେ, ତାଙ୍କ ମୁହଁ ଦେଖି ଆଶାନ୍ୱିତ ହୋଇପାରିଲୁ ନାହିଁ ।

 

–ସୁବିଧା ହେଲା, ଦାଦା ?

 

ସେ ମୁହଁକୁ ବିକୃତ କରି କହିଲେ, କିଛି ନା, କିଛି ନା । Very hard nut ମହାଶୟ, ମୋର ଦାନ୍ତ ଭାଙ୍ଗିଗଲା, ଦାନ୍ତଭଙ୍ଗାଟାର କିଛି ଖବର ମିଳିଲା ନାହିଁ ।

 

ଦାନ୍ତଭଙ୍ଗା ଲୋକଟା ପରଦିନ ଜେଲ୍‍କୁ ଆସିଗଲା । ମୁନ୍‌ସିକୁ ବେଳେ ଡାକି ପଚାରିଲି-। ଇଏ କ’ଣ ସେହି ?

 

ମୁନ୍‌ସି କିଛି ସମୟ ଚୁପ୍‍ କରି ରହି କହିଲା, ହଜୁରଙ୍କ ପାଖରେ ଲୁଚାଇବି ନାହିଁ । କିନ୍ତୁ ଆଉ କାହାରିକୁ ଏକଥା କହି ପାରିବି ନାହିଁ ।

 

ମାସେ ଖଣ୍ଡେ ଭିତରେ ମାମଲା ଆରମ୍ଭ ହୋଇଗଲା । ପୋଲିସ୍‌ର ତତ୍ପରତାରେ ତ୍ରୁଟି ନ ଥିଲା । ବଦରୁଦ୍ଦିନ ମୁନ୍‌ସି ସହିତ ଆସାମୀ ବୋଲି ଦଳେ ଲୋକଙ୍କୁ ଗ୍ରେପ୍ତାର କରି ଚାଲାଣ ଦିଆହେଲା । ସେମାନଙ୍କୁ ଦେଖି ତା’ର ଆଉ ହସର ସୀମା ନାହିଁ–ଏମାନେ ଥିଲେ ପରା ମୋ ସାଙ୍ଗରେ ? କିଏ ଜାଣେ ? ହୁଏତ ଥିଲେ ଆର ଜନ୍ମରେ । ଏ ଜନ୍ମରେ ତ ଏହାଙ୍କ ଭିତରୁ କୌଣସିଟାକୁ ଦେଖିଛି ବୋଲି ମନେ ପଡ଼ୁନାହିଁ ।

 

ଆତ୍ମପକ୍ଷ ସମର୍ଥନ ପାଇଁ ମୁନ୍‌ସି କୌଣସି ଓକିଲ ଦେଇ ନାହିଁ । ଖୁନୀ ଆସାମୀ ବୋଲି ସରକାରୀ ବ୍ୟୟରେ ଓକିଲ ନିଯୁକ୍ତ ହେଲା । ସ୍ଥାନୀୟ ବାର୍‌ର ଜଣେ ଉଦ୍ଦୀୟମାନ କ୍ରିମିନାଲ ଲଇଆର । ସେ ଆସି ପରାମର୍ଶ ଦେଲେ କନଫେଶନଟା retract କର । କୁହ, ପୋଲିସ୍‌ର ଭୟରେ କ’ଣ କହିଛି, ମନେ ନାହିଁ । ମାଡ଼ ଡରରେ ମୁଣ୍ଡ ଠିକ୍‌ ନ ଥିଲା । ଏଇ ମାମଲାର କିଛି ମୁଁ ଜାଣେ ନାହିଁ । ବାଶ୍‌, ବାକି ତକ ରହିଲା ମୋ ଉପରେ, ନିଶ୍ଚୟ ଖଲାସ କରିଦେବି ।

 

ମୁନ୍‌ସି ହସି କହିଲା, ଭୟ ନାହିଁ ବାବୁ । କନଫେଶନ କଲେ ମଧ୍ୟ ମାମଲାଟା ଯେପରି ଅନେକ ଦିନ ଚାଲେ, ସେ ବ୍ୟବସ୍ଥା ମଧ୍ୟ ମୁଁ କରି ରଖିଛି । ଫି ଆପଣଙ୍କର ମାରାଯିବ ନାହିଁ ।

 

ମାମଲାର ପ୍ରଥମ ଦିନ ୫ଟା ବେଳେ କୋର୍ଟ ଯେତେବେଳେ ଉଠିବାକୁ ଯାଉଛନ୍ତି, ମୁନ୍‌ସି ହାତ ଯୋଡ଼ି କହିଲା, ଧର୍ମାବତାର, ଆପଣଙ୍କ ଇଜଲାସରେ ମୋତେ ଯେ ବସିବାକୁ ଅନୁମତି ଦେଇଛନ୍ତି, ସେଥିପାଇଁ ଖୋଦା ଆପଣଙ୍କର ମଙ୍ଗଳ କରନ୍ତୁ । ଆଉ ଗୋଟାଏ ବେଆଦପି ମାଫ୍‌ କରିବେ । ବସି ବସି ଆଉ ସେହି ଏକ ଘେଉଆ ବକ୍ତୃତା ଶୁଣୁ ଶୁଣୁ ଭାରି ନିଦ ମାଡ଼ିଯାଏ । ଯଦି ଶୋଇପଡ଼େଁ, କସୁର ନେବେ ନାହିଁ ।

ହାକିମ ପ୍ରବୀଣ ଲୋକ । ସେ ଆଖି ବଡ଼ ବଡ଼ କରି ଅନାଇ ରହିଲେ ତାଙ୍କର ପ୍ରଧାନ ଆସାମୀ ଆଡ଼କୁ । ଯେଉଁ ମାମଲାକୁ କୁହାଯାଇପାରେ ତା’ର ଫାଶି-ମଞ୍ଚର ପ୍ରବେଶ ଦ୍ୱାର, ତାହାରି କଥା ଶୁଣିବାକୁ ଯାଇ ନିଦ ଆସିଯାଏ ! ଏପରି ନିଦ ବୋଧହୁଏ ତାଙ୍କ ଦୀର୍ଘ ଜୀବନରେ ଆଉ କେବେ ଦେଖି ନାହାନ୍ତି ।

ଏହାରି ମଧ୍ୟରେ ଦିନେ ହଠାତ୍‌ ଦିନ ଏଗାରଟାବେଳେ ଭୂତନାଥ ବାବୁଙ୍କର ଆବିର୍ଭାବ ।

–ସର୍ବନାଶ ହୋଇଗଲା, ମହାଶୟ ।

–କ’ଣ ହେଲା ?

–ମୁନ୍‌ସିକୁ ଥରେ କୋର୍ଟକୁ ପଠାଇବାକୁ ହେବ ।

–କୋର୍ଟକୁ ଯାଇ ନାହିଁ ସେ ।

–ନା । ଏଇ ଦେଖନ୍ତୁ ନା ।

 

ମୁନ୍‌ସିର ଓୟାରେଣ୍ଟ ଖଣ୍ଡ ଦେଖାଇଲେ । ଜେଲ୍‍ର ଡାକ୍ତର ତାହା ଉପରେ ଲେଖି ଦେଇଛନ୍ତି–unfit of attend court ।

 

କହିଲି, ଅସୁସ୍ଥ ହୋଇ ପଡ଼ିଲେ ଆଉ କୋର୍ଟବୁ ଯିବ କିପରି, କହନ୍ତୁ ?

 

–ଅସୁସ୍ଥ ମୋଟେ ସେ ନୁହେଁ । ଆପଣ ନିଜେ ଥରେ ଖବର ନେଇ ଦେଖନ୍ତୁ । ନିଶ୍ଚୟ ଏହା ସେହି କଲିକାର ଘଟଣାର ଜେରା । ଘଟଣାର ଯେଉଁ ସଂକ୍ଷିପ୍ତ ବିବରଣ ଦେଲେ ଭୂତନାଥବାବୁ, ତାହା ଏହି–

 

ମୋକଦ୍ଦମାର ଉଦବୋଧନୀ ବକ୍ତୃତା ପରେ ଦୁଇ ଦିନ ହେଲା ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି । ମୁନ୍‌ସି ତ ପ୍ରଥମରୁ ମାମଲା ସମ୍ବନ୍ଧରେ ଉଦାସୀନ । ଯେତେ କ୍ଷଣ ଅଦାଲତରେ କାମ ଚାଲେ କାଠଗଡ଼ାର ରେଲିଂରେ ଆଉଜି ଶୋଇ କଟାଇ ଦିଏ । କାଲି ଯେଉଁସବୁ ସାକ୍ଷୀଙ୍କର ଜମାନବନ୍ଦୀ ନିଆ ହେଲା, ତାଙ୍କ ମଧ୍ୟରୁ ଜଣେ ଥିଲା ସୀତାରାମ ଦତ୍ତର ଝିଅ । ତାକୁ ଯେତେବେଳେ ଅଣା ହେଲା ସେତେବେଳେ ବି ସେ ଯଥାରୀତି ଘୁଙ୍ଗୁଡ଼ି ମାରୁଥିଲା । ଦୁଇ ଚାରିଟା ପ୍ରଶ୍ନ କଲା ପରେ କେତେବେଳେ ହଠାତ୍‌ ତା’ର ନିଦ ଭାଙ୍ଗିଗଲା । ଡକ୍‌ ଆଡ଼କୁ ଚାହିଁ ହଠାତ୍‌ ଚମକି ପଡ଼ିଲା ମୁନ୍‌ସି । ଜମାନବନ୍ଦୀର ମଝିରେ କୋର୍ଟ ଆଡ଼କୁ ଚାହିଁ ହାତ ଯୋଡ଼ି କହିଲା, ଗୋସ୍ତାକି ମାଫ୍‌ କରିବେ, ଧର୍ମ୍ମାବତାର ! ମୋର ଏକରାରନାମାଟା ଥରେ ପଢ଼ି ଦେଖନ୍ତୁ । ମୁଁ ତ ସବୁ କବୁଲ କରିଛି । ସରକାର ପକ୍ଷରୁ ଯାହା କିଛି ଚାର୍ଜ, ଗୋଟାଏ କଥାରେ ମାନି ନେଇଛି । ତେବେ ଆଉ ଏହାକୁ ନେଇ ଟଣା ଘୋଷଡ଼ା କାହିଁକି ? ରେହାଇ ଦିଅନ୍ତୁ ତାକୁ । ମୁଁ ପୁଣି କହୁଛି, ଏଇ ଝିଅଟାର ଚରମ ସର୍ବନାଶ ପାଇଁ ଦାୟୀ ମୁଁ । ତା’ର ସ୍ୱାମୀକୁ ଖୁନ୍‍ କରିଛି ମୁଁ, ସେମାନଙ୍କର ସର୍ବସ୍ୱ ଲୁଟ୍‌ କରିଛି ମୁଁ । ଆଉ ବଳାତ୍କାର ହଁ–ମୁଁ–ମୁଁ–ଉଃ–କହି ହଠାତ୍‌ ଛାତିକୁ ଚାପି ଧରି ବସିପଡ଼ିଲା । ସାଙ୍ଗେ ସାଙ୍ଗେ ଝିଅଟାବି ଅଜ୍ଞାନ ହୋଇ ପଡ଼ିଗଲା ସାକ୍ଷୀର କାଠଗଡ଼ାରେ ।

 

ଅଦାଲତ ବନ୍ଦ ହୋଇଗଲା । ମୁନ୍‌ସିକୁ ତା’ପରେ ଧରାଧରି କରି କଇଦୀଙ୍କ ଗାଡ଼ିରେ ପଠା ହେଲା ଜେଲ୍‍କୁ । ଝିଅଟାକୁ ନେଇଗଲେ ହସପିଟାଲ୍‍ । ତା’ର ଜ୍ଞାନ ଫେରି ଆସିବାକୁ ଲାଗିଲା ଦୁଇ ଘଣ୍ଟା ।

 

ଭୂତନାଥବାବୁ କହିଲେ, ଝିଅଟାର ଅବସ୍ଥା ବିଶେଷ ଭଲ ନୁହେଁ । ତଥାପି ଡାକ୍ତରଙ୍କୁ ରାଜି କରାଇ କୌଣସି ପ୍ରକାରେ ଷ୍ଟ୍ରେଚାରରେ କୋର୍ଟକୁ ନେଇ ଆସିଛି । ଯେପରି ହେଉ ତା’ର ଏଭିଡେନ୍‌ସଟା ଆଜି ମଧ୍ୟରେ ଶେଷ କରିବାକୁ ହିଁ ହେବ । ଏଣେ ଅସଲ ଆସାମୀ ହିଁ ଗରହାଜିର-। ତା’ର Absenceରେ ତ Trial ଚାଲି ନ ପାରେ । ଯେପରି ହେଉ, ତାହାକୁ ନେଇ ଯିବାକୁ ହିଁ ହେବ । ସମସ୍ତେ ଅପେକ୍ଷା କରୁଛନ୍ତି । କୋର୍ଟ ବସିଛନ୍ତି । ଟ୍ୟାକ୍‌ସି ମୋ ସଙ୍ଗରେ ଅଛି । କହିବେ ତ ଆମ୍ବୁଲାନ୍‌ସର ବ୍ୟବସ୍ଥା ବି କରିପାରେଁ ।

 

ଡାକ୍ତରଙ୍କୁ ଡାକି ପଚାରିଲି । ମୁନ୍‌ସିର ପୁଣି କ’ଣ ହେଲା ? ଡାକ୍ତର ଚିନ୍ତାନ୍ୱିତ ମୁହଁରେ କହିଲେ କିଛି ତ ବୁଝିପାରୁ ନାହିଁ । କାଲି କୋର୍ଟରୁ ଫେରି ଆସିବାଠାରୁ ଖାଉ ନାହିଁ, । କଥା କହୁ ନାହିଁ, ଖାଲି ଆଖି ବୁଜି ପଡ଼ି ରହିଛି ।

 

ଭୂତନଥ ଗର୍ଜି ଉଠିଲେ । ବଦମାସି, ସ୍ରେଫ୍‌ ବଦମାଇସି, ବୁଝିପାରୁ ନାହାନ୍ତି ମାମଲାଟାକୁ ମାଟି କରିବାକୁ ଚାହେଁ ଶଳା । ସେ ଜାଣେ ଝିଅଟା ଆଜି ଫେରିଗଲେ, ଆଉ ତାକୁ ମିଳିବ ନାହିଁ ।

 

ମୁଁ କହିଲି, ତା’ର କନଫେଶନ ପରେ ବି କ’ଣ ଝିଅଟିର Evidence ଏକାନ୍ତ ଦରକାର ?

–ଦରକାର ନୁହେଁ କ’ଣ ? କନଫେଶନର Supportରେ ଯଦି ଅନ୍ୟ Evidence ନ ଥାଏ, ତା’ର ମୂଲ୍ୟ କେତେ ! ଏଠାରେ ଯଦି ବା ସଜା ହୁଏ, ହାଇକୋର୍ଟରେ ଯାଇ ହାରିଯିବ ।

ଡାକ୍ତରଙ୍କୁ କହିଲି, କୌଣସି ରକମରେ ପଠାଇ ହେବ ନାହିଁ ?

ପଲସ୍‌ର ଯେପରି ଅବସ୍ଥା, ଭରସା କରେ ନାହିଁ, ସାର୍‌ ।

ଭୂତନାଥବାବୁଙ୍କୁ ନିରାଶ ହୋଇ ଫେରି ଯିବାକୁ ହେଲା । ସେହି ଦିନ ସନ୍ଧ୍ୟାବେଳେ ଜେଲ୍‍ ଭିତରର ଜନ-ବହୁଳ ରାସ୍ତାଗୁଡ଼ିକ ପ୍ରାୟ ଶୂନ୍ୟ । କଇଦୀମାନେ ସବୁ ଚାଲି ଯାଇଛନ୍ତି ଯେ-ଯାହାର ଉୟାର୍ଡ଼କୁ । ରନ୍ଧନଶାଳାର ଅହୋରାତ୍ରି ‘ମଉଛବ’ ଜଗି ଥାଆନ୍ତି ଯେଉଁମାନେ, ସେମାନେ ବି ତାଙ୍କର କଳାଲଗା ଜଙ୍ଘିଆ କୁର୍ତ୍ତା ବଦଳାଇ ଚଟୁ, ଖୁରସୁଣୀ ଓ ଡାଲିଘୁଣ୍ଟା ଦଣ୍ଡା ଧରି କ୍ଷିପ୍ତ ହସ୍ତରେ ତିଆରି ହେଉଛନ୍ତି । ଜମାଦାରଙ୍କ ଦଳ ‘ଗିନତି’ ମିଳାଇବାରେ ବ୍ୟସ୍ତ । ଡେପୁଟିବାବୁମାନେ ନିଜ ନିଜ ଇଲାକାରେ ଟହଲ ଦେଉଛନ୍ତି । ଲକ୍‌-ଅପ୍‍ ପର୍ବର ସୁଶୃଙ୍ଖଳ ସମାପ୍ତି ପାଇଁ ସଭିଙ୍କ ମନରେ ଉତ୍କଣ୍ଠା । ମୁଁ ମଧ୍ୟ ଚାଲିଅଛି ସଦଳବଳରେ । ପ୍ରାଚୀର ପରିକ୍ରମା ଶେଷ କରି ପୋଖରୀ ଆଡ଼ିରେ ଆସି ପହଞ୍ଚିଅଛି, ଏପରି ସମୟରେ ଏକ ଭଗ୍ନଦୂତ ଆସି ରିପୋର୍ଟ ଦେଲା, ଟୋଟାଲ ନେହି ମିଲତା ହ୍ୟାୟ । ଅଜ୍ଞାତସାରରେ କପାଳଟା ଝାଳେଇ ଗଲା । ଜେଲ୍‍ର ଚପରାସ ଯାହା କାନ୍ଧରେ, ତାହା ପାଇଁ ଏହାଠାରୁ ବଳି ଦୁଃସମ୍ବାଦ ଆଉ ନାହିଁ । ରୁକ୍ଷ ଜିଜ୍ଞାସୁ ଆଖିରେ ଚାହିଁଲି ହତଭାଗ୍ୟ ଦୁର୍ମ୍ମୁଖ ଆଡ଼କୁ । ସେ ସକୁଣ୍ଠ ବିନୟର ସହିତ ଜଣାଇଲା, ଏକଠୋ କମ୍‌ତି ହୁଆ ।

ଲକ୍‌-ଅପ୍‍ ଉଆର୍ଡକୁ ଆସି ଦେଖିଲି । କାହା ମୁହଁରେ ଶବଦ ନାହିଁ । ସବୁ ଉୟାର୍ଡ଼ଗୁଡ଼ାକ ଦୁଇଥର କରି ଗଣା ହୋଇ ଯାଇଛି । ଫଳ ଏକା, ଅର୍ଥାତ୍‌ ଏକଠୋ କମତି ହୁଆ । ହିସାବ ମୁତାବକ ହେବ ୧୩୪୩, ହେଉଛି ୧୩୪୨ । ସମସ୍ତେ ନୀରବରେ ଅପେକ୍ଷମାନ–ଏଥର କ’ଣ ହୁକୁମ ହେବ । ହୁକୁମ ହେଲା । Count again, ବ୍ୟାରାକରେ ବ୍ୟାରାକରେ ପୁଣି ଚହଳ ପଡ଼ିଗଲା । ଦୁଇ ଲାଇନ କରି ବସିଲେ କଇଦୀମାନେ । ଏଥର ଖାଲି ଜମାଦାର ନୁହେଁ, ଡେପୁଟି ବାବୁମାନେ ବି ଯୋଗ ଦେଲେ ଗଣନାରେ । ଦୁଇ, ଚାରି, ଛଅ, ଆଠ.......ଗୋଟି ଗୋଟି କରି ପୁଣି ସଭିଁଏ ଫେରି ଆସିଲେ ଲକ୍‌-ଅପ୍‌ ଉୟାର୍ଡ଼କୁ । ମୁହଁ ଅନ୍ଧାର ।

ଏଥର ବାକି ରହିଲା କେବଳ ଗୋଟିଏ ମାତ୍ର ପଥ–ଚରମ ଏବଂ ଶେଷ ପନ୍ଥା, ପାଗଳା ଘଣ୍ଟି । ଗୋଟାଏ ସୁଦୀର୍ଘ ହୁଇସିଲ, ତାହା ପରେ ଆରମ୍ଭ ହୋଇଯିବ ସର୍ବବ୍ୟାପୀ ତାଣ୍ଡବ । ଲାଠି ଏବଂ ବନ୍ଧୁକ କାନ୍ଧରେ ନେଇ ଅହେତୁକ ଉଲମ୍ଫନ, ଗୋଟା ପଚାଶ ମଶାଲ ଜାଳି ସମ୍ଭବ ଓ ଅସମ୍ଭବ ସ୍ଥାନରେ ନିଷ୍ଫଳ ଅନୁସନ୍ଧାନ, ପ୍ରାଚୀର ବେଷ୍ଟନ କରି ପୋଲିସ୍‌ବାହିନୀଙ୍କର ବ୍ୟର୍ଥ ଆସ୍ଫାଳନ । ଅତଃପର ସୁଦୀର୍ଘ ଲଙ୍କାକାଣ୍ଡର ସମାପ୍ତି । ଶୁଷ୍କ ମୁଖରେ ନତ ଶିରରେ ଭଗ୍ନଦୂତର ପୁନଃ ପ୍ରବେଶ ।

–କି ବାର୍ତ୍ତା ?

–ଏକଠୋ କମତି ହ୍ୟାୟ ।

ବଡ଼ ଜମାଦାର ଆଡ଼କୁ ଫେରି କହିଲି ସବୁ ତ ହେଲା । ଆଉ କ’ଣ ? ଏଥର ଶିଙ୍ଗା ଫୁଙ୍କିଦିଅ–

 

–ମିଲଗିୟା, ମିଲଗିୟା......ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଆସିଲା ଏକ ଓୟାର୍ଡ଼ର ।

 

–କେଉଁଠି ? କାହାଁ ମିଲଗିୟା ?–ଏକା ସଙ୍ଗରେ ଅଠରଟା ପ୍ରଶ୍ନ ।

 

–ଓହି ପେଡ଼୍‌ପର–

 

ପେଡ଼୍‌ପର ! ସଦଳବଳେ ଧାଇଁଲି ସେହି ଆଡ଼କୁ । ହସ୍‍ପିଟାଲର ପଛକୁ କମ୍ପାଉଣ୍ଡ ପାଚେରୀକୁ ଲାଗି ଗୋଟାଏ ବହୁ କାଳର ଅଶ୍ୱତ୍‌ଥ ଗଛ । ତାହାରି ଝଙ୍କାଳିଆ ଡାଳପତ୍ର ଭିତରୁ ବାହାରି ପଡ଼ିଅଛି ଦୁଇଟା ଗୋଡ଼ । ଆଗେଇ ଗଲାରୁ ପୂରା ଦେହଟା ଦେଖାଗଲା । ଧୋତିକୁ ବଳି ଲମ୍ବ ଦଉଡ଼ା ତିଆରି ହୋଇଛି । ତାହାରି ଗୋଟିଏ ପ୍ରାନ୍ତ ଗଛରେ ବନ୍ଧା, ଅନ୍ୟ ପ୍ରାନ୍ତଟା ବେକରେ ଫାଶ ଦିଆ ହୋଇଛି ।

 

କେତେକ ମିନିଟ ଭିତରେ ଝୁଲନ୍ତା ଦେହଟାକୁ ଓହ୍ଲାଇ ଅଣା ହେଲା । ଡାକ୍ତର ଆସି ନାଡ଼ି ଧରି ମୁହଁକୁ ବିକୃତ କଲେ । ଜିଭ ବାହାରି ଆସିଛି । ଆଖି ଯୋଡ଼ିକ ବାହାରି ପଡ଼ିବା ଉପରେ-। ବିଭତ୍ସ ଦୃଶ୍ୟ । ତଥାପି ଦେଖିଲା ମାତ୍ରେ ଚିହ୍ନି ପାରିଲି ।

 

ଜମାଦାରକୁ ଚାହିଁ କହିଲି ଘଣ୍ଟି..........

 

ସେଣ୍ଟ୍ରାଲ ଟାଓୟାର ଉପରୁ ତିନି ଘଣ୍ଟି ଜଣାଇ ଦେଲା, ସବ ଠିକ୍‍ ହ୍ୟାୟ ।

 

ପନ୍ଦର

 

ରବିବାର । ଓପରଓଳି ଚାରିଟା ବାଜି ପଇଁତ୍ରିଶ । ସଦଳ ବଳରେ ଫାଇଲ ଦେଖୁଛି । ଲାଲଫିତା-ବନ୍ଧା କାଗଜର ଫାଇଲ ନୁହେଁ; ଆଇନର ଶିକୁଳିବଦ୍ଧ ମଣିଷଙ୍କ ଫାଇଲ ମଣିଷ । କିନ୍ତୁ ମଣିଷର ପ୍ରାଥମିକ ଅଧିକାରରୁ ବଞ୍ଚିତ । ସଜ୍ଜନସମାଜ ତାକୁ ବର୍ଜନ କରିଅଛନ୍ତି । ତା’ର ମାନବତାର ଦାବି ପ୍ରତ୍ୟାଖ୍ୟାନ କରିଛନ୍ତି । ସଂସାରର ସହଜ ଏବଂ ପ୍ରକାଶ୍ୟ ପଥରୁ ସ୍ଖଳିତ ହୋଇ ଅନ୍ଧାର ପିଚ୍ଛିଳ ପଥ ଧରି ସେମାନେ ଦଳ ଦଳ ହୋଇ ଆସିଛନ୍ତି । ଲଲାଟରେ ମୁଦ୍ରିତ ଅପରାଧୀର ପଙ୍କ-ତିଳକ । ସେହି ସବୁ ମଣିଷଙ୍କର ଫାଇଲ ଦେଖୁଛି ।

 

ଗୋଟାଏ ପାଖରେ ଠିଆ ହୋଇ ଲମ୍ବ ଲାଇନଟା ଥରେ ଦେଖିନେଲି । ପିନ୍ଧିଛନ୍ତି ଜଙ୍ଘିଆ କୁର୍ତ୍ତା, ଅଣ୍ଟାରେ ଗାମୁଛା ବନ୍ଧା, ମୁଣ୍ଡରେ ଟୋପି, ବାଁ ହାତରେ ଟିକଟ, ଡାହାଣ ହାତଟା ଝୁଲି ରହିଛି ଦେହକୁ ଲାଗି । ଛାତି ଉପରେ ଲୁଗା ହୋଇଛି ଏଲୁମିନିୟମର ଚକତି । ଧାଡ଼ି ଧାଡ଼ି ହୋଇ ଠିଆ ହୋଇ ଅଛନ୍ତି ଇଣ୍ଡିଆନ ପେନାଲକୋର୍ଡ଼ର ଗୋଟିଏ ଗୋଟିଏ ଜୀବନ୍ତ ଧାରା । ୩୭୯ ପାଖରେ ୩୦୨ ତାହାରି କାନ୍ଧକୁ କାନ୍ଧ ଲଗାଇ ୪୨୦ କିମ୍ବା ୩୯୫–ଖୁନୀ, ତସ୍କର, ନାରୀମେଧଭୁକ୍‌, ଦସ୍ୟୁ, ପ୍ରତାରକ, ପକେଟ-କର୍ତ୍ତକଙ୍କର ବିଚିତ୍ର ସମାବେଶ । କିନ୍ତୁ ମୋ ଆଖିରେ ସେହି ବୈଚିତ୍ର୍ୟ ଅର୍ଥହୀନ । ଏଠାକୁ ଆସିଲେ ଇ ସଭିଏଁ ସମାନ ।’ ମୋ’ଠାରେ ରାମ ସହ ଶ୍ୟାମର ଯେଉଁ ପ୍ରଭେଦ ତାହା କେବଳ ନମ୍ବରର । ରାମ ୭୫୭ ଶ୍ୟାମ ୧୧୦୪ । ତାଙ୍କ ଅପରାଧର ବିବରଣ ମୁଁ ଜାଣେ ନା, ଜାଣେ ନାହିଁ ତାଙ୍କ ପ୍ରାକ୍‌-କାରାଜୀବନର କୌଣସି ଇତିହାସ । ଏକଥା ଜଣା ନାହିଁ, ରାମ ବୋଲି ଯେଉଁ ଲୋକଟା ମୋ ଆଗରେ ଠିଆ, ସେ ତା’ର ପ୍ରତିବେଶୀର ହାଣ୍ଡିରୁ ଚୋରି କରିଥିଲା ବେଲାଏ ପଖାଳ ଭାତ, ଆଉ ତା’ ପାଖରେ ଯେ ଶ୍ୟାମ ସେ ତା’ର ପ୍ରତିବେଶୀର ଆଠ ବର୍ଷର ଝିଅର ଛାତିରେ ଛୁରି ମାରି ଛଡ଼ାଇ ନେଇଛି ଦେଢ଼ଭରି ଓଜନର ସୁନାର ହାର । ମୋ’ଠାରେ ତାଙ୍କର ଏକମାତ୍ର ପରିଚୟ–କଇଦୀ । ଏତିକି ମାତ୍ର ଜାଣି ମୁଁ ସେମାନଙ୍କର ରିଫର୍ମ କରିବାର ଭାର ନେଇଅଛି ।

 

ମୋର କଇଦୀ ବାହିନୀଙ୍କ ମନର ଖବର ମୁଁ ରଖେ ନା । ତେଣୁ ସଭିଙ୍କ ଉପରେ ମୋର ସମଦୃଷ୍ଟି, ସଭିଙ୍କ ପ୍ରତି ମୋର ସମ-ଆଚରଣ । ଗୋଟିଏ ମଣିଷ ସହ ଅନ୍ୟ ଗୋଟିଏ ମଣିଷର ଯେଉଁ ଦୁସ୍ତର ବ୍ୟବଧାନ ଆମର ଶାସ୍ତ୍ର ଏ କଥା ମାନେ ନାହିଁ । ତାହା ମତରେ ରାମ ଓ ଶ୍ୟାମ ଏକ ଓ ଅଭିନ୍ନ । ଆହାରରେ ବିହାରରେ, କର୍ମରେ, ଅବସରରେ, ଶାସନ ଓ ଶୃଙ୍ଖଳାରେ ଏକା ସୂତ୍ରରେ ଗୁନ୍ଥା । ମୁଢି ଏବଂ ମିଶ୍ରି ଏକା ପାତ୍ରରେ ରଖି ଡିସିପ୍ଲିନର ପେଷଣ-ଯନ୍ତ୍ରରେ ମୁଁ ତାଙ୍କୁ ଗୁଣ୍ଡ କରି ଚାଲିଅଛି । ଯେଉଁ ବସ୍ତ୍ର ତିଆରି ହେଉଛି ତାହାର ସ୍ୱାଦ, ଗନ୍ଧ, ଅଥବା ବର୍ଣ୍ଣ ସମ୍ବନ୍ଧରେ ମୁଁ ନିର୍ବାକାର ।

 

ବର୍ତ୍ତମାନ ମୁଁ ଯେଉଁ କାର୍ଯ୍ୟରେ ରତ, ତାହାର ନାମ ସାପ୍ତାହିକ ଫାଇଲ ପରିଦର୍ଶନ । ଜାଣିବାକୁ ଆସିଅଛି କାହାର କ’ଣ ଅଭିଯୋଗ, କାହାର କି ନିବେଦନ । ଯଦି କିଛି ଥାଏ, ମୋ’ଠାରେ ତାହା ଅନୁକ୍ତ ରହିଯିବ । କାରଣ ଯେଉଁମାନଙ୍କ ସମ୍ବନ୍ଧରେ ଅଭିଯୋଗ, ମୋହରି ପଛରେ ଚାଲିଛି ତାଙ୍କର ଦୀର୍ଘ ପ୍ରସେସନ୍‍–ନାଲିଶ୍‍ ଅଛି ବାବୁ–

 

ପ୍ରସେସନ୍‍ ରହିଗଲା ।

 

–କି ନାଲିଶ୍‍ ?

 

ବକ୍ତା ବୋଧହୁଏ ସତୁରୀ ପାରି ହୋଇଯାଇଛି । ଝୁଙ୍କିପଡ଼ି, କୁଜା ହୋଇ, ଠିଆ ହୋଇ କୌଣସି ପ୍ରକାରେ ଫାଇଲ ଶୃଙ୍ଖଳା ରକ୍ଷା କରୁଛି । ଟିକଟ ଖଣ୍ଡିକ ମୋ ଆଡ଼କୁ ବଢ଼ାଇ ଦେଇ କହିଲା, ଦେଖ ତ ବାବୁ, ବୟସ କେତେ ଲେଖିଛି ? ତାହା ପାଖକୁ ଯେଉଁ କଇଦୀଟି ଠିଆ, ଦେଖିଲେ ମନେହୁଏ ପ୍ରାୟ ଏକା ବୟସ । ତା’ର ଟିକଟ ଖଣ୍ଡିକ ବି ଟାଣି ନେଇ ମୋ ହାତକୁ ଦେଇ କହିଲା, ଆଉ ଏଟାକୁ ବି ଦେଖ । କଣ୍ଠରେ ଉତ୍ତେଜନାର ଆଭାସ । କହିଲି, କଥା କ’ଣ କହିଲ ଭଲା ?

 

–କହୁଛି । ବୟସଟା ଆଗେ ଦେଖ ।

 

ସାଙ୍ଗେ ସାଙ୍ଗେ ଅଧୀର ପ୍ରଶ୍ନ–କ’ଣ ଲେଖା ଅଛି ?

 

ଏହିସବୁ ବେୟାଦବି ଅସହ୍ୟ ହେଲା ଚିଫ୍‌ ଜମାଦାରର । ଖିଙ୍କାରି ଉଠି କ’ଣ ଗୋଟାଏ କହିବାକୁ ଯାଉଥିଲା । ଇଙ୍ଗିତରେ ନିରସ୍ତ କରି ଦେଇ ବୁଢ଼ାକୁ ଅନାଇ କହିଲି, ତମ ବୟସ ତ ଦେଖୁଛି ୭୨ ଆଉ ତା’ର ୬୫ ।

 

ତା’ହେଲେ ତ ଆଇଟାର ବାବୁ ଠିକ୍‍ ହିଁ କହିଛନ୍ତି । କିନ୍ତୁ ଇଏ ତମମାନଙ୍କ କି ରକମ ବିଚାର ବାବୁ ? ମୋ ପୁଅଠାରୁ ମୁଁ ଜମା ୭ ବର୍ଷର ବଡ଼ ?

 

–ଏହି ଲୋକଟି ତମର ପୁଅ ?

 

–ମୋ ପୁଅ ନୁହେଁ କ’ଣ ସାହିପଡ଼ିଶାଙ୍କ ପୁଅ ?

 

ଏଥର ଆଉ ଉତ୍ତେଜନା ଚପା ରହିଲା ନାହିଁ । ପାଖ ଲୋକଟି ବିନୀତ କଣ୍ଠରେ କହିଲା, ହଁ ହଜୁର, ସେ ମୋର ବାପା, ବୟସ ହେଲାଣି କି ନା, ମିଜାଜଟା ତେଣୁ ଟିକିଏ....ତୁ ରହ–ଗର୍ଜି ଉଠିଲା ବୁଢ଼ା । ଜେଲ୍‍ ଖଟିବାକୁ ଆସିଛି ବୋଲି ଯାହାକୁ ଜନ୍ମ ଦେଲି, ତାକୁ ପୁଅ ବୋଲି କହି ପାରିବି ନାହିଁ ?

 

ନରମ ସ୍ୱରରେ କହିଲି, ନା, ନା, କିଏ କହିଲା, ପାରିବ ନାହିଁ ?

 

ସେଟା ଆମରି ଭୁଲ୍‍ ହୋଇଛି ।

 

ଡାକ୍ତରଙ୍କ ଆଡ଼କୁ ଚାହିଁଲି । ବିଚାରକର ବିଶେଷ ଦୋଷ ନାହିଁ । ବୟସ ନିର୍ଦ୍ଧାରଣର ଡାକ୍ତରୀ ପ୍ରକ୍ରିୟା କ’ଣ ଅଛି, ଜାଣେ ନାହିଁ । ତେବେ ଏମାନେ ଯେ ପିତାପୁତ୍ର । କେବଳ ଆଖିରେ ଦେଖି ଏ କଥା କହିବାକୁ ଗଲେ ରୀତିମତ ଦିବ୍ୟଜ୍ଞାନ ଥିବା ଦରକାର । ଟିକଟ ଦୁଇ ଖଣ୍ଡ ଡାକ୍ତରଙ୍କ ହାତକୁ ଦେଇ ଆଗେଇ ଯାଉ ଯାଉ ଶୁଣିଲି, ଡାକ୍ତର ଚପା ଗଳାରେ କହୁଛି–ତୁମେ ଯେ ଏଇ କଅଁଳ ଛୁଆଟିର ବାପ ଆଗରୁ କହିପାରିଥାନ୍ତ ।

 

ବୃଦ୍ଧର ସ୍ୱର ଚଢ଼ା–ମୁଁ ଫେର କ’ଣ କହିବି ? ତମର ଅକଲ ନାହିଁ ?

 

‘ନାଲିଶ୍‍’ର ବିଷୟବସ୍ତୁ ବେଶୀ ଭାଗ ହିଁ ଚିଠି । ସାଧାରଣ କଇଦୀ ଚିଠି ଲେଖି ପାରିବ ଦୁଇ ମାସ ଅନ୍ତରରେ ଖଣ୍ଡିଏ । ବାହାରୁ ଯେଉଁ ଚିଠି ତାଙ୍କ ନାମରେ ଆସେ ତାହା ବି ଗୋଟାଏଠାରୁ ଆଉ ଗୋଟିକର ବ୍ୟବଧାନ–ଦୁଇ ମାସ । ଡେପୁଟିବାବୁମାନେ ଟିକଟ ଦେଖି ତାରିଖ ଗଣି ଗଣି ଚିଠି ମଞ୍ଜୁର କରି ଚାଲିଛନ୍ତି ।

 

–ଖଣ୍ଡିଏ ପିଟିସନ୍‍ ଚାହେଁ ହଜୁର । ଆବେଦନ ଜଣାଇଲା ଗୋଟାଏ ଟୋକା, ନାମ ପାନାଉଲ୍ଲା ।

 

–ତୋର ପୁଣି କାହିଁର ପିଟିସନ୍‍ ?

 

ଆଖ ପାଖରେ ଟୋକାରକମ ଯେଉଁମାନେ ଠିଆ ହୋଇଥିଲେ, ସଭିଙ୍କର ମୁହଁରେ ଦେଖିଲି ଚପା ହସ, ପାନାଉଲ୍ଲା ଟିକିଏ ଇତସ୍ତତଃ କରି କହିଲା, ଚାଚା ଲେଖିଛି । ବହୂ ପରା ନିକା ବସିବାକୁ ଚାହେଁ ।

 

ମୁଁ କିଛି କହିବା ଆଗରୁ ଜବାବ ଦେଲେ ମୋର ଡେପୁଟି ଖାଲେକ ସାହେବ, ନିକା ବସିବ ନାହିଁ ତ କରିବ କ’ଣ ? ତମେ ମେହରବାନୀ କରି ସାତବର୍ଷ ଜେଲରେ ପଚିବ, ଆଉ ଟିକି ବହୂଟା ତମକୁ ଅନାଇ ବସି ରହିବ, ନା ?

 

ପାନାଉଲ୍ଲା ଟିକିଏ ଦବିଲା ନାହିଁ । ସାଙ୍ଗେ ସାଙ୍ଗେ ଜବାବ ଦେଲା । ନିକା ବସିବାକୁ ଚାହେଁ, ବସୁ । କିନ୍ତୁ ସେହି ଖୟଜର୍ଦ୍ଦ ଛଡ଼ା ଆଉ କ’ଣ ମଣିଷ ନାହାନ୍ତି ଦେଶରେ ? ମୁଁ ଯେତେ ଦିନ ଥିଲି, ସେତେବେଳେ ତ ପାଖ ମାଡ଼ିବାକୁ ଦେଖି ନାହିଁ । ବୁଲା କୁକୁରଟା ପରି ଲାଞ୍ଜ ଗୋଟେଇ ବୁଲୁଥିଲା । ଆଜି ମୁଁ ନାହିଁ ବୋଲି–

 

ତା’ର ଆଖି ଯୋଡ଼ିକ ଜଳି ଉଠିଲା ହିଂସ୍ର ପଶୁର ଆଖି ଭଳି । ବୁଝିଲି, ପାନାଉଲ୍ଲାକୁ ଯାହା ବିଚଳିତ କରିଅଛି, ତାହା ଆସନ୍ନ ପତ୍ନୀ-ବିଚ୍ଛେଦର ଆଶଙ୍କା ନୁହେଁ, ତାହାଠାରୁ ବି ଗଭୀର ଏବଂ ଜଟିଳତର, ଦରଖାସ୍ତ ମଞ୍ଜୁର କରିବାକୁ ହେଲା । ତଥାପି ଥରେ ପଚାରିଲି, ପିଟିସନ୍‍ କରି ଏଇ-ନିକା ତୁ ବନ୍ଦ କରିବୁ କିପରି–ନିକା ବନ୍ଦ କରିବାକୁ ଚାହେଁ ନା, କହିଲା, ପାନାଉଲ୍ଲା ବସ୍ତିର ଦାରୋଗାକୁ ଖାଲି ଜଣାଇ ଦେବି, ପାନାଉଲ୍ଲା ସାରା ଜୀବନ କିଛି ଜେଲରେ ରହିବ ନାହିଁ । ଛାଡ଼ ସେ ଦିନେ ପାଇବ ।

 

ଏହା ପରେ ଯେଉଁସବୁ ପିଟିସନ୍‍ର ଆବେଦନ ପାଇଲି, ତହିଁରେ ନୂତନତ୍ୱ କିଛି ନାହିଁ । ଘରେ ସ୍ତ୍ରୀ ପୁତ୍ର ଖାଇବାକୁ ନ ପାଇ ମରୁଛନ୍ତି, ଶତ୍ରୁପକ୍ଷୀୟ ଲୋକମାନେ ଅତ୍ୟାଚାର କରୁଛନ୍ତି, ଜମିଦାର ବାକି ଖଜଣା ଦାବିରେ ଘର ଦୁଆର ନିଲାମକୁ ଆଣିଛି, ପ୍ରତିକାର ଲୋଡ଼ା । ଏହି ଗୋଟିଏ ପ୍ରକାର କ୍ଳାନ୍ତିକର କାହାଣୀ ଶୁଣି ଆସୁଛି ବର୍ଷ ପରେ ବର୍ଷ, ଯେଉଁ ଦିନଠାରୁ ଏହି ପରାସ କାନ୍ଧକୁ ନେଇଛି । ପ୍ରଥମ ଜୀବନରେ ମନଟା ଉତ୍ତେଜିତ ହୋଇ ଉଠୁଥିଲା । ନିର୍ବିଚାରରେ ଦରଖାସ୍ତ ମଞ୍ଜୁର କରୁଥିଲି । ଗରମ ଗରମ ନୋଟ୍‍ ଲେଖୁଥିଲି ତା’ର ଆର ପାଖରେ, ଜଣାଇବାକୁ ଚେଷ୍ଟା କରୁଥିଲି ନିଷ୍ପ୍ରାଣ କର୍ତ୍ତୃପକ୍ଷଙ୍କ ନିଦ୍ରାଗତ କର୍ତ୍ତବ୍ୟବୋଧ । ମନକୁ ବୁଝାଇବାକୁ ଚାହିଁଥିଲି–ପ୍ରତିକାର ଗୋଟାଏ ନିଶ୍ଚୟ ହେବ, ଯଦିଚ କ’ଣ ସେହି ପ୍ରତିକାର ତା’ର ସଠିକ୍‍ ଚେହେରା ନିଜ ପାଖରେ କୌଣସି ଦିନ ସ୍ପଷ୍ଟ ହୋଇ ଉଠି ନାହିଁ । ଆଜି ଆଉ ଏହି ଦୁଃଖର କାହାଣୀ ମନକୁ ସ୍ପର୍ଶ କରେ ନାହିଁ । ତଥାପି ଯନ୍ତ୍ର ଭଳି ଦରଖାସ୍ତ ମଞ୍ଜୁର କରେ, କିନ୍ତୁ ତା’ର ଫଳାଫଳ ସମ୍ବନ୍ଧରେ କୌଣସି ମିଥ୍ୟା ଧାରଣା ମନକୁ ସ୍ପର୍ଶ କରେ ନାହିଁ ।

 

ବଡ଼ ବଡ଼ ମାମଲାର ସୁଦୀର୍ଘ ଶୁଣାଣି ପରେ ବିଚାରକ ଯେତେବେଳେ ଅପରାଧୀକୁ ସାତ, ଆଠ, ଦଶ କିମ୍ବା କୋଡ଼ିଏ ବର୍ଷ ପାଇଁ ଜେଲ୍‍କୁ ପଠାଇ ଦିଅନ୍ତି, ଆମେ ଅର୍ଥାତ୍‌ ସତ୍‌ଶିଷ୍ଟ ଭଦ୍ରଲୋକମାନେ ନିଶ୍ଚିନ୍ତ ହେଉଁ । ଜଜ୍‌ସାହେବ ଆତ୍ମପ୍ରସାଦ ଲାଭ କରନ୍ତି, ଖବରକାଗଜର ସମ୍ପାଦକୀୟ ସ୍ତମ୍ଭରେ ତାଙ୍କର ନ୍ୟାୟ ବିଚାରର ଗୁଣକୀର୍ତ୍ତନ ଧ୍ୱନିତ ହୁଏ । କିନ୍ତୁ ଏକଥା ବୋଧହୁଏ ସେ ଜାଣନ୍ତି ନାହିଁ, ଆମେମାନେ ବି ଭାବି ଦେଖି ନାହୁଁ–ଏହି କଠୋର ଦଣ୍ଡଟା ଭୋଗ କରେ କିଏ-? ଲୋକଟା ଜେଲ୍‍କୁ ଗଲା ଠିକ୍‌ କଥା । ଏହି ଜେଲ୍‍ ଯିବାରେ ଯେଉଁ ଦୁଃଖ ଅଛି, ଲଜ୍ଜା ଅଛି, ସାଂସାରିକ କ୍ଷୟକ୍ଷତି ଅଛି ଏବଂ ତାହାଠାରୁ ବି ବେଶୀ ଅଛି ଅସମ୍ମାନ ଓ ଅପଯଶ, ତାକୁ ମୁଁ ସାନ କରି ଦେଖୁ ନାହିଁ । ସ୍ୱାଧୀନତା-ହୀନତା ଏବଂ ପ୍ରିୟଜନ ବିଚ୍ଛଦରେ ଯେଉଁ ବେଦନା ସଦ୍ୟ କାରାଗାରରେ ଦୈନନ୍ଦିନ ଜୀବନକୁ ଭାରାତୁର କରି ପକାଏ, ସେ ସମ୍ବନ୍ଧରେ ମଧ୍ୟ ମୁଁ ସଚେତନ-। କିନ୍ତୁ କେବଳ ଏହି କାରଣରୁ ଯେତିକି ସହାନୁଭୂତି ଆମେ ବନ୍ଦୀକୁ ଦେଖାଉଁ, ଠିକ୍‌ ସେତିକି ବୋଧହୁଏ ତା’ର ପ୍ରାପ୍ୟ ନୁହେଁ । ନିଜର ଆଖିରେ ଦେଖି ଅଛି । ଯେତେ ଦିନ ଯାଏ, ମହାକାଳର ହସ୍ତ ସ୍ପର୍ଶରେ ତା’ର ମନର କ୍ଷତ ମିଳେଇ ଯାଏ । ଲିଭି ଆସେ ଲଜ୍ଜା ଓ ଅପମାନର ଗ୍ଳାନି, ସ୍ତିମିତ ହୋଇ ଆସେ ପ୍ରିୟ-ବିଚ୍ଛେଦର ତୀବ୍ରତା । ଦୁଃସହ ଦିନ ସହନୀୟ ହୋଇ ଆସେ । ଅନଭ୍ୟସ୍ତ ଜୀବନର ଅସଂଖ୍ୟ ତ୍ରୁଟି-ବିଚ୍ୟୁତି ଏବଂ ଅସ୍ୱାଚ୍ଛନ୍ଦ୍ୟର ତୀକ୍ଷ୍ମଧାରଗୁଡ଼ିକ ଆଉ ବାରମ୍ବାର ବିନ୍ଧେ ନାହିଁ-। ଧୀରେ ଧୀରେ ଏହି ବନ୍ଦୀଜୀବନର ସଙ୍ଗବହୁଳ ନୂତନ ପରିବେଶ ମଧ୍ୟରେ ଗଢ଼ିଉଠେ ଏକ ନୂତନ ସମାଜ ସ୍ୱଧର୍ମ୍ମୀ । ସହକର୍ମୀ ସହଯାତ୍ରୀଙ୍କୁ ବେଢ଼ି ଧରେ ନବଘନିଷ୍ଠତାର ଅଲକ୍ଷ୍ୟ ଆକର୍ଷଣ, ଦେଖାଦିଏ ନବରୂପୀ ବନ୍ଧୁତ୍ୱ ।

 

ଆହୁରି କିଛି ଦିନ ବିତିଯାଏ । କ୍ରମେ ମ୍ଳାନ ହୋଇ ଆସେ ଗୃହର ସ୍ମୃତି, ଶିଥିଳ ହୋଇ ଆସେ ବହିର୍ଜଗତର ଆକର୍ଷଣ । ତା’ପରେ ଏପରି ସମୟ ଆସେ, ଯେତେବେଳେ ଜେଲ୍‍ର ଏହି କଠୋର ରୂପଟା ତାହାର ଆଖିରେ ବଦଳି ଯାଏ । ଏହି ସଂକୀର୍ଣ୍ଣ ଜଗତର ଜୀବନଧାରା ମଝିରେ ସେ ନିଜକୁ ବୁଡ଼ାଇ ଦିଏ । କ୍ୱଚିତ୍‌ ମନେପଡ଼େ, ଏହା ତାହାର ଗୃହ ନୁହେଁ, କାରାବାସ ।

 

କିନ୍ତୁ ତାହା ବୋଲି ବିଚାରାଳୟରୁ ଯେଉଁ ଦଣ୍ଡ ସେ ବହନ କରି ଆଣି ଥିଲା, ତାହା ନିଷ୍ଫଳ ହୋଇଯିବ ? ନା, କେବଳ ତାହାର ଲକ୍ଷ୍ୟ ସ୍ଥଳ ବଦଳି ଯାଏ, ସେହି ଦଣ୍ଡ ଭୋଗ କରନ୍ତି କେତେଗୁଡ଼ିଏ ନାରୀ ଓ ଶିଶୁ । ଦଣ୍ଡିତ ଆସାମୀ ଉପରେ ଦିନେ ଯେଉଁମାନେ ଏକାନ୍ତ ନିର୍ଭର କରୁଥିଲେ ଏବଂ ଯେଉଁମାନଙ୍କୁ ପଥପ୍ରାନ୍ତରେ ବସାଇ ରଖି ସେ ଏହି ଜେଲ୍‍ର ଦୁଆରରେ ଆସି ଠିଆ ହୋଇଥିଲା, ସେହି ଦୁଆର ପାରି ନ ହେଉଣୁ ନିଜ ପାଇଁ ସେ ପାଇଲା ଅନ୍ନବସ୍ତ୍ରର ନିଶ୍ଚିନ୍ତତା, ପାଇଲା ନୂଆ ସମାଜ, ନୂତନ ବନ୍ଧନ, ଆଉ ତା’ର କାରାଦଣ୍ଡର ସବୁ କଠୋରତା ରହିଗଲା ତା’ର ପରିତ୍ୟକ୍ତ ପ୍ରିୟଜନଙ୍କ ପାଇଁ । ଜେଲ୍‍କୁ ଯେ ଆସେ ତା’ର ଶେଷ ସମ୍ବଳ ନିଃଶେଷ କରି ହିଁ ଆସେ-

 

ଜାଣେ ଏହାର ବ୍ୟତିକ୍ରମ ବି ଅଛି । ସୁଯୋଗ ଓ ସୁବିଧା ବୁଝି ମଝିରେ ମଝିରେ କାରାବରଣର ବ୍ୟବସ୍ଥା ଯେଉଁମାନେ କରନ୍ତି, ସେମାନେ ଅଲଗା ଜୀବ । ତାଙ୍କ କଥା ମୁଁ କହୁନାହିଁ । ସେହିମାନଙ୍କ କଥା ବି କହୁନାହିଁ, ଯେଉଁମାନେ ମୋର, ଆପଣଙ୍କର ଏବଂ ଆଉ ଦଶ ଜଣ ରାମ-ଶ୍ୟାମ-ଯଦୁର ବହୁ ଦୁଃଖାର୍ଜିତ ସଞ୍ଚୟତକ ବନ୍ଧୁବେଶରେ ଆହରଣ କରି ବ୍ୟାଙ୍କ କିମ୍ବା କୋମ୍ପାନୀ ନାମରେ ସାତ ମହଲା କୋଠା ଗଢ଼ନ୍ତି ଲାଲଦୀଘିର କୋଣରେ । ତା’ପରେ ହଠାତ୍‌ ଦିନେ ସେହି ଭବନ ଶୀର୍ଷରେ ଗୋଟିଏ ଲାଲବତୀ ଜଳାଇ ରଖି ଅନ୍ଧାରରେ ମିଳାଇ ଯାଆନ୍ତି । କେବେ କେବେ ଅବା ଛିଡ଼ିକି ଆସି ପଡ଼ନ୍ତି ମୋର ଏହି ଅତିଥିଶାଳାରେ । ସ୍ତ୍ରୀର ବେନାମୀରେ ରଖି ଆସନ୍ତି ଲେକ୍‌ ଅଞ୍ଚଳର ବିଶାଳ ପ୍ରାସାଦ, ତାହା ସହ ମୋଟା ଅଙ୍କର ପାସ୍‍ ବହି ଏବଂ ନିଜ ପାଇଁ ସଂଗ୍ରହ କରି ଆଣନ୍ତି ଖଣ୍ଡିଏ ଉଚ୍ଚଶ୍ରେଣୀର ପ୍ରବେଶ ପତ୍ର । ସେହିସବୁ ଭାଗ୍ୟବାନ ‘ଡିଭଜନ ବାବୁ’ ମୋର ଲକ୍ଷ୍ୟ ନୁହେଁ, ଜେଲ୍‍ର ଅରଣ୍ୟରେ ସେମାନେ ମୁଷ୍ଟିମେୟ ଅତି ବିରଳ ବଉଳ କିମ୍ବା କୃଷ୍ଣଚୂଡ଼ା ।

 

ମୁଁ କହୁଥିଲି, ସେହିସବୁ ସାହାଡ଼ା, ସିଜୁ, ସାରୁ ଆଉ ବଣତୁଳସୀଙ୍କ କଥା, ସଂଖ୍ୟାରେ ଯେଉଁମାନେ ଶହକେ ଅଠାନବେ । ପ୍ରତିଦିନ ଦଳକୁ ଦଳ ଆସି ଭିଡ଼ କରନ୍ତି ମୋର ଏହି ତୃତୀୟ ଶ୍ରେଣୀର ଲଙ୍ଗରଖାନାରେ । ଏଠାକୁ ଆସିବା ପୂର୍ବରୁ ଥାନାରୁ ହାଇକୋର୍ଟ ଯାଏ ମାମଲା ଲଢ଼ିଛନ୍ତି ଅଣ୍ଟା ଭିଡ଼ି, ଓକିଲ ଘରକୁ ପଠାଇ ଅଛନ୍ତି ବାକସ-ପେଟରା, ଥାଳି-କଂସା ଆଉ ସ୍ତ୍ରୀର ହାତର ଶେଷ ଅଳଙ୍କାର । ମହାଜନର ହାତକୁ ଟେକି ଦେଇଛନ୍ତି କ୍ଷୁଧାର୍ତ୍ତ ପରିବାରର ଏକାନ୍ତ ସମ୍ବଳ–ଦୁଇ ଚାରି ମାଣ ଧାନ ଜମି, ଜମିଦାରଙ୍କର କବଳରେ ନିକ୍ଷେପ କରିଅଛନ୍ତି ବାପ–ଗୋସେଇଁ ବାପଙ୍କ ଘରଡିହ ଆଉ ବୃଦ୍ଧାମାତା, ଯୁବତୀ ସ୍ତ୍ରୀ ଏବଂ ଶିଶୁ ସନ୍ତାନମାନଙ୍କ ହାତରେ ଦେଇ ଆସିଅଛନ୍ତି ଦାରିଦ୍ର୍ୟ, ଅନଶନ ଓ ଲାଞ୍ଛନା ।

 

କୋର୍ଟ ଯେଉଁ ଶାସ୍ତି ଦିଅନ୍ତି, ଆଇନର ଭାଷାରେ ତାହାର ନାମ Rigorous imprisonment । ତହିଁରୁ imprisonment ଅଂଶଟା କେବଳ ମୋ କଇଦୀଙ୍କ ଭାଗରେ ପଡ଼େ ଆଉ rigour ବହନ କରିବା ପାଇଁ ରହିଲେ ତାଙ୍କର ବର୍ଜିତ ଆଶ୍ରିତଙ୍କର ଦଳ ।

 

ପ୍ରତି ରବିବାରରେ ଭୋର ନହେଉଣୁ ସେହିସବୁ ପଛରେ ପକାଇ ଆସିଥିବା ନାରୀ ଓ ଶିଶୁଙ୍କର ଭିଡ଼ ଜମିଉଠେ ମୋର ଏହି ଜେଲ୍‍-ଗେଟ୍‍ ସାମନା ପଡ଼ିଆରେ । ମୁଁ ମୋର ଦୋତାଲାର ବାରନ୍ଦାରୁ ବସି ତାଙ୍କୁ ଦେଖିବାକୁ ପାଏଁ । ଅସହାୟ ଉଦ୍‌ଭ୍ରାନ୍ତ ଦୃଷ୍ଟି ମୁହଁରେ ନାହିଁ ଗୃହସ୍ଥର ଶ୍ୟାମଳଶ୍ରୀ । ଦଳେ ଲକ୍ଷ୍ମୀଛଡ଼ା ଯାଯାବର । ଓପରଓଳି ଚାରିଟା ବାଜିଲାରୁ ଆରମ୍ଭ ହୁଏ ମୋଲାକାତ । ଛିନ୍ନବସନା ସ୍ତ୍ରୀ ଆସି ଠିଆ ହୁଏ ଇଣ୍ଟରଭିଉ ଝରକାର ଲୁହାର ବାଡ଼ଘେରା ଝରକାର ବେଷ୍ଟନୀର ବାହାରେ । ତାକୁ ଘେରି ଠିଆ ହୁଅନ୍ତି ଦଳେ ସାନ ସାନ ଉଲଙ୍ଗ କଙ୍କାଳ । କୋଟରଗତ ଆଖିର ଲୁହ ସହ ଅନଶନ-କ୍ଷୀଣ କଣ୍ଠ ମିଳାଇ ତା’ର କଇଦୀ ସ୍ୱାମୀଠାରେ କହିଯାଏ ଅବିରାମ ଦୁର୍ଦ୍ଦଶାର କାହାଣୀ । ସାନ ପୁଅଟା ମରିଗଲା ଦିନକର ଜ୍ୱରରେ, ନ ପାଇଲା ଔଷଧ, ନ ମିଳିଲା ପଥ୍ୟ । ଜ୍ଞାନ ପାଇଥିବା ଝିଅଟିକୁ ଧରି ନେଇଯାଇଛି ଆଜଗର ମୁନ୍‌ସିର ପୁତୁରା । ବଡ଼ ପୁଅଟା ମାସେ ହେଲା କୁଆଡ଼େ ଯାଇଛି । ବାକି ଗୁଡ଼ାକ ଅପୋଗଣ୍ଡ । ବୁଢ଼ୀ ଏବେ ବି ମରିନାହିଁ । ଜମିଦାରର ପାଇକ ଦୁଇଓଳି ଧମକାଉଛି ମାସ ପୂରିଲେ ଡିହ ଛାଡ଼ି ଦେବାକୁ ହେବ ।

 

ମୁଁ ଆଉ କ’ଣ କରିବି ?–ଝରକାର ଏପାରିରୁ ଉଦାସ କଣ୍ଠରେ ଜବାବ ଦିଏ ସ୍ୱାମୀ । ଦେହରେ ତା’ର ପରିଚ୍ଛନ୍ନ ଜେଲ୍‍ର ପୋଷାକ । ସର୍ବାଙ୍ଗରେ ସ୍ୱାସ୍ଥ୍ୟ, ମୁହଁରେ ଦାର୍ଶନିକ ଗାମ୍ଭୀର୍ଯ୍ୟ ।

 

ଏହିପରି ବର୍ଷ ବିତିଯାଏ । ମଝିରେ ମଝିରେ ଆସି ସେହିଠାରେ ସେହି ଏକା କାହାଣୀ ଶୁଣାଇ ଯାଏ ତା’ର ସ୍ତ୍ରୀ । ତା’ପରେ ଆଉ ଆସନ୍ତି ନାହିଁ ତା’ର ହାଡ଼ସର୍ବସ୍ୱ ପିଲାଙ୍କର ପଲ । କିଏ ଜାଣେ କ’ଣ ହେଲା ତାଙ୍କର ? ବଞ୍ଚି ରହିଛନ୍ତି କି ନାହିଁ ସେହି ଖବରରେ ମଧ୍ୟ କାହାର କେଉଁ ପ୍ରୟୋଜନ ?

 

ଦଣ୍ଡଦାତା ଦଣ୍ଡ ଦେଇ ଖଲାସ । ତାଙ୍କର କ’ଣ ଆସେ ଯାଏ ? କେଉଁଠି ଯାଇ ପଡ଼ିଲା ତାଙ୍କର ଉଦ୍ୟତ ମୂଷଳ, ନିର୍ମୂଳ ହୋଇଗଲା କେଉଁ ସୁନାର ସଂସାର । ନିସ୍ତବ୍ଧ ହୋଇଗଲା କେଉଁ କୋଳାହଳ-ମୁଖର ଗୃହ-ପ୍ରାଙ୍ଗଣ !

 

ଦିନ ଯାଏ । ଦୀର୍ଘ ଦଣ୍ଡ କାଳ ଶେଷ ହୁଏ । ଯେଉଁ ଲୌହ-ତୋରଣର ପ୍ରସାରିତ ବାହୁ ଦଣ୍ଡିତ ବନ୍ଦୀକୁ ନିଃଶବ୍ଦରେ ଗ୍ରହଣ କରିଥିଲା, ସେହି ତାକୁ ସଶବ୍ଦରେ ବର୍ଜନ କରେ । ଗେଟ୍‍ ବାହାରେ ଗୋଡ଼ ଦେଇ ମୁକ୍ତ ପୃଥିବୀର ଅଜସ୍ର ଆଲୋକକୁ ଅନାଇ ତା’ର ଛାତି ଥରିଉଠେ । ଗୋଡ଼ ଦିଟା ଆଡ଼ଷ୍ଟ ହୋଇଯାଏ । କେଉଁଠାକୁ ଆସିଲି ? ଏ କେଉଁ ଦେଶ ? ସେହି ଯେଉଁ ଅବିଶ୍ରାନ୍ତ ଜଳ-ପ୍ରବାହ ଭଳି ବୋହି ଚାଲିଛନ୍ତି ଜନ-ପ୍ରବାହ, କେଉଁ ଆଡ଼କୁ ଚାହିଁ ଦେଖିବାର ଅବସର ନାହିଁ, କ’ଣ ପାଇ କେଉଁଠାକୁ ଚାଲିଛନ୍ତି ସେମାନେ ? ଗୋଟିଏ ପାଖରେ ଛିଡ଼ା ହୋଇ ବିସ୍ମୟ-ବିହ୍ୱଳ ଦୃଷ୍ଟି ମେଲେଇ ଚାହିଁ ରହେ ସେହି ମୋହାବିଷ୍ଟ ଜନତା ଆଡ଼କୁ । ଦଶ, ବାର, ପନ୍ଦର ବର୍ଷ ଏହି ବସ୍ତୁ ସେ ଦେଖିନାହିଁ । ସେ ଭୁଲି ଯାଇଅଛି ଜୀବନ-ଯୁଦ୍ଧର ତାଡ଼ନା । ଭୁଲି ଯାଇଅଛି, ଏହି ଅଗଣିତ ମଣିଷ ଉଦୟାସ୍ତ କାମ କରି ଯାଉଛନ୍ତି । ଏମାନଙ୍କର ଆଖି ଆଗରେ ରହିଛି ଆତ୍ମ-ପ୍ରତିଷ୍ଠାର ଆକାଙ୍‌କ୍ଷା । ଅନ୍ନ ଚାହାଁନ୍ତି, ବସ୍ତ୍ର ଚାହାଁନ୍ତି, ସମୃଦ୍ଧି, ସମ୍ମାନ ଆଉ ସ୍ୱାଚ୍ଛନ୍ଦ୍ୟ ଚାହାଁନ୍ତି, କେବଳ ନିଜ ପାଇଁ ନୁହେଁ, ପ୍ରିୟଜନମାନଙ୍କ ପାଇଁ । ସେହି ଆଶାର ମୋହ ତାକୁ ଅନ୍ଧ ଭାବରେ ଚଳାଇ ନେଇ ଯାଉଅଛି । ପ୍ରତିଦିନ ନୂଆ କରି ଯୋଗାଇ ଚାଲିଅଛି କର୍ମ-ପ୍ରେରଣା । ଅକ୍ଷୁଣ୍ଣ ରଖିଅଛି ସତତ-କ୍ଷୀୟମାନ ପ୍ରାଣଶକ୍ତି । ଏହି ମୋହାବେଶର ଉନ୍ମାଦନା ସେ ପାଇନାହିଁ ତା’ର ଦଶବର୍ଷର ବନ୍ଦୀ ଜୀବନରେ; ଅନୁଭବ କରିନାହିଁ ଆତ୍ମଜନଙ୍କ ପାଇଁ ଆତ୍ମପୀଡ଼ନର ଆନନ୍ଦ । ଅନ୍ନ-ବସ୍ତ୍ର-ଆଶ୍ରୟର ଭାବନା ତାକୁ ଭାବିବାକୁ ହୋଇନାହିଁ । ତାହା ସବୁ ଦେଇଛନ୍ତି ସଦାଶୟ ସରକାର ଏବଂ ତାହା ସହିତ ଦେଇଛନ୍ତି ପ୍ରିୟଜନର ଦାୟିତ୍ୱ ଏବଂ ଦୁଶ୍ଚିନ୍ତାରୁ ମୁକ୍ତି । ତାକୁ କାମ କରିବାକୁ ହୋଇଛି, କିନ୍ତୁ କାମ କରି ଖାଇବାକୁ ହୋଇନାହିଁ । ସେହି କାମ ତ କାମ ନୁହେଁ, କେବଳ ହସ୍ତପଦ-ସଞ୍ଚାଳନ । ତାହା ମଧ୍ୟରେ ନ ଥିଲା ପ୍ରାଣ, ନ ଥିଲା ପ୍ରେରଣା । ଜେଲ୍‍ର କାରଖାନାରେ ସେ ଥିଲା ଗୋଟିଏ ସଜୀବ ଯନ୍ତ୍ର–ଯେଉଁ ଯନ୍ତ୍ର ସେ ଚଳାଉଥିଲା ତାହାରି ଗୋଟିଏ ବୃହତ୍‌ ଅଂଶ ।

 

ଏହି ଚଳମାନ ଜନସ୍ରୋତ ପାଖରେ ଠିଆ ହୋଇ ଦଶବର୍ଷର କୁହୁଡ଼ିର ଆବରଣ ଭେଦ କରି ସେ ଦୃଷ୍ଟି ପକାଇଲା ପଛକୁ ଏକଦା ଯେଉଁଠି ଥିଲା ତା’ର ଗୃହ, ପ୍ରାଣପୂର୍ଣ୍ଣ ସ୍ନେହନୀଡ଼ । ମନେ ପଡ଼ିଗଲା ସବୁ, ମନେ ପଡ଼ିଗଲା ସମସ୍ତଙ୍କୁ । କିନ୍ତୁ ଛାତି ଭିତରଟା ଟଣ୍‌ଟଣ୍‌ କରି ଉଠିଲା ତ ନାହିଁ । ମମତ୍ୱବୋଧ ଚାଲି ଯାଇଅଛି, ଅସାଡ଼ ହୋଇଯାଇଛି ଦାୟିତ୍ୱର ଅନୁଭୂତି । ବୁକୁରେ ହାତ ଦେଇ ଦେଖିଲା । ହାତକୁ ଲାଗିଲା ଗୋଟାଏ ଶୁଖିଲା ନିରାଟ ମରୁଭୂମି । ଶ୍ରଦ୍ଧା, ପ୍ରୀତି, ଭଲପାଇବାର କୌଣସି କ୍ଷୀଣ ଫଲ୍‌ଗୁଧାରା ବି ବୋହୁନାହିଁ ତା’ର ଅନ୍ତସ୍ଥଳରେ ।

 

ପାଖରେ ଆସି ଠିଆ ହେଲା ଜଣେ ସଦ୍ୟମୁକ୍ତ କାରାବନ୍ଧୁ । ତିନି ବାର ଜେଲ୍‍ ଖଟି ଆଜି ଖଲାସ ପାଇଛି ଏକା ସଙ୍ଗରେ । କହିଲା, ଏହି ଠିଆ ଯେ ? ଘରକୁ ଯିବ ନାହିଁ ?

 

ଘର ! ଶ୍ଳେଷ-ବିକୃତ କଣ୍ଠରୁ ଉତ୍ତର ବାହାରି ଆସିଲା । ଓଠରେ ଫୁଟି ଉଠିଲା ଏକ ଅଦ୍ଭୁତ ବ୍ୟଙ୍ଗ ହସର କୁଞ୍ଚନରେଖା ।

 

–ନିଅ, ବିଡ଼ି ଖାଅ, ଆଗେଇ ଆସି ହାତ ବଢ଼ାଇଲା ନୂଆ ବନ୍ଧୁ ।

 

ସେହି ଆଡ଼କୁ ନ ଚାହିଁ ବିଡ଼ିଟା ସେ ହାତ ବଢ଼ାଇ ନେଲା, ଲଗାଇଲା, ଛିଡ଼ା ହୋଇ ନୀରବ ଉଦାସୀନ ଭାବରେ ଧୂଆଁ ଛାଡ଼ିଲା କେଇଥର, ତା’ପରେ ଗୋଡ଼ ବଢ଼ାଇ ଦେଲା ଯେଉଁ ଆଡ଼କୁ ଦୁଇ ଆଖି ଯାଏ, ମିଶିଗଲା ଜନାରଣ୍ୟର ଅନ୍ତରାଳରେ ।

 

ଫାଇଲ ପରେ କେସ୍‌ ଟେବୁଲ (Case table), ସେଣ୍ଟ୍ରାଲ ଟାଉଆର ତଳକୁ ମୁକ୍ତ ପ୍ରାଙ୍ଗଣରେ ମୋର ଅପରାହ୍‌ଣ ଅଫିସର ଗୋଟିଏ ଅଂଶ । ଏହି ଟେବୁଲରେ ବସି ମୁଁ କେସ୍‍ ଲେଖେଁ, ପ୍ରତି ସନ୍ଧ୍ୟାରେ କଇଦୀଙ୍କର ଟିକଟରେ । ବିଭିନ୍ନ ରକମର କେସ୍‍ । କାହାରି କମ୍ବଳ ଭିତରୁ ମିଳିଛି ଦୁଇଖଣ୍ଡ ଦୁକତା ପତର ଆଉ ଟିକିଏ ଚୂନ, କାହାରି ‘ଖଟଣି’ ଅର୍ଥାତ୍‌ ଦୈନିକ task ପୂରା ହୋଇନାହିଁ–ମହଣେ ବୁଟ ଭାଙ୍ଗି ଡାଲି କରିବା କଥା, ଭାଙ୍ଗିଛି ଛତ୍ରିଶ ସେର ବାର ଛଟାଙ୍କି । କେହି ଅବା ‘ଚୌକାରୁ’ ଲୁଚାଇ ଆଣିଛି ଦୁଇଟା ପିଆଜ ଓ ତିନିଟା ଲଙ୍କାମରିଚ, କିମ୍ବା ଗାମୁଛାର ବିନିମୟରେ ହସ୍‍ପିଟାଲର ମେଟ ସାହେବଙ୍କଠାରୁ ସଂଗ୍ରହ କରିଅଛି ଅଧସେରେ ଦୁଧ ଆଉ ଛଟାଙ୍କିଏ ଚିନି ।

 

ଏହିପରି ଏବଂ ଏହାଠାରୁ ବି ଗୁରୁତର କେତେ କେସ୍‍ର ତଦନ୍ତ କରେ, ରିପୋର୍ଟ ଲେଖେଁ ଟିକଟର ପୃଷ୍ଠାରେ ଏବଂ ପରଦିନ ସକାଳେ ଆଲାମତ-ସହ ଅପରାଧୀମାନଙ୍କୁ ହାଜର କରିଦିଏଁ ସୁପରଙ୍କ ଦରବାରରେ । ଆଉ ଦଫାଏ ଶୁଣାଣି ପରେ ସେ ବିଚାର ଶେଷ କରନ୍ତି । କାହାକୁ ଦିଅନ୍ତି ଦଣ୍ଡ ବେତ, କାହାକୁ ହାତକଡ଼ା, କାହାକୁ ପିନ୍ଧିବାକୁ ହୁଏ ଚଟର ଲୁଗା କିମ୍ବା ସେଲରେ ବସି ଖାଇବାକୁ ହୁଏ ଚାଉଳ ଚୂନାର ମଣ୍ଡ, ଆଇନର ଭାଷାରେ ଯାହାର ନାମ pennal diet ।

 

‘‘ଫେକୁ ଗୋଆଲା’’–ଭାରୀଗଳାରେ ଡାକଦେଲା ବଡ଼ ଜମାଦାର । ଗୋଟାଏ ଲୋକର ହାତ ଧରି ନେଇ ଆସିଲା, ‘ଆମଦାନୀର’ ମେଟ୍‌ । ମୋର ଟେବୁଲ ଆଗରେ ଠିଆ କଲା କ୍ଷଣି ଗର୍ଜି ଉଠିଲା ଜମାଦାରର ଦ୍ୱିତୀୟ ହୁକୁମ ସଲାମ କରୋ ।

 

ଦେଖିଲି, ଆଖିଯୋଡ଼ାକ ତା’ର ମନ୍ଦାର ଫୁଲ ପରି ଲାଲ, ବେଶ୍‍ ଫୁଲି ଉଠିଛି ଓ ପାଣି ଅନବରତ ଝରୁଛି ।

 

–ସେ କ’ଣ ! ଆଖିରେ କ’ଣ ହେଲା ?

 

–ଚୁନ ଲଗାୟା, ଆଉର କେୟା ? –ଜବାବ ଦେଲା ଜମାଦାର ।

 

–କିରେ ଚୁନ ଲଗାଇଛୁ ଆଖିରେ ?

 

–ନେହିଁ, ହଜୁର ।

 

–ଆଖି ଲାଲ ହେଲା କିପରି ?

 

–ବେମାର ହୁଆ–କହି ମୁରକି ହସିଲା ।

 

ଦୁଇଜଣ ସହକର୍ମୀ ସାକ୍ଷୀ କହିଗଲେ, କାନ୍ଥରୁ ଚୁନବାଲି ନେଇ ସେ ଆଖି ଭିତରେ ଘସିଦେଇଛି, ସେମାନେ ନିଜ ଆଖିରେ ଦେଖିଛନ୍ତି । କହୁଛି ହସ୍‍ପିଟାଲକୁ ଯିବ ।

 

ଟିକଟ ଲେଉଟାଇ ଦେଖିଲି, କେତେକ ମାସ ପୂର୍ବେ ଗୁଡ଼ିଏ ସାବୁନ ନା କ’ଣ ସାଜି ମାଟି ଖାଇ, ଆମାଶା କରି ଆଉଥରେ ପନ୍ଦର ଦିନ ପଡ଼ିଥିଲା ହସ୍‍ପିଟାଲରେ । ଧମକ ଦେଇ କହିଲି, ଆଖିରେ ଚୁନ ଲୁଗାଇଛୁ କ’ଣ ପାଇଁ ?

 

–ବାର ସେର ଗେହୁଁ ପିଷନେ ନେହିଁ ସକ୍‌ତା ।

 

–ନେହିଁ ସକ୍‍ତା ! ଗେହ୍ଲା ହେଉଛୁ ?

 

ଟିକଟର ପ୍ରଥମ ପୃଷ୍ଠା ଖୋଲି ଦେଖିଲି ଡାକ୍ତରଙ୍କ ନୋଟ୍‍ ରହିଛି–ହେଲ୍‌ଥ । ଗୁଡ, ଲେବର ହାର୍ଡ଼ । ଜେଲକୋର୍ଡ଼ର ବିଧାନରେ ଏପରି ଲୋକର ଗହମ ପେଷିବାର ଦୈନିକ ବରାଦି ବାର ସେର । ଅତଏବ ରିପୋର୍ଟ କରିବାକୁ ହେଲା; କିନ୍ତୁ ଆଖିରେ ଚୁନ ଦେବା ତା’ର ଏକବାରେ ବ୍ୟର୍ଥ ହେଲା ନାହିଁ । ବର୍ତ୍ତମାନ କିଛି ଦିନ ତାକୁ ହସ୍‍ପିଟାଲରେ ଆଶ୍ରୟ ମିଳିବ । ଫେରିଆସି ହାଜର ହେବ ବଡ଼ ସାହେବଙ୍କ ପାଖରେ ।

 

ସବାଶେଷରେ ଯାହାକୁ ଅଣା ହେଲା ସେ ଗୋଟିଏ ସତର ଅଠର ବର୍ଷର ପିଲା । ମୁହଁକୁ ଚାହିଁଲେ ଆଖି ଫେରାଇ ନେବାକୁ ଦଣ୍ଡେ ଲାଗେ । ଗୌରବର୍ଣ୍ଣ ଦୀର୍ଘଦେହ ଆଉ ଅନିନ୍ଦ୍ୟ ମୁଖଶ୍ରୀ ବୋଲି ନୁହେଁ, ସେହି ମୁହଁର ପ୍ରତିରେଖାରେ, କପାଳରେ, ଓଷ୍ଠରେ, ଚିବୁକର ବନ୍ଧନୀରେ ଗୋଟାଏ ସୁସ୍ପଷ୍ଟ ଆଭିଜାତ୍ୟର ଛାପ । ଜେଲ୍‍ଖାନାରେ ଯେଉଁଟା ଏକବାରେ ଅପ୍ରତ୍ୟାଶିତ । ଇଏ କେଉଁଠୁ ଆସିଲା ? କଳିଗୋଳ କରି କିମ୍ବା ଖୁନ୍‍ ଜଖମ କରି ବି କେବେ କେବେ ଆସିଥାନ୍ତି ଦୁଇ ଚାରିଟା ବଡ଼ ଘରର ପିଲା; କିନ୍ତୁ ଏହାର ଅପରାଧ ଦେଖୁଛି ଚୋରି । ୩୭୯ ଧାରାରେ ଛଅ ମାସ ଜେଲ୍‍ ।

 

ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲି । ଚମକ ଭାଙ୍ଗିଲା ଜମାଦାରର ଗର୍ଜନରେ–ଏକନମ୍ବର ହାରାମି ହଜୁର । ଫାଇଲ୍‌ ପର କଭି ନେଇ ଆୟଗା ।

 

ପଚାରିଲି–କାହିଁକି ? ଫାଇଲକୁ ଆସିନାହିଁ କ’ଣ ପାଇଁ ?

 

–ଶୋଇପଡ଼ିଥିଲି, ସାର୍‍ ।

 

କଥାଟା ବିଶ୍ୱାସ ହେଲା ନାହିଁ । ମନେହେଲା, ଅସଲ କାରଣ ନିଦ ନୁହେଁ । ବୋଧହୁଏ ସଭିଙ୍କ ସଙ୍ଗରେ ଧାଡ଼ି ବାନ୍ଧି ଠିଆ ହେବାର ଲଜ୍ଜା ଏବେ ବି ଛାଡ଼ିପାରି ନାହିଁ ।

 

–ତୁମର ନାମ କ’ଣ ?

 

–ପରିମଳ ଘୋଷ ।

 

–ବାପାଙ୍କର ନାମ ?

 

–ସେହି ଟିକଟରେ ଲେଖା ଅଛି ସାର୍‍ ।

 

ରୁକ୍ଷ କଣ୍ଠରେ କହିଲି, ଜାଣେ । ତେବେ ତମ ପାଖରୁ ଶୁଣିବାକୁ ଚାହେଁ । ପିଲାଟା ଗୋଟାଏ ମିନିଟ କ’ଣ ଭାବିଲା, ତା’ପରେ କହିଲା, ବିଜୟ ଗୋପାଳ ଘୋଷ ।

 

ଇଏ କେଉଁ ବିଜୟ ଗୋପାଳ ? ଏକା ନାମରେ ତ କେତେ ଲୋକ ଥାଆନ୍ତି ।

 

କିମ୍ବା ଏକଣ ସେହି ଆମର ବିଜୟର ପୁଅ ? ଜମାଦାରକୁ କହିଲି, ଉସକୋ ଅଫିସ ମେ ଲେଯାନା ।

 

ଅଫିସକୁ ଆସି ସହକର୍ମୀମାନଙ୍କଠାରୁ ଯେଉଁସବୁ ତଥ୍ୟ ପାଇଲି, ମୋର ସନ୍ଦେହ ସମର୍ଥିତ ହେଲା । ବିଜୟ ମୋର ବନ୍ଧୁ ଏବଂ ସହପାଠୀ । ଏମ୍‌.ଏ. ଆଉ ଲ ପାସ୍‍କରି ପହିଲେ ଯେପରି ହୋଇଥାଏ ଆଲିପୁର କୋର୍ଟକୁ ଯା ଆସ । ତା’ପରେ ଦିନେ ହଠାତ୍‌ ସରକାରୀ ଚାକିରି ନେଇ ଚାଲିଗଲା ମଫସଲକୁ । ସେହିଦିନୁ ଛାଡ଼ ବାଡ଼ । କାହା ମୁହଁରୁ ଯେପରି ଶୁଣିଥିଲି, କେଉଁ ଏକ ବିଶାଳ ବଡ଼ଲୋକର ଝିଅକୁ ବିଭାହେଲା ପରେ ସେ ହଠାତ୍‌ ବିଚ୍ଛିନ୍ନ ହୋଇ ପଡ଼ିଥିଲା ତା’ର ଆତ୍ମୀୟବନ୍ଧୁ ମହଲଙ୍କ ସଂସ୍ରବରୁ । ସତ କି ମିଛ ଜାଣେ ନାହିଁ । ମୁଁ ମଧ୍ୟ କେବେ ତାହା ସହିତ ଯୋଗାଯୋଗ ରଖିବାକୁ ଚେଷ୍ଟା କରି ନାହିଁ । ଭୁଲି ଯାଇଥିଲି ଏକରକମ । କିଏ ଜାଣିଥିଲା ଏତେ କାଳ ପରେ ଏପରି ଭାବରେ ତାକୁ ସରଣ କରିବାକୁ ହେବ ।

 

ଆମ କଲେଜର ଗୋଟାଏ ଗ୍ରୁପ୍‌ଫଟୋ ବସାରୁ ଅଣାଇ ପରିମଳର ହାତରେ ଦେଇ କହିଲି, ଦେଖ ତ କାହାକୁ ଚିହ୍ନ କି ନାହିଁ । ସେ ଚମକି ପଡ଼ିଲା ଇଏ କ’ଣ ! ଏ ଛବି ଆପଣ କେଉଁଠୁ ପାଇଲେ ? ଏହା ଭିତରେ ଯେ ମୋର ବାବା ଅଛନ୍ତି । କହିଲି, ତମ ବାବାଙ୍କର ଠିକ୍‍ ପାଖ ଲୋକଟିକୁ ଚିହ୍ନି ପାରୁଛ ।

 

–ନା, ତ ।

 

–ଭଲ କରି ଦେଖ ।

 

ବୁଦ୍ଧିମାନ ପିଲା । ଆଉ ଥରେ ଦେଖି ସଲ୍ଲଜ ହସି କହିଲା, ଆପଣ ! କହିଲି, ଏଥିରେ ଯେପରି ଦେଖୁଛ, ଠିକ୍‌ ଏହିପରି ଏକା ସାଙ୍ଗରେ ଆମେ ଦୁହେଁ ପାଖାପାଖି କଟାଇଥିଲୁଁ ଆମ କଲେଜ-ହଷ୍ଟେଲର ଛଅଟା ବର୍ଷ । ବିଜୟ ଓ ମୁଁ ବନ୍ଧୁ ଏବଂ ସହପାଠୀ । ବାହାରର ସମ୍ପର୍କ ଏତିକି । କିନ୍ତୁ ଯେଉଁ ସମ୍ପର୍କ ଆଖିରେ ଦେଖାଯାଏ ନାହିଁ, ତାହା କେବଳ ଆମେ ହିଁ ଜାଣିଥିଲୁଁ । ସେହି ବିଜୟର ପୁଅ ତମେ ! ଆଜି ଏଠାରେ–

 

ତାହା ଆଡ଼କୁ ନଜର ପଡ଼ିଲାରୁ କଥାଟା ଆଉ ଶେଷ କରି ହେଲା ନାହିଁ । ଦାନ୍ତରେ ଓଠକୁ ଚାପିଧରି ଅଶ୍ରୁରୋଧ କରିବାର ସେ କିପରି ଆପାଣ ଚେଷ୍ଟା ! କିନ୍ତୁ ବାରେ ମାତ୍ର ମୋ ଆଖିକୁ ଅନାଇ ତା’ର ସେ ଚେଷ୍ଟା ବ୍ୟର୍ଥ ହୋଇଗଲା । ଦୁଇ ଆଖିରୁ ଅଶ୍ରୁଧାରା ଗଡ଼ି ପଡ଼ିଲା ।

 

ଆତ୍ମୀୟସ୍ୱଜନ କେହି ଯେବେ ଜେଲ୍‍କୁ ଆସି ଯାଆନ୍ତି, ସଂଶ୍ଳିଷ୍ଟ ଜେଲ୍‍କର୍ମୀକୁ ତାହା କର୍ତ୍ତୃପକ୍ଷଙ୍କ ଗୋଚରକୁ ଆଣିବାକୁ ହେବ–ଏହା ଜେଲକୋର୍ଡ଼ର ବିଧାନ । ଆତ୍ମୀୟଟିକୁ ଅନ୍ୟତ୍ର ଚାଲାଣ ଦେବାର ବ୍ୟବସ୍ଥା କରିବାକୁ ହୁଏ । ପରିଭଳ ମୋର ଆତ୍ମୀୟ ନୁହେଁ, ସ୍ୱଜନ କହିଲେ ଯାହା ବୁଝାଏ, ତାହା ବି ନୁହେଁ । ତଥାପି ବହୁତ ଭାବି ସେହି ଆଇନର ଆଶ୍ରୟ ନେଲି । ଗଲାବେଳେ ସେ କହିଲା, ଏପରି ଭଲ ହେଲା । ମୁଁ ମଧ୍ୟ ଭାବୁଥିଲି କହିବି, ମୋତେ ଅନ୍ୟ କେଉଁଠାକୁ ପଠାଇ ଦିଅନ୍ତୁ ।

 

ହଠାତ୍‌ ଯେପରି ଧକ୍‌କା ଖାଇଲି । ସେ ବି ମୋତେ ଛାଡ଼ିଯିବାକୁ ବ୍ୟସ୍ତ ! କହିଲି, କାହିଁକି ? ତମେ ଯିବାକୁ ଚାହୁଁଥିଲ କ’ଣ ପାଇଁ ?

 

ପରିମଳ ଉତ୍ତର ଦେଲା ନାହିଁ । ମୁଣ୍ଡ ନୁଆଁଇ ନୀରବରେ ଠିଆ ହୋଇ ରହିଲା । ମୁଁ ବି ଜବାବ ପାଇଁ ଜୋର୍‍ କଲି ନାହିଁ । କେବଳ କହିଲି, ଯେଉଁଠାରେ ଥାଅ, ଗୋଟାଏ କଥା ମୋର ମନେ ରଖିବ । ଜେଲ୍‍ର ଆଇନକାନୁନଗୁଡ଼ାକ ମାନି ଚାଲିବାକୁ ଚେଷ୍ଟା କରିବ । ତା’ହେଲେ ଅନକ ଅନର୍ଥକ ଅସୁବିଧା ଏଡ଼ିପାରିବ ।

 

ମାସ ଚାରିପାଞ୍ଚ କଟିଗଲା । ତା’ପରେ ଦିନେ ସକାଳର ଡାକରେ ଗୋଟାଏ ମୋଟା ଖାମର ଚିଠି ପାଇଲି । ଅଚିହ୍ନା ହାତର ଲେଖା ଶେଷ ପୃଷ୍ଠାରେ ସବାଶେଷକୁ ନାମ ରହିଅଛି, ହତଭାଗ୍ୟ ପରିମଳ । ସେ ଯେ ମୋତେ ଚିଠି ଲେଖିବ, ଭାବିପାରି ନ ଥିଲି । ମୋତେ ଏଡ଼ି ଚାଲିବାକୁ ହିଁ ସେ ଚାହିଁଥିଲା । ଆଉ ତାହା ହିଁ ତାହା ପକ୍ଷରେ ସ୍ୱାଭାବିକ । କିନ୍ତୁ ସଂସାରରେ କେଇଟା ଘଟଣା ବା ସ୍ୱଭାବର ନିୟମରେ ଘଟିଥାଏ !

 

ଚିଠି ଖଣ୍ଡିକ ଆଜି ମୋ ହାତରେ ନାହିଁ । ସବୁ ଯତ୍ନ ଆଗ୍ରାହ୍ୟ କରି କୌଣସି ଗୋଟାଏ ବଦଳିର ଗୋଳମାଳରେ ଅଦୃଶ୍ୟ ହୋଇ ଯାଇଅଛି । ଚିଠି ନାହିଁ । ତା’ର ପ୍ରତିଛତ୍ରର ପ୍ରତିଟି କଥା ମୋ ମନରେ ଗୁନ୍ଥା ହୋଇ ରହିଛି । କିନ୍ତୁ ତାକୁ ବାହାରକୁ ଆଣି ରୂପ ଦେଇପାରେଁ ଏପରି ଦିବ୍ୟଶକ୍ତି ବିଧାତା ମୋତେ ଦେଇ ନାହାନ୍ତି । ଫଟୋଗ୍ରାଫ୍‌ ଯେଉଁପରି ଚିତ୍ର ନୁହେଁ, ଯେଉଁ ଚିଠିଟା ଏଠାରେ ଉତ୍ତାରି ଦେଲି, ସେଟା ବି ସେହିପରି ପରିମଳର ଚିଠି ନୁହେଁ । ତାହାର ଅବୟବଟା ହୁଏତ ରହିଲା, କିନ୍ତୁ ରହିଲା ନାହିଁ ତା’ର ପ୍ରାଣର ସ୍ପନ୍ଦନ । କେତେଦିନ ହୋଇ ଗଲାଣି । ତଥାପି ସେହି ହଜିଯାଇଥିବା ଚିଠିର ଅବଲୁପ୍ତ ଅକ୍ଷରର ବୁକୁ ଭିତରୁ ମୁଁ ତା’ର କଣ୍ଠସ୍ୱର ଶୁଣିବାକୁ ପାଉଛି...

 

କାକାବାବୁ,

 

ଆପଣଙ୍କର ଶେଷ ଉପଦେଶ ମୁଁ ଏତେ ଦିନ ଅକ୍ଷରେ ଅକ୍ଷରେ ପାଳନ କରିଅଛି । କିନ୍ତୁ ଆଉ ପାରିଲି ନାହିଁ । ଏହି ଜେଲ୍‍କୁ ଆସିବା ପରେ ଏହି ଚିଠିହିଁ ମୋର ଆଇନଭଙ୍ଗର ପ୍ରଥମ ଅପରାଧ । ସେହି ଅପରାଧ କାହିଁକି କରିଅଛି; କ’ଣ ପାଇଁ ପ୍ରକାଶ୍ୟ ବାଟରେ ନ ଯାଇ ଏହି ଗୋପନ ପଥର ଆଶ୍ରୟ ନେଲି–ଏହି ଚିଠିଟା ଶେଷଯାଏ ପଢ଼ିଲେ ବୁଝିପାରିବେ ।

 

ମୋର ଚିଠି ପାଇ ଆପଣ ବିରକ୍ତ ହେବେ କି ନା ଜାଣେ ନା, ବିସ୍ମିତ ହେବେ ନିଶ୍ଚୟ । ଯାହାଙ୍କ ଆଖି ଆଗରୁ ପଳାଇ ଆସିବା ପାଇଁ ଦିନେ ଅସ୍ଥିର ହୋଇ ପଡ଼ିଥିଲି, ଆଜି ତାଙ୍କୁ ପୁଣି ଏହି ଦୀର୍ଘ କାହାଣୀ ଶୁଣାଇବାକୁ ଯିବି–ଏକଥା ମୁଁ କ’ଣ କେବେ ଭାବିପାରିଥିଲି ? କିନ୍ତୁ କ’ଣ କରିବି ? ଯାହାଙ୍କୁ ଭଲପାଏ ତାଙ୍କୁ ଆଘାତ ଦେବା ହିଁ ବୋଧହୁଏ ମୋ କପାଳରେ ଲେଖା ହୋଇଛି । ତେଣୁ ପଳାଇ ଆସି ବି ରହିପାରିଲି ନାହିଁ । ମୋ ହାତରୁ ଏବେ ବି ଅନେକ ଦୁଃଖ ଆପଣଙ୍କର ପାଇବାକୁ ଅଛି । ଏବେ ସୁଦ୍ଧା ମୋର କୁହା ହୋଇନାହିଁ, କିପରି କେଉଁ ଦୁର୍ଯ୍ୟୋଗର ଦିନରେ ଏହି ନରକର ପଥରେ ପ୍ରଥମେ ଗୋଡ଼ ବଢ଼ାଇଥିଲି । ଏତେ ବଡ଼ ସର୍ବନାଶ କିପରି ହେଲା ? ଏତେ ବଡ଼ ବାପଙ୍କର କଠିନ ଆଦର୍ଶ କ’ଣ ପାଇଁ ମୋତେ ରକ୍ଷା କରିପାରି ନ ଥିଲା !

 

ଏକଥା ଜାଣେ, ସେହି କାହାଣୀ ଯେ ଶୁଣିବ, ସେ ଘୃଣାରେ ମୁହଁ ଫେରାଇ ନେଇ ଚାଲିଯିବ । ମୁଁ କ୍ରିମିନାଲ । ସଂସାରରେ ମୋ’ପାଇଁ ଦୟା ନାହିଁ, କ୍ଷମା ନାହିଁ, ନାହିଁ କାହାରି ମନରେ ଏତେ ଟିକିଏ ସମବେଦନା । କିନ୍ତୁ ଆପଣଙ୍କୁ ତ ଅନ୍ୟ ସଭିଙ୍କ ସଙ୍ଗରେ ଏକା କରି ଦେଖିପାରୁ ନାହିଁ । ଏଠାରେ ବସି ଯେ ମୁଁ ଆପଣଙ୍କର ବୁକୁ ଭିତରଟା ଦେଖି ପାରୁଛି । ଯେଉଁ ଜିନିଷ ସେଠାରେ ସଞ୍ଚିତ ହୋଇ ରହିଛି, ଏହି ହତଭାଗ୍ୟ ପାଇଁ ଏକମାତ୍ର ବାପାଙ୍କ ଛଡ଼ା ଆଉ କାହାରି ପାଖରୁ ତ ପାଇ ନାହିଁ । ତେଣୁ ଆଜି ଲେଖି ବସି ମୋ ମୁହଁରୁ ଆପଣା ଛାଏଁ ବାହାରି ଆସିଲା–କାକାବାବୁ । ଆପଣଙ୍କୁ କାକାବାବୁ ବୋଲି ଡାକିବାର ସ୍ପର୍ଦ୍ଧା ମୋର ହେବ, ମୁହୂର୍ତ୍ତକ ଆଗରୁ ତାହା ଭାବିପାରି ନ ଥିଲି ।

 

ମୋ କଥା କହିବାକୁ ଗଲେ ପ୍ରଥମରୁ ହିଁ ଆସେ ମୋ ବାପାଙ୍କ କଥା । ଆପଣଙ୍କୁ ସେଦିନ କହିବାକୁ ଯାଇ ସୁଦ୍ଧା କହିପାରି ନାହିଁ–ବାପା ନାହାନ୍ତି । ପ୍ରାୟ ଆଠ ମାସ ହେଲା, ସେ ଆମମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କର ଏହି ଅକାଳ ମୃତ୍ୟୁ ଯେତେ ମର୍ମାନ୍ତିକ ହେଉନା କାହିଁକି, ଦିନେ ହୁଏତ ସହି ପାରିବି; କିନ୍ତୁ ଯେଉଁ ଭାବରେ ଯେଉଁ ନିଦାରୁଣ ଦୁଃଖ, ଦୁର୍ଦ୍ଦଶା ଓ ଲାଞ୍ଛନା ମଧ୍ୟ ଦେଇ ସେ ତିଳ ତିଳ କରି ମୃତ୍ୟୁ ଆଡ଼କୁ ଆଗେଇ ଯାଇଥିଲେ, ଏତେ ବଡ଼ ପାଷଣ୍ଡ ହୋଇ ସୁଦ୍ଧା ନିମିଷକ ପାଇଁ ଭୁଲିପାରୁ ନାହିଁ । ସେ କଥା ମୋର କାହାରି ପାଖରେ କହିବାର ଉପାୟ ନାହିଁ । ତାହା ସହିତ ଜଡ଼ିତ ଅଛି ସେ । ମାଆଙ୍କ କଥା–ଏପରି କଥା ଯାହା ଉଚ୍ଚାରଣ କରିବା ବି ସନ୍ତାନ ପକ୍ଷରେ ଅପରାଧ । ତାହା ରହିଲା କେବଳ ମୋର ବୁକୁ ଭିତରେ । ଯେତେ ଦିନ ବଞ୍ଚିଥିବି, ସେହି ବୋଝ ମୋତେ ଏକା ହିଁ ବୋହି ବୁଲିବାକୁ ହେବ ।

 

ସେହି ଭୟଙ୍କର ଦିନଟା ଆଜି ବି ଆଖି ଆଗରେ ଭାସୁଛି । ବାପା ହାଓଡ଼ାକୁ ବଦଳି ହୋଇ ଆସିଛନ୍ତି । ଶିବପୁରରେ ଆମେ ଗୋଟାଏ ଘରେ ଥାଉ । କିଛି ଦିନ ଆଗରୁ ସେ ବ୍ଲଡ୍‍ ପ୍ରେସରରେ ଭୋଗୁଥିଲେ । ଦାରୁଣ ସାଂସରିକ ଅଶାନ୍ତି ତାହା ଉପରେ ବିଷ ଭଳି କାମ କରୁଥିଲା । ମଝିରେ ମଝିରେ ଏତେ ବେଶି ବଢ଼ିଯାଉଥିଲା ଯେ ଏକାଥରକେ ପାଞ୍ଚ-ସାତ ଦିନ ମୁଣ୍ଡ ଟେକିପାରୁ ନ ଥିଲେ । ଛୁଟି ନେଲେ ଘର ଅଚଳ । ଏପରି ଅବସ୍ଥାରେ ବି ତାଙ୍କୁ କାମ କରିବାକୁ ହେଉଥିଲା । ସେ ଦିନ ବି କୋର୍ଟକୁ ଯିବାକୁ ବାହାରୁଥିଲେ । ମା’ ଆସି କହିଲେ, ଟଙ୍କା କଥା କ’ଣ ହେଲା ? ମଝିରେ ମାତ୍ର ତିନିଟା ଦିନ ବାକି ଅଛି । ଜିନିଷଟା ଫେର୍‌ ଦେଖିଚାହିଁ କିଣିବାକୁ ହେବ ତ ।

 

ବାପା ଜୋତାରେ ଫିତା ବାନ୍ଧୁ ବାନ୍ଧୁ କହିଲେ, ସେତେ ଟଙ୍କା ତ ଯୋଗାଡ଼ କରିପାରୁ ନାହିଁ । ଧାର ବି କେଉଁଠାରୁ ମିଳୁ ନାହିଁ ।

 

ମା ଅବାକ୍‌ ହୋଇ କହିଲେ, ସେତେ ଟଙ୍କା ମାନେ ? ଅନ୍ତତଃ ପାଞ୍ଚଶହ ଯାଏ ନ ହେଲେ ଗୋଟାଏ ଚଳିବା ଭଳି ଜଡ଼ୁଆ ନେକଲେସ କ’ଣ ହୋଇପାରେ ?

 

ଟିକିଏ ରହି କହିଲେ, ପାଞ୍ଚଟା ନୁହେଁ, ସାତଟା ନୁହେଁ, ସେହି ଗୋଟିଏ ବୋଲି ମା ପେଟର ଭଉଣୀ । ତା’ର ପୁଣି ପହିଲି ଝିଅର ବିଭାଘର । ନ ଯାଇ ଏଡ଼ି ଦେଇ ହେବ ନାହିଁ । ତାହା ତମ ହାତରେ ଯେତେବେଳେ ପଡ଼ିଛି, କହିବ ତ ଖାଲି ହାତରେ ହିଁ ଯିବି ।

 

ବାପା ଟୋପିଟା ଉଠାଇ ନେଇ ଧୀର ଶାନ୍ତ କଣ୍ଠରେ କହିଲେ, ଆଉ ତ କୌଣସି ଉପାୟ ଦେଖୁନାହିଁ । ବର୍ତ୍ତମାନ ଘର ଖରଚ ଟଙ୍କାରୁ ଶହେ ଖଣ୍ଡେ ନେଇ ଯାହା ହେଉ ଗୋଟାଏ–

 

‘‘ଶହେ ଖଣ୍ଡେ !’’ ମା ଏକବାରେ ଚିଡ଼ି ଉଠିଲେ, ‘‘କହିବାକୁ ଟିକିଏ ବି ବାଧିଲା ନାହିଁ ? ତମର ସିନା ମାନ-ଇଜ୍ଜତର କଥା ନାହିଁ, କିନ୍ତୁ ଶହେ ଟଙ୍କାର ଜିନିଷ ହାତରେ ନେଇ ଗଲେ ମୋର ବାପାଙ୍କର ମୁହଁଟା କେଉଁଠି ରହିବ ଭାବି ଦେଖୁଛ ?’’

 

ମୁଁ ପାଖ ଘରେ ସ୍କୁଲ ଯିବା ଆଗରୁ ବହି ସଜାଡ଼ୁଥିଲି । ହଠାତ୍‌ ବାପାଙ୍କର ନଜର ପଡ଼ିଗଲାରୁ ଗମ୍ଭୀର ଭାବରେ କହିଲେ, ଖୋକା ତମେ ତଳକୁ ଯାଅ । ମୁଁ ତାଙ୍କ ମୁହଁକୁ ଚାହିଁ ଚମକିପଡ଼ିଲି । ବାପାଙ୍କ ଚେହେରା ଇଏ କ’ଣ ହୋଇଛି ? ବୁଝିଲି ଏଇ ମୁହୂର୍ତ୍ତରେ ତାଙ୍କର ଶୋଇପଡ଼ିବା ଦରକାର, କିନ୍ତୁ ତାଙ୍କର କଥାର ଅବାଧ୍ୟ କେବେ ହୋଇ ନାହିଁ । ତେଣୁ କିଛି କଥା ନ କହି ବହି-ଖାତା ନେଇ ତଳକୁ ଓହ୍ଲାଇ ଗଲି । ମୋ ପଛେ ପଛେ ବାପା ବି ଓହ୍ଲାଇବାକୁ ଲାଗିଲେ । ମାଆଙ୍କ କଥା ଶୁଭିଲା, ଟଙ୍କାର ବ୍ୟବସ୍ଥା ନ କରି ଚାଲିଯାଉଛ ଯେ ?

 

ବାପା ନିମ୍ନ ସ୍ୱରରେ କ’ଣ ଗୋଟାଏ କହିଲେ । ମାଆଙ୍କର ଉତ୍ତେଜିତ ଉତ୍ତର ତଳେ ଥାଇ ବି ଶୁଣିପାରିଲି । ରାଗିଗଲେ ମାଆଙ୍କର ଜ୍ଞାନ ରହୁ ନ ଥିଲା, କ’ଣ କହୁଛନ୍ତି କାହାକୁ କହୁଛନ୍ତି-। ଯାହା କହିଲେ ତା’ର ସବୁତକ ମୋ କାନକୁ ଗଲା ନାହିଁ, ଯେତିକି ଗଲା ତାହା ବି କହିବା ଯୋଗ୍ୟ ନୁହେଁ । ଦାଣ୍ଡ ଦୁଆର ଯାଏ ଆଗେଇ ଯାଇଥିଲି । ହଠାତ୍‌ ସିଡ଼ିରେ ଗୋଟାଏ ଶବ୍ଦ ଶୁଣି ଫେରି ଆସିଲି । ଦେଖିଲି, ବାପା ପଡ଼ି ରହିଛନ୍ତି-। କପାଳର ଗୋଟାଏ ଧାର କଟିଯାଇ ରକ୍ତ ପଡ଼ୁଅଛି-। ଜ୍ଞାନ ନାହିଁ । ଚପରାସି ଓ ପୂଝାରି-ଚାକରମାନେ ମିଶି ଧରାଧରି କରି ତାଙ୍କୁ ଉପରକୁ ନେଇଗଲେ-। ମୁଁ ଧାଇଁଲି ଡାକ୍ତର ଡାକିବାକୁ । ଘଣ୍ଟା ଦୁଇ ଚେଷ୍ଟା ପରେ ଜ୍ଞାନ ଫେରି ଆସିଲା, କିନ୍ତୁ ସାରା ବାଆଁ ଅଙ୍ଗଟା ଅଚଳ । ସେତେବେଳେ ସୁଦ୍ଧା ବୁଝି ନ ଥିଲି ମୁହୂର୍ତ୍ତକ ମଧ୍ୟରେ କେତେ ବଡ଼ ସର୍ବନାଶ ଆମର ଘଟିଗଲା । ବାପା ଚିରଦିନ ପାଇଁ ଶଯ୍ୟାରେ ଆଶ୍ରୟ ନେଲେ ।

 

ମାସର ପହିଲା ଦିନ ବାପା ସବୁ ଦରମାତକ ମାଆଙ୍କ ହାତରେ ଧରି ଦେଉଥିଲେ । କିନ୍ତୁ ତାହା ଥିଲା ଆମର ଚଉଦ ବା ପନ୍ଦର ଦିନର ଖରଚ । ବାକି ମାସଟା ଯାକ ଯେଉଁ ଭାବରେ ଚଳୁଥିଲା, ଆପଣ ଅନୁମାନ କରି ନିଅନ୍ତୁ । ସାମାନ୍ୟ ସଞ୍ଚୟ ଯାହା ଥିଲା, ଆଗରୁ ନିଃଶେଷ ହୋଇ ଯାଇଥିଲା । ଚିକିତ୍ସାର କୌଣସି ବ୍ୟବସ୍ଥା ସମ୍ଭବ ହେଲା ନାହିଁ । ବାପା ପ୍ରଥମେ କିଛି ଦିନ ଛୁଟି ପାଇଲେ । ତା’ପରେ ନାମକୁ ମାତ୍ର ପେନ୍‍ସନ୍‍ ଦେଇ ସରକାର ତାଙ୍କୁ ଏକବାରେ ଛୁଟି ଦେଇଦେଲେ । ପେଟ ଦାଉରେ ତାଙ୍କୁ ସେତେବେଳେ କେତେ କ’ଣ କରିବାକୁ ହେଉଥିଲା । କେତେବେଳେ ଖବରକାଗଜରେ ପ୍ରବନ୍ଧ, କେତେବେଳେ ଆଇନ ବହିର ନୋଟ୍‍-ଲେଖା । ଶୋଇ ଶୋଇ ଲେଖି ପାରୁ ନ ଥିଲେ । ଡିକଟେଟ୍‌ କରୁଥିଲେ, ମୁଁ ସ୍କୁଲର ଛୁଟି ପରେ ନିତି ଦୁଇ ଘଣ୍ଟା କରି ଲେଖି ଦେଉଥିଲି । ତା’ପରେ ଯିବାକୁ ହେଉଥିଲା ପ୍ରେସକୁ । ଯାହା ଆସୁଥିଲା, ଅତି ସାମାନ୍ୟ ।

 

ତାହା କେଉଁ ଭଳି ଜୀବନ ! ଗଳ୍ପ ଶୁଣିଛି, ଶିବ ବିଷ ପାନ କରି ନୀଳକଣ୍ଠ ହୋଇଥିଲେ-। ଦେବାଧିଦେବଙ୍କୁ ତ ଆଖିରେ ଦେଖାଯାଏ ନାହିଁ । ମୁଁ ଦେଖିଥିଲି ମୋର ବାପାଙ୍କୁ । ଶିବଙ୍କଠାରୁ ବି ଶାନ୍ତ, ସର୍ବଂସହା ବସୁମତୀଠାରୁ ବି ସହିଷ୍ଣୁ । ଏତେ ବିଷ, ଏତେ ଲାଞ୍ଛନା, ଗଞ୍ଜଣା ଆଉ ଅପମାନ । ଉତ୍ତରରେ ଗୋଟାଏ କଥା ବି ତାଙ୍କ ମୁହଁରୁ ବାହାରିବାର ଶୁଣିନାହିଁ । ମୁଁ ଅସ୍ଥିର ହୋଇ ପଡ଼ୁଥିଲି । ବାପା ମୋର ମନ ବୁଝିପାରୁଥିଲେ । ପାଖକୁ ଡାକି ଦେହରେ ହାତ ବୁଲାଇ କହୁଥିଲେ, ଖୋକା ପୃଥିବୀରେ ସବୁଠାରୁ ବଡ଼ ଶିଖିବା ହେଉଛି, ସହିବାକୁ ଶିଖିବା । ଏକଥା କେବେ ହେଁ ଭୁଲିବୁ ନାହିଁ ।

 

ଏହି ନିରବଚ୍ଛିନ୍ନ ରୋଗ-ଶଯ୍ୟାରେ ମୁହିଁ ଥିଲି ତାଙ୍କର ଏକମାତ୍ର ସାଥୀ । ମଝିରେ ମଝିରେ ଜଣେ ଦୁଇଜଣ ପୁରୁଣା ସହକର୍ମୀ ଦେଖା କରିବାକୁ ଆସୁଥିଲେ । ମାମୁଲି ସାନ୍ତ୍ୱନା ଦେଇ ଚାଲି ଯାଉଥିଲେ । ତହିଁରୁ କେଉଁଟା ହିଁ ବାପାଙ୍କୁ ସ୍ପର୍ଶ କରୁ ନ ଥିଲା । ଦୂର ଛାତ୍ର-ଜୀବନର ଜଣେ ମାତ୍ର ବନ୍ଧୁ ତାଙ୍କର ସାରା ଅନ୍ତର ଭରି ରହିଥିଲେ । କେତେଦିନ କେତେ ଭାବରେ ସେ ତାଙ୍କ କଥା ମୋତେ ଶୁଣାଇଅଛନ୍ତି । ସେତେବେଳେ କ’ଣ ଜାଣିଥିଲି, ଦିନେ ଏହିପରି ଭାବରେ ମୁଁ ତାଙ୍କର ଦେଖା ପାଇବି ? ସେହି ତ ଦେଖା ପାଇଲି, କିନ୍ତୁ ସମୟରେ ପାଇଲି ନାହିଁ କାହିଁକି ? ଯଦି ପାଇଥାଆନ୍ତି, ବାପାଙ୍କୁ ବୋଧହୁଏ ଏପରି ଭାବରେ ହରାଇବାକୁ ହୋଇ ନ ଥାଆନ୍ତା; ଆଉ ମୁଁ ଆଜି ଏହି ପଙ୍କରେ ପଡ଼ି ଛଟପଟ କରୁ ନ ଥାନ୍ତି ।

 

ଏପରି ସମୟରେ ଆମ ପରିବାରରେ ଗୋଟିଏ ନୂଆ ମଣିଷର ଆବର୍ଭାବ ହେଲା–ମାଆଙ୍କର କେଉଁ ଦୂରସମ୍ପର୍କୀୟ ଦାଦା । ଆମର ମନୀଷ ମାମୁ । ଶୁଣିଥିଲି ମାଆଙ୍କର ବିବାହ ପୂର୍ବରୁ, ଅଜା ତାଙ୍କର ଏହି ଆତ୍ମୀୟଟିକୁ ତାଙ୍କ ଝିଅମାନଙ୍କ ସହିତ କଥା କହିବାକୁ ମନା କରି ଦେଇଥିଲେ । ଏତେ କାଳ ପରେ ଏହି ନିଖୁଣ ସାହେବୀ ପୋଷାକ-ପିନ୍ଧା ଭଦ୍ରଲୋକ ତାଙ୍କର ଖଣ୍ଡିଏ ନୂଆ କିଣା ହୋଇଥିବା ଟୁ-ସିଟ୍‌ର ଅଷ୍ଟିନରେ ଚଢ଼ି ଯେତେବେଳେ ସେତେବେଳେ ଆମ ଘରେ ଚଢ଼ଉ ହୋଇ ଖୁବ୍‍ ଅନ୍ତରଙ୍ଗ ହୋଇଉଠିଲେ । ତା’ପରେ ଦିନେ ଏହାଙ୍କୁ ଉପଲକ୍ଷ କରି ହିଁ ଦେଖା ଦେଲା ମୋର ଜୀବନର ସବୁଠାରୁ ବଡ଼ ବିପର୍ଯ୍ୟୟ । ସେହି କଥା କହି ଏହି ଚିଠି ଶେଷ କରିବି ।

 

ସେଥର ମୁଁ ମାଟ୍ରିକ ଦେବି । ସ୍କୁଲରେ ଭଲ ପିଲା ଥିଲି । ବାପାଙ୍କର ଏକାନ୍ତ ଇଚ୍ଛା ପ୍ରଥମ ଦଶଜଣଙ୍କ ଭିତରେ ଯେପରି ଠିଆ ହୋଇପାରେଁ । କାଳେ ସେ ଦୁଃଖ ପାଇବେ ବୋଲି ପଢ଼ାଶୁଣାରେ କେବେ ଅବହେଳା କରି ନ ଥିଲି । ସେ ଦିନ ବି ନିଜ ଘରେ ବସି ଜେମୋଟ୍ରି ମୁଖସ୍ଥ କରୁଥିଲି । ରାତି ପ୍ରାୟ ଏଗାରଟା । ପାଖ ଘରେ ବାପା । ଦେହଟା ପୁଣି କେଇଦିନ ହେଲା ବଡ଼ ଖରାପ ରହୁଛି । ଗୋବିନ୍ଦ ତାଙ୍କ ଗୋଡ଼ରେ ହାତ ବୁଲାଇ ଦେଉଥିଲା । ବହୁ ଦିନର ଏହି ପୁରୁଣା ଚାକରଟି ସେତେବେଳେ ବି ଆମକୁ ଛାଡ଼ି ଯାଇନାହିଁ । ରନ୍ଧାବଢ଼ା, ବାପାଙ୍କୁ ଦେଖାଚାହାଁ ସବୁ ତାହାରି ହାତରେ । ଘର ସାମନାରେ ମୋଟର ଠିଆ ହେବାର ପରିଚିତ ଶବ୍ଦ ଶୁଣାଗଲା । ଗୋବିନ୍ଦ ଉଠିଗଲା ଦୁଆର ଖୋଲିବା ପାଇଁ । ତା’ପରେ ଦେଖିଲି ମନୀଷ ମାମୁ ଉପରକୁ ଉଠୁଛନ୍ତି । ବାରଣ୍ଡା ପାରିହୋଇ ସିଧା ବାପାଙ୍କ ଘରେ ପଶିଲେ ଏବଂ ସାବଧାନରେ ଗୋଟାଏ ଚେୟାରରେ ବସି କହିଲେ, ବିଜୟ ବାବୁ, ଶୋଇଲେଣି କି ! ବାପାଙ୍କର ବୋଧହୁଏ ଟିକିଏ ତନ୍ଦ୍ରା ଆସିଥିଲା । ଟିକିଏ ଚମକି ପଡ଼ି କହିଲେ, କିଏ ?

 

–ମୁଁ ମନୀଷ ।

 

–ଓଃ, କ’ଣ କହନ୍ତୁ ।

 

ମାମୁ ଟିକିଏ କାଶି ଦେଇ କହିଲେ, କହୁଥିଲି ସୁରମାର ଦେହଟା ସେତେ ଭଲ ରହୁନାହିଁ-। ଗୋଟାଏ କେଉଁଠାକୁ ଚେଞ୍ଜ–ଟେଞ୍ଜରେ ଯିବା ଦରକାର ।

 

ବାବା ଶାନ୍ତ ଭାବରେ କହିଲେ, କିଛି ବେମାର ହୋଇଛି କି ?

 

–ନା, ବେମାର ସେପରି କିଛି ନୁହେଁ, ଏହି ଘରର ପରିବେଷ୍ଟନୀ ତା’ର ସେପରି ସହ୍ୟ ହେଉନାହିଁ ।

 

–କିନ୍ତୁ ଚେଞ୍ଜରେ ପଠାଇବା ଭଳି ଟଙ୍କା ତ ମୋର ନାହିଁ !

 

–ଟଙ୍କା ପାଇଁ ଆପଣଙ୍କୁ ଭାବିବାକୁ ହେବ ନାହିଁ । ସେଟା ମୁହିଁ ମ୍ୟାନେଜ କରିବି । ସୁରମାର ଇଚ୍ଛା ପରିମଳ ବି ସଙ୍ଗରେ ଯାଉ । ତା’ର ପରୀକ୍ଷାଟା ସରିଗଲେ ବାହାରି ପଡ଼ିବାକୁ ଚାହୁଁ-। ଗୋଟାଏ ଘରଫର ତାହାହେଲେ ଏବେଠାରୁ ଦେଖିବାକୁ ହେବ ।

 

ବାପା ଟିକିଏ ଚୁପ୍‍କରି ରହି କହିଲେ, ଆପଣମାନେ ଯାଇପାରନ୍ତି ସ୍ୱଚ୍ଛନ୍ଦରେ; କିନ୍ତୁ ପରିମଳର ଯିବା ହେବ ନାହିଁ ।

 

–କାହିଁକି ହେବ ନାହିଁ ଜାଣିପାରେଁ କି ? –ଏ ପ୍ରଶ୍ନ କଲେ ମାଆ । କେତେବେଳେ ଆସି ଦୁଆର ପାଖରେ ଠିଆ ହୋଇଥିଲେ ଦେଖିପାରି ନ ଥିଲି । ବାପା ବି ବୋଧହୁଏ ଜାଣିପାରି ନ ଥିଲେ । ସେ ଆଡ଼କୁ ଥରେ ଚାହିଁ ବାପା କହିଲେ ସେ ଆଲୋଚନା କରି ଲାଭ ନାହିଁ । ତାକୁ ମୁଁ ଯିବାକୁ ଦେଇପାରିବି ନାହିଁ ।

 

ମା’ ହଠାତ୍‌ ଉତ୍ତେଜିତ ହୋଇଉଠିଲେ, ଚବିଶ ଘଣ୍ଟା ରୋଗୀ ଘାଣ୍ଟି ଘାଣ୍ଟି ତା’ର ଅବସ୍ଥାଟା କ’ଣ ହୋଇଛି ଦେଖିପାରୁଛ ? ମୋ ଆଖି ଆଗରେ ମୋ ପୁଅଟାକୁ ତମେ ମାରି ପକାଇବାକୁ ଚାହଁ ।

 

ବାପା ଧୀରେ ଧୀରେ କହିଲେ, ମନୀଷ ବାବୁ, ମୋତେ ମାଫ୍‌ କରିବେ, ରାତି ବୋଧହୁଏ ବହୁତ ହେଲା । ଏଥର ଟିକିଏ ଶୋଇବାକୁ ଚାହେଁ ।

 

ମନୀଷ-ମାମା କିଛି କହିବା ଆଗରୁ ମା ପାଟି କରିଉଠିଲେ ସେ ସବୁ ଢଙ୍ଗ ରଖିଦିଅ । ମୋ ପୁଅକୁ ମୁଁ ଯେଉଁଠାକୁ ଖୁସି ନେଇଯିବି । ଦେଖିବି ତମେ କିପରି ବାଧା ଦେବ ।

 

ମନୀଷ ବାବୁ କହିଲେ, ମୋର ମନେହୁଏ, ଆପଣ ଅନ୍ୟାୟ ବିଧି କରୁଛନ୍ତି, ବିଜୟବାବୁ-। ପିଲାଟା କେଇଟା ଦିନ ଟିକିଏ ବୁଲି ଆସିବ, ଏଥିରେ ଆପତ୍ତିର କାରଣ କ’ଣ ଥାଇପାରେ-!

 

ବାପା କେତେକ ମିନିଟ ଚୁପ୍‍ କରି ରହି କହିଲେ, ମୋର ସ୍ତ୍ରୀ ପୁତ୍ରଙ୍କୁ ଚେଞ୍ଜରେ ପଠାଇବା ଭଳି ସଙ୍ଗତି ଯଦି ମୋର ଥାଆନ୍ତା, ଅବଶ୍ୟ ପଠାନ୍ତି । ତାହା ଯେତେବେଳେ ନାହିଁ, ଅନ୍ୟର ଅନୁଗ୍ରହ ଭିକ୍ଷା କରିବାକୁ ଚାହେଁ ନାହିଁ । କିନ୍ତୁ ଯେଉଁଠାରେ ମୋର ଜୋର୍‍ ଖଟିବ ନାହିଁ, ସେଠାରେ ବାଧା ଦେବାକୁ ଗଲେ ଲାଞ୍ଛନାଭୋଗ ହିଁ ସାର ହେବ । ତେଣୁ ଆପତ୍ତିଟା ଖାଲି ପରିମଳ ବେଳକୁ ଜଣାଇ ରଖୁଛି ।

 

ମାମୁ ସିଗାରେଟ ଧରାଇଲେ । ମା’ଙ୍କର ତିକ୍ତ ସ୍ୱର ଶୁଣିବାକୁ ପାଇଲି, ଅନ୍ୟର ଅନୁଗ୍ରହ-! କହିବାକୁ ଟିକିଏ ଚକ୍ଷୁଲଜ୍ଜା ବି ହେଲା ନାହିଁ, ତମର ? ଏହି ଅନୁଗ୍ରହ ନ ପାଇଥିଲେ କେଉଁଠି ଥାଆନ୍ତେ ତମର ସ୍ତ୍ରୀ-ପୁତ୍ର ? କେଉଁଠି ଥାଆନ୍ତ ତୁମେ ନିଜେ । ତମର ବୋଧହୁଏ ଧାରଣା, ସେହି ଗୋଟା କେତେ ପେନ୍‌ସନ୍‍ର ଟଙ୍କା ଆଉ ସେହି ନୋଟ୍‍ ଫୋଟ୍‍ ଲେଖି ଯାହା ଭିକ ମିଳେ, ସେଥିରେ ଘର ଚଳୁଛି ! ଏହି ଅନୁଗ୍ରହ ଯିଏ କରିବାକୁ ଚାହୁଁଛି, ସେ ଆଜି ନୂଆ କରୁନାହିଁ । ଅନେକ ଦିନ ଆଗରୁ ହିଁ କରିଆସୁଛି । ତାହା ନ ହୋଇଥିଲେ ଆଜି ସମସ୍ତଙ୍କୁ ଦାଣ୍ଡରେ ଠିଆ ହେବାକୁ ହୋଇଥାଆନ୍ତା ।

 

ମନୀଷ ମାମୁ କହିଲେ, ଆହା ! ଏସବୁ କ’ଣ ତମେ କହୁଛ, ସୁରମା । ଅନୁଗ୍ରହ ପୁଣି କେଉଁଠି ଦେଖିଲ ? ଏହା ତ ମୋର କର୍ତ୍ତବ୍ୟ । ଏକବାରେ ପିଲା ମଣିଷ । ରାଗିଗଲେ ଆଉ.....

 

ବାପାଙ୍କର ଗମ୍ଭୀର କଣ୍ଠରେ ତାଙ୍କର କରୁଣ ସ୍ୱର ବୁଡ଼ିଗଲା–କାହିଁ, ଏସବୁ କଥା ତ ମୋତେ ଜଣା ନ ଥିଲା । ଜାଣେ ମୁଁ ଆଜି ନିତାନ୍ତ ଦୁଃସ୍ଥ ଓ ଅକ୍ଷମ । କିନ୍ତୁ ଅନ୍ୟର ଦୟାରେ ମୁଁ ବଞ୍ଚି ରହିଲି, ମୋର ଏକମାତ୍ର ସନ୍ତାନ ହାତ ପତେଇ ପରର ଅନ୍ନ ଗ୍ରହଣ କରୁଛି, ଏକଥା ମୁଁ ଭାବିପାରେ ନାହିଁ ।

 

ଶେଷ ଆଡ଼କୁ ତାଙ୍କ ସ୍ୱରଟା ଏପରି କରୁଣ ଶୁଭିଲା ଯେ, ମୋ ଆଖିରେ ପାଣି ଆସିଗଲା । ମନେହେଲା, ଧାଇଁଯାଇ କହେଁ, ନା ବାବା ଆମେ ଏବେ ବି ପରଠାରେ ହାତ ପତେଇ ନାହୁଁ । ସେ ସବୁ ମିଛ କଥା । କିନ୍ତୁ ଯାଇପାରିଲି ନାହିଁ । ଜାଣିଥିଲି ବାପା ରାଗିବେ । ଟିକିଏ ରହି ସେ ଧୀରେ ଧୀରେ କହିଲେ, ଯାହା ହୋଇଯାଇଛି ତାକୁ ତ ଆଉ ଫେରାଇ ହେବ ନାହିଁ ! ତେବେ ଏହି ଅନ୍ୟାୟର ଏହିଠାରେ ହିଁ ଶେଷ । କାଲି ସକାଳୁ ସବୁ ବ୍ୟବସ୍ଥା ବଦଳି ଯିବ ।

 

ବାଁ ହାତଟା ଅଚଳ । କେବଳ ଡାହାଣ ହାତଟା କପାଳରେ ଛୁଇଁ ବାପା କହିଲେ, ମନୀଷ ବାବୁ, ମୋର ଏବଂ ମୋର ପରିବାରଙ୍କ ପାଇଁ ଆପଣ ଯାହା କରିଛନ୍ତି ସେଥିପାଇଁ ଅଶେଷ ଧନ୍ୟବାଦ । କିନ୍ତୁ ଆଉ ନୁହେଁ । ଆପଣଙ୍କ ଅନୁଗ୍ରହର ଦାନରୁ ଆମକୁ ମୁକ୍ତି ଦିଅନ୍ତୁ ।

 

ବାପାଙ୍କୁ ଭଲ କରି ଚିହ୍ନେ । କାଲିଠାରୁ ଯେଉଁ ବ୍ୟବସ୍ଥା ସେ କରିବାକୁ ଚାହୁଁଛନ୍ତି, ତାହା ଯେତେ କଠୋର ହେଉ ପଛକେ, ତଥାପି ଯେ ତହିଁର ବ୍ୟତିକ୍ରମ ହେବ ନାହିଁ, ତାହା ମଧ୍ୟ ମୋର ଜଣା ଥିଲା । ଏମିତି ତାଙ୍କର ଖାଇବାଟା ଏତେ ସାଧାରଣ ଯେ, ଆହୁରି ତାକୁ କମାଇବାକୁ ଗଲେ ଅନାହାର କହିବାକୁ ହେବ, ଅଥଚ ସେ ସହି ବାଟ ଯେ ଧରିବେ ସେଥିରେ ଆଉ ସନ୍ଦେହ ନାହିଁ । ମୁଁ ତାଙ୍କର ଏକମାତ୍ର ସନ୍ତାନ, ଏକମାତ୍ର ବଂଶଧର । ଯେତେ ସାନ ଓ ଅକ୍ଷମ ହୁଏ ପଛେ, ମୁଁ କ’ଣ କେବଳ ନୀରବ ଦର୍ଶକ ହୋଇ ରହିବି ? ପୀଡ଼ିତ, ଅଭାବଗ୍ରସ୍ତ ପିତାଙ୍କ ମୁହଁକୁ ମୁଠାଏ ଅନ୍ନ ଦେବା ଭଳି କ୍ଷମତା ବି ମୋର ନାହିଁ । ଏହି ତ, ମୋହରି ବୟସର କେତେ ପିଲା ବାଟ-ଘାଟରେ କେତେ ରକମ କାମ କରି ଖାଉଛନ୍ତି । ମୁଁ ଭଦ୍ର ଘରେ ଜନ୍ମି ଅଛି ବୋଲି କ’ଣ ତାହା ପାରିବି ନାହିଁ !

 

ଗଭୀର ରାତି ଯାଏ ନାନା ରକମର ଉଦ୍ଭଟ କଳ୍ପନା ମୁଣ୍ଡ ଭିତରେ ଘୂରି ବୁଲିବାକୁ ଲାଗିଲା । ତା’ପରେ କେତେବେଳେ ଶୋଇପଡ଼ିଥିଲି । ହଠାତ୍‌ ନିଦ ଭାଙ୍ଗିଲାରୁ ଦେଖିଲି ପାଞ୍ଚଟା ବାଜି ଯାଇଅଛି । ଖାତାରୁ ଖଣ୍ଡିଏ କାଗଜ ଛିଣ୍ଡାଇ ନେଇ ଲେଖି ପାକାଇଲି–ବାପା, ଭାବି ଦେଖିଲି, ଘରର ଆୟ ବଢ଼ାଇବା ପାଇଁ ମୋର ବି କିଛି ରୋଜଗାର କରିବା ଦରକାର, ସେହି ଚେଷ୍ଟା ହିଁ ଚାଲିଛି । ମୋ’ପାଇଁ ଭାବିବ ନାହିଁ, ଆଶୀର୍ବାଦ କରିବ ଯେପରି ସଫଳ ହୋଇ ଫେରି ଆସିପାରେ-

 

ବାପାଙ୍କର ଘରକୁ ଯିବାକୁ ସାହସ ହେଲା ନାହିଁ । କାଳେ ତାଙ୍କର ନିଦ ଭାଙ୍ଗି ଯାଇପାରେ, କିମ୍ବା ତାଙ୍କ ମୁହଁ ଉପରେ ଆଖି ପଡ଼ିଗଲେ ମୋର ସବୁ ସଂକଳ୍ପ ତୁଟିଯାଏ । ତେଣୁ ପଢ଼ିବା ଟେବୁଲରେ ଚିଠିଟା ଚାପି ରଖି ବାହାରି ପଡ଼ିଲି ।

 

ଏହା ପରେ ଯେଉଁ ଜୀବନ ଆରମ୍ଭ ହେଲା, ତହିଁର ବର୍ଣ୍ଣନା ଦେବାକୁ ଗଲେ ଏଇ ଚିଠି ଆଉ ଶେଷ ହେବ ନାହିଁ । ସେ ଚେଷ୍ଟା କରିବି ନାହିଁ । ଘର ବାହାରକୁ ଆସି ପୃଥିବୀକୁ ଦେଖିଲି ଗୋଟିଏ ନୂଆ ରୂପରେ । ଦେଖିଲି ନରକ ବୋଲି କୌଣସି ଅଲଗା ଦେଶ ନାହିଁ । ଏଇ ସଂସାରଟା ହିଁ ଗୋଟାଏ ପ୍ରକାଣ୍ଡ ନରକ । ଦେଖିଲି, ମଣିଷ କେତେ ନୀଚ, କେତେ କଠୋର, କିପରି ନିର୍ମମ ! ଦୟା ନାହିଁ, ପ୍ରୀତି ନାହିଁ, ନାହିଁ ବୁନ୍ଦାଏ ସହାନୁଭୂତି । ଅଛି କେବଳ ସନ୍ଦେହ, ପୀଡ଼ନ, ଆଉ ବଞ୍ଚନା-। ଭିକ ମାଗିଲେ ହୁଏତ ସହଜରେ ପାଇଥାନ୍ତି । କିନ୍ତୁ ଯାହାକୁ କହିଲି, ମୋତେ ଗୋଟାଏ କାମ ଦିଅ ମୁଁ ଖଟି ଖାଇବାକୁ ଚାହେଁ, ସଭିଙ୍କର ଆଖିରେ ଦେଖିଲି–ଅବିଶ୍ୱାସ । ଶୁଣିଅଛି କାହାରି ସରବ କାହାରି ବା ନୀରବ ମନ୍ତବ୍ୟ–କିଛି ମତଲବ ଅଛି ଟୋକାର ।

 

ଦୁଇ ଦିନ ପେଟକୁ ଗଲା ଖାଲି କଳର ପାଣି । ଅନେକ ଘୂରି ଅନେକ ଦୁଆରରେ ବୁଲି ଗୋଟାଏ ଦୋକାନରେ ମିଳିଲା ଖାତା ଲେଖିବାର କାମ । ଖୋରାକି ଆଉ ପନ୍ଦର ଟଙ୍କା ହାତକୁ ସ୍ୱର୍ଗ ପାଇଲି । ମାସ ପୂରିଲାରୁ ପହିଲି ଦରମାର ଟଙ୍କାଟା ମନିଅର୍ଡର୍‍ କରି ପଠାଇଲି ବାପାଙ୍କ ପାଖକୁ । ଲେଖିଲି, ଏହି ଟଙ୍କାରେ ଫଳ ଅଣାଇ ନେବେ । ମୋ’ପାଇଁ କିଛି ଭାବିବେ ନାହିଁ । ମୁଁ ଭଲ ଅଛି । ସୁବିଧା ହେଲେ ଯାଇ ତମକୁ ଦେଖି ଆସିବି ।

 

କିଛି ଦିନ ପରେ ମାଲିକଙ୍କ ବାକ୍ସରୁ ପଚାଶ ଟଙ୍କା ଚୋରି ଗଲା, ମୋତେ ସନ୍ଦେହ କଲେ । ବିଶ୍ୱାସ ଯେତେବେଳେ ଚାଲିଗଲା ତା’ପରେ ତ ଆଉ ସେଠାରେ ରହିହେବ ନାହିଁ । ବାହାରି ପଡ଼ିଲି । ଏଥର ଜୁଟିଲା ଗୋଟାଏ ଚାହା ଦୋକାନରେ ବୟର କାମ । ଟେବୁଲରେ ଜଳଖିଆ ଯୋଗାଇବା, କିଛି ଦିନ ଗଲା । ଦିନେ ଗୋଟାଏ ପ୍ଲେଟ ଧୋଉଁ ଧୋଉଁ ହାତରୁ ଖସି ପଡ଼ି ଭାଙ୍ଗିଗଲା । କଦର୍ଯ୍ୟ ଭାଷାରେ ବାପ ଉଠାଇ ଗାଳିଦେଲା । ପୁଣି ପଥ । ସେଠାରୁ ମୋଟରର କାରଖାନା । ସେହି ଚାକିରି ଟେକିଲା ନାହିଁ । ମାତାଲ ମିସ୍ତ୍ରିଟା ସଙ୍ଗରେ ଏକା ବିଛଣାରେ ଶୋଇବାକୁ ହେଉଥିଲା । ତା’ର କୁତ୍ସିତ ଘନିଷ୍ଠତା ସହ୍ୟ ହେଲା ନାହିଁ । ଏଥର ଜୁଟିଲି ଯାଇ ଏକ ଦେଶୀ ମଦ ଦୋକାନରେ । କାମ, ମଦ ବିକିବା । ଦରମା ତିରିଶ ଟଙ୍କା । ବେଶ୍‌ କିଛିଦିନ କଟିଗଲା-

 

କେତେ ଥର କେତେ ଭାବରେ ପଙ୍କର ସ୍ପର୍ଶରେ ଆସିଅଛି । କିନ୍ତୁ ପଙ୍କ ଦେହରେ ଲଗାଇବାକୁ ଦେଇନାହିଁ । କିଛି ଟଙ୍କା ହାତରେ ଜମାଇପାରିଲେ ବାପାଙ୍କ ପାଖକୁ ଫେରିଯିବି, ଏହା ହିଁ ଥିଲା ମୋର ଏକମାତ୍ର ଲକ୍ଷ୍ୟ । କାହାରି ପରାମର୍ଶ, କାହାରି କିଛି ପ୍ରଲୋଭନ ସେହି ଲକ୍ଷ୍ୟରୁ ମୋତେ ବିଚ୍ୟୁତ କରିପାରି ନ ଥିଲା । ଏତେ ଦିନ ପରେ ଏହି ମଦ ଦୋକାନର ବାରନ୍ଦାରେ ଏପରି ଗୋଟିଏ ଲୋକର ଦେଖା ପାଇଲି, ଯାହା ପାଖରେ ନିଜକୁ ଆଉ ଧରି ରଖିପାରିଲି ନାହିଁ । ଜାଣେ ନାହିଁ କେଉଁ କୁହୁକ ଥିଲା ତା’ର ଆଖିରେ, ତା’ର କଥାରେ, ତା’ର ହାତର ସ୍ପର୍ଶରେ । ସ୍ରୋତ ମୁହଁରେ ତୃଣଖଣ୍ଡ ଭଳି ତା’ର ଇଚ୍ଛାର ବେଗରେ ଭାସି ଚାଲିଗଲି ।

ଦୋକାନ ବନ୍ଦ ହେଲା ପରେ ବାରନ୍ଦାର ଗୋଟାଏ ବେଞ୍ଚରେ ମୁଁ ବସିଥିଲି ଚୁପ୍‍ଚାପ୍‍ । ସେ ଆସି ପାଖରେ ବସିଲା । ଯେଉଁପରି କେତେ କାଳର ବନ୍ଧୁ, ଏପରି ଭାବରେ ମୋ ହାତ ଧରି କହିଲା, ତମକୁ ତ ଏପରି ଜାଗାରେ ମନଉ ନାହିଁ ଭାଇ ! ତମେ ଏଇ ରାସ୍ତାରେ କିପରି ଆସିଲ ?

ଅନେକ ଦିନ ପରେ ମଣିଷ କଣ୍ଠରେ ଯେପରି ଟିକିଏ ଦରଦର ଆଭାଷ ପାଇଲି । ସେ ମୋ’ଠାରୁ ବୋଧହୁଏ ଚାରି ପାଞ୍ଚ ବର୍ଷ ବଡ଼ ହେବ; କିନ୍ତୁ ତାହା ପାଖରେ ନିଜକୁ ମନେହେଲା ଶିଶୁ-। ଗୋଟାଏ ଭଲ ହୋଟେଲକୁ ନେଇ ଯାଇ ସେ ପ୍ରଚୁର ଖୁଆଇଲା । ତା’ପରେ ଟ୍ୟାକ୍‌ସି କରି ନେଇଗଲା ବୁଲାଇବାକୁ । ଦିନେ, ଦୁଇଦିନ, ତିନିଦିନ, ତା’ପରେ ଏକ ନିଭୃତ ସନ୍ଧ୍ୟାରେ ଗଙ୍ଗାର ଘାଟରେ ବସି ତାକୁ ଖୋଲି କହିଲି ମୋର ଜୀବନର ବିଚିତ୍ର କାହାଣୀ । ସେ ନୀରବରେ ସବୁ କଥା ଶୁଣିଲା । ତା’ପରେ ସସ୍ନେହ କଣ୍ଠରେ କହିଲା, ତମେ ଠିକ୍‍ କରିଅଛ, ଭାଇ । ଏହା ଛଡ଼ା ଅନ୍ୟ ବାଟ ନ ଥିଲା; କିନ୍ତୁ ଏହି ମାତାଲର ଦୋକାନରେ ମଦ ବିକି ତମେ ତ ଆଉ ବାପାଙ୍କର ଦୁଃଖ ଦୂର କରିପାରିବ ନାହିଁ । ତାହାଠାରୁ ମୋ ସଙ୍ଗରେ ଚାଲ । ମୁଁ ତମକୁ ବାଟ ବତେଇ ଦେବି । ତା’ର ସଙ୍ଗ ନେଲି ।

ସେହି ଗତିଟା ମୋ ଆଖି ଆଗରେ ଭାସୁଛି । ଅତ୍ୟନ୍ତ ସରୁ ଗଳି । ଅନ୍ଧକାର ପଥ, ଦୁଇପାଖରେ ଅପରିଷ୍କାର ଆବର୍ଜନା । ଟର୍ଚ୍ଚର ଆଲୁଅରେ କୌଣସି ପ୍ରକାରେ ଆଗେଇ ଯାଉଛି । ଗୋଟାଏ ଭଙ୍ଗା ଘର । ସେଟାକୁ ପାରି ହେଲାରୁ ଭିତରଆଡ଼କୁ ଆଉ ଗୋଟାଏ ପ୍ରକାଣ୍ଡ ଜୀର୍ଣ୍ଣ କୋଠା । ସାମନା ପାଖଟା ଭାଙ୍ଗି ପଡ଼ିଛି । ଭଙ୍ଗା ସ୍ତୂପର ପାଖଦେଇ ଅଳ୍ପ ଟିକିଏ ବାଟ । ଅତି କଷ୍ଟରେ ପାରି ହୋଇ ଡାହାଣଆଡ଼କୁ ପାଇଲୁଁ ଗୋଟାଏ ସିଡ଼ି । ଯେଉଁପରି ସନ୍ତସନ୍ତିଆ, ସେହିପରି ଅନ୍ଧାର । ଉଠୁଛୁଁ ତ ଉଠୁଛୁଁ । ଗଲା, ତା’ର ଯେପରି ଆଉ ଶେଷ ନାହିଁ । ସେ ମୋର ହାତ ଧରିନେଇ ଯାଉଥିଲା । ଅନେକ ଥର ହାବୁଡ଼ି, ଅନେକଗୁଡ଼ାଏ ମୋଡ଼ (ବାଙ୍କ) ପାରି ହୋଇ ଆସି ପହଞ୍ଚିଲୁଁ ଗୋଟାଏ ହଲ୍‌ ରକମ ଘରେ । ଘର ଭର୍ତ୍ତି ଲୋକ । ଅଶ୍ଳୀଳ ଭାଷାରେ କଥାବାର୍ତ୍ତୀ ହେଉଛନ୍ତି, ଆଉ ମଝିରେ ମଝିରେ ହସୁଛନ୍ତି ବିକଟ କଦର୍ଯ୍ୟ ହସ । ଇଏ କେଉଁଠାକୁ ଆଣିଲ ? ଡରି ଡରି କହିଲି ତାକୁ । ସେ ଉତ୍ତର ଦେଲା ନାହିଁ । ହାତ ଧରି ନେଇଗଲା ପାଖର ଗୋଟାଏ ଘରକୁ । ମହମବତୀର ଆଲୁଅରେ ଦେଖିଲି, ଗୋଟାଏ ଲୋକ ଖଟିଆରେ ଶୋଇ ବିଡ଼ି ଟାଣୁଛି । ବୟସ ହୋଇଛି; କିନ୍ତୁ ଦେଖିବାକୁ ଗୁଣ୍ଡାଙ୍କ ପରି ।

ମୋର ବନ୍ଧୁ କହିଲା, ଆଣିଛି ଓସ୍ତାଦ ।

–ଆଣିଛ ? ବେଶ୍‌, ଏଇ ଆଡ଼କୁ ନେଇଆସ ।

ସେହିପରି ହାତ ଧରି ସେ ମୋତେ ଆହୁରି କିଛି ଦୂର ଆଗେଇ ନେଇ ଗଲା । ଲୋକଟା ଉଠିଆସି ମୋ ମୁହଁ ପାଖକୁ ମୁହଁ ନେଇ କିଛି କ୍ଷଣ କ’ଣ ଦେଖିଲା । ତା’ପରେ କହିଲା, ବାଃ ବଢ଼ିଆ ମାଲ ଆଣିଛୁ ରେ ! ଠିକ୍‌ ଅଛି, ସେ ପାରିବ ।

ଦେଶୀ ମଦର ଉଗ୍ର ଗନ୍ଧରେ ମୋ ପେଟ ମୋଡ଼ିଦେଲା । ପଛକୁ ଫେରି ବନ୍ଧୁକୁ ଆଉ ଦେଖିବାକୁ ପାଇଲି ନାହିଁ । ଆଉ କେଉଁ ଦିନ ଦେଖିବାକୁ ପାଇ ନାହିଁ ।

ପରଦିନ ସକାଳେ ବୁଝିଲି, କେଉଁଠାକୁ ଆସିଅଛି । ପକେଟ-ମାରୁମାନଙ୍କର ପ୍ରଧାନ ଟ୍ରେନିଂ-ସେଣ୍ଟର । ବନ୍ଧୁଟି ଜଣେ ପକ୍‌କା ଆଡ଼କାଠି, ମୁଁ ନୂଆ ରଂ ରୁଟ । ମୋତେ ନଜରବନ୍ଦୀ କରି ରଖାହେଲା । କିଛି କ୍ଷଣ ପରେ ଓସ୍ତାଦ ଡକାଇ ପଠାଇଲେ । କାନ୍ଧ ଉପରେ ହାତରଖି କହିଲେ ଡର କ’ଣ ପାଇଁ ? ତମ ପରି କେତେ ପିଲା ଅଛନ୍ତି ଆମ ଦଳରେ । ସମସ୍ତଙ୍କ ସଙ୍ଗରେ ଆଳାପ ପରିଚୟ କର । ଖାଅ, ପିଅ ସ୍ଫୁର୍ତ୍ତି କର । ମନଦେଇ କାମ ଶିଖ । ଭଲ କରି ଶିଖିପାରିଲେ ଏ ରକମ ଲାଇନ ଆଉ ପାଇବ ନାହିଁ । ରାତି ପାହିଲା ବେଳକୁ ବଡ଼ଲୋକ । ଆଚ୍ଛା ସବୁଠାରୁ ବେଶି କାହାକୁ ଭଲପାଅ କୁହ ତ ?

କହିଲି, ବାପାଙ୍କୁ ।

 

–ବେଶ୍‍ । କୁହ ତ ବାପାଙ୍କ ନାମ ଧରି ପ୍ରତିଜ୍ଞା କରୁଛି, ଦଳ ଛାଡ଼ି କେଉଁ ଦିନ ଯିବି ନାହିଁ; ଦଳର କୌଣସି କଥା କାହା ପାଖରେ ପ୍ରକାଶ କରିବି ନାହିଁ । କୁହ–

 

ପ୍ରତିଜ୍ଞା କଲି । ଏପରି ଭାବରେ ମୋର ଦୀକ୍ଷା ହେଲା । ମାସେ ଖଣ୍ଡେ ଟ୍ରେନିଂ ନେଇ ସେମାନେ ମୋତେ ରାସ୍ତାକୁ ପଠାଇବାକୁ ଆରମ୍ଭ କଲେ । ପଳାଇବାର ଉପାୟ ନାହିଁ, ପଛରେ ଭିଡ଼ ଭିତରେ ସେମାନଙ୍କର ଗାର୍ଡ଼ । ଉପାୟ ନ ଦେଖିଲେ ଛୋରା ଚଳାଇବାକୁ ଦ୍ୱିଧା କରିବେ ନାହିଁ-। ଖଡ଼ିଛୁଆଁ ଆରମ୍ଭ ହେଲା । ସାରାଦିନରେ କିଛି ନେଇ ଦବାକୁ ହେବ । ତାହା ନ ହେଲେ ନାନା ପ୍ରକାର ନିର୍ଯାତନା; କିନ୍ତୁ ଭାଗ୍ୟକ୍ରମେ ତାହା ମୋତେ ବେଶି ସହିବାକୁ ହୋଇ ନାହିଁ-। ଦକ୍ଷ ଏବଂ ବିଶ୍ୱସ୍ତ କର୍ମ୍ମୀ ବୋଲି ଅଳ୍ପ ଦିନରେ ହିଁ ମୋର ଖ୍ୟାତି ବ୍ୟାପିଗଲା । ଯାହା ପାଉଥିଲି, ସବୁ ସର୍ଦ୍ଦାର ପାଖରେ ଜମା ଦେବାକୁ ହେଉଥିଲା । ମୋର ପ୍ରାପ୍ୟ ଥିଲା ଖୋରାକ ଆଉ ସାମାନ୍ୟ କିଛି ହାତ ଖରଚ ।

 

ଗହର ବୋଲି ଗୋଟିଏ ଲୋକ ଥିଲା ଆମ ଦଳରେ । ମୋତେ ସେ ପ୍ରକୃତରେ ଭଲ ପାଉଥିଲା । ଦିନେ ଉହାଡ଼କୁ ନେଇ କହିଲା, ତୁମେ କି ବୋକା ! ଯାହା ପାଅ, ସବୁତକ ଦେଇଦିଅ-! କିଛି କିଛି ରଖିବାକୁ ହୁଏ, ତାହା ନ ହେଲେ ତମର ରହିଲା କ’ଣ ? ଆମେ ସଭିଏଁ କ’ଣ କରୁଛୁଁ ଦେଖିପାରୁ ନାହଁ ?

 

ସେକଥା ମୁଁ ଜାଣିଥିଲି । ସେଥିରେ ବିପଦ ବି କମ୍‍ ନ ଥିଲା । ଦିନେ ଗୋଟାଏ ଝୁଙ୍କ ନେଲି, ଜଣେ ଭାଟିୟା ଭଦ୍ରଲୋକ ବାସ୍‌କୁ ଉଠିବାକୁ ଯିବେ, ଭୀଷଣ ଭିଡ଼ । ମନିବ୍ୟାଗଟା ମାରିନେଇ ମୁଁ ବି ଖସିଗଲି । ନିରାପଦ ଜାଗାକୁ ଆସି ବ୍ୟାଗ ଖୋଲି ଦେଖିଲି, ଦୁଇଖଣ୍ଡ ଦୁଇହଜାର ଟଙ୍କାର ନୋଟ୍‍ । ବାସ୍‌ଆଉ ନୁହେଁ । ଏଥର ଫେରିବାକୁ ହେବ ।

 

କେତେ କାଳ ପରେ ଘରକୁ ଫେରିଲି । ରାତି ପ୍ରାୟ ଦଶଟା । କଡ଼ା ହଲାଇବାକୁ ଯାଇ ଛାତି ଥରୁଛି । ମନେହେଲା ଅନେକ ଦୂରକୁ ଚାଲି ଯାଇଛି, ବହୁତ ତଳକୁ ଓହ୍ଲାଇ ଯାଇଛି । ଏହି ଘର ମୋର ନୁହେଁ, ମୁଣ୍ଡ ଟେକି ଏଠାରେ ପଶିବାର ଅଧିକାର ମୋର ଚାଲି ଯାଇଛି । ତା’ପରେ ପଶି କ’ଣ ଦେଖିବି କିଏ ଜାଣେ । ଏପରି ସମୟରେ ଦୁଆର ହଠାତ୍‌ ଖୋଲିଗଲା । ଆଗରେ ଗୋବିନ୍ଦ । ମୋତେ ଦେଖି ରଡ଼ି ଛାଡ଼ି କାନ୍ଦି ଉଠିଲା–ଏତେ ଦିନ କେଉଁଠି ଥିଲ, ଦାଦାବାବୁ ଇଏ କ’ଣ ଚେହେରା ହୋଇଛି ତମର ? ତା’ ମୁହଁରେ ହାତ ଦେଇ କହିଲି, ଚୁପ୍‍, ଚୁପ୍‍, ବାପା କିପରି ଅଛନ୍ତି ?

 

ଗୋବିନ୍ଦ ଆଖି ପୋଛୁ ପୋଛୁ କହିଲା ଆଉ କି ପ୍ରକାର ! ତୁମେ ଗଲା ପରଠାରୁ ଏକବାରେ ଭାଙ୍ଗି ପଡ଼ିଛନ୍ତି । ଆଉ ମୁଣ୍ଡ ଟେକିପାରନ୍ତି ନାହିଁ । ଛାତିର ଅବସ୍ଥା ବି ଖୁବ୍‍ ଖରାପ । କେଉଁ ଦିନ ପ୍ରାଣଟା ବି ଚାଲିଯିବ ।

 

–ମା କେଉଁଠି ?

 

ଗୋବିନ୍ଦ ସେ କଥାର ଜବାବ ଦେଲା ନାହିଁ । ବାହାରକୁ ଯାଉ ଯାଉ କହିଲା, ତମେ ଉପରକୁ ଯାଅ । ମୁଁ ଚଟ୍‌କରି ଗୋଟାଏ ସୋଡ଼ା ନେଇ ଆସୁଛି ।

 

ବାପାଙ୍କ ଘରେ ପଶି ତାଙ୍କୁ ଦେଖି ଦେହ ଶୀତେଇ ଗଲା । ଆଖି ବୁଜି ପଡ଼ି ରହିଛନ୍ତି–ବାପା ନୁହନ୍ତି, ବାପାଙ୍କର କଙ୍କାଳି । ଗୋଡ଼ରେ ହାତ ଦେଲା କ୍ଷଣି ଚମକି ଉଠିଲେ, କିଏ ?

 

–ମୁଁ ବାପା ?

 

–ଖୋକା ! ଏତେ ଦିନକେ ଆସିଲୁ ? ଭାରି ଭୁଲ୍‍ କରିଥିଲୁ ବାପ ।

 

ଆ, ପାଖକୁ ଆ !

 

ପାଖକୁ ଗଲାମାତ୍ରେ ଡାହାଣ ହାତଟା କୌଣସି ପ୍ରକାରେ ଟେକି ସେ ମୋତେ କୁଣ୍ଢେଇ ଧରିଲେ । ମୁଁ ତାଙ୍କ ଛାତି ଉପରେ ମୁଣ୍ଡ ରଖି ଆଖିର ଲୁହ ସମ୍ଭାଳି ପାରିଲି ନାହିଁ । ବହୁତ ବେଳ ଯାଏ ସେହି ଭାବରେ ପଡ଼ିରହିଲି । ଆଖିର ଲୁହ ମଧ୍ୟ ଦେଇ ମୋ ମନର ସବୁ ତାପ, ସବୁ ପାପ ଯେପରି ତରଳି ବାହାରି ଗଲା । ହାଲୁକା ହୋଇଗଲା ବୁକୁଟା । ସେ ମୋହର ଦେହର ମୁଣ୍ଡରେ ହାତ ବୁଲାଇ ନେବାକୁ ଲାଗିଲେ, ତା’ପରେ ଧୀରେ ଧୀରେ କହିଲେ, ତୁ ବଡ଼ ହେବୁ, ମଣିଷ ହେବୁ-। ଏହା ତ ମୋର ଏକମାତ୍ର ଆଶା; କିନ୍ତୁ ଏ କ’ଣ କଲ ଖୋକା ? ଦଶ କୋଡ଼ିଏ ଟଙ୍କାରେ ଆମର କ’ଣ ଉପକାର ହେବ କହ ? ଆଉ ତାହା ପାଇଁ ତୁ ନିଜକୁ ଏହିପରି କ୍ଷୟ କରି ଚାଲିଛୁ-? ତୋର ସବୁଗୁଡ଼ାକ ମନିଅର୍ଡର୍‍ ମୁଁ ଥୋଇ ଦେଇଛି । ଟିକି ପିଲାଟାର ଏତେ କଷ୍ଟର ରୋଜଗାର ତାକୁ ମୁଁ ପେଟ ଦାଉରେ ଖରଚ କରିବି !

 

ମୁଁ ଉଠି ବସି କହିଲି, ଏଥର ମୁଁ ଅନେକ ଟଙ୍କା ଆଣିଛି, ବାପା । ରାତି ପାହିଲେ ମୁଁ ସବୁଠାରୁ ବଡ଼ ଡାକ୍ତରଙ୍କୁ ଡାକି ଆଣିବି । ତମକୁ ଜଲଦି ଭଲ ହୋଇଯିବାକୁ ହେବ । ତା’ପରେ ଚାଲ, ଆମେ ଗୋଟାଏ ଚେଞ୍ଜରେ ଯାଇ ରହିବା ।

 

ମନିବ୍ୟାଗଟା ଖୋଲି ନୋଟ୍‍ ଦୁଇଖଣ୍ଡ ବାହାର କଲି । ସେ ଆଡ଼କୁ ଥରେ ଚାହିଁ ଦେଇ ବାପାଙ୍କ ମୁହଁଟା ହଠାତ୍‌ କଠିନ ହୋଇ ଗଲା । ରୁକ୍ଷ ସ୍ୱରରେ କହିଲେ ୟେ କ’ଣ ? ଏତେ ଟଙ୍କା ତୁ କେଉଁଠୁ ପାଇଲୁ ? ମୁଣ୍ଡ ନୁଆଁଇ ଠିଆ ହୋଇ ରହିଲି ।

 

–କିଏ ଦେଇଛି, କହ–ମୋ ପାଖରେ ଲୁଚା ନାହିଁ । କହ, ଦେଇଛି କିଏ ?

 

ଏପରି ଉତ୍ତେଜିତ ହେବାକୁ ବାପାଙ୍କୁ କେବେ ମୁଁ ଦେଖି ନାହିଁ । ଡରି ଡରି କହିଲି, କେହି ଦେଇ ନାହିଁ; ମୁଁ ପାଇଛି ।

 

–କିପରି, କେଉଁଠାରୁ ପାଇଲୁ ?

 

ମୁଁ ନିରୁତ୍ତର ।

 

ବାପା ପାଟି କରିଉଠିଲେ, ଚୋରି କରିଛୁ ?

 

ଏହି ପ୍ରଶ୍ନର କୌଣସି ଜବାବ ମୋ ମୁହଁକୁ ଆସିଲା ନାହିଁ ।

 

ବାପା ଏକବାରେ ଭାଙ୍ଗି ପଡ଼ିଲେ–ଚୋର ! ମୋ ପୁଅ ଚୋର, ହେ ଭଗବାନ୍‌ ! ଏହା ବି ମୋତେ ଦେଖିବାକୁ ହେଲା !

 

ଦୁର୍ବଳ ଦେହ ଥର ଥର କରି କମ୍ପୁଛି । ଆଖି ଯୋଡ଼ିକ ମନେହେଲା ଯେପରି ଠୋକରି ବାହାରି ଆସିବ । ଅଦମ୍ୟ ଉତ୍ତେଜନାରେ ବିଛଣାରୁ ଉଠି ପଡ଼ିବାରୁ ବାହାରିଲେ, କି ସର୍ବନାଶ ! ମୁଁ ଚଞ୍ଚଳ ଧରି ପକାଇ ଶୁଆଇ ଦେଇ ଶୀର୍ଣ୍ଣ ମୁହଁ ଖଣ୍ଡିକୁ ଦୁଇ ହାତରେ କୁଣ୍ଢାଇ କାନ୍ଦି ପକାଇଲି, କହିଲି ବାପା, ତୁମେ ଚୁପ୍‍କର, ଏ ଟଙ୍କା ମୁଁ ଫେରାଇ ଦେବି । ପକେଇ ଦେବି । ତୁମକୁ ଛୁଇଁ କହୁଛି–ଏ କାମ ଆଉ କରିବି ନାହିଁ । ତମେ ସ୍ଥିର ହୁଅ–

 

ଆଉ କହିବାକୁ ହେଲା ନାହିଁ । ସେ ତତ୍‌କ୍ଷଣାତ୍‌ ସ୍ଥିର ହୋଇ ଗଲେ । ଚିରଦିନ ପାଇଁ ସ୍ଥିର । ମୁଁ ବି କ’ଣ ସେତେବେଳେ ବୁଝିପାରିଛି ? ଯେତେବେଳେ ବୁଝିଲି, ମୁଣ୍ଡଟା ହଠାତ୍‌ ବୁଲେଇ ଦେଲା, ସେହି ନିସ୍ପନ୍ଦ ଦେହ ଉପରେ ଲୋଟି ପଡ଼ିଗଲି ।

 

ଶେଷକୃତ୍ୟ ଯେତେବେଳେ ଶେଷ ହେଲା, ସେତେବେଳେ ସୂର୍ଯ୍ୟୋଦୟ ସୁଦ୍ଧା ହୋଇ ନାହିଁ । ସଭିଙ୍କ ଅଲକ୍ଷ୍ୟରେ ଶ୍ମଶାନରୁ ବାହାରି ପଡ଼ିଲି । ସେହି ମନିବ୍ୟାଗଟା ପକେଟରେ ଥିଲା । ସିଧା ଥାନାକୁ ଯାଇ ସେଟା ଜମା ଦେଇ କହିଲି, ଆଶା କରେଁ ମାଲିକକୁ ଦେଖିଲେ ଚିହ୍ନି ପାରିବି ।

 

ଭାଟିଆ ଭଦ୍ରଲୋକ ଥାନାରେ ଡାଏରି କରି ରଖିଥିଲେ, ତାଙ୍କୁ ଡାକି ପଠାହେଲା । ଚିହ୍ନିଲି । ସେ ମଧ୍ୟ ତାଙ୍କର ବ୍ୟାଗ ଓ ନୋଟ୍‍ ସନାକ୍ତ କଲେ ।

 

ମୋ ବିରୁଦ୍ଧରେ ପୋଲିସ୍‍ କେସ୍‍ ଦାଏର ହେଲା । ଅଣ୍ଟାରେ ଦଉଡ଼ା ଏବଂ ହାତରେ ହାତକଡ଼ା ପିନ୍ଧାଇ ଜେଲ୍‍କୁ ନିଆଗଲା ।

 

ହାକିମଙ୍କର ବୋଧହୁଏ ମୋତେ ଦେଖି ଦୟା ହୋଇଥିଲା । ପ୍ରଥମ ଅପରାଧ ବୋଲି ଗୋଟାଏ ବଣ୍ଡ୍‌ ଲେଖାଇନେଇ ଛାଡ଼ି ଦେବାକୁ ଚାହିଁଲେ । କିନ୍ତୁ ଛାଡ଼ ପାଇ କେଉଁଠାକୁ ଯିବି ମୁଁ ? କାହା ସକାଶେ ବା ଯିବି ? କହିଲି, ଏହା ମୋର ପ୍ରଥମ ଅପରାଧ ନୁହେଁ । ଏହି ଅପରାଧ ଅନେକଥର କରିଛି, ଧରା ପଡ଼ି ନାହିଁ । ପୋଲିସ୍‌ ମୋତେ ସମର୍ଥନ କଲା । ତାଙ୍କ ଖାତାରେ ମୋର ନାମ ଥିଲା । ମାଜିଷ୍ଟ୍ରଟ ଯେପରି ବାଧ୍ୟହୋଇ ମୋତେ ଛଅମାସ ଜେଲ୍‍ ଦେଇଦେଲେ ।

 

ଛଅମାସ ଶେଷ ହୋଇ ଆସିଲାଣି । ଖଲାସ ହେବାକୁ ଆଉ ତିନିଦିନ ବାକି । କିନ୍ତୁ ଯାହା ଚାହୁଁଥିଲି, ତାହା ତ କାହିଁ ପାଇଲି ନାହିଁ । କେଉଁଠାରେ ମୋର ଶାସ୍ତି ? କିପରି ହେବ ମୋର କୃତ ଅପରାଧର ପ୍ରାୟଶ୍ଚିତ୍ତ ? ମୁଁ ତ କେବଳ ଚୋର ନୁହେଁ । ମୁଁ ପିତୃହନ୍ତା । ସେହି ମହାପାପର ଦଣ୍ଡଭୋଗ ତ ମୋର ଶେଷ ହୋଇ ନାହିଁ ! କେଉଁଦିନ ହେବ କି ନାହିଁ, ତାହା ବି ଜାଣେ ନାହିଁ । ଯଦି ହୁଏ, ସେହିଦିନ ଆପଣଙ୍କ ପାଖକୁ ଫେରିଯିବି ।

 

–ହତଭାଗ୍ୟ ପରିମଳ ।

 

ସେ ଆଉ ଫେରି ଆସି ନାହିଁ ।

 

ଷୋହଳ

 

ଦାୟାରା-ବିଚାରରେ କାଶିମ ଫକୀରର ଫାଶିର ହୁକୁମ ହୋଇଗଲା । ସୁଯୋଗ୍ୟ ଜଜ୍‌ସାହେବ ବୟସରେ ନବୀନ ନୁହନ୍ତି କିନ୍ତୁ ଜଜିୟତିର ଆସନରେ ନବାରୂଢ଼ । ପଛରେ ରହିଛି ମୁନସଫ ଓ ସବଜଜ ପଦର ସୁଦୀର୍ଘ ସୋପାନ । ଥିଲେ ଡିଗ୍ରୀ ଡିସ୍‌ମିସ୍‍ର ମାଲିକ । ଜୀବନ ବିତିଯାଇଛି ପଟ୍ଟା କବୁଲିୟତ ଓ ଜୀର୍ଣ୍ଣ ତମସୁକର ଧୂଳି ଘାଣ୍ଟି । ଯେଉଁ ମଣିଷକୁ ନେଇ କାରବାର କରିଅଛନ୍ତି, ସେମାନେ ବି ସେହି ଦଲିଲ ଭଳି ଘୁଣଖିଆ–ଜାଲ୍‌, ଜୁଆଚୋରି, ଘୁଷ ଆଉ ମିଥ୍ୟା ସାକ୍ଷ୍ୟର ଗୋପନ ବିଷରେ ଦଗ୍‌ଧ-ଦେହ । ସେହିଭଳି ମଣିଷ ସବୁ ଦେଖିଛନ୍ତି ଜଜ୍‌ସାହେବ । ଦେଖି ନାହାନ୍ତି ତାଜା ମଣିଷ, ଉଚ୍ଛଳ ପ୍ରାଣରସରେ ଭରା ଚାଷୀ ଗାଉଁଲି ଓ ବଣୁଆ ମଣିଷ; ଜୀବନ-ମୃତ୍ୟୁ ଯାହାଙ୍କର ପଦସେବକ, ଚିତ୍ତ ଭାବନାହୀନ ।

 

ଖୁନୀଙ୍କ ସହିତ ଜଜ୍‌ସାହେବଙ୍କର ଏହି ପ୍ରଥମ ପରିଚୟ, ମୃତ୍ୟୁଦଣ୍ଡରେ ଏହି ପ୍ରଥମ ଖଡ଼ିଛୁଆଁ ।

 

ସେହି ଦଣ୍ଡକୁ ରୂପ ଦେବାକୁ ଯାଇ ଶୁଭ୍ରକେଶ ବିଚାରକଙ୍କର ସୁଦୃଢ଼ ଲେଖନୀ ହୁଏତ ଥରେ କମ୍ପି ଉଠିଥିଲା । ସେହି କମ୍ପନ ଅନୁରଣିତ ହେଲା ତାଙ୍କର ଆବେଗ ଜଡ଼ିତ କଣ୍ଠ ସ୍ୱରରେ; ଯେତେବେଳେ ବିଚାର ମଞ୍ଚର ଉଚ୍ଚ ଆସନରୁ ସେ ଘୋଷଣା କଲେ ତାଙ୍କର ନ୍ୟାୟନିବଦ୍ଧ କଠୋର ଆଦେଶ–

 

….The said Kasin Fakir be hanged by the neck till he be dead……

ଦଣ୍ଡଦାତା ବିଚଳିତ ହେଲେ, ଗ୍ରହୀତା ନିର୍ବିକାର । ପରମ ଉଦାସୀନ ହୋଇ ଗ୍ରହଣ କଲା ତା’ର ଚରମ ଆଦେଶ । ରାୟ ଯେତେବେଳେ ଶେଷ ହେଲା କାଠଗଡ଼ା ଉପରୁ ଠିଆ ହୋଇ ଥରେ ଚାରିଆଡ଼କୁ ଆଖି ବୁଲାଇ ନେଲା । ମନେହେଲା ବ୍ୟାକୁଳ ଦୃଷ୍ଟିରେ କାହକୁ ଖୋଜୁଅଛି । ତା’ପରେ ଧୀରେ ଧୀରେ ଓହ୍ଲାଇ ଆସିଲା ରେଲିଂଘେରା କାଠର ମଞ୍ଚରୁ । ପୋଲିସ୍‌ର ଲୋକମାନେ ଆସି ଘେରି ଠିଆ ହୋଇ ଗଲେ । ଆଖିରେ ପଡ଼ିଲା ନାହିଁ । ଅପେକ୍ଷମାନ ସ୍ତବ୍ଧ ଜନତାଙ୍କ ବିସ୍ମିତ ଦୃଷ୍ଟି ଆଡ଼କୁ ଫେରି ବି ଚାହିଁଲା ନାହିଁ । ନିଃଶବ୍ଦରେ ଅଦାଲତ ବାହାରକୁ ଆଗେଇ ଚାଲିଲା, ଯେଉଁଠାରେ କଳାପରଦା ଦିଆ କଇଦୀଙ୍କ ଗାଡ଼ି ଛିଡ଼ା ହୋଇଅଛି ।

ଦୁଆର ଆଗରେ ଠିଆ ହୋଇଥିଲେ ଓକିଲବାବୁ । ମହକିଲର ପ୍ରାଣରକ୍ଷା ପାଇଁ ପ୍ରାଣପଣେ ଲଢ଼ି ବି ଫଳ ପାଇ ନାହାନ୍ତି । ବୋଧହୁଏ ଇଚ୍ଛା ଥିଲା, ଗୋଟା କେତେ ଦାର୍ଶନିକ ସାନ୍ତ୍ୱନା ଦେଇ ସେହି ଶୂନ୍ୟତାକୁ ପୂରାଇ ନେବେ । କିନ୍ତୁ ମହକିଲର ମୁହଁକୁ ଚାହିଁ ତାଙ୍କ ମୁହଁରୁ ଆଉ କଥା ବାହାରିଲା ନାହିଁ । କୌଣସିମତେ ବ୍ୟକ୍ତ କଲେ ନିହାତି ଯେତିକି କାମର କଥା–ଏଇଠି ଗୋଟାଏ ସଇ କର ତ ଫକୀର ! ସାତଦିନ ଭିତରେ ହାଇକୋର୍ଟରେ ଅପିଲ ଦାଏର କରିବାକୁ ହେବ ।

ଟିକିଏ ରହି, କେତେକଟା ଯେପରି ଆପଣା ମନକୁ କହିଲେ, ଦେଖାଯାଉ ଆଉ ଥରେ ଚେଷ୍ଟା କରି । ଫକୀର ଠିଆ ହେଲା । ମୁହଁରେ ଫୁଟିଉଠିଲା ଏକ ଅଦ୍ଭୁତ ବିକୃତ ହସର କୁଞ୍ଚନ । ଶୁଷ୍କ କଣ୍ଠରେ କହିଲା, କ’ଣ ଲାଭ ବାବୁ ? ଏଠି ବି ତ କମ୍‌ ଚେଷ୍ଟା କରି ନାହାନ୍ତି !

 

ଫକୀର ସହ ମୋର ଦେଖା ଆସାମ ସୀମାନ୍ତର କୌଣସି ଡିଷ୍ଟ୍ରିକ୍‌ଟ ଜେଲରେ । ଘର ତା’ର ଥିଲା ମୟମନସିଂ, ଇଂରେଜ-ଶାସିତ ବଙ୍ଗର ସବୁଠାରୁ ବଡ଼ ଜିଲ୍ଲା, ବିଶାଳ ଭୂଖଣ୍ଡ । କେବଳ ଆୟତନରେ ନୁହେଁ, ତାହାର ବୈଶିଷ୍ଟ୍ୟ ରହିଛି । ପ୍ରାକୃତିକ ବୈଚିତ୍ର୍ୟରେ । ଦକ୍ଷିଣ ଓ ପୂର୍ବଦିଗ ବ୍ୟାପି ବିସ୍ତୀର୍ଣ୍ଣ ସମତଳ ଭୂମି–ବ୍ରହ୍ମପୁତ୍ର-ଯମୁନାର ଅକୃପଣ କରୁଣାର ଶସ୍ୟ-ସମ୍ଭାରରେ ଐଶ୍ୱର୍ଯ୍ୟମୟ । ରୁଦ୍ର ବୈଶାଖର ଅସହ୍ୟ ଖରା ତାପରେ ତା’ର ବିଲର ମାଟି ଫାଟିଯାଏ । ଆଷାଢ଼ ଶେଷରେ ସେଠାରେ ଓହ୍ଲାଇ ଆସେ ବର୍ଷାର ପ୍ଳାବନ । ଫୁଲି ଫୁଲି ଦୁର୍ବାର-ଯୌବନା ନଦୀ କୂଳକୁ ଡେଇଁ ମାଡ଼ି ଆସେ । ଶ୍ରାବଣରେ ସେହି ବିଲର ବୁକୁରେ ଦଶହାତ ଗଭୀର ପାଣି ଉପରେ ମହାଜନି ନୌକା ପାଲ ଟେକି ଯାତାୟାତ କରେ; ଭାସି ବୁଲେ ଅସଂଖ୍ୟ କେଉଟଙ୍କ ଡଙ୍ଗା, ପାଣି କେବଳ ପାଣି । କିନ୍ତୁ ଦେଖି ଦେଖି ମନ ବିକଳ ହୁଏ ନାହିଁ । ତା’ର ରୂପରେ ବନ୍ଧ୍ୟାର ରୁକ୍ଷତା ନାହିଁ-। ତାହା ଉପରେ ବିଛା ହୋଇଥାଏ ସୁପୁଷ୍ଟ ଶ୍ୟାମଳ ଶାରଦ ଧାନର ଆସ୍ତରଣ । ବନ୍ୟା ସହିତ ତାଙ୍କର ବାଜି ମରାମରି । ପାଣି ଯେବେ ଚାରିଆଙ୍ଗୁଳି ବଢ଼େ, ଧାନଗଛ ବଢ଼େ ଅଧହାତ-। ରୁଦ୍ରା ପ୍ରକୃତି ସହ କରୁଣାମୟୀ ପ୍ରକୃତିର ଦ୍ୱନ୍ଦ୍ୱ । ଜୟପରାଜୟ ନିର୍ଭର କରେ ମଣିଷର ଭାଗ୍ୟ ଉପରେ-

 

କାର୍ତ୍ତିକ ଶେଷରେ ଏହି ବିପୁଳ ଜଳରାଶି କେଉଁଠି ମନ୍ତ୍ରବଳରେ ଅଦୃଶ୍ୟ ହୋଇଯାଏ । ଦୀର୍ଘ ଧାନଗଛ ଲୋଟି ପଡ଼େ, ମୁଣ୍ଡରେ ସ୍ୱର୍ଣ୍ଣଶୀର୍ଷ ଟେକି । ତାହା ତଳେ ଯେଉଁ କୋମଳ ମାଟି, ତହିଁରେ ବି ସ୍ୱର୍ଣ୍ଣରେଣୁ, କୃଷକର ଭାଷାରେ ଯାହାର ନାମ ପଟୁ । ତାହାରି ସ୍ପର୍ଶରେ ମାତିଉଠେ ରବିଶସ୍ୟର ସମ୍ଭାର । ମଟରର ମଗ ଲହ ଲହ କରେ, ସୋରିଷରେ ହଳଦୀଗୁଣ୍ଡାର ସ୍ପର୍ଶ, ଗୁଞ୍ଜାତିଳ ଅତସୀଫୁଲ ମନରେ ବୈରାଗ୍ୟର ଛାପ ଆଣିଦିଏ ।

 

ହିଡ଼ବନ୍ଧା ନାହିଁ, ପାଣିମଡ଼ା ନାହିଁ, କାଦୁଅ ଚକଟା ନାହିଁ, ଗୋଟିଏ ଗୋଟିଏ କରି କ୍ଷୀଣ ପ୍ରାଣ ଧାନଗଛ ପୋତି ରୁଗ୍‌ଣ ଶିଶୁକୁ ତିଳତିଳ କରି ମଣିଷ କରିବାର ଦୁରୂହ ସାଧନା ନାହିଁ । ପାଣି ପାଣି ବୋଲି ଆକାଶ ଆଡ଼କୁ ଚାତକ ପରି ଚାହିଁ ରହିବାର ବିଡ଼ମ୍ବନା ନାହିଁ । ମାଟିରେ କେଇଟା ଗାର ପକାଇ ଯେପରି ସେପରି କରି ବିହନ ବୁଣି ଦେଇ ଗୀତ ଗାଇ ମାଛ ଧରି ଓ କଙ୍ଗା କରି ଦିନ କଟାନ୍ତି । ମୟମନସିଂହ ଚାଷୀର ବାକି ଯାହା କିଛି, ସବୁ ଦିଏ ନଦୀ, ଦିଏ ବ୍ରହ୍ମପୁତ୍ର ଓ ତାହାର କଲ୍ୟାଣୀ କନ୍ୟା ଯମୁନା । ତେଣୁ ଏହି ଦେଶର ନାମ ନଦୀ-ମାତୃକା ଦେଶ ।

 

ଏଠାରେ ଯେଉଁ ନଳିତା ହୁଏ ତାହାର ଖ୍ୟାତି ନଉୟର୍କର ଓ ଡାଣ୍ଡିର ବଜାରରେ ଅଛି । ଏଠାର ବିରୁଇ ଚାଉଳର ମିଠା ସୁଆଦ ଆଜି ବି ଆମ ପରି ବିଦେଶୀ ଅନ୍ନଭୋଜୀର ରସନାରେ ଲାଗି ରହିଛି । ଜୀବନ–ଯାତ୍ରାର ସ୍ୱାଚ୍ଛନ୍ଦ୍ୟ ଏବଂ ପ୍ରକୃତିର ଉଦାରତା ଏମାନଙ୍କ ଦେହରେ ଦେଇଛି ସ୍ୱାସ୍ଥ୍ୟର ଦୃଢ଼ତା, ମନରେ ଆଣି ଦେଇଛି ନିର୍ଭୀକ ସାରଲ୍ୟ । ପ୍ରାଣ ଦେବା-ନେବା ଏମାନଙ୍କର ବିଳାସ । ଧନ ଏବଂ ନାରୀ ଲୁଣ୍ଠନ ଏମାନଙ୍କ ବ୍ୟସନ । ଏମାନଙ୍କର ପରିଭାଷାରେ abduction କଥାଟାର ପ୍ରତିଶବ୍ଦ ‘ବୋହୂଟଣା’ ଅର୍ଥାତ୍‌ ପରର ବୋହୂକୁ ପ୍ରକାଶ୍ୟ ବାହୁବଳରେ ଟାଣିଆଣି ବଶ କରିବାର ନାମ ନାରୀହରଣ । ଗୋପନରେ ଚୋରୀ କରି ଅରକ୍ଷିତା କୁମାରୀ କିମ୍ବା ବିଧବା ଉପରେ ବଳପ୍ରୟୋଗ ନୁହେଁ । ପ୍ରଥମଟାରେ ଅଛି ହିଂସ୍ର ପୌରୁଷ, ଦ୍ୱିତୀୟଟାରେ କାମୁକର ଇତର କାପୁରୁଷତା ।

 

ମୟମନସିଂ ଗୀତ କବିତାର ଦେଶ । ତାହା ମୂଳରେ ବି ଅଛି ପ୍ରକୃତିର ଅଜସ୍ର ବଦାନ୍ୟତା । ବଙ୍ଗର ରତ୍ନ-ଭଣ୍ଡାରକୁ ବିକ୍ରମ-ପୁର ଦେଇଛି ମନିଷା, ବରିଶାଲ ଦେଇଛି ସ୍ୱଦେଶପ୍ରେମ, ଆଉ ମୟମନସିଂ ଦେଇଛି ପଲ୍ଲୀ-କାବ୍ୟ । ଏହାର ବାଟ ଘାଟରେ, ନଦୀ ପଠାରେ, ଆମ୍ବତୋଟାରେ, ନିରକ୍ଷର କୃଷକର ଗୋବର ଲିପା ଅଗଣାରେ ଏବେ ସୁଦ୍ଧା ଭାସି ବୁଲେ ନଦିଆର ଠାକୁର ଓ ମହୁଆ କେଲୁଣୀର ବିରହ-ମିଳନ, ଲୀଳାକଙ୍କର ପ୍ରେମ-ଗୁଞ୍ଜନ, କବି ଚନ୍ଦ୍ରାବତୀଙ୍କ ମୌନ ଆତ୍ମତ୍ୟାଗ ।

 

ଇଏ ତ ଗଲା ଦକ୍ଷିଣର ରୂପ । ଉତ୍ତରର ଚେହେରା ଏକବାରେ ଅଲଗା । ସେଠାରେ ନାହିଁ ଦକ୍ଷିଣର ଏହି ପ୍ରାକୃତିକ ଦାକ୍ଷିଣ୍ୟ । ରୁକ୍ଷ ବନ୍ଧୁର ବନଭୂମି । ମଝିରେ ମଝିରେ ଅନୁଚ୍ଚ ପାହାଡ଼ଶ୍ରେଣୀ । କୃପଣୀ ବସୁମତୀ ସହାସ୍ୟ ପ୍ରସନ୍ନ ମୁଖରେ ବରଦାନ କରନ୍ତି ନାହିଁ । ବହୁ ଖୋଳାଖୋଳି କଲେ ତେବେ ଶସ୍ୟକଣିକାର ଦର୍ଶନ ମିଳେ । ଏହି ବିସ୍ତୃତ ଅଞ୍ଚଳର ଗୋଟିଏ ଅଂଶ ମାଡ଼ିରହିଛି ମଧୁପୁରର ଗଡ଼ । ଏକ ସମୟରେ ଥିଲା ଭବାନୀ ପାଠକର କର୍ମ୍ମକ୍ଷେତ୍ର, ଆଜି ପୋଲିସ୍‌-ଭୀତ ଦସ୍ୟୁ-ତସ୍କର ଏବଂ ଫେରାର ଆସାମୀମାନଙ୍କର ଲୀଳାଭୂମି । ଏହିଠାରେ କେଉଁଠି ଜନହୀନ ଜଙ୍ଗଲରେ ବେଷ୍ଟିତ ଗୋଟାଏ ଟିଲା ପାଖରେ ଥିଲା କାସିମ ଫକୀରର ଆଖଡ଼ା । ଲଗାଲଗି ଦୁଇଖଣ୍ଡ କୁଟାଘର, ଗୋଟାଏ ଭଙ୍ଗା ଦରଗା, ତାକୁ ବେଢ଼ି ଭାଙ୍ଗ ଓ ଧୁତୁରାର ବଣ । ସମ୍ପତ୍ତି ଭିତରେ ଥିଲା ଗୋଟିଏ ନାତୁଣୀ ବୟସୀ ରୂପସୀ ସ୍ତ୍ରୀ, ଗୋଟାକେତେ ଗୋରୁ ଛେଳି, ପଲେ ମୁରଚୀ ଓ ଗୋଟାଏ ସାରୀ ଚଢ଼େଇ ।

 

ଫକୀରର ବୟସ ପଚାଶ ଉପରେ । ତା’ର ଯୌବନର ଇତିହାସ ପୋଲିସ୍‌ର ଖାତାରେ ଚିହ୍ନିତ ଅଛି । ତା’ର ଏହି ‘ବନଂ ବ୍ରଜେତ’ ଅର୍ଥହୀନ ନୁହେଁ; କିନ୍ତୁ ଗୋଟିଏ ଉଦ୍ଭିନ୍ନ-ଯୌବନା ଚଞ୍ଚଳା ନାରୀ କେଉଁ ଦୁଃଖରେ କିମ୍ବା କାହାର ଆକର୍ଷଣରେ ସଂସାରର ଯାହାକିଛି ସବୁ ତ୍ୟାଗ କରି ବରଣ କରିଥିଲା ଏହି ନିର୍ଜନ ବନବାସ ? ବାଛି ନେଇଥିଲା ଏକ ନିରାସକ୍ତ ବୃଦ୍ଧର ନିରାନନ୍ଦ ସଙ୍ଗ ! ସେହି ରହସ୍ୟ ଜାଣନ୍ତି କେବଳ ତା’ର ସୃଷ୍ଟିକର୍ତ୍ତା ।

 

ବୃଦ୍ଧ ଫକୀର ଦରଜା ପାଖରେ ବସି ମାଳି ଜପେ, ମଝିରେ ମଝିରେ ତୀକ୍ଷ୍ମ କଣ୍ଠରେ ଡାକେ, କୁଟୀ, ଓ, ଓ, କୁଟୀ । କୁଟୀ ବିବି ସେତେବେଳେ ବନ୍ୟ ହରିଣୀ ପରି ନିଜ ମନକୁ ଘୂରି ବୁଲିଥାଏ, ଗଜା ଗଜା ସିଙ୍ଗବାଲା, ସତେଜ ଛାଗଶିଶୁ ସହ ‘‘ପୈଟ’’ ଖେଳେ–ତା’ ମୁଣ୍ଡକୁ ଧରି ପେଲି ଦେଇ ତାକୁ ରଗାଇ ଦିଏ ଆଉ ସେ ଯେତେବେଳେ ଆଗ ଗୋଡ଼ଯୋଡ଼ାକ ଟେକି ଶିଙ୍ଗ ଉଞ୍ଚାଇ ଗୋଡ଼ାଇ ଆସେ, ତାଳି ମାରି ଖିଲ ଖିଲ କରି ହସେ । କେତେବେଳେ ଅବା ମୁରଗୀଙ୍କ ପଛରେ ଧାଇଁ ବୁଲେ, ସ୍ୱର ଅନୁକରଣ କରି କୋଇଲି ସହ କଳି କରେ କିମ୍ୱା ପୋଷା ସାରୀକୁ ଆଦର କରେ ।

 

ମଝିରେ ମଝିରେ ଫକୀରେ ଗସ୍ତରେ ବାହାରେ । ଆଲଖାଲ୍ଲା ପିନ୍ଧି ଝୁଲା କାନ୍ଧରେ ପକାଇ ମୁହଁଭରା ଦାଢ଼ି ଓ ମୁଣ୍ଡ ଭର୍ତ୍ତି ବାଳ ନେଇ ଅଙ୍କାବଙ୍କା ଲାଠିଟାକୁ ଧରି ଯେତେବେଳେ ବନ ପଥରେ ଅଦୃଶ୍ୟ ହୋଇଯାଏ, କୁଟୀ ସେହି ଆଡ଼କୁ ଚାହିଁ ମୁରକି ମୁରକି ହସେ । କ’ଣ ଭାବେ, କିଏ ଜାଣେ ?

 

ଫକୀରର ଫେରିବାକୁ ମାସେ ବିତିଯାଏ । ହାଟକୁ ହାଟ ତା’ର କରାମତି ଦେଖାଇ ବୁଲେ, କବଚ ଡେଉଁରିଆ ଦିଏ, ମନ୍ତ୍ରପାଣି ଖୁଆଏ, ଝାଡ଼ଫୁଙ୍କ କରେ ଆଉ ସନ୍ଧ୍ୟାର ଅନ୍ଧକାରରେ କୌଣସି ଉହାଡ଼ ଜାଗା ବାଛିନେଇ ନୋଟ୍‍ ଡବଲର ଖେଳ ଦେଖାଏ । ଦୁଇଟଙ୍କା ଦେଲେ ସାଙ୍ଗେ ସାଙ୍ଗେ ଚାରିଟଙ୍କା କରିଦିଏ, ପାଞ୍ଚ ଟଙ୍କାକୁ ବି ଦଶଟଙ୍କା କରେ । ତହିଁରୁ ଅଧିକ ଯେବେ କେହି ଦିଏ, ଫେରାଇ ଦେଇ କହେ, ଆଖଡ଼ାକୁ ଯିବ । ଦରଗାରେ ସିନ୍ନି ଲାଗିବ ଏକଟଙ୍କା ସଉଆ ପାଞ୍ଚଅଣା । ଏକା ଯିବ, ଲୋକବାକ ଥିଲେ ହେବ ନାହିଁ ।

 

ତା’ପରେ ଦିନେ ଫକୀର ଫେରି ଆସେ । ଝୁଲା ଭର୍ତ୍ତି ଟଙ୍କା ସୁଉକି, ଆଉ ବୋହୂ ପାଇଁ ଏଣୁତେଣୁ ଜିନିଷ । କୁଟୀର ଆନନ୍ଦ ଆଉ କହିଲେ ନ ସରେ ।

 

ଦୁଇ-ଚାରିଦିନ ପରେ ଆସିବାକୁ ଆରମ୍ଭ କରନ୍ତି ନୋଟ୍‍-ଡବଲର ମହକିଲଙ୍କଦଳ । ସାନ ସାନ ପାଟିଙ୍କୁ ଫକୀର ଆମଳ ଦିଏ ନାହିଁ । ଗୋଟାଏ କିଛି ବାହାନା ଦେଖଇ ଫେରାଇ ଦିଏ-। ତିନି, ଚାରି, ପାଞ୍ଚ ଶହ ନେଇ ଯେଉଁମାନେ ଆସନ୍ତି ସେମାନଙ୍କୁ କହେ, ବସ । ରାତି ପହରକ ପରେ ସିନ୍ନି ହେବ ।

 

ପ୍ରହର ବିତିଯାଏ । ଦରଜା ପାଖକୁ ମହକିଲକୁ ଡାକରାପଡ଼େ । ଫକୀର ସମାଧିସ୍ଥ । କ୍ଷିପ୍ର ଗତିରେ ତା’ ହାତରେ ତସବୀ ବୁଲୁଅଛି । କ୍ରମେ ରାତି ବେଶୀ ହୁଏ । ଟିଲା ପଛରୁ ଶୁଗାଳଙ୍କ ପଲ ପ୍ରହର ଘୋଷଣା କରନ୍ତି । ନିସ୍ତବ୍ଧ ବନାଳୟରୁ ମଝିରେ ମଝିରେ ବନ୍ୟ ଜନ୍ତୁଙ୍କର ଡାକ ଶୁଣାଯାଏ, ହଠାତ୍ ଏକ ସମୟରେ କାଶିମ ଆଖି ମେଲି ଅନାଏଁ ।

 

ତସବୀ ମୁଣ୍ଡରେ ଛୁଆଁଇ ଗାଢ଼ କଣ୍ଠରେ କହେ, ଖୋଦା ମେହରବାନ୍ । ଦିଅ ଟଙ୍କା, ଦିଏ ।

 

ଭକ୍ତ ନୋଟ୍‍ର ବିଡ଼ା ଫକୀର ହାତକୁ ଟେକିଦିଏ । ରୁଦ୍ଧ ଶ୍ୱାସରେ କମ୍ପିତ ବକ୍ଷରେ ଅପେକ୍ଷା କରେ, କେତେବେଳେ ସେହି ବିଡ଼ା ଡବଲ ହୋଇ ଫେରି ଆସିବ ।

 

–ଏଇ ନିଅ ସିନ୍ନି ।

 

ଭକ୍ତ ହାତ ବଢ଼ାଇ ନିଏ ଦୁଇଖଣ୍ଡ ବାତାସା, ଟିକିଏ ଫଳ ଆଉ ଗିଲାସେ ସୁସ୍ୱାଦୁ ସରବତ । ସାରା ଦିନର କ୍ଳାନ୍ତି ଓ ଦୀର୍ଘ ଅନଶନ ପରେ ଭାରି ଭଲ ଲାଗେ । କିନ୍ତୁ ଇଏ କ’ଣ ! ସାରା ଚେତନା ଯେପରି ଆଚ୍ଛନ୍ନ ହୋଇ ଆସୁଛି । ଗୋଟା ଦେହଟା କ’ଣ ପାଇଁ ଶିଥିଲ ଲାଗୁଛି, ଆଖି ଯେ ଖୋଲି ହେଉନାହିଁ । ନିଦ ମାଡ଼ି ଆସୁଛି । ଅପାର ଅନନ୍ତ ନିଦ । ଯେଉଁ ନିଦ ଆଉ ଭାଙ୍ଗିବ ନାହିଁ ।

 

ସେହି ନିଦ ସତକୁ ସତ ଆଉ ଭାଙ୍ଗେ ନାହିଁ । ଘଣ୍ଟାଏ ଖଣ୍ଡେ ପରେ–ମୁଣ୍ଡ ପାଖଟା ସ୍ୱାମୀ ଓ ଗୋଡ଼ ପାଖଟା ସ୍ତ୍ରୀ–ଭକ୍ତକୁ ଧରି ଘୋଷାରି ଘାଷାରି ନେଇ ଯାଆନ୍ତି ଟିଲାର ପଛପଟରେ ଘନ ଜଙ୍ଗଲ ଭିତରକୁ । ସେଠାରେ ସୁନ୍ଦର କବର ଖୋଳା ହୋଇ ରହିଛି । ଅଜ୍ଞାନ ଭକ୍ତକୁ ତାହାରି ଭିତରେ ପକାଇ ଦେଇ ଫକୀର ମୁଣ୍ଡରୁ ଝାଳ ପୋଛି ପକାଏ । କୁଟୀ କଳ-କଣ୍ଠରେ ହସିଉଠେ । ବନ ପ୍ରାନ୍ତରେ ତା’ର ପ୍ରତିଧ୍ୱନି ଉଠେ । ତା’ପରେ ନିପୁଣ ଭାବରେ ମାଟି ଘୋଡ଼ାଇ, ଘାସ ଚେକା ବସାଇ ଦେଇ, ସବୁ ଚିହ୍ନ ବିଲୁପ୍ତ କରି ସ୍ୱାମୀ-ସ୍ତ୍ରୀ ନିଶ୍ଚିନ୍ତ ମନରେ ଶୋଇବାରୁ ଯାଆନ୍ତି ଏବଂ ପାଖାପାଖି ଶୋଇ ନିଦେଇ ମଧ୍ୟ ଯାଆନ୍ତି । ସକାଳୁ ଉଠି ନୋଟ୍‍ଗୁଡ଼ାକ ହାଣ୍ଡିରେ ପୂରାଇ ବନ୍ଦକରି ମାଟି ତଳେ ପୋତି ରଖନ୍ତି । ତା’ପରେ ଭଲ କରି ପାଣି ଦିଅନ୍ତି, ଭାଙ୍ଗ ଓ ଧୁତୁରା ଗଛର ଜଙ୍ଗଲରେ ।

 

ଏହିପରି ବର୍ଷ ପରେ ବର୍ଷ ବ୍ୟବସାୟ ଚଳାଇ ନିର୍ବିଘ୍ନରେ ମହାସୁଖରେ ଥିଲେ ଫକୀର–ଦମ୍ପତି । ମଝିରେ ମଝିରେ ହତଭଗ୍ୟ ମହକିଲର କେହି ଆତ୍ମୀୟସ୍ୱଜନ ଯେବେ ତା’ର ସନ୍ଧାନରେ ଆସନ୍ତି, ଫକୀର ଏକବାରେ ଆକାଶରୁ ପଡ଼େ । ସେ ଯେ ସେହିଦିନ ଡବଲ ନୋଟ୍‍ ଅଣ୍ଟାରେ ଗୁଞ୍ଜି ଚାଲିଗଲେ । କ’ଣ କହୁଛ, ବିବିଜାନ ସେଇଆ ନୁହେଁ ? ବିବିଜାନ ଘର ଖରକୁ ଖରକୁ କିମ୍ୱା ରୋଷାଇ କରୁ କରୁ ମୁହଁ ଚିପି ହସେ । କହେ ସେ ତ କେଉଁ କାଳରୁ ଚାଲି ଯାଇଛି । ପକୀର ବ୍ୟସ୍ତ ହୋଇ ପଡ଼େ । ଖୋଜ, ଖୋଜ, ଭଲକରି ଖୋଜ । ଭାରୀ ଡକାଇତଙ୍କ ଉତ୍ପାତ ଏଆଡ଼େ ଏତେଗୁଡ଼ାଏ ଟଙ୍କା ନେଇ ଇସ୍.....

 

ତା’ପରେ ଦିନେ ଆସିଲା ଗୋଟିଏ ନୂଆ ମହକିଲ । ବାଇଶ ତେଇଶ ବର୍ଷର ଗୋଟାଏ ଜବାନ ଟୋକା । ଦେହ ତ ନୁହେଁ, ଯେପରି ନିପୁଣ ଭାସ୍କରର ହାତରେ ଗଢ଼ା କଳା ପଥରର ମୂର୍ତ୍ତି । ମୁଣ୍ଡରେ ତରଙ୍ଗାୟିତ ବାବୁଲି ବାଳ । ସରୁ ଅଣ୍ଟାରେ ଚୌଖାନା ଗାମୁଛା ଆଣ୍ଟକରି ଭିଡ଼ା । ହାତରେ ତେଲ-ପଚା ବାଉଁଶ ଲାଠି । ଚଞ୍ଚଳ ଆଖି ଯୋଡ଼ିକରୁ ଉଛୁଳି ପଡ଼ୁଛି ସ୍ୱାସ୍ଥ୍ୟ ଓ ଆନନ୍ଦର ଚହଟ । ଏଣେତେଣେ ଚାହିଁ ଖୋଜି ଖୋଜି ଆସୁଥିଲା ଫକୀରର ଆସ୍ଥାନକୁ । ଅଗଣା ପାଖରେ ପହିଲେ କୁଟୀ ଉପରେ ଆଖି ପଡ଼ିଗଲା । ଥମକି ଠିଆ ହେଲା ପିଲାଟି । ମୁହଁରେ ଫୁଟି ଉଠିଲା କୌତୂହଳ ଓ ବିସ୍ମୟର ଚିହ୍ନ । ତା’ପରେ ତାହା ମିଳେଇଗଲା କୌତୁକ ହସର କୁଞ୍ଚନରେ । ସେହି ହସର ନିଃଶବ୍ଦ ପ୍ରତିଧ୍ୱନି ଜାଗି ଉଠିଲା କୁଟୀ-ବିବିର ଅନିନ୍ଦ୍ୟ ଓଠ କୋଣରେ । ତାହା କେବଳ ପଲକ ପାଇଁ । ତା’ପରେ ତା’ର ସଦା-ଚଞ୍ଚଳ ଚାହାଣି କଳା ଆଖିପତା ଯୋଡ଼ିକରେ ଢାଙ୍କି ହୋଇଗଲା । ଆନତ ଦୀପ୍ତ ମୁଖ ଆରକ୍ତିମ ହୋଇଗଲା । କ’ଣ ପାଇଁ, କିଏ ଜାଣେ ।

 

ଫକୀର ପିଣ୍ଡାରେ ବସି ଗୁଡ଼ାଖୁ ଖାଉଥିଲା, ମହକିଲ ଆଗେଇ ଯାଇ ଗୋଟାଏ ନୋଟ୍‍ର ବିଡ଼ା ତାହା ଆଗରେ ପକାଇ ଦେଇ କହିଲା, ପାଞ୍ଚଶହ ଟଙ୍କା ଅଛି । ଗଣି ନିଅ । ଆଉ ଏଇ ନିଅ ତମର ସିନ୍ନିର ଖରଚ, ଟଙ୍କାଏ ସଉଆ ପାଞ୍ଚଅଣା । କହି ଅଣ୍ଟିରୁ ପଇସାତକ କାଢ଼ି ଭୂଇଁରେ ପକାଇ ଦେଲା । ଫକୀର କଥା କହିଲା ନାହିଁ । ଇଙ୍ଗିତରେ ବସିବାକୁ କହି ପଇସାବାଲା ମହକିଲ ହାତକୁ ହୁକାଟା ବଢ଼ାଇ ଦେଲା । ତା’ପରେ ସିନ୍ନିର ପଇସା ଗୋଟାଇ ନେଇ କହିଲା, ନୋଟ୍‍ ରଖିଦିଅ । ସେ ସବୁ କ’ଣ ଦିନବେଳେ ହୁଏ ? ଥକା ମାର, ଗୁଡ଼ାଖୁ ଖାଅ । ସିନ୍ନି ହେବ ଯାଇ ରାତି ପହରକ ପରେ ।

 

ବହୁକାଳ ପରେ ସେଦିନ କୁଟୀ-ବିବିର ମୁଣ୍ଡରେ ପାନିଆ ଲାଗିଲା ! ଜଟା ପଡ଼ି ଯାଇଥିବା ଅବାଧ୍ୟ କେଶଗୁଡ଼ିକୁ କୌଣସି ମତେ ବାଗକୁ ଆଣି ଜୁଡ଼ା ଉପରେ ପିନ୍ଧିଲା ଗୋଟାଏ ନାଁ-ଅଜଣା ବନଫୁଲ । ତା’ପରେ ଅଧମାଇଲ ଦୂରରେ ଥିବା ଗୋଟାଏ ଝରଣାରୁ ଭଲ କରି ଗାଧୋଇ ଆସିଲା । ଘରକୁ ଆସି ପିନ୍ଧିଲା ଖଣ୍ଡିଏ ଆସମାନୀ ରଙ୍ଗର ଟାଙ୍ଗାଇଲ ଶାଢ଼ି । ଗଲା ବର୍ଷ ଇଦ୍ ସମୟରେ ଫକୀର କେଉଁ ହାଟରୁ ଆଣି ଦେଇଥିଲା, ଦୁଇଥର ମାନ୍ତ୍ର ଲୁଗାଖଣ୍ଡିକ ପିନ୍ଧିଛି-। ଫକୀର କହିଥିଲା ସୁନ୍ଦର ମନାଏ ତାକୁ ।

 

କାହିଁ, ଗଲ କୁଆଡ଼େ ? ମିଆଁ ସାହେବଙ୍କୁ କିଛି ଖାଇବାକୁ ଦିଅ । କେତେ ବାଟରୁ ଆସିଛି ବିଚାରା, ବେଳେ କ’ଣ ଆଉ ଅଛି ?

 

–ଏଠାକୁ ପଠାଇ ଦିଅ । ଖଇବା ବାଢ଼ିଛି–ରୋଷାଇ ଘରୁ ଉତ୍ତର ଦେଲା କୁଟୀ । ଅତିଥି ଆସି ଠିଆ ହେଲା ରୋଷେଇ ଘର ଆଗରେ । କୁଟୀ ବାହାରି ଆସିଲା; ହାତରେ ତାଟିଆଏ ଦୁଧ ଓ ଡାଲାରେ ମୁଢି । ଥରେ ଚାହିଁ ଦେଖିଲା ଅତିଥିର ମୁଗ୍‌ଧ ଦୃଷ୍ଟି ଆଡ଼କୁ । ଖଣ୍ଡିଏ ମସିଣା ପାରିଦେଲା ପିଣ୍ଡାରେ । ପଣନ୍ତରେ ସଯତ୍ନରେ ପୋଛି ଦେଇ ଉଠି ଠିଆ ହୋଇ କହିଲା, ବସୁନାହଁ ?

 

ହୋସେନର ଏତେବେଳକେ ଯେପରି ଜ୍ଞାନ ଫେରି ଆସିଲା । କହିଲା, ତମେ ବି କ’ଣ ଏଇ ଜଙ୍ଗଲରେ ଥାଅ ?

 

କୁଟୀ ଅବାକ୍–ବାଃ, କେଇଁଠି ରହିବି ତେବେ ?

 

–କିପରି ଆସିଲ ଏଠାକୁ ?

 

କୁଟୀ କୃତ୍ରିମ କୋପ ଦେଖାଇ କହିଲା, ଆହା ! ଜାଣନ୍ତି ନାହିଁ ଯେପରି, ମୁଁ ତ ଫକୀର ସାହେବର ବିବି ।

 

ସେହି ଫକୀରର ବିବି ତମେ–କହି ହୋ ହୋ କରି ହସି ଗଡ଼ିପଡ଼ିଲା ଟୋକା ।

 

ବିବି ବିରକ୍ତ ହେଲା । ହସୁଛି ଯେ ?

 

–ନା, ନା, ସେ କିଛି ନୁହେଁ । ଏହି ଟଙ୍କାଟା ଉଠାଇ ନିଅ । ମୁଁ ଟିକିଏ ବାହାରୁ ବୁଲି ଆସେ । ଉଃ କିପରି ବଣଜଙ୍ଗଲ । ଦମ ଅଟକି ଯାଉଛି କହି ଦୁଧଟା ଏକା ନିଃଶ୍ୱାସରେ ଶେଷକରି, ମୁଢ଼ିତକ ଅଣ୍ଟିରେ ଢାଳି ନେଇ ଚୋବାଉ ଚୋବାଉ ଚାଲିଗଲା ।

 

କୁଟୀ ନିଜ ହାତରେ ତାଙ୍କର ସବୁଠାରୁ ସେରା ମୁରୁଗୀଟାକୁ ଜବାଇ କଲା । ଖୁବ୍ ଯତ୍ନରେ ରାନ୍ଧିଲା ତା’ର ‘‘ଛାଲୁନ’’ ଆଉ ଚମତ୍କାର ଲାଲ ବିରୁଇ ଚାଉଳର ଭାତ । ଗାଢ଼ା କରି ଆଉଟି ରଖିଲା ନିଜ ହାତରେ ଦୁହାଁ କାଳୀ ଗାଈର ଦୁଧ । ଆଗରେ ବସି ଖୁଆଇଲା ଅତିଥିକୁ । କିଛି ଦୁଧ ଛାଡ଼ି ରଖି ଉଠି ଯାଉଥିଲା ହୋସେନ । କୁଟୀ ଅନୁନୟ କରି କହିଲା, ମୋ ମୁଣ୍ଡ ଖାଅ, ସେତକ ଖାଇ ନିଅ ।

 

ତା’ପରେ ଟିକିଏ ମୁହଁ ଟିପି ହସି ତରଳ କଣ୍ଠରେ କହିଲା, ଏକେ ତ ଜଙ୍ଗଲକୁ ଆସି ମିଆଁ ସାହେବଙ୍କ ମନଟା ଛାଡ଼ ଛାଡ଼ ହେଉଛି । ତହିଁ ଉପରେ ପେଟପୂରା ଦୁଇଟା ଖାଇବାକୁ ନ ପାଇଲେ ଘରକୁ ଯାଇ ପାଛିଏ ନିନ୍ଦା ତ ମୋର କରିବ !

 

ହୋସେନ ସେହି ପ୍ରଶ୍ନର ଜବାବ ଦେଲା ନାହିଁ । ମୁଗ୍‌ଧ କଣ୍ଠରେ କହିଲା, ଖୁବ୍ ଖାଇଲି-। ଏତେ ଯତ୍ନ କରି ଆଗର ବସି କେହି ମତେ କେଉଁଦିନ ଖୁଆଇ ନାହିଁ ।

 

କିରୋସିନୀ ଡିବିରିର ମୃଦୁ ଆଲୋକରେ କୁଟୀ-ବିବିର ମୁହଁ ଖଣ୍ଡିକ ସ୍ପଷ୍ଟ ଦେଖାଗଲା ନାହିଁ । ବୁକୁ ତଳୁ ଯେଉଁ ନିଃଶ୍ୱାସ ବାହାରି ଆସିଲା, ତାକୁ ବି ଚାପିଦେଲା । ଖିଆପିଆ ପରେ ହୋସେନ ମିଆଁ ବାରନ୍ଦାରେ ବସି ଫକୀର ସଙ୍ଗରେ ଗପ କରୁଥିଲା । ପାଖ ଚାଳ ଘରଟାରେ ଯତ୍ନ କରି ଶେଯ ପାରିଦେଇ ମଶାରି ଟାଙ୍ଗି କୁଟୀ ଆସି କହିଲା, ଏବେ କିନ୍ତୁ ଶୋଇ ପଡ଼ିବାକୁ ହେବ । କାହିଁ କେଉଁ ଦେଶରୁ କେତେ ମିହନତ କରି ଆସିଛି । ଏଇଲେ କ’ଣ ଗପ କରିବା ବେଳ ?

 

ହୋସେନ ଚାଲିଗଲାରୁ ଫକୀର ପାଖରେ ଠିଆ ହୋଇ ଗୋଟିଏ ମୁହୂର୍ତ୍ତ କ’ଣ ଭାବିଲା କୁଟୀ ବିବି । ତା’ପରେ ଦୃଢ଼ ଚପା ଗଳାରେ କହିଲା, ଏହା ବେଳକୁ ସେସବୁ ଚଳିବ ନାହିଁ, କହି ଦେଉଛି । ଫକୀର ସବୁ କଥା ଲକ୍ଷ୍ୟ କରୁଥିଲା । ଅନ୍ଧକାରରେ ଆଖିଯୋଡ଼ାକ ତା’ର ହିଂସ୍ର ଶ୍ୱାପଦ ପରି ଜଳିଉଠିଲା । ବ୍ୟଙ୍ଗ କଣ୍ଠରେ କହିଲା, ଭାରୀ ଦରଦ ଯେ ! ଏହାରି ଭିତରେ ଭୁଲିଗଲୁ ?

 

ଭୁଲି ଯାଇଛି, ବେଶ୍‍ ଭଲ କରିଛି–ରୁକ୍ଷ କଣ୍ଠରେ ଜବାବ ଦେଲା କୁଟୀ; କିନ୍ତୁ ଏହାର ଯେବେ କିଛି କରିବାକୁ ଯାଉ, ତୋହର ଦିନେ କି ମୋହର ଦିନେ; ମନେଥାଏ ଯେପରି । ଫକୀର ନିଜକୁ ସମ୍ଭାଳି ନେଲା । ଲୁଗାକାନି ଧରି ବୋହୂକୁ ଟାଣି ବସାଇଲା । କଣ୍ଠରେ ଆଦର ଢାଳି କହିଲା, ତୋ କଥା କ’ଣ ମୁଁ କେବେ ପକାଇ ଦେଇଛି, ନା ପକାଇପାରେ କୁଟୀ ? ତୋତେ ଟିକିଏ ଚିଡ଼ଉଥିଲି ନା ?

 

ବୋହୂର ସୁନ୍ଦର ମୁହଁଟିକୁ ଟେକିଧରି କହିଲା, ବାଃ ଆଜି ତୁ ଯାହା ଦିଶୁଛୁ କୁଟୀ !

 

ଏକା ଝିଙ୍କାରେ ନିଜକୁ ଛଡ଼ାଇ ନେଇ ଦୃପ୍ତ ଭଙ୍ଗୀରେ କୁଟୀ ଉଠି ଚାଲିଗଲା । ଯେତେଦୂର ଯାଏ ଦୃଷ୍ଟି ଯାଏଁ, ପଛରୁ ଯୋଡ଼ାଏ ଜ୍ୱଳନ୍ତ ହିଂସ୍ର ଚକ୍ଷୁ ତାକୁ ଅନୁସରଣ କଲା ।

 

ଗଭୀର ନିସ୍ତବ୍ଧ ରାତ୍ରି । ଶୁକ୍ଳା ଦ୍ୱଦଶୀର ଚାନ୍ଦ ବନର ଉହାଡ଼ରେ ଏକ୍ଷଣି ମାତ୍ର ଢଳି ପଡ଼ିଅଛି । ଜୀବ-ଜଗତ ସୁପ୍ତ । ଗହନ ବନ କେବଳ ଜାଗି ରହିଛି । ତା’ର ଅଦ୍ଭୁତ ରହସ୍ୟମୟ ଭାଷା ନିସ୍ତବ୍ଧ ରାତ୍ରିର କାନରେ ଗୁଞ୍ଜରିତ ହେଉଛି । ଧୀରେ ଧୀରେ ଅତି ସନ୍ତର୍ପଣରେ ବନ ଭିତରୁ ବାହାରି ଆସିଲା କାଶିମ ଫକୀର । ସାବଧାନରେ ବାଉଁଶ ତାଟି ଖୋଲି ଘର ଭିତରେ ଆସି ଠିଆ ହେଲା । ବିଛଣାର ଗୋଟିଏ ପ୍ରାନ୍ତରେ ନିଶ୍ଚିନ୍ତ ଆରାମରେ ଶୋଇଅଛି ତା’ର ରୂପସୀ ସ୍ତ୍ରୀ । ଗଛର ବାଡ଼ ଫାଙ୍କଦେଇ ଜ୍ୟୋତ୍ସ୍ନା ତା’ର ସୁପ୍ତ ସୁନ୍ଦର ମୁହଁରେ ପଡ଼ିଛି । ସେହି ମୁହଁରେ ଫୁଟି ଉଠିଛି କୌଣସି ସଦ୍ୟଲବ୍ଧ ଗରମ ତୃପ୍ତିର ଆଭାସ । ସ୍ୱଳ୍ସବୃତ ଉନ୍ନତ ବକ୍ଷ ଉଠୁଛି, ପଡ଼ୁଛି ନିଃଶ୍ୱାସର ତାଳରେ ତାଳରେ । ନିଃଶବ୍ଦରେ ଚାହିଁରହିଲା ଫକୀର । ତା’ର କୁତ୍ସିତ ଶୀର୍ଣ୍ଣ ମୁହଁ ଉପରେ ପେଶୀଗୁଡ଼ାକ ଶକ୍ତ ହୋଇ ଉଠିଲା । ଦାନ୍ତରେ ଦାନ୍ତରେ ଉଠିଲା ଘର୍ଷଣର ଶବ୍ଦ । କୋଟରଗତ ଚକ୍ଷୁରୁ ଅଗ୍ନି ଛିଡ଼ିକି ପଡ଼ିଲା । ଶିରାବହୁଳ ହାତରେ ଶକ୍ତ କାଠି ପରି ଆଙ୍ଗୁଳିଗୁଡ଼ାକ ଦଂଶନୋଦ୍ୟତ ବିଛା ଭଳି ଆଗେଇଗଲା ନିଦ୍ରିତାର ବେକ ପାଖକୁ । ଥରେ ଚିପି ଦେଲେ ଶେଷ ହୋଇଯିବ ସେହି ବୁକୁଭରା ନିଃଶ୍ୱାସର ଭଣ୍ଡାର । ଯାଉ ତାହା–ଅସ୍ଫୁଟ ଗର୍ଜନ ଶୁଣାଗଲା ଫକୀରର ଭଙ୍ଗା ଗଳାରେ; ସଇତାନୀ ଦୁନିଆରୁ ଚାଲିଯାଉ.... ।

 

ନିଜର ସ୍ୱର ଶୁଣି ଚମକି ଉଠିଲା ଫକୀର । ପାଦ ଚିପି ଚିପି ନିଃଶବ୍ଦରେ ବାହାରକୁ ବାହାରି ଆସିଲା ।

 

ପାଖ ଘରେ ନୂଆ ବିଛଣାରେ ଆଉ ନୂତନ ଅନୁଭୂତିର ଉତ୍ତେଜନାରେ ହୋସେନର ବାରମ୍ବାର ନିଦରେ ବ୍ୟାଘାତ ହେଉଥିଲା । ଫକୀରର ହାତ ତା’ର ଦେହରେ ବାଜିଲାରୁ ଧଡ଼ପଡ଼ କରି ଉଠି ବସିଲା ।

 

–କିଏ ?

 

–ମୁଁ, ଫୁସୁରୁ ଫୁସୁରୁ କରି ଉତ୍ତର ଆସିଲା । ସମୟ ହୋଇ ଗଲାଣି । ଆସ୍ତେ ଆସ୍ତେ ବାହାରି ଆସ ।

 

ଦୁଆର ପାଖରେ ଗୋଟାଏ ମହମବତୀ ଜଳୁଥିଲା, ତା’ ପାଖକୁ ନେଇଯାଇ ଗୋଟାଏ ମସିଣା ଉପରେ ମହକିଲକୁ ବସାଇ ଦେଲା । ଦେହରେ ମୁଣ୍ଡରେ ଟିକିଏ ମନ୍ତ୍ର-ପାଣି ସିଞ୍ଚିଦେଇ କହିଲା, ନୋଟ୍‍ ଦିଅ ।

 

–ନୋଟ୍‍ ତ ବିବି ପାଖରେ ।

 

–ବିବି ପାଖରେ ! ସେଠିକି କିପରି ଗଲା ?

 

–ମୁଁ ରଖିବାକୁ ଦେଇଛି ।

 

ଆଉ ଥରେ ଜଳି ଉଠିଲା ଫକୀରର ହିଂସ୍ର ଆଖିଯୋଡ଼ାକ ।

 

–ବେଶ୍‍ ଏଇ ନିଅ ସିନ୍ନି । ଖୋଦାଙ୍କ ନାମ ନେଇ ଏକା ନିଃଶ୍ୱାସରେ ଖାଇଦିଅ । ଭକ୍ତ ହାତକୁ ସରବତର ଗିଲାସ ସେ ବଢ଼ାଇ ଦେଲା ।

 

ଗୁଡ଼ାଏ କଡ଼ା ଭାଙ୍ଗ ଓ ତାହା ସହିତ ଧୁତୁରା-ବିଷ ମିଶା । ଏତେବଡ଼ ଟାଣୁଆ ଭେଣ୍ଡିଆଟା ଅଧଘଣ୍ଟାଏ ଭିତରେ ଅସାଡ଼ ହୋଇଗଲା । ଫକୀରର ଜୀର୍ଣ୍ଣଦେହକୁ କୁଆଡ଼ୁ ଆସିଲା ଅସୁରର ଶକ୍ତି ! ଆଲଖେଲ୍ଲା ଖୋଲି ପକାଇ ଦେଇ ‘ଦୁହାଇ ଆଲ୍ଲା’ କହି ହୋସେନର ନିଶ୍ଚଳ ଦେହକୁ ଗୋଡ଼ ଆଡ଼ୁ ଧରି ଟାଣିନେଇ ଚାଲିଲା । ବେଳେ ବସିପଡ଼ି, ବେଳେ ଠିଆହେଇ ବିଶ୍ରାମ ନେଇ କୌଣସି ପ୍ରକାରେ ଯାଇ ଟିଲାର ପଛ ପଟେ ପହଞ୍ଚିଲା । କବର ଖୋଳା ହୋଇଥିଲା । ପେଲି ପକାଇ ଦେଲାରୁ ତଣ୍ଟିରୁ ଅସ୍ପଷ୍ଟ ଗଁ ଗଁ ଶବ୍ଦ ବାହାରିଲା । ପାଗଳ ପରି କୋଡ଼ି ଚଳାଇଲା ଫକୀର । କବର ପୂରିଗଲା ଗଁ ଗଁ ଶବ୍ଦ ଚିରଦିନ ପାଇଁ ସ୍ତବ୍ଧ ହୋଇଗଲା । କାଶିମର କାମ ସରିଲା ବେଳକୁ ରାତି ବି ଶେଷ ହେବା ଉପରେ ।

 

କୁଟୀର ନିଦ ଭାଙ୍ଗିଲା ପାହାନ୍ତାରେ ଗୋଟାଏ କ’ଣ ଦୁଃସ୍ୱପ୍ନ ଦେଖି । ଚଞ୍ଚଳ ଆଖି ମଳିଦେଇ ବାହାରକୁ ଆସି ପହିଲେ ଧାଇଁଗଲା ପାଖ ଘରକୁ । ଇଏ କ’ଣ ? ଘର ଯେ ଖାଲି । ଫକୀର ପଡ଼ିଥିଲା ବାରନ୍ଦାରେ, ଶୋଇ କିମ୍ବା ଶୋଇବାର ବାହାନା କରି । ଡାକିଲା ମାତ୍ରେ ଖିଙ୍କାରି ଉଠିଲା, ରାତି ନ ପାହୁଣୁ କାହିଁକି ଡକାଡକି କରୁଛୁ ।

–ତାକୁ ତ କାହିଁ ଦେଖୁ ନାହିଁ ! ବ୍ୟାକୁଳ କଣ୍ଠରେ କହିଲା କୁଟୀ ।

–ଚାଲିଯାଇଛି ହୁଏତ ।

ଫକୀର ଆଉ ଜବାବ ଦେଲା ନାହିଁ । କୁଟୀ ଉଦ୍‌ଭ୍ରାନ୍ତ ଭାବରେ ଏଣେତେଣେ ଖୋଜି ବୁଲିବାକୁ ଲାଗିଲା । ହଠାତ୍ ନଜର ପଡ଼ିଗଲା ସରବତର ଶୂନ୍ୟ ଗିଲାସ ଉପରେ । ନାକ ପାଖରେ ଥରେ ଧରିଲାରୁ ସାରାଦେହ ଶୀତେଇ ଉଠିଲା । ଏହି ଗନ୍ଧ ତା’ର ଅଚିହ୍ନା ନୁହେଁ । ଧାଇଁଗଲା ଟିଲା ପାଖକୁ । ସେ ପର୍ଯ୍ୟନ୍ତ ଯାହା ସନ୍ଦେହ ମନରେ ଥିଲା ଚାଲିଗଲା ।

ଉନ୍ମତ୍ତ ବେଗରେ ଧାଇଁ ଆସି ଫକୀରର ଗୋଡ଼ ଉପରେ ଲୋଟି ପଡ଼ିଲା କୁଟୀ ବିବି । ବୁକୁର ପଞ୍ଜରା ଭାଙ୍ଗି ଲୁହ ଗଡ଼ି ଆସିଲା । ସେହି ଲୁହର ଆଉ ବିରାମ ନାହିଁ । ଫକୀର ସାପ-ଆଖି ମେଲାଇ ଚାହିଁ ରହିଲା, ଯେଉଁପରି ଚାହିଁଥାଏ ବ୍ୟାଧ, ତାହାରି ଶରବିଦ୍ଧ ହରିଣୀ ପ୍ରତି ?

ହଠାତ୍ କ’ଣ ଭାବି ଉଠି ବସିଲା କୁଟୀ । ଉଜ୍ଜ୍ୱଳ ଆଖିରେ ତାହାର ବିଦ୍ୟୁତ୍ ଖେଳିଗଲା-। ପାତଳ ଓଠଯୋଡ଼ିକରେ ଫୁଟି ଉଠିଲା କ୍ରୂର ହସର ବଙ୍କିମ ରେଖା । ଢଳ ଢଳ ମୁହଁ ଖଣ୍ଡିକ ନିମିଷ ମାତ୍ରକେ ପଥର ପାଲଟି ଗଲା । ଚଞ୍ଚଳା ହରିଣୀ ମରିଗଲା । ସେଥିରୁ ଜନ୍ମ ନେଲା ଏକ କ୍ରୁଦ୍ଧା ସର୍ପିଣୀ ।

 

କାଶିମ ବିସ୍ମୟଭୀତ ଦୃଷ୍ଟି ମେଲି ଏହି ରୂପାନ୍ତର ଚାହିଁ ଦେଖିଲା । କିନ୍ତୁ କଣ୍ଠ ତା’ର ନିର୍ବାକ୍‍ । କୁଟୀ ବିବି ସିଧା ହୋଇ ଠିଆ ହେଲା । ଅଣ୍ଟାରେ ଭଲ କରି ଲୋଟି ପଡ଼ିଥିବା ପଣନ୍ତକୁ ଭିଡ଼ିନେଲା । ତା’ପରେ ସ୍ୱାମୀର ମୁହଁ ଉପରେ ତର୍ଜନୀ ଟେଳି ରୁଦ୍ଧ ସ୍ୱରରେ କହିଲା, ପ୍ରତିଶୋଧ ନେବି । ଏହାର ପ୍ରତିଶୋଧ ନେବି ମୁଁ ।

 

କାଶିମର ବିସ୍ମୟ ବିହ୍ୱଳତା ନ ତୁଟୁଣୁଁ ସେ ଝଡ଼ବେଗରେ ଧାଇଁ ବାହାରିଗଲା ।

 

ଫକୀର ଧାଇଁଲା–କୁଆଡ଼େ ଯାଉଛୁ, କୁଟୀ ? ଶୁଣ, ଫେରିଆ ? କେହି ଜବାବ ଦେଲେ ନାହିଁ । ମୁହୂର୍ତ୍ତକରେ ବନର ଉହାଡ଼ରେ ଅଦୃଶ୍ୟ ହୋଇଗଲା ବିଦ୍ୟୁତ୍-ଗତି ତନୁଦେହ ।

 

ବନ ପାରିହେଲେ ପଡ଼ିଆ । ପଡ଼ିଆ ଶେଷରେ ପୁଣି ବନ । ଗ୍ରୀଷ୍ମର ଚଷା ହୋଇଥିବା କ୍ଷେତ । ମାଟି ତ ନୁହେଁ ଯେପରି ପଥର । କୋମଳ ପାଦ ଦିଓଟି ରକ୍ତରେ ଫାଟି ପଡ଼ିଲା । ଫେରି ବି ଚାହିଁଲା ନାହିଁ କୁଟୀ । ଭ୍ରୂକ୍ଷେପ କଲା ନାହିଁ ହତ୍‌ବାକ୍ ବିସ୍ମିତ ପଥିକର କୌତୂହଳ । ମଝିରେ ମଝିରେ ଶୁଣାଗଲା କ୍ଳାନ୍ତ କଣ୍ଠର ବ୍ୟାକୁଳ ପ୍ରଶ୍ନ–କୌଣସି ପଥଚାରୀକୁ ଚମକାଇ ଦେଇ–କହିପାରିବ ଥାନା ଆଉ କେତେ ଦୂର ?

 

ଚୈତ୍ରର ଆକାଶରୁ ନିଆଁ ବୁଣି ପଡ଼ୁଛି । ତୃଷ୍ଣାରେ ଛାତି ଫାଟି ଯାଉଛି । ସୁଗୌର ମୁହଁ କଣ୍ଡିକରେ ରକ୍ତର ଆଭା ଫାଟି ପଡ଼ୁଛି । ଝାଳରେ ଲୁଗା ଭିଜି ଭଲାଣି । କୁଟୀର ଠିଆ ହେବାର ଅବସର କାହିଁ ! ଚାଲିଛି ତ ଚାଲିଛି ।

 

ବାଇଶ ମାଇଲ ପଥ ପାରିହୋଇ ଯେତେବେଳେ ଥାନାର ପଡ଼ିଆରେ ଆସି ପହଞ୍ଚିଲା, ମନେହେଲା ତା’ର ଦେହରେ ଆଉ ଜୀବନ ନାହିଁ । ବାରନ୍ଦାକୁ ଉଠିପାରିଲା ନାହିଁ । ଅସ୍ଫୁଟ କଣ୍ଠରେ ଥରେ କେବଳ କହିଲା–ପାଣି ! କହି ଅଜ୍ଞାନ ହୋଇ ପଡ଼ିଗଲା ।

 

ଡାକ୍ତରଙ୍କ ସାହାଯ୍ୟରେ ଜ୍ଞାନ ଫେରି ଆସିଲା । ଆଖି ମେଲିବା ମାତ୍ରକେ ପାଟିକରି ଉଠୀଲା କୁଟୀ–ଖୁନ୍‍, ଖୁନ୍‍ ହୋଇଛି ରାଉଜାନର ଜଙ୍ଗଲରେ । ଜଲଦି ଚାଲ ତମେମାନେ ।

 

ଚାଲିବାକୁ ଶକ୍ତି ନ ଥିଲା । ସେହି ରାତିରେ ଡୋଲିରେ ଚଢ଼ି ପୋଲିସ୍‌ ସଙ୍ଗରେ ଆଖଡ଼ାକୁ ଫେରି ଆସିଲା କୁଟୀ । କବର ଖୋଳି ବାହାର କରାହେଲା ହୋସେନର ମୃତ ଦେହ । ମନେହେଲା ଯେପର ଭେଣ୍ଡିଆ ପିଲାଟା ଏଇକ୍ଷଣି କ୍ଳାନ୍ତ ହୋଇ ଶୋଇ ପଡ଼ିଛି । ଥରେ ଡାକିଦେଲେ ଉଠି ପଡ଼ିବ । କୁଟୀ ଚିତ୍କାର କରି ତାହାର ଛାତି ଉପରେ ଲୋଟି ଗଲା । ପରମ ସ୍ନେହରେ ତା’ ମୁହଁରୁ ମାଟିର ଦାଗ ପୋଛିନେଲା ପଣନ୍ତ କାନିରେ । ବ୍ୟାକୁଳ କଣ୍ଠରେ କହିଲା, ଆଗୋ ଜଣେ ଡାକ୍ତର ଡାକ । ତମେମାନେ ସେ ମରି ନାହିଁ; ଟିକିଏ ଔଷଧ ଦେଲେ ବଞ୍ଚି ଉଠିବ ।

 

ପାଖ କବରଗୁଡ଼ାକ ବି ଖୋଳା ହେଲା । ମିଳିଲା ଗୋଟାଏ ଗଳିତ ଶବ, ଆଉ ଦଶଟା କଙ୍କାଳ ।

 

କଥା ହେଉଥିଲା କାଶିମ ଫକୀରର ଓକିଲ ସୁଜିତ ରାୟଙ୍କର ବୈଠକଖାନାରେ । ଭଦ୍ରଲୋକଙ୍କ ବୃତ୍ତି ଓକିଲାତି କିନ୍ତୁ ପ୍ରକୃତି ସାହିତ୍ୟିକ । ପ୍ରଥମଟି ତାଙ୍କର ଉପଜୀବିକା, ଦ୍ୱିତୀୟଟି ଉପସର୍ଗ । ମଫସଲ ସହରରେ ମଝିରେ ମଝିରେ ସାହିତ୍ୟିକ-ଯଶପ୍ରାର୍ଥୀ ସ୍ଥାନୀୟ ଲେଖକର କ୍ଳାନ୍ତିକର ପ୍ରବନ୍ଧ କିମ୍ବା ନିଦ୍ରାକର୍ଷକ କବିତା-ପାଠ ଉପଲକ୍ଷ୍ୟ କରି ସଙ୍ଗତିପନ୍ନ ଗୃହସ୍ଥଙ୍କ ବୈଠକଖାନାରେ ଯେଉଁ ସବୁ ଚା-ଜଳଯୋଗର ବୈଠକ ବସେ, ଏହି ଓକିଲ ବାବୁଟି ତାହାର ଜଣେ ଅକୃତ୍ରିମ ସଭ୍ୟ । ତାହାରି ଗୋଟାଏ କ’ଣ ଅଧିବେଶନରେ ତାଙ୍କ ସଙ୍ଗରେ ମୋର ପରିଚୟ । ସେହି ପରିଚୟ କ୍ରମଶଃ ଗାଢ଼ତର ହୋଇ ବନ୍ଧୁତ୍ୱର ପାହିଆକୁ ପ୍ରମୋସନ୍‍ ଲାଭ କରିବାର ଆୟୋଜନ ହେଉଛି, ସେହି ସମୟର କଥା । ମହକିଲ ପାଇଁ ପ୍ରାଣଦଣ୍ଡ, ଆଉ ନିଜ ପାଇଁ ପରାଜୟ ପକେଟସ୍ଥ କରି ଘରକୁ ଫେରିଲା ମାତ୍ରେ ସେ ମୋତେ ଡକାଇ ପଠାଇଲେ । ଦେଖିଲି, ଓକିଲ ହେଲେ ବି ଘଟଣାଟା ତାଙ୍କର ବୁଦ୍ଧିର କୋଠା ପାରିହୋଇ ଅନ୍ତରର ଦୁଆରରେ କରାଘାତ କରିପକାଇଛି । କୌଣସି ପ୍ରକାର ଭୂମିକା ନ କରି ସେ କାଶିମ ଫକୀରର ଦୀର୍ଘ କାହାଣୀ ଏକାବେଳକେ ଶୁଣାଇ ଗଲେ । ଅର୍ଥାତ୍‍ ମୁଁ ଉପଲକ୍ଷ୍ୟ ମାତ୍ର; କଥାଗୁଡ଼ାକ ଶୁଣାଇଲେ ସେ ନିଜକୁ ।

 

ମୁଁ ଜେଲର ଲୋକ । ମଣିଷର ଦୁଃଖ-ଦୁର୍ଦ୍ଦଶାର ଇତିହାସ ମୋ ମନ-ପୃଷ୍ଠାରେ ଦାଗ ପକାଏ ନାହିଁ । କହିଲି, ଫକୀର ସାହେବଙ୍କ କଲ୍ୟାଣରୁ ଆପଣଙ୍କର ଖଟଣି ଯାହା ହେଇଛି ! ତାହା ନ ହେଲେ ଛାଡ଼ିଦେଲି; ଖରଚପତ୍ର ବାବଦ ଓକିଲ ବାବୁଙ୍କର ପକେଟ ଉପରେ ବି ତ କମ୍‍ ଚାପ ପଡ଼ି ନାହିଁ ? ସେ କହିଲେ ଠିକ୍ ଓଲଟା । ବରଂ ପାରିଶ୍ରମିକ ହିସାବରେ ପକେଟକୁ ଯାହା ଆସିଛି, ତା’ର ପରିମାଣ ଓକିଲ ବାବୁ ସଚରାଚର ଯାହା ପାଇଥାନ୍ତି, ତାହାଠାରୁ ବେଶୀ ଛଡ଼ା କମ୍‍ ନୁହେଁ ।

 

ବିସ୍ମିତ ହେଲି, କହୁଛନ୍ତି କ’ଣ ? କେଉଁ ସୂତ୍ରରେ ଆସିଲେ ଫକୀରର ଏତେ ବଡ଼ ବାନ୍ଧବଟିଏ ।

 

–କାହିଁକି ? ତା’ର ବୋହୂ କୁଟୀ-ବିବି ।

 

ମୁଁ ଏପରି ଭାବରେ ଚାହିଁ ରହିଲି, ସାଧୁ ଭାଷାରେ ଯାହାକୁ କହନ୍ତି ବିସ୍ମୟ-ବିସ୍ଫାରିତ-ଲୋଚନ ।

ସୁଜିତବାବୁ ଆହୁରି ପରିଷ୍କାର କରି କହିଲେ, ଖରଚ ପତ୍ର ତ ଦେଇଛି, ପାଞ୍ଚଥର ଦେଖା କରିଛି ମୋ ସାଙ୍ଗରେ ।

କୌତୂହଳ ଦମନ କରି ହେଲା ନାହିଁ । ପ୍ରଶ୍ନ କଲି, ସ୍ୱାମୀ ପୟଗମ୍ବରଙ୍କ ସଙ୍ଗରେ ଦେଖା କରିବାକୁ ଚାହିଁ ନାହିଁ ।

–ନା, ଦିନେ ମୁଁ ସେକଥା ଉଠେଇ ଥିଲି । ମୁହଁ ବଙ୍କେଇ କହିଲା, ସେ ପୋଡ଼ାମୁହାଁକୁ ଦେଖି ଆଉ କ’ଣ ହେବ ? କିନ୍ତୁ ଏକଥା ସେ ବହୁତ ଥର ମୋତେ କହିଛି, ଟଙ୍କା ଯାହା ଲାଗିବ ଦେବି ଓକିଲବାବୁ ! ତମେ ଖାଲି ଦେଖିବ ବେକଟା ତା’ର ଯେପରି ବଞ୍ଚିଯାଏ ।

କିନ୍ତୁ ବେକ ଆଉ ବଞ୍ଚାଇପାରିଲି ନାହିଁ, ନିଃଶ୍ୱାସ ପକାଇ କହିଲେ ସୁଜିତବାବୁ ।

ଓକିଲବାବୁ ଯେତେବେଳେ ବିଦାୟ ନେଲେ, ସେତେବେଳେ ରାତି ଏଗାରଟା । ବାଟ ସାରା ଫକୀର-ଦମ୍ପତିଙ୍କ କୀର୍ତ୍ତି କାହାଣୀ ମନକୁ ଆଚ୍ଛନ୍ନ କରି ରହିଥିଲା । ଥରେ ଲୋକଟାକୁ ଭଲ କରି ଦେଖିବାକୁ ଇଚ୍ଛା ହେଲା । ଘରକୁ ନ ଫେରି ସିଧା ଜେଲ୍‍ ଭିତରେ ଯାଇ ହାଜର ହେଲି ।

ପ୍ରାଣଦଣ୍ଡରେ ଦଣ୍ଡିତ ଆସାମୀର ନିର୍ଜନ କକ୍ଷ–ଜେଲର ଭାଷାରେ ଯାହାକୁ କହନ୍ତି ଫାଶୀଡିଗ୍ରୀ ବା କଣ୍ଡେମଡ୍‍ ସେଲ୍ । ଲୁହାର ବାଡ଼ଦିଆ ରୁଦ୍ଧ ଦୁଆର । ଠିକ୍‍ ତାହାରି ଆଗରେ ଜଳୁଛି ଗୋଟାଏ ତୀବ୍ର ଲଣ୍ଠନର ଆଲୁଅ । ତାହାରି ପାଖରେ ଲାଠି-ହସ୍ତରେ ଛିଡ଼ା ହୋଇଛି ସତର୍କ ପ୍ରହରୀ । ଏଇ ଗୋଟିଏ ମାତ୍ର କଇଦୀ ପାଇଁ ସେ ବିଶେଷ ଭାବରେ ନିୟୋଜିତ । ତାହାର ଶ୍ୟେନ ଚକ୍ଷୁର ପ୍ରଖର ଅବରୋଧରୁ ଗୋଟିଏ ସେକେଣ୍ଡ ପାଇଁ ବି ମୁକ୍ତି ନାହିଁ ହତଭାଗ୍ୟ ବନ୍ଦୀର । ଡିଉଟି ଅନ୍ତେ ସେ ଯେତେବେଳେ ଚାଲିଯିବ ତା’ ଜାଗାରେ ଆସିବ ଆଉ ଜଣେ । ଯେତେ ଦିନ ମୁକ୍ତ ନ ହେଉଛି ସେହି ବନ୍ଦୀର–ଏହି ପ୍ରହରୀ-ପରିକ୍ରମାର ବିରାମ ନାହିଁ । ଏହା ଆଇନର ବିଧାନ । ଜାଣେନା ଏହି ବିଧାନ କାହାର ରଚନା । ଯାହାର ହେଉ, ସେହି ଏକଚକ୍ଷୁ ପ୍ରହରୀ ଭଳି ସେ ବି ବୋଧହୁଏ ଛିଡ଼ା ହୋଇଥିଲେ ଏକ ରାଷ୍ଟ୍ର-ଶାସନର ବେଦୀ ଉପରେ । ସେହି ସିପାହୀ ପରି ତାଙ୍କ ହାତରେ ବି ଥିଲା ସମାନ ସ୍ୱାର୍ଥର ଲଣ୍ଠନ । ଯାହା ପାଇଁ ତାଙ୍କର ବିଧାନ ରଚିତ ହେଲା, ସେହି ମଣିଷଟା ପାଖରେ ଠିଆ ହୋଇ, ତାହା ଆଡ଼କୁ ଚାହିଁ ସେ ତାଙ୍କର ବିଧାନର ଗୋଟିଏ ଧାରା ବି ଯୋଜନା କରି ନାହାନ୍ତି । ଏକଥା ତାଙ୍କର ମନେ ହୋଇ ନାହିଁ । ମୃତ୍ୟୁଦଣ୍ଡ ଯେତେ ବଡ଼ ନିଷ୍ଠୁର ହେଉ ଏହି ହୁସିଆରୀର ଦଣ୍ଡ ତାହାଠାରୁ ନିର୍ମମ । ଫାଶୀମଞ୍ଚର ଯେଉଁ ଅଦୃଶ୍ୟ ଛାୟା ସେହି ଲୋକଟାକୁ ଅନୁକ୍ଷଣ ଅନୁସରଣ କରୁଛି, ଦିନରାତି କୌଣସି ନା କୌଣସି ମୁହୂର୍ତ୍ତରେ ସେ ହୁଏତ ତାକୁ ଭୁଲି ରହି ପାରନ୍ତା । କିନ୍ତୁ ମୁହୂର୍ତ୍ତକ ପାଇଁ ବି ଭୁଲି ନ ପାରେ ଏହି ସଦା ଜାଗ୍ରତ ପ୍ରଖର ଦୃଷ୍ଟିର ଅନୁସରଣ ।

ସେ ଯେ ଅଷ୍ଟପ୍ରହର ନଜର ବନ୍ଦୀ, ତା’ର ଆହାର, ନିଦ୍ରା, ଶୟନ, ଉପବେଶନ, ତା’ର କର୍ମ୍ମହୀନ ଦିବା ରାତ୍ରିର କ୍ଳାନ୍ତି ଓ ବିଶ୍ରାମ, ସବୁର ଉପରେ ଚାପି ରହିଛି ଏହି ଯେଉଁ ନିରବଚ୍ଛିନ୍ନ ସତର୍କତାର ନିଶ୍ଚିଦ୍ର ଆବରଣ, ତାହା କ’ଣ ପ୍ରତି ନିମିଷରେ ତା’ର କଣ୍ଠାରୋଧ କରୁନାହିଁ ? ଯେଉଁ ଦୁଇଟି ଦୈନନ୍ଦିନ ଜୈବକ୍ରିୟା ଦେହୀମାନଙ୍କ ଅବଶ୍ୟ କରଣୀୟ ଅଥଚ ମନୁଷ୍ୟମାନଙ୍କର ଗୋପନୀୟ, ସେଥିପାଇଁ ବି କ’ଣ ଏତେ ଟିକିଏ ଅନ୍ତରାଳର ପ୍ରୟୋଜନ ହୋଇନାହିଁ ଫାଶୀ ଆସାମୀର ?

ଶୁଣିଅଛି, ସମ୍ଭାବ୍ୟ ଆତ୍ମହତ୍ୟାର ଦୁର୍ଗତିରୁ ରକ୍ଷା କରିବା ପାଇଁ ମୃତ୍ୟୁ ଦଣ୍ଡିତର ଉପରେ ଏହି ସତର୍କତାର ଅଭିଯାନ; କିନ୍ତୁ ତା’ର ଦୈହିକ ହତ୍ୟାଟା ହିଁ ବଡ଼ହେଲା ? ଆଉ ଏହି ଯେ ପଳେ ପଳେ ତିଳେ ତିଳେ ଆତ୍ମହତ୍ୟା କରୁଛି ତା’ର ଆତ୍ମା, ଶ୍ୱାସରୁଦ୍ଧ ହେଉଛି ତା’ର ଲାଞ୍ଛିତ ମନୁଷ୍ୟତ୍ୱ, ସେ କଥା ବି ଭାବି ଦେଖିଥିଲେ ଆଇନ ସ୍ରଷ୍ଟା ବିଜ୍ଞମାନେ ?

ଆଉ ଟିକିଏ ଆଗେଇ ଯାଇ ଠିକ୍‍ ସେଲ ସାମନାରେ ଯାଇ ଠିଆ ହେଲି । ତକିଆ ଶୂନ୍ୟ କମ୍ବଳ ଶଯ୍ୟାଉପରେ କଡ଼ ମାଡ଼ି ଶୋଇଛି ମୋର ବନ୍ଦୀ, Condemned prisoner କାଶିମ ଆଲୀ ଫକୀର । ଶୋଇଛି, ନା ଚାହିଁଛି କିଏ ଜାଣେ ? ସେ ଯେ ଅଛି, ଏତିକି ମାତ୍ର ମୋର ପ୍ରୟୋଜନ । ଏତିକି ଦେଖି ତ ମୋର ବିଶ୍ୱସ୍ତ କର୍ମ୍ମୀ ମୁହଁରୁ ଶୁଣି ମୁଁ ନିଶ୍ଚିନ୍ତ । ତା’ର ମନର ଖବର ମୁଁ ରଖେ ନାହିଁ; ରଖିବାର କଥା ବି ନୁହେଁ । ତଥାପି, କ’ଣ ପାଇଁ ଜାଣେନା, କିପରି ଆଚ୍ଛନ୍ନ ଭାବରେ ଅନାଇ ରହିଲି ସେହି ସାଢ଼େ ଚାରିଫୁଟ ଲମ୍ବ ଶୀର୍ଣ୍ଣ ଦେହ ଲୋକଟା ଆଡ଼କୁ । ତା’ର ବଡ଼ ବଡ଼ ବାଳ, ମୁହଁ ଭର୍ତ୍ତି ଦାଢ଼ି । ମୁଦ୍ରିତ ଆଖି କୋଣରେ ଗଭୀର ରେଖା, ଶୀର୍ଣ୍ଣ ଦେହ ଉପରେ ଢିଲା ପୋଷାକ ଏବଂ ବିଶେଷତଃ ତା’ର ସେହି ପଡ଼ି ରହିବାର ନିଶ୍ଚିନ୍ତ ଭଙ୍ଗୀ ସବୁ ମିଶି ମନେହେଲା ଜିନିଷଟା ହାସ୍ୟଜନକ–ଇଂରାଜୀରେ ଯାହାକୁ କହନ୍ତି funny । ଏହି ଲୋକଟା ଖୁନ୍‍ କରିଥିଲା ? ଗୋଟାଏ ନୁହେଁ, ଯୋଡ଼ାଏ ନୁହେଁ, ବାରଟା ଖୁନ୍‍ !

 

ଫକୀର ଅପିଲ କରିନାହିଁ । ତଥାପି ଆଇନର ବିଧାନରେ ମୃତ୍ୟୁ ଦଣ୍ଡର ମହାମାନ୍ୟ ହାଇକୋର୍ଟଙ୍କ ସମ୍ମତି ପ୍ରୟୋଜନ । କେଇଦିନ ମଧ୍ୟରେ ସେହି ସମ୍ମତି ଆସିଗଲା–Death sentence confirmed । ଏହାପରେ ପ୍ରାଣ ଭିକ୍ଷାର ପାଳି । ପ୍ରଥମେ ଛୋଟଲାଟ, ସେଠାରେ ବ୍ୟର୍ଥହେଲେ ବଡ଼ଲାଟ, ସେ ମଧ୍ୟ ଯଦି ବିରୂପ ହୁଅନ୍ତି, ମହାମହିମ ଭାରତ ସମ୍ରାଟ । –mercy petitionର ଖସଡ଼ା ବି ତିଆରି ହେଲା–ବହୁ ଯତ୍ନରେ ରଚିତ, ବହୁ ହୃଦୟଦାବି ବିଶେଷଣର ଏକତ୍ର ସମାବେଶ । କିନ୍ତୁ ଫକୀର ସେହି ଆବେଦନରେ ଟିପ ସହି ଦେବାକୁ ରାଜି ହେଲାନାହିଁ । ପ୍ରାଣଭିକ୍ଷା ଚାହେଁ ନାହିଁ ସେ । ଅତଏବ ଅଯଥା ବିଳମ୍ବ ନ କରି ଫାଶୀର ଦିନ ସ୍ଥିର ହୋଇଗଲା । ଆସାମୀଠାରେ ତାହା ପ୍ରକାଶ କରିବାର ନିୟମ ନାହିଁ ।

 

କାହାକୁ ଦେଖିବାକୁ ଇଚ୍ଛାକର ? ସରକାରୀ ଭାବରେ ପ୍ରଶ୍ନ କରାଗଲା ଫକୀରକୁ ।

 

ଗୋଟିଏ ମୁହୂର୍ତ୍ତ କ’ଣ ଭାବିଲା । ତା’ପରେ ମୁଣ୍ଡ ହଲାଇ ଜଣାଇଲା–ନା ।

 

ପ୍ରାୟ ତିନି ଦିନ ପରେ ସେଲ-ବ୍ଲକର ଆଗ ଦେଇ ଚାଲି ଯାଉଛି । ଫକୀର ବସିଥିଲା ତା’ର ଡିଗ୍ରୀର ଦୁଆରର ଠିକ୍‍ ପଛକୁ । ମୁହଁ ଦେଖି ମନେହେଲା କ’ଣ ଯେପରି କହିବାକୁ ଚାହେଁ । ଆଗେଇ ଯାଇ ପଚାରିଲି କ’ଣ କହିବ ?

 

ଫକୀର ଟିକିଏ ଇତସ୍ତତଃ କରି କହିଲା, ଏଠାକୁ ଝିଅ ମଣିଷ ଆସି ପାରନ୍ତି ବାବୁ ?

 

–କାହିଁକି ନ ପାରିବେ ? କାହାରିକୁ ଦେଖିବାକୁ ଚାହଁ ?

 

–ମୋର ବିବିକୁ ଥରେ ଦେଖିବାକୁ ଚାହେଁ । ନାମ କୁଟୀ-ବିବି । ମଧୁପୁର ଥାନା, ରାଉବାନ ଗାଁରେ ଘର ।

 

କୁଟୀ-ବିବି ନାମରେ ସରକାରୀ ଚିଠିଗଲା । ତହିଁର ନକଲ ପଠାହେଲା ଥାନାର ଭାରପ୍ରାପ୍ତ ଅଫିସରଙ୍କ ପାଖକୁ । ବେସରକାରୀ ଭାବରେ ଖବର ପଠାଇଲି ସୁଜିତ ବାବୁଙ୍କ ବୈଠକ ଖାନାକୁ । ସେ ବ୍ୟସ୍ତ ହୋଇ ଉଠିଲେ ଏବଂ ଦିନା ସାତ ଖୋଜା ଖୋଜି କରି ମୁହଁ ଶୁଖାଇ ଆସି କହିଲେ, ମିଳିଲା ନାହିଁ ମଳୟ ବାବୁ । ରାୟ ବାହାରିବା ଦିନ ବି କୋର୍ଟକୁ ଆସିଥିଲା । କିନ୍ତୁ ହାକିମ ଉଠିଗଲା ପରେ ବାହାରକୁ ଆସି ଆଉ ତା’ର ଦେଖା ପାଇନାହିଁ ।

 

ଥାନାରୁ ମଧ୍ୟ ଖବର ଆସିଥିଲା, ଉକ୍ତ ଠିକଣାରେ କୁଟୀ-ବିବି ନାମରେ କୌଣସି ଲୋକର ସନ୍ଧାନ ମିଳିଲା ନାହିଁ ।

 

ନିର୍ଦ୍ଦିଷ୍ଟ ଦିନ ଆସିଗଲା । ରାତି ଚାରିଟା ବାଜିଲାରୁ ଆସାମୀକୁ ନିଦରୁ ଉଠାଇ ଦିଆଗଲା । ବଡ଼ ଜମାଦାର ତା’ର ସେଲ ଆଗରେ ଠିଆହୋଇ ଗମ୍ଭୀର କଣ୍ଠରେ କହିଲେ, ବାହାରି ଆସ ଫକୀର । ଗୋସଲ ସାରିଦେଇ ଆଲ୍ଲାଙ୍କ ନାମ କର ।

 

କାଶିମ ଜଳ ଜଳ କରି ଚାହିଁ ରହିଲା । ଯେପରି କିଛି ବୁଝିପାରି ନାହିଁ । ସେଲର ଦୁଆର ଖୋଲା ହେଲା । ଫକୀର ଜମାଦାରର ମୁହଁକୁ ବିସ୍ମିତ ଦୃଷ୍ଟି ପକାଇ କହିଲା କେଉଁଠାକୁ ଯିବାକୁ ହେବ ?

 

ଏହାର ଉତ୍ତରଟା ବୋଧହୁଏ ଅଟକିଗଲା ତେତ୍ରିଶ ବର୍ଷର ଅଭିଜ୍ଞ କର୍ମ୍ମଚାରୀ ବହୁଦର୍ଶୀ ଚିଫ ହେଡ଼ ଓ୍ୱାର୍ଡ଼ର ଗଜାନନ ସିଂହର ମୁହଁରେ । ଗୋସଲ ବା ଆଲ୍ଲାଙ୍କ ନାମ କରିବାକୁ ଫକୀର କୌଣସି ଉତ୍ସାହ ଦେଖାଇଲା ନାହିଁ । ସେଲ ବ୍ଲକର ମେଟ ଏବଂ ପହରାବାଲା ଆଗେଇ ଯାଇ ତାକୁ ବାହାରକୁ ନେଇ ଆସିଲେ । ମୁଣ୍ଡରେ କେଇ ମଗ ପାଣି ଢାଳି ପିନ୍ଧାଇ ଦେଲେ ଏକ ସୁଟ୍, ନୂଆ ତିଆରି ଜଙ୍ଘିଆ କୁର୍ତ୍ତା । ମେଟ ମୁସଲମାନ । ଫକୀରକୁ ପାଖରେ ନେଇ ସେହି ନମାଜ ପଢ଼ିଲା । ଫକୀର ଯନ୍ତ୍ରଚାଳିତ ପରି ଅନୁସରଣ କଲା ।

 

ଶେଷ ବ୍ୟବସ୍ଥା ତଦାରଖ କରିବା ପାଇଁ ସେଲ-ଓ୍ୱାର୍ଡ଼ରେ ଯେତେବେଳେ ହାଜର ହେଲି, ଠିକ୍ ସେତିକିବେଳେ ଫକୀରର ନମାଜ ଶେଷ ହୋଇଛି । ଆଗେଇ ଆସି ମୋ ଆଗରେ ଠିଆ ହୋଇ ପଚାରିଲା, ସେ ଆସିଲା ନାହିଁ ବାବୁ ?

 

ଗୋଟିଏ ମୁହୂର୍ତ୍ତ ଭାବି ନେଲି । ତା’ପରେ କହିଲି, ଆସିଥିଲା ପକୀର । କିନ୍ତୁ ତମର ଖବର ଶୁଣି କାନ୍ଦି କାନ୍ଦି ଅଫିସ୍ ଭିତରେ ଅଜ୍ଞାନ ହୋଇଗଲା । ଡାକ୍ତର କହିଲେ, ଏପରି ଅବସ୍ଥାରେ ତାକୁ ଦେଖା କରିବାକୁ ନେବା ଠିକ୍ ହେବ ନାହିଁ । ଔଷଧପତର ଦେଇ ତାକୁ ସାଷ୍ଟମ କରି ଘରକୁ ପଠାଇ ଦେଇଛି । ଫକୀର ଏକ ଧ୍ୟାନରେ ଶୁଣିଗଲା, ମୋ କଥାର ପ୍ରତିଟି ଅକ୍ଷର । ତା’ପରେ ଆକାଶକୁ ଚାହିଁ ଅସ୍ପଷ୍ଟ କଣ୍ଠରେ ନିଃଶ୍ୱାସ ପକାଇ କହିଲା, ଆଲ୍ଲା ହୋ । ମନେହେଲା ଏହି ନିଃଶ୍ୱାସ ସଙ୍ଗରେ ବାହାରି ଗଲା ତା’ର ନିଭୃତ ଅନ୍ତରର ବହୁଦିନ ରୁଦ୍ଧ କେଉଁ ବେଦନାର ଧାର । ରାତ୍ରି ଶେଷରେ କ୍ଷୀଣ ଆଲୋକରେ ବି ସ୍ପଷ୍ଟ ଦେଖିଲି ମଳିନ ମୁହଁଟି ତା’ର ଗୋଟିଏ ନିମିଷକରେ ଉଜ୍ଜ୍ୱଳ ହୋଇ ଉଠିଲା । ଶୀର୍ଣ୍ଣ କୋଟରଗତ ଆଖି ପ୍ରାନ୍ତରୁ ଗଡ଼ିପଡ଼ିଲା କେଇ ଟୋପା ନୀରବ ଅଶ୍ରୁ ।

 

ଅନ୍ତର୍ଯ୍ୟାମୀ ଜାଣନ୍ତି, ଫକୀରକୁ ଯାହା କହିଥିଲି ତାହାର ସବୁତକ ମୋହରି ରଚନା । କିନ୍ତୁ ସେତକ ମିଥ୍ୟାର ମୂଲ୍ୟରେ ଯେଉଁ ପରମ ବସ୍ତୁ ସେଦିନ ପାଇଲା ତାହା ସହିତ ବିନିମୟ କରିପାରେ ମୋର ସାରା ଜୀବନବ୍ୟାପୀ ସତ୍ୟ-ଭାଷଣର ବିପୁଳ ଗୌରବ । ଖାଲି କ’ଣ ପାଇଲି-? ଯେଉଁ ଅମୃତ ଟେକି ଦେଲି ଏହି ମୃତ୍ୟୁପଥ ଯାତ୍ରୀର ହୃଦୟ ପାତ୍ରରେ, ତାହାହିଁ ମରଣଜୟୀ ମାଧୁର୍ଯ୍ୟ ମୋ ଜୀବନରେ ବି ଅକ୍ଷୟ ହୋଇ ରହିଲା ।

 

ଫାଶୀ-ଯନ୍ତ୍ରର ଚାରିଆଡ଼େ କର୍ମ ବ୍ୟସ୍ତତା ଚଞ୍ଚଳ ହୋଇ ଉଠିଲା । ସୁପାର ସାହେବ ଆସିଗଲେ । ତାଙ୍କ ସଙ୍ଗରେ ଆସିଲେ ଜଣେ ମାଜିଷ୍ଟ୍ରେଟ । ସରକାରୀ ଇଉନିଫର୍ମରେ ସଜ୍ଜିତ ଜେଲର ଏବଂ ତାଙ୍କର ସହକାରୀ ଦଳ ଧାଡ଼ିବାନ୍ଧି ଗୋଟାଏ ପାଖରେ ଠିଆ ହେଲେ । ଆଉ ଅନ୍ୟ ପାଖରେ ଠିଆ ହେଲେ ସଶସ୍ତ୍ର ରିଜର୍ଭ ଫୋର୍ସ । ଚାରିଆଡ଼ ନିସ୍ତବ୍ଧ । ଏତେ ବଡ଼ ଜେଲ୍‍ର ତେର ଶହ ଚଉଦ ଶହ ଲୋକ ଯେପରି ରୁଦ୍ଧ ଶ୍ୱାସରେ ଚାହିଁ ରହିଛନ୍ତ କେଉଁ ମହା ସଂଘଟନର ପ୍ରତିକ୍ଷାରେ । ସେତେଗୁଡ଼ାଏ ବ୍ୟାରାକ ଯେପରି ପ୍ରେତପୁରୀ । କେଉଁଠି ନାହିଁ ବୁନ୍ଦାଏ ପ୍ରାଣ ଚିହ୍ନ ।

 

ସୁପାରଙ୍କ ନିଃଶବ୍ଦ ଇଙ୍ଗିତରେ ଆସାମୀକୁ ଅଣା ହେଲା । ମୁହଁରେ ଆଖିଢଙ୍କା ଟୋପି । ହାତଯୋଡ଼ାକ ପଛପଟୁ ହାତକଡ଼ା ଦେଇ ବନ୍ଧା । ଦୁଇପଟରୁ ଦୁଇଜଣ ସିପାହୀ ତାକୁ ଧୀରେ ଧୀରେ ଫାଶୀ-ମଞ୍ଚ ଉପରକୁ ଧରି ନେଇଗଲେ । ମୁଣ୍ଡର ଠିକ୍ ଉପରକୁ ଗୋଟାଏ ଲୁହାର ବାଡ଼ ସଙ୍ଗରେ ଝୁଲୁଅଛି ମୋଟ ମ୍ୟାନିଲା ଦଉଡ଼ାରେ ତିଆରି ଫାଶ । ଗୋଡ଼ ତଳକୁ ଲୁହାର ତକ୍ତା । ତାହା ତଳକୁ ନାତି-ଗଭୀର ଗର୍ତ୍ତ । ଜହ୍ଲାଦ ତିଆରି ହୋଇ ରହିଛି ହୁକୁମର ଅପେକ୍ଷାରେ ।

 

ସୁପାରଙ୍କ ହାତରେ ଓ୍ୱାରେଣ୍ଟ । ଗମ୍ଭୀର କଣ୍ଠରେ ପଢ଼ିଗଲେ ଜଜ୍‍ଙ୍କର ଆଦେଶ । ତାହାର ବଙ୍ଗଳା ତର୍ଜମା କରି ଶୁଣାଇଲେ ରିଲିଭ ଦପ୍ତରର ଡେପୁଟି ଜେଲର । ସଙ୍ଗେ ସଙ୍ଗେ ଶୁଣାଗଲା ରିଜର୍ଭ ଚିଫ୍ ହେଡ଼ ଓ୍ୱାର୍ଡ଼ରଙ୍କ ଅନୁଚ୍ଚ ଗମ୍ଭୀର କମାଣ୍ଡ–Present arms; ନିଖୁଣ ନୈପୁଣ୍ୟରେ ଉଦ୍ୟତ ହେଲା ରାଇଫଲଯୁକ୍ତ ବାୟୋନେଟ । ଚିର ବିଦାୟୋନ୍ମୁଖ ବନ୍ଦୀର ଉଦ୍ଦେଶ୍ୟରେ ବନ୍ଦୀଶାଳାର ସଶସ୍ତ୍ରବାହିନୀ ଜଣାଇଲେ ସେମାନଙ୍କର ଶେଷ ସାମରିକ ସମ୍ମାନ ।

 

ରାଇଫଲର ବେଣ୍ଟ ଉପରୁ ତାଙ୍କ ହାତର ଶବ୍ଦ ସେତେବେଳେ ବି ମିଳାଇ ଯାଇନାହିଁ । ହଠାତ୍‍ ଚାରିଆଡ଼ ସଚକିତ କରି ସ୍ତବ୍ଧ ଜେଲ୍‍ ପ୍ରାଙ୍ଗଣର ବୁକୁ ଚିରି ଫାଟି ପଡ଼ିଲା ଏକ ତୀକ୍ଷ୍ଣ ଆର୍ତ୍ତସ୍ୱର–ଛାଡ଼ି ଦିଅ, ତମ ଗୋଡ଼ତଳେ ପଡ଼ୁଛି । ମୋତେ ଛାଡ଼ି ଦିଅ । ଫାଶୀର ମଞ୍ଚ ଉପରୁ ଧାଇଁ ପଳାଇବାକୁ ଚାହିଁଲା ଫାଶୀର ଆସାମୀ । ଦୁଇଜଣ ବଳିଷ୍ଠ ସିପାହୀ ତାକୁ ଧରିରଖି ପାରୁନାହାନ୍ତି । ଜହ୍ଲାଦ ଥମକି ଠିଆ ହେଲା । ସୁପାରଙ୍କ କପାଳରେ ଦେଖା ଦେଲା କୁଞ୍ଚନ ରେଖା । ତାଙ୍କ ଇଙ୍ଗିତରେ ଆହୁରି ଦୁଇଜଣ ସିପାହୀ ଧାଇଁ ଆସି ଜୋର୍‍ କରି ଟେକି ଧରିଲେ ଆସାମୀର ଭାଙ୍ଗି ପଡ଼ିଥିବା କମ୍ପିତ ଦେହ । କ୍ଷିପ୍ର ହସ୍ତରେ ହ୍ୟାଙ୍ଗମ୍ୟାନ ଗଳାରେ ପିନ୍ଧାଇ ଦେଲା ଫାଶ ଏବଂ ମୁହୂର୍ତ୍ତ ମଧ୍ୟରେ ଟାଣି ଦେଲା ଲୁହାର ହ୍ୟାଣ୍ଡଲ । ଗୋଡ଼ତଳୁ ଲୁହାର ପାତ ଖଣ୍ଡିକ ତଳକୁ ଖସି ପଡ଼ିଲା । ତାହାରି ସଙ୍ଗରେ ଆଖିର ପଲକରେ ଗହ୍ୱର ମଧ୍ୟରେ ଅଦୃଶ୍ୟ ହୋଇଗଲା କାଶିମ ଫକୀରର ଶୀର୍ଣ୍ଣ ଦେହ । ଗୋଟାଏ ଶକ୍ତ ମୋଟ ଦଉଡ଼ା କେବଳ ଆଖି ଆଗରେ ଝୁଲି ରହିଲା । ଟିକିଏ ହଲିଗଲା ଥରେ କି ଦୁଇଥର । ତା’ପରେ ସବୁ ସ୍ଥିର ।

 

ସଭିଙ୍କର ମୁହଁରେ ସେହି ଏକାକଥା । ଇଏ କ’ଣ କରି ବସିଲା ଲୋକଟା ? ମୂଳରୁ ନକଲା ଅପିଲ, ନ ପଠାଇଲା ଗୋଟାଏ mercy petition, ଭାଙ୍ଗିପଡ଼ିଲା ଶେଷକୁ ଏକାବେଳେକେ ଫାଶୀ କାଠ ଉପରେ । ଡ୍ରାମାଟିକ କାଣ୍ଡ ସତରେ !

 

ସେହି ଫାଶୀ କଥାନେଇ ସେଦିନ ଗପର ଆସର ଜମି ଉଠିଲା । ସିନିଅର ଅଫିସରମାନେ ତାଙ୍କ ପ୍ରତ୍ୟକ୍ଷ ଅଭିଜ୍ଞତା ବର୍ଣ୍ଣନା କରିବାକୁ ଲାଗିଲେ । ବୀରେନବାବୁ କହିଲେ, ଫାଶୀ ତ କେତେ ଦେଖିଲି । ଟେରରିଷ୍ଟମାନଙ୍କ କଥା କହୁନାହିଁ । ତାଙ୍କ କଥା ଅଲଗା । ତାଙ୍କୁ ଛାଡ଼ି ଯେଉଁମାନଙ୍କୁ ଦେଖିଛି, ସମସ୍ତଙ୍କୁ ପ୍ରାୟ ଧରି ଆଣିବାକୁ ହୋଇଛି ସେଲରୁ Gallows ଯାଏ । ଗୋଟାଏ ମୁସଲମାନ ଟୋକା କିନ୍ତୁ ଭାରି ବାହାଦୁରି ଦେଖାଇ ଥିଲା, ସେଥର ଆଲିପୁର ଜେଲରେ-। ଆଲୀ ମହମ୍ମଦ ନା କ’ଣ ଥିଲା ତା’ର ନାମ, ମୋର ଠିକ୍‍ ମନେ ନାହିଁ । ବଡ଼ଲୋକର ପୁଅ-। ବିଭା ବି ହୋଇଥିଲା ବେଶ୍‍ ଖାନଦାନ ଘରେ । ବୋହୂ ପରା ଥିଲା ପରମା ସୁନ୍ଦରୀ । କିନ୍ତୁ ମାସେ ନ ଯାଉଣୁ ଦେଲା ତାକୁ ଖତମ କରି ।

 

–ଖତମ କରି ! କ’ଣ ପାଇଁ ?

 

–କ’ଣ ପାଇଁ ପୁଣି ? ଚିରତ୍ରରେ ସନ୍ଦେହ । ଅଳ୍ପ ବୟସରେ ଯାହା ହୋଇଥାଏ । ଯେଉଁପରି ପ୍ରେମରେ ପାଗଳ, ସେହିପରି ଆଖି ପିଛୁଳା ନ ପଡ଼ୁଣୁ ସନ୍ଦେହ । ଅବଶ୍ୟ, ଭୁଲ୍‍ ବୁଝିବାକୁ ତାକୁ ଡେରି ହୋଇନାହିଁ । ଛୁରି ହାତରେ ଏକବାରେ ଥାନାରେ ହାଜର । ନିଜର ସେ ମାମଲା ଲଢ଼ିବାକୁ ଚାହିଁ ନ ଥିଲା । କିନ୍ତୁ ଘରର ଲୋକେ ଶୁଣିବେ କାହିଁକି ? ଚେଷ୍ଟାର ତ୍ରୁଟି ହୋଇନାହିଁ, ବଡ଼ ବଡ଼ ଓକିଲ ବାରିଷ୍ଟର ତଦବିର, ସୁପାରିସ୍‍, ଧରପକଡ଼, କନ୍ଦାକଟା; କିନ୍ତୁ ଶେଷଯାଏ ଗଳା ବଞ୍ଚିଲା ନାହିଁ ।

 

ତା’ର ଫାଶୀର ଦିନଟା ବେଶୀ ମନେ ଅଛି । ସେଲରୁ ବାହାରି ଆସିଲା ତମ ତମ ହୋଇ । ଛାତି ଫୁଲାଇ ଠିଆ ହେଲା gallows ଉପରେ । ବଡ଼ ସାହେବ ଓ୍ୱାରେଣ୍ଟ ପଢ଼ୁଥିଲେ । ମଝିରୁ କହି ଉଠିଲା, ସେ ସବୁ ରଖ ସାହେବ । ଓ୍ୱାରେଣ୍ଟ ତ ଆଗରୁ ଶୁଣିଛି । ତମର ହ୍ୟାଙ୍ଗମେନକୁ ଡାକ, ଫାଶଟା ଲଗାଇ ଦେଉ, I am ready…….ତା’ପରେ ଟିକିଏ ରହି ଧୀରେ ଧୀରେ ଆପଣାମନକୁ କହିଲା–ଏଇ ଦୁନିଆରେ କସୁର କରିଥିଲି, ଏହି ଦୁନିଆରୁ ହିଁ ତା’ର ସଜା ନେଇ ଯାଉଛି । ମୋର କିଛି ଅବଶୋଷ ନାହିଁ । ଅବ ମୟ ବହୁତ ଖୁସ ହ୍ୟାୟ, ବହୁତ ଖୁସ ହ୍ୟାୟ-

 

ରାଧିକାବାବୁ ପ୍ରବୀଣ ଲୋକ । ଜୁନିଆର ବାବୁମାନେ ଧରି ବସିଲେ, ଆପଣ ଦୁଇ ଚାରିଟା କହନ୍ତୁ, ଦାଦା । ଆପଣ ନିଶ୍ଚୟ ଅନେକ ଫାଶୀ ଦେଖିଛନ୍ତି ।

 

ସେ କହିଲେ, ବେଶୀ ନଦେଖେଁ, ଦୁଇ ଚାରିଟା ଆଉ କ’ଣ ଦେଖି ନାହିଁ ! ତେବେ ମନେ ରଖିବାଭଳି ତାଜ୍ଜବ ସେପରି କିଛି ଦେଖିନାହିଁ ଘଟିବାକୁ । ସବୁଗୁଡ଼ାକ ମାମୁଲି ଘଟଣା । ସେଲରୁ ଧରିଆଣି ଝୁଲାଇ ଦେବା । ଗୋଟାଏ କେସ୍ ଖାଲି ପାଇଥିଲି, ତାହାର ଭିତରୁ ବିଶେଷ ଧରଣର । ଲୋକଟାର ନାମ ବି ମନେଅଛି–ନିତାଇ ଭଟ୍ଟାଚାର୍ଯ୍ୟ । ଭୟଙ୍କର ମାମଲା ବାଜ୍ । ପର ପଛରେ କାଠି ଦେବା ଥିଲା ତା’ର କାମ । ଜୀବନ ସାରା କେତେ ଲୋକଙ୍କର ସର୍ବନାଶ କରି ଶେଷକୁ ନିଜେ ଇ ପଡ଼ିଗଲା ଗୋଟାଏ ମାରାତ୍ମକ ଖୁନୀ ମାମଲାରେ । ଜମି ଦଖଲ ନେଇ ଗଣ୍ଡଗୋଳ, ଅନ୍ୟ ପକ୍ଷରେ ଯୋଡ଼ାଏ ଖୁନ୍‍ । ଲାସ୍‍ ଗାଏବ୍ ହୋଇଗଲା, କିନ୍ତୁ ତା’ର ରକ୍ତ ଲଗା ଲୁଗାପଟା ଆଉ କ’ଣ ସବୁ ମିଳିଲା ଭଟ୍ଟାଚାର୍ଯ୍ୟର ଘରୁ । ଦୌରା ଜଜ ଥିଲା ଜଣେ ସାହେବ । ଫାଶୀର ଅର୍ଡ଼ର ଦେଇଦେଲା । ସେ ନିଜ ହିଁ ଅପିଲ ଲେଖିଥିଲା । ଅନେକ ପକ୍‌କା ବାରିଷ୍ଟରଙ୍କ କଲମରୁ ସେ ରକମ draft ବାହାରିବ କି ନା ସନ୍ଦେହ । କିନ୍ତୁ କାମ ହେଲା ନାହିଁ । ଲୋୟର କୋର୍ଟର ରାୟ ହିଁ ବହାଲ ରହିଲା ଶେଷଯାଏ । ତା’ର ସ୍ତ୍ରୀଟି ଆଠ ଦଶଟି ଯାଏ ପିଲା ନେଇ ବରାବର ଦେଖା କରିବାକୁ ଆସୁଥିଲା । ଅବସ୍ଥା ଏକଦା ବେଶ୍‍ ସ୍ୱଚ୍ଛଳ ଥିଲା । ମରିବା ଆଗରୁ ସର୍ବସ୍ୱାନ୍ତ ହୋଇ ସେମାନଙ୍କୁ ଦାଣ୍ଡରେ ବସାଇ ଗଲା ।

 

ଏହି ଲୋକଟା କିନ୍ତୁ ବରାବର କହି ଆସିଛି, ସେ ଏଇ ମାମଲାର କିଛି ଜାଣେ ନାହିଁ; ଏକବାରେ ନିର୍ଦ୍ଦୋଷ । ଶତ୍ରୁପକ୍ଷର ଲୋକେ ତୁଚ୍ଛା ଅହନ୍ତାରେ ତାକୁ ଏଥିରେ ଜଡ଼ିତ କରି ଅଛନ୍ତି । ସତ କି ମିଛ ଜାଣେ ନାହିଁ । ଏହିପରି ତ ସଭିଏଁ କହିଥାନ୍ତି । କିନ୍ତୁ ଫାଶୀକାଠ ଉପରେ ଠିଆ ହୋଇ ଶେଷ ମୁହୂର୍ତ୍ତରେ ବି ଯେତେବେଳେ ସେ ସେହି ଏକା କଥା କହିଗଲା ସବୁତକ ମିଛ ବୋଲି ଉଡ଼ାଇ ଦେବା ଭଳି ଜୋର୍‍ ପାଇଲି ନାହିଁ....

 

ରାଧିକାବାବୁ ତୁନି ହେଲେ । ସେହି ଶେଷ ଦୃଶ୍ୟଟା ବୋଧହୁଏ ତାଙ୍କ ଆଖି ଆଗରେ ଭାସି ଉଠୁଥିଲା । ଟିକିଏ ରହି ପୁଣି ଆରମ୍ଭ କଲେ–ଆସାମୀ Gallows ଉପରେ ଠିଆ ହୋଇଛି-। ଓ୍ୱାରେଣ୍ଟ ପଢ଼ା ଶେଷ ହେଲାଣି । ହ୍ୟାଙ୍ଗମେନଟା ବି ରେଡ଼ି । ସାହେବଙ୍କର ଇଙ୍ଗିତକୁ କେବଳ ଅପେକ୍ଷା । ଆମେ ସମସ୍ତେ ସେଇ ଆଡ଼କୁ ଅନାଇ ରହିଅଛୁଁ । ନିଃଶ୍ୱାସ ପଡ଼ୁଛି କି ନାହିଁ-। ହଠାତ୍‍ ଚମକି ପଡ଼ିଲି ନିତାଇର ଗଳା ଶୁଣି । ସ୍ପଷ୍ଟ ଜୋର୍‍ ଗଳା । ଟିକିଏ କମ୍ପୁ ନାହିଁ । ଟିକିଏ ଜଡ଼ତା ନାହିଁ–ତମେମାନେ ଶୁଣ, ବିଶ୍ୱାସ କର, ଖୁନ୍‍ ମୁଁ କରି ନାହିଁ । ଖୁନ୍‍ କରୁଛ ତମେମାନେ । ଗୋଟାଏ ନିତାନ୍ତ ନିରାପରାଧ ଲୋକକୁ ଜୋର୍‍ କରି ଝୁଲାଇ ଦେଉଛ ଫାଶୀକାଠରେ ।

 

......ଏତକ କହିସାରି ତା’ର ସ୍ୱର ହଠାତ୍ କିପରି ନରମ ହୋଇଗଲା । ଯେପରି ପ୍ରାର୍ଥନା କରୁଛି, ଏହିପରି ଭାବରେ ଧୀରେ ଧୀର କହିଲା–ଅନ୍ୟାୟ କରି, ଅବିଚାର କରି, ଯେଉଁମାନେ ମୋତେ ବଞ୍ଚିବାକୁ ଦେଲେ ନାହିଁ, ଛଡ଼ାଇ ନେଲେ ମୋର ଅସାହାୟ ସ୍ତ୍ରୀ-ପୁତ୍ରଙ୍କର ମୁହଁରୁ ଅନ୍ନ, ହେ ଭଗବାନ, ତୁମେ ତାଙ୍କର ବିଚାର କରିବ ।

 

ମଜଲିସ୍‍ଟା ବସିଥିଲା ଡେପୁଟି ବାବୁମାନଙ୍କର ଅଫିସରେ । ଗୋଟାଏ କୋଣକୁ ବସିଥିଲେ ଆମର ତରୁଣ ସହକର୍ମୀ ସିତାଂଶୁ । ଭଦ୍ରଲୋକ ଟିକିଏ ଭାବଗମ୍ଭୀର । ସମସ୍ତଙ୍କ ମଝିରେ ଆଉ ମଧ୍ୟ ଟିକିଏ କିପରି ସ୍ୱତନ୍ତ୍ର । ସେଥିପାଇଁ ପରିଚିତ ମହଲରେ ତାଙ୍କର ନିନ୍ଦା ଓ ପ୍ରଶଂସାର ଟିକିଏ ଆତିଶଯ୍ୟ ଥିଲା । ଆଜିର ଭୋରର ଅନୁଷ୍ଠାନରେ ସେ ଅନୁପସ୍ଥିତ ଥିବାର ମୁଁ ଲକ୍ଷ୍ୟ କରିଅଛି । ଆମର ଗଳ୍ପର ଆସରରେ ଉପସ୍ଥିତ ଥାଇ ମଧ୍ୟ ସେ ଯୋଗ ଦେଇ ନ ଥିଲେ । ହଠାତ୍ କ’ଣ ମନକୁ ଆସିଲା ତାଙ୍କ ଆଡ଼କୁ ଚାହିଁ ପ୍ରଶ୍ନ କଲି, ଆପଣ ବୋଧହୁଏ କୌଣସି ଫାଶୀ ଦେଖି ନାହାନ୍ତି ସିତାଂଶୁ ବାବୁ !

 

ସେ ଟିକିଏ ଚମକି ଉଠିଲେ, ବୋଧହୁଏ ବାଧା ପାଇଲେ ନିଜସ୍ୱ କୌଣସି ଚିନ୍ତା-ସୂତ୍ରରୁ-। ତା’ପରେ ଆବେଗର ସହିତ ବିନୀତ କଣ୍ଠରେ କହିଲେ, ଦେଖିଛି, ସାର୍‍ । ଗୋଟିଏ ମାତ୍ର ଫାଶୀ ଦେଖିଛି । କିନ୍ତୁ ତାହା ଫାଶୀ ନୁହେଁ, ସହିଦ ବେଦୀମୂଳରେ ଦେଶପ୍ରାଣ ଭକ୍ତର ଜୀବନ-ବଳି-। ଏହି ପ୍ରସଙ୍ଗରେ ତାଙ୍କ କଥା ଉଲ୍ଲେଖ କରି ତାଙ୍କ ଆତ୍ମାର ଅସମ୍ମାନ କରିବାକୁ ଚାହେଁ ନାହିଁ ।

 

ସିତାଂଶୁଙ୍କର ଏହି ଭାବାବେଶ ମୁଁ ଉପଲବ୍ଧି କରୁଛି । ଫାଶୀର ମଞ୍ଚରେ ଗାଇଗଲେ ଯିଏ ଜୀବନର ଜୟଗାନ, ସେମାନଙ୍କର ଜୟଗାନରେ ମୁଁ ମଧ୍ୟ କାହାରିଠାରୁ ପଶ୍ଚାଦ୍‌ପଦ ନୁହେଁ । ସିତାଂଶୁ ପରି ମୋର ବି ତାଙ୍କ ଭିତରୁ ଜଣେ ଦୁଇ ଜଣଙ୍କୁ ଦେଖିବାର ସୌଭାଗ୍ୟ ହୋଇଅଛି । ଦେଖିଛି, ମହତ ଉଦ୍ଦେଶ୍ୟରେ ଯେଉଁ ମୃତ୍ୟୁବରଣ ତାହା ଭିତରେ ଗୋଟାଏ ପ୍ରଚଣ୍ଡ ମୋହ ଅଛି । ସେହି ମୋହ ଯେତେବେଳେ ମନକୁ ଆଚ୍ଛନ୍ନ କରେ, ମୃତ୍ୟୁର ବିଭୀଷିକା ଲୁପ୍ତ ହୋଇଯାଏ, ମରଣର ରୂପ ସେତେବେଳେ ଭୟଙ୍କର ନୁହେଁ; ମରଣ ସେ ସ୍ଥଳରେ ଶ୍ୟାମ-ସମାନ । ଫାଶୀ-ମଞ୍ଚର ସେହି ଲୁହାର ପାତ ଉପରେ ଠିଆ ହୋଇ ମଧ୍ୟ ତାଙ୍କର ଆଖିରୁ ଭାସି ଉଠେ ଗଭୀର ଆତ୍ମତୃପ୍ତି, କଣ୍ଠରେ ଜାଗିଉଠେ ସତେଜ ଗର୍ବବୋଧ ।

 

ସେମାନେ ଜାଣନ୍ତି, ତାଙ୍କ ପାଇଁ ସଞ୍ଚିତ ରହିଲା ଦେଶ-ମାତୃକାଙ୍କର ଅଜସ୍ର ଆଶୀର୍ବାଦ ଆଉ ଦେଶବାସୀଙ୍କ ଅକୁଣ୍ଠ ଶ୍ରଦ୍ଧା ଭଣ୍ଡାର । ତେଣୁ ଉନ୍ନତ ଶିରରେ, ସସ୍ମିତ ମୁଖରେ ସେମାନେ ସ୍ୱଚ୍ଛନ୍ଦରେ ଚାଲି ଯାଆନ୍ତି, କଣ୍ଠରେ ପିନ୍ଧି ମ୍ୟାନିଲା ରଜ୍ଜୁର ବରମାଲ୍ୟ । ଏହା ତ ମୃତ୍ୟୁ ନୁହେଁ । ଏହା ଆତ୍ମଦାନ, ମହତ୍ତର ଜୀବନ ମଧ୍ୟରେ ପୁନରାବିର୍ଭାବ । ଏହି ମୃତ୍ୟୁ କେବଳ ତା’ର ଦେଶର ଗୌରବ ନୁହେଁ ତା’ର ନିଜଠାରେ ବି ଏକ ମହାମୂଲ୍ୟ ଅନ୍ତିମ ସମ୍ପଦ ।

 

କିନ୍ତୁ ସେହି ସମ୍ପଦର କଣିକାଏ ସୁଦ୍ଧା ଯେଉଁମାନେ ପାଇଲେ ନାହିଁ, ମୃତ୍ୟୁ ଯେଉଁମାନଙ୍କୁ ଦେଇଗଲା କେବଳ କ୍ଷତି, ମରଣ ପଥରେ ଯେଉଁମାନଙ୍କର ଏକମାତ୍ର ପାଥେୟ କେବଳ ଲଜ୍ଜା, ଗ୍ଳାନି ଓ ଅଭିଶାପ, ଆଇନଠାରେ, ସମାଜଠାରେ ଆତ୍ମୀୟ ବାନ୍ଧବ ସଭିଙ୍କଠାରୁ ଯେଉଁମାନେ ଗୋଟାଇ ନେଲେ ଖାଲି ନିନ୍ଦାର ପସରା, ସେହି ସବୁ ନିଃସମ୍ବଳ ସଂସାର-ପରିତ୍ୟକ୍ତ ହତଭାଗ୍ୟ ନରହନ୍ତାମାନେ ମୃତ୍ୟୁକୁ ଗ୍ରହଣ କରିବେ କେଉଁ ବଳରେ ? କଅଣ ଅବଲମ୍ବନ କରି ସେମାନେ ଗୋଡ଼ ବଢ଼ାଇବେ ମରଣ-ସାଗରର ସୀମାହୀନ ଅନ୍ଧକାରରେ ? ତେଣୁ ମୃତ୍ୟୁ କେବଳ ଗୋଟିଏ ମାତ୍ର ରୂପରେ ଦେଖାଦିଏ ସେମାନଙ୍କ ଆଖିରେ । ସେହି ରୂପ ବିଭୀଷିକାର ରୂପ । ସେହି ରୂପ ଦେଖି ଫାଶୀ-ଯନ୍ତ୍ର ଉପରେ କେହି ଆର୍ତ୍ତନାଦ କରେ, କେହି ବଜ୍ରାହତ ମୃତ୍ୟୁ ଦେହ ପରି ଠିଆହୋଇ ରହେ । କେହି ଭାଙ୍ଗି ମୋଡ଼ି କଚାଡ଼ି ପଡ଼େ । କେହି ଅବା ଅର୍ଥହୀନ ପ୍ରଳାପର ଆବରଣ ଦେଇ ଢାଙ୍କି ରଖିବାକୁ ଚାହେଁ ଗ୍ରାସୋଦ୍ୟତ ମରଣର କରାଳ ଛାୟା ।

 

ମୃତ୍ୟୁ-ଛାୟା କିପରି ବସ୍ତୁ ତାହା ମୁଁ ସ୍ୱଚକ୍ଷୁରେ ଦେଖିଅଛି । ଆଜି ତମର ଫାଶୀ–ଏହି ସରଳ ସାନ ଗୋଟିଏ ମାତ୍ର ବାକ୍ୟ କିପରି ଗୋଟିଏ ସବଳ ସୁସ୍ଥ ମଣିଷର ମୁହଁରୁ ମୁହୂର୍ତ୍ତକରେ ସବୁ ରକ୍ତ ଶୋଷିନିଏ ।

 

ସେହି ବିଭତ୍ସ ଦୃଶ୍ୟ ବି ମୋ ଆଖିରେ ପଡ଼ିଅଛି । ମୃତ୍ୟୁ ଯେ ଆସନ୍ନ, ଏକଥା ତ ତା’ର ଅଜ୍ଞାତ ନ ଥିଲା ? ଏହି ଦିନପାଇଁ ତ ସେ ପ୍ରସ୍ତୁତ ହେଉଛି ବହୁଦିନ ଧରି ! ତଥାପି ଆସନ୍ନ ଓ ଆଗତ ମଧ୍ୟରେ ଦୁସ୍ତର ବ୍ୟବଧାନ । ନିଶ୍ଚିତ ହେଲେ ବି ମରଣ ଏତେ ଦିନ ଥିଲା ତା’ର ମନଶ୍ଚକ୍ଷୁରେ । ଆଜି ସେ ସଶରୀରରେ ଉପସ୍ଥିତ । ଆଜି ରୁଦ୍ରଙ୍କର ଆବିର୍ଭାବ । ତାଙ୍କର ନିଃଶ୍ୱାସରେ ଗୋଟାଏ ଜିଅନ୍ତା ମଣିଷ ଠିଆ ଠିଆ ମରିଯାଏ । ରକ୍ତ ମାଂସରେ ଗଢ଼ା ଜିଅନ୍ତା ଗଣ୍ଡି ଉପରେ ଦେଖାଦିଏ କଙ୍କାଳର ମୁହଁ । ଏହି ଦୃଶ୍ୟ ଦେଖିବାର ସୌଭାଗ୍ୟ କେତେ ଜଣଙ୍କର ଭାଗ୍ୟରେ ମିଳେ ? ସିତାଂଶୁର ମିଳିଥିଲା, କିନ୍ତୁ ସେ ଦେଖିଲା ନାହିଁ ।

 

ସିତାଂଶୁ ସହିତ ମୋର ବିରୋଧ ନାହିଁ । ପୁଣ୍ୟାତ୍ମା ସହିଦମାନଙ୍କ ପାଇଁ ରହିଲା ମୋର ଶ୍ରଦ୍ଧାଞ୍ଜଳି । କିନ୍ତୁ ଏହି ପାପାତ୍ମା ଖୁନୀମାନଙ୍କ ପାଇଁ କ’ଣ ରହିଲା ? କିଛି ନୁହେଁ । ସେଠାରେ ମୁଁ ରିକ୍ତହସ୍ତ । ମୋ’ଠାରେ, ସଂସାରର ମଣିଷମାନଙ୍କଠାରେ କିଛି ଦାବି ସେମାନଙ୍କର ନାହିଁ । ତଥାପି କେବେ, କ୍ୱଚିତ୍‍ କୌଣସି ସଙ୍ଗହୀନ ନୀରବ ସନ୍ଧ୍ୟାରେ ମନ ଯେତେବେଳେ ଆପଣା ଭିତରେ ଗୋଟେଇ ଆସେ, ଆଖି ବୁଜିଲେ ମୁଁ ସେହି ମରଣାହତ ରକ୍ତଲେଶହୀନ ଭୀତି-ପାଣ୍ଡୁର ଶୀର୍ଣ୍ଣ ମୁହଁଗୁଡ଼ିକ ଦେଖିବାକୁ ପାଏ, ଭୟ ନୁହେଁ, ଘୃଣା ନୁହେଁ, କେଉଁ ଏକ ଅବ୍ୟକ୍ତ ମମତାରେ ସାରା ଅନ୍ତର ଭରିଉଠେ ।

Image